ISSN (Print) - 0012-9976 | ISSN (Online) - 2349-8846

ଜାତୀୟ ଅନୁସନ୍ଧାନ ସଂସ୍ଥାଦ୍ୱାରା ଏଲଗାର ମାମଲା ହାତକୁ ନିଆଯିବା ସମ୍ବନ୍ଧରେ

ଏଲଗାର ମାମଲାର ଯାଂଚ ଦାୟିତ୍ୱ ଏନଆଇଏ କୁ ହସ୍ତାନ୍ତର କରାଯିବା ଘଟଣା ମହାରାଷ୍ଟ୍ର ସରକାରର ପ୍ରଶାସନିକ ଦକ୍ଷତାକୁ ନ୍ୟୁନ କରୁଛି

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଜାନୁଆରୀ ୨୪ ତାରିଖ ଦିନ କେନ୍ଦ୍ର ଗୃହ ବିଭାଗ ନିଷ୍ପତ୍ତି କଲା ଯେ ଏଲଗାର ପରିଷଦର ମୋକଦମାରେ ଯାଂଚ କାର୍ଯ୍ୟକୁ ମହାରାଷ୍ଟ ୍ର ପୋଲିସ ହାତରୁ ନେଇ ରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏକୁ ଦିଆଯିବ । ଏହା ପୁଣିଥରେ ପ୍ରମାଣ କରିଛି ଯେ କିପରି ଏନଆଇଏ ରାଜ୍ୟମାନଙ୍କ ଅଧିକାର କ୍ଷେତ୍ରରେ ଅନୁପ୍ରବେଶ କରି ଦେଶର ସଂଘୀୟ ନୀତିକୁ କ୍ଷତି ପହଞ୍ଚାଇବାରେ ଲାଗିଛି । ଏଭଳି ଏକ ହସ୍ତକ୍ଷେପ ପ୍ରମାଣ କରୁଛି ଯେ, ଏନଆଇଏ ରାଜ୍ୟ ଗୁଡିକରେ ପ୍ରବେଶ କରି ରାଜ୍ୟମାନଙ୍କ ସହିତ ବିବାଦକୁ ଜନ୍ମ ଦେଉଛି ଓ ସେହି ରାଜ୍ୟ ଗୁଡିକରେ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରୁଛି ଯେଉଁଗୁଡିକ ଭାରତୀୟ ଜନତା ପାର୍ଟି ଶାସନାଧୀନ ନୁହଁନ୍ତି । ଏଠାରେ ଲକ୍ଷ୍ୟ କରିବାର କଥା ଯେ ଏହି ମୋକଦମାକୁ ହସ୍ତାନ୍ତର କରିବା ଘଟଣା ସେହିଦିନ ଘଟିଲା ଯେଉଁଦିନ  ମହାରାଷ୍ଟ୍ର ସରକାରର ଉପମୁଖ୍ୟମନ୍ତ୍ରୀ ତଥା  ଗୃହମନ୍ତ୍ରୀ ଏହି ମୋକଦମାର ଯାଂଚ କରୁଥିବା ପୋଲିସ ଅଫସରମାନଙ୍କ ବିଷୟରେ ପ୍ରାଥମିକ ସମୀକ୍ଷା କରିବା ପାଇଁ ଏକ ବୈଠକ କଲେ ।  ରାଜ୍ୟର ଗୃହମନ୍ତ୍ରୀଙ୍କ ପକ୍ଷରୁ ଯାହା କୁହାଗଲା, ଏହି ମୋକଦମାକୁ ହସ୍ତାନ୍ତର କରାଯିବା ବିଷୟରେ ରାଜ୍ୟ ସରକାରଙ୍କ ସହିତ କୌଣସି ବିଚାର ଆଲୋଚନା କରାଯାଇ ନାହିଁ । ଗୋଟିଏ ରାଜ୍ୟର ଜଣେ ମନ୍ତ୍ରୀ ତାଙ୍କ ଅଧିକାର କ୍ଷେତ୍ରରେ ଆସୁଥିବା ଗେଟିଏ ମୋକଦମ୍ମାର ସମୀକ୍ଷା କରୁଥିବା ଘଟଣାରେ କେନ୍ଦ୍ର ସରକାର ଏତେ ବିରକ୍ତ କାହିଁକି ହୋଇଗଲେ । ଏହା ଏଇଥିପାଇଁ ହୋଇଥାଇପାରେ ଯେ, ରାଜ୍ୟର ଶାସକ ଦଳ ଏବଂ ମେଣ୍ଟ ଓ ଏହାର ନେତୃତ୍ୱ ପୂର୍ବ ସରକାର ଓ ତାଙ୍କର ପୁଲିସର ଏଲଗାର ପରିଷଦ ଓ ଭୀମା କୋରେଗାଁଓ ମାମଲାରେ ପ୍ରଦର୍ଶନ କରାଯାଇଥିବା  ଆଚରଣ ଓ କାର୍ଯ୍ୟକ୍ରମ ବିଷୟରେ ପ୍ରଶ୍ନ ଉଠାଇଥିଲେ ।

ଗତ ମାସରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ପୁନେ ପୁଲିସ ଦ୍ୱାରା ଏଲଗାର ପରିଷଦ ମାମଲାରେ ଲଗାତର ଭାବରେ ୯ଜଣ କର୍ମୀ/ ଓକିଲଙ୍କୁ ବନ୍ଦୀ କରାଯିବା ଘଟଣାରେ ଉଦବେଗ ପ୍ରକାଶ କରି ଏକ ବିଶେଷ ଯାଂଚ ଦଳ(ଏସଆଓଟି) ଦ୍ୱାରା ଘଟଣାର ଯାଂଚ କରାଯିବାକୁ ଦାବି କରିଥିଲେ ।  କାରଣ ସେ ପୂର୍ବ ସରକାରର ଯାଂଚ ଏବଂ ନିଆଯାଇଥିବା ଅନ୍ୟାନ୍ୟ ପଦକ୍ଷେପକୁ ସନ୍ଦେହଜନକ ଓ ପୂର୍ବାଗ୍ରହ ପ୍ରେରିତ ବୋଲି ମନେକରୁଥିଲେ । ପ୍ରକାଶ ପାଇଥିଲା ଯେ, ପାୱାର ଏ ସମ୍ବନ୍ଧରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ତେଣୁ ନୂଆ ସରକାରର ଦୁଇଜଣ ମନ୍ତ୍ରୀ ଯେଉଁ ସମୀକ୍ଷା ବୈଠକ କରିଥିଲେ ତାହାକୁ ଏହି ପରିପ୍ରେକ୍ଷୀରେ ଦେଖାଯିବା ଦରକାର ।  ନିଶ୍ଚିତ ଭାବରେ ଏସଆଇଟି ଦ୍ୱାରା ଏହି ଘଟଣାର ଯାଂଚ ପାଇଁ ଦାବୀ କରାଯିବା ବିଷୟ ବିଜେପି ଶିବିରରେ ଆତଙ୍କର ବାତାବରଣ ସୃଷ୍ଟି କରିଛି, ତେଣୁ ଏହି ମାମଲାକୁ ରାଜ୍ୟ ସରକାର ହାତରୁ ତୁରନ୍ତ କାଢି ନିଆ ଯାଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ  ଏହି ମୋକଦ୍ଦମା ଓ ଯାଂଚ ବ୍ୟବସ୍ଥାକୁ ତୁରନ୍ତ କିପରି ରାଜ୍ୟ ସରକାରଙ୍କ ହାତରୁ କାଢି ନିଆଯିବ ସେଥିପାଇଁ ଯେଉଁ ସମର୍ଥନ ଯୋଗାଇ ଚାଲିଲେ  ତାର କାରଣ ବୁଝି ହେଉଛି ଓ ମୋକଦ୍ଦମାଟି ରାଜ୍ୟ ସରକାରଙ୍କ ହାତରୁ ଚାଲିଯିବା ପରେ ନିଶ୍ଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତିରେ ନିଶ୍ୱାସ ମାରିବାକୁ ସୁଯୋଗ ପାଇଛନ୍ତି । କିନ୍ତୁ ସେ କାହିଁକି ଭାବିଲେ ନାହିଁ ଯେ ଏହି ମୋକଦ୍ଦମାର ଯାଂଚ ଯଦି ତାଙ୍କ ସରକାର ଏତେ ଭଲ ଭାବରେ କରୁଥିଲା ତାହାହେଲେ ଏହାକୁ ରାଜ୍ୟ ସରକାରଙ୍କ ହାତରୁ ବାହାର କରିନେଇ କେନ୍ଦ୍ର ସରକାରଙ୍କ ହାତରେ ଦେବାଟା କ’ଣ ତାଙ୍କ ପାଇଁ କଳଙ୍କ ହେବ ନାହିଁ । କାରଣ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ସେତେବେଳେ ରାଜ୍ୟର ଗୃହମନ୍ତ୍ରୀ ମଧ୍ୟ ଥିଲେ ।

ଏହା ମାମଲାରେ ପୁନେ ସିଟୀ ପୁଲିସ ଦୁଇଟି ଆରୋପପତ୍ର ବା ଚାର୍ଜସିଟ୍ ଦାଖଲ କରିଛି, କିନ୍ତୁ ଏଥିରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଯେଉଁ ଦୁଇଟି ସାଂଘାତିକ  ଅଭିଯୋଗ ରହିଛି  ସେ ବିଷୟରେ କୌଣସି ଠୋସ୍ ପ୍ରମାଣ ନାହିଁ । ଏହି ଦୁଇଟି ଅଭିଯୋଗ ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀଙ୍କୁ ଗୁପ୍ତହତ୍ୟା ଉଦ୍ୟମର ଅଭିଯୋଗ, ଦ୍ୱିତୀୟଟି ହେଉଛି ଭୀମା କୋରେଗାଁଓଠାରେ ହିଂସା ଉଦ୍ରେକ ପାଇଁ ପ୍ରୋତ୍ସାହନ । ବାସ୍ତବ କଥାଟି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ୨୦୧୭ ମସିହା ଜାନୁଆରୀ ୧ ତାରିଖରେ ମହାରାଷ୍ଟ୍ର ବିଧାନସଭାରେ ଯେଉଁ ବୟାନ ଦେଇଥିଲେ ସେଥିରେ ଭୀମା କୋରେଗାଁଓର ହିଂସା ପାଇଁ ଏଲଗାର ପରିଷଦ ଦାୟୀ ବିଷୟରେ କିଛି କହି ନଥିଲେ ବରଂ ଏହି ମାମଲାରେ ହିନ୍ଦୁତ୍ୱ ସଂଗଠନର ହାତ ଥିବା କଥାକୁ ସ୍ୱୀକାର କରିବାପାଇଁ ସେ ବାଧ୍ୟ ହୋଇଥିଲେ । ଆରମ୍ଭରୁ ହିଁ ଏହି ହିଂସାକାଣ୍ଡ ପାଇଁ ଉଗ୍ର ହିନ୍ଦୁତ୍ୱ ସମର୍ଥକ ସଂଗଠନମାନଙ୍କ ଉପରକୁ ସନ୍ଦେହର ଆଙ୍ଗୁଳି ଉଠୁଥିଲା ।  ତେଣୁ ଭୀମା କୋରେଗାଂଓ ହିଂସା ପାଇଁ   ଏଲଗାର ପରିଷଦ ଓ ଏହା ସହିତ ସାମିଲ ଥିବା ତଥା ନଥିବା ଲୋକମାନଙ୍କୁ  ଯୋଡିବା କଥାଟିକୁ ହିନ୍ଦୁତ୍ୱବାଦୀ ମାନଙ୍କୁ ସୁରକ୍ଷା ଦେବାପାଇଁ କରାଯାଇଥିବା ଚାଲାକୀ ଭାବରେ ଦେଖା ଯାଉଛି । ଏସଆଇଟି ଦ୍ୱାରା ଏହି ମାମଲାର ନିରପେକ୍ଷ ତଦନ୍ତ ହୋଇଥିଲେ ହୁଏତ ଏହି ଷଡ଼ଯନ୍ତ୍ର  ପଦାକୁ ଆସି ପାରିଥାଆନ୍ତା ଓ ବିଜେପି ପକ୍ଷରୁ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଥିବା ସାମାଜିକ ଏକତା ଓ ସୌହାର୍ଦ୍ଦ୍ୟ ନଷ୍ଟ ପାଇଁ କରାଯାଉଥିବା ଉଦ୍ୟମ ପଦାରେ ପଡିଥାଆନ୍ତା । ଏବେ ଗୋଟିଏ ବିଶ୍ୱାସ ସୃଷ୍ଟି ହେବାକୁ ଲାଗିଲାଣି ଯେ ଶାସକ ଦଳ ଓ କେନ୍ଦ୍ର ସରକାରର ସମାଲୋଚକ ମାନଙ୍କ ବିରୁଦ୍ଧରେ ଏକ କାହାଣୀ ତିଆରି କରିବା ପାଇଁ ଏହି ସବୁ ଗିରଫଦାରୀ ଓ  ତଦନ୍ତକୁ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି । ପୁନେ ନଗରୀର ପୁଲିସ ୨୦୧୮ ମସିହାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ ଗୁପ୍ତହତ୍ୟା କରାଯିବା ବିଷୟରେ ଯେଉଁ କଥିତ ଚିଠି ଓ ଇମେଲ ସବୁ ଲିକ କରିଥିଲା ତା’ଠାରୁ ଅଧିକ କିଛି ତଥ୍ୟ ପ୍ରମାଣ ଏହି ଚାର୍ଜସିଟରେ ନାହିଁ । ଲକ୍ଷ୍ୟ କରାଯିବାର କଥା ଯେ, ସୁପ୍ରିମକୋର୍ଟର ଜଣେ ବିଚାରପତି ଫଇସଲା ଦେବା ଅବସରରେ ଏକ ଭିନ୍ନ ମତ ରଖିବାବେଳେ ତଥା ବମ୍ବେ ହାଇକୋର୍ଟ  ମଧ୍ୟ  ପୁଲିସ ଅଫିସରମାନଙ୍କର ଭୁମିକାକୁ ବେଶ୍ ନିନ୍ଦା କରିଛନ୍ତି । ମାମଲା ବିଚାର ପାଇଁ ନ୍ୟାୟାଳୟରେ ଥିବା ବେଳେ ଏ ପ୍ରକାରର କାର୍ଯ୍ୟକ୍ରମକୁ ସେମାନେ ଏକ ମେଡିଆ ଟ୍ରାଏଲ ଭାବରେ ଦେଖିୁଛନ୍ତି । ଭିନ୍ନ ବିଚାର ରଖିଥିବା ବିଚାରପତି ମଧ୍ୟ ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ମୁକ୍ତ କରିବା ସହିତ ସୁପ୍ରିମକୋର୍ଟ ଦ୍ୱାରା ଏକ ବିଶେଷ ଯାଂଚ ଦଳ ଗଠନ କରି ଏହି ମାମଲାର ଯାଂଚ କରିବାପାଇଁ ମତ ଦେଇଛନ୍ତି ।  ଏହି ପୂର୍ବ ଘଟଣାଗୁଡିକୁ ଦେଖିଲେ ଏକଥା କୁହାଯାଇ ପାରିବ ନାହିଁ ଯେ ବର୍ତ୍ତମାନ ଯେଉଁ ବିଶେଷ ଯାଂଚ ଦଳ ଗଠନ କରି ମାମଲାର ଯାଂଚ କରିବା ପାଇଁ ଦାବୀ କରାଯାଉଛି ତାହା ରାଜନୈତିକ ବିଚାର ରଖି  କରାଯାଉଛି । ବରଂ ଯେହେତୁ ପୁନେ ପୋଲିସ ଗୋଟିଏ ଗୋଷ୍ଠୀକୁ ଲକ୍ଷ୍ୟ ରଖି ଆକ୍ଷେପମୂଳକ ମନୋଭାବ ନେଇ କାର୍ଯ୍ୟ କରୁଛି ତେଣୁ ଏକ ନିରପେକ୍ଷ  ଯାଂଚ ସହିତ ଶୁଣାଣୀକୁ ସଠିକ୍ ଓ ଉତ୍ତରଦାୟୀ କରିବାପାଇଁ ଏବେ ଏହି ଦାବୀ କରାଯାଉଛି ।  ଏହା ଠିକ ସେହିଭଳି ଘଟଣା ଯେଉଁଭଳି କାହାଣୀ ଅର୍ବାନ ନକ୍ସାଲ ବିଷୟକୁ ନେଇ ତିଆରି କରାଯାଉଥିଲା ।  ଏହି ଘଟଣାର ପରିସମାପ୍ତି ଏକ ନିଷ୍ପକ୍ଷ ଯାଂଚ ମାଧ୍ୟମରେ କରାଯିବାକୁ ନେଇ ହୁଏତ କିଛି ଲୋକଙ୍କ ମନରେ ଏହି ଭୟ ରହୁଥିଲା ଯେ ତା ଫଳରେ କେନ୍ଦ୍ରରେ ଥିବା ଶାସକ ଦଳର ଖେଳକୁ ଏହି ଯାଂଚ ଶେଷ କରିଦେଇ ଥାଆନ୍ତା । ତୁରନ୍ତ ମାମଲାର ସ୍ଥାନାନ୍ତର ପଛର କାରଣ ହେଉଛି ତଦନ୍ତ ଉପରେ ନିୟନ୍ତ୍ରଣ ଆଣିବା । କାରଣ ଶୁଣାଣୀ ରୁ ହିଁ ବୋଧ ହେଉଥିଲା ଯେ ଦଣ୍ଡ କାହାକୁ ମିଳିବ ଏବଂ ଶୁଣାଣୀ ହିଁ କିଛି ଲୋକଙ୍କ ପାଇଁ ହୁଏତ ଦଣ୍ଡ ସଦୃଶ ହୋଇଯାଉଥିଲା ।

ଏହି ମାମଲା ଏନଆଇଏକୁ ସ୍ଥାନାନ୍ତରିତ ହେବା ସତ୍ତ୍ୱେ, ମହାରାଷ୍ଟ୍ରରେ ଚାଲିଥିବା ତ୍ରିପକ୍ଷୀୟ ମେଣ୍ଟ ସରକାର ଚାହିଁଲେ ଭୀମ କୋରେଗାଁଓ ହିଂସାକାଣ୍ଡର ତଦନ୍ତ କରିପାରିବେ ଓ ଏହି ଘଟଣା ପଛରେ ଥିବା ଅପରାଧୀ ଓ ସେମାନଙ୍କ ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କୁ ଗିରଫ କରିପାରିବେ । ଏହା ସହିତ ଏକଥାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ଯେ ଯେଉଁ ପୁଲିସ ଅଫିସରମାନେ ଏଲଗାର ପରିଷଦ ମାମଲାର  ତଦନ୍ତ କରୁଥିଲେ ସେମାନଙ୍କର ଏହି ଘଟଣାରେ ପ୍ରକୃତ ଭୂମିକା କ’ଣ ଥିଲା । ଯାହା ମନେହୁଏ ସେମାନେ ସତ୍ୟ ଓ ନ୍ୟାୟ ଉପରେ ସେମାନଙ୍କ ରାଜନୈତିକ ପ୍ରଭୁମାନଙ୍କର ଇଚ୍ଛାକୁ ଅଧିକ ଗୁରୁତ୍ୱ ଦେଇ କାମ କରୁଥିଲେ । ଯଦି ପ୍ରକ୍ରିୟାକୁ ପାଳନ  କରାଯାଏ ତେବେ ତଦନ୍ତ କରାଯାଉଥିବା  ପୂର୍ବ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ କାରନାମା ସହିତ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ସ୍ଥାନାନ୍ତରିତ କରାଯିବାର କାରଣ ସମ୍ପର୍କରେ ଜଣା ପଡିଯିବ । ଏହା ଦ୍ୱାରା ହୁଏତ ନ୍ୟାୟିକ ସଂଘର୍ଷରେ ବହୁତ କିଛି ହାସଲ ହୋଇ ନପାରେ କିନ୍ତୁ ଏହା ବିଜେପିର ବିରୋଧୀମାନଙ୍କୁ ନୈତିକ ଭାବରେ ସଶ କ୍ତ କରାଇବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top