ISSN (Print) - 0012-9976 | ISSN (Online) - 2349-8846

ବିଶ୍ୱବିଦ୍ୟାଳୟ-ଏକ ବିଚାର

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗୋଟିଏ ପ୍ରତିଷ୍ଠାନ ବା ଅନୁଷ୍ଠାନ ଭାବରେ ବିଶ୍ୱବିଦ୍ୟାଳୟଗୁଡିକ କେବେ ନିଜ ଆଡୁ ଆଗେଇ ପାରିବେ ନାହିଁ, ସେମାନେ ସେତିକିବେଳେ ବିଭିନ୍ନ ଅଂଚଳ ଓ ଦେଶରେ ପହଂଚି ଥାଆନ୍ତି ଯେତେବେଳେ ସେମାନଙ୍କୁ ବହୁ ଲୋକଙ୍କ ଦ୍ୱାରା ଏକ ଆକର୍ଷଣୀୟ ଧାରଣା ବା ଭାବନା ଭାବରେ ଗ୍ରହଣ କରାଯାଏ । ତେଶୁ ବିଶ୍ୱବିଦ୍ୟାଳୟ କେବଳ ଏକ ଅନୁଷ୍ଠାନ ନୁହେଁ ଯାହା କୋଠାବାଡି କିମ୍ବା କେତେକ ନମ୍ବରକୁ ନେଇ ତିଷ୍ଠିଥାଏ । ବିଶ୍ୱବିଦ୍ୟାଳୟ ହେଉଛି ସେହି ଅନୁଷ୍ଠାନ ଯାହାକି ବିଭିନ୍ନ ଭାବନା, ଧାରଣାକୁ ଆନୁଷ୍ଠାନିକ କରାଇଥାଏ ଓ ଅନ୍ତେବାସୀଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧର ଜାଗ୍ରତ କରାଇଥାଏ । ତେଣୁ ବିଶ୍ୱବିଦ୍ୟାଳୟ ଗୁଡିକ ଦୁଇଟି ଆଦର୍ଶର ପ୍ରବର୍ତ୍ତକ ଭାବରେ କାର୍ଯ୍ୟ କରିଥାଆନ୍ତି । ପ୍ରଥମ ମୂଲ୍ୟବୋଧ-ଭିତ୍ତିକ-ଧାରଣାକୁ ଆନୁଷ୍ଠାନିକ କରାଇବା, ଦ୍ୱିତୀୟରେ ଏହି ଧାରଣାକୁ ନିଜ ଭିତରେ ଧରି ରଖିବା ସହିତ ଅନ୍ୟକୁ ଦିକ୍ଷିତ କରାଇବା ।

ବିଶ୍ୱବିଦ୍ୟାଳୟର ଧାରଣା ଛାତ୍ରସମାଜକୁ ଉତ୍ସାହିତ କରିଥାଏ । ଏହା ହିଂସା ସୃଷ୍ଟି କରିବାର ସମ୍ଭାବନା ଥିବା ହାତଗୁଡିକୁ ସକ୍ରୀୟ କରାଇବା ସ୍ଥାନରେ ଛାତ୍ରଛାତ୍ରୀମାନଙ୍କର ଚିନ୍ତନଶୀଳ ମସ୍ତିଷ୍କକୁ ସକ୍ରୀୟ କରାଇଥାଏ । ଏକଥାର ଅବତାରଣା କରିବାର ଆବଶ୍ୟକତା ନାହିଁ ଯେ ଏକ ଜିଜ୍ଞ଼ାଷୁ ମସ୍ତିଷ୍କ ଏହାର ପ୍ରାସଙ୍ଗିକତାକୁ କଥୋପକଥନ ଓ ଆଲୋଚନା ସଂସ୍କୃତି ପାଇଁ ଉପଯୁକ୍ତ ମନେକରିଥାଏ । ଏହା ଅସହମତିର ଶାଣିତ ସ୍ୱର ମଧ୍ୟରେ ହିଁ ଏକ ପ୍ରକାରର କମ୍ପନ ଅନୁଭବ କରିଥାଏ । ତେବେ ଏହି ଆଦର୍ଶ  ସେତିକିବେଳେ ବାସ୍ତବତାର ରୂପ ନିଏ ଯେତେବେଳେ ବିଶ୍ୱବିଦ୍ୟାଳୟର ଅନ୍ତସ୍ଥଳ ସ୍ଥିତ  ଜୀବନ ଓ ମସ୍ତିଷ୍କ ପ୍ରତି ବିଶ୍ୱବିଦ୍ୟାଳୟ ଉଚିତ ପରିମାଣରେ ସଂବେଦନଶୀଳତା ଅର୍ଜନ କରିପାରେ । ଅନୁଷ୍ଠାନ ଭାବରେ ବିଶ୍ୱବିଦ୍ୟାଳୟଗୁଡିକ ଉଭୟ ସାମାଜିକ ଓ ବୌଦ୍ଧିକ ଦାୟବଦ୍ଧତାକୁ ଏକ ସାକାର ଅଭିବ୍ୟକ୍ତି ପ୍ରଦାନ କରିଥାଏ । ତାଙ୍କର କାର୍ଯ୍ୟ କେବଳ ଆଲୋଚନା ଓ ଅସହମତି ପାଇଁ ସ୍ଥାନ ସୃଷ୍ଟି କରିବା ନୁହେଁ, ବରଂ ସେହି ଅସହମତିକୁ ବ୍ୟାପକ ଓ ସାର୍ବଜନୀନ କରିବା ହୋଇଥାଏ । ବିଶ୍ୱବିଦ୍ୟାଳୟ ପରିସରରେ ଅସହମତିର ସ୍ୱର ଏବଂ କଥୋପକଥନର ଭାବ ସାର୍ବଜନୀନ ଓ ବ୍ୟାପକ ଉଭୟ ସେମାନଙ୍କର ସମତାବାଦୀ ଜ୍ଞାନତତ୍ତ୍ୱର ପ୍ରତିଶୃତି ଓ ସାମାଜିକ ଗଣତନ୍ତ୍ରୀକ ସର୍ତ୍ତ ଉପରେ ପର୍ଯ୍ୟବେସିତ ହୋଇ ଏହି ସର୍ତ ଗୁଡିକର ବ୍ୟାପକ ସ୍ପଷ୍ଟତା ଉପରେ ତିଷ୍ଠି ରହିଥାଏ । ଏହି ପ୍ରତିଶୃତିରେ ହସ୍ତକ୍ଷେପ କରିବାପାଇଁ ହେଉଥିବା ଯେ କୌଣସି ଉଦ୍ୟମ ବୈଧ ପ୍ରତିବାଦ ସୃଷ୍ଟି କରିବାକୁ ବାଧ୍ୟ । ସାଧାରଣ  ବିଶ୍ୱବିଦ୍ୟାଳୟ ଗୁଡିକର ବିଶେଷାଧିକାର ପାଉନଥିବା ଛାତ୍ରଛାତ୍ରୀମାନଙ୍କ ପ୍ରତି ଏକ ଦାୟିତ୍ୱବୋଧ ରହିଛି । ବିଶ୍ୱିଦ୍ୟାଳୟଗୁଡିକ ହେଉଛି ସେହି ସ୍ଥାନ ଯେଉଁଠାରେ ସ୍ୱଳ୍ପସୁବିଧାପ୍ରାପ୍ତ ଛାତ୍ରଛାତ୍ରୀମାନେ ସୁଯୋଗକୁ ସମ୍ପଦରେ ପରିବର୍ତ୍ତିତ କରିପାରିଥାଆନ୍ତି । ଏହା ବିଶ୍ୱର ବହୁ ଦେଶରେ ସତ୍ୟ ପ୍ରମାଣିତ ହୋଇ ସାରିଛି । ଛାତ୍ରଛାତ୍ରୀମାନଙ୍କର ଆକାଂକ୍ଷା ପ୍ରତି ରାଷ୍ଟ୍ର କେବେବି ଉଦାସୀନ ରହି ପାରିବ ନାହିଁ । ରାଷ୍ଟ୍ର ଛାତ୍ରଛାତ୍ରୀସମାଜ ପ୍ରତି ଯତ୍ନବାନ ହେବାକୁ ହେବ । ରାଷ୍ଟ୍ରକୁ ସଂକୀର୍ଣ୍ଣ ଆଦର୍ଶଗତ ଆଭିମୁଖ୍ୟ ବା ଅବଧାରଣାରୁ ଉପରକୁ ଉଠି ଶିକ୍ଷାନୁଷ୍ଠାନ ଗୁଡିକର ବୌଦ୍ଧିକ ବିକାଶ ପାଇଁ ପ୍ରୋତ୍ସାହନ ଦେବାକୁ ହେବ । ବିଶ୍ୱବିଦ୍ୟାଳୟ ଯାହାକି ଏକ ଜୀବନ୍ତ ଆଦର୍ଶ ରୂପେ ପରିଗଣିତ ହୁଏ ତାହାକୁ ବିନାଶ ଆଡକୁ ଠେଲି ନଦେଇ ବିକାଶ ଆଡକୁ ପ୍ରୋତ୍ସାହିତ କରାଯିବା ଉଚିତ୍ । ଗୋଟିଏ ନୈତିକତା ଦୃଷ୍ଟିରୁ ସଂବେଦନଶିଳ ରାଷ୍ଟ୍ର ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେ ଛାତ୍ର ଭିତରେ ଗୋଟିଏ ରାଷ୍ଟ୍ର ବା ଦେଶର ଶତୃକୁ ଦେଖିବା ଉଚିତ୍ ନୁହେଁ । ଯେତେବେଳେ ଏପରି ଜ୍ଞାନ ଆହରଣ ପାଇଁ ଉଦ୍ଦିଷ୍ଟ ଅନୁଷ୍ଠାନଗୁଡ଼ିକରେ ଅତ୍ୟଧିକ ହସ୍ତକ୍ଷେପ ହେବ ଏବଂ ଏହାର ଶତୃତାପୂର୍ଣ୍ଣ ବିରୋଧାଚରଣ କରାଯିବ ସେତେବେଳେ ଯେଉଁ ସାମାଜିକ ଓ ବୌଦ୍ଧିକ କଳ୍ପନା ନେଇ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଥିଲା ତାହା ବିଫଳ ହୋଇଯିବ । ଗୋଟିଏ ବିଶ୍ୱବିଦ୍ୟାଳୟରେ ଅସହମତିକୁ ନିହିତାର୍ଥରେ ଦମନ କରିବା ଯୋଗୁଁ ଏହା ଅନ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଚୁପ କରାଇଦେବ । ତେଣୁ ଭଦ୍ର ସମାଜର ସଦସ୍ୟମାନଙ୍କୁ ଗୋଟିଏ ବିଶ୍ୱବିଦ୍ୟାଳୟର ମହତ୍ୱକୁ ବୁଝିବା ଉଚିତ୍ ।

ଆମେ ଭୁଲିଗଲେ ହେବ ନାହିଁ ଯେ ସରକାରୀ ଅନୁଦାନରେ ଚାଲୁଥିବା ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକ ଠାରୁ ଆଶା କରାଯାଏ ଯେ ସେମାନେ ଜ୍ଞାନଗାରିମାର ସାମାଜିକ ମୂଳ ତତ୍ତ୍ୱକୁ ବୁଝିବେ ଯାହାକି ସମାଜ ଓ ମାନବିକତା ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା କରିଥାଏ । ବିଶ୍ୱବିଦ୍ୟାଳୟ ଗୁଡିକ  ଗୋଟିଏ ଦେଶ ଓ ଜାତିର ବୌଦ୍ଧିକ ଗଭୀରତାର  ପରିମାପକ ହୋଇଥାଆନ୍ତି । ସେଭଳି କ୍ଷେତ୍ରରେ ଗୋଟିଏ ବିଶ୍ୱବିଦ୍ୟାଳୟ ବିଷୟରେ ଅନାବଶ୍ୟକ ଅପପ୍ରଚାର କରାଗଲେ ତାହା ଆତ୍ମଘାତୀ ହେବ । ଆମେ ବୁଝିଯିବା ଦରକାର ଯେ ଗୋଟିଏ ଜାତିର ସମସ୍ତ ନୈତିକ, ସାଂସ୍କୃତିକ ଏବଂ ବୌଦ୍ଧିକ ବିକାଶ ସେଠାକାର ଚିନ୍ତନଶୀଳ ମସ୍ତିଷ୍କ ଗୁଡିକର ଗଭୀର ଚିନ୍ତନ ଉପରେ ନିର୍ଭରଶୀଳ ହୋଇଥାଏ । ବିଶ୍ୱବିଦ୍ୟାଳୟ ଗୁଡିକ ହେଉଛନ୍ତି ଏହି ସବୁ ଲକ୍ଷ୍ୟ ହାସଲ କରିବାର ପ୍ରାଥମିକ କ୍ଷେତ୍ର । ଦେଶରେ ହୁଅନ୍ତୁ ବା ବିଦେଶରେ ପ୍ରତିବାଦକାରୀମାନେ ଏକଥାଟିକୁ ଅନୁଭବ କରି ସାରିଛନ୍ତି । ସେଥିପାଇଁ ସେମାନେ ସର୍ବସାଧାରଣ ଅନୁଷ୍ଠାନଗୁଡିକୁ ଧ୍ୱଂସ କରିଦେବାର ମନୋବୃତ୍ତି ନେଇ କାର୍ଯ୍ୟ କରୁଥିବା ରାଜନୈତିକ ଶକ୍ତି ଦ୍ୱାରା ଝଡ଼ ଭିତରକୁ ଠେଲି ଦିଆଯାଇଥିବା ବିଶ୍ୱବିଦ୍ୟାଳୟକୁ ବଂଚାଇବାର ଉଦ୍ୟମ କରୁଛନ୍ତି । 

 

Back to Top