ISSN (Print) - 0012-9976 | ISSN (Online) - 2349-8846

ଛାତ୍ର ଆନ୍ଦୋଳନର ଜୁଆର

ଜେଏନୟୁରେ ମୁଖାପିନ୍ଧା ଆତଙ୍କୀଙ୍କର ଆତଙ୍କରାଜର ପ୍ରତିରୋଧ କରୁଛି  ଛାତ୍ରଛାତ୍ରୀଙ୍କର ନୂତନ ଶକ୍ତି ଓ ସଂହତି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

୨୦୨୦ ମସିହା ଜାନୁଆରୀ ୫ ତାରିଖ ଦିନ କିଛି ମୁଖାପିନ୍ଧା ଲୋକ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶାନ୍ତି ବୈଠକ କରୁଥିବା ବେଳେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ । ଏହି ଆକ୍ରମଣର ଉଦ୍ଦେଶ୍ୟ କେବଳ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଶାରୀରିକ ରୂପେ ଆହତ କରିବା ନ ଥିଲା, ବରଂ ସେମାନଙ୍କ ମନରେ ସବୁଦିନ ପାଇଁ ଗୁଣ୍ଡା ଆକ୍ରମଣର ଆତଙ୍କ ସୃଷ୍ଟି କରିବା ଥିଲା । ତେବେ ଏହି ଘଟଣାରେ ଯେଉଁ ସବୁ ଫଟୋ ପ୍ରକାଶିତ ହୋଇଛି ଓ ବିଭିନ୍ନ ମାଧ୍ୟମରେ ଯେଉଁ ସବୁ ଦୃଶ୍ୟ ପ୍ରଦର୍ଶିତ ହେଉଛି ତାହା ଅନେକ ଗୁଡିଏ ପ୍ରଶ୍ନର ଅବତାରଣା କରୁଛି । ଏହି ସବୁ ଫଟୋ ଏବଂ ଭିଡିଓରେ ଭାଙ୍ଗିରୁଜି ଯାଇଥିବା ପ୍ରକୋଷ୍ଠ, ଭାଙ୍ଗି ଯାଇଥିବା ବହିଭର୍ତ୍ତି ର‌୍ୟାକ୍‌, ଗୋଟିଏ ଚେପା ହୋଇ ଯାଇଥିବା ପୁରୁଣାକାଳିଆ ଷ୍ଟୋଭ ଯାହାକି ରୋଷେଇ ଓ ଥଣ୍ଡା ପରିବେଶକୁ ଗରମ କରିବା ପରି ଉଭୟ କାମରେ ଲାଗିଥାଏ, ଅବିନ୍ୟସ୍ତ ଭାବରେ ଚଟ୍ଟାଣ ଉପରେ ପଡି ରହିଥିବା ବିଛଣାପତ୍ର, କମ୍ବଳ ଦେଖିବାକୁ ମିଳିଥାଏ । ବିଭିନ୍ନ ମାଧ୍ୟମରେ ଯାହା ପ୍ରକାଶ ପାଉଛି ଆକ୍ରମଣ କରିବାପାଇଁ ସେହି ସବୁ ପ୍ରକୋଷ୍ଠକୁ ବଛା ଯାଇଥିଲା ଯେଉଁ ପ୍ରକୋଷ୍ଠର ଦରଜାରେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଲାଗିଥିଲା ଓ ସେହି କୋଠରୀ ଗୁଡିକରେ ଗୋଟିଏ ସଂଘର୍ଷରତ ସମ୍ପ୍ରଦାୟର ଛାତ୍ରମାନେ ରହୁଥିବା କଥା ସମସ୍ତଙ୍କୁ ଜଣାଥିଲା ।

 ସ୍ପଷ୍ଟ ଭାବରେ କହିଲେ ଜେଏନୟୁର ଛାତ୍ରଛାତ୍ରୀମାନେ ଏକ ଆରାମଦାୟକ ଜୀବନ ବଂଚି ନ ଥାନ୍ତି, କାରଣ ଜେଏନୟୁ ଏକ ଆରାମ ଦାୟକ ଜୀବନ ନୁହେଁ, ବରଂ ଏକ ଉତ୍ତମ ମସ୍ତିଷ୍କ, ଏକ ମୁକ୍ତିକାମୀ ସଂସ୍କୃତି ଯାହାକି ଜୀବନକୁ ଗଭୀର ଭାବରେ ଅଧ୍ୟୟନ କରିବା, ରଚନାତ୍ମକ କରିବା, ଏବଂ ବିବିଧ-ବିଶ୍ୱର ବିଭିନ୍ନ ମତବାଦ ଆଡ଼କୁ ଉନ୍ମୁଖ କରିବାର ପରିବେଶ ଦେଇଥାଏ ।     ବାମପନ୍ଥୀ ଚିନ୍ତାଧାରା ସେହି ବିବିଧ ଧାରା ମଧ୍ୟରୁ ଗୋଟିଏ । ଏହା ଏକ ଜୀବନ ଯାହାକି ମଣିଷ ଭିତରେ ଗୌରବ ଓ ଆଶାର ସଂଚାର କରିଥାଏ । ଏହା ଏକ ବିଶ୍ୱବିଦ୍ୟାଳୟ ଯାହାକି ଏଠାକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ କେବଳ ପ୍ରଶିକ୍ଷଣ ଦିଏ ନାହିଁ ଏହା ବହୁ ଦୂରଦୁରାନ୍ତରୁ ଏଠାକୁ ଆସୁଥିବା ବହୁ ଦୁର୍ବଳ ପୃଷ୍ଠଭୂମୀ ଭିତରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରାଏ । ଜେଏନୟୁର ଏକ ଇତିହାସ ଅଛି ଯେଉଁଠାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥାଆନ୍ତି, ଜ୍ଞାନର ବିଭିନ୍ନ ଦିଗକୁ ଯାଇ ମୂଲ୍ୟ ନୁହେଁ ମୂଲ୍ୟବୋଧର ରକ୍ଷାକବଚ ସାଜି ଥାଆନ୍ତି । ଯାହାକି ଆମ ସମାଜରେ ମାନବିକତା ତଥା ନୈତିକତାର ସୁରକ୍ଷା ପାଇଁ ଅତ୍ୟାବଶ୍ୟକ ରୂପେ ବିଚାର କରାଯାଇଥାଏ । ଏହା ଦଶନ୍ଧୀ ଦଶନ୍ଧୀ ଧରି ଏହାର ଅନ୍ତେବାସୀମାନଙ୍କ ପାଇଁ ଏକ ଦକ୍ଷ,ମୁକ୍ତ ଏବଂ ନିରାପଦ ପରିବେଶ ସୃଷ୍ଟି କରିଥାଏ ଯାହାକି ଯେ କୌଣସି ବିଶ୍ୱବିଦ୍ୟାଳୟ ପାଇଁ ନିହାତି ଜରୁରୀ ।

 ଏହା ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇବାର ଅଧିକାରକୁ ପକେଟକୁ ସୁହାଇବା ଭଳି ଖର୍ଚ୍ଚରେ ଉପଲବ୍ଧ କରାଇ ଉଚ୍ଚଶିକ୍ଷାର ବ୍ୟବସାୟୀକରଣକୁ ରୋକି ପାରିଥାଏ ।  ଏଇଥିପାଇଁ ଗତ ଦୁଇମାସରୁ ଅଧିକ ଦିନ ଧରି ଛାତ୍ରଛାତ୍ରୀମାନେ  ଛାତ୍ରାବାସର ପ୍ରସ୍ତାବିତ ଦେୟବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନ କରି ଆସୁଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ଏହା ବାବଦରେ କୌଣସି ପ୍ରସ୍ତାବ ଆଣିବାର ଉଦ୍ୟମ କରାଯାଇ ନାହିଁ । ବରଂ ଏହାକୁ ଅଣଦେଖା କରାଯାଇଛି । ଛାତ୍ରମାନଙ୍କର ଏହି ଆନ୍ଦୋଳନକୁ ଅବୈଧ ପ୍ରମାଣିତ କରାଇବା ପାଇଁ ଜେଏନୟୁର ଛାତ୍ର ଅନ୍ଦୋଳନକୁ ଦେଶ-ବିରୋଧୀ ଓ ମାଗଣାଖିଆଙ୍କ ଆନ୍ଦୋଳନ ପରି ବିଶେଷଣରେ ଯୋଡା ଯାଇଛି ଓ ଏହାର ସାମାଜିକ-ବୌଦ୍ଧିକ ଦିଗଟିକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରିଦିଆଯାଇଛି । 

 ଜେଏନୟୁ ବିଶ୍ୱବିଦ୍ୟାଳୟର ସୁରକ୍ଷା (କର୍ମଚାରୀ ଓ ସାଜସାମାନ)  ପାଇଁ ୧୭ କୋଟି ଟଙ୍କା ଖର୍ଚ୍ଚ ହେଉଛି ଯାହାକି ବିଶ୍ୱିଦ୍ୟାଳୟ ପାଠାଗାର ପାଇଁ ଯେତିକି ଅର୍ଥ ଖର୍ଚ୍ଚ କରାଯାଉଛି ତା’ର ଚାରିଗୁଣ । ତଥାପି ଏଠାରେ ମୁଖାଧାରୀ ଅପରାଧୀମାନେ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ମରଣାନ୍ତକ ଆକ୍ରମଣ କରି ପାରିଲେ । ବିଶ୍ୱବିଦ୍ୟାଳୟର ପୁରାତନ ସୁରକ୍ଷା କର୍ମଚାରୀମାନଙ୍କୁ ହଟାଇ ସୈନ୍ୟବାହିନୀର ସେବାନିବୃତ୍ତ ଜବାନ ମାନଙ୍କୁ ଆଣି ସୁରକ୍ଷା ଦାୟିତ୍ୱ ଦେବା ଏବଂ ପ୍ରଶାସନ ସମର୍ଥକ ଏକ ଶିକ୍ଷକଗୋଷ୍ଠୀର ଉତ୍ଥାନ କରାଇବା ପଛରେ ନିଶ୍ଚିତ ଭାବରେ ଜେଏନୟୁରେ ବଳ ପ୍ରଦର୍ଶନ ପାଇଁ ପ୍ରସ୍ତୁତିକରଣ କଥାଟି ଅଛି ବା ଥିଲା ।

            ଆକ୍ରମଣରୁ ମିଳିଥିବା ଚିତ୍ରରେ ଯାହା ସ୍ପଷ୍ଟ ପରିଲକ୍ଷିତ ହେଉଛି କିଛି ଛାତ୍ର ଓ ଶିକ୍ଷକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀମାନଙ୍କୁ ବେଶ ସମର୍ଥନ କରୁଛନ୍ତି । ଏହି ଆକ୍ରମଣ ଯେପରି ବିନା ଦଣ୍ଡ ଭୟରେ ଚଳାଗଲା (ଅର୍ଥାତ୍ ଏହି କାର୍ଯ୍ୟ କରୁଥିବା ବଦମାସ୍‌ମାନେ ନିଶ୍ଚିତ ଥିଲେ ଯେ ସେମାନେ ଏହି ଯେଉଁ କାର୍ଯ୍ୟ କରିବେ ସେଥିପାଇଁ ସେମାନଙ୍କୁ କୌଣସି ଦଣ୍ଡ ଭୋଗିବାକୁ ପଡିବ ନାହିଁ) ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇ ଯାଇଛି ଯେ ଏହା ପଛରେ କର୍ତ୍ତୁପକ୍ଷଙ୍କର ଅର୍ଶୀବାଦ ରହିଥିଲା । ବିଶ୍ୱବିଦ୍ୟାଳୟ ପ୍ରଶାସନର ଜିଦ୍ଦୀ ଓ ମନମାନୀ ଠିକ ସେହି କଥାର ଅବତାରଣା କରୁଛି ଯେଁଥିରେ ସମ୍ପ୍ରତି ଶାସନରେ ଥିବା ଶାସକମାନେ କୌଣସି କଥାର ସମାଧାନ ଆଲୋଚନା ଦ୍ୱାରା ସମ୍ଭବ ହୋଇପାରେ ବୋଲି ମନେ କରି ପାରୁ ନାହାନ୍ତି । ବରଂ ଦମନ ହିଁ ସେମାନଙ୍କର ମୂଳକଥା ହୋଇଛି । ଗୋଟିଏ ଇଂଚ ହଟିବୁ ନାହିଁ ପରି ବାକ୍ୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶାସନ ଏହାର ସମସ୍ତ ଉତ୍ତରଦାୟିତ୍ୱ ଭୁଲି କେବଳ ପଶୁବଳର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଛି ଓ ଯେଉଁ ପ୍ରତିଷ୍ଠାନକୁ ସେମାନେ ସେବା ଯୋଗାଇ ଦେବା କଥା ତାହାରି ଉପରେ ଆକ୍ରମଣ କରୁଛନ୍ତି ।

ଜେଏନୟୁରେ ଯାହା ଯାହା ଘଟିଗଲା ତାହା ଜଣେଇ ଦେଉଛି ଯେ ଏହି ଆକ୍ରମଣ ସମ୍ପୂର୍ଣ୍ଣ ପୂର୍ବ ଯୋଜନାବଦ୍ଧ ଥିଲା । ଯାହା ଦେଶର ଗୃହମନ୍ତ୍ରୀଙ୍କ ଭାଷରୁ ଆହୁରି ସ୍ପଷ୍ଟ ହେଲା ଯେତେବେଳେ ଡିସେମ୍ବର ୨୦୧୯ରେ ସେ ଦିଲ୍ଲୀରେ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ସଫା କରିଦେବାକୁ ଧମକ ଦେଲେ । ଅବଶ୍ୟ ଆକ୍ରମଣକାରୀ ଏକଥା ସ୍ପଷ୍ଟ କରି ପାରି ନାହାନ୍ତି ଯେ ପ୍ରକୃତରେ କିଏ ସମାଜର ବିଭାଜନ ପାଇଁ ଉଦ୍ୟମ କରୁଛି । ଆକ୍ରମଣ ପରେ ଆକ୍ରମଣକାରୀମାନେ ବିନା ଭୟରେ ଗର୍ବର ସହିତ ଜେଏନୟୁ ପରିସର ଛାଡି ଚାଲି ଯାଉଥିବା ବେଳେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଦିଲ୍ଲୀ ପୁଲିସର କର୍ମଚାରୀମାନେ ଦେଖି ନଦେଖିବା ପରି ରହିବା କ’ଣ ସୂଚିତ କରୁଛି? କାଳେ ସେମାନେ ହାସ୍ୟାସ୍ପଦ ଓ ଅସାଧାରଣ ଭାବରେ ଅସମର୍ଥ ବୋଲି ପ୍ରମାଣିତ ହୋଇଯିବେ ସେଥିପାଇଁ ସବୁ ଘଟଣା ଘଟିଯିବା ପରେ ସେମାନେ ୯ ଜାନୁଆରୀରେ ଏହି ଘଟଣା ପ୍ରତିବାଦରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ । 

ସମ୍ପ୍ରତି ନାଗରିକତା ସଂଶୋଧନ ଆଇନ-୨୦୧୯, ପ୍ରସ୍ତାବିତ ଜାତୀୟ ଜନସଂଖ୍ୟା ପଂଜିକା ଏନଆରସି ବିରୋଧରେ  ଲୋକଙ୍କ ପକ୍ଷରୁ ଭୟହୀନ ଭାବରେ,  କ୍ରୋଧ ଓ ସାହସର ସହିତ ବିରୋଧ ପ୍ରଦର୍ଶନ କରାଯାଉଛି ଓ ସ୍ୱତପ୍ରବୃତ୍ତ ଭାବେ ରାଜନୀତି ପ୍ରତି ଅମନଯୋଗୀ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପରିସର ଏବଂ ଲୋକମାନଙ୍କ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି । ଏହି ଏକଜୁଟତା ହିଁ   ପ୍ରତିବାଦକାରୀଙ୍କ ମନରେ ଆଶାର ସଂଚାର କରୁଛି । ପ୍ରତିରୋଧକାରୀମାନେ ନୂଆ ନୂଆ ପ୍ରତିରୋଧୀ ଆଖ୍ୟାନମାନଙ୍କୁ ଏପରି ପ୍ରୟୋଗ  କରୁଛନ୍ତି ତାହା ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରୁଛି ଓ ପ୍ରତିଦିନ ନୂଆ ନୂଆ ସମର୍ଥନ ଆଣି ଦେଉଛି । ଏଥିରେ ନୂଆ କଥାଟି ହୋଇଛି ପ୍ରତିବାଦ ଓ ପ୍ରତିରୋଧରେ ଆମୋଦପ୍ରମୋଦାତ୍ମକ ପ୍ରୟୋଗ । ପ୍ରଦର୍ଶନକାରୀମାନେ କହୁଥିବାର ଶୁଣିବାକୁ ମିଳୁଛି ଯେ ଏଇଟା କେତେ ଭଲ କଥା ଯେ ପ୍ରତିବାଦ କାର୍ଯ୍ୟକ୍ରମରେ ଆମକୁ ଆମ ପିଲାମାନଙ୍କୁ ମଧ୍ୟ ସାମିଲ କରିବାକୁ ହେଉଛି । ପୋଲିସକୁ ‘ହମ ଦେଖେଙ୍ଗେ’ କହି ଥଟ୍ଟା କରାଯାଉଛି କାରଣ ପୋଲିସ କେବଳ ଆମେ ଘଟଣା ଉପରେ ନଜର ରଖିଛୁ କହି ନିଜ କର୍ତ୍ତବ୍ୟ ସରିଗଲା ବୋଲି ଭାବୁଛି । ସେ ଯହାହେଉ ଏବେର ଶାସକ ଗୋଷ୍ଠୀ ଏହାର ସମସ୍ତ ଅହଂକାର ଓ ଶତୃତା ଯୋଗୁ ଏହି ଆମୋଦପ୍ରମୋଦକୁ ବୁଝି ପାରିବେ ନାହିଁ କି ନାହାନ୍ତି । ବରଂ ଶାସକ ଗୋଷ୍ଠୀ ଏହି ଆମୋଦପ୍ରମୋଦ ବା ହାସ୍ୟରସ ବିରୁଦ୍ଧରେ ବୈରଭାବର ପ୍ରୟୋଗ କରୁଛି ।

ଜେଏନୟୁରେ ହୋଇଥିବା ହିଂସା ଧୀରେ ଧୀରେ ଅନ୍ୟ ବିଶ୍ୱବିଦ୍ୟାଳୟ ମାନଙ୍କୁ ମଧ୍ୟ ବିସ୍ତରୀ ଯିବାରେ ଲାଗିଛି । ଜାମିଆ ମିଲିଆ ଇସଲାମିଆ ସହିତ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଓ ଉତ୍ତର ପ୍ରଦେଶରେ ହିଂସାର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ପୂର୍ବର ଘଟଣା ଗୁଡିକରେ ପୁଲିସ ଲାଠି ବନ୍ଦୁକରେ ଛାତ୍ରଛାତ୍ରୀମାନଙ୍କ ଉପରେ, ବିଶ୍ୱବିଦ୍ୟାଳୟର ପାଠାଗାର ଉପରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଥିଲା କିନ୍ତୁ ଜେଏନୟୁର ଏହି ଘଟଣାରେ ଗୋଟିଏ ବେସରକାରୀ ଗୋଷ୍ଠୀ ଲୁହାରଡ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଛାତ୍ରମାନଙ୍କ ଉପରେ ଆକ୍ରମଣ କରିବାର ଦେଖିବାକୁ ମିଳିଲା । ଆଜିର ଏହି ଘଟଣା ୨୦୧୬ର ଘଟଣାକୁ ମନେ ପକାଇ ଦେଉଛି ଯେତେବେଳେ କେତେକ ମୁଖାପନ୍ଧା ଲୋକ ଆସି ଜେଏନୟୁରେ ବିଭିନ୍ନ ସ୍ଲୋଗାନ ଦେଇ ବିଶ୍ୱବିଦ୍ୟାଳୟର ସୁନାମ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ଅଥଚ ଆଜି ପର୍ଯ୍ୟନ୍ତ ମୁଖାପିନ୍ଧା ଏହି ଲୋକମାନଙ୍କର ପରିଚୟ ମିଳିଲା ନାହିଁ । ତେବେ ଲୋକେ ଏହି ମୁଖାପିନ୍ଧା ଆକ୍ରମଣକାରୀମାନଙ୍କର ପରିଚୟ ଜାଣି ସାରିଲେଣି । ଏହା କେବଳ ସେମାନଙ୍କ ପୋଷାକ ଯୋଗୁ ନୁହେଁ ଯେଉଁଭଳି ଭାବରେ ସେମାନଙ୍କୁ ପୁଲିସ ସହାୟତା ମିଳିଲା ସେଇଥିରୁ ସେମାନଙ୍କର ପରିଚୟ ମିଳି ଯାଇ ସାରିଛି । ଏପରି ଆକ୍ରମଣ ପୂର୍ବରୁ କେବେ ଦେଖା ଯାଇ ନ ଥିଲା ଏବଂ ଏହା ଛାତ୍ରମାନଙ୍କର ପ୍ରତିବାର ସ୍ୱରକୁ ଆତଙ୍କ ମାଧ୍ୟମରେ ଦବାଇ ରଖିବାର ଏକ ସ୍ୱଷ୍ଟ ଲକ୍ଷ୍ୟ ନେଇ କରାଯାଇଥିଲା । କାରଣ ସମ୍ପ୍ରତି ଛାତ୍ର ମାନଙ୍କ ପକ୍ଷରୁ ଯେଉଁ ପରି ଦୃଢ ଓ ଲଗାତର ଭାବରେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି ତାହା ସରକାର ପ୍ରତି ଏକ ଗମ୍ଭୀର ଆହ୍ୱାନ ହୋଇ ଠିଆ ହୋଇଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top