ISSN (Print) - 0012-9976 | ISSN (Online) - 2349-8846

ଉତ୍ତର ପ୍ରଦେଶରେ ଆଇନର ବିଚାର ଚାଲିଛି

ପୁଲିସର ଉଗ୍ର ଏବଂ ଆକ୍ରମକ ବ୍ୟବହାର ଏକ ସଭ୍ୟ ସମାଜ ଓ ଗଣତାନ୍ତ୍ରିକ  ମାନଦଣ୍ଡର ବିରୋଧାଚରଣ କରୁଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଯେତେବେଳେ ସାରା ଦେଶରେ ନାଗରିକତା (ସଂଶୋଧନ) ଆଇନ୍ ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ବିରୁଦ୍ଧରେ ଜୋରଦାର ବିରୋଧ ଲାଗି ରହିଛି ସେତେବେଳେ ଭାରତୀୟ ଜନତା ପାର୍ଟିର ସରକାର ଥିବା ରାଜ୍ୟ ବା ବିଜେପି ନେତୃତ୍ୱାଧୀନ ରାଜ୍ୟ ଅଧୀନରେ ଥିବା ପୁଲିସ ବାହିନୀର ପ୍ରତିବାଦକାରୀମାନଙ୍କ ପ୍ରତି ପ୍ରଦର୍ଶିତ ହିଂସାତ୍ମକ ଆଚରଣ ଓ ଜୁଲମ ବେଶ୍ ସୁସ୍ପଷ୍ଟ । ଏଠାରେ ଶାସନରେ ଥିବା ସରକାରଙ୍କ ପ୍ରତି ଏକ ଘୃଣାଭାବ ଉଦ୍ରେକ ହେବାର କାରଣ ହେଉଛି ଯେ ଏହି ପ୍ରତିବାଦ ଆନ୍ଦୋଳନରେ ପୁଲିସ ଗୁଳିରେ ପ୍ରାଣ ଦେଇଥିବା ସବୁଠାରୁ ଅଧିକ ଲୋକ ଏହି ରାଜ୍ୟରୁ ଅଛନ୍ତି । ଶାସକ ଦଳର ନେତୃସ୍ଥାନୀୟ ବ୍ୟକ୍ତି ଓ ସେମାନଙ୍କର କିଛି ବଡବୋଲା ସମର୍ଥକ ଏଥିରେ ବ୍ୟଥିତ ନହୋଇ  ଓଲଟା ଏହା ଏକ ଦୃଢ ଓ ଅଶଙ୍କିତ ନେତୃତ୍ୱର ପଦକ୍ଷେପ ବୋଲି କହୁଛନ୍ତି । ସବୁଠାରୁ ଜଘନ୍ୟ ହେଉଛି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବୟାନ ଯେଉଁଠାରେ ସେ ତାଙ୍କ ୧୯ ଡିସେମ୍ବର ୨୦୧୯ର ବୟାନରେ ଖୋଲାଖୋଲି ପ୍ରତିବାଦକାରୀ ମାନଙ୍କ ଉପରେ ପ୍ରତିଶୋଧ ନେବା କଥା କହୁଛନ୍ତି । ଆଉ ସେହିଦିନଠାରୁ ରାଜ୍ୟରେ ପୁଲିସର ବର୍ବରତା, କିଛି ଲୋକଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା, ମନଇଚ୍ଛା ଗିରଫଦାରୀ ଆରମ୍ଭ ହୋଇଛି । ଯେଉଁଥିରୁ ଅନୁଭୂତ ହେଉଛି ଯେ ରାଜ୍ୟ ସରକାର ନିଜ ରାଜ୍ୟର ଗୋଟିଏ ଭାଗ ଲୋକଙ୍କ ବିରୁଦ୍ଧରେ ସିଧାସଳଖ ପ୍ରତିଶୋଧ ମନୋଭାବ ପ୍ରଦର୍ଶନ କରୁଛନ୍ତି ।

ରାଜ୍ୟରେ ଏହି କାରଣରୁ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ପାଇଁ କିଛି ଚିନ୍ତା କରିବାତ ଦୂରର କଥା ସେମାନଙ୍କ ମୃତ୍ୟୁ ପୁଲିସ ଗୁଳିରେ ହୋଇଥିବା କଥାକୁ ସ୍ୱୀକାର ମଧ୍ୟ କରିବାକୁ ନାରାଜ । ପ୍ରଥମରୁ ପୁଲିସ ପକ୍ଷରୁ ଗୁଳି ଚଳାଇବା କଥାକୁ ଅସ୍ୱୀକାର କରାଯାଇ କୁହାଗଲା ଯେ ପ୍ରଦର୍ଶନକାରୀମାନେ ହିଁ ନିଜଆଡୁ ଗୁଳି ଚଳାଇଥିଲେ । କିନ୍ତୁ ଭିଡିଓ ଫୁଟେଜ ଦେଖି ଜଣା ପଡିଥିଲା ଯେ ପୁଲିସ ହିଁ ଗୁଳି ଚାଳନା କରିଥିଲା । ପରେ ପୁଲିସ ମଧ୍ୟ ଏହାକୁ ସ୍ୱୀକାର କରିଥିଲା କିନ୍ତୁ ଏହାକୁ ଉଚିତ୍ ବୋଲି ପ୍ରତିପାଦିତ କରିବାକୁ ଯାଇ କୁହାଯାଇଥିଲା ଯେ ଆତ୍ମରକ୍ଷା ପାଇଁ ପୁଲିସକୁ ବାଧ୍ୟ ହୋଇ ଗୁଳିଚାଳନା କରିବାକୁ ପଡିଥିଲା । ଗୋଟିଏ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାର ପାଇଁ ରାଜ୍ୟର ସାଧାରଣ ଲୋକଙ୍କର ମୃତ୍ର‌୍ୟୁ ନିଶ୍ଚିତ ଭାବରେ ଏକ ନୈତିକ ବିଫଳତା । ତେଣୁ ଏହାର ନିଷ୍ପକ୍ଷ ଯାଞ୍ଚ ହେବା ଆବଶ୍ୟକ ଓ ଦୋଷୀ ବ୍ୟକ୍ତିମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ । କିନ୍ତୁ ଉତ୍ତର ପ୍ରଦେଶରେ ଯାହା ଘଟୁଛି ସେଥିରୁ ଜଣାପଡୁଛି ଯେ ଦୋଷୀମାନଙ୍କୁ ଘଣ୍ଟ ଘୋଡାଯାଉଛି ଓ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରତିପାଳିତ କରାଯାଉଛି । ବିଭିନ୍ନ ରିପୋର୍ଟରୁ ଯାହା ତଥ୍ୟ ପ୍ରମାଣ ମିଳୁଛି ସରକାର ଓ ସରକାରୀ ତନ୍ତ୍ର ହିଁ ଏହି ଗୁଳିକାଣ୍ଡ ପାଇଁ ଦାୟୀ ଓ ଦୋଷୀ ।  ଉତ୍ତର ପ୍ରଦେଶର ପୁଲିସ ବାହିନୀ  ସମ୍ଭବତଃ ଏ କଥା ଭୁଲିଯାଇଛନ୍ତି  ଯେ ସେମାନେ ନାଗରିକ ସେବା କାର୍ଯ୍ୟରେ କର୍ତ୍ତବ୍ୟରତ ଅଛନ୍ତି, ସେମାନେ ସୈନ୍ୟବାହିନୀରେ ମୁତୟନ ନାହାନ୍ତି ।  ଯେହେତୁ ଏ ଯାବତ୍ ଉତ୍ତର ପ୍ରଦେଶ ଏକ ଅଶାନ୍ତ କ୍ଷେତ୍ର ବା ବିବାଦଗ୍ରସ୍ତ କ୍ଷେତ୍ର ଘୋଷିତ ହୋଇନାହିଁ,ତେଣୁ ପୋଲିସକୁ ସାଧାରଣ ଜନତା ବିପକ୍ଷରେ ସାମରିକ  କାର୍ଯ୍ୟାନୁଷ୍ଠାନ କରିବାର କୌଣସି ଔଚିତ୍ୟ ନାହିଁ । ଏକ ସଭ୍ୟ ସମାଜରେ ଉତ୍ତେଜିତ କରିବା ପାଇଁ ହେଉଥିବା ଉଦ୍ୟମ ଆଗରେ ମଧ୍ୟ ପୁଲିସକୁ ଅତ୍ୟଧିକ ସଂଯମ ଆଚରଣ କରିବାର ଆବଶ୍ୟକତା ରହିଛି । କିନ୍ତୁ ଉତ୍ତର ପ୍ରଦେଶ ପୋଲିସର ଆଚରଣ ସ୍ପଷ୍ଟ କରୁଛି ଯେ ଏହା ଛଦ୍ମ ଭାବରେ ଗୋଟିଏ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଲକ୍ଷ୍ୟ କରି କାର୍ଯ୍ୟାନୁଷ୍ଠାନ କରୁଥିଲା । ପୋଲିସ ପକ୍ଷରୁ ଯେଉଁ ବାହାନା ଦିଆଯାଉଛି ତାହା ମଧ୍ୟ ଅତି ଭୁଲ ବାହାନା ଯେ ପ୍ରତିବାଦକାରୀମାନେ ହିଂସାକାଣ୍ଡ ଭିଆଉଥିଲେ । ଏବେ ଏହି ଘଟଣାରେ ଯାହା ଦାବୀ କରାଯାଉଛି ତା’ର ନିଷ୍ପକ୍ଷ ଯାଂଚ ହେବା ଆବଶ୍ୟକ, ଯେଉଁ ମୁଖାପିନ୍ଧାଲୋକମାନେ ହିଂସାକାଣ୍ଡରେ ମାତିଥିଲେ ସେମାନଙ୍କ ପରିଚୟ ମଧ୍ୟ ବାହାରକୁ ଆସିବା ଦରକାର ।

ଏକଥା ଭାବି ଆଶ୍ଚର୍ଯ୍ୟ ଲାଗେ ଯେ ଏହି  ତତ୍ପରତା ସେତେବେଳେ କାହିଁକି ଆସିଲାନାହିଁ ଯେତେବେଳେ ବୁଲନ୍ଦ ସହରରେ ୟୁପି ପୋଲିସର ଜଣେ ଇନ୍ସପେକ୍ଟରଙ୍କୁ ସେହି ଭିଡରେ ଥିବା ଲୋକମାନେ ହତ୍ୟା କଲେ ଯେଉଁମାନଙ୍କୁ ନିୟନ୍ତ୍ର୍ରଣ କରିବାକୁ ହତ୍ୟାର ଶିକାର ହୋଇଥିବା ପୁଲିସ ଇନ୍ସପେକ୍ଟର ଜଣକ ପ୍ରୟାସ କରୁଥିଲେ । ଉତ୍ତର ପ୍ରଦେଶରେ ଆଇନର ଅବସ୍ଥା ହାସ୍ୟାସ୍ପଦ ଲାଗେ ଯେତେବେଳେ ଦେଖାଯାଏ ଯେ ଜଣେ ପୁଲିସ ଅଫିସର ଭିଡ଼ ନିୟନ୍ତ୍ରଣ କରିବାପାଇଁ ନିଜ ଜୀବନ ହରାଉଥିବା ବେଳେ ସେହି ପୁଲିସ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ଉତ୍ୟକ୍ତ ଭିଡ ଭଳି ଲାଗି ଯାଇଛନ୍ତି । ଏବେ ଯେଉଁ ହିନ୍ଦୁ ସଂଗଠନ ଭିତରୁ ଲୋକଙ୍କୁ ଆଣି ସେମାନଙ୍କୁ ମାତ୍ର ତିନିଦିନର ପ୍ରଶିକ୍ଷଣ ଦିଆଯାଇ ପୁଲିସ ମିତ୍ର ନାମରେ ଏକ ଦଳ ନାମରେ ସମ୍ପ୍ରସାରିତ ପୁଲିସ ବଳର କାମ କରିବା ପାଇଁ  ତିଆରି କରାଯାଉଛି  ବହୁ ବିରୋଧୀଦଳ ନେତାଙ୍କ ଭୟ ଯେ ସେମାନେ ସେହି ଭିଡ ରୂପେ କାର୍ଯ୍ୟକରିବେ ।

ଉତ୍ତର ପ୍ରଦେଶର ମୁସଲିମ ସମାଜ ମଧ୍ୟରେ  ଭୟ ଓ ସନ୍ତ୍ରାସ ସୃଷ୍ଟି କରିବା ପାଇଁ ପୋଲିସ ପକ୍ଷରୁ ନିର୍ଲଜ ଭାବରେ ସେମାନଙ୍କର ଘର ଭାଙ୍ଗି ଦିଆଯିବା, ସେମାନଙ୍କ ସମ୍ପତ୍ତି ନଷ୍ଟ କରାଯାଇ ଅଧିକ ଅତ୍ୟାଚାର କରାଯିବା କଥା କୁହାଯାଉଛି । ସମାଜର ଗୋଟିଏ ଅଂଶର ଲୋକଙ୍କୁ ଅପରାଧୀ ସଜାଇଦେବା  ପାଇଁ ସେହି ସମ୍ପ୍ରଦାୟର ଅଧିକ ରୁ ଅଧିକ ଲୋକଙ୍କୁ ଆଖିବୁଜା ଭାବେ ଗିରଫ କରାଯାଉଛି । ସଂଖ୍ୟାଲଘୁ ଲୋକମାନଙ୍କର ବର୍ଦ୍ଧିତ ହାଜତ ମୃତ୍ୟୁ ଘଟଣା ବିଷୟରେ ମଧ୍ୟ ଅନେକ ରିପୋର୍ଟ ଆସୁଛି । ଏହା ଏକ ନିଷ୍ଠୁର ବିରୋଧାଭାଷ ଯେ ଯେଉଁ ସରକାର ଓ ପୋଲିସ ଲୋକଙ୍କୁ ଆକ୍ରମଣକରି ସେମାନଙ୍କର ଗଭୀରଭାବରେ କ୍ଷତି ପହୁଞ୍ଚାଉଛନ୍ତି  ସେହିମାନେ ପୁଣି ଲୋକଙ୍କଠାରୁ କ୍ଷତିପୂରଣ ଦାବୀ କରୁଛନ୍ତି । ଯେଉଁ ମୁସଲିମ ଲୋକମାନେ ଏହି ସବୁ କାର୍ଯ୍ୟକ୍ରମରେ ଆଦୌ ଭାଗ ନେଉ ନାହାନ୍ତି ସେମାନଙ୍କୁ ମଧ୍ୟ କ୍ଷତିପୂରଣ  ମଗାଯାଉଛି । ଏହା ବିଶ୍ୱାସ କରିବା କଷ୍ଟକର  ଯେ ଏସବୁ କଥା ବିନା ସେହି  ରାଜନୈତିକ କାର୍ଯ୍ୟବାହକ ମାନଙ୍କର ଜାଣତରେ ଘଟୁଛି ଯେଉଁମାନେ ବହୁ ଘଟଣାରେ ସେମାନଙ୍କ ପ୍ରତିଗାମୀ ଚରିତ୍ରର ପ୍ରଦର୍ଶନ କରି ଆସିଛନ୍ତି । ଏହି ସବୁ ଘଟଣାରୁ ପ୍ରତୀତ ହୋଇଛି ଯେ ଉତ୍ତର ପ୍ରଦେଶ ଧୀରେ ଧୀରେ ଏକ ଧର୍ମଶାସିତ ପୋଲିସ ରାଜ୍ୟରେ ପରିଣତ ହେବା ଦିଗରେ ଅଗ୍ରସର ହେବାରେ  ଲାଗିଛି । ଏଭଳି ସ୍ଥିତିରେ ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାର ତିଷ୍ଠି ରହିବା ଅସମ୍ବବ ହୋଇ ପଡ଼ିବ କାରଣ ଏବେ ଅନେକ ଗଣତାନ୍ତ୍ରିକ କର୍ମୀମାନଙ୍କ ବିରୋଧରେ ଭିତ୍ତିହୀନ ଅଥଚ ଗୁରୁତର  ଅଭିଯୋଗମାନ ଲଗାଯାଇ ଗିରଫ କରାଯାଉଛି ।  ଅନେକ କର୍ମୀଙ୍କୁ ମାଡ ଦିଆଯାଇ ସେମାନଙ୍କୁ ସମସ୍ତ ମୌଳିକ ଅଧିକାରରୁ ବଂଚିତ କରାଯାଉଛି । ଏହି ସବୁ ଗିରଫଦାରୀ ଗୋଟିଏ ପ୍ରକାରର ଢାଂଚାରେ ଘଟୁୁଛି ଯେଉଁଥିରେ ନିଜର ଅଧିକାର ଗଣ୍ଡାକ ପାଇବା ପାଇଁ ସବୁ ସମୟରେ ସଂଘର୍ଷ କରି ଆସୁଥିବା ସେହି ଅଣ-ପ୍ରଭାବଶାଳୀ  ଲୋକମାନଙ୍କୁ ଜେଲରେ ସଢିବାକୁ ଛାଡି ଦିଆଯାଉଛି ଓ ଭିନ୍ନମତ ତଥା ନ୍ୟାୟପାଇଁ ଦାବୀ ଉଠୁଥିବା ସ୍ୱରକୁ ପୁଲିସ ବର୍ବରତା ସାହାଯ୍ୟରେ ଚାପିଦେବା ପାଇଁ ସେପରି କରାଯାଉଛି ।

ଉତ୍ତର ପ୍ରଦେଶ ସରକାରର କାର୍ଯ୍ୟାବଳୀ ମୁସଲିମ ସମ୍ପ୍ରଦାୟକୁ ସେହି ରାଜ୍ୟର ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ  ଭାବିବାକୁ ବାଧ୍ୟ କରାଉଛି,କାରଣ ସେମାନଙ୍କର ଜୀବନ, ଶନ୍ତିପୂର୍ଣ୍ଣ ସହାବସ୍ଥାନ ବା କୌଣସି କାରଣରୁ ଶାନ୍ତିପୂର୍ଣ୍ଣ ଭାବରେ ଏକତ୍ରିତ ହେବା, କୌଣସି କଥାର ପ୍ରତିବାଦ କରିବା ଆଦି ସବୁ ଅଧିକାରକୁ  ଭୂଲୁଣ୍ଠିତ କରାଯାଉଛି । ସବୁଠାରୁ ଦୁଖର କଥା ହେଉଛି କେବଳ କେତେକ ସ୍ୱଳ୍ପ ଘଟଣାକୁ ବାଦ ଦେଲେ ଅନ୍ୟ ଘଟଣାଗୁଡିକ ପ୍ରକାଶିତ ମଧ୍ୟ ହେଉ ନାହିଁ ବା ଯଦି ପ୍ରକାଶିତ ହେଉଛି  ତାହାହେଲେ  ସେସବୁକୁ ପୂର୍ବାଗ୍ରହ ରଖାଯାଇ ପ୍ରକାଶ କରାଯାଉଛି । ଏଭଳି ଭୟ ଓ ସଂଘର୍ଷପୂର୍ଣ୍ଣ ବାତାବରଣ ଏକ  ଗଣତାନ୍ତ୍ରୀକ ଶାସନତନ୍ତ୍ର ତଥା ସଭ୍ୟ ସମାଜର ସମ୍ପୂର୍ଣ୍ଣ ବିରୋଧୀ । ତେଣୁ ସମାଜର ସବୁ  ବର୍ଗର ଲୋକମାନେ ସରକାରଙ୍କର ଦାୟବଦ୍ଧତାକୁ ନେଇ ପ୍ରଶ୍ନ ଉଠାଇବା ଆବଶ୍ୟକ ଓ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସେମାନେ ସିଧା ଠିଆ ହେବା ଦରକାର ।  ଏହାକୁ ନେଇ ଉତ୍ତର ପ୍ରଦେଶର ବିରୋଧୀ ରାଜନୈତିକ ଦଳ ଗୁଡିକ ଜନତାର ଅଧିକରୁ ଅଧିକ  ସମର୍ଥନ ହାସଲ କରିବାପାଇଁ ଉଦ୍ୟମ କରିବା ଆବଶ୍ୟକ ଏବଂ ସେମାନେ ଏକଥା ଦେଖିବା ଜରୁରୀ ଯେ ସାମାଜିକ ଧ୍ରୁବୀକରଣ ଦୈନନ୍ଦିନ ଜୀବନ ନିର୍ବାହନର ଏକ ସ୍ଥାୟୀ ଲକ୍ଷଣ ହୋଇଯିବା ଅନୁଚିତ୍ ।  

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top