ISSN (Print) - 0012-9976 | ISSN (Online) - 2349-8846

ସ୍ୱତଃସିଦ୍ଧ ଅଧିକାର ଥାଇ ସେମାନେ ଶ୍ରମିକ

ଜନକଲ୍ୟାଣକାରୀ ସେବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ ବିଭିନ୍ନ ଯୋଜନା ବା ସ୍କିମରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କର ହକ ପାଇବାପାଇଁ ସଂଘର୍ଷ କରିବାକୁ ପଡୁଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ପ୍ରାୟ ଫେବୃଆରୀ ମାସ ଯାକ ଦୁଇ ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମୀ  ସାରାଦେଶରେ ସେମାନଙ୍କର ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ଚଳାଇ ରଖିଥିଲେ । ବିହାରରେ ବିଭିନ୍ନ ସ୍କୁଲରେ ମଧ୍ୟାହ୍ନଭୋଜନର ପାଚିକାମାନେ ଜାନୁଆରୀ ମାସରେ ସେମାନଙ୍କ ଦରମା ବଢାଇବା ନେଇ ଆନ୍ଦୋଳନ କରଥିଲେ । ଏହି ଅଙ୍ଗନବାଡି କର୍ମୀ ଓ ପାଚିକାମାନେ ହେଉଛନ୍ତି ସାରା ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କର ବିଭିନ୍ନ ସମାଜ-କଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟାନ୍ୱୟନ କରୁଥିବା  ବିଭିନ୍ନ ଯୋଜନାରେ କାର୍ଯ୍ୟରତ ସ୍କିମ ବା ଠିକା ଶ୍ରମିକ । ପ୍ରକୃତରେ ସେହିମାନେ ହେଉଛନ୍ତି ବିଭିନ୍ନ ସରକାରର ଏହି ସବୁ ପ୍ରମୁଖ ଯୋଜନାର ଦୂତ ସାଜି ଯୋଜନାକୁ କ୍ରିୟାନ୍ୱିତ କରୁଥିବା ବ୍ୟକ୍ତି  । ଏହା ସେତିକିବେଳେ ବିପରିତାଭିମୁଖୀ ଲାଗେ ଯେତେବେଳେ ଆମେ ଦେଖୁ ଯେ ସେମାନଙ୍କର ଦାବୀଗୁଡିକ ସେମାନେ କେବଳ ଆନ୍ଦୋଳନକୁ ଓହ୍ଲାଇବା ପରେ ଯାଇ ପୂରଣ ହୋଇଥାଏ । ଏହା ସହିତ ସେମାନଙ୍କର ଦାବୀଗୁଡିକ ସମ୍ପୂର୍ଣ୍ଣର୍ ନୁହେଁ ଆଂଶିକ ଭାବରେ ବା ଅନିଚ୍ଛା ସତ୍ତେ୍ୱ ଅଳ୍ପ କିଛି ପୂରଣ କରାଯାଇଥାଏ ।

ସାରା ଭାରତରେ ଏହି ସ୍କିମ ଶ୍ରମିକମାନେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପୁଷ୍ଟିଯୋଗାଣ କାର୍ଯ୍ୟକ୍ରମ ଭଳି ମୂଳ ଯୋଜନାଗୁଡିକରେ ପ୍ରମୁଖ ସେବା ଯୋଗାଇ ଥାଆନ୍ତି । ଅଥଚ  ସେମାନଙ୍କୁ ସ୍ୱେଚ୍ଛାସେବୀ କୁହାଯାଇ ସେମାନଙ୍କୁ ବହୁ କମ ଅର୍ଥ ଦିଆଯାଏ, ପ୍ରବଳ କାର୍ଯ୍ୟର ଚାପ ଦିଆଯାଇଥାଏ ଏବଂ ସେମାନେ ଦେଶର ସରକାରୀ କର୍ମଚାରୀମାନେ ପାଉଥିବା ସୁବିଧା ଗୁଡିକ ଭିତରୁ କିଛି ହେଲେ ପାଇ ନ ଥାନ୍ତି । ଦେଶରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ୨୭ ଲକ୍ଷ ଅଙ୍ଗନବାଡି କର୍ମୀ ଓ ସହାୟକ କାମ କରୁଛନ୍ତି ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା । ସେତିକି ସଂଖ୍ୟକ ଲୋକ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତକାରୀ ପାଚିକା ଓ ସହାୟିକା ଭାବେ କାମ କରୁଛନ୍ତି, ୧୦ ଲକ୍ଷ ଆକ୍ରେଡିଏଟେଡ ସୋସିଆଲ ହେଲ୍ଥ ଆକ୍ଟିଭିଷ୍ଟ ବା ଆଶା ଓ ଅର୍ବାନ୍ ସୋସିଆଲ ହେଲ୍ଥ ଆକ୍ଟିଭିଷ୍ଟ ବା ଉଷା କର୍ମୀ,  ୩ ଲକ୍ଷ ଅକ୍ଜିଲିଆରୀ ନର୍ସ ମିଡୱାଇଭ୍ସ ବା ଏଏନଏମ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ବା ଏନଏଚଏମ  ଅଧିନରେ କାର୍ଯ୍ୟ କରୁଛନ୍ତି । ସେହିଭଳି ଲକ୍ଷ ଲକ୍ଷ କର୍ମଚାରୀ ନ୍ୟାସନାଲ ଚାଇଲ୍ଡ ଲେବର ପ୍ରୋଜେକ୍ଟ, ସ୍ମଲ ସେଭିଙ୍ଗ୍ ସ୍କିମ, ସର୍ବ ଶିକ୍ଷା ଅଭିଯାନ ଏବଂ ନ୍ୟାସନାଲ ରୁରାଲ ଲାଇଭହୁଡ ମିଶନ ଓ ଅନ୍ୟ ଯୋଜନା ମାନଙ୍କରେ କାର୍ଯ୍ୟ କରୁଛନ୍ତି ।

ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଓ ସ୍କୋପକୁ ଦେଖି ଜଣାପଡିଯାଏ ଯେ ଏହି ମହିଳା କେନ୍ଦ୍ରିତ ଶ୍ରମିକଶ୍ରେଣୀ  ସମାଜର ତଳ ଶ୍ରେଣୀରେ ଥିବା ଲୋକଙ୍କର ଅନେକ ସେବା କରିଥାଆନ୍ତି । ଗର୍ଭବତୀ ମହିଳା, ଶିଶୁ, ରୋଗାକ୍ରାନ୍ତ  ଏବଂ ଅପପୁଷ୍ଟିର ଶିକାର ବ୍ୟକ୍ତିମାନଙ୍କ ପାଇଁ ଚାଲିଥିବା କଲ୍ୟାଣକାରୀ ଯୋଜନା ଗୁଡିକର  ସେମାନେ ହେଉଛନ୍ତି ବାସ୍ତବରେ ‘ହାତ’ ଓ ‘ମୁଁହ’ । ସେମାନଙ୍କର ସଂଗଠନମାନଙ୍କର କହିବା କଥା ଯେ ସେମାନଙ୍କ ଉପରେ ଯେତିକି କାର୍ଯ୍ୟର ଚାପ ରହିଛି ତା ବାହାରେ ମଧ୍ୟ ସେମାନଙ୍କୁ ସରକାରଙ୍କ ବିଭିନ୍ନ ସଂରକ୍ଷଣ ଓ ତଥ୍ୟ ସଂଗ୍ରହ କାର୍ଯ୍ୟରେ ଲଗାଯାଉଛି । କିନ୍ତୁ ବଦଳରେ ସେମାନଙ୍କୁ ସରକାରୀ କର୍ମଚାରୀମାନେ ପାଉଥିବା କୌଣସି ସୁବିଧା ସୁଯୋଗ ତ ଦିଆଯାଉ ନାହିଁ ତା ବଦଳରେ କିଛି ଅର୍ଥ ଅନରାରିୟମ ବା ପାରିତୋଷିକ ଆକାରରେ ଦିଆଯାଉଛି । ସେମାନେ ଯେତିକି କାମର ବୋଝ ଉଠାନ୍ତି ଓ ଦାୟିତ୍ୱ ସମ୍ଭାଳନ୍ତି ତା ତୁଳନାରେ ଏହା କିଛି ନୁହେଁ । ସଂଘମାନେ ଏକଥା ମଧ୍ୟ କହନ୍ତି ଯେ ବିଭିନ୍ନ ସମୟରେ ଏହି ସବୁ ଯୋଜନାରେ ହେଉଥିବା ଆର୍ଥିକ କାଟଛାଣ୍ଟ ସେମାନଙ୍କ ଆର୍ଥିକ ସମସ୍ୟାକୁ ଆହୁରି ବଢାଇ ଦେବା ସହିତ ବୋଝକୁ ଅଧିକା କରିଦିଏ । ଯେପରିକି ୨୦୧୫-୧୬ର କେନ୍ଦ୍ର ବଜେଟରେ  ଆଇସିଡିଏସ ଏବଂ ଏମଡିଏମଏସରେ ବହୁ ଅର୍ଥ କାଟିି ଦିଆଗଲା ଯହାକି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ସେମାନଙ୍କର କାମର ଗୁରୁତ୍ୱକୁ ଦେଖି ଜଣେ ଏକଥା ନିଶ୍ଚିତ ଭାବିବ ଯେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଶ୍ରମଜୀବିମାନଙ୍କୁ ଅନ୍ତତଃ ସଠିକ ପାରିଶ୍ରମିକ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବେ ।

ଆଶ୍ଚର୍ଯ୍ୟଜନକ ଭାବରେ ସେପରି କିଛି ହେଉ ନାହିଁ । ତା ବଦଳରେ ମହାରାଷ୍ଟ୍ର ସରକାର ୨୦୧୮ରେ ଆନ୍ଦୋଳନରତ ଅଙ୍ଗନବାଡି କର୍ମୀମାନଙ୍କୁ ଶ୍ରମ ଅଧିକାର ଥିବା ଶ୍ରମିକ ଭାବରେ ଦେଖି ତଦନୁଯାୟୀ ସୁବିଧାସୁଯୋଗ ଦେବା ପାଇଁ ସେମାନେ ଦୀର୍ଘଦିନରୁ କରି ଆସୁଥିବା ଦାବୀ ପ୍ରତି ଭୃକ୍ଷେପ ନକରି  ଓଲଟା ସେମାନଙ୍କ ବିରୁଦ୍ଧରେ ରାଜ୍ୟର ଅତ୍ୟାବଶ୍ୟକ ସେବା ଆଇନ ବା ମହାରାଷ୍ଟ୍ର ଇସେନସିଆଲ ସର୍ଭିସେସ ମେଣ୍ଟେନାନ୍ସ ଆକ୍ଟ ଲଗାଇ ଦେଲେ । ବିହାରରେ ୨୦୧୯ ମସିହାର ପ୍ରଥମ ଭାଗରେ ଯେତେବେଳେ ୨.୪୮ ଲକ୍ଷ ପାଚିକା(ରଷୋୟା) ଆନ୍ଦୋଳନ କରି ରାଜ୍ୟର ବିଭିନ୍ନ ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବା କାମ ବନ୍ଦ କରିଦେଲେ ସେତେବେଳେ ରାଜ୍ୟର ଅଧିକାଂଶ ସ୍କୁଲରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବନ୍ଦ ହୋଇଗଲା । ସେଇଥିପାଇଁ ରାଜ୍ୟ ସରକାର ୩୯ ଦିନ ପରେ ସେମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ କରି ସେମାନଙ୍କର ପାରିଶ୍ରମିକ ଅଳ୍ପ କିଛି ବଢାଇଥିଲେ । ଅଙ୍ଗନବାଡି କର୍ମୀ ମହାସଂଘର ଅଭିଯୋଗ ହେଲା ଯେ ରାଜ୍ୟ ସରକାର ଯେଉଁ ଅଙ୍ଗନବାଡି କେନ୍ଦ୍ରରେ ୨୫ରୁ କମ ପିଲା ଅଛନ୍ତି, ସେ କେନ୍ଦ୍ରଗୁଡିକୁ ବନ୍ଦ କରାଇ ଦେଉଛନ୍ତି । ମହାରାଷ୍ଟ୍ରରେ ୯୭୦୦୦ ବଡ ଓ ୧୦୦୦୦ ମିନି ଅଙ୍ଗନବାଡି କେନ୍ଦ୍ର ଅଛି ଯେଉଁଥିରେ ଜଣେ ଅଙ୍ଗନବାଡି ଶିକ୍ଷକ/ଶିକ୍ଷିକା ବା କର୍ମୀ ଓ ଜଣେ ସହାୟିକା କାର୍ଯ୍ୟ କରୁଛନ୍ତି । ଅଙ୍ଗନବାଡିଗୁଡିକୁ ବନ୍ଦ କରି ଦିଆଯିବା ଫଳରେ ସେମାନଙ୍କର ଜୀବନଜୀବିକା ଉପାର୍ଜନ ବନ୍ଦ ହେବ ।

୧୭ ଜାନୁଆରୀ ୨୦୧୮ ତାରିଖରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟରତ ୫୦ ଲକ୍ଷରୁ ଅଧିକ ଶ୍ରମିକ ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇ ଦେଶର ସବୁ ଜିଲା  ମୁଖ୍ୟାଳୟରେ ସେମାନଙ୍କ ଦାବୀପୂରଣ ପାଇଁ ପ୍ରଦର୍ଶନ କରିଥିଲେ । ଦେଶର ସମସ୍ତ ଦଶଟି ଯାକ ଶ୍ରମିକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା । ତା ସତ୍ତେ୍ୱ କେନ୍ଦ୍ର ସରକାର ସେମାନଙ୍କ ଦାବୀ ପ୍ରତି  କିପରି ଉଦାସୀନ ରହିଲା ତାହା ଏହି କଥାରୁ ସ୍ପଷ୍ଟ ହୋଇଯାଏ ଯେ ଭାରତୀୟ ଶ୍ରମ ସମ୍ମିଳନୀ ବା ଆଇଏଲସି ମଇ ୨୦୧୩ରେ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ମାନଙ୍କୁ ଶ୍ରମିକ ଭାବରେ ମାନ୍ୟତା ଦେବାପାଇଁ ଘୋଷଣା କରି ସେମାନଙ୍କ ନ୍ୟୁନତ୍ତମ ଦରମା, ପେନସନ ସହିତ ଶ୍ରମଜୀବିମାନଙ୍କର ସମସ୍ତ ଅଧିକାର ପ୍ରଦାନ ପାଇଁ କହିବା ସତ୍ତେ୍ୱ ଏ ଯାବତ୍ କିଛି କରାଯାଇ ନାହିଁ । ସମ୍ପ୍ର୍ରତି ଏହି ଶ୍ରମିକ/କର୍ମଚାରୀମାନେ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରୀଶକୁ ଲାଗୁ କରିବା, ସେମାନଙ୍କୁ କର୍ମଚାରୀ ଭବିଷ୍ୟ ନିଧି (ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ବା ଇପିଏଫ ), ରାଜ୍ୟ କର୍ମଚାରୀ ବୀମା ଯୋଜନା ପ୍ରଦାନ କରାଯିବା ସହିତ  କେନ୍ଦ୍ର ପ୍ରବର୍ତ୍ତିତ ଏହି ସବୁ ଯୋଜନା ପାଇଁ କେନ୍ଦ୍ର ବଜେଟରେ ପର୍ଯ୍ୟାପ୍ତ ଅର୍ଥ ଦିଆଯିବା, ଏଥିପାଇଁ ମୌଳିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବା ପାଇଁ ଆନ୍ଦୋଳନ କର ି ଆସୁଛନ୍ତି । ଏହା ସହିତ ସେମାନେ ଦାବୀ କରୁଛନ୍ତି ଯେ ଏଥିରୁ କେତେକ ଯୋଜନା ଘରୋଇ ସଂସ୍ଥାକୁ ଦେଇ ଘରୋଇ ଲୋକମାନଙ୍କୁ ଏହାକୁ ଚଳେଇବାର ଦାୟିତ୍ୱ ଦିଆଯିବା ଚିନ୍ତାରୁ ସରକାର ନିବୃତ୍ତ ରୁହନ୍ତୁ ।

ଏହି ଶ୍ରମିକମାନଙ୍କର କହିବା କଥା ଯେ ଦେଶରେ ମହିଳା ମାନେ କରୁଥିବା ଅନ୍ୟ ସବୁ କାର୍ଯ୍ୟ ପରି ବିଭିନ୍ନ ଜନକଲ୍ୟାଣକାରୀ ଏହି ଯୋଜନା ଗୁଡିକରେ କାମ କରୁଥିବା କର୍ମୀମାନଙ୍କୁ ସରକାରଙ୍କ ପକ୍ଷରୁ କେବଳ ସ୍ୱେଚ୍ଛାସେବୀ ଓ ଠିକା ଶ୍ରମିକ ଭାବରେ ଦେଖାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଏହି ଜନକଲ୍ୟାଣକାରୀ ଦାୟିତ୍ୱରୁ ନିଜ କାନ୍ଧରୁ ବୋଝ ଉତାରିଦେବା ପାଇଁ ଏହି ସବୁ ଯୋଜନାଗୁଡିକର ଘରୋଇକରଣ କରିଦେବା ବା ଏଥିରୁ ଅର୍ଥ କାଟିଦେବା କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ତେଣୁ ଏହି ଶ୍ରମିକମାନଙ୍କର ସଂଘର୍ଷକୁ ମାତ୍ର କିଛି ଶ୍ରମିକଙ୍କର ଆର୍ଥିକ ଦାବୀ ଆକାରରେ ନ ଦେଖି ଏହାର ସୁଦୂରପ୍ରସାରୀ ପ୍ରଭାବ ପ୍ରତି ନଜର ଦେଇ ସେମାନଙ୍କର ଦାବୀଗୁଡିକୁ ମାନି ନିଆଯିବାର ଆବଶ୍ୟକତା ରହିଛି  ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top