ISSN (Print) - 0012-9976 | ISSN (Online) - 2349-8846

ଆମାଜନ୍ ନିଆଁର ଜ୍ୱଳନ୍ତ ପ୍ରଶ୍ନ

ରାଷ୍ଟ୍ରପତି ଜାଇର୍ ବଲ୍ସୋନାରୋ ଜଳବାୟୁ ସଙ୍କଟକୁ ଅସ୍ୱୀକାର କରିବା ଏବଂ ସ୍ଥାନୀୟ ଜନଜାତିମାନଙ୍କ ଉପରେ ଆକ୍ରମଣ ଯୋଗୁଁ ବିପର୍ଯ୍ୟୟଟି ତୀବ୍ର ହୋଇଯାଇଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ପ୍ରାୟ ୫.୫ନିୟୁତ ବର୍ଗ କିଲୋମିଟର ଆଚ୍ଛାଦିତ ବିଶାଳକାୟ ଆମାଜନ୍ ବର୍ଷା ସୃଷ୍ଟିକାରୀ ଜଙ୍ଗଲରୁ ଏବେ ଭୟଙ୍କର ରୂପରେ ଧୂଆଁ ବାହାରି ଅଙ୍ଗାରକ ବୃଦ୍ଧି ଘଟିଚାଲିଛି । ଏହି ନିଆଁର ସବୁଠାରୁ ଭୟଙ୍କର ସମୟରେ ବ୍ରାଜିଲର ପୂର୍ବରେ ଥିବା ସମୁଦ୍ର ଉପକୂଳ ଅଞ୍ଚଳର ଆକାଶଟି ଧୂଆଁ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲା । ଏଠି ବ୍ରାଜିଲର ସର୍ବାଧିକ ଜନସଂଖ୍ୟା ବାସ କରିଥାନ୍ତି । ବ୍ରାଜିଲର ଜାତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ଆକଳନ ଅନୁସାରେ ୨୦୧୮ ତୁଳନାରେ ଏହି ଅଗ୍ନିକାଣ୍ଡ ଘଟଣାର ଶତକଡ଼ା ୮୪ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ସେ ଭିତରୁ ୭୪ହଜାର ଘଟଣା ବିଶ୍ୱର ସବୁଠାରୁ ଅଧିକ ଜୈବବିବିଧତାର ଅଞ୍ଚଳରେ ଘଟିଚାଲିଛି । ଜଙ୍ଗଲରେ ନିଆଁ ଲାଗିବା ଘଟଣା ଅସାଧାରଣ କଥା ନୁହେଁ ଯେହେତୁ ଜଳବାୟୁ ଶୁଷ୍କ ଥିଲାବେଳେ ନିୟମିତ ଭାବେ ଏଭଳି ଘଟଣା ଘଟିଥାଏ ଯେଉଁଥିପାଇଁ କି ବିଶ୍ୱସାରା ଉଦ୍ବେଗ ଦେଖିବାକୁ ମିଳିଥାଏ ।

ଆମାଜନ୍ ପରିବେଶ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ମତରେ, ଏହି ବର୍ଷର ନିଆଁଟି ଅଧିକ ଭୟଙ୍କର ଥିଲା ଏବଂ ତାହା ଆମାଜନ୍ର ୧୦ଟି ପୌରାଞ୍ଚଳକୁ ଧ୍ୱସଂ କରିଦେଇଥିଲା ଯେଉଁମାନେ ଅଧିକ ଜଙ୍ଗଲ ନଷ୍ଟ ହେବା ଘଟଣାର ସାକ୍ଷୀ ରହିଆସିଛନ୍ତି । ୨୦୧୬ ମସିହାର ମରୁଡ଼ିର ଏହି ନିଆଁରେ ନିର୍ଦ୍ଦିଷ୍ଟ ଭୂମିକା ଅଛି, କିନ୍ତୁ ଏ ସଂସ୍ଥାର ବୈଜ୍ଞାନିକମାନଙ୍କ ଯୁକ୍ତି ଯେ ମରୁଡ଼ି ଯୋଗୁଁ ବା ଅନ୍ୟ କୌଣସି ପ୍ରାକୃତିକ ଋତୁଚକ୍ର ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ଯଦି କେଉଁଠି ଦାବୀ ହେଉଛି ତାକୁ ‘ପ୍ରତ୍ୟାଖ୍ୟାନ’ କରାଯିବା ଉଚିତ । ଏହି ସଂସ୍ଥାଟିର ମତରେ ‘ବିଗତ ତିନିବର୍ଷ ତୁଳନାରେ ମରୁଡ଼ି ସତ୍ତେ୍ୱ ବି ଆମାଜନ୍ରେ ଆଦ୍ରତାର ସ୍ତର ହାରାହାରି ଠାରୁ ଅଧିକ ରହିଆସିଛି ।’ ଏହି ପରିବେଶୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଉଜୁଡ଼ି ଯାଉଥିବା ଜଙ୍ଗଲ ସମ୍ପର୍କରେ ସତର୍କ କରାଯାଉଥିବା ବ୍ୟବସ୍ଥାଟିର କାମକୁ ଭିତ୍ତି କରି ବୈଜ୍ଞାନିକମାନେ କହୁଛନ୍ତି ଯେ, ଉଜୁଡ଼ା ଜଙ୍ଗଲ ଯୋଗୁଁ ନିଆଁର ଶିଖା ସମ୍ପ୍ରସାରିତ ହୋଇଚାଲିଛି ।

ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବଲ୍ସୋନାରୋ ନା ଜଳବାୟୁ ବିଜ୍ଞାନରେ ବିଶ୍ୱାସ କରନ୍ତି ନା ସେ ବୈଜ୍ଞାନିକ ପଦ୍ଧତିରେ ବନୀକରଣ ଓ ଜଙ୍ଗଲ ସଂରକ୍ଷଣକୁ ବିଶ୍ୱାସ କରନ୍ତି । ଅଗଷ୍ଟର ପ୍ରଥମ ଭାଗରେ ବ୍ରାଜିଲର ମହାକାଶ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ରିକାର୍ଡ଼ୋ ଗାଲ୍ଭୋ ସତର୍କ କରାଇ ଦେଇଥିଲେ ଯେ ବ୍ରାଜିଲରେ ଜଙ୍ଗଲ କ୍ଷୟ ମାତ୍ରାଧିକ ଭାବେ ବଢ଼ିଚାଲିଛି । ସେ କହୁଥିଲେ ଯେ ୨୦୧୯ର ଜୁନ୍ ମାସରେ ହିଁ ଆମାଜନ୍ ୨୦୭୨ବର୍ଗ କିଲୋମିଟରର ଜଙ୍ଗଲ ହରାଇ ଥିଲା । ମାଲି ଦେଶର ସୀମା ଠାରୁ ଏହି ପରିମାଣଟି ଢେର୍ ଅଧିକ । ବଲ୍ସୋନାରୋ କିନ୍ତୁ ଏହାକୁ ‘ମିଛ’ କଥା କହି ଗାଲ୍ଭୋଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ବଡ଼ ବଡ଼ କାଠ ବେପାରୀ, ଖଣି ଏବଂ କୃଷି ଉଦ୍ୟୋଗପତିମାନଙ୍କ ସ୍ୱାର୍ଥରେ କାମ କରି ବଲ୍ସୋନାରୋ ବ୍ରାଜିଲର ପରିବେଶୀୟ ଓ ଅକ୍ଷୟ ପ୍ରାକୃତିକ ସମ୍ବଳ ପ୍ରତିଷ୍ଠାନର ପାଣ୍ଠିକୁ କେବଳ ୨୦୧୯ର ପ୍ରଥମ ୬ମାସ ଭିତରେ ୨୦% କମେଇ ଦେଇଥିଲେ । ସେ କହିଥିଲେ ଯେ ଏହି ସଂସ୍ଥାର କାର୍ଯ୍ୟକର୍ତ୍ତାମାନେ ନିୟମକାନୁନ୍ଗୁଡ଼ିକୁ ମାତ୍ରାଧିକ ନିଷ୍ଠାର ସହିତ ପାଳନ କରୁଛନ୍ତି ଯେମିତିକି ସେମାନେ ‘ନିଜ ହାତରେ ପେନ୍ ଧରି ପ୍ରତ୍ୟେକ ଆସିବେ, ମାତ୍ରାଧିକ ଜୋରିମାନା କରି ଚାଲିଯିବେ’ ।

କାଠ, ଖଣି ଏବଂ କୃଷି ଉଦ୍ୟୋଗପତିମାନେ ଆମାଜନ୍ ଭିତରେ ରହୁଥିବା ଆଦିମ ଅଧିବାସୀମାନଙ୍କୁ ଏକ ବଡ଼ ଧରଣର ପ୍ରତିବନ୍ଧକ ହିସାବରେ ଦେଖି ଆସିଛନ୍ତି । ଏହି ସମୁଦାୟ ମାନେ ଜଙ୍ଗଲଟିକୁ ବ୍ୟବସାୟ ପାଇଁ ଏକ ଦ୍ରବ୍ୟ ରୂପେ ପରିଣତ କରାଯାଉଥିବା ଘଟଣାର ପ୍ରତିରୋଧ କରିଆସିଛନ୍ତି । ୧୯୮୮ମସିହାରେ ବ୍ରାଜିଲର ସମ୍ବିଧାନ ଆମାଜନରେ ବ୍ୟାପକ ସଂରକ୍ଷିତ ଅଞ୍ଚଳ ସୃଷ୍ଟି କରିଥିଲା ଯେଉଁଥିରେ ଆଦିମ ଜନଜାତିମାନେ ରହୁଥିଲେ । ବ୍ରାଜିଲ ଜନସଂଖ୍ୟାର ସେମାନେ ୦.୬ ପ୍ରତିଶତ । ବଲ୍ସୋନାରୋ ଏବଂ ତାଙ୍କର ଦକ୍ଷୀଣପନ୍ଥି ଗୋଷ୍ଠୀଟି ଆମାଜନରେ ରହୁଥିବା ଆଦିମ ଜନଜାତିଙ୍କର ଗଣହତ୍ୟା ପାଇଁ ଏକ ମାନସିକତା ରଖିଆସିଛନ୍ତି । ତକ୍ଷ ୟାୱା ନାୱା ଯିଏକି ୟାୱା ନାୱା ଜନଜାତିର ନେତା, ସେ କୁହନ୍ତି ଯେ ଆମାଜନରେ ଆଦିମ ଜନଜାତିମାନେ ଏବେ ‘ଗଣହତ୍ୟା’କୁ ସାମ୍ନା କରୁଛନ୍ତି ।

ଆମାଜନର ନିଆଁ ପାଇଁ ବଲ୍ସୋନାରୋ ସଂରକ୍ଷଣବାଦୀ ବେସରକାରୀ ସଙ୍ଗଠନମାନଙ୍କୁ ଦାୟୀ କରିଛନ୍ତି । ସେ କହୁଛନ୍ତି ଯେ ସେମାନେ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଛନ୍ତି ଯାହାଫଳରେ ବ୍ରାଜିଲ ଅପଦସ୍ତ ହେବ ଏବଂ ତାଙ୍କର ବ୍ୟବସାୟୀଙ୍କ ହିତରେ ତିଆରି କାର୍ଯ୍ୟସୂଚୀଟିକୁ ନ୍ୟୁନ କରିଦିଆଯିବ । ତେବେ ସେ ଯାହା କହୁଛନ୍ତି ତାହା ଠିକ୍ ବୋଲି ପ୍ରମାଣିତ କରିବା ପାଇଁ କୌଣସି ତଥ୍ୟ ନାହିଁ । ବ୍ରାଜିଲ ରାଷ୍ଟ୍ରପତିଙ୍କର ଉତ୍ତେଜନା ସୃଷ୍ଟିକାରୀ ଏହା ଆଉ ଏକ ବକ୍ତବ୍ୟ ।

ବଲ୍ସୋନାରୋଙ୍କ ପ୍ରତି କ୍ରୋଧ ଅଗଷ୍ଟ ମାସର ଶେଷ ଦୁଇଟି ସପ୍ତାହରେ ବେଶୀ ବୃଦ୍ଧି ପାଇଛି । ସମଗ୍ର ବ୍ରାଜିଲରେ ଗଣବିକ୍ଷୋଭ ଦେଖାଦେଇଛି ଯାହାର କେନ୍ଦ୍ରରେ ରହିଛି ରିଓ ଡ଼ି ଜେନେରୋ ଓ ସୋ ପାଲୋ ସହର । ଏହି ପ୍ରତିବାଦ ସଭାଗୁଡ଼ିକରେ ଦିଆଯାଉଥିବା ନାରାଗୁଡ଼ିକ ସେମାନଙ୍କର ମାନସିକ ସ୍ଥିତିକୁ ପ୍ରତିଫଳିତ କରୁଛି ଯେଉଁଥିରେ ବାରମ୍ବାର କୁହାଯାଉଛି ଯେ, ‘ଆମାଜନ୍ ଲୋକଙ୍କର’ ଓ ‘ଆମାଜନ୍ ରହୁ, ବଲ୍ସୋନାରୋ ଯାଉ’ ଇତ୍ୟାଦି । ବଲ୍ସୋନାରୋଙ୍କର ଲୋକପ୍ରିୟତା ଦ୍ରୁତଗତିରେ ହ୍ରାସ ପାଇଚାଲିଛି ଯେମିତିକି ସି.ଏନ୍.ଟି / ଏନ୍.ଡି.ଏ. ସର୍ବେକ୍ଷଣରେ ଦେଖାଯାଇଛି ଯେ ସର୍ଭେ କରାଯାଇଥିବା ଲୋକଙ୍କ ଭିତରୁ ୩୯.୫ ପ୍ରତିଶତ ଲୋକେ ତାଙ୍କ ସରକାରକୁ ‘ଖରାପ ବା ଭୟଙ୍କର’ ବୋଲି କହିଥିଲା ବେଳେ ତାଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ଯାହା ଗତ ଜାନୁଆରୀ ମାସରେ ୩୮.୯ ପ୍ରତିଶତ ଥିଲା ତାହା ଖସିଆସି ୨୯.୪ ପ୍ରତିଶତରେ ପହଞ୍ôଚଛି । ଆମାଜନ୍ ନିଆଁର ପ୍ରକୋପ, ବଲ୍ସୋନାରୋଙ୍କ ଅବୈଜ୍ଞାନିକ ପ୍ରତିକ୍ରିୟା ଏବଂ ପ୍ରତିବାଦଗୁଡ଼ିକ ଯୋଗୁଁ ବ୍ରାଜିଲର ସରକାର ଏବେ ଚାପ ଭିତରେ ଅଛନ୍ତି ।

କଥାଟି ଖରାପରୁ ଖରାପ ଆଡ଼କୁ ଗଲା ଯେତେବେଳେ ୟୁରୋପ ମଧ୍ୟ ବଲ୍ସୋନାରୋଙ୍କୁ ଖୋଲାଖୋଲି ସମାଲୋଚନା କରିବା ଆରମ୍ଭ କଲା ଏବଂ ତା’ ସହିତ ତାଙ୍କର ଦୁଇଟି ପ୍ରମୁଖ ବାଣିଜ୍ୟ ଏବଂ ନୀତି ସମ୍ପର୍କିତ ଲକ୍ଷ୍ୟକୁ ପଥଚ୍ୟୁତ କରିବା ପାଇଁ ଧମକ ଦେଲା । ୟୁରୋପରେ ଚାଷୀମାନେ ବ୍ରାଜିଲର ଗୋ-ମାଂସ ଆମଦାନୀ ବନ୍ଦ କରିବା ପାଇଁ ୟୁରୋପୀୟ ସଂଘ ଉପରେ ଚାପ ପକାଇଲେ । ଏହି ଗୋଟିଏ ପଦକ୍ଷେପ ଏମିତିରେ କ୍ଷତିକାରକ ଥିଲା କିନ୍ତୁ ଅଧିକ ଖରାପ ହେଲା ଯେତେବେଳେ ୟୁରୋପୀୟ ସଂଘ ସତର୍କ କରାଇଦେଲା ଯେ ଆର୍ଜେଣ୍ଟିନା, ବ୍ରାଜିଲ, ପାରାଗୁଏ, ଉରୁଗୁଏ ଏବଂ ଭେନେଜୁଏଲା ସହିତ ଯେଉଁ ମେର୍କୋସୁର୍ ବୁଝାମଣା ହୋଇଥିଲା ସେଥିରୁ ସେମାନେ ଓହରିଯିବେ । ପୁନଶ୍ଚ ବଲ୍ସୋନାରୋ ଆଶା ରଖିଥିଲେ ଯେ ଅର୍ଥନୈତିକ ସହଯୋଗ ଏବଂ ବିକାଶ ପାଇଁ ଉଦ୍ଦିଷ୍ଟ ଓ.ଇ.ସି.ଡି. ସଂସ୍ଥା ଭିତରକୁ ବ୍ରାଜିଲକୁ ନେଇଯିବେ ଯେଉଁଠି ନିଜକୁ ‘ବିକଶିତ’ ଭାବୁଥିବା ୩୬ଟି ଦେଶ ସଦସ୍ୟ ଅଛନ୍ତି । ଏବେ ଏହି ସଂସ୍ଥା ଭିତରକୁ ବ୍ରାଜିଲର ପ୍ରବେଶ ସନ୍ଦେହ ଭିତରକୁ ଆସିଯାଇଛି ।

ଫ୍ରାନ୍ସରେ ହୋଇଥିବା ଜି.-୭ବୈଠକରେ ଆମାଜନ୍ ସଙ୍କଟକୁ ନେଇ ଆଲୋଚନା କରିବା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ରଖାଯାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ୍ ଯିଏକି ବଲ୍ସୋନାରୋଙ୍କର ଘନିଷ୍ଠ, ଏଥିରେ ଯୋଗ ଦେଇନଥିଲେ । ଏହି ଜି.-୭ ଦେଶମାନେ ପ୍ରତିବଦ୍ଧତା ଦେଖାଇଲେ ଯେ ୨୦ନିୟୁତ ଡଲାରର ଏକ କ୍ଷୁଦ୍ର ପାଣ୍ଠି ଯୋଗାଡ଼ କରିବେ କେବଳ ଆମାଜନ୍ ନିଆଁକୁ ପ୍ରଶମିତ କରିବା ପାଇଁ । ବଲ୍ସୋନାରୋ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ, କିନ୍ତୁ ପରେ ଚାପରେ ପଡ଼ି ସେ ନିଜର ସେନାବାହିନୀକୁ ପଠାଇଥିଲେ ନିଆଁ ଲିଭାଇବା କାମରେ ନିୟୋଜିତ ହେବାପାଇଁ । ତେବେ ଏଭଳି ଏକ ଦୁର୍ବଳ ପ୍ରତିକ୍ରିୟା ମଧ୍ୟ ଆମାଜନ୍ ଜଙ୍ଗଲ ବା ସେଥିରେ ରହୁଥିବା ଲୋକମାନଙ୍କର ଅନ୍ତର୍ନିହିତ ମୂଲ୍ୟକୁ ବୁଝିବା ଯୋଗୁଁ ନୁହେଁ ବରଂ ତାହା ଏକ ଔପଚାରିକ ଆବେଗ ମଧ୍ୟ ବୋଲି କୁହାଯାଇପାରେ ।

ଠିକ୍ ଏହି ସମୟରେ ବ୍ରାଜିଲର ନିଆଁ ବଲିଭିଆ ଦେଶକୁ ଗ୍ରାସ କରିଯାଇଛି ଯେଉଁଠି ରାଷ୍ଟ୍ରପତି ଇଭୋ ମୋରାଲସ୍ ଗୋଟିଏ ସୁପର ଟ୍ୟାଙ୍କରକୁ ଭଡ଼ାରେ ଆଣି ଅଗ୍ନିଶିଖାଗୁଡ଼ିକ ନିର୍ବାପିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି । ବଲିଭିଆର ସମ୍ବିଧାନରେ ଜନ୍ମଭୂମି ଆଇନ ନାମକ ଏକ ଆଇନ ଅଛି ଯେଉଁଥିରେ ମଣିଷ ଭଳି ପ୍ରକୃତିର ମଧ୍ୟ ସମାନ ଅଧିକାର ରହୁଛି ବୋଲି ସୁନିଶ୍ଚିତ କରାଯାଇଛି । ଦୁଇଟି ଦେଶ ଭିତରେ ଥିବା ଯେଉଁ ପ୍ରତିକ୍ରିୟାର ଭିନ୍ନତା ଦେଖାଯାଉଛି ତାହା ସୂଚାଇଦେଉଛି ଯେ ସେମାନଙ୍କର ବିଚାରଗତ ବିଶ୍ୱାସଗୁଡ଼ିକ କେମିତି ମାନବିକ ତଥା ପରିବେଶୀୟ ସଙ୍କଟଗୁଡ଼ିକୁ ମୁକାବିଲା କରିବା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନିଭାଉଛି । ତେଣୁକରି ଆମାଜନ୍କୁ ବଞ୍ଚାଇବା ଦାୟିତ୍ୱଟି ଏକ ନ୍ୟାୟପୂର୍ଣ୍ଣ ତଥା ଉତ୍ତମ ସାମାଜିକ ରାଜନୈତିକ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ହେଉଥିବା ସଂଘର୍ଷ ଠାରୁ ପୃଥକ୍ କରି ରଖିହେବ ନାହିଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top