ISSN (Print) - 0012-9976 | ISSN (Online) - 2349-8846

ବିରୋଧୀମାନଙ୍କ ପାଇଁ ମହାରାଷ୍ଟ୍ରରେ କିଛି ନୂଆ ପବନ ବୋହୁଛି କି?

ନିକଟ ଅତୀତରେ ଘଯିଥିବା ଘଟଣାବଳୀରୁ ଜଣାପଡ଼ୁଛି ଯେ, ନିର୍ବାଚନ ଅଭିଯାନର ବିମର୍ଶଟି ଦୃଢ଼ଭାବେ ମହାରାଷ୍ଟ୍ରର ସାମାଜିକ, ସାଂସ୍କୃତିକ ପୃଷ୍ଠଭୂମି ଆଡ଼କୁ ବଳିଷ୍ଠ ଭାବେ ଟାଣି ହୋଇ ଆସୁଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅଭିଯାନଟି ଏବେ ତାର ବେଗ ବଢ଼ାଇଲା ଭଳି ଲାଗୁଛି । ଗତ ଦୁଇ ସପ୍ତାହର ଘଟଣାବଳୀକୁ ଦେଖିଲେ ଲାଗୁଛି ଯେ, ଅନିଶ୍ଚିତତା ଯେମିତି ନିର୍ବାଚନ ପ୍ରତିଯୋଗୀତାର ଏକ ଉପାଦାନ ହୋଇଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶଳାୟର ଜାତୀୟବାଦୀ କଂଗ୍ରେସ ପାର୍ଟି ଏନ୍‌.ସି.ପି ର ମୁଖ୍ୟ ଶରତ ପାୱାରଙ୍କୁ ନୋଟିସ ଜାରି କରିବା ଏବଂ ଶ୍ରୀଯୁକ୍ତ ପାୱାର ଆକ୍ରୋଶମୂଳକ ରାଜନୀତିକୁ ବିରୋଧ କରିବା ଉଦ୍ଦେଶ୍ୟରେ ଜନଗଣଙ୍କୁ ସଂଗଠିତ କରିବା ପାଇଁ ଏକ ଚତୁର ପ୍ରତିକ୍ରିୟା ରଖିବା ଦ୍ୱାରା ସେଠାକାର ଗଠବନ୍ଧନ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି । ତା ପୂର୍ବରୁ ମଧ୍ୟ ଅକ୍ଲାନ୍ତ ନିର୍ବାଚନ ଅଭିଯାନ ଏବଂ ଦକ୍ଷତାର ସହିତ ରାଜନୀତିକ ବାର୍ତ୍ତା ପ୍ରସାରଣ କରିବା ଦ୍ୱାରା ଭାରତୀୟ ଜନତାପାର୍ଟି ଏବଂ ଶିବସେନା ସାମୁଖ୍ୟ ଯେଉଁ ସବୁ ଗଣନା କରିଥିଲେ ତାକୁ ଏପଟ ସେପଟ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି, ଏନ୍‌.ସି.ପି ସଭାପତି । କାହିଁକି ଏଭଳି ଅଭିଯାନ ଏବଂ ବାର୍ତ୍ତା ପ୍ରସାରଣ ଭୋଟଦାତାଙ୍କ ଭିତରୁ ଗୋଟିଏ ବର୍ଗ ନିର୍ଦ୍ଦିଷ୍ଟ କରି ଗ୍ରାମୀଣ ଯୁବକଙ୍କ ଭିତରେ ପ୍ରତିଧ୍ୱନି ସୃଷ୍ଟି କଲାଭଳି ଜଣାପଡ଼ୁଛି?

ଏକ ବୃହତ୍ତର ସ୍ତରରେ ଏହା ଘଟୁଛି ଯେତେବେଳେ ନିର୍ବାଚନୀ ବିତର୍କର ସର୍ତ୍ତଗୁଡ଼ିକୁ ବଦଳାଇ ଦିଆଯାଇଛି ବା ସେଥିରେ ପରିବର୍ତ୍ତନ ଅଣାଯାଉଛି । ବିଜେପି ଶିବସେନା ଗଠବନ୍ଧନର ପକ୍ଷଟି ଯେଉଁ ପ୍ରସଙ୍ଗ ଚାରିପଟେ କେନ୍ଦ୍ରିତ ରହୁଛି, ସେ ଭିତରେ ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭାବମୂର୍ତ୍ତି, ଧାରା ୩୭୦ର ଉଚ୍ଛେଦ ଏବଂ ବିଜେପିର ହିନ୍ଦୁତ୍ୱ କାର୍ଯ୍ୟସୂଚୀର ଆଗକୁ ଯାଇ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ତୁହାକୁ ତୁହା ଉତ୍‌ଥାପନ କରିବା । କେବଳ ଯେ ଅମିତ ଶାହା ଏବଂ ଭାଜାପାର ଅନ୍ୟ ସବୁ ବରିଷ୍ଠ ନେତାମାନେ ମହାରାଷ୍ଟ୍ରରେ ବୁଲି ବୁଲି ଧାରା ୩୭୦ ସମ୍ପର୍କରେ କହୁଛନ୍ତି ତାହା ନୁହେଁ ବରଂ ଏହା ଉଲ୍ଲେଖନୀୟ ଯେ, ମୋଦି ନିଜେ ପାୱାରଙ୍କ ବକ୍ତବ୍ୟଗୁଡ଼ିକୁ ଏପଟ ସେପଟ ବଦଳାଇ ତାଙ୍କୁ ‘ପାକିସ୍ଥାନ ସପକ୍ଷବାଦୀ’ କହି ଆକ୍ରମଣ କରୁଛନ୍ତି । ଏଥିରୁ ସ୍ପଷ୍ଟ ସୂଚୀତ ହେଉଛି ଯେ, ଆକ୍ରମଣାତ୍ମକ ସଂଖ୍ୟା ଗରିଷ୍ଠ ରାଷ୍ଟ୍ରବାଦ ଉପରେ ଅଧିକ ଧ୍ୟାନ ଦିଆଯାଉଛି ଏବଂ ମହାରାଷ୍ଟ୍ରର ଉଦ୍ଧ୍ୱର୍ରେ ଓ ସେ ରାଜ୍ୟ ବାହାରକୁ ନିର୍ବାଚନ ଅଭିଯାନକୁ ନେବା ପାଇଁ ଉଦ୍ଦେଶ୍ୟ ରଖି କାମ କରାଯାଉଛି । ଯେତେବେଳେ ବିପୁଳ ଜନ ସମର୍ଥନ ଏଥିପାଇଁ ମିଳୁଛି, ଏଭଳି ଏକ କାର୍ଯ୍ୟସୂଚୀକୁ ମୁକାବିଲା କରିବାକୁ ହେଲେ ନିର୍ବାଚନ ପ୍ରତିଯୋଗୀତାଟିକୁ ମହାରାଷ୍ଟ୍ରର ଭୂମିକୁ ତଥା ତାହାର ମାଟି ପାଖକୁ ଫେରେଇ ଆଣିବାର ଆବଶ୍ୟକତା ଅଛି । ଯଦି ପାୱାରଙ୍କର ଅଭିଯାନ ଏବଂ ବାର୍ତ୍ତାଗୁଡ଼ିକୁ ଯତ୍ନର ସହ ଦେଖିବା ତେବେ ଦେଖାଯିବ ଯେ କେମିତି ଏହି କାମଟି ବହୁବିଧ ଓ ଚତୁର ଉପାୟରେ କରାଯାଇପାରୁଛି ।

ଏମିତି ଦେଖିଦେଲେ ବି ଜଣାପଡ଼ୁଛି ଯେ, ପାୱାରଙ୍କର ବକ୍ତବ୍ୟଗୁଡ଼ିକରେ ସ୍ଥାନ ପାଇଥିବା ଗୁରୁତର ପ୍ରସଙ୍ଗ ଭିତରେ ରହିଛି କୃଷି ତଥା ଗ୍ରାମୀଣ ସଂକଟ, ବେରୋଜଗାରୀ ଏବଂ ସରକାରଙ୍କର ସେଥିପ୍ରତି ସମ୍ବେଦନହୀନ ତଥା ଅନୁପଯୁକ୍ତ ପ୍ରତିକ୍ରିୟା । କିନ୍ତୁ ତାଙ୍କ ବକ୍ତବ୍ୟରେ ଯେଉଁ ଉଲ୍ଲେଖନୀୟ ଦିଗଟି ରହିଛି ତାହା ହେଲା ଯେ, ଏହି ପ୍ରସଙ୍ଗଗୁଡ଼ିକ ସହ ମହାରାଷ୍ଟ୍ରର ଇତିହାସ ଅମଳରୁ ଅସମାହିତ ହୋଇ ରହିଆସିଥିବା ସାମାଜିକ, ସାଂସ୍କୃତିକ ସଂଘର୍ଷ ଗୁଡ଼ିକୁ ଯୋଡ଼ିବା, ଯାହାହିଁ ଏ ଅଭିଯାନରେ ଭିନ୍ନତା ଆଣିଦେଇଛି । ଉଦାହରଣ ସ୍ୱରୂପ ପେଶୱା ଶାସନର ଅଧଃପତନ ପର୍ଯ୍ୟାୟରେ ନେତୃତ୍ୱ ନେଇଥିବା ନାନା ଫାଡ଼ାନବିଶଙ୍କର ଶାସନକୁ ସ୍ମରଣ କରାଇ ଦେଇ ସେ କହିଛନ୍ତି ଯେ, ଏବେ ମହାରାଷ୍ଟ୍ର ସରକାର ଗତ ଦୁଇ ବର୍ଷ ଭିତରେ ରାଜ୍ୟରେ ଦେଖା ଦେଇଥିବା କୃଷି ସଂକଟ, ମରୁଡ଼ି ଏବଂ ବନ୍ୟାଜନିତ ସମସ୍ୟା ପ୍ରତି ଉଦାସୀନ ରହି ଇତିହାସର ସେହି ଶାସକଟିକୁ ମନେ ପକାଇଦେଉଛନ୍ତି । ବିରାଟ ହସ୍ତକ୍ଷେପ ବୋଲି ପ୍ରସଂଶା କରାଯାଉଥିବା ସରକାରଙ୍କର ନିଜର ଯୋଜନା ପ୍ରତି ଶାସକ ସାମୁଖ୍ୟର ନିରବତା, ନିର୍ବାଚନୀ ଭାଷଣଗୁଡ଼ିକରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଯାଇଛି । ଏହି ସବୁ ବିଫଳତାଗୁଡ଼ିକୁ ପଦାରେ ପକାଇବା ଦ୍ୱାରା ଅଧିକ ଲାଭରେ ସେମାନେ ରହିବେ ଯେହେତୁ ବର୍ତ୍ତମାନ ସରକାରଙ୍କୁ ନେତୃତ୍ୱ ଦେଉଥିବା ଲୋକମାନଙ୍କର କୃଷି ସହ ଅବା ଗ୍ରାମ୍ୟ ଜୀବନ ସହ ଅବା ମେହେନତିଆ ଲୋକଙ୍କ ସହ କିଛି ସମ୍ପର୍କ ନାହିଁ । ସରକାରଙ୍କର ଖାମଖିଆଲି କାର୍ଯ୍ୟପଦ୍ଧତି ଏବଂ ବନ୍ୟା ସମୟରେ ବି ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନୀ ପ୍ରଚାର ଜାରି ରହିବା ଯେତେବେଳେ କି ବିରୋଧୀଦଳର ନେତାମାନେ ରିଲିଫ କାର୍ଯ୍ୟ କରିବା ପାଇଁ କ୍ଷେତ୍ରରେ ମହଜୁଦ ରହୁଥିଲେ, ସରକାରଙ୍କ ସମ୍ପର୍କରେ ଏମିତି କିଛି ଧାରଣା ସୃଷ୍ଟି କରିବାରେ ସହାୟକ ହେଉଛି । ବିରୋଧୀ ଦଳଗୁଡ଼ିକୁ ତ୍ୟାଗ କରି ଭାଜପା ଶିବସେନା ସମୁହରେ ଯୋଗଦେବା ପାଇଁ ଯେଉଁ ଧାରା ଲାଗିରହିଛି ତାକୁ ଏକ ସକାରାତ୍ମକ ଘଟଣା ହିସାବରେ ଦେଖାଯାଉଛି ଯେହେତୁ ବିରୋଧୀ ନେତାମାନେ ଏହି ଦଳଛଡ଼ାମାନଙ୍କର ନିଜର ବୁଝାମଣା ଓ ବିଶ୍ୱାସ ପ୍ରତି ନିଷ୍ଠାପର ନରହିବା କଥାଟିକୁ ଶିବାଜୀ ମହାରାଜଙ୍କର ନୈତିକ ଧାରାରୁ ବିଚ୍ୟୁତ ହେଉଛନ୍ତି ବୋଲି ପ୍ରଚାର କରାଯାଉଛି । ଏହାଦ୍ୱାରା ମଧ୍ୟ ବିରୋଧୀମାନେ ନିଜର ସମର୍ଥକ ଓ କର୍ମୀମାନଙ୍କ ପାଖରେ ପହଞ୍ôଚ ସେମାନଙ୍କର ମନୋବଳକୁ ସୁଦୃଢ଼ କରେଇବା କାମଟି କରୁଛନ୍ତି ବିଶେଷ କରି ଯେଉଁମାନେ ସୁବିଧାବାଦୀ ନହୋଇ ଦଳବଦଳ ଧାରାକୁ ଯାଇ ନାହାନ୍ତି । ଛତ୍ରପତି ଶିବାଜୀଙ୍କ ପୁତ୍ର ସାମ୍ଭାଜୀ ରାଜେ ଯିଏ କି ନିଜ ଶିବିରରେ ଆଭିଜାତ୍ୟମାନଙ୍କ ଦ୍ୱାରା ହୋଇଥିବା ବିଶ୍ୱାସଘାତକତାର ସାମ୍ନା କରିଥିଲେ, ତାଙ୍କ କଥାଟି ଏଇ ସମର୍ଥକ ଏବଂ କର୍ମୀମାନଙ୍କ ଭିତରେ ଏକ ଆବେଦନ ସୃଷ୍ଟି କରୁଛି । ଏନ୍‌.ସି.ପି ଦଳଟି ନିର୍ଦ୍ଦିଷ୍ଟଭାବେ ଅଧିକ ସୁବିଧା ଏଇ ପରିସ୍ଥିତିରୁ ପାଇଛି ଯେହେତୁ ସିମ୍ଭାଜୀ ରାଜେ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ଜଣକ ଏଇ ଦଳର ସାଂସଦ ଏବଂ ଜଣେ ତାରକା ପ୍ରଚାରକ । ମୂଳତଃ ପ୍ରତିଷ୍ଠିତ ନେତାମାନଙ୍କୁ ବହିଷ୍କାର କରିବାଦ୍ୱାରା ଶୀର୍ଷରେ ଥିବା ନେତୃତ୍ୱଙ୍କ ସହ ସିଧାସଳଖ ସମ୍ପର୍କ ରଖିବାପାଇଁ ସହଯୋଗର ଭିତ୍ତିଟି ଶୃଙ୍ଖଳାମୁକ୍ତ ହୋଇଯାଇଛି ଏବଂ ଏହାର ପ୍ରତିଫଳନ ପାୱାରଙ୍କର ସମାବେଶଗୁଡ଼ିକରେ ଦେଖିବାକୁ ମିଳୁଛି, ଯେଉଁଠି ଉଲ୍ଲେଖନୀୟ ସଂଖ୍ୟାର ଯୁବକ ମାନେ ଅଶଂଗ୍ରହଣ କରୁଛନ୍ତି ।

ଆଉ ଟିକେ ଗଭୀରତା ଭିତରକୁ ଗଲେ ଜଣାପଡ଼େ ଯେ, ଗ୍ରାମାଞ୍ଚଳର ଯୁବକମାନଙ୍କ ଭିତରେ ଏଭଳି ପ୍ରତିକ୍ରିୟା ଆସିଛି ଯେଉଁମାନେ ଅନୁଭବ କରୁଛନ୍ତି ଯେ, ମରାଠା  ଗୋଷ୍ଠୀ ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ଭାବେ ଏକଘରିକିଆ ହୋଇଯାଇଛି: ଏଇ ଏକଘରିକିଆ ହେବାର ପରିମାଣଟି ଭୋଗୁଛନ୍ତି ମରାଠା ଗୋଷ୍ଠୀଭିତରେ ଥିବା କ୍ଷୁଦ୍ରଚାଷୀ ଏବଂ ହାତପାଇଟି କରୁଥିବା ଏକ ବିରାଟବର୍ଗ । ଆଧୁନିକ ମହାରାଷ୍ଟ୍ରର ଇତିହାସରେ ଏଇ ଗୋଷ୍ଠୀର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଯାତ୍ରା ପଥଟି ରାଜ୍ୟର ଜନଜୀବନର ଗତିଟିକୁ ପ୍ରଭାବିତ କରି ଆସିଛି । ସଂଖ୍ୟା ଦୃଷ୍ଟିରୁ ଏକ ବୃହତ ଗୋଷ୍ଠି ହୋଇଥିବା ଯୋଗୁଁ ଉଦାର ଗଣତାନ୍ତ୍ରିକ ଅନୁଷ୍ଠାନଗତ ଢ଼ାଞ୍ଚାଗୁଡ଼ିକୁ ଆଗକୁ ନେବାପାଇଁ ଏହା ମଧ୍ୟ ଏକ ବୃହତ ଭିତ୍ତିଭୂମି ଯୋଗାଇଥିଲା । ଯଦିଓ ଏହିଭଳି ଅଲଗା ରହିବା ପ୍ରକ୍ରିୟାଟି ଗତ ପାଞ୍ଚବର୍ଷ ଭିତରେ ଆରମ୍ଭ ହୋଇନାହିଁ, ତେବେ କୃଷକ ଜାତିର କିଛି ବର୍ଗଙ୍କୁ ଉଲ୍ଲେନୀୟ ଭାବେ କ୍ଷମତାହୀନ କରିବାପାଇଁ ଶାସକଦଳର ବ୍ୟବସ୍ଥିତ ଉଦ୍ୟମ ଗୁଡ଼ିକ ସହ ଏହା ସମ୍ପୃକ୍ତ । ଏହି ଉଦ୍ୟମ ଗୁଡ଼ିକ ଯେଉଁଥିରେ ପରିପ୍ରକାଶ ହୋଇଛି ସେଗୁଡ଼ିକ ହେଲା କୃଷକ ମାନଙ୍କୁ ସର୍ବନିମ୍ନ ସହାୟକ ଦର ନିଶ୍ଚିତ କରାଇବା କ୍ଷେତ୍ରରେ ଅନାଗ୍ରହ, ସମବାୟିକ ସଂସ୍ଥାଗୁଡ଼ିକୁ ହଇରାଣ ହରକତ କରିବା, କୃଷକ ସମ୍ପ୍ରଦାୟ ବାହାରେ ଥିବା ଉଚ୍ଚ ଜାତିର ନେତାମାନଙ୍କୁ ପ୍ରାଧାନ୍ୟ ଦେବା (ଯେଉଁ ଭିତରେ ଅଛନ୍ତି ମହାରାଷ୍ଟ୍ର, ହରିଆନ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀମାନେ) ଇତ୍ୟାଦି ।  ତେଣୁକରି ମାହାରାଷ୍ଟ୍ର ରାଜନୀତିରେ ମରାଠା ଗୋଷ୍ଠୀ କେନ୍ଦ୍ରରେ ରହୁଛନ୍ତି ଅବା ସେମାନଙ୍କର ପ୍ରାସଙ୍ଗୀକତା ରହୁଛି କି ନାହିଁ ଏହି କଥାଟି ଏହି ନିର୍ବାଚନରେ ପରିକ୍ଷିତ ହେବ । ବର୍ତ୍ତମାନ ବି ଯେଉଁ ଅଶାନ୍ତି ଲାଗିରହିଛି ଯାହାକି ପ୍ରତିଷ୍ଠିତ ସ୍ଥାନୀୟ ନେତୃବର୍ଗଙ୍କ ବିରୁଦ୍ଧରେ ଯାଉଛି ତାହା ବିରୋଧୀଙ୍କୁ ସୁଦୃଢ଼ କରିବ ଯଦି ନୂତନ ନେତୃତ୍ୱକୁ ପ୍ରୋତ୍ସାହିତ କରାଯିବ ଓ ସେମାନଙ୍କ ଭିତରେ ପ୍ରଗତିଶୀଳ ଚିନ୍ତା ଭିର୍ତ୍ତି କରାଯିବ । ବିରୋଧୀଙ୍କ ଜୟଯାତ୍ରାରେ ଯେଉଁ ନୂଆ ପବନ ବୋହୁଛି ତାହା ଭୋଟରେ ରୂପାନ୍ତରିତ ହେଉଛି କି ନାହିଁ ତାହା ଅନୁମାନ କରିବା ବିପଦପୂର୍ଣ୍ଣ କିନ୍ତୁ ଘଟଣାଗୁଡ଼ିକରୁ ଦୁଇଟି ବୃହତ ବାର୍ତ୍ତା ଆସୁଛି । ଗୋଟିଏ ହେଉଛି ଯେ, ପ୍ରତିକୂଳ ସମୟରେ ମଧ୍ୟ ନିଜର ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ଜନଗଣଙ୍କ ପାଖକୁ ଯିବା ଏବଂ ସେମାନଙ୍କ ସହିତ ସିଧାସଳଖ ସମ୍ପର୍କ ରଖିବାର ପ୍ରମୁଖତା । ଏବଂ ଦ୍ୱିତୀୟଟି ହେଉଛି ଏଇ କାମଟିକୁ ସାହସର ସହିତ କରିବାକୁ ହେଲେ ସାଧାରଣ କର୍ମୀ ଏବଂ ସମର୍ଥକମାନଙ୍କ ଭିତରୁ ନୂତନ ନେତୃତ୍ୱ ତିଆରି କରିବାକୁ ପଡ଼ିବ । କିନ୍ତୁ ବିରୋଧୀମାନେ ଏହି ସୁଯୋଗଟିକୁ ଉପଯୋଗ କରିବାପାଇଁ ଦ୍ୱିତୀୟ ବାର୍ତ୍ତାଟିକୁ କେମିତି ଗ୍ରହଣ କରୁଛନ୍ତି ତତ୍କାଳିକ ନିର୍ବାଚନୀ ଲାଭ ନ ହେଲେ ବି ତାହା ସେମାନଙ୍କର ପ୍ରାସଙ୍ଗିକତାକୁ ନିର୍ଦ୍ଧାରିତ କରିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top