ISSN (Print) - 0012-9976 | ISSN (Online) - 2349-8846

ଦୀପ ତଳ ଅନ୍ଧାର

ପଦାରେ ଝାଡ଼ା ଫେରୁଥିବା ଦୁଇଜଣ ଦଳିତ ଶିଶୁଙ୍କୁ ହତ୍ୟା କରିବା ଘଟଣାଟି ଜାତିଭିତ୍ତିକ ମାନସିକତାକୁ ପଦାରେ ପକାଇଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅକ୍ଟୋବର୨, ୨୦୧୪ ଦିନ ସ୍ୱଚ୍ଛ ଭାରତ ଅଭିଯାନର ଉଦ୍‌ଘାଟନ କରାଯାଇଥିଲା । ପ୍ରାଥମିକ ଉଦ୍ଦେଶ୍ୟ ଥିଲା ଯେ, ଅକ୍ଟୋବର ୨,୨୦୧୯ ସୁଦ୍ଧା ସମଗ୍ର ଦେଶରେ ଖୋଲାରେ ମଳତ୍ୟାଗ କରୁଥିବା ଦୃଷ୍ଟାନ୍ତଗୁଡ଼ିକର ସମ୍ପୂର୍ଣ୍ଣ ସମାପ୍ତି ଘଟିବ । ବିଡ଼ମ୍ବନାର କଥାଯେ, ଅହିଂସାର ସବୁଠୁ ବଡ଼ ପ୍ରବକ୍ତାଙ୍କର ଜନ୍ମବାର୍ଷିକିରେ ଆରମ୍ଭ ହୋଇଥିବା ଏହି ଅଭିଯାନଟିରେ ହିଂସାତ୍ମକ ଆଚରଣ ଦେଖିବାକୁ ମିଳୁଛି । ବିଭିନ୍ନ କାରଣରୁ ଏବଂ ଉଦ୍ଦେଶ୍ୟ ରଖି ଯେଉଁମାନେ ଖୋଲାରେ ମଳତ୍ୟାଗ ଅଭ୍ୟାସକୁ ବିରୋଧ କରି ଆସୁଛନ୍ତି, ସେମାନେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିବା ଏବଂ ଏମିତିକି ହତ୍ୟା କରିବା ଘଟଣାର ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ଭାବଖେଡ଼ି ଗାଁର ବାଲ୍ମିକି ଜାତିର ଗୋଟିଏ ଦଶବର୍ଷର ଏବଂ ଆଉଜଣେ ବାର ବର୍ଷର ଶିଶୁ ଖୋଲାରେ ମଳତ୍ୟାଗ କରୁଥିବା ବେଳେ ଏହି ବିରୋଧୀମାନଙ୍କର ଶିକାର ହୋଇଛନ୍ତି। ସେପ୍ଟେମ୍ବର ୨୫,୨୦୧୯ ଦିନ ଯେତେବେଳେ ଏହି ଦୁଇ ଜଣ ଶିଶୁଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ୍ ଏବଂ ମିଲିନ୍ଦା ଗେଟସ୍ ଫାଉଣ୍ଡେସନ ତରଫରୁ ନିଉୟର୍କ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରଷ୍କାର ଗ୍ରହଣ କରୁଥିଲେ । ଅଗଷ୍ଟ ୨୦୧୮ର ଘଟଣାଟି ଯାହା ଗଣମାଧ୍ୟମ ଆମକୁ ଜଣାଇଥିଲା ଏଠି ସ୍ମରଣ କରାଯାଇପାରେ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ସ୍ୱଚ୍ଛଭାରତ ଅଭିଯାନରେ ସମ୍ପୃକ୍ତ ଥିବା ପୌର କର୍ମଚାରୀମାନେ ଯେତେବେଳେ ଖୋଲାରେ ମଳତ୍ୟାଗ କରୁଥିବା ମହିଳାମାନଙ୍କର ଫଟୋ ଉତ୍ତୋଳନ କରୁଥିଲେ ସେତେବେଳେ ଜାଫର ହୁସେନ ନାମକ ଜଣେ ବ୍ୟକ୍ତି ତାହାର ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ପାଇଁ ସମ୍ପୃକ୍ତ କର୍ମଚାରୀମାନଙ୍କ ହାତରେ ତାଙ୍କର ଜୀବନ ଗଲା । ତାହାର ପୂର୍ବରୁ ଜାନୁଆରି ୨୦୧୮ରେ ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାର କଟ୍‌ଘାଟ ଗାଁ’ର ସେଭଳି କିଛି ଦୃଶ୍ୟ ଟିଭି ଚ୍ୟାନେଲମାନଙ୍କରେ ଦେଖିବାକୁ ମିଳିଥିଲା । ଦେଖାଯାଉଥିଲା ଯେ, ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ କିଛି ଲୋକ ମାଡ଼ ମାରୁଛନ୍ତି ।

ଭାବଖେଡ଼ି ଗାଁରେ ଶିଶୁମାନଙ୍କ ହତ୍ୟାର ଦୁଇଦିନ ପରେ କେନ୍ଦ୍ର ସରକାର ଏକ ପରାମର୍ଶ ଦେଇ ପ୍ରକାଶ କଲେ ଯେ, ଖୋଲାରେ ମଳତ୍ୟାଗ ଘଟଣାରୁ କୌଣସି ଅଞ୍ଚଳକୁ ମୁକ୍ତ କରିବାକୁ ଯାଇ ଯେମିତି ବଳ ପ୍ରୟୋଗ କରାନ ଯିବ । କିନ୍ତୁ ଏହି ପରାମର୍ଶରେ ଯାହା କୁହାଯାଇଛି ତାକୁ ଦେଶର କୌଣସି ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନରେ ଲିପ୍ତ ଥିବା କର୍ମଚାରୀମାନେ ପାଳନ କରୁନାହାନ୍ତି । ଯେହେତୁ ସେମାନଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି, ଯାହା ସର୍ଭେ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ୁଛି ଯେ, ଯେଉଁଠି ପାଇଖାନା ଆଦୌ ନାହିଁ ବା ଯଥେଷ୍ଟ କମ୍ ଅଛି ସେମାନେ ସମ୍ପୃକ୍ତ ସହର ବା ରାଜ୍ୟର ଅଞ୍ଚଳଗୁଡ଼ିକରେ ତରବରିଆ ଭାବେ ପାଇଖାନା ତିଆରି କରି ତାହା ଖୋଲା ମଳତ୍ୟାଗରୁ ମୁକ୍ତ ହେଲା ବୋଲି ଘୋଷଣା କରୁଛନ୍ତି । କିନ୍ତୁ ଏମିତିକି ଖୋଲା ମଳତ୍ୟାଗରୁ ୨ ବର୍ଷ ତଳୁ ମୁକ୍ତ ହୋଇଛି ବୋଲି ଘୋଷଣା କରାଯାଇଥିବା ମୁମ୍ବାଇ ସହରରେ ଏଭଳି ଏକ ଅଭ୍ୟାସ ଏବେ ବି ଦରିଦ୍ରତମ ବସ୍ତି ଅଞ୍ଚଳ ଏବଂ ଦେଶର ଏହି ଆର୍ଥିକ ରାଜଧାନୀର ସମୁଦ୍ର କୂଳରେ ଜାରି ରହିଛି ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ୁଛି । କାରଣଗୁଡ଼ିକ କ’ଣ ଜାଣିବା କଷ୍ଟକର ନୁହଁ : ଯଥେଷ୍ଟ ପାଇଖାନାର ଅଭାବ, ପ୍ରବାହିତ ଜଳର ଅଭାବ ଏବଂ ଯେଉଁଠି ବି ଅଛି ସେଠି ବିଦ୍ୟୁତ ଯୋଗାଣର ଅଭାବ ଏବଂ ଯାହାବି ସୁବିଧା ଅଛି ଶିଶୁମାନେ ତାକୁ ବ୍ୟବହାର କରିବା କ୍ଷେତ୍ରରେ ସକ୍ଷମତାର ଅଭାବ ଇତ୍ୟାଦି ।

ଯେତେବେଳେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ଯେନତେନ ପ୍ରକାରେ ହାସଲ କରିବାଟା ଅଧିକାଂଶ ସମାଜ ମଙ୍ଗଳ କାର୍ଯ୍ୟକ୍ରମଗୁଡ଼ିକରେ କରାଯାଉଛି, ସେତେବେଳେ ମୂଳଲକ୍ଷ୍ୟଟି ପଛକୁ ଚାଲିଯାଇଥିବାର ସତ୍ୟତା ମଧ୍ୟ ଦେଖିବାକୁ ମିଳୁଛି । ସ୍ୱଚ୍ଛଭାରତ ଅଭିଯାନ ଆବଶ୍ୟକ କରେ ବଳପ୍ରୟୋଗ ନୁହଁ ବରଂ ସଚେତନତା ବୃଦ୍ଧି କରିବା, ଦ୍ୱିଧାରେ ଥିବା ଲୋକମାନଙ୍କୁ ବୁଝାଶୁଝା କରିବା, ଲକ୍ଷ୍ୟ ହାସଲ ପାଇଁ ସ୍ପଷ୍ଟ ତଥ୍ୟ ପ୍ରଦାନ କରିବା ଏବଂ ନାଗରିକମାନଙ୍କର ମତାମତକୁ ନେଇ କାମ କରିବା ଇତ୍ୟାଦି । ଏହି କ୍ଷେତ୍ରରେ ସ୍ୱାସ୍ଥ୍ୟ ଏବଂ ପରିମଳ ପ୍ରସଙ୍ଗଗୁଡ଼ିକ ମୂଳ ଲକ୍ଷ୍ୟରେ ରହିବ । କିନ୍ତୁ ଯାହା ରିପୋର୍ଟ ଆସୁଛି (ପୋଲିସ୍ ଏବଂ ଗଣମାଧ୍ୟମ ପାଖରେ ଅନେକ କଥା ବି ପହଞ୍ଚି ପାରୁନାହିଁ) ହିଂସାତ୍ମକ ଘଟଣାଗୁଡ଼ିକରେ ଏବଂ ମୌଳିକ ନାଗରିକ ସୁବିଧାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଦେଖାଯାଉଛି ଯେ, କେବଳ ସ୍ୱାସ୍ଥ୍ୟ ଓ ପରିମଳକୁ ନିଶ୍ଚିତ କରିବାର ଆଗ୍ରହ ରଖି ହିଂସା ଭିଆଉଥିବା ଲୋକମାନେ ଏପରି କରୁନାହାନ୍ତି ।

ରକ୍ତ ପିପାସୁମାନେ ବାଡ଼େଇ ବାଡ଼େଇ ପିଲା ଦୁଇଟିକୁ ଯେଭଳି ହତ୍ୟା କଲେ ତାହା ଜାତିବାଦର ଘୃଣ୍ୟ ଦୃଶ୍ୟପଟ୍ଟକୁ ଉନ୍ମୋଚିତ କରୁଛି । ଇଜା ଇନଷ୍ଟିଚ୍ୟୁଟ ଅଫ୍ ଲେବର ଇକୋନିମିକ୍ସ ତରଫରୁ ଗୋଟିଏ ରିପୋର୍ଟ ପ୍ରକାଶ ପାଇଥିଲା ଯାହାର ଶୀର୍ଷକ ଥିଲା, “ଉତ୍ତର ଭାରତର ଗ୍ରାମାଞ୍ଚଳରେ ମୁକ୍ତରେ ମଳତ୍ୟାଗ କରିବା କ୍ଷେତ୍ରରେ ପରିବର୍ତ୍ତନ : ୨୦୧୪-୨୦୧୮” ।  ଏଥିରେ କୁହାଯାଇଛି ଯେ, ସ୍ୱଚ୍ଛଭାରତ ଅଭିଯାନର ସବୁ ସ୍ତରରେ ସମ୍ପୃକ୍ତ ଥିବା କର୍ମଚାରୀମାନଙ୍କ ପାଖରୁ ଅନ୍ୟାନ୍ୟ ସାମାଜିକ ବର୍ଗଙ୍କ ତୁଳନାରେ ବେଶୀ ବଳ ପ୍ରୟୋଗର ସାମ୍ନା କରୁଛନ୍ତି ଅନୁସୂଚିତ ଜାତି ଓ ଜନଜାତିର ପରିବାରମାନେ । ସେମାନଙ୍କୁ ଅର୍ଥଦଣ୍ଡ ଦେବା, ସାଧାରଣ ସୁବିଧାରୁ ବଞ୍ôଚତ କରାଇବା ଏବଂ ଏମିତିକି ପୁଲିସ ସେମାନଙ୍କୁ ଅଟକାଇବା ଘଟଣାସବୁ ଦେଖିବାକୁ ମିଳୁଛି । ଶିବପୁରିରେ ହୋଇଥିବା ଗଣମାଧ୍ୟମର ଅନୁସନ୍ଧାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବାଲ୍ମିକି ଗ୍ରାମବାସୀମାନଙ୍କ ଭିତରୁ କିଛିବ୍ୟକ୍ତି ଉଚ୍ଚଜାତିର ଓ ଅନ୍ୟାନ୍ୟ ପଛୁଆ ବର୍ଗଲୋକମାନଙ୍କର ପାଇଖାନା ମଧ୍ୟ ସଫା କରନ୍ତି । ପାଇଖାନାର ମାଲିକମାନଙ୍କ ଭିତରେ ଅଛନ୍ତି ଦୁଇଟି ପିଲାର ହାତ୍ୟାକରୀମାନେ ମଧ୍ୟ । ମୂଳ କଥାଟି ହେଲା ଯେ, ଏହି ଶିଶୁ ଦୁଇଟିଙ୍କ ପରିବାର ସରକାରୀ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଆବେଦନ କରିଥିବା ସତ୍ୱେ ଏମାନଙ୍କୁ ଅର୍ଥ ଯୋଗାଇ ଦିଆଯାଇ ନଥିଲା । ଏହି ହତ୍ୟା ଏବଂ ଯେଉଁଭଳି ଭାବେ ହତ୍ୟାକାଣ୍ଡ ଘଟିଲା ତାହା ଭାରତର ଗ୍ରାମାଞ୍ଚଳରେ ନିମ୍ନଜାତିର ଲୋକମାନଙ୍କୁ କିଭଳି ଅମାନବିକ ଦୃଷ୍ଟିକୋଣରୁ ଦେଖାଯାଉଛି ଏବଂ ସାମାଜିକ ସ୍ତରରେ ସେମାନଙ୍କୁ ପାଖରୁ କେଉଁଭଳି ନିଷ୍ଠୁର ଭାବେ ଜାତିଭିତ୍ତିକ ଆଶା ରଖାଯାଉଛି ତାକୁ ଇଙ୍ଗିତ କରୁଛି । ଏକଥା ମଧ୍ୟ ଦେଖିବାକୁ ମିଳୁଛି ଯେ, ଦଳିତମାନେ ବସବାସ କରୁଥିବା ସ୍ଥାନଗୁଡ଼ିକରେ ଅନ୍ୟ ସାମାଜିକ ବର୍ଗର ଲୋକମାନେ ମଳତ୍ୟାଗ କରୁଛନ୍ତି । ଯେତେବେଳେ ଦୁଇଟି ଶିଶୁ ଅଣଦଳିତ ଅଞ୍ଚଳରେ ଯାଇ ଅକସ୍ମାତ ଝାଡ଼ା ଫେରିଦେଲେ ସେତେବେଳେ ସେମାନଙ୍କୁ ଚେତାବନୀ ଦେଇ ସେମାନେ ଘଉଡାଇ ଦେଇ ପାରିଥାନ୍ତେ, କିନ୍ତୁ ସେମାନେ ଶିଶୁ ଦୁଇଟିଙ୍କୁ ଜୀବନରୁ ମାରିଦେଲେ ।

ଗତ ପାଞ୍ଚବର୍ଷ ଭିତରେ ପର୍ଯ୍ୟବେକ୍ଷକ ଓ ସାମାଜିକ କର୍ମୀମାନେ ତୁହାକୁ ତୁହା କହି ଆସିଛନ୍ତି ଯେ, ଜାତି ଏବଂ ପରିମଳ ସହ ଯେଉଁ  କୁବିଶ୍ୱାସ ଏବଂ କୁଧାରଣା ଗୁଡ଼ିକ ରହିଆସିଛି ତାକୁ ଯଦି ଭାଙ୍ଗିଦିଆ ନଯାଏ ତେବେ ସ୍ୱଚ୍ଛ ଭାରତ ଅଭିଯାନ ସଫଳ ହୋଇପାରିବ ନାହିଁ ।

ପଡ଼ୋଶୀ ଦେଶମାନଙ୍କର ଉଦାହରଣରୁ ବା ସୁଦୂର ଆଫ୍ରିକା ଯେଉଁଠି ଯେଉଁଠି ଖୋଲାରେ ମଳତ୍ୟାଗ ଘଟଣାଗୁଡ଼ିକର ଅନ୍ତଃ ଅଣାଯିବା ପାଇଁ ଅଭିଯାନ ସରକାରମାନେ ହାତକୁ ନେଇଛନ୍ତି, ସେଥିରୁ ମିଳୁଥିବା ଶିକ୍ଷାଗୁଡ଼ିକ ସର୍ବସାଧାରଣଙ୍କ ଗୋଚରରେ ଅଛି । ଦେଶବ୍ୟାପୀ ଅବିଶ୍ରାନ୍ତ ସଚେତନତା ସୃଷ୍ଟି ଅଭିଯାନ, ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ଉପରସ୍ତରରେ ଥିବା କର୍ତ୍ତୃପକ୍ଷଙ୍କ ଭିତରେ ବଳିଷ୍ଠ ସମନ୍ୱୟ ଏବଂ ପାଇଖାନା ନିର୍ମାଣରେ ସମ୍ପୃକ୍ତ ଗୋଷ୍ଠୀମାନଙ୍କରେ କେବଳ ସମ୍ପୃକ୍ତି ଉପରେ ଗୁରୁତ୍ୱ ନୁହଁ ବରଂ ଏକ ଉତ୍ତମ ବର୍ଜ୍ୟ ଜଳ ନିଷ୍କାସନ ବ୍ୟବସ୍ଥା ଇତ୍ୟାଦି ବନ୍ଦୋବସ୍ତ କରିବାର ଆବଶ୍ୟକତା ଅଛି । ଭାରତରେ ଜାତିଭିତ୍ତିକ ‘ସ୍ୱଚ୍ଛତା’ ଓ ‘ପ୍ରଦୂଷଣ’କୁ ଅସଲ ଲକ୍ଷ୍ୟରେ ରଖିବାକୁ ପଡ଼ିବ ଯେହେତୁ ସେ ସବୁର ପରିମଳ ଏବଂ ପରିମଳ ସୁବିଧାଗୁଡ଼ିକୁ ବ୍ୟବସ୍ଥିତ କରିବା ସହିତ ବଳିଷ୍ଠ ସମ୍ପର୍କ ରହିଛି । ଖୋଲାରେ ମଳତ୍ୟାଗ କରିବାରୁ ମୁକ୍ତ ହେବାର ସ୍ଥିତିଟି ଏହି ସବୁର ପରିଣାମ ହିସାବରେ ଆସିବା ଉଚିତ୍ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top