ISSN (Print) - 0012-9976 | ISSN (Online) - 2349-8846

କୋଇଲା ଖଣିରେ ବିଦେଶୀ ପୁଞ୍ଜି ନିବେଶ

ବ୍ୟବସାୟୀକ ଉଦ୍ଦେଶ୍ୟରେ କୋଇଲା ଖଣି ଖନନ ପାଇଁ ୧୦୦% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ନିମନ୍ତେ ଅନୁମତି ପ୍ରଦାନ କରିବା ଦ୍ୱାରା ଉଭୟ ଉତ୍ପାଦନ ଓ ପରିବେଶୀୟ ସଂକଟ ବଢ଼ିପାରେ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏବେ ସରକାରଙ୍କର ସଂସ୍କାର ନୀତିଯୋଗୁଁ କୋଇଲା ବିକ୍ରି ଏବଂ ଖଣିଜ କାରବାର, ଯେଉଁଥିରେ ମଧ୍ୟ ରହିଛି କୋଇଲା ଖଣି (ସ୍ୱତନ୍ତ୍ର ପ୍ରାବଧାନ) ନିୟମ ୨୦୧୫ ଏବଂ ବିଭିନ୍ନ ସମୟରେ ସଂଶୋଧିତ ହୋଇଥିବା ୧୯୫୭ ମସିହାର MMDR ACT (ଖଣି ଏବଂ ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ନିୟନ୍ତ୍ରଣ) ଅନୁଯାୟୀ ଅନୁସଙ୍ଗିକ ପ୍ରକ୍ରିୟାକରଣର ଭିତ୍ତିଭୂମି ନିର୍ମାଣ, ଏସବୁ ନିମନ୍ତେ ଆପଣାଛାଏଁ ସିଧାସଳଖ ବୈଦେଶିକ ପୁଞ୍ଜି ନିବେଶ କରାଯାଇ ପାରିବ । ପୂର୍ବରୁଥିବା ନୀତି ଅନୁଯାୟୀ ଏଇ ଅନୁମତି କେବଳ ସେଇମାନଙ୍କୁ ଦିଆଯାଉଥିଲା ଯେଉଁମାନଙ୍କର ନିଜସ୍ୱ ଶିଳ୍ପ ଉତ୍ପାଦନ ପାଇଁ ଶକ୍ତିର ଆବଶ୍ୟକତା ରହୁଥିଲା । ବିଶେଷ ଭାବରେ ଶକ୍ତି, ଇସ୍ପାତ ଓ ସିମେଣ୍ଟ କ୍ଷେତ୍ରରେ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଓ ଲିଗ୍ନାଇଟ୍ ଖଣିଜ ଉତ୍ପାଦନ ନିମନ୍ତେ ସ୍ୱଂୟସମ୍ପୂର୍ଣ୍ଣ ରାସ୍ତା ଦେଇ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ନିମନ୍ତେ ଅନୁମତି ଦିଆଯାଉଥିଲା ।

ପୁନଶ୍ଚ କୋଇଲା ପ୍ରସାଧନ ନିମନ୍ତେ ଅନୁରୂପ ବନ୍ଦୋବସ୍ତଟିଏ କରାଗଲା । କିନ୍ତୁ ଧୁଆଯାଉଥିବା କୋଇଲା ଗୁଡ଼ିକୁ କେବଳ ସେମାନଙ୍କୁ ଦିଆଯାଇଥିଲା ଯେଉଁମାନେ କଞ୍ଚା କୋଇଲାକୁ ସଫା କରିବା ପାଇଁ କୋଇଲା ଯୋଗାଉଥିଲେ, ଯାହାକି ମୁକ୍ତ ବଜାରରେ ବିକ୍ରି କରାଯାଉ ନଥିଲା । ଏବେ ପରିବର୍ତ୍ତିତ ନୀତି ଯୋଗୁଁ ବିଦେଶୀ କମ୍ପାନୀମାନେ ବାଣିଜ୍ୟଗତ ଉଦ୍ଦେଶ୍ୟରଖି କୋଇଲା ଉତ୍ପାଦନ କରି ମୁକ୍ତ ବଜାରରେ ବିକ୍ରି କରିପାରିବେ ଏବଂ ସେଭଳି କାର୍ଯ୍ୟ କରିବା ପାଇଁ ଯେଉଁ ଆନୁସାଙ୍ଗିକ ଭିତ୍ତିଭୂମି ଦରକାର ଯଥା କଞ୍ଚା କୋଇଲାକୁ ଖଣ୍ଡଖଣ୍ଡ କରିବା ପାଇଁ ପ୍ରକଳ୍ପ, କୋଇଲା ପରିବହନ ତଥା ପୃଥକୀକରଣ ନିମନ୍ତେ ଯେଉଁ ଖର୍ଚ୍ଚ କରିବା ଦରକାର, ତାକୁ ମଧ୍ୟ ସେମାନେ କରିବେ।

ଅନେକଗୁଡ଼ିଏ କାରଣ ଯୋଗୁଁ କୋଇଲା ଖଣିଜ ଶିଳ୍ପକୁ ନିର୍ଦ୍ଧାରିତ କରିବା ପାଇଁ ଆସିଥିବା ନୂତନ ନୀତି ଅନେକ ଗୁରୁତ୍ୱ ବହନ କରେ । ପ୍ରଥମଟି ହେଲା ୨୮.୦୬ କୋଟି ଟନର, ବିଶ୍ୱର ସବୁଠାରୁ ବଡ଼ କୋଇଲା ଭଣ୍ଡାରଟି ଭାରତରେ ଅଛି । ବିଶ୍ୱର ଦ୍ୱୀତିୟ ବୃହତ୍ କୋଇଲା ଖଣିଜ ଉତ୍ପାଦନ ଭାରତରେ ମଧ୍ୟ ହେଉଛି । ସେ ଦୃଷ୍ଟିରୁ ପ୍ରାଥମିକ ଉର୍ଜାର ବିଶାଳତମ ବ୍ୟବସାୟୀକ ଆଧାର କୋଇଲାରୁ ଆସୁଥିବା ଯୋଗୁଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ । କୋଇଲାକୁ ଏକ ପ୍ରମୁଖ କଞ୍ଚାମାଲ ହିସାବରେ ତାପଜ ପ୍ରକଳ୍ପ ଓ ଧାତୁ ଏବଂ ସିମେଣ୍ଟ ଶିଳ୍ପରେ ମୁଖ୍ୟତଃ ବ୍ୟବହାର କରାଯାଇଥାଏ । ତେଣୁ କରି ସାଧାରଣତଃ ଅର୍ଥନୀତିର ଅଭିବୃଦ୍ଧି ପାଇଁ କୋଇଲା ଶିଳ୍ପର ଏକ ପ୍ରମୁଖ ଭୂମିକା ଥାଏ ।

ଦ୍ୱିତୀୟରେ କୋଲ୍ ଇଣ୍ଡିଆ ଲିମିଟେଡ଼ କମ୍ପାନୀ ଦ୍ୱାରା ଶକ୍ତିର ବର୍ଦ୍ଧିତ ଚାହିଦା ପୂରଣ କରିବା ତଥା ନିଜ ଉତ୍ପାଦନ ଲକ୍ଷ୍ୟକୁ ହାସଲ କରିବା କ୍ଷେତ୍ରରେ ଆବଶ୍ୟକୀୟ କୋଇଲା ଉତ୍ପାଦନ କରାଯାଇ ନ ପାରିବା ଯୋଗୁଁ ଭାରତ କୋଇଲା ଆମଦାନୀ କରି ଆସିଛି । ଯଥେଷ୍ଟ ପରିମାଣର କୋଇଲା ଯୋଗାଯାଇ ପାରୁ ନଥିବା ହେତୁ ନିଜ ଦକ୍ଷତାର କମ୍ ସ୍ତରରେ ରହି ଶକ୍ତି ପ୍ରକାଳ୍ପଗୁଡ଼ିକ ଉତ୍ପାଦନ କରୁଛନ୍ତି । ତେଣୁ ଆବଶ୍ୟକତା ପୂରଣ ପାଇଁ ବାହାରୁ ଆମଦାନୀ କରିବା ଜରୁରୀ ହୋଇପଡ଼ିଛି । ଘରୋଇ କୋଇଲାର ଦର ତୁଳନାରେ ଅଧିକ ମୂଲ୍ୟରେ କୋଇଲା ଆମଦାନୀ କରାଯାଉଛି । ୨୦୧୮-୧୯ରେ ଭାରତ ୨୩୫ ନିୟୁତ ଟନ କୋଇଲା ଆମଦାନୀ କରିଥିଲା । ପ୍ରାୟ ୮୦୦ କୋଟି ଡଲାର ଖର୍ଚ୍ଚ କରି ଅଣ ଉପକୂଳ ଅଞ୍ଚଳରେ ପ୍ରତିଷ୍ଠିତ ତାପଜ ପ୍ରକଳ୍ପ ଗୁଡ଼ିକ ପାଇଁ ୧୨୫ କୋଟି ନିୟୁତନ ଟନ କୋଇଲା ଆମଦାନୀ କରାଯାଇଥିଲା । ଆମଦାନୀ ବଢ଼ିବା ଓ ଏଥିପାଇଁ ଅଧିକ ଖର୍ଚ୍ଚ ବହନ କରାଯାଉଥିବା ଯୋଗୁଁ ଆମର ହିସାବ ଖାତାଟିକୁ ନିଅଣ୍ଟିଆ କରିବା କ୍ଷେତ୍ରରେ ଏହାର ଏକ ଗଭୀର ପ୍ରଭାବ ରହିଆସିଛି । ନୀତିର ଉଦାରୀକରଣ କରି ବିଦେଶୀ କୋଇଲା ଖଣି କମ୍ପାନୀମାନଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦେବାଦ୍ୱାରା ଘରୋଇ ଉତ୍ପାଦନ ବୃଦ୍ଧି ପାଇବାର ଆଶା କରାଯାଉଛି । ଏଭଳି ଏକ କଥା ଧରି ନିଆଯାଉଛି ଯେ, ସେମାନଙ୍କ ଦ୍ୱାରା ଖଣିଜ ଉତ୍ତୋଳନ ପାଇଁ ନୂତନ ଏବଂ ଦକ୍ଷ ପ୍ରଯୁକ୍ତିବିଦ୍ୟା ତଥା ପଦ୍ଧତିମଧ୍ୟ ଆସିବ, ବିଶେଷ କରି ଭୂତଳ ଖଣିଜ ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଖଣି ଉତ୍ତୋଳନକାରୀମାନେ ଯେଉଁ ଉଚ୍ଚଧରଣର ପ୍ରଯୁକ୍ତ ବିଦ୍ୟାର ବ୍ୟବହାର କରିଥାନ୍ତି ତାହାର ପ୍ରୟୋଗ କରିବା ଫଳରେ ଖଣିଜ ଉତ୍ତୋଳନର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ।

ତୃତୀୟରେ ପ୍ରତିଯୋଗୀତା ପାଇଁ ମଧ୍ୟ କୋଇଲା କ୍ଷେତ୍ରରେ ବାଟ ଖୋଲିବ ଯାହାକି ବର୍ତ୍ତମାନ ସୁଦ୍ଧା କୋଲ ଇଣ୍ଡିଆ ଲିମିଟେଡ଼ ଭଳି ସରକାରୀ କମ୍ପାନୀର ଏକ•ଟିଆ କାରବାର ହୋଇଆସିଛି । ଆମ ଦେଶରେ କେବଳ ଏହି କୋଲ ଇଣ୍ଡିଆ କମ୍ପାନୀ ହିଁ କୋଇଲା ଉତ୍ପାଦନ ଓ ବିକ୍ରି କରିପାରୁଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି କମ୍ପାନୀ ସହିତ ଘରୋଇ ଏବଂ ସରକାରୀ କ୍ଷେତ୍ରରେ ନିଜସ୍ୱ ଖଣି ଥିବା କମ୍ପାନୀମାନେ ମଧ୍ୟ କୋଇଲା ଉତ୍ପାଦନ ପାଇଁ ଏବଂ ସେଥିରୁ ୨୫% କୋଇଲା ଖୋଲା ବଜାରରେ ବିକ୍ରି କରିବା ପାଇଁ ଅନୁମତି ଦିଆଯାଇଛି । ୭୦.୯୨ ଭାଗ ସରକାରୀ ଅଂଶଧନ ଥିବା କୋଲ ଇଣ୍ଡିଆ କମ୍ପାନୀ ୨୦୧୮-୧୯ ବର୍ଷରେ ଭାରତରେ କୋଇଲା ଉତ୍ପାଦନର ୮୩ ପ୍ରତିଶତ କୋଇଲା ନିଜେ ଉତ୍ପାଦନ କରିଥିଲା ଯାହା ଏକାକି ଶକ୍ତି କ୍ଷେତ୍ରରେ କୋଇଲାର ଚାହିଦାକୁ ୮୧ ପ୍ରତିଶତ ପୂରଣ କରିପାରିଥିଲା । ନିଜକୁ ପ୍ରତିଯୋଗିତାମୂଳକ କରିବାକୁ ହେଲେ ଏହି କମ୍ପାନୀ କମ୍ ଉତ୍ପାଦନ ସମସ୍ୟାକୁ ଅତିକ୍ରମ କରି ନିଜର ବଢ଼ି ଚାଲିଥିବା ଖର୍ଚ୍ଚକୁ ହ୍ରାସ କରିବାକୁ ପଡ଼ିବ ।

ଚତୁର୍ଥରେ ନୂତନ କୋଇଲା ଖଣି ନୀତି, କୋଇଲା ଖଣି ବଣ୍ଟନ, ପରିବେଶ ତଥା ଜଙ୍ଗଲ ଅନୁମତି, ଜମି ଅଧିଗ୍ରହଣ ଇତ୍ୟାଦି ଅନେକ ସମ୍ବନ୍ଧିତ ନୀତିଗୁଡ଼ିକର ଦୃଢ଼ ରୂପାୟନ ପାଇଁ ମଧ୍ୟ ଚାପ ପକାଇବ । ଏହା ଏଇଥିପାଇଁ କି ଯେ, ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ଧାରାଗୁଡ଼ିକର କେବଳ ପରିବର୍ତ୍ତନ କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯାଇ ପାରିବ ନାହିଁ । ବିଦେଶୀ କମ୍ପାନୀମାନଙ୍କର ପ୍ରବେଶ ଯୋଗୁଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନୁମତି ପ୍ରଦାନକାରୀ ପ୍ରକ୍ରିୟାଟିକୁ ତ୍ୱରାନ୍ୱିତ କରିବା ପାଇଁ ପଡ଼ିବ । ଯାହା ଫଳରେ ନିୟନ୍ତ୍ରଣ ଏବଂ ଅନୁମତି ପ୍ରଦାନ ସହିତ ଜଡ଼ିତ ଅନିଶ୍ଚିତତାର ହ୍ରାସ ଘଟି ଉତ୍ପାଦନ ପ୍ରତି ଉପୁଜୁଥିବା ବିପଦଟିକୁ ଏଡ଼େଇ ଦିଆଯାଇପାରିବ । ବିଦେଶୀ କମ୍ପାନୀମାନେ ସାଧାରଣତଃ ସେ ସବୁ କ୍ଷେତ୍ର ଠାରୁ ଦୂରରେ ରୁହନ୍ତି, ଯେଉଁଠି ନିୟାମକ ବିପଦଗୁଡ଼ିକ ଅଧିକ ଥାଏ ବିଶେଷ ଭାବରେ ଯେଉଁଠି ପ୍ରାକୃତିକ ସମ୍ବଳର ସମ୍ପୃକ୍ତି ଥାଏ । ଏହି ସବୁ ବିପଦ ଗୁଡ଼ିକ ଭିତରେ ଅଛି ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ଅନୁମତି ପାଇବା କ୍ଷେତ୍ରରେ ଥିବା ବିପଦ, ଯାହା ବିଦେଶୀ କମ୍ପାନୀମାନଙ୍କର ପ୍ରବେଶର ଗତିରୋଧ କରିପାରେ ।

ଉତ୍ପାଦନ ଜନିତି ସମସ୍ୟା ରହୁଥିବା ଯୋଗୁଁ ନିଜସ୍ୱ କୋଇଲା ଖଣିଗୁଡ଼ିକରେ ବହୁ କମ୍ ପୁଞ୍ଜି ନିବେଶ ହୋଇଥାଏ । ଏହି ଶିଳ୍ପରେ ପ୍ରବେଶ କରୁଥିବା ନିବେଶକାରୀମାନଙ୍କୁ ନୂଆ କୋଇଲା ଖଣି ହାସଲ କରିବା ଓ ବିକାଶ କରିବାକୁ ପଡ଼ିବ । ବ୍ୟବସାୟୀକ ଉତ୍ପାଦନ ଆରମ୍ଭ ହେବା ପୂର୍ବରୁ ଏଥିପାଇଁ କିଛି ସମୟ ଆବଶ୍ୟକ ପଡ଼ିବ ଯେଉଁଥିପାଇଁକି ଅର୍ଥ ବ୍ୟବସ୍ଥା କରିବା ପାଇଁ ପରିସ୍ଥିତି ସୃଷ୍ଟି ହେବ । ଏଥିସହ ନୂତନ କମ୍ପାନୀମାନଙ୍କ ଦ୍ୱାରା ୧୦୦ ପ୍ରତିଶତ ପୁଞ୍ଜି ନିବେଶ ହେବା, ପରିବେଶ ଅନୁମତି ପାଇବା, ଅନୁପଯୁକ୍ତ ଭିତ୍ତିଭୂମି ଏବଂ ଜମି ମିଳିବାକୁ ନେଇ ଥିବା ପ୍ରସଙ୍ଗ ଗୁଡ଼ିକ ବହୁ ସମୟ ନେବ ।

ତେବେ ପ୍ରାକୃତିକ ସମ୍ବଳଗୁଡ଼ିକର ନିରନ୍ତର ବିକାଶ ପାଇଁ ଥିବା ଦୃଷ୍ଟିଭଙ୍ଗୀରୁ ଯଦି ଦେଖାଯାଏ ତା ହେଲେ ମନଇଚ୍ଛା ଖଣି ଖନନ ଯୋଗୁଁ, ପରିବେଶ ଏବଂ ପ୍ରାକୃତିକ ବ୍ୟବସ୍ଥା ଭିତରେ ଅସନ୍ତୁଳନ ସୃଷ୍ଟି ହେବାର ବିପଦ ମଧ୍ୟ ରହିଛି । ପୁଞ୍ଜି ନିବେଶକୁ ଆମନ୍ତ୍ରଣ କରିବା ପାଇଁ ପ୍ରତିଯୋଗିତା କରୁଥିବା ରାଜ୍ୟଗୁଡ଼ିକ ତେବେ କ’ଣ ଜଙ୍ଗଲ ସମ୍ପଦ ଉପରେ ଗୋଷ୍ଠୀଗତ ଅଧିକାରୁ ସୁରକ୍ଷିତ କରୁଥିବା ଜଙ୍ଗଲ ଅଧିକାର ଆଇନ ୨୦୦୬ର ଉଲଙ୍ଘନ କରି, ଆଦିବାସୀ ଏବଂ ଜନଜାତିମାନଙ୍କର ଜୀବନ ଓ ଜୀବୀକାରୁ ସେମାନଙ୍କୁ ବିସ୍ଥାପନ କରାଇପାରିବେ କି? ପୁଣି ବିଦେଶୀ ପୁଞ୍ଜିର ଅନ୍ୱେଷଣ ଏହି ଦୌଡ଼ଟିକୁ ନିମ୍ନଗାମୀ କରାଇବ ନାହିଁ ତ? ଏହିଭଳି ଆଶଙ୍କାଗୁଡ଼ିକୁ ପ୍ରତିହତ କରିବା ଏବଂ ନିରନ୍ତର ବିକାଶର ବୃହତ୍ତର ଉଦ୍ଦେଶ୍ୟ ଗୁଡ଼ିକୁ ସାଧନା କରିବା ପାଇଁ ଖଣି କମ୍ପାନୀଗୁଡ଼ିକ ଉପରେ କଠୋର ନିୟନ୍ତ୍ରଣ ଏବଂ ସୁରକ୍ଷାବଳୀ ଲାଗୁ ହେବା ଦରକାର, ଯାହା ଫଳରେ ସେମାନେ ପରିବେଶ ଆଇନ ଓ ନିୟନ୍ତ୍ରଣ ଗୁଡ଼ିକୁ ମାନିବା ସହ ଖଣିରେ କାମ କହୁଥିବା ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ନିଶ୍ଚିତ କରିବା ପାଇଁ ବାଧ୍ୟ ହେବେ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top