ISSN (Print) - 0012-9976 | ISSN (Online) - 2349-8846

ଗଣତନ୍ତ୍ରର ଆଦର୍ଶ ନମୂନା

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତର ଔପଚାରିକ ନିର୍ବାଚନୀ ଓ ଆନୁଷ୍ଠାନିକ ରାଜନୀତିରେ, ଗୋଟିଏ ଶାସକ ଦଳ ବା ଶାସନକୁ ଆସିବାର ଯଥେଷ୍ଟ ସମ୍ଭାବନା ଥିବା ଦଳଟିକୁ ଦଳବଦଳ କରିବା ଅବା କୌଣସି ଗୋଟିଏ ଦଳ ସହ ମିଶିଯିବା ଅବା ଦଳବଦଳ ପାଇଁ ସ୍ଥାନ ରଖିବା ସମ୍ପର୍କିତ ଘଟଣାଗୁଡ଼ିକ ନିୟମିତ ଭାବେ ଘଟିଚାଲିଛି । ଏଭଳି ଘଟଣାଗୁଡ଼ିକ ସମ୍ଭବତଃ ଗଣତନ୍ତ୍ରର ନୈତିକ ଗୁଣମାନ ପ୍ରତି କ୍ଷତି ପହଂଚାଉଛି । ଯୁକ୍ତି କରାଯାଇପାରିବ ଯେ ଏଭଳି ଗୁଣମାନକୁ ଅଧିକ ସୁଦୃଢ଼ କରିବା ଏବଂ ଆଗକୁ ନେବା ଗୋଟିଏ ଆଦର୍ଶ ନମୂନାର ନିର୍ମାଣ ଉପରେ ନିର୍ଭର କରିଥାଏ । ଏହି ନମୂନାଟିରେ ଥିବା ମୂଲ୍ୟବୋଧଟିର ଆତ୍ମସମ୍ମାନ ରହିବ ଯଦି ଦଳବଦଳକାରୀମାନେ କୌଣସି ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗଦେବା ବେଳେ ସେମାନଙ୍କୁ ଭୋଟ ଦେଇଥିବା ଭୋଟଦାତାମାନଙ୍କ ସହ ଅନବରତ ପରାମର୍ଶ କରୁଥିବେ । ଏଭଳି ଏକ ଅନ୍ତର୍ନିହିତ ମୂଲ୍ୟର ବିକାଶ ଗୋଟିଏ କଥା ଉପରେ ନିର୍ଭର କରେ ତାହା ହେଲା ଯେ, ଯଦି ସମ୍ପୃକ୍ତ ଜନପ୍ରତିନିଧିଙ୍କର ନୈତିକ ଶକ୍ତି ଥାଏ ନିଜର ଆତ୍ମସମ୍ମାନକୁ ଏକାଠି କରିବା ପାଇଁ, ଯାହାକି ସେ କେବଳ ତାଙ୍କୁ ନିର୍ବାଚିତ କରୁଥିବା ଲୋକମାନଙ୍କର ଆକାଂକ୍ଷା ପ୍ରତି ବଳିଷ୍ଠ ଭାବେ ପ୍ରତିବଦ୍ଧ ରହି ହିଁ କରିପାରିବ । ନିଜର ଆତ୍ମସମ୍ମାନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତା ହିଁ ଏଭଳି ଏକ ଅପରିବର୍ତ୍ତିନୀୟ ଆଦର୍ଶ ନମୂନା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଯେଉଁ ଜନପ୍ରତିନିଧି ଭଲ ନୈତିକତା ସୃଷ୍ଟି ପ୍ରତି ପ୍ରାଥମିକତା ଦେଇଥାନ୍ତି, ଯେମିତିକି ଯଦି ସେମାନେ ଆତ୍ମସମ୍ମାନ ଭଳି ଏକ ବଳିଷ୍ଠ ମୂଲ୍ୟବୋଧ ସହ ରହିବା ଓ ଠିକ୍ ସେହିପରି କୌଣସି ପ୍ରଲୋଭିତ କରିବାର ମୂଲ୍ୟବୋଧ ଠାରୁ ନିଜକୁ ଦୂରେଇ ରଖିବାର ବଳିଷ୍ଠ ଇଚ୍ଛା ରଖିପାରିବେ, ତେବେ ଯାଇ ସେମାନେ ନୈତିକ ଆଶାର ନିର୍ମାଣ କରିପାରିବେ । ଦଳବଦଳ ଆନୁଷ୍ଠାନିକ ମୂଲ୍ୟବୋଧ ସହ ଖେଳ ଖେଳୁଛି ।

ଦଳବଦଳ ଭଳି ରାଜନୈତିକ ଗତିବିଧିଗୁଡ଼ିକ ନୈତିକ ଦୃଷ୍ଟିକୋଣରୁ ଆପତ୍ତିଜନକ, ଯେହେତୁ ସେଗୁଡ଼ିକ ସ୍ପଷ୍ଟଭାବେ ମତଦାତାଙ୍କର ବିଶ୍ୱାସ ଭଙ୍ଗ କରୁଛି ଯାହା ଦଳବଦଳ କରୁଥିବା ପ୍ରତିନିଧିଙ୍କୁ ବିଧାନସଭା ଅବା ସଂସଦ ଭଳି ରାଜନୈତିକ ଅନୁଷ୍ଠାନଗୁଡ଼ିକରେ ପହଞ୍ôଚବା ପାଇଁ ସାହାଯ୍ୟ କରିଥାଏ । ଉଭୟ ଦଳବଦଳ କରିଥିବା ଜନପ୍ରତିନିଧି ଏବଂ ଏ ଦଳବଦଳରୁ ଲାଭବାନ ହେଉଥିବା ଦଳଟିକୁ ଗଣତନ୍ତ୍ରର ନୈତିକ ମାନର ପତନ ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଇପାରେ । ଯେଉଁ ଦଳବଦଳ କେବଳ ବ୍ୟକ୍ତି ସ୍ୱାର୍ଥ ସାଧନ ପାଇଁ ହୋଇଥାଏ ଏବଂ ଯେଉଁଠି ଜନଗଣଙ୍କର ସହମତି ନଥାଏ, ଯାହା ଭୋଟ ଦେଲାବେଳେ ସେମାନେ ଏକ ନୈତିକ ପୃଷ୍ଠଭୂମିରେ ପ୍ରଦାନ କରିଥାନ୍ତି; ତେବେ ତାହା ଆତ୍ମସମ୍ମାନ ହାନି ହେବାର ଏକ କାରଣ ହୋଇଯାଏ । ଏହି ଦଳବଦଳକାରୀମାନେ ଯେଉଁମାନେ ସୁବିଧାବାଦୀ ରାଜନୈତିକ କ୍ଷେତ୍ରଗୁଡ଼ିକରେ ଅବସ୍ଥାନ କରୁଥାନ୍ତି ସେମାନେ ମୁକ୍ତ ଭାବେ କଥାଟିକୁ ହୃଦ୍ବୋଧ କରିନଥାନ୍ତି । ମୁକ୍ତ ଭାବେ ହୃଦ୍ବୋଧ ହେବାର ପ୍ରକ୍ରିୟାଟି ଗୋଟିଏ ଲୋକକୁ ବିଶେଷକରି ଜନପ୍ରତିନିଧିମାନଙ୍କୁ, ଏଭଳି ଏକ ପ୍ରେରଣା ଦେଇଥାଏ ଯେମିତିକି ସେମାନେ କେବଳ ସେମାନଙ୍କର ନିଜ ସୀମା ନୁହେଁ ବରଂ ତାଙ୍କୁ ଦଳବଦଳ କରାଇବା ପାଇଁ ଅଜସ୍ର କ୍ଷମତା ଥିବା ଗୋଟିଏ ଦଳର ମଧ୍ୟ ସୀମାକୁ ସେମାନେ ସହଜରେ ଅତିକ୍ରମ କରିପାରିବେ ।

ଏଭଳି ମୁକ୍ତ ହୃଦ୍ବୋଧର ପ୍ରତିବଦ୍ଧତା ହିଁ ଆଦର୍ଶ ନମୂନା ନିର୍ମାଣର ସଂଜ୍ଞା ନିରୂପଣ କରିଥାଏ । ନିଜର ସୀମା ଏବଂ ପ୍ରଶ୍ନଟି ଥିବା ଦଳଟିର ସୀମା ଅତିକ୍ରମ କରିବାର ନୈତିକ ଦକ୍ଷତା ହିଁ ଗୋଟିଏ ଗଣତନ୍ତ୍ରରେ ନୈତିକ ଗୁଣମାନ ପ୍ରତିଷ୍ଠା ପାଇଁ ଯୁକ୍ତିଶୀଳ କାରଣ ଯୋଗାଇଥାଏ । ଯେଉଁମାନେ ଗୋଟିଏ ଦଳକୁ ବଦଳ କରିବେ ଓ ଯେଉଁ ଦଳଟି ଦଳବଦଳକାରୀଙ୍କୁ ଗ୍ରହଣ କରିବେ, ଉଭୟଙ୍କଠାରୁ ଆଶା କରାଯାଏ ଯେ, ସେମାନେ ସେଭଳି ଭାବାତୀତ କାରଣ ଯୋଗାଇପାରିବେ ଯାହା ମୁଖ୍ୟତଃ ସେମାନଙ୍କର ନିଜର ସ୍ୱାର୍ଥରୁ ଉତ୍ପନ୍ନ ହୋଇଥିବା ସୀମାଗୁଡ଼ିକୁ ଅତିକ୍ରମ କରିପାରିଛନ୍ତି ତା’ର ପ୍ରମାଣ ଦେବ । ଏହି ସୀମାଗୁଡ଼ିକୁ ଅତିକ୍ରମ କରିବା ପାଇଁ ନୈତିକ ଉଦ୍ୟମ ହେବାଦ୍ୱାରା ହିଁ ଜଣେ ବ୍ୟକ୍ତିଗତ ଦଳବଦଳକାରୀଙ୍କର ଆତ୍ମସମ୍ମାନ ଓ ଗୋଟିଏ ସର୍ବସାଧାରଣ ଅନୁଷ୍ଠାନ ହିସାବରେ ଗୋଟିଏ ଦଳର ସମ୍ମାନର ପରିସରଟି ମଧ୍ୟ ବୃଦ୍ଧି ଘଟିପାରିବ । ଦଳବଦଳ କରୁଥିବା ଲୋକମାନେ କିନ୍ତୁ କୌଣସି ଭାବାତୀତ କାରଣ ଦ୍ୱାରା ପ୍ରଭାବିତ ହୋଇ ନଥାନ୍ତି ବରଂ ସେମାନେ ଦଳବଦଳକୁ ଗୋଟିଏ ଅସ୍ତ୍ର ହିସାବରେ ବ୍ୟବହାର କରିଥାନ୍ତି । ସମସ୍ତଙ୍କ ଅସ୍ତିତ୍ୱକୁ ବିଲୋପ କରିବାର ବିଚାରଟି ହିଁ ଏହି ଅସ୍ତ୍ର ହୋଇଯିବାର ଯୁକ୍ତିଟିକୁ ବ୍ୟବସ୍ଥିତ କରିଥାଏ । ଏଭଳି ଏକ ବିଚାର ଦଳବଦଳ ଉପରେ ନିର୍ଭର କରି ଚଳୁଥିବା ଗୋଟିଏ ଦଳର ପ୍ରଭୁତ୍ୱ ଏବଂ ବଡ଼ଭାଇ ପଣିଆକୁ ପ୍ରତିଷ୍ଠିତ କରିବାର ଆକାଂକ୍ଷାଟିକୁ ପଦାକୁ ଆଣିଥାଏ । ପ୍ରକୃତରେ ଏହି ଦଳଗୁଡ଼ିକ ଦଳବଦଳକୁ ଏକ ପ୍ରମାଣପତ୍ର ହିସାବରେ ପ୍ରୟୋଗ କରି ନିଜର ରାଜନୈତିକ ପତିଆରା ଓ ସାମାଜିକ ବଡ଼ଭାଇପଣିଆକୁ ଏକ ସମର୍ପିତ ଦଳବଦଳକାରୀ ଓ ଅସ୍ତିତ୍ୱ ହରାଇଥିବା ଦଳ ବା ଲୋକମାନଙ୍କ ଉପରେ ସାବ୍ୟସ୍ତ କରିଥାନ୍ତି । ଦଳବଦଳ ଅସ୍ତିତ୍ୱ ବିଲୋପ କରିବାର ପ୍ରକ୍ରିୟାଟିକୁ ସଂଯୋଜିତ କରିଥାଏ । ଯେଉଁମାନେ ସମର୍ପଣର ପ୍ରକ୍ରିୟା ଭିତରେ ଅଂଶଗ୍ରହଣ କରିଥାନ୍ତି ମୁଖ୍ୟତଃ କିଛି ନିର୍ଦ୍ଦିଷ୍ଟ ସ୍ୱାର୍ଥସାଧନ ପାଇଁ ସେମାନଙ୍କର ମୂଲ୍ୟ ଅପେକ୍ଷାକୃତ କମ୍ ଅବା ଭିନ୍ନ ଥାଏ, କିନ୍ତୁ ସମାନ ନଥାଏ । ଆତ୍ମସମ୍ମାନର ସର୍ବନିମ୍ନ ସ୍ତରଟି ସମାନ ମୂଲ୍ୟ ଥିବା କଥାଟିକୁ ଗୁରୁତ୍ୱ ଦେଇଥାଏ । ଏକ ସମତାଭିତ୍ତିକ ରାଜନୈତିକ କ୍ଷେତ୍ରର ଆବଶ୍ୟକତା ସେଇଠି ରହେ, ଯେଉଁଠି ଜଣେ ସଦସ୍ୟଙ୍କର ସମ୍ପୂର୍ଣ୍ଣ ଆତ୍ମସମ୍ମାନ ପାଇବା ଭଳି ଆଦର୍ଶ ନମୂନାଟିଏ ମିଳିବା ସମ୍ଭାବନାଟିଏ ଥାଏ । କିନ୍ତୁ ଏକ ଆଦର୍ଶ ନମୂନା ନିର୍ମାଣ ପାଇଁ ସମାନତାଭିତ୍ତିକ ରାଜନୈତିକ କ୍ଷେତ୍ର ରହିବା ଗୋଟିଏ ଆବଶ୍ୟକତା ଯାହାକୁ ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ ଆମ ସମ୍ବିଧାନ ପ୍ରଦାନ କରିସାରିଛି ।

ଏହି ଦଳଗୁଡ଼ିକର ସୀମିତତା ସେଇଠି ରହୁଛି ଯେତେବେଳେ ସେମାନେ ଅନ୍ୟର ଅସ୍ତିତ୍ୱକୁ ବିଲୁପ୍ତ କରିବାର ଇଚ୍ଛା ସାବ୍ୟସ୍ତ କରୁଛନ୍ତି । ଜଣେ ଦଳବଦଳକାରୀଙ୍କର ଆତ୍ମସମ୍ମାନ ଭଳି ନୈତିକ ସମ୍ବଳ ହାସଲ କରିବା କ୍ଷେତ୍ରରେ ତାଙ୍କୁ ସକ୍ଷମ କରିବା ପାଇଁ ଏହି ଦଳମାନଙ୍କର କୌଣସି ସକାରାତ୍ମକ କାର୍ଯ୍ୟସୂଚୀ ନଥାଏ । ଏହି ଦଳଗୁଡ଼ିକ ଦଳବଦଳକୁ ଏଇଥିପାଇଁ ପ୍ରୋତ୍ସାହନ ଦେଇନଥାନ୍ତି ଯେ, ଏପରି କରିବା ଦ୍ୱାରା ଦଳବଦଳକାରୀ ନିଜର ପ୍ରକୃତ ମୂଲ୍ୟଟିକୁ ବୁଝିପାରିବେ, ବରଂ ଏହି ଦଳମାନେ ଦଳବଦଳକାରୀଙ୍କୁ ଏକ ଆୟୁଧ ହିସାବରେ ବ୍ୟବହାର କରିଥାନ୍ତି । ଗୋଟିଏ ଦଳବଦଳକାରୀ ନୂଆ ଦଳଟିରେ ସାମିଲ ହେବା ପରେ ଅଭିବ୍ୟକ୍ତିର ସ୍ୱାଧୀନତାଟିକୁ ଉପଭୋଗ କରିବାର ନୈତିକ କ୍ଷମତା ତାଙ୍କ ପାଖରେ ରହୁଛି, ଏହାର କୌଣସି ନିଦର୍ଶନ ଆମେ ଦେଖୁନାହୁଁ । ନିଜକୁ ଆୟୁଧ କରିବାର ମୂଲ୍ୟଟି ସାର୍ବଜନୀନ ଚରିତ୍ରର ରୂପ ନେଇଯାଏ ଯେତେବେଳେ ଗୋଟିଏ ଲୋକର ଅନ୍ତର୍ନିହିତ ମୂଲ୍ୟଟିକୁ ବଦଳାଇ ସେ ତାକୁ ଗୋଟିଏ ପଣ୍ୟ ଦ୍ରବ୍ୟରେ ରୂପାନ୍ତରିତ କରିଦିଏ । ଦଳବଦଳ ମାଧ୍ୟମରେ ଏକ ବଦଳ ହୋଇପାରୁଥିବା ଦ୍ରବ୍ୟରେ ନିଜକୁ ପରିଣତ କରିବା ଦ୍ୱାରା ସେମାନେ ନିଜର ସ୍ୱାୟତତ୍ତା ନଷ୍ଟ କରିଥାନ୍ତି ଓ ସେହି ଦୃଷ୍ଟିରୁ ନିଜ ପାଇଁ ହେଉ ବା ସମ୍ପୃକ୍ତ ଦଳଟି ପାଇଁ ହେଉ ବା ରାଜନୀତି ପାଇଁ ହେଉ; ସେମାନେ ଉଚ୍ଚ ନୈତିକ ମାନ ନିର୍ଦ୍ଧାରଣ କରିବାର ଦକ୍ଷତା ହରାଇଥାନ୍ତି । ନିଜ ପାଇଁ ଗୋଟିଏ ପଣ୍ୟଦ୍ରବ୍ୟର ସାର୍ବଜନୀନ ପରିଚୟ ସୃଷ୍ଟି କରିବା ପରେ ସେମାନେ ନିଜକୁ ଗୋଟିଏ ଶାସକ ଦଳ ହେବାର ସମ୍ଭାବନା ସୃଷ୍ଟି କରୁଥିବା ଦଳଟିଏ ପାଇଁ କିଣାବିକାର ଅବସରଟିଏ ସୃଷ୍ଟି କରିଥାନ୍ତି । ଯେଉଁମାନେ ବ୍ୟକ୍ତିଗତ ଲାଭ ପାଇଁ ଦଳବଦଳ କରିଥାନ୍ତି, ସେମାନେ ନିଜକୁ ଫଳପ୍ରଦ ଭାବେ ବଦଳ ହେବାର ସମ୍ଭାବନା ସୃଷ୍ଟି କରିଥାନ୍ତି । ଏମିତି ଏକ ସ୍ଥିତିରେ ଅବସ୍ଥାନ କରିବା ଦ୍ୱାରା ଏହି ଦଳବଦଳକାରୀମାନେ ନିଜକୁ ଏକପ୍ରକାର ଦ୍ରବ୍ୟର ସ୍ତରକୁ ନେଇ ଆସିଥାନ୍ତି (ଦଳବଦଳକାରୀଙ୍କର କୌଣସି ଜାତି, ଆଦର୍ଶବାଦ, ଭାଷା ଅବା ଧର୍ମଭିତ୍ତିକ ଅସ୍ମିତା ନଥାଏ) ଏବଂ ଏହା ଫଳରେ ଅସ୍ତିତ୍ୱକୁ ବିଲୋପ କରି ନିଜ ଭିତରେ ସାମିଲ କରିବାର ପତିଆରା ସମ୍ପନ୍ନ ଉଚ୍ଚ ଅଭିଳାଷ ରଖୁଥିବା ଗୋଟିଏ ଦଳ ପାଇଁ ଏମାନେ ଆଉ ଏକ ସେହିଭଳି ଦ୍ରବ୍ୟ ଦ୍ୱାରା ବଦଳ ହେଇପାରିବାର ସମ୍ଭାବନା ମଧ୍ୟ ସୃଷ୍ଟି କରିଥାନ୍ତି । ଏହାକୁ ଆମେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କହିବା ଯଦି ଗୋଟିଏ ଗଣତନ୍ତ୍ରର ନୈତିକ ଗୁଣମାନ, ଆଦର୍ଶ ନମୂନା ନିର୍ମାଣ କରିବା ପରିବର୍ତ୍ତେ ଏହିଭଳି ବଦଳାଯାଇ ପାରୁଥିବା ନମୂନାଗୁଡ଼ିକର ରାଜନୈତିକ ଉତ୍ପାଦନ ଦ୍ୱାରା ନିର୍ଦ୍ଧାରିତ କରାଯାଏ ।

 ଗୋପାଳ ଗୁରୁ

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top