ସଂଶୋଧିତ ସୂଚନା ଅଧିକାର ବନାମ ଗଣତନ୍ତ୍ରରେ ଅଂଶଗ୍ରହଣ
ନାଗରିକ ଏବଂ ରାଷ୍ଟ୍ର ଭିତରେ ଯଦି ସୂଚନାକୁ ନେଇ ବିଷମତା ରହେ ତେବେ ତାହା ଏକ ସ୍ୱଚ୍ଛ ଗଣତନ୍ତ୍ରର କାର୍ଯ୍ୟକାରିତାକୁ କ୍ଷତି ପହଂଚାଏ
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ସମ୍ପ୍ରତି ସଂସଦରେ ଯେଉଁ ସୂଚନା ଅଧିକାର ସମ୍ପର୍କିତ ସଂଶୋଧନ ଚିଠାଟି ଗୃହୀତ କରାଗଲା, ତାହା ସୂଚନା ଅଧିକାରର ମୂଳଭିତ୍ତିକୁ କ୍ଷତି ପହଞ୍ଚାଇବାର ଆଶଙ୍କା ସୃଷ୍ଟି କରିବା ସହିତ କେନ୍ଦ୍ରୀୟ ସୂଚନା କମିଶନ ଭଳି ଅନୁଷ୍ଠାନର ଗୁରୁତ୍ୱକୁ ନଗନ୍ୟ କରିଦେଲା । ଯେଉଁଭଳି ତରବରିଆ ଭାବେ ଚିଠାଟିକୁ ଗୃହୀତ କରାଗଲା, ଯଦ୍ଦ୍ୱାରା ବିଲ୍ଟିକୁ ଆଗତ କରିବା ପୂର୍ବରୁ ଯେଉଁ ସଂସଦୀୟ ପରାମର୍ଶର ଆବଶ୍ୟକତା ଥାଏ ତାକୁ ମଧ୍ୟ ଏଡ଼ାଇ ଦିଆଗଲା । ତାହା ସୂଚିତ କରୁଛି ଯେ ସରକାରଙ୍କର ଉଦ୍ଦେଶ୍ୟ ସନ୍ଦେହଜନକ । ଏଭଳି ଏକ ଆଇନର ସଂଶୋଧନ କରିବା ପୂର୍ବରୁ ଗଭୀର ତର୍ଜମା କରିବାର ଆବଶ୍ୟକତାଟିକୁ ସରକାର କାହିଁକି ବନ୍ଦ କରିଦେଲେ? ସଂସଦର ସିଲେକ୍ଟ କମିଟିକୁ ଚିଠାଟିକୁ ନ ପଠାଇବା ପାଇଁ କାହିଁକି ଅଡ଼ିବସିଲେ? ସଂଶୋଧନଟିକୁ ଯଦି ଟିକେ ନିକଟରୁ ଦେଖାଯାଏ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେଥିପାଇଁ ଉଦ୍ଦିଷ୍ଟ ସଂସ୍ଥା ଏବଂ ସେଥିରୁ ପ୍ରଦତତ୍ତ ହେଉଥିବା ଅଧିକାରଗୁଡ଼ିକର ସାରମର୍ମଟିକୁ ନଷ୍ଟ କରିଦିଆଯିବାର ଅଭ୍ୟାସଟିଏ ଆରମ୍ଭ ହୋଇଯାଇଛି ଏବଂ ଏହି ସଂସ୍ଥାଗୁଡ଼ିକ କେବଳ ନାମକୁ ମାତ୍ର ହିଁ ରହିବେ ।
୨୦୦୫ ମସିହାରେ ଆଗତ ହୋଇଥିବା ସୂଚନା ଅଧିକାର ଆଇନ ପ୍ରତ୍ୟେକଟି ନାଗରିକକୁ କ୍ଷମତା ଦେଇଥାଏ, ଶାସନ ବ୍ୟବସ୍ଥାରେ କ୍ଷମତାର ଅପପ୍ରୟୋଗ ଅବା ଗୋପନୀୟତା ଯଦି କେଉଁଠି ଅବଲମ୍ବନ କରାଯାଉଥାଏ, ତାକୁ ଯେମିତି ସେ ପ୍ରଶ୍ନ କରିପାରିବ । କେନ୍ଦ୍ର ଏବଂ ରାଜ୍ୟସ୍ତରରେ ଥିବା ସୂଚନା ଆୟୋଗଗୁଡ଼ିକ ମାଧ୍ୟମରେ ହିଁ ଜନସାଧାରଣଙ୍କୁ ସେମାନେ ଖୋଜୁଥିବା ପ୍ରଶ୍ନର ଉତର ମିଳିଥାଏ । ଏହି ସୂଚନାଗୁଡ଼ିକୁ ସର୍ବସାଧାରଣ ହିତର ବିଷୟ ବୋଲି ବିଚାର କରାଯାଏ ଯେହେତୁ ଏଥିରେ ସାଧାରଣ ନାଗରିକମାନଙ୍କର ସ୍ୱାର୍ଥ ସମ୍ବନ୍ଧିତ ଥାଏ ଏବଂ ଗୋଟିଏ ସକ୍ରିୟ ତଥା ସ୍ୱଚ୍ଛ ଗଣତନ୍ତ୍ରର କାର୍ଯ୍ୟକାରିତା ପାଇଁ ଏଭଳି ସୂଚନା ପ୍ରଦାନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଇଥାଏ । ୨୦୧୯ର ସୂଚନା ଅଧିକାର ସଂଶୋଧନ ଚିଠାଟି ସୂଚନା ଅଧିକାର ଆଇନର ୨୦୦୫ର ଭାଗ ୧୩, ୧୫ ଓ ୨୭କୁ ସଂଶୋଧନ କରୁଛି ଯେଉଁଥିରେ କେନ୍ଦ୍ର ସରକାରଙ୍କୁ କ୍ଷମତା ଦିଆଯାଉଛି ଯେ କେନ୍ଦ୍ର ବା ରାଜ୍ୟ ସ୍ତରରେ କାମ କରୁଥିବା ମୁଖ୍ୟ ଓ ଅନ୍ୟ ସୂଚନା କମିଶନରମାନଙ୍କ ପାଇଁ ନିୟମ, ସମୟକାଳ, ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ଚାକିରୀର ସର୍ତ୍ତାବଳୀ ନିର୍ଦ୍ଧାରଣ କରିବେ । କିନ୍ତୁ ସଂଶୋଧନ ଗୁଡ଼ିକରେ କେନ୍ଦ୍ରକୁ ଯେଉଁ କ୍ଷମତା ଦିଆଯାଇଛି ସୂଚନା କମିଶନରମାନଙ୍କର ସମୟକାଳ, ଭତ୍ତା ଏବଂ ଚାକିରୀର ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ପାଇଁ, ସେଥିରେ ପ୍ରୋତ୍ସାହନର ଢାଞ୍ଚାଟିଏ ଭର୍ତ୍ତି କରିବା ଦ୍ୱାରା ଏହି ସବୁ ସଂସ୍ଥା ତଥା ସୂଚନା ଆୟୋଗମାନଙ୍କର ସ୍ୱାୟତ୍ତତା ଓ ସ୍ୱାଧୀନତାକୁ ବିପନ୍ନ କରିବାର ସମ୍ଭାବନା ସୃଷ୍ଟି ହେବା ସହ ଆଇନରେ ଥିବା ସୂଚନା ଅଧିକାର ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେବ ।
ପୁଣି ରାଜ୍ୟମାନଙ୍କର ହାତରେ ଥିବା କ୍ଷମତାକୁ ନିଜ ହାତକୁ ନେଇ କେନ୍ଦ୍ରସରକାର ଏକପ୍ରକାର ‘ବଳପୂର୍ବକ ସଂଘବାଦ’ର ଯେମିତି ଅଭ୍ୟାସ କରୁଛନ୍ତି, ଏହି ସବୁ ସଂଶୋଧନଗୁଡ଼ିକ ସେ ସବୁର ପରିପ୍ରକାଶ ମାତ୍ର ଏବଂ ନିଶ୍ଚିତ ଭାବେ ତାହା ଅଗଣତାନ୍ତ୍ରିକ । ଭବିଷ୍ୟତରେ ସୂଚନା କମିଶନର ଅନୁଷ୍ଠାନଗୁଡ଼ିକର ସମ୍ମାନ ପ୍ରତି ଏହା ଗୁରୁତର କ୍ଷତି ପହଞ୍ଚାଇବ । ଏଭଳି ସମ୍ମାନ ରାଷ୍ଟ୍ର ଓ ନାଗରିକମାନଙ୍କ ଭିତରେ ଥିବା ସୂଚନାର ବିଷମତାକୁ ଦୂର କରିବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଶାସନରେ ଗଣତନ୍ତ୍ରକୁ ଦାୟିତ୍ୱପୂର୍ଣ୍ଣ କରାଇବା ଏବଂ ସ୍ୱଚ୍ଛତାର ସହିତ କାମ କରିବା ପାଇଁ ଏହା ଅତ୍ୟନ୍ତ ଜରୁରୀ । କେଉଁ ପରିମାଣର ସ୍ୱଚ୍ଛତା ଶାସନ ବ୍ୟବସ୍ଥାରେ ପାଳନ କରାଯାଉଛି, ତାହା କେବଳ ଏହି କଥାଟି ନିର୍ଦ୍ଧାରଣ କରିନଥାଏ ଯେ ରାଷ୍ଟ୍ର ନାଗରିକମାନଙ୍କର ହିତସାଧନ ନିମନ୍ତେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି, ତାକୁ କାର୍ଯ୍ୟକାରୀ କରିବା ପାଇଁ କେଉଁଭଳି ନିଷ୍ଠା ଦେଖାଉଛି । ବରଂ ଏଭଳି ସୂଚନା ପ୍ରଦାନ ବିବିଧ ଉଦ୍ଦେଶ୍ୟ ସାଧନ କରୁଥାଏ ଯାହାକି ସମାଜର ସାମଗ୍ରିକ ସ୍ୱାର୍ଥସାଧନ କ୍ଷେତ୍ରରେ କାମ କରିଥାଏ ।
ପ୍ରତିବର୍ଷ ସୂଚନା ଅଧିକାର ଆଇନ ମାଧ୍ୟମରେ ସୂଚନା ପ୍ରଦାନ ପାଇଁ ପ୍ରାୟ ୬୦ଲକ୍ଷ ଆବେଦନ କରାଯାଇଥାଏ ଯାହା ସୂଚାଇ ଦେଉଛି ଯେ, ଏହି ଆଇନଟି ବିଶ୍ୱର ସବୁଠାରୁ ବ୍ୟାପକ ଭାବେ ବ୍ୟବହୃତ ଏକ ଦୀପ୍ତିମୟ ଆଇନ । ଏହି ଆବେଦନଗୁଡ଼ିକରେ ଅନେକ ପ୍ରସଙ୍ଗରେ ସୂଚନା ପ୍ରଦାନ ପାଇଁ ଅନୁରୋଧ କରାଯାଇଥାଏ ଯାହା ମୌଳିକ ଅଧିକାର ଏବଂ ସୁବିଧା ସୁଯୋଗ ପ୍ରଦାନ କ୍ଷେତ୍ରରେ ସରକାରଙ୍କୁ ଦାୟୀ କରିବା ଠାରୁ ଆରମ୍ଭ କରି ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟଗୁଡ଼ିକୁ ପ୍ରଶ୍ନ କରିବା ଯାଏଁ ବ୍ୟାପ୍ତ ଥାଏ । ସୂଚନା ଅଧିକାର ଆଇନର ବ୍ୟବହାର କରି ଲୋକେ ଯେଉଁ ସୂଚନା ମାଗିଥାନ୍ତି ସରକାରମାନେ ସେସବୁ ପ୍ରଦାନ କରିବା ପାଇଁ କୁଣ୍ଠିତ ଥାନ୍ତି ଯେହେତୁ ତାହା ଦୁର୍ନୀତିର ଉନ୍ମୋଚନ କରିବା ତଥା ମାନବ ଅଧିକାର ଉଲ୍ଲଂଘନର କଥା ଅବା ରାଷ୍ଟ୍ରର ଭୁଲ୍ କାର୍ଯ୍ୟକଳାପଗୁଡ଼ିକୁ ପଦାରେ ପକାଇବାର ସମ୍ଭାବନା ସୃଷ୍ଟି କରିଥାଏ । ସଂସଦରେ ବିତର୍କ ବେଳେ ଅନେକ ସଦସ୍ୟ ବିଗତ ବର୍ଷମାନଙ୍କରେ ଦେଖାଯାଇଥିବା କେତୋଟି ଦୃଷ୍ଟାନ୍ତ ଉଲ୍ଲେଖ କରିଥିଲେ ଯେଉଁଥିରେ ସୂଚନା ଆୟୋଗମାନଙ୍କର ନିର୍ଦ୍ଦେଶନାମା ସତ୍ତେ୍ୱ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରାଯାଇ ନଥିଲା ।
ମୌଳିକ ପ୍ରଶ୍ନଟି ହେଉଛି ଯେ; କାହିଁକି ଜଣେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାର ନିଜ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବା କ୍ଷେତ୍ରରୁ ବାଦ୍ ଦେବାପାଇଁ ଚାହୁଁଛନ୍ତି? ଜାଗ୍ରତ ପ୍ରହରୀ ରୂପେ କାମ କରୁଥିବା ନାଗରିକମାନେ ସରକାରୀ ଅନୁଷ୍ଠାନମାନଙ୍କର ସ୍ୱଚ୍ଛ ଏବଂ ଗଣତାନ୍ତ୍ରିକ କାର୍ଯ୍ୟକାରିତା ପାଇଁ ସୂଚନା ପ୍ରଦାନର ବ୍ୟବସ୍ଥାଟିକୁ ବ୍ୟବହାର କରିଥାନ୍ତି । ଗଣତନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସୂଚନା ଅଧିକାର ସେମାନଙ୍କୁ ଗୋଟିଏ ସୁଯୋଗ ଦେଇଥାଏ । କିନ୍ତୁ ଶାସନରେ ଥିବା ଦଳଟି ମନରେ ଗଣତନ୍ତ୍ରକୁ ନେଇ ଯେଉଁ ବିଚାରଟି ଅଛି, ତାହା ନାଗରିକମାନଙ୍କୁ ନିଷ୍କ୍ରିୟ କରାଇବା ପାଇଁ ଚାହୁଁଛି । ସରକାରଙ୍କର ନୀତି, ନିଷ୍ପତ୍ତି ଏବଂ କାର୍ଯ୍ୟକଳାପଗୁଡ଼ିକ ଯାହା ନାଗରିକାମାନଙ୍କର ଜୀବନକୁ ପ୍ରଭାବିତ କରିଥାଏ, ସେ ସମ୍ପର୍କରେ ସୂଚନା ମାଗିବା ଦାୟିତ୍ୱବୋଧତାକୁ ନିଶ୍ଚିତ କରିବା ପାଇଁ ଏକ ଅସ୍ତ୍ର ରୂପେ କାମ କରିଥାଏ । ସେଇଥିପାଇଁ ଶାସକ ବା ନେତା ନୁହନ୍ତି, ଗୋଟିଏ ଗଣତନ୍ତ୍ରରେ ରାଜନୀତିର କେନ୍ଦ୍ରରେ ଥା’ନ୍ତି ଜନଗଣ । ଉଚ୍ଚତମ ନ୍ୟାୟାଳୟ ନିଜର ଅନେକ ରାୟରେ ସମ୍ବିଧାନର ଧାରା ୧୯ ଏବଂ ୨୧ର ବ୍ୟାଖ୍ୟା କରି ସୂଚନା ଅଧିକାରକୁ ଏକ ମୌଳିକ ଅଧିକାରର ମାନ୍ୟତା ଦେଇଆସିଛନ୍ତି ଯାହା ଜଣେ ନାଗରିକଙ୍କର ବାକ୍ ସ୍ୱାଧୀନତା ତଥା ଜୀବନର ଅଧିକାରକୁ ସୁନିଶ୍ଚିତ କରାଉଛି । ବର୍ତ୍ତମାନର ସରକାର ନାଗରିକମାନଙ୍କର ଭୂମିକାଟିକୁ ନ୍ୟୁନ କରି ସେମାନଙ୍କୁ ନିଷ୍କ୍ରିୟ କରିବାର ଉଦ୍ୟମ କରୁଛନ୍ତି ବିଶେଷକରି ସୂଚନା ପ୍ରଦାନ କ୍ଷେତ୍ରରେ ନିଜ ନିୟନ୍ତ୍ରଣ ତଥା ପସନ୍ଦ ସାବ୍ୟସ୍ତ କରି ଓ ବିଭ୍ରାନ୍ତିମୂଳକ ତଥ୍ୟ ଆବେଦନକାରୀମାନଙ୍କୁ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା କରି, ଯଦ୍ୱାରା କି ନାଗରିକଟି କେବଳ ଏକ ପ୍ରଜାର ସ୍ତରକୁ ଖସିଆସୁଛି । ପ୍ରଜାମାନେ ଶାସକମାନଙ୍କୁ ପ୍ରଶ୍ନ କରିପାରିବେ ନାହିଁ, ସୂଚନା ପ୍ରଦାନ କ୍ଷେତ୍ରକୁ ସଙ୍କୁଚିତ କରି ଏଭଳି ଏକ ସମ୍ଭାବନାକୁ ସୁନିଶ୍ଚିତ କରାଯାଉଛି । ଏହାର ଆଉ ଏକ ପ୍ରଭାବ ପଡ଼ିବ ଅନୁସନ୍ଧାନମୂଳକ ସାମ୍ବାଦିକତା ଉପରେ ଯେଉଁଥିରେ ସୂଚନା ଅଧିକାରକୁ ପ୍ରୟୋଗ କରି ସତ୍ୟ କ’ଣ ବାହାରକୁ ଆଣିବା ପାଇଁ ଉଦ୍ୟମ କରାଯାଇଥାଏ । ସୂଚନା ଅଧିକାରକୁ ପାଣିଚିଆ କରିଦେଇ ସରକାର ନିଜକୁ ସୁରକ୍ଷିତ ରଖିବେ, ଯେଉଁ କାମଟି କରିବାରେ ଏବେ ତାଙ୍କର ବୋଲକରା ଗଣମାଧ୍ୟମ ସହଯୋଗ କରିଆସୁଛି, ଏବଂ ସତ୍ୟର ଅନ୍ୱେଷଣ କରୁଥିବା ସାମ୍ବାଦିକତାର ପହଂଚ ବାହାରେ ନିଜକୁ ରଖିବେ ।
ଗଣଆନ୍ଦୋଳନ ଭିତରୁ ସୂଚନା ଅଧିକାର ଜନ୍ମ ନେଇଛି । ଏହାର ସାମୂହିକ ଅବିରତ ତଥା ବ୍ୟାପକ ବ୍ୟବହାର ହିଁ ସରକାରଙ୍କର ଦାୟିତ୍ୱବୋଧତାଟିକୁ ନିଶ୍ଚିତ କରିବା କ୍ଷେତ୍ରରେ କାମ କରିବ । ବାସ୍ତବରେ ସାମାଜିକ ଗଣ ଆନ୍ଦୋଳନଗୁଡ଼ିକ ବ୍ୟତୀତ ବ୍ୟକ୍ତିଗତ ଭାବେ ନାଗରିକମାନେ ସୂଚନା ଅଧିକାରକୁ ସ୍ୱତଃପ୍ରବୃତ୍ତ ଭାବେ ବ୍ୟବହାର କରିବାର ବିବିଧ ଦୃଷ୍ଟାନ୍ତ ରହିଛି, ଯାହା କେବଳ ସୂଚନା ଅଧିକାରର ସ୍ଥିତିଟିକୁ ବୈଧତା ଯୋଗାଇ ଆସିଛି । ଶହ ଶହ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରାଯାଇଛି, କ୍ଷତାକ୍ତ କରାଯାଇଛି, ନିର୍ଯାତନା ଦିଆଯାଇଛି ଅବା ଭୟଭୀତ କରାଯାଇଛି । ବ୍ୟବସ୍ଥାଗୁଡ଼ିକ ମାଧ୍ୟମରେ ବ୍ୟକ୍ତିଗତ ସ୍ତରରେ ହେଉଥିବା ଅନବରତ ଆକ୍ରମଣ ହେବା ଭିତରେ ଏହି ସବୁ ବଳିଦାନଗୁଡ଼ିକର ଉଦାହରଣ ଆଉ ଦେଖିବାକୁ ମିଳିବ ନାହିଁ । ସଂଶୋଧନଗୁଡ଼ିକୁ ପ୍ରତ୍ୟାହାର କରିବା ଓ ସୂଚନା ଅଧିକାରକୁ ଫେରାଇ ଆଣିବାର ଲକ୍ଷ୍ୟଟି ହାସଲ କରାଯାଇପାରିବ ନାହିଁ ଯଦି ଏଥିପାଇଁ ଜନଗଣଙ୍କୁ ସଙ୍ଗଠିତ ନକରାଯାଏ, ବିଶେଷକରି ଯେଉଁମାନଙ୍କର କଠିନ ସଂଗ୍ରାମ ଯୋଗୁଁ ସୂଚନା ଅଧିକାରଟି ଆସିଥିଲା ।