ISSN (Print) - 0012-9976 | ISSN (Online) - 2349-8846

ଏକା ସମୟରେ ନିର୍ବାଚନ ବନାମ ଦାୟିତ୍ୱବୋଧତା

ନିର୍ବାଚନଗୁଡ଼ିକ କଣ କେବଳ ସରକାରଙ୍କୁ ନିର୍ବାଚିତ କରିବା ପାଇଁ ଗୋଟିଏ ଅସ୍ତ୍ର ନା ଏହା ଏକ ଅର୍ଥପୂର୍ଣ୍ଣ ଗଣତାନ୍ତ୍ରିକ କାର୍ଯ୍ୟ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ ଭାରତୀୟ ଜନତା ପାର୍ଟିର ସବୁଠାରୁ ବଡ଼ ପ୍ରାଥମିକତା ରହିଛି । ଜୁନ୍ ୧୯, ୨୦୧୯ଦିନ ଅନୁଷ୍ଠିତ ହୋଇଥିବ ସର୍ବଦଳୀୟ ବୈଠକରେ ପ୍ରାଥମିକତା ଦେଇ ଏଭଳି ଏକ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବା ପାଇଁ ଯେତେବେଳେ ଭାଜପା ଉଦ୍ୟମ କଲା ସେମାନଙ୍କର ଏହି ଉଦ୍ଦେଶ୍ୟଟି ସ୍ପଷ୍ଟ ଜଣାପଡ଼ୁଥିଲା । ଭାଜପା ଏକା ସମୟରେ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକୁ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଗୋଟିଏ ବିଚାରର ସଂଜ୍ଞା ନିରୂପଣ କରିବା ପାଇଁ ଚେଷ୍ଟା କରୁଥିଲା । ଏଭଳି ଏକ ବିଚାରକୁ ଜାତୀୟ ଗଣତାନ୍ତ୍ରିକ ମୋର୍ଚ୍ଚାର ଅଂଶୀଦାରମାନେ ଗ୍ରହଣ କରିବା ଭଳି ଜଣାଯାଏ । ଏହି ବିଚାରକୁ କେତେକ ଆଞ୍ଚଳିକ ଦଳ ଓ କିଛି ନିର୍ଦ୍ଦିଷ୍ଟ ବିରୋଧୀ ଦଳମାନେ ଏଇଥିପାଇଁ ବିରୋଧ କରିଆସିଛନ୍ତି ଯେ, ଏହା ସାମ୍ବିଧାନିକ ଗଣତନ୍ତ୍ର ଓ ସଂଘବାଦକୁ ଭୟଙ୍କର କ୍ଷତି ପହଞ୍ଚାଇବ । ଅନେକ ସନ୍ଦେହ କରନ୍ତି ଯେ, ଏଭଳି ଏକ ପଦକ୍ଷେପ ଦ୍ୱାରା ଶାସକଦଳର ଏକଛତ୍ରବାଦୀ ଗୁଣଗୁଡ଼ିକ ଅଧିକ ବଳିଷ୍ଠ ହେବ । ଏଣୁକରି ଏହି ପ୍ରସ୍ତାବ ଉପରେ ଅଧିକ ବିମର୍ଷ ଏବଂ ଯତ୍ନର ସହିତ ବିଚାର ହେବା ଦରକାର ।

ଯଦିଓ ଏକାବେଳେ ନିର୍ବାଚନ କରିବା ବିଚାରଟି କିଛି ନୂଆ ନୁହେଁ ଯେହେତୁ ଏଭଳି ଏକ ପ୍ରସ୍ତାବ ୧୯୮୨ ମସିହାରେ ନିର୍ବାଚନ କମିଶନ ଦେଇଥିଲେ ଏବଂ  ୧୯୯୯ ମସିହାରେ ଲ-କମିଶନ ମଧ୍ୟ ଦେଇଥିଲେ ତେବେ ଏମିତି କରିବା ପାଇଁ ଯେଉଁ ପ୍ରେରଣାଟି ଆସିଛି ତାହା ମୁଖ୍ୟତଃ ନୀତିଆୟୋଗର ସଦସ୍ୟମାନଙ୍କ ଭିତରେ ଚର୍ଚ୍ଚିତ ହୋଇଥିବା ଏକ ଚର୍ଚ୍ଚା ପତ୍ର ଓ ଲ-କମିଶନଙ୍କ ରିପୋର୍ଟ ଯୋଗୁଁ ସମ୍ଭବ ହୋଇଛି । ପୁନଶ୍ଚ ପ୍ରଧାନମନ୍ତ୍ରୀ ନିଜେ ଏଭଳି ଏକ ବିଚାରକୁ ବଳିଷ୍ଠ ଭାବେ ଉପସ୍ଥାପନ କରିଚାଲିଛନ୍ତି ନିଜର ବକ୍ତବ୍ୟ ଏବଂ ଭାଷଣଗୁଡ଼ିକରେ, ଯଦ୍ୱାରା କି ଏହାର ରାଜନୈତିକ ଗୁରୁତ୍ୱ ବଢ଼ିଯାଇଛି । ମୂଳତଃ ଏଭଳି ଏକ ବିଚାର ପଛରେ ଯେଉଁ ଯୁକ୍ତିଟି ରହିଛି ତାହା ହେଲା ଯେ ଏକ ସମୟରେ ନିର୍ବାଚନ ଅଧିକ ଦକ୍ଷ ଭାବେ ଏବଂ କମ୍ ଖର୍ଚ୍ଚରେ କରାଯାଇପାରିବ । ୧୯୬୯ ମସିହାରୁ ଅନୁଷ୍ଠିତ ହୋଇ ଚାଲିଥିବା ବିଭିନ୍ନ ସମୟରେ ଏବଂ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ବୟବହୁଳ ହେବାର ଦୃଷ୍ଟାନ୍ତ ରହିଆସିଛି । ଅଧିକିନ୍ତୁ, ଏହା ମଧ୍ୟ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ନିର୍ବାଚନ ହେଉଥିବା ଯୋଗୁଁ ଯେଉଁ ଆଚାର ସଂହିତା ଲାଗୁ ହୋଇଥାଏ, ସେଥିପାଇଁ ଯେଉଁଭଳି ନୀତିନିଷ୍ପତ୍ତି ନେବାରେ ଅନ୍ତରାୟ ସୃଷ୍ଟି ହୋଇଥାଏ ତାକୁ ହଟେଇବା ପାଇଁ ସକ୍ଷମ ହେବ । ଏଭଳି ଯୁକ୍ତିଗୁଡ଼ିକ ନିହାତି ପରିଚାଳନାଗତ ସ୍ୱଭାବର ଏବଂ ସାମ୍ବିଧାନିକ ନୀତି ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଏଥିରେ ଆଦୌ ସମ୍ମାନ ଥିବା ଦେଖାଯାଏ ନାହିଁ ।

ଯଦି ଏଭଳି ଏକ ବିଚାରକୁ କାର୍ଯ୍ୟକାରୀ କରାଯାଏ ତେବେ ଅଧିକାଂଶ ରାଜ୍ୟ ବିଧାନସଭାର ସମୟକାଳକୁ କାଣ୍ଟଛାଣ୍ଟ କରିବାକୁ ପଡ଼ିବ । ତାକୁ ଯଦି ଆମେ ଅର୍ଥପୂର୍ଣ୍ଣ ଭାବେ କହିବା ଗୋଟିଏ ଗଣତାନ୍ତ୍ରିକ ଜନମତକୁ ଏହାଦ୍ୱାରା ନ୍ୟୁନ କରିଦିଆଯିବ । ଯଦିବି ସମ୍ବିଧାନର ଧାରା ୩୫୬କୁ ପ୍ରୟୋଗ ନକରି ଏଭଳି ଏକ ପ୍ରକ୍ରିୟାକୁ ନିଶ୍ଚିତ କରାଯାଏ ଓ ତାକୁ ସର୍ବସମ୍ମତି କ୍ରମେ କାର୍ଯ୍ୟକାରୀ କରାଯାଏ, ତେବେବି ତାହା ସଂଘିୟ ନୀତିଗୁଡ଼ିକୁ କ୍ଷତି ପହଞ୍ଚାଇବ । ଯଦିଓ ଏକାବେଳେ ନିର୍ବାଚନ ନକରାଇବା ସେତେବେଳର କେନ୍ଦ୍ରସରକାରଙ୍କର ଏକ ଧୋକ୍କା ଥିଲା କିନ୍ତୁ ସମୟକ୍ରମେ ରାଜନୈତିକ ଦଳମାନଙ୍କର ଭିତରେ ଥିବା ସମ୍ବନ୍ଧରେ ପରିବର୍ତ୍ତନ ଆସିବା ଯୋଗୁଁ ଏହା ସଂଘବାଦକୁ ସୁଦୃଢ଼ କରିଆସିଛି ମାତ୍ର । ଯେତେବେଳେ ନିର୍ଦ୍ଦିଷ୍ଟ ରାଜ୍ୟଗୁଡ଼ିକରେ ଅଲଗା ଅଲଗା ସମୟରେ ନିର୍ବାଚନ ହୁଏ ସେତେବେଳେ ଆଞ୍ଚଳିକ ରାଜନୈତିକ ଶକ୍ତିଗୁଡ଼ିକୁ ସ୍ଥାନୀୟ ସମସ୍ୟାଗୁଡ଼ିକ ଉପରେ ନିଜର ଧ୍ୟାନ ଅଧିକ କେନ୍ଦ୍ରିତ କରିବା ପାଇଁ ସୁଯୋଗ ମିଳିଥାଏ । ଏକାବେଳେ ନିର୍ବାଚନ କଲେ ଏହି ସବୁ ସୁଯୋଗଗୁଡ଼ିକ ବିପନ୍ନ ହେବାର ସମ୍ଭାବନା ଥାଏ ଏବଂ କେନ୍ଦ୍ରୀୟ ଶକ୍ତିଟି ଅଧିକ ସୁଦୃଢ଼ ହେବାର ସମ୍ଭାବନା ଥାଏ, ବିଶେଷକରି ଯେତେବେଳେ ବ୍ୟାପକ ସମ୍ବଳ କେନ୍ଦ୍ର ହାତରେ ଠୁଳ ହୋଇଯାଏ ଓ ଗୋଟିଏ ଦଳ ତାକୁ ନିୟନ୍ତ୍ରଣ କରିବାର ସ୍ଥିତି ଉପୁଜିଥାଏ । ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ଯୋଗୁଁ, ଯାହାକି ଲୋକସଭା ନିର୍ବାଚନ ଠାରୁ ପୃଥକ୍ ଭାବେ ହୋଇଥାଏ, କେନ୍ଦ୍ର ସରକାରଙ୍କ ଉପରେ ଗଣତାନ୍ତ୍ରିକ ଚାପ ସୃଷ୍ଟି କରିବା ପାଇଁ ଏହା କାମ କରିଥାଏ । ଏତଦ୍ ବ୍ୟତୀତ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଯୋଗୁଁ କେନ୍ଦ୍ରସରକାର ନିଜର ଜନବିରୋଧୀ ନୀତିଗୁଡ଼ିକୁ ସୁଧାରିବା ଓ ଜନଗଣଙ୍କର ଦାବୀ ପ୍ରତି ଅଗ୍ରାଧିକାର ଦେବା କ୍ଷେତ୍ରରେ ଚାପ ସୃଷ୍ଟି କରିବା ପାଇଁ ସୁଯୋଗ ମିଳିଥାଏ ।

ପୁଣି ବିଧାନସଭା ମାଧ୍ୟମରେ କାର୍ଯ୍ୟପାଳିକାର ଯେଉଁ ଉତ୍ତରଦାୟିତ୍ୱ ରହୁଛି ସେ ସବୁ ନୀତିର ଖୋଲା ଉଲ୍ଲଂଘନ ହେବାର ସମ୍ଭାବନା ଥାଏ ଯଦି ଏକା ସମୟରେ ନିର୍ବାଚନ କରିବା ପାଇଁ ପ୍ରସ୍ତାବଟିକୁ ଆଗକୁ ନିଆଯାଏ । ଏହା ଏଇଥିପାଇଁ କି ଯେ ଏକା ସମୟରେ ନିର୍ବାଚନକୁ କାର୍ଯ୍ୟକାରୀ କରିବାକୁ ହେଲେ ସରକାରଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ସମୟକାଳ ନିର୍ଦ୍ଧାରିତ କରାଯାଇଥାଏ । ଯଦି ଏଭଳି ଏକ ବ୍ୟବସ୍ଥା ନିରୁପିତ କରା ନଯାଏ ତେବେ ଏକା ସମୟରେ ନିର୍ବାଚନ କରିବାର ପ୍ରଣାଳୀଟି ଭାଙ୍ଗି ଯିବାର ସମ୍ଭାବନା ଥାଏ ଯଦି କେବେ କୌଣସି ସରକାରଙ୍କ ବିରୁଦ୍ଧରେ (କେନ୍ଦ୍ର ହେଉ ବା ରାଜ୍ୟ) ଅନାସ୍ଥା ପ୍ରସ୍ତାବ ସଫଳତାର ସହିତ କାର୍ଯ୍ୟକାରୀ ହୁଏ । ଯାହାଫଳରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଅନୁଷ୍ଠିତ କରିବାକୁ ପଡ଼େ । ଏଭଳି ଘଟଣା ଘଟିଲେ ତା’ର ମୁକାବିଲା ପାଇଁ ଏକ ତଥାକଥିତ ଗଠନମୂଳକ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଉଦ୍ୟମ କରାଯାଇପାରେ (ଯାହାକି ଏକ ବିକଳ୍ପ ବ୍ୟବସ୍ଥାର ବନ୍ଦୋବସ୍ତ ପାଇଁ ସମ୍ଭାବନା ଥିବାର ପ୍ରମାଣ ଦେଇ), ରାଷ୍ଟ୍ରପତି ଶାସନ ଅବା ଅବଶିଷ୍ଟ ସମୟକାଳ ପାଇଁ ତୁରନ୍ତ ନିର୍ବାଚନ ଇତ୍ୟାଦି ପଦକ୍ଷେପ ସମ୍ପର୍କରେ ମଧ୍ୟ ବିଚାର ଆସିପାରେ । ଏ ଭିତରୁ କୌଣସିଟି ବିଚାର ସମ୍ବିଧାନରେ ସ୍ଥାନ ପାଇନାହିଁ । ନିର୍ଦ୍ଦିଷ୍ଟ ସମୟକାଳର ଯୁକ୍ତି ବାଢ଼ିବା ବେଳେ ସ୍ଥିରତା ଏବଂ ଧାରାବାହିକତାର ମୂଲ୍ୟବୋଧ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ, କିନ୍ତୁ ଗଣତନ୍ତ୍ରର ଯେଉଁ ସକାରାତ୍ମକ ଅସ୍ଥିରତା ସୃଷ୍ଟିକାରୀ ଶକ୍ତି ଅଛି ତାକୁ ଜାଣିଶୁଣି ବଳି ଦିଆଯାଏ । ଗଠନମୂଳକ ଅନାସ୍ଥାପ୍ରସ୍ତାବର ବିଚାର ବ୍ୟବସ୍ଥାପକ ସଭା ପ୍ରତି ଥିବା ଉତ୍ତରଦାୟିତ୍ୱକୁ ପାଣିଚିଆ କରିଦେଇପାରେ ଓ ଏଭଳି ଏକ ପ୍ରଶ୍ନ ମଧ୍ୟ ଉତ୍ଥାପନ କରିପାରେ ଯେ ଗଣତନ୍ତ୍ରରେ ଆମେ ସ୍ଥିରତାକୁ ଦାୟିତ୍ୱବୋଧତା ତୁଳନାରେ ଅଧିକା ଗୁରୁତ୍ୱ ଦେଇପାରିବା କି? ଏଭଳି ପାଣିଚିଆ କରିବା ନୀତି ଭାରତର ରାଜନୀତିକୁ ରାଷ୍ଟ୍ରପତି କେନ୍ଦ୍ରିତ କରିବାର ପ୍ରକ୍ରିୟାକୁ ଅଧିକ ବଳିଷ୍ଠ କରିପାରେ । ଏଭଳି ପ୍ରକ୍ରିୟା ଦ୍ୱାରା ବଡ଼ ବଡ଼ ରାଜନୈତିକ ଦଳମାନେ ମଧ୍ୟ ଏକକାଳୀନ ନିର୍ବାଚନ ବେଳେ ଅଧିକ ଲାଭବାନ ହୋଇପାରନ୍ତି ଯେଉଁମାନଙ୍କ ପାଖରେ ଅଧିକ ସମ୍ବଳ ଅଛି ଓ ପହଞ୍ଚ ମଧ୍ୟ ଅଧିକ ଅଛି । ଏମିତି ହେଲେ ରାଜନୈତିକ ପ୍ରତିଦ୍ୱନ୍ଦିତା ଅଧିକରୁ ଅଧିକ ଦୁଇଟି ଦଳ ଭିତରେ ଅନୁଷ୍ଠିତ ହେବ ଓ ନେତାମାନଙ୍କର ବ୍ୟକ୍ତିତ୍ୱ ଏହିଭଳି ପ୍ରତିଦ୍ୱନ୍ଦିତାର କେନ୍ଦ୍ରରେ ରହିବ ।

ଉପରେ କୁହାଯାଇଥିବା ପରିଚାଳନାଗତ ଆୟୁଧର ଅବଧାରଣା ଗଣତାନ୍ତ୍ରିକ ମୂଲ୍ୟବୋଧର ବିଷୟବସ୍ତୁକୁ ମୌଳିକ ଭାବେ ଅସୁବିଧାରେ ପକାଏ ଯେଉଁ ମୂଲ୍ୟବୋଧ ଜନପ୍ରିୟ ସାର୍ବଭୌମତାର ବିଚାର ଉପରେ ଆଧାରିତ । ଏଭଳି ଏକ ଅବଧାରଣା ନିର୍ବାଚନକୁ କେବଳ ଏକମାତ୍ର ପ୍ରଣାଳୀ ବା ବିଧି ହିସାବରେ ଦେଖିଥାଏ ଯଦ୍ୱାରା କି ଲୋକମାନଙ୍କୁ ଏବଂ ଗୋଟିଏ ଦେଶରେ ଶାସନ କରିବା ପାଇଁ କେବଳ ଗୋଟିଏ ସରକାରକୁ ନିର୍ବାଚିତ କରାଯାଇପାରିବ । (ପରିଚାଳନାବାଦ୍ର ଏହି ଚରମ ଢାଞ୍ଚାଟି ଶାସନ ବ୍ୟବସ୍ଥା ପାଇଁ ନିର୍ବାଚନଟି ଏକ ପ୍ରତିବନ୍ଧକ ବୋଲି ମଧ୍ୟ ପରେ ବିଚାର କରିପାରେ ।) ଏହିଭଳି ଏକ ମନୋବୃତ୍ତି ଧରି ନେଇଯାଇଥାଏ ଯେ ଲୋକମାନେ କେବଳ ନିଷ୍କ୍ରିୟ ଭୋଟଦାତା ଯେଉଁମାନେ ପ୍ରତି ୫ବର୍ଷରେ ଥରେ କେବଳ ଭୋଟ ହିଁ ଦେବେ ଏବଂ ତା’ପରେ ସରକାରଙ୍କର କାର୍ଯ୍ୟଧାରାରୁ ଅବ୍ୟାହତ ନେଇଯିବେ ଓ ସମସ୍ତ ଦାୟିତ୍ୱ କାର୍ଯ୍ୟନିର୍ବାହୀକୁ ନ୍ୟସ୍ତ କରିଦେବେ । କିନ୍ତୁ ରାମ ମନୋହର ଲୋହିଆ ଯେମିତି ଯୁକ୍ତି କରୁଥିଲେ ଯେ ‘ଜନ୍ତା କୌମେଁ ପାଂଚ ସାଲ୍ ଇନ୍ତେଜାର୍ ନହିଁ କରସକ୍ତି’ (ସକ୍ରିୟ ଜନଗଣ ପାଂଚବର୍ଷ ଯାଏଁ ପ୍ରତିକ୍ଷା କରିପାରିବେ ନାହିଁ) । ଜନପ୍ରିୟ ସଂସଦ ବାହାରର ଆନ୍ଦୋଳନ ସହିତ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନଗୁଡ଼ିକ ଜନଗଣଙ୍କୁ ସକ୍ରିୟ ରଖିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ ଯାହା ଗୋଟିଏ ଗଣତନ୍ତ୍ରର ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ । ସର୍ବୋପରେ ନିର୍ବାଚନ ମାଧ୍ୟମରେ ଜନପ୍ରିୟ ସାର୍ବଭୌମତାର ନୀତିକୁ ପ୍ରୟୋଗ କରାଯାଇଥାଏ । ଜଣେ ହୁଏତ ଏଭଳି ଯୁକ୍ତି କରିପାରେ ଯେ ଗୋଟିଏ ଅର୍ଥ ଏବଂ ଗଣମାଧ୍ୟମ ଦ୍ୱାରା ନିର୍ଦ୍ଧାରିତ ହେଉଥିବା ନିର୍ବାଚନରେ ଜନଗଣଙ୍କର କାର୍ଯ୍ୟକାରିତା ରହିବାର ସମ୍ଭାବନା ବା କ’ଣ ଅଛି, କିନ୍ତୁ ଏକ ସମୟରେ ନିର୍ବାଚନ କରିବାର ଯୁକ୍ତିଟି ଆପଣାଛାଏଁ ଏହିଭଳି ଏକ ସମ୍ଭାବନାକୁ ଆଗରୁ ହିଁ ନିଶ୍ଚିହ୍ନ କରିଦେବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top