ISSN (Print) - 0012-9976 | ISSN (Online) - 2349-8846

ଯେଉଁ କ୍ଷତିଟିକୁ ଏଡ଼ାଇ ଦିଆଯାଇପାରିଥାନ୍ତା

ଉତ୍କଟ ଏନ୍ ସେଫାଲାଇଟିସ୍ ରୋଗଟିର ମୁକାବିଲା ପାଇଁ ଗୁରୁତ୍ୱ ଦେଇ ପଦକ୍ଷେପ ନେବାର ଆବଶ୍ୟକତା ଅଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

କୁହାଯାଏ ଯେ, ନିଜ ପିଲାଟିର ମୃତ୍ୟୁ ତୁଳନାରେ ଦୁନିଆରେ ସେଭଳି ଅନ୍ୟ କୌଣସି ଦୁଃଖଦ ଘଟଣା ନାହିଁ, ଯେହେତୁ ବିତିଯାଇଥିବା ଦିନଗୁଡ଼ିକ ପୁଣିଥରେ ଫେରିଆସି ପାରେନାହିଁ । ଯଦି କଥାଟି ଏମିତି, ତେବେ ବିଗତ କିିଛିମାସ ଭିତରେ ବିହାରର ମୁଜାଫରପୁର ଜିଲ୍ଲାରେ ଉତ୍କଟ ଏନ୍ ସେଫାଲାଇଟିସ୍ ରୋଗ ଯୋଗୁଁ ସରକାରୀ ତଥ୍ୟ ଅନୁସାରେ ଯେଉଁ ୧୫୩ଜଣ ଶିଶୁ ମୃତ୍ୟୁବରଣ କଲେ ତାକୁ ଆମେ କିଭଳି ଦେଖିବା? ତଥ୍ୟ ଅନୁସାରେ ୧୯୯୫ ମସିହା ଠାରୁ ଏହି ରୋଗଟି ଏହି ଜିଲ୍ଲାଟିକୁ ପ୍ରଭାବିତ କରିଆସିଛି ଏବଂ ୨୦୧୦ରୁ ୨୦୧୪ ମଧ୍ୟରେ ଏଇଥିପାଇଁ ପାଖାପାଖି ୧ହଜାର ଶିଶୁଙ୍କର ଜୀବନ ଯାଇଛି । ରୋଗ ସମ୍ପର୍କିତ ଏଭଳି ଜ୍ଞାନ ଥିବାବେଳେ ଦେଶଟି ଅଧିକ ଏବଂ ବ୍ୟାପକ ଉଦ୍ୟମ ହାତକୁ ନେଇ ରୋଗଟିକୁ ସମ୍ପୂର୍ଣ୍ଣ ଭାବେ ନିମୂଳ କରିବା ଅବା ଅନ୍ତତଃ ନିୟନ୍ତ୍ରଣ କରିବା ପାଇଁ ଗୁରୁତ୍ୱର ସହ ପୁରା ଦମ୍ ରେ ଲାଗିପଡ଼ିବା ଉଚିତ ଥିଲା । ତା’ ପରିବର୍ତ୍ତେ ବର୍ଷକୁ ବର୍ଷ ଗଣମାଧ୍ୟମରେ ଏବଂ ଅନ୍ୟାନ୍ୟ ସାଧାରଣ କ୍ଷେତ୍ରରେ ଧାରାବାହିକ ଭାବେ ଏହି ଘଟଣାର ଭୟାବହତାକୁ ଆମେ କେବଳ ଦେଖିଆସିଛୁ । ମରିଯାଇଥିବା ଶିଶୁମାନଙ୍କର ଶରୀରକୁ ହାତରେ ଧରି କରୁଣ ସ୍ଥିତିରେ ଥିବା ବାପା, ମା’ଙ୍କର ଛବିଗୁଡ଼ିକ ଯେକୌଣସି ଲୋକଙ୍କୁ ମୁକ କରିଦେବ । ଅନ୍ୟପଟେ ରୋଗର କାରଣ ସମ୍ପର୍କରେ ଅନୁମାନ ଲଗାଉଥିବା ଅନେକ ରିପୋର୍ଟ ମଧ୍ୟ ଅଛି । ରାଜନୈତିକ ଶ୍ରେଣୀ ଏବଂ ରାଜ୍ୟରେ ଶାସନରେ ଥିବା ଲୋକେ ଏହି ସ୍ୱାସ୍ଥ୍ୟ ଦୁର୍ବିପାକକୁ ଦୂରେଇବା ପାଇଁ ସ୍ଥିର ଏବଂ କୌଶଳଭିତ୍ତିକ ପଦକ୍ଷେପ ନେବା ପରିବର୍ତ୍ତେ କେବଳ ବକ୍ତବ୍ୟ ଏବଂ କୈଫତ ରଖିବାର ଦୃଷ୍ଟାନ୍ତ ହିଁ ଦେଖାଯାଉଛି । ବର୍ତ୍ତମାନ ଯେଉଁ ଘଟଣାଟି ଘଟିଲା ସେଥିରେ ମଧ୍ୟ ଅନ୍ୟ କୌଣସି ଭିନ୍ନ ସ୍ଥିତି ଦେଖିପାରୁ ନାହୁଁ ।

ଯେଉଁ କଥାଟି ଅଧିକ ମନକୁ ସ୍ପର୍ଶ କରୁଛି ତା ହେଲା ଯେ, ଯେଉଁ ଡାକ୍ତରମାନେ ଅବା ଭେଷଜ ଗବେଷକମାନେ ବର୍ଷ ବର୍ଷ ଧରି ଏହି ଜିଲ୍ଲାଟିକୁ ଗସ୍ତ କରିଛନ୍ତି ସେମାନେ ବାରମ୍ବାର କହିଆସିଛନ୍ତି ଯେ, ମୃତ୍ୟୁକୁ ରୋକିବାଟା କଷ୍ଟକର ନୁହେଁ । ପିଲାମାନେ ଲିଚୁ ଖାଇ ମୃତ୍ୟୁବରଣ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି, କିନ୍ତୁ ଏହା କେବଳ ସେହି ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଛି ଯେଉଁମାନେ ସାଧାରଣତଃ ପୁଷ୍ଟିହୀନତାର ଶିକାର ହୋଇଆସିଛନ୍ତି । ଯେଉଁମାନେ ପୁଷ୍ଟିହୀନତା ଦ୍ୱାରା ପ୍ରଭାବିତ ହୋଇ ନାହାନ୍ତି ସେହି ପିଲାମାନେ ଯେତେବେଳେ ଲିଚୁ ଖାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟାଟି ଦେଖାଯାଉ ନାହିଁ । ଏକଥା ମଧ୍ୟ ଦେଖାଯାଇଛି ଯେ ରୋଗ ଲକ୍ଷଣ ଦେଖାଯିବାର ପ୍ରଥମ ଚାରିଘଣ୍ଟା ଭିତରେ ଯଦି ଗ୍ଲୁକୋଜ ଦିଆଯାଏ ତେବେ ଜୀବନ ବଞ୍ଚାଇବା ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । କିନ୍ତୁ ଉଭୟ କ୍ଷେତ୍ରରେ ପୁଷ୍ଟିହୀନତା ଓ ଗ୍ଲୁକୋଜର ଉପଲବଧି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ତାଲିମପ୍ରାପ୍ତ ଡାକ୍ତରମାନଙ୍କର ଉପସ୍ଥିତି ଇତ୍ୟାଦିରେ ରାଜ୍ୟ ସରକାର ବିଗତ ବର୍ଷମାନଙ୍କରେ କୌଣସି ବ୍ୟଗ୍ରତା ଦେଖାଇ ନାହାନ୍ତି । ସେହି ଜିଲ୍ଲାରେ ଥିବା ଶ୍ରୀକୃଷ୍ଣ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭୁତାଣୁ ପରୀକ୍ଷା କରିବା ପାଇଁ ଗୋଟିଏ ପରୀକ୍ଷାଗାର ନାହିଁ, ଏହାଠୁ ଅଧିକ ପ୍ରମାଣ ଅବା କ’ଣ ଥାଇପାରେ । ଏହି ହସ୍ପିଟାଲରେ ଯଥେଷ୍ଟ ସଂଖ୍ୟକ ଶଯ୍ୟା ଶିଶୁମାନଙ୍କ ପାଇଁ ମଧ୍ୟ ନାହିଁ । ଏମିତି ପରିସ୍ଥିତିରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା କ’ଣ ଥିବ ଆମେ କେବଳ କଳ୍ପନା ହିଁ କରିପାରିବା ।

ଏମିତି ଅନେକ ଦିଗ ଅଛି ଯାହା ସୂଚିତ କରାଉଛି ଯେ କାହିଁକି ବିଭିନ୍ନ ରାଜ୍ୟରେ ଏହିଭଳି ଦୁଃଖଦ ଘଟଣା ଘଟିଚାଲିଛି । ଏମିତି ଏକ ଉଦାହରଣ ଆମ ମନରେ ଏବେବି ଅଛି, ଯାହା ୨୦୧୭ ମସିହାରେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଘଟିଥିଲା ଯେଉଁଠି ୭୦ଜଣ କୁନି ଛୁଆ ମୃତ୍ୟୁବରଣ କରିଥିଲେ । ସେହି ଘଟଣାଟିରେ ଯେତେବେଳେ ରାଜ୍ୟ ସରକାର କହୁଥିଲେ ଯେ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିଲା ସେତେବେଳେ ବିଭିନ୍ନ ରିପୋର୍ଟ ଇଙ୍ଗିତ କରିଥିଲା ଯେ ଅକ୍ସିଜେନ ସିଲିଣ୍ଡର ଅଭାବରୁ ଶ୍ୱାସରୁଦ୍ଧ ହୋଇ ପିଲାମାନଙ୍କର ମୃତ୍ୟୁ ଘଟିଥିଲା । ଅକ୍ସିଜେନ ସିଲିଣ୍ଡର ଯୋଗାଣକାରୀ ପଇସା ପୈଠ ନହୋଇଥିବା ଯୋଗୁଁ ଯୋଗାଣ ବନ୍ଦ କରିଦେଇଥିଲା । ଏହା ବି ଏକ କଥା ଯେ ସେହି ରାଜ୍ୟରେ ଗୋରଖପୁର ଜିଲ୍ଲାରେ ଜାପାନିଜ୍ ଏନ୍ ସେଫାଲାଇଟିସ୍ ରୋଗର ଘଟଣା ସବୁଠାରୁ ଅଧିକ ।

ରାଜ୍ୟସାରା ଯେଉଁସବୁ ସାଧାରଣ କାରଣଗୁଡ଼ିକ ଯୋଗୁଁ ପିଲାମାନେ ହସ୍ପିଟାଲରେ ଭର୍ତ୍ତି କରିବା ସତ୍ୱେ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରିଥାନ୍ତି ତାହା ହେଲା; ପିତାମାତାଙ୍କର ପୁଷ୍ଟି ଜନିତ ସ୍ଥିତି, ସେମାନଙ୍କ ପରିବାରର ଦାରିଦ୍ର୍ୟ ଓ ଡାକ୍ତରଖାନାଗୁଡ଼ିକରେ ମିଳୁଥିବା ସୁବିଧାଗୁଡ଼ିକର କରୁଣ ସ୍ଥିତି । ସ୍ୱାସ୍ଥ୍ୟକର୍ମୀମାନେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଜୀବନ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଔଷଧ, ଡାକ୍ତରୀ ଯନ୍ତ୍ରପାତି, ଡାକ୍ତର ଏବଂ ସେବିକା ଇତ୍ୟାଦି ଜରୁରୀକାଳୀନ ଭିତ୍ତିରେ ଯୋଗାଇବା ପାଇଁ ଡାକରା ଦେଇଆସୁଛନ୍ତି । କିନ୍ତୁ ଏହା ହୋଇପାରିବ ଯଦି ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଦିଆଯାଇ ଯେଉଁଠି ଡାକ୍ତରୀ କର୍ମଚାରୀଙ୍କ ପାଇଁ ରହିବା ପାଇଁ ସର୍ବନିମ୍ନ ସୁସ୍ଥ ପରିବେଶ ଥିବ । ସରକାର ଏହିସବୁ ଅବସ୍ଥା ସୃଷ୍ଟି କରିବା ପାଇଁ ତୁରନ୍ତ ନିଜର କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକ ହେଉଛି । ବିଗତ ବର୍ଷମାନଙ୍କରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାଟି ବିଗିଡ଼ି ବିଗିଡ଼ି ଯିବାର କଥାଟି ଉପରେ ଧାରାବାହିକ ଭାବରେ ଚେତାବନୀ ଦିଆଯାଇ ଆସିଛି ଓ ପାଣ୍ଠିର ଅଭାବ ତଥା ଘରୋଇ ଡାକ୍ତରଖାନାଗୁଡ଼ିକ ହୃଷ୍ଟପୁଷ୍ଟ ହେବା ସ୍ଥିତି ଯୋଗୁଁ ଏହା ଘଟୁଛି ବୋଲି ମଧ୍ୟ କୁହାଯାଇଛି । ଏତଦ୍ ବ୍ୟତିରେକ ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଯେ ଦରିଦ୍ର ପରିବାରଗୁଡ଼ିକ ଭିତରେ ଲାଗିରହିଥିବା ପୁଷ୍ଟିହୀନତା ସ୍ଥିତି ନେଇ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିବାର ଆବଶ୍ୟକତା ମଧ୍ୟ ରହିଛି । କୁ-ପୋଷଣ ଯୋଗୁଁ ଜୀର୍ଣ୍ଣ ଅବସ୍ଥାରେ ବଢ଼ୁଥିବା ପାଞ୍ଚବର୍ଷ ବୟସସୀମା ତଳର ଶିଶୁମାନଙ୍କର ସଂଖ୍ୟା ଯେଉଁଭଳି ବଢ଼ିଚାଲିଛି ବିଶେଷକରି ବିହାର ରାଜ୍ୟରେ ଏବଂ ଏହି ଜିଲ୍ଲାଟିରେ ଓଜନବିହୀନ ବା ନଷ୍ଟ ହେଉଥିବା ପିଲାଙ୍କ ସଂଖ୍ୟା ଯେଉଁଭଳି ବଢ଼ିଚାଲିଛି, ତା’ର ମୁକାବିଲା ପାଇଁ ବିହାର ସରକାର ରଣନୀତି ନିର୍ଦ୍ଧାରଣ କରିବା ଦରକାର ।

ଖବରକାଗଜର ସୂତ୍ରରୁ ଯାହା ଜଣାପଡ଼ୁଛି ଯେ ମୁଜାଫରପୁର ହସ୍ପିଟାଲକୁ କେନ୍ଦ୍ର ଏବଂ ରାଜ୍ୟର ମନ୍ତ୍ରୀ ଓ ରାଜନେତାମାନେ ପରିଦର୍ଶନରେ ଗଲାବେଳେ ରୋଗୀମାନଙ୍କର ପରିବାରବର୍ଗ କ୍ରୋଧିତ ପ୍ରତିକ୍ରିୟା ଦେଖାଇ ଥିଲେ ଏବଂ ସେମାନଙ୍କ ଭିତରୁ ଅନେକ ଦାବୀ ବି କରିଥିଲେ ଯେ ଏହି ପରିଦର୍ଶକମାନେ ଫେରିଯିବା ଉଚିତ । ଏହି ପରିବାରଗୁଡ଼ିକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ହସ୍ପିଟାଲର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ଓ ଭୂତାଣୁ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ । ଅବଶ୍ୟ ମୂଳ ପ୍ରଶ୍ନଟି ହେଉଛି ଏଭଳି ଆଗରୁ କାହିଁକି କରାଯାଇ ନଥିଲା । କର୍ତ୍ତୃପକ୍ଷଙ୍କ ଦ୍ୱାରା ଅବହେଳା କରାଯାଉଛି ବୋଲି ରୋଗୀମାନଙ୍କ ପରିବାର ପକ୍ଷରୁ ଯେଉଁ କ୍ରୋଧ ଦେଖିବାକୁ ମିଳିଥିଲା ତାହା କେବଳ ମୁଜାଫରପୁରରେ ସୀମିତ ନଥିଲା ବା କେବଳ ସେଠାରେ ଉପୁଜିଥିବା ଅବସ୍ଥାରେ ସୀମିତ ନଥିଲା ।

ଏହା ସ୍ପଷ୍ଟ ଯେ ସ୍ୱାସ୍ଥ୍ୟସେବାର ଉପଲବଧ କଥା ଯେତେବେଳେ ଉଠୁଛି, ଗରିବ ଲୋକମାନେ ନିରାଶ ହେଉଥିବା ଏବଂ ଅବହେଳିତ ହେଉଥିବା ଯୋଗୁଁ କ୍ରୋଧିତ ହେଉଛନ୍ତି । ଅଧିକାଂଶ ସମୟରେ ଡାକ୍ତରମାନଙ୍କ ଆଡ଼କୁ କ୍ରୋଧଟି ଚାଲିଯାଉଛି ଯେହେତୁ ସେମାନଙ୍କୁ ଏହି ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥାର ଅଂଶ ରୂପେ ଦେଖାଯାଉଛି । ସାଧାରଣ ସ୍ତରରେ ଏବଂ ବିଶେଷକରି ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗଣମାଧ୍ୟମ, ସେଠି ଏଭଳି ଅନ୍ୟାୟର ଭାବନା ଓ କ୍ରୋଧର ପ୍ରତିଫଳନ ହେବା ଉଚିତ: କେବଳ ମାତ୍ର ଡାକ୍ତରମାନଙ୍କ ବିରୋଧରେ ହେଉଥିବା ହିଂସାତ୍ମକ ଘଟଣାର ରିପୋର୍ଟ ପ୍ରକାଶିତ କରି ନୁହେଁ ଅବା ପ୍ରଦର୍ଶନରେ ଯାଇଥିବା ରାଜନୈତିକ ନେତାମାନଙ୍କ ବିରୋଧରେ ହେଉଥିବା ବିରୋଧକୁ ଦର୍ଶାଇ ନୁହେଁ । ଯଦି ବି ଏଡ଼ାଇ ଦିଆଯାଇପାରୁଥିବା ଗୋଟିଏ ମୃତ୍ୟୁ ଘଟେ ତାହା ନିଶ୍ଚୟ ଏକ ଲଜ୍ଜାକର ବିଷୟ ମାତ୍ର ଓ ସେ ସମ୍ପର୍କରେ ଆମେମାନେ ବଳିଷ୍ଠ ଭାବେ ଭାବିବା ଦରକାର ଏବଂ ତାକୁ ଏଡ଼ାଇବା ପାଇଁ କାମ କରିବା ମଧ୍ୟ ଦରକାର ।  

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top