ISSN (Print) - 0012-9976 | ISSN (Online) - 2349-8846

ଧର୍ମଘଟର ଡାକରା

ଡାକ୍ତରମାନେ ସ୍ୱାସ୍ଥ୍ୟକର୍ମୀମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାରୁ ସୁରକ୍ଷା ଦେବାପାଇଁ ଦାବୀ କରିବା କଥାର ଆଗକୁ ଯିବାର ଆବଶ୍ୟକତା ଅଛି

 

କଲିକତାର ଗୋଟିଏ ଡାକ୍ତରଖାନାରେ ଜଣେ ମୃତ ରୋଗୀଙ୍କର ସମ୍ପର୍କୀୟମାନଙ୍କ ଦ୍ୱାରା ଦୁଇଜଣ ଡାକ୍ତରଙ୍କ ଉପରେ ଆକ୍ରମଣ ଏବଂ ପରବର୍ତ୍ତୀ ଘଟଣାକ୍ରମ ଏକ ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନରେ ପରିଣତ ହୋଇଥିଲା । ଏଇଟା ହେଉଛି ଗତ ସପ୍ତାହର କଥା । ଅସନ୍ତୋଷ ବ୍ୟାପୀ ଥିଲା ଯେତେବେଳେ ନିଲ୍ ରତନ ସରକାର ମେଡ଼ିକାଲ କଲେଜ ଓ ଡାକ୍ତରଖାନାର କନିଷ୍ଠ ଡାକ୍ତରମାନେ ଡାକ୍ତରଖାନା ପରିସରରେ ନିରାପତ୍ତାକୁ ବଢ଼ାଇବା ପାଇଁ ଦାବୀ କରିଥେôଲ । ମୁଖ୍ୟମନ୍ତ୍ରୀ ନିଜେ ଡାକ୍ତରମାନଙ୍କୁ ଚେତାବନୀ ଦେବା ଆରମ୍ଭ କଲେ ଯାହାର ପରିଣାମ ସ୍ୱରୂପ ସହରର ଅନେକ ବରିଷ୍ଠ ଡାକ୍ତର ଇସ୍ତଫା ଦେବା ଆରମ୍ଭ କଲେ ଏବଂ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ ଆରମ୍ଭ କରିଥିଲେ ଯାହାର ଅନ୍ତିମ ପରିଣତି ଥିଲା ଯେ ୧୭ଜୁନ୍ ୨୦୧୯ଦିନ ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ୍ ଦ୍ୱାରା ରାଷ୍ଟ୍ରବ୍ୟାପୀ ଧର୍ମଘଟ ଡାକରା । ସମସ୍ତ ଅଣ-ଜରୁରୀକାଳୀନ ଡାକ୍ତରୀ ସେବା ଏମିତିକି ବର୍ହିବିଭାଗର ଡାକ୍ତରୀ ସେବା ଧର୍ମଘଟ ଦ୍ୱାରା ପ୍ରଭାବିତ ହେବା ଯୋଗୁଁ ସାରା ଦେଶରେ ରୋଗୀମାନଙ୍କୁ ନିଜ ରାସ୍ତା ନିଜେ ଖୋଜିବାକୁ ପଡ଼ିଥିଲା ।

ବେଶୀ ଦିନ ବି ହୋଇନି ଏଇ ମାତ୍ର ୨୦୧୭ ମସିହାରେ ଆମେ ଏକପ୍ରକାର ଅବସ୍ଥା ମହାରାଷ୍ଟ୍ରାରେ ଦେଖିଥିଲୁ ଯେତେବେଳେ ଡାକ୍ତରମାନଙ୍କ ଉପରେ ତୁହାକୁ ତୁହା ଆକ୍ରମଣ ହେବା ଯୋଗୁଁ ମହାରାଷ୍ଟ୍ରର ଆବାସିକ ଡାକ୍ତର ସଂଘ ୫ଦିନ ବ୍ୟାପୀ ଧର୍ମଘଟ କରିଥିଲେ । ସେତେବେଳେ ବି ସେମାନେ ସେଇ ସୁରକ୍ଷା ବୃଦ୍ଧି ପାଇଁ ପଦକ୍ଷେପ ନେବାପାଇଁ ଦାବୀ କରିଥିଲେ, ଯାହା ସେତେବେଳର ସରକାର ଶୁଣିଥିଲେ ମଧ୍ୟ । ୨ବର୍ଷ ବିତିଗଲା ପରେ ବି ଲାଗୁନାହିଁ ଯେ ଆମେ ସେଥିରୁ କିଛି ଶିଖିପାରିଛୁ, ଯେତେବେଳେ ଆମେ ଦେଖୁଛେ ଯେ ସେହି ନିରାପତ୍ତା ପ୍ରସଙ୍ଗରେ ହିଁ ଡାକ୍ତରମାନଙ୍କ ଦାବୀ ଉଠୁଛି ଏବଂ ସରକାରମାନଙ୍କର ସମାଧାନର ବାଟ ଖୋଜିବା ପାଇଁ ଅପେକ୍ଷା କରାଯାଉଛି । ଯେତେବେଳେ ଡାକ୍ତରମାନେ ଅଧିକ ସୁରକ୍ଷା ଓ ନିରାପତ୍ତା ପାଇଁ ଦାବୀ କରୁଛନ୍ତି ଏବଂ ଗୋଟିଏ ବଳିଷ୍ଠ ଆଇନ ଆଣିବା ପାଇଁ କହୁଛନ୍ତି ତାହା ନିଶ୍ଚିତ ଭାବେ ଯୁକ୍ତିଯୁକ୍ତ କିନ୍ତୁ ଏସବୁ କେବଳ କାମଚଳା ପଦକ୍ଷେପ ହିସାବରେ କାର୍ଯ୍ୟ କରିବ ।

କଲିକତାରେ ଧର୍ମଘଟ କରୁଥିବା ଡାକ୍ତରମାନେ ଏକ ଅଭିଯୋଗ ପ୍ରକୋଷ୍ଠ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ବିରୁଦ୍ଧରେ ହିଂସାକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ରୀୟ ଆଇନ ଅଣାଯାଉ ବୋଲି ମଧ୍ୟ ଦାବୀ କରିଥିଲେ । ଭାରତର ଡାକ୍ତର ସଂଘ ମଧ୍ୟ କେନ୍ଦ୍ରୀୟ ଆଇନ ଆଣିବା ପାଇଁ ଡାକରା ଦେବା ଏବଂ ନିରାପତ୍ତାର ଚର୍ଚ୍ଚା ଭିତରେ ନିଜକୁ ସୀମିତ ରଖିôଥିଲେ । ଯେତେବେଳେ କି ଏମିତି ଏକ ଆଇନ ପଶ୍ଚିମବଙ୍ଗରେ ଏବଂ ଅନ୍ୟାନ୍ୟ ରାଜ୍ୟରେ ଆଗରୁ ଅଛି ଯାହାକି ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହିଂସାକୁ ଏକ ଦଣ୍ଡନୀୟ ଅପରାଧ ଭାବରେ ମାନ୍ୟତା ଦେଇଛି, କିନ୍ତୁ ବିଡ଼ମ୍ବନାର କଥା ଯେ ସରକାର ଏହି ଆଇନଟିକୁ କାର୍ଯ୍ୟକାରୀ କରିନାହାନ୍ତି । ନିକଟରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ୁଛି ଯେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ସାମ୍ନା କରୁଥିବା ହିଂସାତ୍ମକ ଘଟଣାଗୁଡ଼ିକ ବଢ଼ି ବଢ଼ି ଏକ ସାଧାରଣ ଘଟଣାରେ ପରିଣତ ହୋଇଛି, କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ । ପ୍ରକୃତରେ ଗୋଟିଏ ଅଧ୍ୟୟନ କହୁଛି ଯେ ହିଂସାର ଏକ ବିରାଟ ଭାଗ ସେବିକାମାନଙ୍କୁ ଭୋଗୀବାକୁ ପଡ଼ୁଛି ଏଥିସହିତ ଜରୁରୀକାଳୀନ ସେବାରେ ଏବଂ ଆଇ.ସି.ୟୁରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀମାନେ ଯେଉଁମାନେ କି ସିଧାସଳଖ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କର ସଂସ୍ପର୍ଶରେ ଆସିଥାନ୍ତି ସେମାନେ ମଧ୍ୟ ହିଂସାର ଶିକାର ହୋଇଥାନ୍ତି । ଅନ୍ୟ ଏକ ଅଧ୍ୟୟନରୁ ଜଣାଯାଏ ଯେ ହିଂସାତ୍ମକ ଘଟଣାର ବୃଦ୍ଧି ପାଇଁ ଡାକ୍ତରମାନେ ଡାକ୍ତରଖାନାଗୁଡ଼ିକରେ ଦୀର୍ଘସମୟ ଧରି ପ୍ରତିକ୍ଷା କରିବା ସ୍ଥିତିକୁ ରୋଗୀମାନଙ୍କର ହତୋତ୍ସାହ ଓ ହିଂସ୍ର ହେବାର ଏକ ବଡ଼ କାରଣ ବୋଲି କହୁଛନ୍ତି । ୨୦୧୮ ମସିହାରେ ମଧ୍ୟ ଭାରତର ଏକ ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନେଇ ଯେଉଁ ଅଧ୍ୟୟନ କରଯାଇଥିଲା ସେଥିରୁ ଜଣାପଡ଼ୁଛି ଯେ କାର୍ଯ୍ୟକ୍ଷେତ୍ରରେ ହିଂସାତ୍ମକ ଘଟଣା ଲାଗିରହିଥିଲେ ବି ସେ ସମ୍ପର୍କରେ ଲିଖିତ ଅଭିଯୋଗ କରିବାର ଦୃଷ୍ଟାନ୍ତ ବହୁତ କମ୍ ଥିଲା ଯେହେତୁ ଡାକ୍ତରଖାନାରେ ରିପୋର୍ଟ କରିବାର ଢାଞ୍ଚା ଓ ପ୍ରକ୍ରିୟା ସମ୍ପର୍କରେ ସେମାନେ ପ୍ରାୟତଃ ଅବଗତ ନଥିଲେ । ଏଭଳି ସବୁ ଅନୁଧ୍ୟାନ ଇଙ୍ଗୀତ କରୁଛି ଯେ ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଏକ ଗଭୀର ବ୍ୟାଧି ଲାଗିରହିଛି ।

ଯଦିଓ କୌଣସି ପ୍ରକାର ହିଂସାକୁ ନ୍ୟୁନ କରିହେବ ନାହିଁ ଯାହା ଜଣେ ମୃତ ରୋଗୀଙ୍କର କ୍ଷୁବ୍ଧ ସମ୍ପର୍କୀୟଙ୍କ ଦ୍ୱାରା ଡାକ୍ତରଙ୍କ ଆକ୍ରମଣ କରାଯାଉଥିବା କ୍ଷେତ୍ରରେ ହେଉ ଅବା ଯାହା ଡାକ୍ତରମାନଙ୍କର ଧର୍ମଘଟ ଯୋଗୁଁ ରୋଗୀମାନେ ହନ୍ତସନ୍ତ ହେଉଥିବା ଅବସ୍ଥା ଯୋଗୁଁ ହେଉ  । ଏହିସବୁ ଯେଉଁ ଅବସ୍ଥା ଘଟିଛି ସେସବୁକୁ ଯୁକ୍ତିଯୁକ୍ତ କରିବା ପାଇଁ ନୁହେଁ ବରଂ ତର୍ଜମା କରିବା ପାଇଁ ପରିସ୍ଥିତି ସୃଷ୍ଟି କରିଛି । ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମହାମାରୀ ପରି ବ୍ୟାପିଥିବା ସମସ୍ୟାଗୁଡ଼ିକ ଗୋପନୀୟ ନୁହେଁ । ଯେତେବେଳେ ଧର୍ମଘଟ ଚାଲିଥିଲା ସେତେବେଳେ ବିହାରର ମିର୍ଜାଫର୍ପୁର ଜିଲ୍ଲାର ‘ଏନ୍ସେଫାଲାଇଟିସ୍’ ରୋଗ ଭିଷଣ ଭାବେ ବ୍ୟାପିଥିବାର ଖବର ପ୍ରଘଟ ହୋଇଥିଲା । ଯେଉଁଥିରେ ୧୦୦ରୁ ଅଧିକ ଶିଶୁ ମୃତ୍ୟୁବରଣ କରିôଥଲେ, ସେମାନଙ୍କ ସଂଖ୍ୟା ଗଣିବା କାମଟି ଅବ୍ୟାହତ ରହିଥିଲା । ଏଭଳି ଏକ ରୋଗ ବ୍ୟାପିବା ଘଟଣାଟି ଦର୍ଶାଉଛି ଯେ ଆମ ସାଧାରଣ ସ୍ୱାସ୍ଥ୍ୟ ସେବାଟି କେତେ ପଙ୍ଗୁ ଏବଂ ଦକ୍ଷତା ବିହୀନ ଏବଂ ତାହା ବି ଏଭଳି ଏକ ରାଜ୍ୟରେ ଘଟିଛି ଯେଉଁଠି ଏହି ରୋଗର ପ୍ରଭାବ ସ୍ୱାଭାବିକ । ଯାହା ଖବରରୁ ଜଣାପଡ଼ୁଛି ଯେ ମିରଜାଫର୍ପୁର ଜିଲ୍ଲାର କୌଣସି ବି ଜନସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦ୍ଧାରିତ ଗୁଣମାନର ଆବଶ୍ୟକତା ପୂରଣ କରୁନାହାନ୍ତି ସେଥିପାଇଁ ଏଭଳି ଏକ ମହାମାରୀର ରୂପ ନେଇଛି ଯାହାକି ଏକ ଅଧିକ ଭାରାକ୍ରାନ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସମ୍ବଳ ଉପରେ ପନଶ୍ଚ ଏକ ଦାଗଟିଏ ଛାଡ଼ିଦେଇଛି ଓ କେବଳ ରୋଗୀମାନଙ୍କର ହତାଶା ଏବଂ ନିରାଶା ଜନିତ ଅବସ୍ଥାକୁ ବହୁଗୁଣିତ କରିବାରେ ସହାୟ ହେବ ମାତ୍ର । ଯେହେତୁ ଅଭିଯୋଗ ଶୁଣିବାର କୌଣସି ଢାଞ୍ଚା ନାହିଁ ଏବଂ ଏଭଳି ଏକ ଅବସ୍ଥାର ନିରାକରଣ ପାଇଁ ମାନବ ସମ୍ବଳର ଅଭାବ ମଧ୍ୟ ରହିଛି ସ୍ୱାସ୍ଥ୍ୟକର୍ମୀ ଓ ଅସହାୟ ରୋଗୀମାନଙ୍କ ଭିତରେ ସଂଘର୍ଷ ଅଧିକ ବୃଦ୍ଧି ହେବାର ସମ୍ଭାବନା ଦେଖାଦେଇଛି ଯାହା ହିଂସାତ୍ମକ ରୂପ ବି ନେଇପାରେ ।

ଅତି ସୀମିତ ଡାକ୍ତରୀ ଭିତ୍ତିଭୂମି ଏବଂ ସମ୍ବଳ ଥିବାବେଳେ ଏବଂ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ସମୟ କାମ କରୁଥିବା ବେଳେ ଡାକ୍ତରମାନଙ୍କ ପାଇଁ ନିଜର କାର୍ଯ୍ୟକ୍ଷେତ୍ର ଏକ ଉଚ୍ଚ ଚାପ ସୃଷ୍ଟିକାରୀ ପରିବେଶରେ ପରିଣତ ହୋଇଯାଇଛି । ପୁଣି ଗୋଟିଏ ବଡ଼ ଧରଣର କର୍ପୋରେଟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଯାହାକି ସ୍ୱାସ୍ଥ୍ୟ ସେବାକୁ ଏକ ବ୍ୟବସାୟରେ ପରିଣତ କରିଛି ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକାଚାରକୁ ବଦଳାଇ ଦେଇଛି । ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ଏବେବି ଅନୀୟନ୍ତ୍ରିତ ଏବଂ ବିନା ପର୍ଯ୍ୟବେକ୍ଷଣରେ ଚାଲିଛି, ସ୍ୱାସ୍ଥ୍ୟସେବାର ମୂଲ୍ୟ ବଢ଼ି ବଢ଼ି ଚାଲିଛି, ଡାକ୍ତରୀ ଅବହେଳା ପ୍ରତି କାର୍ଯ୍ୟାନୁଷ୍ଠାନ ନହେବା ଏବଂ ହିଂସାତ୍ମକ ଘଟଣା ବଢ଼ିବା ଇତ୍ୟାଦି ସବୁ ମିଶି ଡାକ୍ତର ଓ ରୋଗୀଙ୍କ ସମ୍ପର୍କର ବିଶ୍ୱସନୀୟତାକୁ ବହୁ ପରିମାଣରେ ବଢ଼େଇଦେଇ ଚାଲିଛି । ଏଭଳି ଏକ ପ୍ରକ୍ରିୟା ଅନେକ ବର୍ଷ ଧରି ଚାଲିଛି । ରୋଗୀମାନଙ୍କ ଆଖିରେ ଡାକ୍ତର ଜଣେ ହିତାକାଂକ୍ଷୀ ରକ୍ଷକ ଏଭଳି ଭାବ ଆଉ ନାହିଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ସେବାଟି’ ପଛପଟକୁ ପଳାଇ ଯାଇଛି ଏବଂ ଡାକ୍ତରମାନଙ୍କର ରୋଗୀ ଯେତେବେଳେ ଜଟିଳ ଅବସ୍ଥାରେ ଥାଏ ସେମାନଙ୍କର ଦୁଃଖି ସମ୍ପର୍କୀୟମାନଙ୍କ ସହ କଥାବାର୍ତ୍ତା କରିବାରେ ଦକ୍ଷତାର ଅଭାବ ମଧ୍ୟ ଦେଖାଯାଉଛି ।

ଏଭଳି ଏକ ପୃଷ୍ଠଭୂମିରେ ବର୍ଷ ବର୍ଷ ଧରି ଚାଲିଥିବା ବିଭିନ୍ନ ପ୍ରତିବାଦମାନଙ୍କରେ ଡାକ୍ତରମାନଙ୍କର କେବଳ ନିରାପତ୍ତା ପ୍ରଶ୍ନରେ ସୀମିତ ରହିବା ଦୂରଦୃଷ୍ଟିହୀନତାକୁ ବୁଝାଉଛି । ପ୍ରକୃତ ସମସ୍ୟା ରହୁଛି ବ୍ୟବସ୍ଥା ଭିତରେ । ସେହି ବ୍ୟବସ୍ଥା ଭିତରେ ସମସ୍ତ ପ୍ରସଙ୍ଗର ସମାଧାନର ବାଟ ବାହାର କରିବାକୁ ପଡ଼ିବ । ସେତିକି କରିବାକୁ ହେଲେ ସରକାରଙ୍କୁ ପ୍ରଥମେ ନିଶ୍ଚିତ କରିବାକୁ ହେବ ଯେ ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନିୟମଟିକୁ ସଠିକ୍ କାର୍ଯ୍ୟକାରୀ କରଯାଉଛି ।

ସରକାର ମଧ୍ୟ କ୍ଲିନିକ ପ୍ରତିଷ୍ଠା କରିବା ନିୟମ, ଯଥେଷ୍ଟ ମାନବ ସମ୍ବଳ ଓ ଅନ୍ୟାନ୍ୟ ସମ୍ବଳ ବିନିଯୋଗ ପାଇଁ ପାଣ୍ଠ, ଏବଂ ଆଇନ ଅନୁଯାୟୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତ ଅନୁଷ୍ଠାନ ଯେପରି ମୂଳ ନିୟମଗୁଡ଼ିକୁ ପାଳନ କରୁଛନ୍ତି ଇତ୍ୟାଦିରେ ଉପଯୁକ୍ତ ପ୍ରାବଧାନ କରିବାକୁ ପଡ଼ିବ । ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଯେ ଏ ସମ୍ପର୍କିତ ପରିବର୍ତ୍ତନଟି ପ୍ରଥମେ ଡାକ୍ତର ମାନଙ୍କ ସମ୍ପ୍ରଦାୟରୁ ଆସିବା ଆବଶ୍ୟକ ଯେହେତୁ ଡାକ୍ତରମାନେ ହିଁ ନିଜେ ଉପଯୁକ୍ତ ସ୍ଥାନରେ ଅଛନ୍ତି ବ୍ୟବସ୍ଥା ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉତ୍ଥାପନ କରିବା ପାଇଁ ଏବଂ ତା’ର ସମାଧାନ ପାଇଁ ଦାବୀ ଉପସ୍ଥାପନ କରିବା ପାଇଁ ଯଦ୍ୱାରା ସ୍ୱାସ୍ଥ୍ୟ ସେବା ଠିକ୍ ଭାବରେ, ଦକ୍ଷ ଭାବରେ ଏବଂ ସୁରକ୍ଷା ଭିତରେ ନିଶ୍ଚିତ କରାଯାଇପାରିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top