ISSN (Print) - 0012-9976 | ISSN (Online) - 2349-8846

ଇଶାରାର ଖେଳ

ହିନ୍ଦିର ପ୍ରସାର କୌଣସି ଗୁରୁତ୍ୱବହନ କରୁଥିବା କଥା ନୁହେଁ ବରଂ ଏକ ଇଶାରା ମାତ୍ର

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଦିଲ୍ଲୀ ପାଇଁ ଜୁନ୍ ମାସ କମ୍ ସମୟ ପାଇଁ ହେଲେ ବି ଧୂଳିଝଡ଼ ଆଣିଥାଏ । ଏଥର ଏଇ ମାସଟି ଏମିତି କିଛି ଝଡ଼ ପୁନଃ ସୃଷ୍ଟି କରିଛି ଯାହାକି ଅର୍ଦ୍ଧଶତାବ୍ଦୀ ତଳେ ଥମିଯାଇଥିଲା । ଦୀର୍ଘଦିନ ଧରି ଚାଲିଥିବା ଲୋକସଭା ପାଇଁ ନିର୍ବାଚନ ପରେ ଏହାର ଫଳାଫଳର ଚରିତ୍ରକୁ ନେଇ ବୁଝିବାର ପ୍ର୍ରୟାସ ଆରମ୍ଭ ହେବା ପୂର୍ବରୁ ଚିଠା ଶିକ୍ଷାନୀତିରେ ଥିବା ପୁରୁଣା ତ୍ରିଭାଷା ସୂତ୍ରକୁ ନେଇ ବିତର୍କ ଅରମ୍ଭ ହୋଇଥିଲା । ଏଭଳି ସମୟରେ ହିନ୍ଦିର ଉଲ୍ଲେଖକୁ ନେଇ ତାମିଲନାଡ଼ୁ ରାଜ୍ୟ ପଟୁ ଆପତ୍ତି ଆସିଥିଲା । ପରେ ପରେ ଅନ୍ଲାଇନରେ ପ୍ରଦର୍ଶିତ ହେଉଥିବା ଚିଠା ଶିକ୍ଷାନୀତିରୁ ମାନବ ସମ୍ବଳ ମନ୍ତ୍ରଣାଳୟ ଦ୍ୱାରା ସମ୍ପୃକ୍ତ ପାରାଟିକୁ ତୁରନ୍ତ ଅପସରି ନିଆଯାଇ ପରିବର୍ତ୍ତନ କରାଗଲା । ତ୍ରିଭାଷା ସୂତ୍ରର ମୂଲ୍ୟ କ’ଣ ନୂଆ ପିଢ଼ିର ପାଠକମାନେ ଜାଣିବା ପାଇଁ ଏହି ପୁରୁଣା ସରକାରୀ ବିଷୟଟିକୁ ବୁଝିବା ଦରକାର ଏବଂ ଏକଥା ବି ଜାଣିବା ଦରକାର କାହିଁକି ଏହି ତ୍ରିଭାଷି ସୂତ୍ର ଏବେ ବି ଜୀବନ୍ତ ଅଛି ।

ସମୟ ଆସେ ଯେତେବେଳେ କି ଏକ ପୁରାତନ ଦସ୍ତାବିଜ୍ ଅଧିକ ସମସାମୟିକ ଜଣାପଡ଼େ ଏବଂ ସତେଜ ଲାଗେ ଉପସ୍ଥାପିତ ହେଉଥିବା ଦସ୍ତାବିଜ ତୁଳନାରେ । ଯେଉଁ ତ୍ରିଭାଷା ସୂତ୍ରଟି ସରକାର ପୁଣିଥରେ ନିର୍ବାଚିତ ହେଇ ଫେରିବାର ସପ୍ତାହକ ଭିତରେ ସାଧାରଣ ଜନତାଙ୍କର ଧ୍ୟାନ ଆକର୍ଷଣ କଲା ତାହା ପ୍ରଥମେ ଡି.ଏସ୍.କୋଠାରୀ ଶିକ୍ଷା କମିଶନଙ୍କ ଦ୍ୱାରା (୧୯୬୪-୬୬) ଶିକ୍ଷାନୀତିରେ ପ୍ରଥମଥର ପାଇଁ ସାମିଲ ହୋଇଥିଲା । ଏହାର ସଦସ୍ୟ ସମ୍ପାଦକ ଜେ.ପି. ନାୟକ ଯିଏକି ଏତେ ବଡ଼ ରିପୋର୍ଟଟିଏ ପ୍ରସ୍ତୁତ କରିଥିଲେ ସେ ନିଜେ ଅବଗତ ଥିଲେ ଯେ ଭାରତର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ କ’ଣ ସବୁ ସମସ୍ୟା ଲାଗି ରହିଛି । ଏହି କୋଠାରୀ କମିଶନ ରିପୋର୍ଟରୁ ଆମେ ଜାଣୁ ଯେ ତ୍ରିଭାଷା ସୂତ୍ରଟି କେନ୍ଦ୍ରୀୟ ଶିକ୍ଷା ପରାମର୍ଶଦାତା ପରିଷଦ ଦ୍ୱାରା ୧୯୫୬ ମସିହାରେ ନିର୍ଦ୍ଧାରିତ ହୋଇଥିଲା । ଏହାର ସରଳୀକରଣ କରି ୧୯୬୧ ମସିହାରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଗୃହିତ କରାଯାଇଥିଲା । କୋଠାରୀ କମିଶନଙ୍କ ବିଚାରରେ ତ୍ରିଭାଷା ସୂତ୍ରକୁ ଆଗେଇ ନେବା ପଛର କାରଣ ‘ଶିକ୍ଷା ଅପେକ୍ଷା ଅଧିକ ରାଜନୈତିକ ଓ ସାମାଜିକ ଥିଲା ।’

କୋଠାରୀ କମିଶନଙ୍କ ରିପୋର୍ଟରେ ଭାଷାକୁ ନେଇ ଥିବା ଭାଗଟିକୁ ଯେତେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ତାହା ଶିକ୍ଷାକୁ ନେଇ ଥିବା ବିଚାର ଏବଂ ରାଜନୈତିକ ବାଧ୍ୟବାଧକତା ଭିତରେ ସନ୍ତୁଳନ ଆଣିବା ପାଇଁ ଚାଲିଥିବା ସଂଘର୍ଷକୁ ଦର୍ଶାଉଛି । ରିପୋର୍ଟରେ କୁହାଯାଇଛି ଯେ, ‘ତ୍ରିଭାଷା ସୂତ୍ରକୁ କାର୍ଯ୍ୟକାରୀ କଲାବେଳେ ଅନେକ ଅସୁବିଧା ଉପୁଜିଛି ଏବଂ ଏହା ଫଳପ୍ରଦ ହୋଇନାହିଁ । ଅନେକ କାରଣ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏହି କାରଣ ଭିତରେ ଅଛି ସ୍କୁଲ ପାଠ୍ୟକ୍ରମରେ ଭାଷାର ଭିଷଣ ବୋଝ ଲଦି ଦେବା ବିରୁଦ୍ଧରେ ସାଧାରଣ ବିରୋଧ, ହିନ୍ଦି ଭାଷାଭାଷୀ ଅଞ୍ଚଳରେ ଅଧିକ ଏକ ଆଧୁନିକ ଭାରତୀୟ ଭାଷା ଶିଖିବା ପାଇଁ ଆଗ୍ରହର ଅଭାବ, ଅଣ ହିନ୍ଦି ଭାଷାଭାଷି ଅଞ୍ଚଳରେ ହିନ୍ଦି ଅଧ୍ୟୟନ ପାଇଁ ପ୍ରତିରୋଧ ଏବଂ ୫ରୁ ୬ବର୍ଷ ଯାଏଁ (ଷଷ୍ଠ ଶ୍ରେଣୀରୁ ଦଶମ ବା ଏକାଦଶ ଯାଏଁ) ଦ୍ୱିତୀୟ ଓ ତୃତୀୟ ଭାଷା ଶିକ୍ଷାଦାନ କରିବା ପାଇଁ ଯେଉଁ ଖର୍ଚ୍ଚ ଓ ଉଦ୍ୟମ କରିବାକୁ ପଡ଼େ... ତୃତୀୟ ଭାଷାଟି କଥା ହିସାବକୁ ନେଲେ ଜଣାପଡ଼େ ଯେ ଅଧିକାଂଶ ଅଞ୍ଚଳରେ ଛାତ୍ରମାନେ କମ୍ ଉପକୃତ ହେଇଛନ୍ତି ଯେହେତୁ ସେମାନଙ୍କୁ ଏକ ଅବାସ୍ଥବ ପରିସ୍ଥିତିରେ ଶିକ୍ଷା ଆହରଣ କରିବାକୁ ପଡ଼ୁଥିଲା, (ପୃଷ୍ଠା-୩୩୩, ପାରା-୮.୩୨) । ବିବିଧ ବିକଳ୍ପର ଅନୁଧ୍ୟାନ ଏବଂ ଜଣେ ସଦସ୍ୟଙ୍କ ଦ୍ୱାରା ପ୍ରଦତ୍ତଲେଖାଟିକୁ ଦେଖିବା ପରେ କୋଠାରୀ କମିଶନ କହନ୍ତି ଯେ, ‘ଆମେ ବଳିଷ୍ଠ ଭାବେ ଅନୁଭବ କରୁ ଯେ ପ୍ରାଥମିକ ସ୍ତରରେ ତିନୋଟି ଭାଷା ଶିଖିବା ପିଲାଟିର ନିଜ ମାତୃଭାଷାକୁ ଭଲଭାବେ ଶିଖିବା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିବ ଏବଂ ତା’ର ବୌଦ୍ଧିକ ଅଭିବୃଦ୍ଧିରେ ମଧ୍ୟ ହସ୍ତକ୍ଷେପ କରିବ... ସେଥିପାଇଁ ନିକଟ ଭବିଷ୍ୟତ ପାଇଁ ନିଜ ଭାଷା ଶିଖିବା କଥାଟିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉ ଏବଂ ଅତିରିକ୍ତ ଭାଷା ଶିକ୍ଷାକୁ ସର୍ବନିମ୍ନ ସ୍ତରରେ ରଖାଯାଉ । (ପୃ-୩୪୦, ପାରା-୮.୪୧)

ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିର ଶେଷଭାଗକୁ ସିଧାସଳଖ ଆସନ୍ତୁ । ଶିକ୍ଷା ଆୟୋଗଙ୍କ ଦୃଷ୍ଟିକୋଣରୁ ଦେଖିଲେ ଶିକ୍ଷା ସ୍ଥିତିରେ ଯେଉଁ ପରିବର୍ତ୍ତନ ଆସିଛି ତାକୁ ଚିହ୍ନି ହେଉନାହିଁ ଏବଂ ଏଭଳି ପରିବର୍ତ୍ତନର ପୂର୍ବାନୁମାନ କେବେ କୋଠାରୀ ଓ ନାଏକ କରି ନଥିବେ ଏବଂ ଏଭଳି ହେବ ବୋଲି ଭାବି ନଥିବେ । ସରକାରୀ ବିଦ୍ୟାଳୟ ପ୍ରତି ପିତା-ମାତାଙ୍କ ବିମୁଖ ମନୋଭାବର ଢେଉ ଉପରେ ଘରୋଇ ଶିକ୍ଷା କ୍ଷେତ୍ରଟି ଫୁଲି ଫୁଲି ଚାଲିଛି । ପିଲାଙ୍କୁ ଇଂରାଜୀ ମାଧ୍ୟମରେ ପଢ଼ାଇବା ପାଇଁ ବ୍ୟଗ୍ରତା, ଇଂରାଜି ଶିକ୍ଷକମାନଙ୍କର ଘୋର ଅଭାବ ଏବଂ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଅନୁଷ୍ଠାନଗତ ଦୁର୍ବଳତା ଏବଂ ଶିକ୍ଷକମାନଙ୍କର ବ୍ୟବସାୟିକ ତାଲିମ ଇତ୍ୟାଦି କେତେକେ ବ୍ୟବସ୍ଥାଗତ ଅଭିବୃଦ୍ଧି କୋଠାରୀ, ନାଏକ ଏବଂ ଶିକ୍ଷା କମିଶନର ଥିବା ସେମାନଙ୍କର ସାଥି ସଦସ୍ୟମାନଙ୍କୁ ଆଜି ଚକିତ କରିଦେଇଥାନ୍ତା । ସେମାନେ ଏକଥା ମଧ୍ୟ ଦେଖିଥାନ୍ତେ ଯେ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରିବା କେତେ ଅପ୍ରସାଙ୍ଗିକ ହୋଇଯାଇଛି । ସେମାନଙ୍କ ରାଷ୍ଟ୍ର କୈନ୍ଦ୍ରିିକ ଢାଞ୍ଚା ଭିତରେ, ରାଜନୈତିକ ବାଧ୍ୟବାଧକତା ଗ୍ରହଣ କରିବା ଓ ବିଚାରକରିବା ଜରୁରୀ ଥିଲା କିନ୍ତୁ ବଜାରର ବାଧ୍ୟବାଧକତା ନଗନ୍ୟ ଥିଲା । ଏଭଳି ଏକ ପରିସ୍ଥିତି ଏବେ ବଦଳିଯାଇଛି । ବଜାରର ଚାପ ଏବେ କେନ୍ଦ୍ରକୁ ଆସିଯାଇଛି ଯେତେବେଳେ କି ରାଜନୈତିକ ବାଧ୍ୟବାଧକତା ମୁଖ୍ୟତଃ ବିଭିନ୍ନ ଗଣମାଧ୍ୟମରେ ସଙ୍କେତ ବା ଇଶାରା ହିସାବରେ ଚର୍ଚ୍ଚିତ ହେଉଛି । ହିନ୍ଦିର ପ୍ରସାର କୌଣସି ଗୁରୁତ୍ୱ ବହନ କରୁଥିବା ବିଷୟ ହେବା ତ ଦୂରର କଥା କେବଳ ଏକ ଇଙ୍ଗିତ ହିସାବରେ ଚାଲିଛି । ତ୍ରୀଭାଷା ସୂତ୍ରରେ ହିନ୍ଦିର ଭୂମିକା ସମ୍ପର୍କରେ ଉଲ୍ଲେଖ କରି ନୂତନ ଶିକ୍ଷା ଚିଠା ନୀତିଟି କେବଳ ଜାତୀୟତାବାଦର ଆଦ୍ୟ ନମୂନାଟି ଉପରେ ଆସ୍ଥାଟିକୁ ଦୋହରାଇବା ଭଳି ସଙ୍କେତ ପ୍ରଦାନ କରୁଛି । ଯେତେବେଳେ ପରିଚିତ ସୂତ୍ରରୁ ଆପତ୍ତି ଆସିଛି, ତୁରନ୍ତ ହିନ୍ଦିକୁ ଚାପିଦେବାର ଅଭିପ୍ରାୟ ନାହିଁ ବୋଲି ଘୋଷଣା କରାଯାଇଛି, ଯାହାକି ପୁରୁଣା ସମୟରେ ଚାଲିଥିବା ବୁଝାମଣାଟିକୁ ପୁଣି ମନେ ପକାଇଦେଉଛି ।

ଭାଷା ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ପ୍ରତିଟି ସରକାରୀ ଘୋଷଣାରେ ପ୍ରାଥମିକ ପର୍ଯ୍ୟାୟରେ ଇଂରାଜି ମାଧ୍ୟମ ଶିକ୍ଷା ପାଇଁ କରାଯାଉଥିବା ଅତ୍ୟଧିକ ଆଗ୍ରହକୁ ସମାଲୋଚନା କରାଯାଇ ଆସିଛି । ବର୍ତ୍ତମାନର ଚିଠାଟିରେ ମଧ୍ୟ ସେଭଳି ହିଁ କୁହାଯାଇଛି ଯେ ‘ଯେଉଁଠି ସମ୍ଭବ’ ଘରୋଇ ଭାଷାଟି ହିଁ ମାଧ୍ୟମ ହେବା ଦରକାର । ଏଭଳି ଏକ ଧାରା ଏକ ସହନଶୀଳ ବୁଣାମଣାକୁ ଇଙ୍ଗିତ କରୁଛି ଯାହା ଗୋଟିଏ ଦୃଢ଼ ଭାବେ ବ୍ୟବସ୍ଥିତ ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ଆଲୋଚନା କରିବା ତୁଳନାରେ ଗଭୀର । ଶିକ୍ଷାନୀତି ସମ୍ପର୍କିତ ବାଖ୍ୟାଟି କେବଳ ପୁରୁଣା ଓ ନୂଆ ସମ୍ଭ୍ରାନ୍ତଙ୍କ ଭିତରେ ଇଶାରାର ଆଦାନପ୍ରଦାନ ପାଇଁ ମଞ୍ଚ ଯୋଗାଇଛି । ଯଦି ହିନ୍ଦି ଭାଷାକୁ ନେଇ ବିଚାର କରିବା ଯେଉଁ ଜାତୀୟତାବାଦର ବାସ୍ନା ଏହି ଭାଷା ଭିତରେ ଆଘ୍ରାଣ କରାଯାଉଥିଲା ତାହା ମଉଳି ଗଲାଣି, ଯେହେତୁ ଦେଶର ଆବେଗାତ୍ମକ ସଂହତି ପାଇଁ ଅନେକ ଅନ୍ୟ ଉପାୟ -- ଫଳପ୍ରଦ ପ୍ରମାଣିତ ହୋଇସାରିଲାଣି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top