ମୁକ୍ତି, କ୍ଷମତା ଓ ସତ୍ୟ
.
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ଭାରତ ଏବେ ନିଜକୁ ଏକ ତ୍ରିଶଙ୍କୁ ଅବସ୍ଥାରେ ଦେଖିବାକୁ ପାଉଛି । ଗୋଟିଏ ପଟେ ରହିଛି ନିକଟରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ବିଜୟୀମାନଙ୍କର ନିର୍ବାଚନୀ ଗଣତନ୍ତ୍ରରେ ବିରାଟ ବିଜୟକୁ ନେଇ ଉତ୍ସବ ଓ ଉଲ୍ଲାସ ମନେଇବା ଏବଂ ଅନ୍ୟପଟେ ରହିଛି ନାଗରିକ ସମାଜରେ ସେହି ଗଣତନ୍ତ୍ରର ‘ଉପସ୍ଥିତି ସତ୍ୱେ’ ଚିନ୍ତା କରିବା ଏବଂ ସତ୍ୟଟିକୁ ନେଇ ମତାମତର ଆଦାନପ୍ରଦାନ କରିବା କଥାଟି କ୍ଷେତ୍ରରେ ସ୍ୱାଧୀନତାର କ୍ଷେତ୍ରଟି ସଙ୍କୁଚିତ ହେବା । ‘ସତ୍ୟ କହିବା’ର ସଂଜ୍ଞା ଏବଂ ସମ୍ଭାବନା ନିର୍ଣ୍ଣୟ କରିବା ଦୃଷ୍ଟିରୁ ମୁକ୍ତି ଏବଂ କ୍ଷମତା ଭିତରେ ଯେଉଁ ପରିବର୍ତ୍ତନକାମୀ ସମ୍ପର୍କ ରହିଛି ତାହା ପଛକୁ ପଛକୁ ଚାଲିଯାଉଛି, ବରଂ ଏହା କହିବା ଠିକ୍ ହେବ ଯେ ପରସ୍ପର ବିରୋଧୀ ମୋଡ଼ ନେଉଛି । କ୍ଷମତା ଏବଂ ମୁକ୍ତିର ଯେଉଁ ସୌମ୍ୟ ମିଶ୍ରଣ ଇତିହାସର ବିଭିନ୍ନ ସମୟରେ ସୀମାନ୍ତରେ ଥିବା ଲୋକମାନଙ୍କର ମୁକ୍ତିର ସଂଗ୍ରାମରେ ପ୍ରତିଫଳିତ ହେଇଆସିଛି, ତାକୁ ପରିବର୍ତ୍ତନକାମୀ ଉଦ୍ଦେଶ୍ୟରେ ନୁହେଁ ବରଂ ଆମର ବହୁବିଧ ମୂଲ୍ୟବୋଧର ବ୍ୟବସ୍ଥାଗୁଡ଼ିକୁ ନିଷ୍ଠୁର ଭାବେ ଗୋଟିଏରେ ରୂପାନ୍ତରିତ କରିବା ପାଇଁ ବ୍ୟବହାର କରାଯାଉଛି । ଏକ ବିବିଧ ଭାରତର ଗଠନ ପାଇଁ ଯେଉଁ ସ୍ୱାଧୀନତାକୁ ସୃଜନଶୀଳ କଳ୍ପନାର କ୍ଷମତାକୁ ପ୍ରୟୋଗ କରି କରାଯାଇପାରିବ ତାକୁ ଭୟ, ଘୃଣା ଓ ନିର୍ଯାତନା ଭଳି ଆକ୍ରମଣାତ୍ମକ ବ୍ୟବହାର ଦ୍ୱାରା ଏକ ଧ୍ୱଂସାତ୍ମକ ଦିଗଆଡ଼କୁ ନିଆଯାଉଛି । ଏଭଳି ଏକ ବ୍ୟବହାରକୁ ଯଦି ଆମେ ପଛକୁ ନେଇ ଚାଲିଥିବା କଥାଟିଏ ବୋଲି ଭାବିବା ତେବେ ତାହା ହିଁ ଆଜି ସତ୍ୟର ଏକ ଅଂଶ ହୋଇଛି ଏବଂ ତାହା ବର୍ତ୍ତମାନ ଅଧିକ ବଳଶାଳୀ ଜଣାପଡ଼ୁଛି ।
କ୍ଷମତା ଏବଂ ସ୍ୱାଧୀନତା ଯଦି ପଛୁଆ ମୋଡ଼ ନିଏ ତେବେ ତାହା ଏକ ଭୟଙ୍କର ଯୋଡ଼ି ରୂପରେ ଆବିର୍ଭାବ ହୁଏ ଓ ଦୁର୍ବଳ ବର୍ଗମାନଙ୍କ ଉପରେ ବିଧ୍ୱଂସକାରୀ ପ୍ରଭାବ ପକାଇବାର ପରିସ୍ଥିତି ସୃଷ୍ଟି କରେ । ଯେଉଁମାନେ ଭାରତର ଏହିସବୁ ବର୍ଗରେ ଥିବା ସାମାଜିକ ଗୋଷ୍ଠୀମାନଙ୍କ ପ୍ରତି ହିଂସାତ୍ମକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି ସେମାନେ ଦୁର୍ବଳ ଶ୍ରେଣୀମାନଙ୍କ ପ୍ରତି ହିଂସ୍ର ଭାବରେ କ୍ଷତି ପହଞ୍ଚାଇବା ପାଇଁ କେବଳ ସ୍ୱାଧୀନତା ପାଇନଥାନ୍ତି ବରଂ ସାମାଜିକ ଭାବେ କ୍ଷମତାଶାଳୀ ମଧ୍ୟ ହୋଇଥାନ୍ତି । ସ୍ୱାଧୀନତା ଓ କ୍ଷମତାର ଏହି ଭୟଙ୍କର ମିଶ୍ରଣ ଆମେ ଗୁଜୁରାଟର ଉନ୍ନାରେ ୨୦୧୬ ମସିହାରେ ଦେଖିଥିଲେ ଯେତେବେଳେ ଚାରିଜଣ ଦଳିତ ଯୁବକଙ୍କୁ ସର୍ବସାଧାରଣରେ ପିଟା ପିଟି କରାଯାଇଥିଲା । ଭାରତରେ ସଂଖ୍ୟାଲଘୁ ମଣିଷମାନଙ୍କର ଗୋଟିଏ ଭିଡ଼ରେ ମୃତ୍ୟୁଦଣ୍ଡ ଦେବାଭଳି ଘଟଣା ଅନବରତ ଚାଲିଛି । ମୁମ୍ବାଇର ଏକ ପ୍ରଖ୍ୟାତ ସରକାରୀ ଡାକ୍ତରଖାନାରେ ଜଣେ ସାମାଜିକ ଦୃଷ୍ଟିରୁ ଖରାପ ସ୍ଥିତିରେ ଥିବା ଡାକ୍ତରଙ୍କର ଦୁର୍ଭାଗ୍ୟଜନକ ଆତ୍ମହତ୍ୟା ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ, ନିର୍ଦ୍ଦିଷ୍ଟ ଭାବେ ମେଡ଼ିକାଲ କଲେଜମାନଙ୍କରେ, ଦଳିତ ଆଦିବାସୀ ଛାତ୍ରମାନଙ୍କର ଆତ୍ମହତ୍ୟାର ଯେଉଁ ଶୃଙ୍ଖଳା ଚାଲିଛି ତାହାର କେବଳ ଏକ ସଦ୍ୟତମ ଉଦାହରଣ ।
ରାଜନୈତିକ କ୍ଷମତା ସାଧାରଣତଃ ବିଭାଜିତ ହିଁ କରିଥାଏ ଯେତେବେଳେ ତା’ର ଅଣଆନୁଷ୍ଠାନିକ ବଳ ପ୍ରୟୋଗକାରୀ ଶକ୍ତିଟି ତା’ର କାର୍ଯ୍ୟକଳାପ ପାଇଁ କ୍ଷେତ୍ରଟିଏ ସୃଷ୍ଟି କରିଥାଏ । ଏହା କେବଳ ଯେ ସମାଲୋଚକମାନଙ୍କୁ ତତକ୍ଷଣାତ ନିରବ କରି ନଥାଏ ବରଂ ଦୁର୍ବଳ ସ୍ଥିତିର ଲୋକମାନଙ୍କର ଜୀବନ ଉପରେ ଖେଳ ଖେଳିଥାଏ । ଏଗୁଡ଼ିକ ହେଉଛି ସତ୍ୟର ଶକ୍ତିଶାଳୀ ପରିପ୍ରକାଶର କେତୋଟି ଉଦାହରଣ ମାତ୍ର । ଯେଉଁ ସତ୍ୟ ଶକ୍ତି ପ୍ରଦର୍ଶନ ଭିତରେ ତିଷ୍ଠି ରହିଥାଏ ତାହା କୌଣସି ଗଣତାନ୍ତ୍ରିକ ବିରୋଧ ପ୍ରତି ସହନଶୀଳ ହୋଇ ନଥାଏ, ପ୍ରକୃତରେ ତାହା ଚର୍ଚ୍ଚା କରିବା ଅବା ଆଲୋଚନା କରିବା ଇତ୍ୟାଦିକୁ ଏକ ଅପରାଧ ହିସାବରେ ଦେଖିଥାଏ । ଅନ୍ତରର ସ୍ୱରକୁ ମଧ୍ୟ ଏଠି ଶୁଣାଯାଇ ନଥାଏ ।
ଯେଉଁ ସତ୍ୟର ସାରମର୍ମଟି ନିର୍ଯାତନା ଓ ହିଂସା ସହ ସଂଶ୍ଳିଷ୍ଟ ତାହା ଆତ୍ମାର ଭାଷାକୁ କେବେ ସମ୍ମାନ ଦେଇ ନଥାଏ ଏବଂ ସେଇଥିପାଇଁ ସେଠି ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କର କୌଣସି ସ୍ଥାନ ନାହିଁ । ଗାନ୍ଧୀଙ୍କ ପାଇଁ ସତ୍ୟ ନୈତିକ ବିଶୁଦ୍ଧତା ହାସଲ କରିଥାଏ ଯେତେବେଳେ ଆତ୍ମା ସହିତ ନିଜର କଥୋପକଥନ ହୋଇଥାଏ । ନିଜକୁ ଏଠି ଅନେକ କଠିନ ପ୍ରଶ୍ନ ପଚରା ଯାଇଥାଏ । ଶକ୍ତିଶାଳୀ ସତ୍ୟ ଯାହାକି ବର୍ତ୍ତମାନ ଚାଲିଥିବା ଘୃଣାର ରାଜନୀତି ଭିତରେ ନିଜର ସଂଜ୍ଞା ନିରୂପଣ କରିବା ଅଧିକ ସୁବିଧାଜନକ ମନେକରେ ତା’ହାର ମନର ଜୀବନ ଭିତରେ କୌଣସି ସ୍ଥାନ ନଥାଏ; ସୁତରାଂ ଏଠି ବି.ଆର୍. ଆମ୍ବେଦକରଙ୍କ ପାଇଁ ମଧ୍ୟ ସ୍ଥାନ ନାହିଁ । ଆମ୍ବେଦକରଙ୍କର ସତ୍ୟର ବିଚାରଟି ଏକ ସୁସ୍ଥ ଏବଂ ସ୍ୱଚ୍ଛ ବିତର୍କ ଭିତ୍ତି ଉପରେ ଆଧାରିତ । ଯାହାର ମୂଳ ଲକ୍ଷ୍ୟ ଥାଏ ଯେ ଯୁକ୍ତି ଏବଂ ସିଦ୍ଧାନ୍ତଗୁଡ଼ିକୁ ଅଧିକ ଶାଣିତ କରିବା ଯାହାର ସ୍ୱେଚ୍ଛାଚାରୀ ପ୍ରଥାଗୁଡ଼ିକୁ କାଟିବା ପାଇଁ ଶକ୍ତି ଥିବ । ଗାନ୍ଧୀ ମୁକ୍ତିକୁ ଆତ୍ମାର ଶକ୍ତି ସହିତ ଏକାଠି ଦେଖୁଥିବା ବେଳେ ଆମ୍ବେଦକରଙ୍କ ପାଇଁ ମୁକ୍ତି ସହ ମନ ଯୋଡ଼ିହୋଇ ରହିଥିଲା । ଏଭଳି ଏକ ମିଶ୍ରଣର ସୌମ୍ୟ ପରିପ୍ରକାଶ ଉଭୟ ଗାନ୍ଧୀ ଏବଂ ଆମ୍ବେଦକରଙ୍କର ସତ୍ୟାଗ୍ରହକୁ ଅଭ୍ୟାସ କରିବା ଓ ତା’ର ସିଦ୍ଧାନ୍ତକୁ ଗ୍ରହଣ କରିବା କ୍ଷେତ୍ରରେ ଦେଖିବାକୁ ମିଳୁଥିଲା । ଏହିସବୁ ଚିନ୍ତକଙ୍କ ପାଇଁ କଥୋପକଥନ ଏବଂ ବିତର୍କର ଆବଶ୍ୟକତା ସେତିକି ଗୁରୁତ୍ୱପୂର୍ଣ୍ଣ, ଯେତିକି ଗୁରୁତ୍ୱ ଯୋଗାଯୋଗ ବହନ କରିଥାଏ । ଏହି ବିତର୍କ ଦ୍ୱାରା ହିଁ ଜାତିକୁ ଏକ ସତ୍ୟ ରୂପେ ସର୍ବସାଧାରଣରେ ସ୍ପଷ୍ଟଭାବେ ଚିହ୍ନିତ କରାଯାଇଥାଏ ।
ଏଭଳି ସନାତନ (ପୁରାତନ) ପ୍ରଶ୍ନଗୁଡ଼ିକୁ ଏକତରଫା ଅସ୍ୱୀକାର କରିହେବ ନାହିଁ । ଏହିସବୁ ପ୍ରଶ୍ନଗୁଡ଼ିକୁ ଏକ ସ୍ୱଚ୍ଛ ବିକଳ୍ପ ମାଧ୍ୟମରେ ଅଧିକ ସ୍ପଷ୍ଟ କରିହେବ ଯେଉଁଥିରେ ନାଁ’ ଥିବ ମୁହାଁମୁହିଁ ସଂଘର୍ଷ ଅବା ପ୍ରଶ୍ନକୁ ଏଡ଼େଇଦେଇ ଯିବାର ଅଭିପ୍ରାୟ । ଏଭଳି ବିତର୍କ କେବଳ ବିଦ୍ୱାନ ସମୁଦାୟରେ ନୁହଁ ସାଧାରଣ ଲୋକଙ୍କ ଭିତରେ ମଧ୍ୟ ତଳସ୍ତରରେ ହେବା ବାଞ୍ଛନୀୟ । ଏହି କଥାଟି ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯେ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ସତ୍ୟତା ଜନଗଣଙ୍କର ଜାତି ଅବା ମୂଲ୍ୟଭିତ୍ତିକ ଆଚରଣ ଭିତରେ ଲୁଚି ରହିଥାଏ । ବୁଦ୍ଧିଜୀବୀମାନେ ଏହି ସତ୍ୟଟିକୁ କ୍ଷମତାଶୀଳଙ୍କ ପାଖରେ ପହଞ୍ଚାଇଥାନ୍ତି ଓ ଏହି ପ୍ରଶ୍ନଗୁଡ଼ିକ ଭିତରେ ଛନ୍ଦି ହୋଇଯାଇଥିବା ଲୋକମାନଙ୍କୁ ମନେ ପକାଇ ଦେଇଥାନ୍ତି । ଆସନ୍ତୁ ଆମେ ଏକ ଯୁକ୍ତିଶୀଳ ମନୋଭାବ ଏହି ବୁଦ୍ଧିଜୀବୀମାନଙ୍କ ପ୍ରତି ରଖିବା ଯେଉଁମାନଙ୍କ ପାଇଁ ସତ୍ୟ କହିବା ଏକ ଫମ୍ପା ଉଚ୍ଚାରଣ ନୁହେଁ ଏବଂ ଯେଉଁମାନଙ୍କର କହିବାର ଅଭ୍ୟାସ ଭିତରେ ସମାନତାବାଦ ଭଳି କିଛି ମଲ୍ୟବୋଧ ଅଛି । ପ୍ରକୃତରେ କହିବାକୁ ଗଲେ ସେମାନଙ୍କର ଅନ୍ତଃସ୍ୱର ହିଁ ସେମାନଙ୍କୁ କହିବା ପାଇଁ ବାଧ୍ୟ କରିଥାଏ । ସେଇଥିପାଇଁ ସେମାନେ ମୁକ୍ତି ଏବଂ କ୍ଷମତା ଭଳି ନୈତିକ ସମ୍ବଳଗୁଡ଼ିକ ଉପରେ ଦଖଲ ରଖିବା ପାଇଁ ବାଧ୍ୟ ହୋଇଥାନ୍ତି । ଜଣେ ବୁଦ୍ଧିଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏଇଥିପାଇଁ ଯେ ସେ ଚିନ୍ତାଶୀଳ ଲୋକମାନଙ୍କ ସହ ତାଳଦେଇ ଚିନ୍ତା କରିଥାଏ । ଜନଗଣଙ୍କ ଭିତରେ ବିଭିନ୍ନ ସ୍ତରରେ ଥିବା ବିଭାଜିତ ଚେତନାଗୁଡ଼ିକ ଭିତରେ ସେତୁ ସ୍ଥାପନ ପାଇଁ ଯେଉଁ ଅବସ୍ଥାର ଆବଶ୍ୟକତା ପଡ଼ିଥାଏ ତାକୁ ସେମାନେ ଉନ୍ମୁକ୍ତ କରିଥାନ୍ତି । ଏଭଳି ସବୁ ବିଚାରଗତ କାରଣ ଯୋଗୁଁ ଲୋକମାନଙ୍କ ଭିତରେ କଥୋପକଥନ ବା ବାର୍ତ୍ତାଳାପ ଭାଙ୍ଗି ପଡ଼ୁଥିବା ସତ୍ୟଟିକୁ ଜଣେଇବା ପାଇଁ ବୁଦ୍ଧିଜୀବୀମାନଙ୍କ ପାଇଁ ସ୍ୱାଧୀନତାର ଆବଶ୍ୟକତା ରହିଛି । ନେତାମାନଙ୍କର ବକ୍ତବ୍ୟଗୁଡ଼ିକୁ ନେଇ ସତ୍ୟାସତ୍ୟ ପରୀକ୍ଷା କରିବା ଦେଖାଯାଏ ନାହିଁ । ସାମୟିକ ଭାବେ ମନୁଷ୍ୟର ଏକ ଉତ୍ତମ ସ୍ଥିତି ନିମନ୍ତେ ସଂଘତି ସ୍ଥାପନ ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିଚାରର ଆବଶ୍ୟକତା ଅଛି ତାକୁ ଆଲୋଚନା ଓ ବିତର୍କର ପ୍ରକ୍ରିୟା ଭିତରେ ତିଆରି କରିବା ପାଇଁ ଲୋକେ ନିଜ ନିଜ ଭିତରେ ନୀୟମିତ ଭାବେ କଥାବାର୍ତ୍ତା ହେଇ ସାମୂହିକ ଉଦ୍ୟମ କରିବାର ଆବଶ୍ୟକତା ରହିଛି ।