ISSN (Print) - 0012-9976 | ISSN (Online) - 2349-8846

ମହାବାତ୍ୟା ଫନି ଭିତରେ ଜାତି

ସାମାଜିକ ଭେଦଭାବ ଉପରେ ପ୍ରାକୃତିକ ବିପର୍ଯ୍ୟୟର କୌଣସି ନିୟନ୍ତ୍ରଣ ନାହିଁ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ଓଡ଼ିଶାରେ ମହାବାତ୍ୟା ଫନି ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ଜାତି ଭେଦଭାବର ମାମଲାଗୁଡ଼ିକ ପଦାକୁ ଆସିଛି ତାହା ୨୦୦୪ର ସୁନାମି ଏବଂ ୨୦୦୧ର ଗୁଜୁରାଟ ଭୂମିକମ୍ପ ବେଳେ ଦେଖାଯାଇଥିବା ଜାତିଭେଦ ଠାରୁ ଭିନ୍ନ ଥିଲା । କ୍ଷୟକ୍ଷତିର ତୀବ୍ରତା ଦୃଷ୍ଟିରୁ ନୁହେଁ ବରଂ ମଣିଷ ମଣିଷ ଭିତରେ ଥିବା ସମ୍ପର୍କଗୁଡ଼ିକୁ ସମ୍ପୂର୍ଣ୍ଣ ବିଧ୍ୱସ୍ତ କଲାଭଳି ନୈତିକ ଦିଗରୁ ଦେଖିଲେ ଏହା ଭିନ୍ନ ଥିଲା । ଉଚ୍ଚଜାତିର ଲୋକମାନେ ମାନବିକ ଆବେଗକୁ ସମ୍ପୂର୍ଣ୍ଣ ଭାବେ ହରାଇ ଦେଇ ଦଳିତ ବର୍ଗମାନଙ୍କର ବାତ୍ୟା ଆଶ୍ରୟସ୍ଥଳରେ ନିରାପଦ ଆଶ୍ରୟ ପାଇବାର ଯେଉଁ ମୌଳିକ ଆବଶ୍ୟକତା ଥିଲା ତାକୁ ଭ୍ରୁକ୍ଷେପ କରି ନଥିଲେ । ବାତ୍ୟା ଯେତେବେଳେ ଉପକୂଳ ଓଡ଼ିଶାର ଗାଁ’ଗୁଡ଼ିକୁ ସ୍ପର୍ଶ କରୁଥିଲା ସେତେବେଳେ ହିଁ ଏଭଳି ଭେଦଭାବର ତୀବ୍ରତା ଉଗ୍ର ଭାବେ ଦେଖାଯାଇଥିଲା । ଗଣମାଧ୍ୟମରେ ଯାହା ଖବର ପ୍ରକାଶପାଇଛି ପୁରୀ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ଦଳିତ ଗ୍ରାମବାସୀମାନଙ୍କୁ କେବଳ ଯେ ସରକାରୀ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରବେଶ କରିବା ପାଇଁ ବାରଣ କରାଗଲା ତା’ନୁହେଁ ବରଂ ସେମାନେ ଯେଉଁ ଆଶ୍ରୟସ୍ଥଳଗୁଡ଼ିକରେ କୌଣସି ମତେ ଆଶ୍ରୟ ନେଇଥିଲେ ତାଙ୍କୁ ଖାଲି କରିବା ପାଇଁ ମଧ୍ୟ ବାଧ୍ୟ କରାଗଲା । ଖବରରେ ଆହୁରି କୁହାଯାଇଛି ଯେ, ଦଳିତ ପରିବାରମାନଙ୍କୁ ବରଗଛ ତଳେ ଆଶ୍ରୟ ନେବାପାଇଁ ବାଧ୍ୟ କରାଯାଇଥିଲା ଏବଂ ଯେଉଁ ବରଗଛ ବାତ୍ୟା ସମୟରେ ହିଁ ଉପୁଡ଼ି ଯାଇଥିଲା । ବରଗଛ ଭଳି ଦଳିତ ପରିବାରମାନଙ୍କର ଭାଗ୍ୟ ଏକାପ୍ରକାର ଥିଲା । ପ୍ରକୃତରେ ସେମାନଙ୍କୁ ପବନର କୃପା ଉପରେ ଛାଡ଼ି ଦିଆଗଲା ଯେଉଁ ପବନ ଭିଷଣ ବର୍ଷା ଭିତରେ ୨୦୦କି.ମି. ବେଗରେ ବହୁଥିଲା ।

ଏ ଦୃଷ୍ଟିରୁ ଦେଖିଲେ ଯେଉଁ ଜାତିଭେଦ ଏକ ଭୟଙ୍କର ମହାବାତ୍ୟାର ଅବପାତ ବେଳେ ଦେଖା ଯାଇଥିଲା ତାହା ଅତୀତର ବିପର୍ଯ୍ୟୟ ପରବର୍ତ୍ତୀ ଦୃଶ୍ୟପଟ୍ଟରେ ବିଶେଷକରି ସାହାଯ୍ୟ ପହଞ୍ଚାଇବା ପ୍ରକ୍ରିୟା ଭିତରେ ଯେଉଁ ଭେଦଭାବ ଦେଖାଯାଇଥିଲା ତାହା ଠାରୁ ଭିନ୍ନ ଥିଲା । ତାମିଲନାଡ଼ୁରେ ସୁନାମି ପରବର୍ତ୍ତୀ ପର୍ଯ୍ୟାୟରେ ଲୋକମାନଙ୍କ ପାଖକୁ ସାହାଯ୍ୟ ପହଞ୍ଚାଇବା ବେଳେ ଜାତିଭେଦର ସ୍ୱରୂପ ଦେଖିବାକୁ ମିଳିଥିଲା । ଠିକ୍ ଅନୁରୂପ ଜାତିଭେଦ ଗୁଜୁରାଟର କଚ୍ ଏବଂ ମହାରାଷ୍ଟ୍ରର ଲାଟୁର୍ ଠାରେ ହୋଇଥିବା ଭୂମିକମ୍ପ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଦେଖିବାକୁ ମିଳିଥିଲା । ସେହିଭଳି ବିହାର ବନ୍ୟା ବେଳେ ମଧ୍ୟ ଖବର ପ୍ରକାଶ ପାଇଥିଲା ଯେ, ଯେଉଁଭଳି ରିଲିଫ ବା ସାହାଯ୍ୟ ଯୋଗାଇ ଦିଆଯାଉଥିଲା ତାହା ଗରିବ ବା ଦଳିତମାନଙ୍କର ସାହାଯ୍ୟରେ ଆସୁ ନଥିଲା । ସେଠି ଖାଦ୍ୟ ଏବଂ ଔଷଧ ପୁଡ଼ିଆଗୁଡ଼ିକ ଧନୀ ଲୋକମାନଙ୍କର ଛାତ ଉପରେ ଫୋପାଡ଼ି ଦିଆଯାଉଥିଲା । ଏହା ସ୍ପଷ୍ଟ ଯେ ସେହି ସବୁ ଛାତକୁ ଦଳିତମାନଙ୍କର ପ୍ରବେଶ ନଥିଲା । ଏମିତି ହୋଇପାରେ ଯେ ଆକାଶମାର୍ଗରୁ ଖାଦ୍ୟ ବା ଔଷଧ ପୁଡ଼ିଆଗୁଡ଼ିକ ତଳକୁ ନିକ୍ଷେପ କଲାବେଳେ ସେ ସବୁ ବନ୍ୟା ଜଳରେ ଯେଭଳି ନପଡ଼େ ସେଥିପାଇଁ ବଡ଼ ବଡ଼ କୋଠାମାନଙ୍କର ଛାତ ଉପରେ ପକାଇ ଦିଆଯାଉଥିଲା । ସେ ଦୃଷ୍ଟିରୁ କହିବାକୁ ଗଲେ ବିପର୍ଯ୍ୟୟ ସମୟରେ ଯେଉଁ ଭେଦଭାବ ଦେଖାଯାଏ ତାହା ଢାଞ୍ଚାଗତ । ଏହା ଢାଞ୍ଚାଗତ ଏଇଥିପାଇଁ ଯେ, ଉପଯୋଗିତା ଦୃଷ୍ଟିରୁ ମଣିଷର ପକ୍ଷପାତିତାକୁ ଏଠି ଯୁକ୍ତିସଙ୍ଗତ ବୋଲି ମାନି ନିଆଯାଇଥାଏ । ଉଦାହରଣ ସ୍ୱରୂପ ବନ୍ୟା ରିଲିଫ ବିତରଣ ବେଳେ କୁହାଯାଏ ଯେ, ଯେଭଳି ଖାଦ୍ୟ, ଔଷଧ ପୁଡ଼ିଆଗୁଡ଼ିକ ନଷ୍ଟ ନହୁଏ ତାକୁ ମନ ଭିତରେ ରଖି ସେ ସବୁର ବିତରଣ କରାଯିବ । କିନ୍ତୁ ଆମେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବାର ଆବଶ୍ୟକତା ଅଛି; ଓଡ଼ିଶାର ଉଚ୍ଚଜାତିର ଲୋକମାନେ ସର୍ବସାଧାରଣ ବାତ୍ୟା ଆଶ୍ରୟସ୍ଥଳକୁ ଦଳିତମାନଙ୍କୁ ପ୍ରବେଶ ନ କରାଇଦେବା ବା ସେମାନଙ୍କୁ ସେ ଆଶ୍ରୟସ୍ଥଳରୁ ବାହାର କରିଦେବାର ଯୁକ୍ତିଯୁକ୍ତ କାରଣ କ’ଣ ଅଛି? ସ୍ଥାନୀୟ ସ୍ତରରୁ ଆସିଥିବା ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଉଚ୍ଚଜାତିର ଲୋକମାନେ ଆଶ୍ରୟସ୍ଥଳିଗୁଡ଼ିକୁ ଦଳିତମାନଙ୍କ ପୂର୍ବରୁ ଦଖଲ କରିଥିଲେ, ସେମାନେ ସେ ସବୁ ଆଶ୍ରୟସ୍ଥଳରେ ଅତ୍ୟଧିକ ଲୋକ ଯୋଗୁଁ ସ୍ଥାନ ନାହିଁ କହି ଦଳିତମାନଙ୍କୁ ଫେରାଇ ଦେଇଥିଲେ ।

ଏଭଳି ଗୋଟିଏ ଯୁକ୍ତି ଧରିନେଇଥାଏ ଯେ, ଆଉ କିଏ ସେ ସମୟରେ ଯାଇଥିଲେ ବି ସମ ଦଶା ଭୋଗିଥାନ୍ତା, ଏବଂ କଥାଟି କେବଳ ଦଳିତମାନଙ୍କର ପ୍ରବେଶର କଥା ନୁହେଁ । ଗୋଟିଏ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ସେଠି ଆଶ୍ରୟ ଦେବାପାଇଁ ମନା କରାଯାଇଥିଲା ଏଭଳି ଧାରଣାଟିଏ ସୃଷ୍ଟି ହୁଏ । ଏଭଳି ଏକ ଧାରଣାକୁ ଯଦି ଆମେ ବିଶ୍ୱାସ କରୁ ତେବେ ଯୁକ୍ତି କରିହେବ ଯେ, ଆଶ୍ରୟ ସ୍ଥଳରେ ପ୍ରବେଶ କରିବା ପାଇଁ ମନା କରିବା ଏକ ଜାତିଭିତ୍ତିକ ଆଚରଣ ନଥିଲା । ଏଭଳି ଏକ ଯୁକ୍ତିଯୁକ୍ତ ଜଣାପଡ଼ୁଥିବା ଧାରଣା ଗୋଟିଏ ଗୁୁରୁତ୍ୱପୂର୍ଣ୍ଣ କଥାଟିକୁ ଗୁରୁତ୍ୱ ଦେଇନଥାଏ ତା’ହେଲା ଯେ ଦଳିତମାନଙ୍କ ପୂର୍ବରୁ ଏହି ସବୁ ଆଶ୍ରୟସ୍ଥଳଗୁଡ଼ିକରେ ଉଚ୍ଚ ଜାତିର ଲୋକମାନେ ପହଞ୍ôଚବା ପାଇଁ ସେମାନେ ସୁବିଧାଜନକ ସ୍ଥିତିରେ ଥିଲେ । ଏହା ମଧ୍ୟ ଗୋଟିଏ କଥା ଯେ, ନ୍ୟାୟର ଯେଉଁ ଅତି ପରିଚିତ ନୀତିଟିଏ ଅଛି ଯେ, ‘ଯିଏ ପ୍ରଥମେ ଆସିବ, ସିଏ ପ୍ରଥମେ ପାଇବ’, ଦକ୍ଷତା ଦୃଷ୍ଟିରୁ ତାହା କମ୍ ଆପତ୍ତିଜନକ ଜଣାପଡ଼ିବ । କିନ୍ତୁ ସେହି ନୀତିଟି ଉଚ୍ଚଜାତିର ଲୋକମାନେ ଅନ୍ୟ ଆଶ୍ରୟସ୍ଥଳଗୁଡ଼ିକରେ ଆଦରି ନେଇ ନଥିଲେ, ସେହି ସବୁ ସ୍ଥାନରେ ଖବରରୁ ଆସିଥିବା ସମ୍ବାଦରୁ ଜଣାପଡ଼ିଛି ଯେ, ପୂର୍ବରୁ ଆଶ୍ରୟ ନେଇଥିବା ଦଳିତମାନଙ୍କୁ ଜବରଦସ୍ତ ସେହି ସବୁ ଆଶ୍ରୟସ୍ଥଳି ମାନଙ୍କରୁ ବାହାର କରିଦିଆଯାଇଥିଲା । ତେଣୁ, ‘ଯିଏ ପ୍ରଥମେ ଆସିବ, ସିଏ ପ୍ରଥମେ ପାଇବ’ ନୀତିଟିକୁ ଜାତି ଚେତନା ହିଁ ଉଲ୍ଲଂଘନ କରିଥିଲା, ଯଦିଓ ଦକ୍ଷତା ଭିତ୍ତିକ ଏହି ଏକା ନୀତିଟି ନ୍ୟାୟ ଦୃଷ୍ଟିରୁ ଏକ ସଫଳ ନୀତି ନୁହେଁ ।

ଉଚ୍ଚଜାତିର ଲୋକମାନେ ଦଳିତମାନଙ୍କୁ ଆଶ୍ରୟ ଦେବା କଥାଟିକୁ ଆମକୁ ଅବୁଝା ଲାଗି ନଥାନ୍ତା ଯଦି ଆଶ୍ରୟସ୍ଥଳଟି ସରକାରୀ ନହୋଇ କୌଣସି ଘରୋଇ ଆଶ୍ରୟସ୍ଥଳ ହୋଇଥାନ୍ତା । ଯେହେତୁ ସେମାନେ ଗୋଟିଏ ସର୍ବସାଧାରଣ ସ୍ଥାନଟିକୁ ନିଜର ଘରୋଇ ମାଲିକାନାରେ ପରିଣତ କଲେ, ତଦ୍ୱାରା ସେମାନେ ଏକ ସର୍ବସାଧାରଣ ଆଶ୍ରୟସ୍ଥଳରେ ଆଶ୍ରୟ ନେବାପାଇଁ ଦଳିତମାନଙ୍କର ଯେଉଁ ଅଧିକାରଟି ରହିଛି ତାକୁ ଉଲ୍ଲଂଘନ କରିଥିଲେ ।

ପ୍ରକୃତପକ୍ଷେ ଦେଖିଲେ ଏହା ଉଚ୍ଚଜାତିର ଲୋକମାନେ ଦଳିତମାନଙ୍କ ପ୍ରତି ନୈତିକ ବଦାନ୍ୟତା ଦେଖାଇବାରେ ବିଫଳ ହେବାକୁ ନେଇ ଗୋଟିଏ ପ୍ରଶ୍ନ ନୁହେଁ, ଯେହେତୁ ବାତ୍ୟା ଆଶ୍ରୟସ୍ଥଳଟି ଗୋଟିଏ ସରକାରୀ ବିଦ୍ୟାଳୟ ଥିଲା ଯେଉଁଥିରେ ଦଳିତମାନଙ୍କର ପ୍ରବେଶର ଅଧିକାର ଥିଲା । କିନ୍ତୁ ଉଚ୍ଚଜାତିର ଲୋକମାନେ ଦଳିତମାନଙ୍କର ସେ ଅଧିକାର ଅଛି ବୋଲି ଭାବୁ ନଥିଲେ । ଦଳିତମାନେ ମଧ୍ୟ ଭୟରେ ପତିଆରାସମ୍ପନ୍ନ ଜାତିମାନଙ୍କ ସାମ୍ନାରେ ଆଶ୍ରୟସ୍ଥଳଗୁଡ଼ିକରେ ପ୍ରବେଶ କରିବା ପାଇଁ ନିଜର ଅଧିକାରକୁ ସାବ୍ୟସ୍ତ କରି ନଥିଲେ ।

ଦଳିତମାନଙ୍କର ଦୂରାବସ୍ଥା ପ୍ରତି ଉଚ୍ଚଜାତିର ଲୋକମାନଙ୍କର ପ୍ରତିକ୍ରିୟାଟି ସୂଚିତ କରୁଛି ଯେ ସେମାନଙ୍କର ଜାତି ଚେତନା ଦୁଇଟି ସ୍ତରରେ ନୈତିକ ଚେତନାକୁ ପଛରେ ପକାଇ ଦେଇଥିଲା । ପ୍ରଥମଟି ହେଉଛି ନିଜର ଅଧିକାର ଅଛି କଥାଟିକୁ ଧରିନେଇଥିବା ଉଚ୍ଚ ଜାତିର ଲୋକମାନେ ବାତ୍ୟା ଆଶ୍ରୟସ୍ଥଳରେ ପ୍ରବେଶ କରିବାପାଇଁ ଦଳିତମାନଙ୍କର ବି ସମାନ ଅଧିକାର ଅଛି ସେ କଥା ସ୍ୱୀକାର କରୁ ନଥିଲେ । ଦ୍ୱିତୀୟଟି ହେଉଛି, ବଞ୍ôଚରହିବା ପାଇଁ ଦଳିତମାନଙ୍କର ବି ସମାନ ମାନବିକ ଅଧିକାର ଅଛି, ଏହିଭଳି ଏକ ନୈତିକ ପରୀକ୍ଷାରେ ମଧ୍ୟ ଜାତି ଚେତନା ପରାଜିତ ହୋଇଥିଲା । ଏହି ଅଧିକାରଟି ମଣିଷମାନଙ୍କର ବଞ୍ôଚବାର ଅଧିକାର ଭିତରେ ଯାଉଛି । ଉଚ୍ଚଜାତିର ଲୋକମାନେ ଯୁକ୍ତିକୁ ନିଜ ସପକ୍ଷରେ ନେଇ ନିଜ ଜୀବନକୁ ସୁରକ୍ଷିତ ରଖିପାରିଲେ; ସେମାନେ ନିଜର ସାମାଜିକ କ୍ଷମତାକୁ ମଧ୍ୟ ପ୍ରୟୋଗ କରି ଦଳିତମାନଙ୍କର ଜୀବନକୁ ବିପନ୍ନ କରିଦେଲେ ।

ମଣିଷ ଉପରେ ଯେତେବେଳେ ପ୍ରାକୃତିକ ଦୁର୍ବିପାକ ପଡ଼ିଥାଏ ସେତେବେଳେ ସେ ଭେଦଭାବ କିଛି ଦେଖି ନଥାଏ । ବିପର୍ଯ୍ୟୟଟି ପ୍ରତିଟି ମଣିଷକୁ ସମାନଭାବେ ଏବଂ ବିଧ୍ୱସ୍ତ କଲାଭଳି ଶକ୍ତି ସହିତ ପ୍ରଭାବିତ କରିଥାଏ କୌଣସି ଭେଦଭାବକୁ ସ୍ୱୀକାର ନକରି । ପ୍ରକୃତିର ବିଧ୍ୱସ୍ତକାରୀ ପ୍ରଭାବ ସବୁଜାଗାରେ ଏକାଭଳି । କିନ୍ତୁ ମଣିଷମାନେ ଏବଂ ସେମାନଙ୍କର ସୁରକ୍ଷିତ ରହିବାର ଦକ୍ଷତା ଯୋଗୁଁ ହିଁ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ସ୍ଥିତି ସୃଷ୍ଟ କରିଥାଏ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top