ନିର୍ବାଚନ ପ୍ରଚାର ଓ ଦେଖଣାହାରୀ ଜନତା
ନିର୍ବାଚନକୁ ନେଇ ଏବେର ସାଧାରଣ ଲୋକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଜନସାଧାରଣଙ୍କର ସକ୍ରୀୟ ପ୍ରତିନିଧିତ୍ୱକୁ ହ୍ରାସ କରି ଦେଉଛି ।
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଘୋଷଣା କରାଯାଇ ସାରିବା ପରେ ସରକାରୀ ମେଂଟ ତଥା ବରୋଧୀ ଦଳଗୁଡିକର ନିର୍ବାଚନ ପ୍ରଚାର ଧୀରେ ଧୀରେ ଜମିବାରେ ଲାଗିଛି । ଏହି ପ୍ରଚାରର ପ୍ରକୃତି ଓ ଭାଷା ଜଣାଇ ଦେଇଥାଏ ଯେ ସାଧାରଣ ଭୋଟରମାନଙ୍କ ପକ୍ଷରୁ କେଉଁ କେଉଁ ବିଷୟ ଉପରେ ଏଥର ଗୁରୁତ୍ୱ ଦିଆଯାଉଛି ଓ ଏଥରର ନିର୍ବାଚନରେ ଜନତାର ଯଥାର୍ଥ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯିବ କି ନାହିଁ । ଏକ ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ସମାଜକୁ ଗଣତାନ୍ତ୍ରିକ ବ୍ୟବସ୍ଥା ବିଷୟରେ ଦିଗଦର୍ଶନ ଦେବା ସହ ସରକାରର ଏଥିପ୍ରତି ସମ୍ବେଦନଶୀଳତା ବିଷୟରେ ସାମୁହିକ ବିଚାରବିମର୍ଷ ପାଇଁ ସୁଯୋଗ ଆଣି ଦେଇଥାଏ । ତେବେ ସାମ୍ପ୍ରତିକ ସମୟରେ ହେଉଥିବା ନିର୍ବାଚନ ପ୍ରଚାର ଏପରି ଆଲୋଚନାର ବାହକ ହୋଇ ପାରୁ ନାହିଁ ବରଂ ଏହା ଏକ ଖେଳ ବା କ୍ରିଡା ପ୍ରତିଯୋଗିତା ପରି ବୋଧ ହେଉଛି । ନିର୍ବାଚନ ପ୍ରଚାରର ଯେଉଁ ମୂଳ ଉଦ୍ଦେଶ୍ୟ ଥିଲା ସେଥିରୁ ଦୁରେଇ ଯାଇ ଏବେ ଯେଭଳି ପ୍ରଚାର କାର୍ଯକ୍ରମ ଚାଲିଛି ସେଥିରୁ ଦୁଇଟି କଥା ବାହାରୁଛି-ଏକ ପ୍ରେସିଡେନସିଆଲାଇଜେସନ ଓ ଦୁଇରେ ମ୍ୟୁନିସୀପାଲିଆଲାଇଜେସନ । ଏହା ଗଣତନ୍ତ୍ରର ସାରତତ୍ତ୍ୱକୁ ଭୁଲୁଣ୍ଠିତ କରିବାରେ ଲାଗୁଛି ।
ପ୍ରେସିଡେନସିଆଲାଇଜେସନ ବା ରାଷ୍ଟ୍ରପ୍ରତି ଅଭିମୁଖୀ ବ୍ୟବସ୍ଥାରେ ଗୋଟିଏ ଦଳ ବା ମେଂଟର ମୁଖା ଭାବରେ କେବଳ ଜଣେ ଲୋକ ବା ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରାଯାଇଥାଏ ଯାହାକି ନିର୍ବାଚନ ସମୟରେ ଚାଲୁଥିବା ବିତର୍କ ଓ ପ୍ରତିଦ୍ୱନ୍ଦିତାକୁ ଏକ ବ୍ୟକ୍ତି ବା କାହାରି ବ୍ୟକ୍ତିତ୍ୱର ଲଢେଇରେ ପରିଣତ କରି ଦେଇଥାଏ । ମୁନିସୀପାଲାଇଜେସନ ଜଣେ ପ୍ରାର୍ଥୀଙ୍କର ତାଙ୍କ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯକ୍ରମ ଉପରେ ଧ୍ୟାନ କେନ୍ଦ୍ରୀତ କରାଇଥଏ । ଏଠାରେ ଜଣେ ଯୁକ୍ତି କରି ପାରନ୍ତି ଯେ ଦ୍ୱିତୀୟଟି ପ୍ରତିନିଧିମୂଳକ ଗଣତାନ୍ତ୍ରିକ ନିୟମ ଅନୁରୂପ ଏବଂ ଏ ବିଷୟରେ ହେଉଥିବା ଆଲୋଚନାର ମୂଳ ବା ଉତ୍ସ ବିକେନ୍ଦ୍ରୀକରଣର ଆଲୋଚନା ସହ ଯୋଡି ହୋଇଥାଏ, କିନ୍ତୁ ପ୍ରଥମଟି ଯେପରି ଏକକେନ୍ଦ୍ରୀକରଣ ହୋଇ ଏକଛତ୍ରବାଦୀ ହୋଇଥାଏ ଏହା ସେପରି ହୋଇ ନଥାଏ । ସେ ଯାହାହେଉ ଏହି ଉଭୟ ପ୍ରବୃତ୍ତି ଜନଗଣଙ୍କର ଗଣତାନ୍ତ୍ରିକ ସଂସ୍ଥାଗୁଡିକୁ ବିଭିନ୍ନ ବାଟରେ ଦୁର୍ବଳ କରି ଜନଗଣଙ୍କୁ କମଜୋର କରିବାରେ ସହାୟକ ହୋଇଥାଏ । ପ୍ସେିଡେନସିଆଲାଇଜେସନ କ୍ଷେତ୍ରରେ ଲୋକମାନେ ଜଣେ କେନ୍ଦ୍ରୀୟ ନେତାଙ୍କ ଠାରେ ସମସ୍ତ କ୍ଷମତା ଠୁଳ କରିବାର ଉଦ୍ୟମ କରି ଥାଆନ୍ତି । ଏହି ନେତା ବାଛିବା ବେଳେ ସେମାନେ ବ୍ୟକ୍ତିର ଦକ୍ଷତା, କୌଶଳ, ଏବଂ ଦୁର୍ବଳତାକୁ ଦେଖି ବାଛିଥାଆନ୍ତି । ଲୋକଙ୍କ ଭିତରେ ଏହି ସମୟରେ ଯେଉଁ ଆଲୋଚନା ହୋଇଥାଏ ସେଥିରେ ଜଣେ ନେତାଙ୍କର ନିଷ୍ପତ୍ତି ନେବାର ଦକ୍ଷତା, ଜୋରଦାର ଭାଷଣ, ଭଦ୍ରାମୀ, ନମ୍ରତା ଆଦି ବିଷୟରେ ଯେତିକି ଆଲୋଚନା ହୁଏ ଆଉ ଜଣଙ୍କର ଏସବୁ କ୍ଷେତ୍ରରେ ଥିବା ଦୁର୍ବଳତା ବିଷୟରେ ବି ସେତିକି ଯୋରରେ ଆଲୋଚନା ହୋଇଥାଏ । ଏଥିରେ ସରକାରୀ ଦଳର ଜନ ବିରୋଧୀ ନୀତି, ଯୋଜନା, ଦୃଷ୍ଟିକୋଣ ଓ ଦୂରଦୃଷ୍ଟି ସମ୍ପର୍କରେ ପ୍ରଶ୍ନ ଉଠାଇବାର କି ବିରୋଧୀଦଳ ପକ୍ଷରୁ ଦିଆ ଯାଉଥିବା ବିକଳ୍ପ ଚିନ୍ତାଧାରାକୁ ନେଇ ଆଲୋଚନା କରିବାର ସୁଯୋଗ ନ ଥାଏ । ଏହାଦ୍ୱାରା ନିର୍ବାଚନ ଏକ ବ୍ୟକ୍ତିକୈନ୍ଦ୍ରିକ ବିଷୟରେ ପରିବର୍ତ୍ତିତ ହୋଇଯାଇଥାଏ ଓ ଏଥିରେ ଅଧିକ ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିରୁ ପ୍ରଭାବଶାଳୀ ଶକ୍ତିମାନଙ୍କର କଥା ରହିଥାଏ । ପରିଣାମରେ ଭୋଟର ତା ଭୋଟ ଜରିଆରେ ପରିବର୍ତ୍ତନ ପାଇଁ ଦେଖୁଥିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଥାଏ । ଯଦି ମତଦାତାର ଏହି ଆଶା ଓ ରଣନୀତି ସଫଳ ନହୁଏ ତେବେ ଗଣତନ୍ତ୍ରର ଅର୍ଥ କ’ଣ?
ମୁନିସିପାଲାଇଜେସନ ପ୍ରକ୍ରିୟାରେ ମତାଦାତା ମାନଙ୍କ କାର୍ଯ୍ୟକଳାପ ନିର୍ବାଚନମଣ୍ଡଳୀ ସ୍ତରୀୟ ହୋଇଥାଏ । ଏ ସମ୍ବନ୍ଧୀୟ ଆଲୋଚନାରୁ ନୀତି ସମ୍ବନ୍ଧୀୟ ବଡ ବଡ କଥା ସବୁକୁ ବାଦ ଦେଇ ଦିଆଯାଏ । ନିର୍ବାଚନମଣ୍ଡଳୀ ସ୍ତରୀୟ ଛୋଟ ଛୋଟ କଥା ସବୁ ଏଥିରେ ସ୍ଥାନ ପାଇଥାଏ । ସ୍ଥାନୀୟ ଲୋକମାନଙ୍କ ପାଇଁ ଯେହେତୁ ଦିଲ୍ଲୀ ବହୁତ ଦୂର ଭଳି ବୋଧହୁଏ ତେଣୁ ସେମାନେ ଅପନା ଗଲ୍ଲୀ ବା ସ୍ଥାନୀୟ ବିଷୟ ଉପରେ ଆଲୋଚନା କରିବାକୁ ପସନ୍ଦ କରିଥାଆନ୍ତି । ତେବେ ସଂସଦୀୟ ଗଣତନ୍ତ୍ରରେ ଯେହେତୁ ଦିଲ୍ଲୀ ଅସଲରେ ସ୍ଥାନୀୟ ଅଞ୍ଚଳରୁ ହିଁ ଶକ୍ତି ସଂଗ୍ରହ କରି ଶକ୍ତିଶାଳୀ ହୋଇଥାଏ ଓ ଦିଲ୍ଲୀରେ ହେଉଥିବା ନୀତି ନିର୍ଦ୍ଧାରଣ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଥାଏ ତେଣୁ ଦିଲ୍ଲୀ ସମ୍ବନ୍ଧୀୟ ଆଲୋଚନାରେ ମଧ୍ୟ ସ୍ଥାନୀୟ ବିଷୟ ଗୁଡିକ ସା୍ଥନିତ ହୋଇଥାଆନ୍ତି । ଯେହେତୁ ସ୍ଥାନୀୟ ଲୋକମାନେ ଗଣତନ୍ତ୍ର ଓ ସେମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ଶକ୍ତିମାନଙ୍କ ବିଷୟରେ ନିଜେନିଜେ ଯାହା କିଛି ଜାଣିଥାଆନ୍ତି ତେଣୁ ସ୍ଥାନୀୟ ସାଧାରଣ ଲୋକଙ୍କର କଳ୍ପନା ନିଜ ନିର୍ବାଚନ ମଣ୍ଡଳୀ ସ୍ତରୀୟ ହୋଇ ରହି ଯାଇଥାଏ ଓ ଏଠାରେ ଜନଗଣଙ୍କୁ ନିର୍ବାଚନ ବା ଭୋଟଦାନରୁ ମିଳୁଥିବା କ୍ଷମତାର ବ୍ୟବହାର ବିଷୟଟି ବାଧିତ ବା ଖଣ୍ଡିତ ହୁଏ । ଏଠାରେ ମତଦାତାମାନଙ୍କୁ ନିର୍ବାଚନ ବିଷୟରେ ଜ୍ଞାନ ମିଳିବାର ଜରିଆ ହୋଇଥାଆନ୍ତି ନିର୍ବାଚନରେ ଅଂଶଗ୍ରହଣ କରୁଥିବା ରାଜନୈତିକ ଦଳ ଓ ସେମାନଙ୍କର ନିର୍ବାଚନ ପ୍ରଚାର । କିନ୍ତୁ ଗୋଟିଏ କଥା ଦେଖିବାକୁ ମିଳିଥାଏ ଯେ ମୁନିସିପାଲାଇଜେସନ ଓ ପ୍ରେସିଡେନସିଆଲାଇଜେସନ ଉଭୟ ରାଜନୈତିକ ଦଳମାନଙ୍କର ପ୍ରାସଙ୍ଗିକତାକୁ ମଧ୍ୟ ଦୁର୍ବଳ କରି ଦିଅନ୍ତି । ଏକଥା ସତ୍ୟ ଯେ ଜନସାଧାରଣଙ୍କ ସହିତ ସମ୍ପର୍କରେ ରହୁଥିବା ରାଜନୈତିକ ଦଳ ଗୁଡିକ ଧୀରେ ଧୀରେ ସଂଗଠନ ଭାବରେ ସେମାନଙ୍କର କ୍ଷମତାକୁ ଦୁର୍ବଳ କରାଇଦେବା ଓ ସେମାନଙ୍କର ସମ୍ପର୍କର ଡୋରୀ ଆଦର୍ଶ ସହିତ ଦୁର୍ବଳ ହେବା ଫଳରେ ଉପରଲିଖିତ ଦୁଇ ପ୍ରବୃତ୍ତିତ୍ତ ସବଳ ହୋଇଥାଆନ୍ତି । ରାଜନୈତିକ ଦଳମାନେ ଯେପରି ନିର୍ବାଚ ପ୍ରଚାର କରନ୍ତି ଓ ସେମାନଙ୍କର ନିଜସ୍ୱ ଚରିତ୍ର ଜନସାଧାରଣଙ୍କ ମଧ୍ୟରେ ସେମାନଙ୍କୁ ନେଇ ଥିବା ସେମାନଙ୍କର ଛବିକୁ ଆହୁରି ଦୁର୍ବଳ କରି ଦେଇଥାଏ ।
ଏହାର ଏକ ବଡ ଉଦାହରଣ ହେଉଛି ରାଜନୈତିକ ଦଳଗୁଡିକ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାରେ ଦିଆ ଯାଉଥିବା ନିର୍ବାଚନ ଇସ୍ତାହାର । ଏହି ନିର୍ବାଚନ ଇସ୍ତାହାର ଗୁଡିକୁ ମତଦାତା ଯେମିତି ସେତେବେଶୀ ଗୁରୁତ୍ୱ ଦେଇ ନ ଥାନ୍ତି ସେମିତି ନିର୍ବାଚନ ପ୍ରଚାର କାଳରେ ରାଜନୈତିକ ଦଳଗୁଡିକ ସେମାନଙ୍କର ନିର୍ବାଚନ ପ୍ରଚାରକୁ କେବେବି ନିଜର ନିର୍ବାଚନ ଇସ୍ତାହାର କେନ୍ଦ୍ରିତ କରି ନ ଥାନ୍ତି । ଅନ୍ୟ ଦଳ ଗୁଡିକ ନିର୍ବାଚନ ଇସ୍ତାହାର ଉପରେ ଯାହା ଯେମିତି ଗୁରୁତ୍ୱ ଦେଇଥାଆନ୍ତି କିନ୍ତୁ ଭାରତୀୟ ଜନତା ପାର୍ଟି ଏହା ଉପରେ କେତେ ଗୁରୁତ୍ୱ ଦିଏ ସେକଥା ଏଇଥିରୁ ସ୍ପଷ୍ଟ ହେଲା ଯେ ୨୦୧୪ ନିର୍ବାଚନରେ ପାର୍ଟି ଠିକ ମତଦାନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ହିଁ ଏହାର ନିର୍ବାଚନ ଇସ୍ତାହାର ଜାରୀ କରିଥିଲା । ନିର୍ବାଚନ ଇସ୍ତାହାର ପ୍ରତି ଜନସାଧାରଣଙ୍କର ଉଦାସୀନତା ପଛରେ ରହିଛି ଏହି ସବୁ ଇସ୍ତାହାରର ଗୁରୁତ୍ୱ ଉପରେ ଜନସାଧାରଣଙ୍କର ସନ୍ଦେହ କିନ୍ତୁ ଏକଥାକୁ ମଧ୍ୟ ମାନିବାକୁ ହେବ ଯେ ଏହି ନିର୍ବାଚନ ଇସ୍ତାହାର ଗୁଡିକରେ ଦଳ ଗୁଡିକର ଦୁଷ୍ଟିକୋଣ ସହିତ ଦୁରଦୃଷ୍ଟିର ପ୍ରତିଫଳନ ଘଟିଥାଏ । ତେବେ ନିର୍ବାଚନୀ ଇସ୍ତାହାରର ଆଲୋଚନା, ପର୍ଯ୍ୟାଲୋଚନା ଆଦି ନା ଗଣମାଧ୍ୟମ ନା ରାଜନୈତିକ ଦଳ ନା ମତଦାତା କାହାରି ପକ୍ଷରୁ ଗରୁତ୍ୱ ଦେଇ କରା ନ ଯିବା ଫଳରେ ଏହାର ବିଷୟବସ୍ତୁ କେବଳ ନିର୍ବାଚନ ସର୍ବସ୍ୱ ହୋଇ ରହିଯାଏ, ଏକ ବାସ୍ତବ ଦୃଷ୍ଟିକୋଣ ସମ୍ପନ୍ନ ବିଷୟ ଭାବରେ ନିଆଯାଏ ନାହିଁ । ଏ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଏବେ ଏଇଥିପାଇଁ ଅଧିକ ଯେ ଦେଶରେ ଏବେ ଆରଏସଏସ-ବିଜେପି ନିୟନ୍ତ୍ରିତ ସରକାର ପୁଣି ଆସିବା ପାଇଁ ଉଦ୍ୟମ କରୁଛି ଯାହାର ଦୃଷ୍ଟିକୋଣ ହେଉଛି ପୁରା ଭାରତୀୟ ସମ୍ବିଧାନ ବିରୋଧୀ । ଯଦି ୨୦୧୯ ନିର୍ବାଚନ ସ୍ୱାଧୀନ ଭାରତର ଏକ ଗୁରୁତ୍ୱପୂର୍ଣର୍ ନିର୍ବାଚନ ବୋଲି ବିଚାର କରାଯାଉଛି ତେବେ ମତଦାତାମାନଙ୍କୁ ନିର୍ବାଚନ ସମ୍ବନ୍ଧରେ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନାକୁ ସେହିଭଳି ଗୁରୁତ୍ୱ ଦେବାକୁ ହେବ ।