ISSN (Print) - 0012-9976 | ISSN (Online) - 2349-8846

ଯେତେବେଳେ ପାଣି ହିଁ ନଥିବ

ଆମେ ଆମ ନିଜକୁ କେବଳ ମିଛ ସାନ୍ତ୍ୱନା ଦେଇ ଚାଲିଛୁ ଯେ ଆମେ ଜଳସଂକଟର ସମାଧାନ କରି ଦେଇ ପାରିବୁ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଦିନେ ନା ଦିନେ ଆମ ଆଗରେ ଏକ ଜଳ ଶୂନ୍ୟ ଦିବସ ଆସି ଉପିସ୍ଥତ ହୋଇଯିବ । ଯାହାକୁ ‘ଡେ ଜୀରୋ’ କୁହାଯାଉଛି । ଏହା ଆଉ ଏକ ଦୂରନ୍ତ ସମୟର କଥା ହୋଇ ରହିନାହିଁ । ସମ୍ପ୍ରତି ହୋଇଥିବା ସର୍ବେକ୍ଷଣରୁ ଜଣା ପଡି ସାରିଛି ଯେ ଖୁବ ଶୀଘ୍ର ଆଫ୍ରିକାର କେପଟାଉନରେ ଏହି ଜୀରୋ ଡେ ବା ଜଳଶୂନ୍ୟ ଦିବସ ଆସିବାକୁ ଯାଉଛି । କେବଳ ଆଫ୍ରିକାରେ ବୋଲି ନୁହେଁ ଭାରତରେ ମଧ୍ୟ ଗୋଟିଏ ବଡ ସହର ବେଙ୍ଗାଲୁରୁରେ ଏହି ଦିନଟି ଖୁବ ଶୀଘ୍ର ଆସିବାକୁ ଯାଉଛି । କେପଟାଉନରେ ଚଳିତ ବର୍ଷ ଅପ୍ରେଲ ରୁ ଜୁଲାଇ ଭିତରେ ଆସିବାକୁ ଥିବା ଜିରୋ ଦିବସକୁ ସଫଳତାର ସହିତ ଘୁଞ୍ଚାଇ ଦିଆ ଯାଇଛି । ଜଳ ସଂରକ୍ଷଣ ନୀତିକୁ କଡାକଡି କରାଯାଇ ଓ ମୁଣ୍ଡପିଛା ଜଳ ଖର୍ଚ୍ଚକୁ ଦୈନିକ ୫୦ ଲିଟରକୁ ନେଇ ଆସିବା ଫଳରେ ଏହା ସମ୍ଭବ ହୋଇ ପାରିଛି । କିନ୍ତୁ ମେ ମାସରେ ହେବାକୁ ଥିବା ବର୍ଷା ଯଦି ଆବଶ୍ୟକ ମାତ୍ରାରେ ନହେଲା ତା ହେଲେ କେପଟାଉନର ବାସିନ୍ଦା ମାନଙ୍କୁ  ଷ୍ଟାଣ୍ଡପୋଷ୍ଟ ନିକଟରେ ପାଣି ପାଇଁ ଲାଇନ ଲଗାଇବାକୁ ହେବ । ଅବଶ୍ୟ ଏ ଯାବତ୍  ବେଙ୍ଗାଲୁରୁ ବା ଅନ୍ୟ କୌଣସି ଭାରତୀୟ ସହରରେ ସେଭଳି କୌଣସି ବାଧ୍ୟବାଧକତା ଆସି ନାହିଁ । କିନ୍ତୁ ଜଳସଂକଟର ବାସ୍ତବିକତାକୁ ହୃଦୟଙ୍ଗମ କରି ତା ପାଇଁ ବାସ୍ତବ ସମଧାନର ରାସ୍ତା ବାହାର କରିବା ଓ ଜଳସଂକଟ ଆସିଲେ ଆମେ ଏହାକୁ ଏଡାଇ ଦେଇ ପାରିବା ବୋଲି ଭାବି ଜଳସଂକଟର ସମାଧାନ କରିବା କଥା ଦୁଇଟି ମୋଟେ ଏକା ପରି  ନୁହେଁ । ଏହା ସତ୍ୟ ଏବଂ ନିଶ୍ଚିତ ଯେ ଜଳର ଅପବ୍ୟବହାର ଓ ଅପଚୟ କାରଣରୁ ଆମକୁ ଖୁବ ଶୀଘ୍ର ଜଳସଂକଟର ସମ୍ମୁଖୀନ ହେବାକୁ ପଡିବ ।

କେପଟାଉନରେ ଦେଖା ଦେଇଥିବା ଜଳ ସମସ୍ୟା ଭାରତର କେତେକ ସହର ବା ଅଞ୍ଚଳରେ ମଧ୍ୟ ନିଶ୍ଚିତ ଦେଖାଯିବାକୁ ଯାଉଛି ବୋଲି ମନେରଖି ଏହାର ସମାଧାନ ପାଇଁ ଉଦ୍ୟମ କରାଯିବା ଉଚିତ୍ । ଯେଉଁ ପ୍ରକାରରେ କିଛି ଲୋକ ଜଳର ମାତ୍ରାଧିକ ଅପବ୍ୟବହାର କରିବାରେ ଲାଗିଛନ୍ତି ସେଥିରୁ ଏହି ଅତ୍ୟାବଶ୍ୟକ ଦ୍ରବ୍ୟର ଅସମ ବଣ୍ଟନ ବିଷୟଟି ବେଶ ସ୍ପଷ୍ଟ ହେଉଛି । କେପ ଟାଉନ ପରି ଭାରତୀୟ ସହରମାନଙ୍କରେ ଥିବା ଗରିବ ଲୋକମାନେ ହିଁ ଏକ ସମ୍ଭାବ୍ୟ ଜୀରୋ ଡେର ସମ୍ମୁଖିନ ହେବା ପାଇଁ ଅଧିକ ସମ୍ଭାବନାକୁ ନେଇ ବଞ୍ଚୁଛନ୍ତି । ସେମାନେ ପାଣି ପାଇବାପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା, ପାଣି ପାଇଁ ଅଧିକ ପଇସା ଦେବା ପରେ ହିଁ ସେମାନଙ୍କ ଆବଶ୍ୟକତାର କିଛି ଅଂଶ ପାଇ ପାରୁଛନ୍ତି । ଧନୀ ଲୋକମାନଙ୍କ କ୍ଷେତ୍ରରେ ପାଣି ନଳରୁ ନିରନ୍ତର ଭାବେ ପାଣି ବହି ଚାଲିବା, ପ୍ରାସାଦଗୁଡିକ ଉପରେ ଥିବା ଓଭରହେଡ ଟାଙ୍କିକୁ ପମ୍ପ ସାହାଯ୍ୟରେ ପାଣି ଉଠାଯିବା ସହିତ ସେମାନଙ୍କ ପାଖରେ ପାଣିର ଅଭାବ ନଥିବାରୁ ଯେତେ ସମ୍ଭବ ଅପଚୟ କରିବା ସମ୍ଭବ ହେଉଛି । ସେମାନେ ଏଥିପାଇଁ ଯେତିକି ପଇସା ଦିଅନ୍ତି ତାହା ସେମାନଙ୍କୁ ଜଳ ଅପଚୟରୁ କ୍ଷାନ୍ତ କରିବାପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ହୋଇ ପାରୁ ନାହିଁ । ଆମର ସମାଜ ବ୍ୟବସ୍ଥାରେ ସେମାନଙ୍କ ବିବେକ ମଧ୍ୟ ସେମାନଙ୍କୁ ଏପରି ଏକ ଅମୂଲ୍ୟ ଜିନିଷର ଅଯଥା ଅପଚୟ କରିବାକୁ ବାଧା ପହୁଞ୍ଚାଇ ପାରୁ ନାହିଁ ।

ଆମର ବିଭିନ୍ନ ସହରରେ ଜଳାଭାବ, ପାଣିର ଅସମ ଉପଯୋଗ ଓ ବିତରଣ  ବ୍ୟତୀତ ଆଉ ଗୋଟିଏ ବଡ ସଂକଟ ହେଉଛି ଜଳର  ଅପବ୍ୟବହାର ଓ ସଂରକ୍ଷଣର ସଂକଟ । ଏହି ଗମ୍ଭୀର ସାଧାରଣ ସମ୍ପଦଟି ପ୍ରତି ଆମର ଚିନ୍ତାଧାରା  ଠିକ ଅଷ୍ଟ୍ରିଚ ପରି । ଆମର ମୁଣ୍ଡଗୁଡିକ ଅଯୌକ୍ତିକ ଭାବରେ ବାଲିଗଦା ଭିତରେ ପୋତି ହୋଇ ରହିଥିବା ବେଳେ ଉଭୟ ସରକାରୀ କର୍ତ୍ତୃପକ୍ଷ ଓ ନାଗରିକ ଏହି ଭ୍ରାନ୍ତଧାରଣା ଭିତରେ ଥାଆନ୍ତି ଯେ ଯେମିତି ହେଉ, ପ୍ରତି ବର୍ଷ, ଆମକୁ ବର୍ଷା ଆସି ବଞ୍ଚାଇ ଦେବ, ଆମ ନଦୀ, ହ୍ରଦ ସବୁକୁ ଭର୍ତ୍ତି କରିଦେବ ଏବଂ ଆମର ଶେଷ ହୋଇ ଯାଇଥିବା ସଂରକ୍ଷିତ ଭୂତଳ ଜଳକୁ ପୁଣି ଥରେ ପୂର୍ଣ୍ଣ କରିଦେବ । ଯଦି ବର୍ଷା ଏଥିରେ ବିଫଳ ହୁଏ ତେବେ ଆମେ ବସି ବସି ବିଶ୍ୱ-ତାପନ ଓ ପରିବେଶ ପରିବର୍ତ୍ତନକୁ ଦୋଷ ଦେଇ ଦେଲେ ଗଲା । କିନ୍ତୁ ଆମେ ଜଳ ସଂରକ୍ଷଣ ମୂଲ୍ୟକୁ ବୁଝିବା କଥା ଭୁଲିଯାଉ, ଆମେ ଏକଥା ମଧ୍ୟ ଭୁଲିଯାଉ ଯେ ଆମେ ଆଜି ସଞ୍ôଚଲେ ତାହା ଆସନ୍ତାକାଲି ପାଇଁ ଆମର ବା ଆଉ କାହାର କାମରେ ଲାଗିବ ।

ଏହି ପ୍ରକାରର ଜାଣିଶୁଣି ନିଆଯାଉଥିବା ବୋଧଶକ୍ତିଶୂନ୍ୟ ଦୃଷ୍ଟିକୋଣ ଯୋଗୁ  ଜଳ ପରି ଏକ ଦୁର୍ଲଭ ସମ୍ପଦର ସୁଲଭ୍ୟତା ଓ ବଣ୍ଟନ ଉପରେ ଦୃଷ୍ଟି ନଦିଆଯାଇ ଆମର ସହର ଗୁଡିକର ବିକାସ ଯୋଜନା ଓ କାର୍ଯକ୍ରମ ସବୁ ହୋଇ ଚାଲିଛିି । ଉଦାହରଣ ସ୍ୱରୂପ ୨୨୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ଥିବା ବେଙ୍ଗାଲୁରୁ ସହରର ଲୋକସଂଖ୍ୟା ୧୯୯୧ରେ  ୪୫ ଲକ୍ଷ ଥିଲା । ଏବେ ଏହି ସହର ବଢି ବଢି ୮୦୦  ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ହେଲାଣି ଓ ଏହି ସହରରେ ଜନସଂଖ୍ୟା ୧ କୋଟି ୩୫ ଲକ୍ଷରେ ପହଞ୍ôଚଲାଣି । ଏଠାରେ ଏବେ ଜଳ ଏକ ଦୀର୍ଘସ୍ଥାୟୀ ସମସ୍ୟା ହୋଇ ରହିଛି । କାରଣ ଏଠାରେ ଜଳ ସଂରକ୍ଷଣ ଜଳ ଅପଚୟକୁ ରୋକିବାର ଉଦ୍ୟମ କରାଯାଇ ନାହିଁ । ଏଠାରେ ଥିବା ଭରପୁର ଜଳାଶୟ ଗୁଡିକର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ କି ଜଳ ଅପଚୟ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରିବାର କୌଣସି ବ୍ୟବସ୍ଥା କରାଗଲା ନାହିଁ  । ସେକଥା ହୋଇଥିଲେ ଅନ୍ତତଃ ଜଳର ଅପଚୟକୁ ବହୁମାତ୍ରାରେ ରୋକାଯାଇ ପାରିଥାଆନ୍ତା । ବେଙ୍ଗାଲୁରୁ କାବେରୀ ନଦୀର ଜଳ ଉପରେ ନିର୍ଭରଶୀଳ ଥିଲା । ତେଣୁ କର୍ଣ୍ଣାଟକ ରାଜ୍ୟ ସରକାର କାବେରୀରୁ ଅଧିକ ଜଳ କର୍ଣ୍ଣାଟକକୁ ଦେବା ପାଇଁ  କୋର୍ଟମାନଙ୍କରେ ମୋକଦମ୍ମା କରିଛନ୍ତି । ଯା ଫଳରେ କର୍ଣ୍ଣାଟକକୁ ଅଧିକ ପାଣି ମିଳିବା ସମ୍ଭବ ହୋଇଛି । କିନ୍ତୁ ତାହା ମଧ୍ୟ ବେଙ୍ଗାଲୁରୁ ସହରର ଜଳର ଆବଶ୍ୟକତାକୁ ପୂରଣ କରି ପାରୁ ନାହିଁ । କର୍ଣ୍ଣାଟକର ଅନ୍ୟ ସହର ଗୁଡିକରେ ମଧ୍ୟ ସେହି ପରି ଜଳସଂକଟ ଲାଗି ରହିଛି ।

ଏଠାରେ ଲକ୍ଷ୍ୟ କରିବାର କଥା ଯେ ଘରୋଇ ଜଳଖର୍ଚ୍ଚର ପରିମାଣ ସେତେବେଶି ଜଳସଂକଟ ସୃଷ୍ଟି କରୁନାହିଁ । ଅଧିକ ଜଳ କୃଷି କାର୍ଯ୍ୟ ଓ ଉଦ୍ୟୋଗ ପାଇଁ ଆବଶ୍ୟକ ହେଉଛି । ଏଠାରେ ମଧ୍ୟ ସେହିକଥା ଘଟିଛି । ଷାଠିଏ ଦଶକରେ ଦେଶରେ ଆସିଥିବା ସବୁଜ-ବିପ୍ଳବ ଯୋଗୁଁ କୃଷି କାର୍ଯ୍ୟ ପାଇଁ ଯେଉଁ ଅଧିକ ଜଳର ଆବଶ୍ୟକତା ଦେଖାଗଲା ତାହାକୁ ଭୂମୀ ଉପରର ଜଳ କୁଲେଇଲା ନାହିଁ । ତେଣୁ ଦେଶର ବହୁ ଅଞ୍ଚଳରେ ଭୂତଳ ଜଳର ବ୍ୟବହାର ବଢିଲା ଓ ଭୂତଳ ଜଳର ପରିମାଣ କମିଲା । କାରଣ ଭୂତଳ ଜଳଉତ୍ସକୁ ପୁଣିଥରେ ଭର୍ତ୍ତି କରି ଏହାର ପୁରୁଣା ସ୍ତରକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା ହେଲା ନାହିଁ । ତେଣୁ ଯେଉଁବର୍ଷ କମ ବର୍ଷା ହେଲା ସେ ବର୍ଷ ଜଳକଷ୍ଟ ଦେଖାଗଲା । ଯେଉଁ ସ୍ଥାନରେ ଭୂମି ଉପରେ ଥିବା ଜଳକୁ କୃଷିପାଇଁ ଦିଆଯାଉଛି ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ । ଉଦାହରଣ ସ୍ୱୂରୂପ ବହୁ ବିରୋଧ ଓ ପ୍ରତିବାଦ ସତ୍ତେ୍ୱ ନର୍ମଦା ନଦୀରେ ଗୁଡିଏ ବନ୍ଧ କରାଗଲା । ଏଥିରେ ସର୍ବବୃହତ ସର୍ଦ୍ଦାର ସରୋବର ପରିଯୋଜନା ମଧ୍ୟ ସାମିଲ ଅଛି । ତା ସତ୍ତେମଧ୍ୟ ଆଜି ନର୍ମଦା ନଦୀର ଜଳସ୍ତର ବହୁ ତଳେ ରହିଛି । କେବଳ ଯେଉଁମାନେ କୃଷି କାର୍ଯ୍ୟ ଓ ଜଳସେଚନ ପାଇଁ ନର୍ମଦା ଉପରେ ନିର୍ଭର କରୁଥିଲେ ସେମାନଙ୍କ କଥା ଛାଡନ୍ତୁ ଯେଉଁ ସହର ଗୁଡିକ ଘରୋଇ ବ୍ୟବହାର ପାଇଁ ଜଳର ଆବଶ୍ୟକତାକୁ ପୂରଣ କରିବାକୁ ନର୍ମଦା ଉପରେ ନିର୍ଭର କରୁଛନ୍ତି ସେମାନେ ମଧ୍ୟ ସେଥିରେ ବିଫଳ ହେଲେଣି । ଏହି ସବୁ ସହରଗୁଡିକକୁ ଯୋଗାଇ ଦେବା ପାଇଁ ନଦୀରେ ପର୍ଯ୍ୟାପ୍ତ ପାଣି ନାହିଁ । ତା ସତ୍ତେ୍ୱ ଏହି ନଦୀରୁ ପାଣିକୁ ସାବରମତୀକୁ ଦିଆ ଚାଲିଛି କାରଣ ଶୋଷରେ ଥିବା ଅହମଦ୍ଦାବାଦ ସହରକୁ ପାଣି ଯୋଗାଇବା ପାଇଁ ଏଠାରେ ଏକ ବିଶାଳ ପରିଯୋଜନା ଚାଲୁ ରହିଛି ।

ମାର୍ଚ୍ଚ ଶେଷ ଆଡକୁ ଅର୍ଥାତ ମାର୍ଚ୍ଚ ୨୨ ତାରିଖରେ ଭାରତ ମଧ୍ୟ ବିଶ୍ୱର ଅନ୍ୟାନ୍ୟ ମାନଙ୍କ ସହିତ ମିଶି ଅର୍ଥହୀନ ତଥା ପାରମ୍ପରିକ ଭାବେ ବିଶ୍ୱ ଜଳ ଦିବସ ପାଳନ କରିଛି । ପ୍ରତି ବର୍ଷ ଏହି ଦିନ ସରକାର ପ୍ରବଚନ ଶୁଣାଇ ଥାଆନ୍ତି ଯେ ଜଳ ଅମୂଲ୍ୟ, ଏହାକୁ ସଂରକ୍ଷଣ କରାଯିବା ଉଚିତ୍ । ଏକଥା ମଧ୍ୟ କୁହାଯାଏ ଯେ ମଇଳା ପାଣିକୁ ପୁନଃବ୍ୟବହାରକ୍ଷମ କରାଯିବା ଉଚିତ୍ । କିନ୍ତୁ ବର୍ଷର ବାକି ଦିନଗୁଡିକରେ ଏକଥାକୁ କେହି ମନେ ରଖି ନ ଥାନ୍ତି । ସହରାଞ୍ଚଳ ବିକାଶ କଥା ସ୍ଥିର କଲା ବେଳେ ହେଉ, ସହର ବଢାଇଲା ବେଳେ ହେଉ, କୃଷିର ବିକାଶ କଥା ହେଉ ବା ବିଜୁଳି ଉତ୍ପାଦନରେ ଜଳର ବ୍ୟବହାରକୁ ନେଇ ହେଉ ସେଥିରେ ଜଳର ସଂରକ୍ଷଣ ଓ ଜଳର ଅପଚୟ ରୋକିବା କଥାକୁ ନେଇ କାହାରି ମୁଣ୍ଡବ୍ୟଥା ହୁଏନାହିଁ । ବରଂ ମଣିଷ ମୁଣ୍ଡରେ ସେହି ମାୟା ଖେଳି ବୁଲୁଥାଏ ଯେ ଜଳ ଶୂନ୍ୟ ଦିବସ ବ ଜୀରୋ ଡେକୁ ଆଉ ଗୋଟିଏ ବର୍ଷ ଏଡାଇ ଦେଇ ହେବ ଏବଂ ତାକୁ ନେଇ ନୀତି ଓ ଯୋଜନା ସବୁ ତିଆରି କରି ଦିଆଯାଏ ।

ସମ୍ପ୍ରତି ଯେଉଁ ପ୍ରକାରରେ ଜଳର ବ୍ୟବହାର ବା ଅପଚୟ ଚାଲିଛି ସେଥିରେ ଜଣେ ଦେଖିପାରିବ ଯେ ଏ ବିଷୟରେ ସମାଜ କେତେ ଠିକ ଓ ପରିବେଶ ଦୃଷ୍ଟିରୁ ଏହା କେତେ ନିରନ୍ତରତା ରକ୍ଷା କରିପାରୁଛି । ଏବେ ଭାରତରେ ଯେଉଁ ସ୍ଥିତି ରହିଛି ସେଥିରେ ଏହି ପରୀକ୍ଷାରେ ଭାରତକୁ ଶୂନ ହିଁ ମିଳିବ ।

Updated On : 31st Aug, 2018

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top