ISSN (Print) - 0012-9976 | ISSN (Online) - 2349-8846
Reader Mode

ଶ୍ରମିକ ସଂଗଠନଗୁଡିକୁ ଅନନ୍ୟୋପାୟ କରିଦେବା ପରେ

ଭାରତୀୟ ଶ୍ରମ ସମ୍ମେଳନକୁ ସ୍ଥଗିତ ରଖି ସରକାର ଶ୍ରମିକମାନଙ୍କର ସମସ୍ୟାଗୁଡିକ ପ୍ରତି ଆଖି ବୁଜି ଦେବାକୁ ଚାହୁଁଛନ୍ତି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ଫେବୃଆରୀ ମାସ ୨୬-୨୭ ତାରିଖରେ ହେବାକୁ ଥିବା ଭାରତୀୟ ଶ୍ରମ ସମ୍ମେଳନ(ଆଇଏଲସି)କୁ ସରକାର କୌଣସି କାରଣ ନଥାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଲେ । ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ଏହାର କାରଣ ହେଉଛି ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘ(ଆରଏସଏସ) ସହିତ ସହବନ୍ଧିତ ହୋଇଥିବା ଭାରତୀୟ ମଜଦୁର ସଂଘ(ବିଏମଏସ)ର ଏହି ସମ୍ମେଳନକୁ ବଏକଟ କରିବାର ଧମକ ଏବଂ ସରକାରର ଅଶ୍ୱସ୍ତି ବଢିବାର ଭୟ । କିନ୍ତୁ ବିଏମଏସକୁ ବାଦ ଦେଇ ଅଧିକାଂଶ ପ୍ରମୁଖ ଶ୍ରମ ସଂଗଠନ ପକ୍ଷରୁ ଯେଉଁ ଦୁଇଟି ଦାବୀ ରଖାଯାଇଛି ତା ପ୍ରତି ଯଦି ଧ୍ୟାନ ଦିଆ ଯାଇ ଥାଆନ୍ତା ତେବେ ଏହି ଶ୍ରମ ସଂଗଠନଗୁଡିକ ଆଇଏଲସି ସମ୍ମେଳନରେ ନିଶ୍ଚିତ ଯୋଗ ଦେଇଥାଆନ୍ତେ । ସେମାନେ ଦାବି କରୁଥିଲେ ଯେ ସରକାର କଂଗ୍ରେସ ପାର୍ଟି ସହିତ ସହବନ୍ଧିତ  ଇଣ୍ଡିଆନ ନ୍ୟାସନାଲ ଟ୍ରେଡ ୟୁନିଅନ କଂଗ୍ରେସ(ଆଇଏନଟିୟୁସି)କୁ ଆଇଏଲସି ସମ୍ମେଳନକୁ ନିମନ୍ତ୍ରଣ କରିବା ଉଚିତ୍  । ସେମାନେ ସରକାରଙ୍କ ପକ୍ଷରୁ ସ୍ଥାୟୀ ସର୍ତ୍ତ ନିଯୁକ୍ତି ବା ଫିକ୍ସ୍ ଟର୍ମ ଏମ୍ପ୍ଲୟମେଣ୍ଟ ଚିଠା ନିୟମକୁ ସବୁ କ୍ଷେତ୍ରରେ ଲାଗୁ କରିବାର ପ୍ରତିବାଦ କରୁଥିଲେ କାରଣ ଏହା ବଳରେ ସବୁ କ୍ଷେତ୍ରରେ ଠିକା ଶ୍ରମିକ ନିଯୁକ୍ତି ପ୍ରବଣତା ବୃଦ୍ଧି ପାଇବ । ସେଇଥିପାଇଁ ଏହି ଶ୍ରମିକ ସଙ୍ଗଠନ ମାନେ ମାର୍ଚ୍ଚ ୧୫ ତାରିଖରେ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଏକ ସର୍ବଭାରତୀୟ ହଡତାଳର ଡାକରା ଦେଇଥିଲେ । ଯଦିଓ ଏହି ହଡତାଳରେ ବିଏମସ ସାମିଲ  ହୋଇ ନ ଥିଲା ।

ଏହି ସମ୍ମେଳନକୁ ରଦ୍ଦ କରିଦେବା ଘଟଣା ଏଇଥିପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ଯେ ଏହା ଦୁଇ ବର୍ଷ ପରେ ସେତିକିବେଳେ ବସିବାକୁ ଯାଉଥିଲା ଯେତେବେଳେ ଶ୍ରମିକଶ୍ରେଣୀ ପାଇଁ ଅନେକ  ଗୁରୁତର ସମସ୍ୟା ସବୁ ଉଭା ହୋଇ ସାରିଲାଣି ।  ଉଦାହରଣ ସ୍ୱରୂପ ଆଜି ପର୍ଯ୍ୟନ୍ତ କେବଳ ପୋଷାକ ତିଆରି କ୍ଷେତ୍ରରେ ସୀମିତ ରହିଥିବା ଫିକ୍ସ୍ ଟର୍ମ ଏମ୍ପଲୟମେଣ୍ଟ ବ୍ୟବସ୍ଥାଟି ସବୁ କ୍ଷେତ୍ରରେ ଳାଗିବାକୁ ଯାଉଛି । ଏହି ନିୟମଟି କାର୍ଯ୍ୟକାରୀ ହୋଇଯିବା ପରେ ମାଲିକମାନେ ଯେତେବେଳେ ଚାହିଁବେ ଏକ ନିଦ୍ଦିଷ୍ଟ ଉଦ୍ୟୋଗ ପାଇଁ ଠିକାରେ ମଜଦୁରମାନଙ୍କୁ ନେଇ କାମ କରାଇ ପାରିବେ । ଯେତେବେଳେ ଅର୍ଥ ମନ୍ତ୍ରାଳୟ ଚାଲାକୀ କରି ଏହାକୁ ଇଜ ଅଫ ଡୁଇଙ୍ଗ ବିଜିନେସ ପାଇଁ ସୁବିଧାଜନକ ହେବ ବୋଲି କହୁଛନ୍ତି ଶ୍ରମିକ ସଂଙ୍ଗଠନମାନେ କହୁଛନ୍ତି ଯେ ଏହା ଦ୍ୱାରା ଏକ ବିଶାଳ କ୍ଷେତ୍ରରେ ମଜଦୁର ମାନେସବୁ  ଠିକା ଶ୍ରମିକ ପାଲଟି ଯିବେ । ଏହା ସାଙ୍ଗକୁ ବିଭିନ୍ନ ରାଜ୍ୟଗୁଡିକ ପକ୍ଷରୁ ଶ୍ରମ ଆଇନରେ ସଂଶୋଧନ କରାଯିବା ସହିତ ନିଯୁକ୍ତି ସୁରକ୍ଷା ପ୍ରତି ଏହାବହୁତ ବଡ ବିପଦ ସୃଷ୍ଟି କରିବ । ୨୦୧୭ ମସିହାର ମଧ୍ୟ ଭାଗରେ ଲୋକସଭାରେ କୋଡ ଅନ ୱେଜେସ ବିଲ ପେଶ ହୋଇ ସାରିଛି । ଯଦିଓ ଏହାର ମୁଖ୍ୟ ଉଦ୍ଦେଶ୍ୟ ସାରା ଦେଶରେ ଏକ ପ୍ରକାରର ବୈଧାନିକ ନ୍ୟୁନତମ ମଜୁରୀ ବ୍ୟବସ୍ଥା କରାଯିବା ବୋଲି କୁହାଯାଉଛି କିନ୍ତୁ ରାଜ୍ୟ ସରକାର ମାନଙ୍କୁ ଏଥିପାଇଁ ଅଲଗା ଅଲଗା ନିୟମ କରିବାକୁ ଅନୁମତି ଦିଆ ଯାଉଛି । ନ୍ୟୁନତ୍ତମ ମଜୁରୀ ବିଷୟରେ ପୂର୍ବରୁ ହୋଇଥିବା ଦୁଇଟି ଜାତୀୟ ଶ୍ରମ ସମ୍ମେଳନ ବା ଆଇଏଲସିରେ ଯେଉଁ ଫର୍ମୁଲା ଦିଆଯାଇଥିଲା ତାହାକୁ ଏହି  ବିଧେୟକରେ ସ୍ଥାନିତ କରାଯାଇ ନାହିଁ । ଦେଖିବାର କଥା ହେଉଛି ଏହି ବିଧେୟକଟି ପାଇଁ ମଧ୍ୟ କେତେକ କରପୋରେଟ କ୍ଷେତ୍ରର ସଦସ୍ୟ ଆପତ୍ତି ଉଠାଇ ସାରିଲେଣି । ଏହା ବିରୁଦ୍ଧରେ ଶ୍ରମିକ ପ୍ରତିବାଦ ଚାଲିଥିବା ସତ୍ତେ୍ୱ ଏହାକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନୁମୋଦନ ମିଳି ସାରିଛି । ଏହା ବାଆଦେ ବିଏମଏସ ସମେତ ପ୍ରାୟ ସମସ୍ତ ଶ୍ରମିକ ସଙ୍ଗଠନ ୨୦୧୮-୧୯ରେ ଶ୍ରମିକ ମାନଙ୍କୁ କିଛି ନ ଦିଆଯିବା, କରପୋରେଟ ମାନଙ୍କର କର ଚୋରୀକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା କରାନଯିବା, କର୍ମ ନିଯୁକ୍ତି ସୃଷ୍ଟି କରିବାପାଇଁ ଆଖିଦୃଶିଆ କିଛି କରା ନ ଯିବା, ମଜୁରୀ ଓ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ଯୋଜନା ଗୁଡିକରେ କାର୍ଯ୍ୟସ୍ଥଳୀରେ ସୁରକ୍ଷା  ଓ ସୁବିଧା ବୃଦ୍ଧି କରାଯିବା ପାଇଁ କୌଣସି ପଦକ୍ଷେପ ନିଆ ନ ଯିବାକୁ  ନେଇ ନିଜ ନିଜର ପ୍ରତିବାଦ ଜଣାଇ ସାରିଛନ୍ତି ।

ବିଏମଏସ ଦୃଷ୍ଟିରୁ ଦେଖିଲେ  ଯେତେବେଳେ ଏହା ନରେନ୍ଦ୍ର ମୋଦୀ ସରକାରର ଶ୍ରମିକ ବିରୋଧୀ ନୀତିର ସମାଲୋଚନା କରି ସମସ୍ତଙ୍କୂ ଚମକ୍ରୃତ କରି ଦେଇଛି ଅଥଚ ଯେତେବେଳେ ସବୁ ପ୍ରମୁଖ ଶ୍ରମିକ ସଂଗଠନ ଏହା ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି ବିଏମଏସ ସେଥିରେ ସାମିଲ ହେଉନାହିଁ । ସେପ୍ଟେମ୍ବର ୨୦୧୫ରେ ଓ ନଭେମ୍ବର ୨୦୧୭ରେ ଯେତେବେଳେ ପ୍ରମୁଖ ଶ୍ରମିକ ସଙ୍ଗଠନମାନେ ସରକାରଙ୍କର ଶ୍ରମିକମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲେ ସେତେବେଳେ ବିଏମଏସ ଏଇଆ କହି ଏଥିରେ ସାମିଲ ହେଲା ନାହିଁ ଯେ ଏହା ଶ୍ରମିକଙ୍କୁ ନେଇ ରାଜନୀତି କରିବାରେ ବିଶ୍ୱାସ କରେନାହିଁ ବରଂ ଏହା ଶ୍ରମିକମାନଙ୍କର କଲ୍ୟାଣ ପାଇଁ ସଂଘର୍ଷ କରିବାରେ ବିଶ୍ୱାସ କରେ । କିନ୍ତୁ ଏକ ଅଣରାଜନୈତିକ ଉପାୟରେ ଏହା କିପରି ସେ କାର୍ଯ୍ୟଟିକୁ କରିବାକୁ ଆଶା କରୁଛି ସେଇ କଥାଟି ଦେଖିବାକୁ ବାକି ରହିଲା । ସରକାର କହୁଛନ୍ତି ଯେ ଆଇଏନଟିୟୁସିକୁ  ଏହି ସମ୍ମେଳନରୁ ବାହାରେ ରଖିବାର କାରଣ ହେଉଛି ଏହା ଭିତରେ ନେତୃତ୍ୱକୁ ନେଇ ଚାଲିଥିବା ଅର୍ନ୍ତକଳହ । ଏହାକୁ ବିଏମସି ବ୍ୟତୀତ ଅନ୍ୟ ଶ୍ରମିକ ସଙ୍ଗଠନମାନେ ଭୁଲ ବୋଲି କହି ଏହା ବିରୋଧରେ ସରକାରଙ୍କୁ ଚିଠି ଲେଖି ସାରିଛନ୍ତି ।

ଦେଶରେ ପ୍ରଥମ ଶ୍ରମ ସମ୍ମିଳନୀ ୧୯୪୨ରେ ହୋଇଥିଲା । ତାର ମୂଳ ଉଦ୍ଦେଶ୍ୟ ଥିଲା ବିଶ୍ୱ ଯୁଦ୍ଧରେ ମିତ୍ର ଶକ୍ତିଙ୍କୁ ସହାୟତା ଦେବା ପାଇଁ ଶ୍ରମିକ ଓ ମାଲିକ ପ୍ରତିନିଧି ମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା । ଯଦିଓ କିଛି ଲୋକ ଏହାକୁ ଏକ ପାରମ୍ପରିକ ସମ୍ମିଳନୀ ବୋଲି ମନେ କରୁଛନ୍ତି କିନ୍ତୁ ଏହି ସମ୍ମିଳନୀରେ ଶ୍ରମ ସହ ସମ୍ପୃକ୍ତ ତିନି ପକ୍ଷ ଯେପରି କି ଶ୍ରମିକ, ନିଯୁକ୍ତିଦାତା ଓ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କୁ ଦେଖିବାକୁ ମିଳିଥାଏ । ପ୍ରତିଥର ଏହାକୁ ଦେଶର ପ୍ରଧାନମନ୍ତ୍ରୀ ହିଁ ଉଦଘାଟନ କରି ଥାଆନ୍ତି ଓ ଏଥିରେ ଶ୍ରମିକମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ପ୍ରସଙ୍ଗର ଅବତାରଣା କରାଯାଇଥାଏ । ଯେଉଁ ସମ୍ମେଳନଟିକୁ ବାତିଲ କରି ଦିଆଗଲା ସେଥିରେ ମଧ୍ୟ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି, ଶ୍ରମ ଆଇନର ସଂଶୋଧନ(ଯାହାକୁ ସରକାର ଶ୍ରମ କାନୁନରେ ସଂସ୍କାର ବୋଲି କହୁଛନ୍ତି) ଏବଂ ସବୁ ଶ୍ରମିକଙ୍କ ପାଇଁ ସାମାଜିକ ନିରାପତ୍ତାର ବ୍ୟବସ୍ଥା ଆଦି ବିଷୟ ଆଲୋଚନା ପାଇଁ ରଖା ଯାଇଥିଲା । ଏହା ସହିତ ବହୁ ପ୍ରତିକ୍ଷିତ ଠିକା ଶ୍ରମିକ ପ୍ରଥାର ସମୂଳେ ଉଚ୍ଛେଦ ସହିତ ସରକାରୀ ଉଦ୍ୟୋଗ ଗୁଡିକରୁ ପୁଞ୍ଜି ପ୍ରତ୍ୟାହାର ବିଷୟରେ ମଧ୍ୟ ଆଲୋଚନା ହେବାର ଥିଲା । ଅନ୍ୟ ସବୁ ସଙ୍ଗଠନ କାଳେ ଏହି ସମ୍ମିଳନୀକୁ ବଏକଟ କରିଥାଆନ୍ତେ ତେଣୁ ସେପରି ଲଜ୍ଜାକର ସ୍ଥିତିରୁ ବଞ୍ôଚବା ପାଇଁ ସରକାର ଏହି ସମ୍ମିଳନୀକୁ ପୁରାପୁରି ବାତିଲ କରିଦେବା ପାଇଁ ବିଏମସି ବଏକଟ ଧମକର ଆଳ ଦେଖାଉଛନ୍ତି । ସଂସଦରେ ନୂଆ ଶ୍ରମ ଆଇନ ପେଶ କରିବାକୁ ନେଇ କାଳେ ସରକାରଙ୍କୁ ବିଭିନ୍ନ ପ୍ରଶ୍ନ ସବୁ ପଚରାଯିବ ସେହି ଭୟରେ ହୁଏତ ସରକାର ଏହି ସର୍ବଭାରତୀୟ ଶ୍ରମ ସମ୍ମିଳନୀକୁ ବାତିଲ କରିବାକୁ ଚିନ୍ତା କରିଥାଇ ପାରି ଥାଆନ୍ତି । କାରଣ ଯାହା  ବି ହୋଇଥାଉ ଗୋଟିଏ କଥା ପ୍ରମାଣିତ ହୋଇଛି ଯେ କେନ୍ଦ୍ର ସରକାରଙ୍କର ଶ୍ରମିକ ସଂଗଠନ ଓ ଏହାର ନେତୃମଣ୍ଡଳୀଙ୍କ ପ୍ରତି ଯେ ସାମାନ୍ୟ ସମ୍ମାନ ନାହିଁ ତାହା ଏଥିରୁ ସ୍ପଷ୍ଟ ହୋଇ ଯାଇଛି ।

ଏବେ ନିଯୁକ୍ତି ସଂକୋଚନ, ସରକାରୀ କ୍ଷେତ୍ରରେ ଆଉ ନିଯୁକ୍ତି ସୃଷ୍ଟି ନହୋଇ  ଶ୍ରମିକ ସଂଗଠନ କରିବାର ସୁଯୋଗ ନଥିବା ଘରୋଇ ସଂସ୍ଥା ଗୁଡିକରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାକୁ ନେଇ ଶ୍ରମ ସଂଗଠନଗୁଡିକ ଚିନ୍ତାରେ ଅଛନ୍ତି । ଏଭଳି କ୍ଷେତ୍ରରେ ଶ୍ରମିକଙ୍କର ସମସ୍ୟା ଓ ସେମାନଙ୍କ ପାଇଁ କରାଯାଉଥିବା ନୀତିଗୁଡିକ ସମ୍ବନ୍ଧରେ ସଂସଦରେ ବା ବାହାରେ ଆଲୋଚନା କରିବାକୁ ଶ୍ରମ ସଂଗଠନ ଗୁଡିକୁ ସୁଯୋଗ ନଦେବା ଫଳରେ ସେମାନେ ଅନନ୍ୟୋପାୟ ହୋଇ ସେମାନଙ୍କ ସମସ୍ୟାକୁ ଲୋକଙ୍କ ପାଖକୁ ନେବା ଓ ସରକାରଙ୍କ ସହିତ ସାମୂହିକ ମୂଲଚାଲ କରିବାକୁ ଏକରକମ ବାଧ୍ୟ ହୋଇଛନ୍ତି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top