ISSN (Print) - 0012-9976 | ISSN (Online) - 2349-8846

ମାଳଦ୍ୱୀପରେ ମଧ୍ୟସ୍ଥି

ଏଥିପାଇଁ ଆମେରିକା ଓ ଭାରତର ଦୀର୍ଘକାଳୀନ ଯୋଜନା ହେଉଛି  ଭାରତ ମହାସାଗର ଉପରେ ନିରଙ୍କୁଶ କବ୍ଚା କରିବାର ଭିତିରି ଇଚ୍ଛା

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ମାଳଦ୍ୱୀପରେ ଯେପରି ରାଜନୈତିକ ଛକାପଂଝା ଚାଲିଛି ଓ ବିଗତ ଏକମାସ ମଧ୍ୟରେ ଯାହା ସବୁ ଦୃଷ୍ଟିକୁ ଆସୁୁଛି ତା’ର ସମାଧାନ କରିବା ପାଇଁ ସେଠାରେ ଭାରତ ଓ ଆମେରିକାର ହସ୍ତକ୍ଷେପରୁ ବୋଧ ହେଉନାହିଁ ଯେ ଭାରତ ଓ ଆମେରିକା ମାଳଦ୍ୱୀପର ଅଧିବାସୀମାନଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ଦେବା ସପକ୍ଷରେ ଅଛନ୍ତି । ଭାରତ ମହାସାଗରର ଏହି ଦ୍ୱୀପପୁଞ୍ଜ ନିକଟରେ ଏକ ଜଳପଥ ରହିଛି ଯାହା ବାଟ ଦେଇ ଭାରତ, ଜାପାନ, ଚାଇନା ଓ ଅନ୍ୟାନ୍ୟ ପୂର୍ବ ତଥା ଦକ୍ଷିଣପୁର୍ବ ଦେଶଗୁଡିକର ତୈଳ ପରିବହନ କରାଯାଇଥାଏ । ଏହା ସହିତ ଏହି ସବୁ ବଡ ବଡ ଦେଶଗୁଡିକରୁ ବିଭିନ୍ନ ନିର୍ମାଣ ସାମଗ୍ରୀମାନ ଦକ୍ଷିଣ ଏସିଆ, ଆଫ୍ରିକା ଏବଂ ୟୁରୋପକୁ ମଧ୍ୟ ଏହି ଜଳପଥ ବାଟେ ପରିବହନ କରାଯାଇଥାଏ । କିନ୍ତୁ ଭାରତ ଓ ଆମେରିକା ଯାହା ଚାହୁଁଛନ୍ତି ଓ ଭାରତ ମାଳଦ୍ୱୀପକୁ ଏହାର ଘର ପଛପଟ ଖଳାବାରୀ ବୋଲି ମନେ କରୁଥିଲେ ବି ମାଳଦ୍ୱୀପ ଚାଇନାର ‘ଗୋଟିଏ ବେଲ୍ଟ ଓ ଗୋଟିଏ ରାସ୍ତା’ ନୀତିରେ ମୂଳଭୁତ ସୁବିଧା ପାଇଁ କରାଯାଉଥିବା ପରିଯୋଜନାଗୁଡିକୁ ପସନ୍ଦ କରୁଛି । କେବଳ ସେତିକି ନୁହେଁ ମାଳଦ୍ୱୀପ ଚାଇନା ସହିତ ଏକ ମୁକ୍ତ ବାଣିଜ୍ୟିକ ଚୁକ୍ତିରେ ମଧ୍ୟ ସାମିଲ ହୋଇଛି ।

ଫେବୃଆରୀ ୫ ତାରିଖରେ ମାଳଦ୍ୱୀପର ରାଷ୍ଟ୍ରପତି ସବଦୁଲ୍ଲା ୟାମିନ ତାଙ୍କ ଦେଶରେ ୧୫ ଦିନିଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ମାଳଦ୍ୱୀପ ଅଧିବାସୀଙ୍କର ସମସ୍ତ ଗଣତାନ୍ତ୍ରିକ ଅଧିକାରକୁ ରଦ୍ଦ କରିଦେଲେ ଓ ବିରୋଧୀଦଳ ନେତାମାନଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବା ପାଇଁ ଗତ ଫେବୃଆରୀ ୧ ତାରିଖ ଦିନ ନିର୍ଦ୍ଦେଶ ଦେଇଥିବା ୨ ଜଣ ସୁପ୍ରିମକୋର୍ଟ ବିଚାରପତିଙ୍କ ସମେତ ଦେଶର ପୁର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ ଓ ଅନ୍ୟାନ୍ୟ ବଡ ବଡ ବିରୋଧୀଦଳ ନେତାମାନଙ୍କୁ  ଗିରଫ କରିନେଲେ ।  କିନ୍ତୁ ଏବେ ନିର୍ବାସନରେ ଶ୍ରୀଲଙ୍କାରେ ଥିବା ନାସିଦ ଗିରଫ ହେବା ପରଦିନ ଏକ ବିବୃତ୍ତିରେ ଭାରତକୁ ମାଳଦ୍ୱୀପ ଘଟଣାରେ ସାମରିକ ହସ୍ତକ୍ଷେପ କରିବାକୁ କହିବା ସହିତ ଏ ଘଟଣାରେ ହସ୍ତକ୍ଷେପ କରି ରାଷ୍ଟପତି ସବଦୁଲ୍ଲା ୟାମିନଙ୍କୁ ତୁରନ୍ତ କ୍ଷମତାଚ୍ୟୁତ କରିବା ପାଇଁ ଆମେରିକାକୁ ଅନୁରୋଧ କରିଥିଲେ । ଏ ମାମଲାରେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ରାଷ୍ଟ୍ରପତି ୟାମିନଙ୍କ ପାଇଁ ଏକ ଶକ୍ତଧକ୍କା ନିଶ୍ଚିତ ହୋଇଥିବ କାରଣ ୟାମିନଙ୍କର ଧାରଣା ଥିଲା ଯେ ତାଙ୍କ ଦେଶର ସୁପ୍ରିମକୋର୍ଟ ତାଙ୍କୁ ସମର୍ଥନ କରିବେ । ଅଥଚ କୋର୍ଟ କାଳବିଳମ୍ବ ନକରି ଯେଉଁ ରାୟ ଶୁଣାଇଥିଲେ ତାହା ସରକାରଙ୍କ ପକ୍ଷରେ ଯାଇ ନ ଥିଲା । ସମ୍ପ୍ରତି ଭାରତ ଓ ଆମେରିକା ମାଳଦ୍ୱୀପର ବିରୋଧୀଦଳକୁ ସମର୍ଥନ କରୁଥିବାରୁ ସୁପ୍ରିମକୋର୍ଟଙ୍କୁ ଏହି ରାୟ ଦେବାପାଇଁ ପ୍ରବଳ ଚାପର ସମ୍ମୁଖୀନ ହେବାକୁ ପଡିଥିବ । ତାଙ୍କ ଦଳତ୍ୟାଗୀ ମାନଙ୍କୁ କୋର୍ଟ ପକ୍ଷରୁ ସମର୍ଥନ ମିଳିଯିବା ଘଟଣାରେ ରାଷ୍ଟ୍ରପତି ୟାମିନଙ୍କୁ ଡର ଲାଗିବା ସ୍ୱାଭାବିକ ଯେ ତାଙ୍କ ସରକାର ହୁଏତ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଯିବ । ତାହା ସହିତ େଯେହେତୁ ନାସିଦ ସେ ଦେଶର ଅଧିକ ଲୋକପ୍ରିୟ ବିରୋଧୀଦଳ ନେତା ତେଣୁ ଗୋଟିଏ ବର୍ଷ ପରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସିଏ ଜିଣିଯାଇ ପାରନ୍ତି ଓ ସରକାରକୁ ଆସି ଯାଇ ପାରନ୍ତି । ସେଇଥିପାଇଁ ୟାମିନ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସୁପ୍ରିମକୋର୍ଟର ବାକି ବିଚାରପତିମାନଙ୍କ ଦ୍ୱାରା ସୁପ୍ରିମକୋର୍ଟର ପୂର୍ବ ଆଦେଶକୁ ବଦଳାଇବାର ଉଦ୍ୟମରେ ଅଛନ୍ତି ବୋଲି କୁହାଯାଉଛି ।

ଏପଟେ ଭାରତର ବଡ ବଡ ଗଣମାଧ୍ୟମରେ ରିାପୋର୍ଟ ପ୍ରକାଶ ପାଉଛି ଯେ ଭାରତର ସୈନ୍ୟ ବାହିନୀ ପ୍ରସ୍ତୁତ ଓ ନିର୍ଦ୍ଦେଶ ମିଳିବା କ୍ଷଣି ଯେ କୌଣସି ମୁହୁର୍ତ୍ତରେ ମାଳଦ୍ୱୀପରେ ପ୍ରବେଶ କରିବେ । କିନ୍ତୁ ନୂଆଦିଲ୍ଲୀକୁ ଏକଥା ମଧ୍ୟ ଜଣାଅଛି ଯେ ମାଳଦ୍ୱୀପର ସେନାବାହିନୀ ବର୍ତ୍ତମାନର ରାଷ୍ଟ୍ରପତି ୟାମିନ୍ଙ୍କ ପଛରେ ବେଶ ଦୃଢତାର ସହିତ ଛିଡା ହୋଇଛି ଓ ଚାଇନା କହି ଦେଇ ସାରିଛି ଯେ ଭାରତର ମାଳଦ୍ୱୀପ ବ୍ୟାପାରରେ ମୁଣ୍ଡ ଖେଳାଇବା ତଥା ଏହି ଦ୍ୱୀପପୁଞ୍ଜର ସାର୍ବଭୌମତାକୁ ନଷ୍ଟ କରିବାର କୌଣସି ଅଧିକାର ନାହିଁ ।  ଆହୁରି ମଧ୍ୟ ଯଦି ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ  ଭାରତକୁ ସମର୍ଥନ କରନ୍ତି ତେବେ ସାମରିକ ହସ୍ତକ୍ଷେପ ଫଳରେ ଭାରତ ପକ୍ଷରୁ କୁହାଯାଉଥିବା ସ୍ୱଂଶାସିତ ରଣନୀତି ବା ଷ୍ଟ୍ରାଟେଜିକ ଅଟୋନୋମୀ କଥାଟି ଭୁଲ ପ୍ରମାଣିତ ହୋଇଯିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମାଳଦ୍ୱୀପର ରାଜନୈତିକ ସମସ୍ୟା ବିଷୟରେ ଫୋନଯୋଗେ ଆଲୋଚନା କରିଛନ୍ତି ଓ ହ୍ୱାଇଟ ହାଉସ ଏହି କଥାବର୍ତ୍ତାକୁ ସାର୍ବଜନୀନ କରିବାକୁ ମଧ୍ୟ ଉଚିତ୍ ମନେ କରିଥିଲା । ଯେପରି ଅତୀତରେ ୱାଶିଂଟନ ଓ ନୂଆଦିଲ୍ଲୀ ଶ୍ରୀଲଙ୍କାର ମହିନ୍ଦ୍ରା ରାଜପକ୍ଷ ସରକାରର ବିଦ୍ରୋହୀ ମନ୍ତ୍ରୀ ମୈଥ୍ରୀପାଲା ସିରିସେନାଙ୍କୁ ମହିନ୍ଦ୍ରା ସରକାରରୁ ହଟାଇ ତାଙ୍କୁ ପରବର୍ତ୍ତୀ (୨୦୧୫) ନିର୍ବାଚନରେ ଜିଣି ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପାଇଁ  ସାହାଯ୍ୟ କରିଥିଲେ ଅନୁରୂପ ଭାବରେ ଏହି ଦୁଇ ଦେଶ ସମ୍ପ୍ରତି ମାଳଦ୍ୱୀପରେ ମଧ୍ୟ କ୍ଷମତା ପରିବର୍ତ୍ତନ କରାଇବା କାର୍ଯ୍ୟରେ  ଲାଗି ପଡିଛନ୍ତି । ସେତେବେଳେ ମହିନ୍ଦ୍ରା ରାଜପକ୍ଷଙ୍କୁ କ୍ଷମତାରୁ ହଟାଇବାର ଏକମାତ୍ର କାରଣ ଥିଲା ଯେ ୱାଶିଂଟନ ଓ ନୂଆଦିଲ୍ଲୀ ଭାବୁଥିଲେ ଯେ ମହିନ୍ଦ୍ରା ହେଉଛନ୍ତି ଚୀନର ସମର୍ଥକ । ୧୯୮୮ରେ ଭାରତୀୟ ସେନା ମାଳଦ୍ୱୀପର ତତକାଳୀନ ରାଷ୍ଟ୍ରପତି ମାମୁନ ଅବଦୁଲ ଗାୟୁମଙ୍କୁ କ୍ଷମତାରୁ ହଟାଇବା ପାଇଁ ସେ ଦେଶରେ ହୋଇଥିବା ସାମରିକ ବିଦ୍ରୋହକୁ ଭଣ୍ଡୁର କରି ଦେଇଥିଲେ । ଗାୟୁମ ଭାରତର ସେନା ବାହିନୀ ସହାୟତାରେ ମାଳଦ୍ୱୀପରେ ୨୦୦୮ ପର୍ଯ୍ୟନ୍ତ କ୍ଷମତାରେ ରହି ନିଜ ସ୍ୱେଚ୍ଛାଚାରୀ ଶାସନ ଚଳାଇବାକୁ ସମର୍ଥ ହୋଇଥିଲେ ।

ଫେବୃଆରୀ ୨୦ ତାରିଖରେ ଆମେରିକା ଏବଂ ଭାରତ ପୁଣିଥରେ ଝଟକା ଖାଇ ଯାଇଥିଲେ ଯେତେବେଳେ  ରାଷ୍ଟ୍ରପତି ୟେମିନ ଜାତୀୟ ସୁରକ୍ଷା ବିପଦରେ ପଡି ଯାଇଥିବା  ଆଳରେ ଅଧିକ ୩୦ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତିକୁ ବଢାଇ ଦେଇଥିଲେ । ଯଦିଏ କେତେକ ଗଣମାଧ୍ୟମ ଓ କେତେକ ରାଜନୈତିକ ମହଲରେ ଏଥିପାଇଁ ଦାବୀ ହେଉଛି ଯେ ଭାରତ ମାଳଦ୍ୱୀପରେ ଏହାର ଥିବା ପତିଆରାକୁ କ୍ଷୁର୍ଣ୍ଣ ହେବାକୁ ଦେବା ଉଚିତ୍ ନୁହେଁ ତଥାପି ଭାରତ ସରକାରଙ୍କ ପକ୍ଷରୁ ଏ ବିଷୟରେ ସେପରି କୌଣସି ପଦକ୍ଷେପ ନିଆଯାଇ ନାହିଁ । ଜଣେ ସୁରକ୍ଷା ବିଶେଷଜ୍ଞ ସମ୍ପ୍ରତି କହିଛନ୍ତି ଯେ ଭାରତ ଏହାର ଘର ପଛରେ ଥିବା ଅଞ୍ଚଳକୁ ଯଦି ନିୟନ୍ତ୍ରଣରେ ରଖି ପାରୁ ନାହିଁ ତେବେ ଏହା ବିଶ୍ୱର ଏକ ବୃହତ ଶକ୍ତି ହେବ କିପରି ? ସେଇଥିପାଇଁ ଗଣମଧ୍ୟମର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି ଯେ  ଭାରତ ଏହି ଘଟଣାରେ ଅଧିକ ଆକ୍ରମଣାତ୍ମକ ହେଉ ।

 ଗୋଟିଏ ଗୋଷ୍ଠୀ ଯେଉଁ ଦାବି କରୁଛନ୍ତି ଯେ ମାଳଦ୍ୱୀପରେ ଚାଇନାର ଆଧିପତ୍ୟକୁ କମ କରିବାପାଇଁ ଉଦ୍ୟମ କରିବାକୁ ହେବ ସେ କଥାରେ ଉଭୟ ଟ୍ରମ୍ପ ଏବଂ ମୋଦୀ ଚିନ୍ତା କରିବା ଦରକାର ଯେ ଏହା ସମ୍ଭବ କିପରି ହେବ  ? ସେମାନଙ୍କର ମୂଳ ଲକ୍ଷ୍ୟ ହେଉଛି ମାଳଦ୍ୱୀପ ଦେଇ ଯାଇଥିବା ସମୁଦ୍ର ପଥକୁ ଅକ୍ତିଆର କରିବା ଅଥଚ ଏହି ପଥ ଉପରେ ଚାଇନା ଏହାର ମାଲ ପରିବହନ ପାଇଁ ବହୁ ଭାବରେ ନିର୍ଭରଶୀଳ । ଚାଇନାକୁ ଅସୁବିଧାରେ ପକାଇବାପାଇଁ ଭାରତ ଓ ଆମେରିକା ମାଳଦ୍ୱୀପରେ ସାମରିକ ଘାଟୀ ଓ ସିଆଚେଲ ଏବଂ ଡିଏଗୋ ଗ୍ରାସିଆ ସହ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ପାଇଁ ଉଦ୍ୟମରତ । ଯାହା ଆଶା କରାଯାଉଛି ମାଳଦ୍ୱୀପରେ ସାମରିକ ହସ୍ତକ୍ଷେପ ଜରିଆରେ କ୍ଷମତା ପରିବର୍ତ୍ତନ ପରେ ହୁଏତ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏକ ଷ୍ଟାଟସ ଅଫ ଫୋର୍ସ ଆଗ୍ରୀମେଣ୍ଟ ପାଇଁ ମାଳଦ୍ୱୀପ ଉପରେ ଚାପ ସୃଷ୍ଟି କରାଯାଇ ଏଠାରେ ଆମେରିକାର ସାମରିକ ଘାଟୀ ପ୍ରତିଷ୍ଠାକୁ ଆଇନଗତ ଭାବରେ ସମ୍ଭବ କରାଯିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top