ISSN (Print) - 0012-9976 | ISSN (Online) - 2349-8846

ବିନା ତଥ୍ୟ ସୁରକ୍ଷାରେ ନିରୀକ୍ଷଣକୁ ନେଇ ପ୍ରଶ୍ନ କରାଯାଉଛି

ଆମେ କାହିଁକି ଏକ ତଥ୍ୟ ସୁରକ୍ଷା ଆଇନ ସପକ୍ଷରେ ଯୁକ୍ତି କରୁଛୁ ତାର ସୂଚନା କେନ୍ଦ୍ର ଗୃହ ମନ୍ତ୍ରାଳୟ ସମ୍ପ୍ରତି ପ୍ରକାଶ କରିଥିବା ବିଜ୍ଞପ୍ତି  ହିଁ ଦେଉଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୋଟିଏ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେଉଁଥିରେ ୧୦ଟି କମ୍ପାନୀଙ୍କୁ କୁହାଯାଇଛି ଯେ ସେମାନେ ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ୍ ୨୦୦୦ର  ନିୟମ ୨୦୦୯ ଅନୁଯାୟୀ ଦେଶର ଯେ କୌଣସି କମ୍ପ୍ୟୁଟରରେ ଥିବା ତଥ୍ୟ ଯଥା ସେହି କମ୍ପ୍ୟୁଟରରେ ଥିବା ସୂଚନା  ଯାହା ଅନ୍ୟ ସୂତ୍ରରୁ ଗ୍ରହଣ କରାଯାଇଥିବ ବା ଅନ୍ୟକୁ ଦିଆଯାଇଥିବ ସେ ସବୁକୁ  ଅବରୋଧ,ନିୟନ୍ତ୍ରଣ ଓ ପୁନର୍ଲିଖନ ବା ଡିକ୍ରିପ୍ଟ କରି ପାରିବେ । ଏହା ସହିତ ସରକାର ସୂଚନା ଓ ପ୍ରଯୁକ୍ତି ଆଇନର ୨୦୧୧ ନିୟମରେ ସଂଶୋଧନ କରିବାକୁ ଯାଉଥିବାର ସୂଚନା ମିଳୁଛି ଯାହା ଫଳରେ ହ୍ୱାଟ୍ସଅପ ବା ଟେଲିଗ୍ରାମ ପରି ଯୋଗାଯୋଗ ମଂଚ ଭଳି ମାଧ୍ୟମର ଦିଶାନିର୍ଦ୍ଦେଶରେ ପରିବର୍ତ୍ତନ ହୋଇଯିବ । ଏଥିରେ ପ୍ରସ୍ତାବ ରହିଛି ଯେ ବେଆଇନ୍ ସାମାଜିକ ଗଣମାଧ୍ୟମରେ ଆସୁଥିବା ତଥ୍ୟକୁ ମଧ୍ୟ ନିୟନ୍ତ୍ରଣ କରାଯିବ । ଯାଫଳରେ ସେମାନେ ରଖୁଥିବା ତଥ୍ୟକୁ ଅଧିକ ଦିନ ପାଇଁ ଧରି ରଖାଯାଇ ପାରିବ । ଏ କଥା ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଯେଉଁ ଭୟ ସୃଷ୍ଟି ହୋଇଛି ତାକୁ ଏକ ଭିନ୍ନ ରୂପ ଦିଆଯାଇ କୁହାଯାଉଛି ଯେ ଏବେର ସରକାର ଯେଉଁ ସଂଶୋଧନ ଆଣୁଛନ୍ତି ତାହା ହେଉଛି ପୂର୍ବ ୟୁପିଏ ସରକାର ପକ୍ଷରୁ ଅଣାଯାଇଥିବା ନିୟମକୁ କାର୍ଯ୍ୟକାରୀ କରାଯିବାର ଏକ ପ୍ରୟାସ ମାତ୍ର ।

ଏହି ପରିପ୍ରେକ୍ଷୀରେ, ବିଶେଷକରି ୨୦୧୭ରେ କେ ପୁଟ୍ଟୁସ୍ୱାମୀଙ୍କ ମାମଲାରେ ନ୍ୟାୟାଳୟ ଏକାନ୍ତତା ବା ଗୋପନୀୟତାକୁ ନେଇ ଯେଉଁ ଐତିହାସିକ ନିର୍ଣ୍ଣୟ ଦେଇଛନ୍ତି ତାକୁ ଦୃଷ୍ଟିରେ ରଖି  କେବଳ ଏହି ବିଜ୍ଞପ୍ତିଟି ବୋଲି ନୁହେଁ, ପୁରା ସୂଚନା ପ୍ରଯୁକ୍ତି ଆଇନ୍ ଏବଂ ଭାରତର ନିରୀକ୍ଷଣ ଢାଂଚାର ପର୍ଯ୍ୟାଲୋଚନାର  ଆବଶ୍ୟକତା ରହିଛି ।  ଏହାର ଅର୍ଥ ନୁହେଁ ଯେ ସରକାର ଆଗରୁ ଏହି ତଥ୍ୟ ନିରୀକ୍ଷଣ ବା ଅବରୋଧକ କାର୍ଯ୍ୟଟି କରୁ ନ ଥିଲେ । ୨୦୧୪ ମସିହାର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ ପ୍ରତି ବର୍ଷ ୯୦୦୦ ଟେଲିଫୋନକୁ ଟ୍ୟାପିଙ୍ଗ କରାଯାଉଛି । ସରକାରଙ୍କର ସେଣ୍ଟର ଫର ଡେଭେଲପମେଣ୍ଟ ଅଫ ଟେଲିମାଟ୍ସ( ସି-ଡଟ) ୨୦୧୩ ମସିହାରେ କେନ୍ଦ୍ରୀୟ ନିୟନ୍ତ୍ରଣ ବ୍ୟବସ୍ଥା ବା ସେଣ୍ଟ୍ରାଲ ମନିଟରିଙ୍ଗ ସିଷ୍ଟମ ବାହାର କଲା, ଯାହାକି ସି ଡଟ ପକ୍ଷରୁ ଦିଆଯାଇଥିବା ବାର୍ଷିକ ରିପୋର୍ଟରେ ବାସ୍ତବରେ ସମ୍ପୂର୍ଣର୍ ହୋଇ ସାରିଛି ବୋଲି କୁହାଗଲା ଓ ଏହା ହେଉଛି ଏକ ସ୍ୱୟଂଚାଳିତ ଗଣ ନିରୀକ୍ଷଣ ବ୍ୟବସ୍ଥା ।

ଏକ ପୃଥିବୀ ଯେଉଁଠାରେ ମଣିଷର ଜୀବନ ଏତେ ପରିମାଣରେ ଜିଜିଟାଲ ବ୍ୟବସ୍ଥାରେ ଜଡିତ ହୋଇ ଯାଇ ସାରିଛି, ସେଠାରେ ଜଣକର କମ୍ପ୍ୟୁଟର ବା ଫୋନ ଜଣେ ବ୍ୟକ୍ତିର ଏକ ଅଭିନ୍ନ ଓ ବିସ୍ତାରିତ ଅଂଶ ହୋଇ ସାରିଛି । ସରକାର ନିଜ ପକ୍ଷରୁ ଡିଜିଟାଲ ଇଣ୍ଡିଆର କଥା କହୁଛନ୍ତି, କେବଳ କହୁଛନ୍ତି ବୋଲି ନୁହେଁ, ଏହାକୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି ସେତେବେଳେ ଏହା ନିଶ୍ଚିତ ଭାବରେ ଜରୁରୀ ଯେ ସରକାର ବ୍ୟକ୍ତିର ସ୍ୱାର୍ଥକୁ ନଜରରେ ରଖି ଏକ ମଜବୁତ୍ ତଥ୍ୟ ସୁରକ୍ଷା ଆଇନ କରିବା ଉଚିତ୍ । ତା ନକରି କେବଳ ଜାତୀୟ ସୁରକ୍ଷା ନାମରେ ରାଷ୍ଟ୍ର ବା ସରକାରଙ୍କ ସ୍ୱାର୍ଥର ସୁରକ୍ଷା କରିବା ଭଳି ଆଇନ କରିଦେଲେ ତାହା କାହାରି କାମରେ ଲାଗିବ ନାହିଁ । ବାସ୍ତବତାଟି ହେଉଛି  ଭାରତର ନିରୀକ୍ଷଣ ଢାଂଚାର ଗଠନର  ପ୍ରକ୍ରିୟାଟି  ୧୮୮୫ ମସିହାର ଭାରତୀୟ ଟେଲିଗ୍ରାଫ ଆଇନ ବା ୧୮୯୮ର ଭାରତୀୟ ପୋଷ୍ଟ ଅଫିସ ଆଇନ ବେଳୁ ଆରମ୍ଭ ହୋଇଛି । ସୂଚନା ଓ ପ୍ରଯୁକ୍ତି ଆଇନ(ଆଇଟି ଆକ୍ଟ)ର ଧାରା ୬୯ରେ ସେହି ପୁରୁଣା ଔପନିବେଶବାଦୀ ଯୁଗର ଆଇନ୍ର ଛାଇକୁ ଦେଖିବାକୁ ମିଳେ ଯାହାକି ସେ ସମୟର ସରକାର ଅବରୋଧ, ନିୟନ୍ତ୍ରଣ ଏବଂ ପୁର୍ନଲିଖନ ପାଇଁ ପ୍ରସ୍ତୁତ କରିଥିଲେ । ଏବେ କୁହାଯାଉଛି ଯେ ଏହି ଆଇନକୁ ଭାରତର ଏକତା ଓ ସଂପ୍ରଭୁତା, ସୁରକ୍ଷା, ଭାରତ ବାହାରର ଦେଶମାନଙ୍କ ସହ ସୁସମ୍ପର୍କ ରକ୍ଷା, ଜନସାଧାରଣଙ୍କ ମଧ୍ୟରେ  ଶୃଙ୍ଖଳାରକ୍ଷା, କୌଣସି ଧର୍ତ୍ତବ୍ୟ  ଅପରାଧକୁ ଦିଆଯାଉଥିବା ପ୍ରୋତ୍ସାହନକୁ ରୋକିବା ପାଇଁ  କରାଯାଇଛି ।

ତଥ୍ୟ ସୁରକ୍ଷା ଉପରେ ବି ଏନ ଶ୍ରୀକ୍ରିଷ୍ଣା କମିଟି ଯେଉଁ କହିଛନ୍ତି ଯେ ନିରୀକ୍ଷଣ କାର୍ଯ୍ୟଟି ପାରଦର୍ଶିତା ବିନା କରାଯିବା ଉଚିତ୍ ନୁହେଁ  ତେଣୁ ଏହି ପାରଦର୍ଶିତା ପୁଟ୍ଟୁସ୍ୱାମୀ ରାୟର କଷଟିରେ ସଠିକ୍ ପ୍ରମାଣିତ ହେବା ସହିତ ଆବଶ୍ୟକତା, ସମାନତା ଏବଂ ସଠିକ ପ୍ରକ୍ରିୟା ଭିତ୍ତିରେ ହେବା ଜରୁରୀ । ନିରୀକ୍ଷଣର ଆବଶ୍ୟକତା ଓ ସମାନୁପାତିକତା କଥା ଯାହା କୁହାଯାଉଛି ସେଥିରେ ଗୋପନୀୟତା ଓ ସୁରକ୍ଷାକୁ ନେଇ ବିତର୍କ ଜାରୀ ରହିବ ଏବଂ ଏହା ବହୁ କାଳ ଧରି ରହି ଆସିଛି । ତେବେ ଏହି ବିତର୍କ ମଧ୍ୟ ଏକ ଏକପାଖିଆ ବିତର୍କ କାରଣ ତଥ୍ୟସୁରକ୍ଷା ଆଇନ ନ ଥିବା ହେତୁ ବ୍ୟକ୍ତିର ତଥ୍ୟ ବା ଅନ୍ୟ ମାମଲାରେ ଗୋପନୀୟତା ବା ଏକାନ୍ତତାର ଅଧିକାର ବିଷୟଟି ପଛକୁ ଚାଲି ଯାଉଛି । ଆମେ ଯେତେବେଳେ ଅପେକ୍ଷା କରିଛେ ଯେ ସରକାର ଶ୍ରୀକ୍ରିଷ୍ଣା କମିଟି ପକ୍ଷରୁ ପ୍ରସ୍ତୁତ କରାଯଇଥିବା ଚିଠାଆଇନ ପରି ଏକ ଉତ୍ତମ ତଥ୍ୟ ସୁରକ୍ଷା ଆଇନ ଆଣିବେ ସେତେବେଳେ ତାଙ୍କ ପକ୍ଷରୁ କ୍ଷେତ୍ର ଉପରେ ଏହି ନିରୀକ୍ଷଣ କାମଟି କିପରି ଭାବରେ କରାଯାଉଛି ସେ ବିଷୟରେ କିଛି କହିବାକୁ ସରକାର ନାରାଜ ।  ଆହୁରି ମଧ୍ୟ କୌଣସି ନ୍ୟାୟିକ ଅନ୍ତଦୃଷ୍ଟି ନଥାଇ ଅତି ଅସ୍ପଷ୍ଟ ଶବ୍ଦ ପ୍ରୟୋଗ ସହାୟତାରେ ପ୍ରସ୍ତୁତ କରାଯାଇଥିବା ସୂଚନା ଓ ପ୍ରଯୁକ୍ତି ଆଇନ ସାରା କାର୍ଯକ୍ରମକୁ ଅସ୍ପଷ୍ଟ ବା ଅପାରଦର୍ଶୀ କରି ଦେଉଛି । ଅଥଚ ଆମର ଏକ ସରକାର ଅଛି ଯିଏ କି ଗୋଟିକ ପରେ ଗୋଟିଏ ନିର୍ଦ୍ଦେଶନାମା ବାହାର କରି ବିଧାନପାଳିକା ଓ ନ୍ୟାୟପାଳିକାର ତ୍ରୁଟିକୁ ଧୂଆଁରେ ଉଡାଇ ଦେଉଛି ।

କ୍ଷେତ୍ର ଉପରେ ଆବଶ୍ୟକତାର ସ୍ଥିତି,ସମାନୁପାତିକତାର କାର୍ଯ୍ୟକାରିତାକୁ ଉଲ୍ଲଂଘନ କରି ଯେତେବେଳେ ସରକାର ଏଭଳି ଆମୂଳଚୁଳ ନିରୀକ୍ଷଣ ବ୍ୟବସ୍ଥାକୁ ଜାରୀ କରୁଛନ୍ତି ସେତେବେଳେ ଏହା ସରକାରଙ୍କର ବିଶ୍ୱସନୀୟତାକୁ ଦୁର୍ବଳ କରୁଛି । ଏମଏଚଏ ଅଧିସୂଚନା ଉପରେ ଦେଖାଯାଇଥିବା ଭୟଙ୍କର ପ୍ରତିକ୍ରିୟା ଏହାକୁ ପ୍ରମାଣିତ କରୁଛି । ଯେତେବେଳେ ଭାରତର ବିଭିନ୍ନ ସରକାର ଦେଶରେ ବହୁ ଆଇନ କରିଛନ୍ତି ଓ ଜାତୀୟ ସୁରକ୍ଷା ନାମରେ ବହୁ ସଂଦିଗ୍ଧ ଆଇନ ଯେପରିକି ଆଧାର, ବିମୁଦ୍ରୀକରଣ ଆଦି ତିଆରି ହୋଇଛ,ି ଯେଉଁଥିରେ ବ୍ୟକ୍ତି ନିକଟରୁ ଅଧିକ ପାରଦର୍ଶିତାର ଦାବୀ କରାଯାଉଛିି ସେଥିରୁ ଲାଗୁନାହିଁ ଯେ ସରକାର ଲୋକଙ୍କ ନିକଟରେ ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି ।

ଭାରତୀୟ ଟେଲିଗ୍ରାଫ ଆଇନ ପାସ ହେବା ପରେ ଯୋଗାଯୋଗ ପ୍ରଯୁକ୍ତି ପୁରାପୁରି ପରିବର୍ତ୍ତିତ ହୋଇ ଯାଇଛି । ଆମେ ଏବେ ପୂର୍ବାପେକ୍ଷା ବହୁଅଧିକ ଲୋକଙ୍କ ସହିତ ଯୋଗାଯୋଗ ରଖି ପାରୁଛୁ । ଫୋନ ଏବଂ କମ୍ପ୍ୟୁଟର, ଇଣ୍ଟରନେଟର ସହାୟତା ଆଜିକାଲି ଆଉ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାପ୍ରେରଣ ପାଇଁ ବ୍ୟବହୃତ ହେଉ ନାହିଁ ବରଂ ବ୍ୟକ୍ତିର ଦୈନନ୍ଦିନ ଜୀବନଯାପନର ଶୈଳୀ ଅନୁଯାୟୀ ଏହା  ଏକ ନିହାତି ଆବଶ୍ୟକ ବିଷୟ ହୋଇ ସାରିଚି । ତେଣୁ ଜଣେ ବ୍ୟକ୍ତିର କମ୍ପ୍ୟୁଟର ବା ଫୋନର ଅବରୋଧ(ଇଣ୍ଟରସେପ୍ଟ) ବା ନିୟନ୍ତ୍ରଣ କରିବାର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କର ଜୀବନ ଭିତରକୁ  ପୁର୍ବାପେକ୍ଷା ଅଧିକ ଗଭୀର ଭାବରେ ପ୍ରବେଶ କରିବା । ଏହି ସବୁ ଯନ୍ତ୍ରପାତି ସହାୟତାରେ ଆମେ କଥା ହେଉ, ପଢୁ, କାମକରୁ, ବ୍ୟାଙ୍କ ହିସାବ ବୁଝୁ,  ଅନ୍ୟ ସମ୍ମୁଖରେ ଆମ ନିଜକୁ ଅଭିବ୍ୟକ୍ତ କରୁ, ପ୍ରତିବାଦ କରୁ ଓ ଭିନ୍ନମତ ମଧ୍ୟ ଦେଉ । ଉଭୟ ପଟରୁ ଦେଖିଲେ ଅବ÷ଧ କାରବାର ଓ ଜାତୀୟ ସୁରକ୍ଷା ପ୍ରତି ବିପଦର ମଧ୍ୟ ଡିଜିଟାଲୀକରଣ  ହୋଇ ସାରିଲାଣି । ତେଣୁ ଏହି ସବୁ ବୈଦ୍ୟୁତିକ ଉପକରଣ ଓ ନେଟୱାର୍କ ଉପରେ ସରକାରଙ୍କ  ନିରୀକ୍ଷଣ ଓ ଅବରୋଧ ଜାରୀ କରିବା ଘଟଣା ନିଶ୍ଚିତ ଭାବେରେ ଗୋଟିଏ କଥା ପ୍ରମାଣିତ କରୁଛି ଯେ ସରକାର ଜଣେ ସର୍ବବ୍ୟାପୀ ବଡଭାଇ ଭାବରେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି । ତେଣୁ ଏବେ ଯେଉଁ  ବିଷୟଟିର ଆବଶ୍ୟକତା ରହିଛି ତାହା ହେଉଛି ଭାରତର ମୋଟ ନିରୀକ୍ଷଣ ପ୍ରକ୍ରିୟାକୁ ଆମୂଳଚୁଳ ପରିବର୍ତ୍ତନ କରିବାକୁ ହେବ ଓ ଏହାକୁ ପୁଟ୍ଟୁସ୍ୱାମୀ ମାମଲାରେ ନ୍ୟାୟାଳୟ ପକ୍ଷରୁ ଦିଆଯାଇଥିବା ରାୟ ମୁତାବକ ଏକାନ୍ତତାର ପରିପାଳନ ପୂର୍ବକ କରିବାକୁ ହେବ । ଏହା ସହିତ ତୁରନ୍ତ ଏକ ସଠିକ୍  ତଥ୍ୟ ସୁରକ୍ଷା ଆଇନ ମଧ୍ୟ କରିବାକୁ ହେବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top