ପକ୍ଷପାତର ସ୍ଥାନାନ୍ତରୀକରଣ
ଜାତି ଓ ସାଂପ୍ରଦୀୟୀକ ଚେତନାର ଉର୍ଦ୍ଧରେ ରହି କାମକରିବା ପାଇଁ ପୋଲିସମାନେ ତାଲିମପ୍ରାପ୍ତ କି?
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ମହାରାଷ୍ଟ୍ର ସରକାର ଆଇ.ପି.ଏସ୍ ଅଧିକାରୀ ଭାଗ୍ୟଶ୍ରୀ ନଭଟେକଙ୍କୁ ବିଡ୍ ଜିଲ୍ଲାରୁ ବଦଳି କରିଛନ୍ତି । ସେ କିପରି ଦଳିତମାନଙ୍କ ବିରୁଦ୍ଧରେ ମିଛ ମକଦ୍ଦମା କରିଥିଲେ, ମୁସଲମାନମାନଙ୍କୁ ହଇରାଣ କରିଥିଲେ ଓ ମରଟ୍ଟାମାନଙ୍କୁ ସୁରକ୍ଷା ଦେଇଥିଲେ - ଏହା ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ହେବା ପରେ ସରକାର ତାଙ୍କର ବଦଳି କରିଛନ୍ତି । ସାଧାରଣ ଭାବେ, ଅମଲାତନ୍ତ୍ର ଓ ପୋଲିସ ଅଧିକାରୀଙ୍କର ବଦଳିକୁ ଦଣ୍ଡ ଭାବେ ବିବେଚନା କରାଯାଏ । ଯଦିଓ ସରକାର ଓ ଶକ୍ତିଶାଳୀ ରାଜନେତାମାନେ ଏହାକୁ ସେମାନେ ଅସନ୍ତୁଷ୍ଣ ଥିବା ଅଫିସରଙ୍କ ବିରୁଦ୍ଧରେ କିମ୍ବା ନିର୍ଦ୍ଦିଷ୍ଟ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀକରୁଥିବା ଲୋକଙ୍କୁ ସନ୍ତୁଷ୍ଣ କରିବା ପାଇଁ ବଦଳି ବ୍ୟବସ୍ଥାକୁ ବ୍ୟବହାର କରିଥାନ୍ତି । ନଭଟେକଙ୍କ ବକ୍ତବ୍ୟରୁ ହିଁ ତାଙ୍କର ଦଳିତ ଓ ମୁସଲମାନମାନଙ୍କ ପ୍ରତି ଥିବା ଘୃଣାପୂର୍ଣ୍ଣ ପକ୍ଷପାତ ଜଣାଯାଏ । ଏହି ଘଟଣାର ଦୁଇଟି ଦିଗ ରହିଛି - ଏହି ବଦଳି କଣ ନଭଟେକଙ୍କର ବ୍ୟକ୍ତ କରିଥିବା (ଯେଭଳି ଭିଡିଓରେ ଦେଖାଯାଉଛି) ଜାତିବାଦୀ ଓ ସାଂପ୍ରଦାୟୀକ ପକ୍ଷପାତ ଦୃଷ୍ଟିଭଙ୍ଗୀକୁ କମାଇବ? ପ୍ରଶିକ୍ଷଣ ମାନୁଆଲରେ ଉଲ୍ଲେଖ ଥିବା ସତ୍ୱେ ଅମଲାତନ୍ତ୍ର ଓ ପୋଲିସ ଅଧିକାରୀମାନେ କଣ ପକ୍ଷପାତ ଓ ଘୃଣାକୁ ଛାଡିପାରିଛନ୍ତି, ଯାହାକି ସେମାନଙ୍କର ଚାରିପାଖରେ ଥିବା ସମାଜକୁ ସଂକ୍ରାମିତ କରୁଛି?
ଏହା ବୁଝିବା କଷ୍ଟକର ନୁହେଁ ଯେ ଅନ୍ୟାନ୍ୟ ଅମଲାତାନ୍ତ୍ରିକ ସଂସ୍ଥା ଭଳି ପୋଲିସ ମଧ୍ୟ ଜାତି, ସାଂପ୍ରଦାୟୀକତା ଓ ପୁରୁଷ-ପ୍ରାଧାନ୍ୟତାର ଚିନ୍ତାଧାରାରେ ଆକ୍ରାନ୍ତ । ମହିଳା, ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁ ଭଳି ସାମାଜିକ ଗୋଷ୍ଠି ପ୍ରତି ପୋଲିସ ଅତି ପକ୍ଷପାତୀ ହୋଇଥାଏ।
ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ବିଚାର କଲେ ମହାରାଷ୍ଟ୍ରକୁ 'ପ୍ରଗତିଶୀଳ' ରାଜ୍ୟ ଭାବେ ଗଣାଯାଏ । ସମାଜର ସବୁଠାରୁ ତଳେ ଥିବା ଅଂଶର ଅଭିଯୁକ୍ତଙ୍କ ପ୍ରତି ଏହି ମହିଳା ଅଧିକାରୀଙ୍କର ବ୍ୟବହାର ସଂପର୍କରେ ତାଙ୍କର ବକ୍ତବ୍ୟ ରାଜ୍ୟର ବର୍ତ୍ତମାନ ପରିସ୍ଥିତି ସଂପର୍କରେ ଅନେକ କଥା କୁହେ । ନିକଟର ଇତିହାସରୁ ଆରମ୍ଭ କଲେ, ୨୦୦୬ର ଖୈର୍ଲଞ୍ଜି ଗଣହତ୍ୟା ଠାରୁ ଆରମ୍ଭ କରି ଦଳିତଙ୍କ ବିରୁଦ୍ଧରେ ଅନେକ ହିଂସା, ଯାହାର ସଦ୍ୟତମ ଉଦାହରଣ ହେଉଛି ଭୀମ-କୋରେଗାଁଓ ଘଟଣା । ଏସବୁ ମଧ୍ୟରେ ଏହି ଧାରଣା ସ୍ପଷ୍ଠ ହେଉଛି ଯେ ପୋଲିସ ସମାଜର ଏହି ଅଂଶର ଘୋର ବିରୋଧୀ । ଅନୁସୂଚୀତ ଜାତି ଓ ଜନଜାତି (ଅତ୍ୟାଚାର ପ୍ରତିରୋଧ) ଆଇନ୍, ୧୯୮୯କୁ ହଟାଇବା ଦାବୀକରି ୨୦୧୬ରେ ମରଟ୍ଟା ସଂପ୍ରଦାୟର ମୂକ ଶୋଭାଯାତ୍ରା ସମୟରେ ଦଳିତ ସଂପ୍ରଦାୟ ବିରୁଦ୍ଧରେ ହିଂସା ଓ ଗୃହଦାହ ଘଟଣାରେ ପୋଲିସର ନିସ୍କ୍ରିୟତାକୁ ନେଇ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଅନେକ ଅଭିଯୋଗ ଓ ଦରଖାସ୍ତ ହୋଇଥିଲା । ଉତ୍ତରପ୍ରଦେଶରେ, ବିଶେଷ କରି ଗତ କିଛି ବର୍ଷ ଧରି ପୋଲିସ ଧର୍ମୀୟ ସଂପ୍ରଦାୟକୁ ଭିତ୍ତି କରି ଅଭିଯୁକ୍ତମାନଙ୍କ ପ୍ରତି ଆକ୍ରମଣାତ୍ମକ କିମ୍ବା ନିସ୍କ୍ରିୟ ଭୂମିକା ନେଉଛି । ଗୋଟିଏ ପରେ ଗୋଟିଏ ପୋଲିସ ଏନ୍କାଉଣ୍ଟର ଘଟୁଛି, ଯାହାକି ବାସ୍ତବରେ ସ୍ଥିରଚିତ୍ତରେ ସୁନିର୍ଦ୍ଧାରିତ ଗୁଳିକାଣ୍ଡ । ତଥାକଥିତ ରୋମିଓ ସ୍କୁଆଡ ନାମରେ ଯୁବ-ଯୋଡିଙ୍କୁ, ବିଶେଷ କରି ହିନ୍ଦୁ-ମୁସଲମାନ ଯୋଡିଙ୍କୁ ସର୍ବସାଧାରଣରେ ଅପମାନିତ ଓ ଲଜ୍ଜିତ କରାଯାଉଛି । ଲଭ୍-ଜିହାଦର କୁପ୍ରଚାର ଚାଲିଛି । ଗୋ-ଚାଲାଣର ବହୁଳ ପ୍ରଚାରୀତ ଅଭିଯୋଗ କରି ଭିଡହିଂସାମାନ ଘଟାଯାଉଛି । ଏହି ସବୁ କ୍ଷେତ୍ରରେ ରାଜ୍ୟର ପୋଲିସ ପକ୍ଷପାତ ଓ ସଂଖ୍ୟାଧିକ ଭୂଲ ବୁଝାମଣା ଦ୍ୱାରା ପରିଚାଳିତ ହେଉଛି । ଲକ୍ଷ୍ନୌରେ ଜଣେ ନିରସ୍ତ୍ର କର୍ପୋରେଟ କମ୍ପାନୀର ଅଧିକାରୀଙ୍କୁ ସ୍ଥିରଚିତ୍ତରେ ହତ୍ୟା କରାଯିବା ପରେ ଅଭିଯୁକ୍ତ ପୋଲିସମାନଙ୍କର ସହକର୍ମୀମାନେ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ପ୍ରତିବାଦ କରି ହାତରେ କଳାପଟି ବାନ୍ଧିଥିଲେ । ନିକଟରେ ଏହି ରାଜ୍ୟର ହସିମପୁର ଘଟଣା ଉପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଆଦେଶ ଆସିଛି । ପ୍ରାଦେଶୀକ ସଶସ୍ତ୍ର ପୋଲିସ(ପିଏସି)ମାନେ ବୁଝିବିଚାରୀ ୪୨ ଜଣ ମୁସଲମାନଙ୍କୁ ହତ୍ୟାକରୀ କେନାଲକୁ ଫିଙ୍ଗି ଦେଇଥିଲେ । ଘଟଣାର ୩୧ବର୍ଷ ପରେ ଦୋଷୀମାନଙ୍କ ବିରୁଦ୍ଧରେ ଦଣ୍ଡ ଦିଆଯାଇ ପାରିଲା । ଆଦେଶରେ ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ ଏହି ଗଣହତ୍ୟା "ଆଇନ୍କୁ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନଙ୍କ ମଧ୍ୟରେ ଥିବା ଅମାନୁଷିକ ପକ୍ଷପାତକୁ ଦେଖାଉଛି" ।
ବିପଯ୍ୟସ୍ତ ଆଇନ୍ ଶୃଙ୍ଖଳା, ଦଙ୍ଗା ଓ ଅନ୍ୟାନ୍ୟ ବିବାଦ, ଏପରି କି ବ୍ୟକ୍ତିଗତ ବ୍ୟପାରରେ, ପ୍ରତ୍ୟେକ ହିଂସାରେ କାର୍ଯ୍ୟକରିବା ପାଇଁ, ମଧ୍ୟସ୍ଥିତା ପାଇଁ, ସମାଧାନ ପାଇଁ ସବୁବେଳେ ଲୋଡାଯାଉଥିବା ପୋଲିସ ରାଷ୍ଟ୍ରର ଏକ ମୁଖ୍ୟ ଅଂଶ । ଏହାର ଉଭୟ ପୁରୁଷ ଓ ମହିଳା ସଦସ୍ୟ ସର୍ବସାଧାରଣ ଓ ନାଗରିକଙ୍କର ଦୈନଦିନ ଜୀବନକୁ ପ୍ରଭାବିତ କରିଥାନ୍ତି । ପୋଲିସକୁ ଜନଗଣଙ୍କ ବନ୍ଧୁ ଓ ସେବା କରିବା ପାଇଁ ବ୍ୟଗ୍ର ସଂସ୍ଥା ଭାବେ କ୍ରମାଗତ ଭାବେ ଜନସଂପର୍କ ପ୍ରଚାର ହେଉଛି । କିନ୍ତୁ ପୋଲିସ କାର୍ଯ୍ୟକରୁଥିବା ସମ୍ପଦାୟ ଓ ପଡୋସୀମାନେ ସେମାନଙ୍କୁ କିପରି ଦେଖନ୍ତି? ଭାରତ ଭଳି ଏକ ବହୁଧର୍ମ ବିଶିଷ୍ଠ ବିବିଧତା ପୂର୍ଣ୍ଣ ସମାଜରେ, ଏହି ବିଭିନ୍ନତା ପ୍ରତି ପୋଲିସର ସଠିକ୍ ଆଚରଣ ପାଇଁ ସେମାନେ ସମର୍ଥ କି? ମୁଖ୍ୟ କଥା ହେଉଛି, ସେମାନେ ବଢି ଆସିଥିବା ପକ୍ଷପାତ ଓ ବଦ୍ଧମୂଳ ଧାରଣାର ପରିସ୍ଥିତିରେ, ସେମାନେ ଏହାକୁ ମୁକାବିଲା କରିବା ପାଇଁ ତାଲିମ ପ୍ରାପ୍ତ କି?
ପୋଲିସ ସଂସ୍କାର ଏକ ଗୁରୁତର ବିଚାରର ବିଷୟ । କିନ୍ତୁ ରାଜ୍ୟ ସରକାରମାନେ ଏ ସମ୍ପର୍କରେ ଖୁବ୍ କମ୍ କାର୍ଯ୍ୟ କରିଥାନ୍ତି । ୧୯୭୮ର ଜାତୀୟ ପୋଲିସ କମିଟି, ୧୯୯୫ରେ ସର୍ବୋଚ୍ଚ ନ୍ୟାୟାଳୟରେ ଉତ୍ତରପ୍ରଦେଶର ପୂର୍ବତନ ପୋଲିସ ଡିଜିଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲା(ଯାହାର ଏବେ ବି ଶୁଣାଣୀ ଚାଲିଛି), ୧୯୯୮ର ଜୁଲିଓ ରିବେରୋ କମିଟି ଏବଂ ପରବର୍ତ୍ତି ତିନୋଟି କମିଟି- ପଦ୍ମନାଭନ୍, ମାଲିମାଥ ଓ ସେଲି ସୋରବଜୀ କମିଟିରେ ସେଭଳି କୌଣସି ପ୍ରସ୍ତାବ ନାହିଁ । ୨୦୦୬ରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ଛଅଟି ମାର୍ଗଦର୍ଶନ ମଧ୍ୟରୁ ଚତୁର୍ଥଟି ହେଉଛି ଯେ ପୋଲିସ ତାଲିମ "ଭାରତ ଭଳି ଏକ ବିବିଧତା ପୂର୍ଣ୍ଣ ସମାଜରେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ଗଣତାନ୍ତ୍ରିକ ଭାବଧାରା ରକ୍ଷା କରିବା ପାଇଁ ନୂତନ ନିଯୁକ୍ତିକୁ ସଂବେଦନଶୀଳ କରିବା ପାଇଁ ହେବା ଆବଶ୍ୟକ" । ସ୍ୱାଭାବିକ ଭାବେ, ସମାଜର ତଳ ସ୍ତରରେ ଥିବା ଲୋକଙ୍କ ପ୍ରତି ପୋଲିସର ପକ୍ଷପାତର ଅସଂଖ୍ୟ ଘଟଣା ଦର୍ଶାଉଛି ଯେ ପୋଲିସ ତାଲିମ ସଂପୂର୍ଣ୍ଣ ବିଫଳ ହୋଇଛି ।
ମହାରାଷ୍ଟ୍ର ସହ ଅନେକ ରାଜ୍ୟରେ ମଡେଲ ପୋଲିସ ଆଇନ୍ ଗୃହିତ ହୋଇଛି, ଯେଉଁଥିରେ କେତେକ ସଂସ୍କାର ଅଛି । କିନ୍ତୁ ଏହାକୁ ବିଚ୍ଛିର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । ସମାଜରୁ ପକ୍ଷପାତ ଓ ବଦ୍ଧମୂଳ ଧାଣାକୁ ଦୂର କରିବାକୁ ବହୁ ସମୟ ଲାଗିବ। ସେଥିପାଇଁ ସମାଜର ଏଭଳି ବଦ୍ଧମୂଳ ଧାରଣା ବିରୁଦ୍ଧରେ ପୋଲିସକୁ ତାଲିମ ଦେବା ନିହାତି ଆବଶ୍ୟକ ।