ISSN (Print) - 0012-9976 | ISSN (Online) - 2349-8846

ସ୍ୱିରେଜ ଲାଇନରେ ହେଉଥିବା ମୃତ୍ୟୁ କ’ଣ ନୂତନ ପ୍ରାକୃତିକ ମୃତ୍ୟୁ କି?

ସ୍ୱିରେଜ ସଫା କରିବାର ପରିବ୍ୟାପ୍ତ ପ୍ରଯୁକ୍ତି ସଫେଇ କର୍ମଚାରୀମାନଙ୍କୁ ଅକାଳ ମୃତ୍ୟୁ ମୁଖରୁ ବଂଚାଇ ପାରିବ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଦିଲ୍ଲୀରେ ସମ୍ପ୍ରତି ଦୁଇଟି ଅଲଗା ଅଲଗା ଘଟଣାରେ ଯେଉଁ ଛଅ ଜଣ ସଫାଇ କର୍ମଚାରୀଙ୍କର ସ୍ୱିରେଜ ସଫା କଲାବେଳେ ମୃତ୍ୟୁ ଘଟିଲା ତାହା କିଛି ନୂଆ ଘଟଣା ନୁହେଁ । ବରଂ ଏହି କାରଣରୁ ଘଟୁଥିବା ମୃତ୍ୟୁର ଏହା ଏକ କଡି ମାତ୍ର ଥିଲା । କିନ୍ତୁ ଏହି ଘଟଣାରେ କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ଏହା ଆଉ ଏକ ପ୍ରକାରର ପ୍ରାକୃତିକ ମୃତ୍ୟୁ ବୋଲି କହୁଛି । କିନ୍ତୁ ସ୍ୱଚ୍ଛ ଭାରତ ଅଭିଯାନର ଯେଉଁମାନେ ମୁଖ୍ୟ କାଣ୍ଡାରୀ ସେହି ସଫାଇ କର୍ମଚାରୀମାନଙ୍କର ମୃତ୍ୟୁ ବିଷୟରେ ଏଭଳି କୁହାଯିବା କେବଳ ଅ-ଗ୍ରହଣୀୟ ନୁହେଁ ଅସମ୍ବେଦନଶୀଳ ମଧ୍ୟ ।

ଦାରିଦ୍ର‌୍ୟର ଚାପ ଏହି ଶ୍ରମିକମାନଙ୍କୁ ପ୍ରାୟତଃ ଉଲଗ୍ନ ଅବସ୍ଥାରେ ମଳ-ମୂତ୍ର ଭର୍ତ୍ତି ଏକ ସ୍ୱିରେଜ ଟାଙ୍କୀ ଭିତରକୁ ପ୍ରବେଶ କରିବାକୁ ବାଧ୍ୟ କରିଥାଏ । ଭିତରକୁ ପ୍ରବେଶ କଲା ବେଳେ ସେମାନେ ଏକଥା ମଧ୍ୟ ଜାଣିଥାଆନ୍ତି ଯେ ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ସେହି ଟାଙ୍କି ଭିତରେ ଅଣନିଶ୍ୱାସୀ ହୋଇ କେତେବେଳେ ମୃତ୍ୟୁ ମୁଁହକୁ ଚାଲି ଯାଇ ପାରନ୍ତି । ଏପରି  ମୃତ୍ୟୁ ସହିତ ଜଡିତ ଥିବା ଯେଉଁ ସାଧାରଣ ପ୍ରଶ୍ନଟିର ଉତ୍ତର ରଖାଯିବାର ଆବଶ୍ୟକତା ରହିଛି ତାହା ହେଉଛି- ଯେତେବେଳେ ସ୍ୱିରେଜର ଯାନ୍ତ୍ରିକ ସଫାଇ ପାଇଁ ଅନେକ କିଛି ଉପଲବ୍ଧ ଏବଂ ଆଇନ ମଧ୍ୟ ସେହିକଥା କହୁଛି, ସେତେବେଳେ ଶ୍ରମିକମାନେ କାହିଁକି ସବୁବେଳେ ଏପରି ବିପଜ୍ଜନକ ଭାବରେ ହାତରେ ଟାଙ୍କି ବା ସ୍ୱିରେଜ ଲାଇନ ସଫା କରିବାକୁ ଏହି ସବୁ ମୃତ୍ୟୁ ଚାମ୍ବର ମାନଙ୍କୁ ପ୍ରବେଶ କରୁଛନ୍ତି?

ଯେଉଁ କର୍ମୀ ଓ ଏନଜିଓ ମାନେ ଏହାକୁ ସମାପ୍ତ କରିବାକୁ ବା ସଫେଇ କର୍ମଚାରୀଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବାପାଇଁ ଉଦ୍ୟମ କରୁଛନ୍ତି ପରିତାପର ବିଷୟ ହେଉଛି ଯେ ସେମାନଙ୍କ ପାଖରେ ଏହି ଶ୍ରମିକମାନଙ୍କ ବିଷୟରେ ସେପରି କୌଣସି ବିଶ୍ୱସନୀୟ ତଥ୍ୟ ନାହିଁ । ସାରା ଦେଶରେ କେତେ ସ୍ୱିରେଜ ଟାଙ୍କି ସଫେଇ କର୍ମଚାରୀ ଅଛନ୍ତି ସେ ବିଷୟରେ କୌଣସି ତଥ୍ୟ ନଥିଭୁକ୍ତ ହୋଇ ନାହିଁ । ତେଣୁ ସତରେ ଏପରି ଏକ କାର୍ଯ୍ୟ ଅଛି ବୋଲି ଲୋକଙ୍କ ମନରେ ବିଶ୍ୱାସ ଆଣିବାକୁ ବାଧ୍ୟବାଧକତାର ଆବଶ୍ୟକତା ପଡିପାରେ ।  ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ସଂସଦ ଏବଂ ରାଜ୍ୟ ବିଧାନ ସଭା ଓ ପରିଷଦ ମାନଙ୍କରେ ରଖାଯାଉଥିବା ତଥ୍ୟ ଉପରେ ନିର୍ଭର କରି ଏ ବିଷୟରେ ଯେଉଁ ସବୁ ତଥ୍ୟ ଏକତ୍ରିତ କରାଯାଉଛି ତାହା ଭିନ୍ନ ଭିନ୍ନ ହୋଇ ଗୋଳମାଳିଆ ହେଉଛି । ମୂଳ କଥାଟି ହେଉଛି ଦେଶରେ ଥିବା ଏମ୍ପ୍ଲୟମେଂଟ ଅଫ ମାନୁଆଲ ସ୍କାଭେଂଜର୍ସ ଆଣ୍ଡ କନଷ୍ଟ୍ରକସନ ଅଫ ଡ୍ରାଏ ଲାଟ୍ରିନ୍ସ(ପ୍ରୋହିବିସନ) ଆକ୍ଟ ୧୯୯୩, ଯାହାକୁ କି ୨୦୧୩ରେ ସଂଶୋଧନ କରାଯାଇଛି ସେଥିରେ କୁହାଯାଇଛି ଯେ କୌଣସି ବ୍ୟକ୍ତି ଏପରିକି ସ୍ଥାନୀୟ କର୍ତ୍ତୃପକ୍ଷ ବା ସଂସ୍ଥା ବିପଦଜନକ ଭାବରେ ସ୍ୱିରେଜ ବା ପାଇଖାନା ଟାଙ୍କି ସଫା କରିବା ପାଇଁ ଶ୍ରମିକ ମାନଙ୍କୁ ନିୟୋଜିତ କରିପାରିବେ ନାହିଁ ।

ଯେହେତୁ ଏହି କାର୍ଯ୍ୟଟିକୁ ସମାଜର ତଳ ଶ୍ରେଣୀର ଓ ଜାତିର ଲୋକମାନେ କରି ଥାଆନ୍ତି ତେଣୁ ସେମାନଙ୍କ ସମସ୍ୟା ଓ ଦୁଖ ସମାଜରେ ଏତେ ବେଶି ଦେଖାଯାଏ ନାହିଁ କି ଆଲୋଚିତ ହୁଏ ନାହିଁ । ଯେଉଁମାନେ ରାସ୍ତା, ନାଳ ନର୍ଦ୍ଦମା, ଘର ପଛ ପଟ ଗଳି, ସେପଟିକ୍ ଟ୍ୟାଙ୍କ, ସ୍ୱିରେଜ ଲାଇନ ଆଦି ସାମାନ୍ୟ କିଛି ପଇସା ନେଇ ସଫା କରନ୍ତି ସେମାନେ ସବୁ ପରିଚୟ ନ ଥିବା ମଣିଷ । ସ୍ୱଚ୍ଛ ଭାରତ ଅଭିଯାନ ଯେଉଁଦିନଠାରୁ ଆରମ୍ଭ ହେଲା ସେଥିରେ କୁହାଗଲା ଯେ ଏହି ଯୋଜନାର ପଦାତିକମାନେ ଖୁବ କମ ମଜୁରୀରେ କାମ କରୁଥିବା ବେଳେ ସେମାନଙ୍କ ଆଡକୁ ବହୁ କମ ଲୋକଙ୍କର ଦୃଷ୍ଟି ଯାଇଥାଏ । ବୋଧେ ସେଇଥିପାଇଁ  ମୁମ୍ବାଇର ‘କଚରା ବାହାତୁକ ଶ୍ରମିକ ସଂଘ’ କିଛି ଲୋକ(ନେତା)ଙ୍କୁ ଝାଡୁଧାରୀ ବିଖ୍ୟାତବ୍ୟକ୍ତି ବା ସେଲିବ୍ରିଟି କହିବା ସହିତ ଏକଥା ମଧ୍ୟ କହୁଛନ୍ତି ଯେ ପ୍ରକୃତରେ ସଡକ ଯାକର ଅଳିହା ଆମେ ସବୁ ସଫାଇ କର୍ମଚାରୀମାନେ ଓଳାଇ ସଫା କରିଦେବା ପରେ ଏହି ମନ୍ତ୍ରୀମାନେ ଗୋଟିଏ ଗୋଟିଏ ଝାଡୁ ଧରି ନିଜ ଛାଇକୁ ଓଳାଇ ସଫା କରୁଛନ୍ତି ।

ତଥାକଥିତ ନିଚ୍ଚ ଜାତିର ଲୋକ ଓ ସଫାଇ କାର୍ଯ୍ୟ ମଧ୍ୟରେ ଥିବା ଏହି ଭିତିରିଆ ସମ୍ପର୍କ ଯୋଗୁ ବୋଧେ କେହି ଏହି କାର୍ଯ୍ୟପାଇଁ ଯେଉଁସବୁ ଯାନ୍ତ୍ରିକ ଉଦ୍ଭାବନ ଘଟିଲାଣି ତା’ର ବ୍ୟବହାର ସମ୍ବନ୍ଧରେ ମୁଣ୍ଡ ଖେଳାଉ ନାହାନ୍ତି । ଏବେ ବିନା ଯୋଜନାବଦ୍ଧ ଭାବରେ ତ୍ୱରିତ ବେଗରେ ଯେପରି ସହର ଗୁଡିକର ପ୍ରସାରଣ ହୋଇ ଚାଲିଛି, ସେଥିରେ ପରିମଳ ବ୍ୟବସ୍ଥାକୁ କେବଳ ସହରର ସୁବିଧା ପାଇଁ ଅନ୍ତବୁଜୁଳା ସଫା ବା ମଇଳା ଟାଙ୍କି ସଫା କାର୍ଯ୍ୟ ଭାବରେ ନିଆ ଯାଉଛି । ଉଦାହରଣ ସ୍ୱରୂପ ବେଙ୍ଗେଲୁରୁରେ ଆପାର୍ଟମେଣ୍ଟ ଗୁଡିକ ସେମାନଙ୍କ ନିଜସ୍ୱ ସ୍ୱିରେଜ ଟ୍ୟାଙ୍କ ନିର୍ମାଣ କରିବା ପାଇଁ କୁହାଯାଇ ସାରିଛି ।  ସେମାନେ ଏହି ଟାଙ୍କିର ସଫେଇ, ମରାମତି କାର୍ଯ୍ୟରେ ନଗରପାଳିକାକୁ ସାମିଲ ନକରି  ନିଜେ ନିଜେ କରିପାରିବେ ବୋଲି ମଧ୍ୟ କୁହାଯାଇ ସାରିଛି । ଯାହାର ଅର୍ଥ ହେଉଛି ବେସରକାରୀ ସଂସ୍ଥା ବା ଶ୍ରମିକ ମାନଙ୍କୁ ସେମାନଙ୍କର ନିରାପତ୍ତା ପ୍ରତି କୌଣସି ଧ୍ୟାନ ନ ଦିଆଯାଇ ଏହି କାମ ପାଇଁ ଠିକାରେ ନିୟୋଜିତ କରାଯିବ । ଯାହା ପାଇଁ ସମ୍ପ୍ରତି ୫ ରୁ ୬ ଜଣ ସ୍ୱିରେଜ ସଫା କରିବା ସଫାଇ କର୍ମଚାରୀ ମୃତ୍ୟୁ ମୁଖରେ ପଡିଛନ୍ତି ।

ଏହି ସଫାଇ କର୍ମଚାରୀମାନଙ୍କ ପାଇଁ କାମ କରୁଥିବା ଜଣେ ବିଶିଷ୍ଟ ନେତା ଯାହା କହିଛନ୍ତି ଭାରତ ପାଖରେ ଉପଗ୍ରହ ପଠାଇବା ପାଇଁ ପ୍ରଯୁକ୍ତି ଅଛି କିନ୍ତୁ ମାତ୍ର ୨୦ ଫୁଟ ବା ତାଠାରୁ କମ ଗଭୀରତାରେ ମାଟିତଳେ ଯାଇଥିବା ସ୍ୱିରେଜ ଲାଇନ ସଫା କରିବାକୁ ପ୍ରଯୁକ୍ତି ନାହିଁ । କିନ୍ତୁ ଏହାକୁ ଯାନ୍ତ୍ରିକ ଉପାୟରେ କରିବାପାଇଁ ସ୍ଥାନୀୟ ସଫାଇ କର୍ମଚାରୀ ବା ସେମାନଙ୍କ ସହିତ ସଂଯୁକ୍ତ ଲୋକେ କିଛି କିଛି ଉଦ୍ୟମ ଜାରୀ ରଖିଛନ୍ତି । ହାଇଦ୍ରାବାଦ ମେଟ୍ରୋପଲିଟାନ ୱାଟର ସପ୍ଳାଇ ଏବଂ ସ୍ୱିରେଜ ବୋର୍ଡ ପକ୍ଷରୁ ବନ୍ଦିକୁଟ ନାମକ ବ୍ୟବସ୍ଥା ଚାଲୁ କରିଛନ୍ତି । ଏଥିପାଇଁ କେରଳର ତିରୁଅନନ୍ତପୁରମର କେତେଜଣ ସାମାଜିକତା ସଚେତନ ଇଂଜିନିୟର ରୋବର୍ଟକୁ ବ୍ୟବହାର କରିବା ସହିତ ହାଇଦ୍ରାବାଦରେ ‘ସିୱର କ୍ରକ’ର ଉଦଭାବନ କରାଯାଇଛି । ଏ ବିଷୟରେ ଆହୁରି କେତେକ କଥା ମଧ୍ୟ ବାହରିଛି ଯାହାକୁ ଗଣମାଧ୍ୟମରେ ଅଣାଯାଇ ନାହିଁ । ସରକାରୀ କର୍ତ୍ତୃପକ୍ଷଙ୍କୁ ଏହିଭଳି କାର୍ଯ୍ୟକୁ ସମର୍ଥନ ଓ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ଦିଲ୍ଲୀ ସରକାର ମଧ୍ୟ ଯାନ୍ତ୍ରିକ ଉପାୟରେ ସ୍ୱିରେଜ ତଥା ମଇଳା ଟାଙ୍କି ସଫା କରିବାର ଉଦ୍ୟମ କରୁଛନ୍ତି, ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ ସଫାଇ କର୍ମଚାରୀମାନଙ୍କୁ ଏ ସମ୍ବନ୍ଧିତ ଯନ୍ତ୍ରପାତି କିଣିବା ପାଇଁ ରୁଣ ପ୍ରଦାନ କରି ସେମାନଙ୍କୁ ଉଦ୍ୟୋଗପତି କରାଯିବା କଥା ପ୍ରକାଶିତ ହେଉଛି । କିନ୍ତୁ ନିଜେ ସରକାର ଏପରି ଯନ୍ତ୍ରପାତି କିଣି ସେଥିପାଇଁ କୁଶଳୀ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ପାରିଲେ ଏହା ବ୍ୟବସ୍ଥିତ ଢଙ୍ଗରେ ଚାଲି ପାରନ୍ତା । 

ଦେଖିବା କଥା ଯେ ଯେଉଁଠାରେ ଶ୍ରମିକ ମାନଙ୍କୁ ଆବଶ୍ୟକ ସୁରକ୍ଷା କବଚ ଦିଆଯାଇଛି ସେଠାରୁ ମଧ୍ୟ ଏହି ଅଭିଯୋଗ ଆସୁଛି ଯେ ଯେଉଁ ସୁରକ୍ଷା କବଚ ତାଙ୍କୁ ଦିଆ ଯାଇଛି ସେଗୁଡିକ ଏତେ ଓଜନିଆ ଯେ ତାକୁ ପିନ୍ଧି ହାତ ଏପାଖରୁ ସେପାଖ କରି ହେଉନାହିଁ ।  ତେଣୁ ଶ୍ରମିକମାନେ ତାକୁ ଫିଙ୍ଗି ଦେଇ ଖାଲି ଖାଲି ବରଂ କାମ କରିବାକୁ ପସନ୍ଦ କରୁଛନ୍ତି । ଏଠାରେ ମଧ୍ୟ ପରୀକ୍ଷା ନିରୀକ୍ଷା ହେବା ଦରକାର ଓ ଶ୍ରମିକମାନଙ୍କୁ ଏପରି ହାଲୁକା ଏବଂ ସୁରକ୍ଷିତ ପୋଷାକ ଦିଆ ଯିବା ଦରକାର ଯାହାକୁ ପିନ୍ଧି ସେମାନେ ଏପରି ଏକ କଷ୍ଟକର କାମକୁ କରିପାରିବେ । କିନ୍ତୁ କର୍ତ୍ତୃପକ୍ଷ ସେଭଳି କରିବା ପାଇଁ ଏଇଥିପାଇଁ ଚାହୁଁ ନାହାନ୍ତି ଯେ ସେମାନେ ଏହି କାର୍ଯ୍ୟ ସହିତ ଜଡିତ ଥିବା ବିପଦ ଗୁଡିକୁ ଗୁରୁତ୍ୱର ସହ ନେଉ ନାହାନ୍ତି । ସମସ୍ତେ କେବଳ ଠିକା ଶ୍ରମିକ ଚାହୁଛନ୍ତି । ବେସରକାରୀ ଅପେକ୍ଷା ସରକାରୀ ସଂସ୍ଥାରେ ଠିକା ବ୍ୟବସ୍ଥାର ଅଧିକ ଆବଶ୍ୟକତା ଏଇଥିପାଇଁ ପରିଲକ୍ଷିତ ହେଉଛି ଯେ ରେଳବାଇ ଭଳି ସରକାରୀ ସଂସ୍ଥାଗୁଡିକରେ ଏହାର ସର୍ବାଧିକ ଆବଶ୍ୟକତା ଦେଖା ଦେଉଛି । ତେଣୁ ଠିକା ବ୍ୟବସ୍ଥାକୁ ସର୍ବକାଳୀନ କରି ରଖିବାକୁ ସମସ୍ତେ ଉତ୍ସାହୀ ।

ଏହି ସରକାର ଯେହେତୁ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି ତେଣୁ ସେହି ପ୍ରଯୁକ୍ତିର ବ୍ୟବହାର କରି ପରିମଳ ବ୍ୟବସ୍ଥାର ମେରୁଦଣ୍ଡ ଭାବେ ଜଣାଶୁଣା  ସଫାଇ କର୍ମଚାରୀମାନଙ୍କ ଅନାବଶ୍ୟକ ମୃତ୍ୟୁକୁ ରୋକିବା ପାଇଁ ଅନ୍ତତଃ ଉଦ୍ୟମ କରନ୍ତୁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top