ISSN (Print) - 0012-9976 | ISSN (Online) - 2349-8846

ପ୍ରଫେସର ଗୋପାଳ ଗୁରୁଙ୍କ ନୂଆ ଦାୟିତ୍ୱ

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତର ସ୍ୱନାମଧନ୍ୟ ଅର୍ଥନୈତିକ ଓ ରାଜନୈତିକ ସାପ୍ତାହିକ ଯାହା ସଂକ୍ଷେପରେ ଇ.ପି.ଡବ୍ଲୁ (Economic & Political Weekly) ନାମରେ ପରିଚିତ, ଜଣେ ନୂଆ ସମ୍ପାଦକଙ୍କୁ ପାଇଛି । ସେ ହେଉଛନ୍ତି ଗତ ଜୁଲାଇ ୩୧, ୨୦୧୮ଦିନ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ରାଜନୀତିକ ଅଧ୍ୟୟନ କେନ୍ଦ୍ରରୁ ଅବସର ନେଇଥିବା ଖ୍ୟାତନାମା ପ୍ରଫେସର ଡଃ ଗୋପାଳ ଗୁରୁ । ଦଳିତ ପ୍ରସଙ୍ଗ ଉପରେ ବହି ଲେଖିବା, ପ୍ରବନ୍ଧ ଲେଖିବା, ଟେଲିଭିଜନ ସାକ୍ଷାତକାର ଦେବା ଏବଂ ବିଭିନ୍ନ ପ୍ରାନ୍ତକୁ ଯାଇ ଜଣେ କର୍ମୀ ଭଳି ଭିନ୍ନ ଭିନ୍ନ ବୌଦ୍ଧିକ ତଥା ସାମାଜିକ ଚେତନାର ସ୍ତରରେ ଥିବା ଲୋକମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରିବା ନିମନ୍ତେ ପ୍ରେରଣା ଦେବା ଇତ୍ୟାଦି ମାଧ୍ୟମରେ ଡଃ ଗୁରୁ  ନିଜର ସମ୍ମାନ ଓ ଖ୍ୟାତି ଅର୍ଜନ କରିପାରିଛନ୍ତି । ଇ.ପି.ଡବ୍ଲୁ ପତ୍ରିକା ପାଇଁ ଏହା ଏକ ଗର୍ବ ଓ ଗୌରବର କଥା ଯେ, ତାଙ୍କଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ସେମାନେ ସମ୍ପାଦକ ହିସାବରେ ପାଇପାରିଛନ୍ତି । ବିନମ୍ର ଡଃ ଗୁରୁ କିନ୍ତୁ ଏଭଳି ପଦବୀ ଏବଂ ସମ୍ପୃକ୍ତି ଦ୍ୱାରା ନିଜକୁ ଅଧିକ ଗୌରବାନ୍ୱିତ ଏବଂ ସମ୍ମାନିତ ମନେ କରୁଛନ୍ତି । ଅଗଷ୍ଟ ୪, ୨୦୧୮ରେ ନିଜର ସମ୍ପାଦକୀୟରେ ସେ ଯାହା ଲେଖିଛନ୍ତି ତାହା ଯେକୌଣସି ପତ୍ରିକା ପାଇଁ ପ୍ରାସଙ୍ଗିକ ଏବଂ ଉପଯୋଗୀ, ଯେଉଁଥିରେ ପ୍ରଥମେ ସେ ଇ.ପି.ଡବ୍ଲୁ ଦଳଟିର କଠିନ ପରିଶ୍ରମ, ନିଷ୍ଠା ଏବଂ ଯତ୍ନର ସହ କାମ କରିବା କଥାଟି ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି (From the Editor’s Desk, August 4, 2018 vol lII no 31)।’ ତାଙ୍କ ଭାଷାରେ, ‘ସମ୍ପାଦକ ପଦବୀ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଯେଉଁଠି ପତ୍ରିକା ଭିତରେ ବିବିଧ ମତ ଏବଂ ଭିନ୍ନମତ ପୋଷଣ କରୁଥିବା ବିଚାରଗୁଡ଼ିକୁ ସ୍ଥାନଦେବାକୁ ପଡ଼ିଥାଏ । ଏହି ସବୁ ବିଚାରଗୁଡ଼ିକ ‘ସ୍ଥାନୀୟ’ଠାରୁ ଆରମ୍ଭ କରି ‘ବିଶ୍ୱସ୍ତର’ ଯାଏଁ ବ୍ୟାପିଥିବା ବିବିଧ ରାଜନୈତିକ ଅଭିବ୍ୟକ୍ତି ଏବଂ ଅର୍ଥନୈତିକ ପରିବର୍ତ୍ତନ ଭିତରେ ଥିବା ଜଟିଳ ସମ୍ପର୍କର ପୃଷ୍ଠଭୂମିଗୁଡ଼ିକ ବୁଝିବା ପାଇଁ ସାହାଯ୍ୟ କରିଥାଏ । ବିଭିନ୍ନ ସ୍ଥାନରୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତନ ଏବଂ ଲୋକମାନଙ୍କର ମହତ୍ୱପୂର୍ଣ୍ଣ ଅଭ୍ୟାସ / ଅନୁଭୂତିଗୁଡ଼ିକ ସାଉଁଟିବା ଏବଂ ମାର୍ଜିତ କରିବା ଦିଗରେ ଇ.ପି.ଡବ୍ଲୁ ପତ୍ରିକାର ଅଦ୍ୱିତୀୟ ପ୍ରଥାଟିଏ ରହିଛି ।

ଯଦି ପତ୍ରିକାଟିକୁ ଏକ ମୁକ୍ତ ବିଶ୍ୱବିଦ୍ୟାଳୟ କୁହାଯାଏ ତେବେ ତାହା ଅତିରଞ୍ଜିତ ମନେ ହେଲେ ବି ଯୁକ୍ତିସଙ୍ଗତ ହେବ । ଏଥିରୁ ବୁଝାପଡ଼ୁଥିବ ଯେ, ଇ.ପି.ଡବ୍ଲୁ ପତ୍ରିକା କୌଣସି ନିର୍ଦ୍ଦିଷ୍ଟ ମତକୁ ପାଠକମାନଙ୍କ ଉପରେ ଥୋପି ଦିଏନା ବରଂ ପ୍ରତିଟିି ଜୀବ ପ୍ରତି ସମାନ ମାନବିକ ମୂଲ୍ୟଦେବା ଦୃଷ୍ଟିରୁ ଯେତେସବୁ ଭିନ୍ନ ମତବାଦ ଅଛି ସେସବୁକୁ ଏକାଠି କରିବାର ଆବଶ୍ୟକତା ପ୍ରତି ସମ୍ମାନ ଦେଇଥାଏ । ଇ.ପି.ଡବ୍ଲୁ ପତ୍ରିକାରେ ଯାହା ସ୍ଥାନ ପାଇଥାଏ ତାହା ତର୍କଶୀଳ ଥିବ ଏବଂ ତାହାର ଅଭିବ୍ୟକ୍ତିରେ ଗୁରୁତ୍ୱ ମଧ୍ୟ ଅନୁଭବ କରାଯାଉଥାଏ । ଜାତୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ପ୍ରାଧାନ୍ୟତା ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ପତ୍ରିକା ପୃଷ୍ଠାରେ ବିତର୍କଗୁଡ଼ିକୁ ସ୍ଥାନିତ କରାଯାଇଥାଏ ।

ଆଜିର ଏହି ମୁହୂର୍ତ୍ତରେ ଯେତେବେଳେ ଉଭୟ ଅର୍ଥନୀତି ଏବଂ ରାଜନୀତିରେ ପରିବର୍ତ୍ତନ ଚାଲିଛି ଇ.ପି.ଡବ୍ଲୁ ପତ୍ରିକାର ଭୂମିକାରେ ଏକ ମୌଳିକ ମହତ୍ୱ ପ୍ରତିପାଦିତ ହେଉଛି । ରାଜନୀତିର ସମସାମୟିକ କ୍ଷେତ୍ର ଏତେ ଫମ୍ପା ହୋଇଯାଇଛି ଯେ, ଯିଏ ନିଜକୁ ଯେତେ କ୍ଷମତାରେ ପ୍ରଭାବଶାଳୀ ମନେକରି ମତ ରଖନ୍ତୁ ନା କାହିଁକି ସବୁଗୁଡ଼ାକ ଜାଲି ଭଳି ଜଣାପଡ଼ୁଛି । ଏହି ସବୁ ବିରୁଦ୍ଧରେ ଯେଉଁ ରାଜନୈତିକ ପ୍ରତିକ୍ରିୟା ଆସିବା କଥା, ତାହା ବହୁଭାଗରେ ବିଭାଜିତ । କ୍ଷମତାଶାଳୀଙ୍କ ରାଜନୈତିକ ଅଭିବ୍ୟକ୍ତି ଭିତରେ ଶବ୍ଦର ବ୍ୟାପକ ପ୍ରୟୋଗ କରାଯାଇଥାଏ ଏବଂ ସେଇଥିପାଇଁ ଭ୍ରମ ସୃଷ୍ଟି କରିବାପାଇଁ ମିଥ୍ୟା ପ୍ରତିଶ୍ରୁତିଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଦୋହରାଇବା ଭଳି କ୍ଷମତା ଥିବା ଜଣେ ଆଖିଦୃଷ୍ଟିଆ ନେତୃତ୍ୱର ଆବଶ୍ୟକତା ଜରୁରୀ ହୋଇଯାଏ । କ୍ଷମତାଶୀଳ ରାଜନୈତିକ ଶକ୍ତିଗୁଡ଼ିକ ପାଇଁ ଏହାଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧିତ ହୋଇଥାଏ: ଆନୁଷ୍ଠାନିକ ରାଜନୈତିକ କ୍ଷମତାରେ ରହିବା ଏବଂ ଏଭଳି କ୍ଷମତାକୁ ସେମାନଙ୍କର ସାମାଜିକ ପତିଆରାକୁ ଅଧିକ ପ୍ରତିଷ୍ଠିତ କରିବା ପାଇଁ ବ୍ୟବହାର କରିବା ଶାସକମାନଙ୍କ ରାଜନୈତିକ ଅଭିବ୍ୟକ୍ତି ବିରୁଦ୍ଧରେ ଯେଉଁମାନେ ମତ ପୋଷଣ କରିଥାନ୍ତି ସେମାନେ ଯେ ନିଜ ଭିତରେ ବହୁଦା ବିଭାଜିତ କେବଳ ସେତିକି ନୁହେଁ, ବରଂ ସେମାନଙ୍କୁ ମଧ୍ୟ ଚପେଇ ଦେବା ପାଇଁ ଟୁଇଟର, ବ୍ଲଗ୍, ହ୍ୱାଟସଆପ୍ ଇତ୍ୟାଦି ବାହ୍ୟ ବିପଦଗୁଡ଼ିକୁ ଅନବରତ ସାମ୍ନା କରିବାକୁ ପଡ଼ିଥାଏ । ଚପେଇ ଦେବାପାଇଁ ଯେଉଁ ସମସାମୟିକ ଚିନ୍ତା ଚାଲିଛି ସେ ଭିତରେ ଅଛି ନିଜକୁ ବା ନିଜର ଉଗ୍ର ଚିନ୍ତାକୁ ସନ୍ତୁଷ୍ଟ କରିବା ପାଇଁ ରାଜନୀତି ଦୃଷ୍ଟିକୋଣରୁ ଯାହା ଠିକ୍ ସେଭଳି ଆଭିମୁଖ୍ୟ ଗ୍ରହଣ କରିବା । ଏହି ଦୃଶ୍ୟପଟର ଅନ୍ୟପାଶ୍ୱର୍ରେ ଏହା ଉସୁକାଇଥାଏ ଉତ୍ତେଜନା ସୃଷ୍ଟି କରିବାପାଇଁ । ଦକ୍ଷିଣପନ୍ଥୀ ରାଜନୀତିକୁ ପ୍ରତିନିଧିତ୍ୱ କରୁଥିବା ଦବାଇ ଦେବାପାଇଁ ହେଉଥିବା ଏହି ରାଜନୀତିକୁ ବ୍ଲଗ୍ ବା ଟୁଇଟର ମାଧ୍ୟମରେ ପରିଚାଳନା କରାଯାଇଥାଏ ।

‘ଦୁଇ ମିନିଟ୍ରେ ମ୍ୟାଗି' ଭଳି ଏଭଳି ଚିନ୍ତା, ପରିବର୍ତ୍ତନକାମୀ ଚିନ୍ତାଗୁଡ଼ିକୁ ବଦଳେଇ କ୍ଷଣିକ ଚିନ୍ତାଗୁଡ଼ିକୁ ପ୍ରାଧାନ୍ୟ ଦେଇଥାଏ । ଗୁରୁତ୍ୱର ସହ ଚିନ୍ତା କରିବା ବଦଳରେ ବାଟ ଭାଙ୍ଗି ଯିବା କଥାଟି ଗୋଟିଏ କୌଣସି ଗଭୀର ସଙ୍କଟର ମୂଳ ଆଧାର ନୁହେଁ ବରଂ ତାହାର ଏକ ଲକ୍ଷଣମାତ୍ର । ଏହି ସଙ୍କଟଟି ଲୋକମାନଙ୍କର ସ୍ୱୟଂସମ୍ପୂର୍ଣ୍ଣ ଭାବେ ଚିନ୍ତା କରିବାର ସ୍ୱାଧୀନତାକୁ ସଙ୍କୁଚିତ କରିଦିଏ । ‘ଦକ୍ଷିଣ ପଟେ' ରହିବାର ଇଚ୍ଛା ଏବଂ ହୁଏତ ସାମାଜିକ ବାଧ୍ୟବାଧକତା ପ୍ରଗତିଶୀଳ ଚିନ୍ତା କରୁଥିôବା ବ୍ୟକ୍ତିକୁ ଗଢ଼ିଥାଏ- ଯିଏ ରାଜନୈତିକ ସଚେତନତାକୁ ପଛରେ ଥୋଇ ରାଜନୀତି ଦୃଷ୍ଟିରୁ ଯାହା ଠିକ୍ ସେଭଳି ପକ୍ଷ ରଖିଥାଏ । ବିଡ଼ମ୍ବନାର କଥା ଯେ ରାଜନୀତି ଦୃଷ୍ଟିରୁ ଠିକ୍ ରହିବା କଥାଟି ବିରୋଧିମାନଙ୍କ ସହ ଗୋଟିଏ ଫମ୍ପା ଶବ୍ଦର ଖେଳ ବା ଭାଷାର ଖେଳରେ ସାମିଲ ହେବାପାଇଁ ପ୍ରବର୍ତ୍ତାଇଥାଏ ।

ଏତଦ୍ ବ୍ୟତିରେକ ପରିବର୍ତ୍ତନକାମୀ ରାଜନୈତିକ ଚିନ୍ତନର ସଙ୍କଟ ବଢ଼ିଯାଇଥାଏ ଯେତେବେଳେ ଭାଷାର ଖେଳଟି ଏକ ଔପଚାରିକତା  ହୋଇ ତା’ ସହିତ ଯୋଡ଼ି ହୋଇଯାଏ । ସମସାମୟିକ ସମୟରେ ଯେଉଁମାନେ କ୍ଷମତାଶାଳୀ ରାଜନୈତିକ ଅଭିବ୍ୟକ୍ତିର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଯେଉଁମାନେ ତାକୁ ବିରୋଧ କରି ମତବ୍ୟକ୍ତ କରୁଛନ୍ତି ସେମାନେ ମତ ବିନିମୟଟିକୁ କେବଳ ଗୋଟିଏ ଔପଚାରିକତା ସ୍ତରକୁ ନେଇଆସିଛନ୍ତି । ଉଦାହରଣ ସ୍ୱରୂପ ନିଜର ବିଫଳତାକୁ ଲୁଚାଇବା ପାଇଁ ସରକାର ‘ଦେଶଦ୍ରୋହୀ' ବା ‘ଛଳନାମୟ ଧର୍ମ ନିରପେକ୍ଷବାଦୀ' ଇତ୍ୟାଦି ଶବ୍ଦଗୁଚ୍ଛର ପ୍ରୟୋଗ କରିଆସିଛନ୍ତି । ବିଡ଼ମ୍ବନାର କଥା ହେଉଛି ଯେ ଯେଉଁମାନେ ଏଭଳି କଥାଟିକୁ ବିରୋଧ କରୁଛନ୍ତି ସେମାନେ ମଧ୍ୟ ରାଷ୍ଟ୍ରର ଶବ୍ଦ ଗୋଦାମରୁ ଏଭଳି ଶବ୍ଦ ଗୁଚ୍ଛ ନେଇ ବ୍ୟବହାର କରୁଛନ୍ତି ଆରୋପଗୁଡ଼ିକୁ ଖଣ୍ଡନ କରିବା ପାଇଁ । ଏଭଳି ଶବ୍ଦଗୁଚ୍ଛର ପ୍ରୟୋଗ କରିବା ଉଗ୍ର ବିରୋଧିମାନଙ୍କ ପାଇଁ ଏକ ସ୍ୱାଭାବିକ ପ୍ରତିକ୍ରିୟା ହୋଇଯାଇଛି ।

ଇ.ପି.ଡବ୍ଲୁ ଏକ ଖୋଲା ପୋଥି ଏବଂ କେବଳ କେତୋଟି ଉଗ୍ର ମତପୋଷଣ କରୁଥିବା ସମ୍ଭ୍ରାନ୍ତଙ୍କ ସଂଗୋଷ୍ଠୀ ନୁହେଁ ଯେଉଁମାନେ ପରସ୍ପର ବିରୋଧରେ ସଂଘର୍ଷ କରୁଥିବା ବିବିଧ ଗୋଷ୍ଠୀର ସ୍ୱର ପ୍ରତିନିଧିତ୍ୱ କରିବାର ଏକମାତ୍ର ଉଦ୍ଦେଶ୍ୟ ନେଇ ଏକ ଗୋଷ୍ଠୀ ଗଠନ କରିଥାନ୍ତି, ଯଦ୍ଦ୍ୱାରା କି ସେମାନେ ରାଜନୀତି ଦୃଷ୍ଟିରୁ କେତେ ଠିକ୍ ତାହା ପ୍ରମାଣିତ କରିପାରିବେ । କଥାଟିକୁ ଭିନ୍ନ ପ୍ରକାରେ ରଖିବାକୁ ହେଲେ ନିଜ ଅସ୍ମିତାକୁ ନିରୂପଣ କରୁଥିବା ସମୁଦାୟମାନେ ଯଥା ସମ୍ଭ୍ରାନ୍ତ ବୁଦ୍ଧିଜୀବୀ ସଂଗୋଷ୍ଠୀ, ବିଦ୍ୱାନମାନଙ୍କ ଗୋଷ୍ଠୀ, ସାମାଜିକ କର୍ମୀଙ୍କ ଗୋଷ୍ଠୀ ଏବଂ ସମାଜସେବୀଙ୍କ ଗୋଷ୍ଠୀ ସେମାନଙ୍କ ସହ ସହମତ ହେଉଥିବା ଲୋକମାନଙ୍କର ପ୍ରତିନିଧିତ୍ୱ କରନ୍ତି ଏବଂ ପରସ୍ପର ପାଇଁ ଏଭଳି ଭାଷାରେ ଲେଖନ୍ତି ଯାହା ସେମାନଙ୍କୁ ଅତି ଉତ୍ତମ ମନେହେବ ଓ ଯାହା ଲେଖାଯାଉଥିବ ତାହାର ବିଷୟ ହିଁ ଏକମାତ୍ର ଆଦର୍ଶ ବୋଲି ବିଚାର କରାଯାଉଥିବ । ଉଗ୍ର ବିଚାରଧାରାର ଲୋକମାନଙ୍କ ସଂଗୋଷ୍ଠୀର ଅଭିବ୍ୟକ୍ତିକୁ ସର୍ବତ୍ର ଶୁଣାଯାଉଥିବା ଗୋଟିଏ କଥାରେ କୁହାଯାଇପାରିବ; ‘ଯାହା ଆମେ ସମସ୍ତେ ଜାଣନ୍ତି’ ।

ଗୋଟିଏ ଅତି ସୁରକ୍ଷିତ ବ୍ଲଗ ଭାବରେ ନୁହେଁ ବରଂ ଏକ ଖୋଲା ପୋଥି ହିସାବରେ ଇ.ପି.ଡବ୍ଲୁ ବିଶ୍ୱାସ କରେ ଯେ ବିଭିନ୍ନ ସ୍ଥାନରେ ରହି ବିବିଧ ମତପୋଷଣ କରୁଥିବା ଲୋକମାନଙ୍କ ପାଖରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତଃଦୃଷ୍ଟି ମିଳିପାରିବ । ଇ.ପି.ଡବ୍ଲୁ ପୁଣି ବିଶ୍ୱାସ କରେ ଯେ ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତଃଦୃଷ୍ଟିର କୌଣସି ସ୍ଥିରୀକୃତ ଠିକଣା ନଥାଏ ଏବଂ ସେସବୁ ବିଭିନ୍ନ ପ୍ରାନ୍ତରେ ଚାଳିଥିବା ମୁକ୍ତି ପାଇଁ ସଂଘର୍ଷ ଭିତରୁ ଇ.ପି.ଡବ୍ଲୁ ପାଖକୁ ଆସିଥାଏ । ଗୁରୁତ୍ୱପୂର୍ଣ୍ଣ ତଥା ପରିବର୍ତ୍ତନକାମୀ ଶକ୍ତି ଥିବା ବିଚାରଗୁଡ଼ିକୁ ଗଣତାନ୍ତ୍ରିକ କରିବା ପାଇଁ ପତ୍ରିକାଟି ଏକ ଅଦ୍ୱିତୀୟ ସ୍ଥାନରେ ରହିଛି ।

ଏହାର ସୂଚୀପତ୍ର ଏବଂ ବିଭିନ୍ନ ଗୋଷ୍ଠୀମାନଙ୍କ ଭିତରେ ଏକ ସେତୁଭଳି କାମ କରି ଗୁରୁତ୍ୱପୂର୍ଣ୍ଣ ଚିନ୍ତାଗୁଡ଼ିକୁ ଗଣତାନ୍ତ୍ରିକ କରାଇବା ପାଇଁ  ସମାନତାଭିତ୍ତିକ ଯେଉଁ ଉଦ୍ଦେଶ୍ୟଟି ରହିଛି ତାହା ହିଁ ଉପରୋକ୍ତ କଥାଟିର ପ୍ରମାଣ ଦିଏ । ଇ.ପି.ଡବ୍ଲୁର ବୈଦ୍ୟୁତିକ ସଂସ୍କରଣ ଏବଂ ଅନୁବାଦ ପ୍ରକଳ୍ପ... ପରିବର୍ତ୍ତନକାମୀ ବିଚାରଗୁଡ଼ିକୁ ପ୍ରସାରିତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାମ କରିଆସିଛନ୍ତି ।

ମୁଁ ପ୍ରତ୍ୟେକଟି ପାଠକଙ୍କୁ ଗୁରୁତ୍ୱ ଦେଇ ନିବେଦନ କରୁଛି ଯେ ମଣିଷର ମୁକ୍ତିକୁ ଏକ ସର୍ବସାଧାରଣ କର୍ତ୍ତବ୍ୟ କରିବା ପାଇଁ ଇ.ପି.ଡବ୍ଲୁର ଉଦ୍ୟମରେ ଯେମିତି ଅଂଶଗ୍ରହଣ କରିବେ ।'

ଗୋପାଳ ଗୁରୁଙ୍କର ନିଜର ଏକ ପରିଚୟ  ରହିଛି । କହ୍ନେୟା କୁମାର, ଅନିର୍ବାଣ ଓ ଉମର ଖାଲିଦଙ୍କୁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଉଠାଇ ନେଇ ଦେଶଦ୍ରୋହୀ ଦଫା ଦେଇ କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଗିରଫ କରାଗଲା ପରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ‘ଜାତୀୟତାବାଦ' ପ୍ରସଙ୍ଗ ଉପରେ ବିଶ୍ୱବିଦ୍ୟାଳୟ ଭିତରେ ଚାଲିଥିବା ପ୍ରତିବାଦ ସମାବେଶରେ ବକ୍ତବ୍ୟ ରଖିଥିଲେ, ପ୍ରଫେସର ଗୁରୁଙ୍କ ବକ୍ତବ୍ୟ ଅନ୍ୟତମ ଶ୍ରେଷ୍ଠ ବକ୍ତବ୍ୟ ଥିଲା । ପତ୍ରିକା, ଖବରକାଗଜ ବା ଗଣମାଧ୍ୟମ ଗଣମୁକ୍ତିକୁ ଏକ ଉଦ୍ଦେଶ୍ୟ କରିପାରିବେ କି ନାହିଁ ଏକଥା ସମସ୍ତେ ଜାଣନ୍ତି । ଗଣବିରୋଧି କର୍ପୋରେଟମାନଙ୍କ ଅର୍ଥରେ ହୃଷ୍ଟପୁଷ୍ଟ ହେଉଥିବା ଗଣମାଧ୍ୟମ କେବେ ବି ଏଭଳି ଏକ ଚିନ୍ତା କରିପାରିବ ନାହିଁ ।

ତେବେ ଯେଉଁ ପତ୍ରପତ୍ରିକା ଅଣକର୍ପୋରେଟ ପରିଚୟ ନେଇ ନିଜକୁ ତିଆରି କରୁଛନ୍ତି, ଗଣମୁକ୍ତି ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବା କଥା । କିନ୍ତୁ ଆଜିର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଅତ୍ୟାଧୁନିକ ଅଧ୍ୟାୟରେ ରହି ଆମେ ବିନା ତଥ୍ୟ ଓ ପ୍ରମାଣରେ ନିର୍ଣ୍ଣାୟକ ମତ ରଖିବା ସେହି ପତ୍ରିକାର ଗଣମୁକ୍ତି ଉଦ୍ଦେଶ୍ୟଟିକୁ କ୍ଷତି ପହଞ୍ଚାଇବ । ଭାବପ୍ରବଣ ହେଇ ଲେଖିବା ବା ବିନା ତଥ୍ୟରେ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ, ମତ ବା ବିଚାର ସପକ୍ଷ ବା ବିରୋଧରେ ପକ୍ଷ ରଖିବା ଯେକୌଣସି ପତ୍ରପତ୍ରିକାର ଭବିଷ୍ୟତ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପ୍ରସଙ୍ଗରେ ମତ କେମିତି ରଖାଯାଏ , ସମଦୃଷ୍ଟି ସ୍ତମ୍ଭ ମାନଙ୍କରେ ଡଃ ବୀରେନ୍ଦ୍ର ନାୟକ ତାହାର ଶ୍ରେଷ୍ଠ ନିଦର୍ଶନ ଦେଇଆସିଛନ୍ତି । ଆମର ଆଶା ଓ ବିଶ୍ୱାସ ପରବର୍ତ୍ତୀ ପିଢ଼ିର ଲେଖକମାନେ ତାଙ୍କର ଲେଖାଗୁଡ଼ିକୁ ପଥପ୍ରଦର୍ଶକ ମାନି ଯଦି ଲେଖା ପ୍ରସ୍ତୁତି କରିବେ ତେବେ ଓଡ଼ିଶାର ପତ୍ରପତ୍ରିକା ଅଧିକ ଲାଭବାନ ହେବେ ।

ଇ.ପି.ଡବ୍ଲୁର ଅନୁବାଦ ପ୍ରକଳ୍ପରେ ସମଦୃଷ୍ଟି ପରାଂଜୟ ଗୁହା ଥାର୍କୁତା ସମ୍ପାଦକ ଥିବା ସମୟରୁ ହିଁ ସମ୍ପୃକ୍ତ ହୋଇଯାଇଥିଲା । ପ୍ରଥମେ ପ୍ରଥମେ ଅନୁବାଦଗୁଡ଼ିକୁ ତୁରନ୍ତ ଦିଆଯାଉଥିଲା । ନିଜେ ଅନୁବାଦ କରିବା ଯୋଗୁଁ କାମଟି ସହଜ ହେଉଥିଲା । ଅସୁସ୍ଥତା ଯୋଗୁଁ ଅନ୍ୟମାନଙ୍କ ସହଯୋଗ ନିଆଗଲା । ଅନୁବାଦର ଗୁଣମାନ ଠିକ୍ ରହିଲାନି, ପୁଣି ନିଜକୁ ହିଁ ଅନୁବାଦ କରିବାକୁ ପଡ଼ିଲା । କେତେକ ବି ଉପଯୁକ୍ତ ସଂଶୋଧନ ବିନା ସେମିତି ରହିଗଲା । ଏବେ ଜଣେ ବନ୍ଧୁଙ୍କୁ ପାଇବା ଦିନଠାରୁ ଅନୁବାଦର ଗୁଣମାନ ଠିକ୍ ରହିଛି ଏବଂ ଅନେକ ଚାପ ଭିତରେ ରହି  ସେ ଏହି କାମଟି କରୁଥିବା ଯୋଗୁଁ ବିଳମ୍ବ ବି ହେଉଛି । ମଝିରେ ଜଣେ ଯୁବବନ୍ଧୁ ଭଲ ଅନୁବାଦ କରିପାରିବେ ପରିଚୟଟିଏ ଦେଇଥିଲେ, ତେବେ ଆଗକୁ ଯିବାପାଇଁ ତାଙ୍କର ବି ହୁଏତ କିଛି ପ୍ରତିବନ୍ଧକ ଥିଲା । ଏହି ଅନୁବାଦ କାମଗୁଡ଼ିକୁ ଆପଣ www.samadrusti.com/epwରେ ଦେଖିପାରିବେ ଏବଂ ମତ ବି ଜଣାଇ ପାରିବେ ।           

                                                                               

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top