ପ୍ରତିକୂଳ ନ୍ୟାୟ
ସରକାରଙ୍କର ବହୁଜନ ତୋଷଣ ନୀତି ଆମର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ଗୁରୁତ୍ୱହୀନ କରୁଛି
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
କେତେକ ମହତ୍ୱପୂର୍ଣ୍ଣ ସନ୍ତ୍ରାସ-ବିରୋଧୀ ମୋକଦ୍ଦମା ଗୁଡିକରେ ନ୍ୟାୟ ବ୍ୟବସ୍ଥାର ଅବ୍ୟବସ୍ଥିତ ତଥା ବିଧ୍ୱଂସକାରୀ ପ୍ରଭାବ ଦେଖିବାକୁ ମିଳୁଛି । ମକ୍କା ମସଜିଦ ବିସ୍ଫୋରଣ ଘଟଣାରେ ସ୍ୱାମୀ ଅସୀମାନନ୍ଦ, ମାୟା କୋଡନାନୀ ଓ ଅନ୍ୟ ଆରୋପୀମାନେ, ନରୋଦା ପଟିୟା ଦଙ୍ଗା ମାମଲାରେ ସୋରାବୁଦ୍ଦିନ ଶେଖ ଓ ତୁଲସୀରାମ ପ୍ରଜାପତି ମାମଲାରେ ହୋଇଥିବା ନ୍ୟାୟିକ କାର୍ଯ୍ୟକଳାପ ଉପରେ ପ୍ରଶ୍ନଚିହ୍ନ ଲାଗିଯିବା ସହିତ ଏହା ନ୍ୟାୟ ବ୍ୟବସ୍ଥାକୁ ଭିନ୍ନ ରାସ୍ତାରେ ନେଇଯାଇଥିବାର ଅଭିଯୋଗ ହୋଇଛି । ଏହି ମାମଲା ଗୁଡିକ ସରକାରଙ୍କର ନ୍ୟାୟିକ ବ୍ୟବସ୍ଥାକୁ ଦୁର୍ବଳ କରିବାର ମାଚିଆଭେଲିଆନ କାର୍ଯ୍ୟସୂଚୀକୁ ଲୋକଲୋଚନକୁ ଆଣିଛି ।
୧୬ ଏପ୍ରିଲ ୨୦୧୮ରେ ସ୍ୱତନ୍ତ୍ର ଭାବେ ଗଠିତ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ ବା ଏନଆଇଏ କୋର୍ଟ ମକ୍କା ମସ୍ଜିଦରେ ବିସ୍ଫୋରଣ ମାମଲାରେ ଅସୀମାନନ୍ଦଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଲେ । ଅସୀମାନନ୍ଦଙ୍କୁ ଦୋଷମୁକ୍ତ କରିବାର କାରଣ ବିଷୟରେ ବିଚାରପତି କହିଥିଲେ ଯେ ତାଙ୍କ ବିରୁଦ୍ଧରେ କୌଣସି ଠୋସ୍ ପ୍ରମାଣ ମିଳିଲା ନାହିଁ । ମଇ ୨୦୦୭ରେ ୧୭ଶ ଶତାବ୍ଦୀରେ ଗଠିତ ହାଇଦ୍ରାବାଦର ଚାରମିନାର ପାଖରେ ଥିବା ମକ୍କା ମସଜିଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଏକ ଶୁକ୍ରବାର ଦିନ ପ୍ରାର୍ଥନା ପାଇଁ ଏକତ୍ରିତ ହୋଇଥିବା ୯ ଜଣ ଲୋକ ମୃତ୍ୟୁବରଣ କରିଥିଲେ ଓ ୫୮ ଜଣ ଆହତ ହୋଇଥିଲେ । ଏ ଘଟଣାରେ ପୁଲିସ ପ୍ରଥମେ ମନଇଚ୍ଛା ଅନେକ ମୁସଲିମ ଯୁବକଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଚଳାଇ ରଖିଥିବାର ଅଭିଯୋଗ ଲଗାଇଥିଲା । ପରେ ସେମାନଙ୍କୁ ନାନା ଅତ୍ୟାଚାର କରି ଏହି ଘଟଣାରେ ପାକିସ୍ଥାନର ଆଇଏସଆଇ ସଂସ୍ଥା ସମ୍ପୃକ୍ତ ଥିବା କଥା ମାନିବାକୁ ବାଧ୍ୟ କରିଥିଲା । କିନ୍ତୁ ମାମଲାକୁ ଭିନ୍ନ ରୂପ ଦିଆଯାଉଥିବା କଥା ସେତିକି ବେଳେ ଧରା ପଡିଥିଲା ଯେତେବେଳେ ସିବିଆଇ ପକ୍ଷରୁ କୁହାଗଲା ଯେ ଏ ଘଟଣାରେ ହିନ୍ଦୁତ୍ୱରେ ବିଶ୍ୱାସ ରଖୁଥିବା ସନ୍ତ୍ରାସବାଦୀମାନଙ୍କ ହାତ ରହିଛି ।
ଘଟଣାର ମୁଖ୍ୟ ଅଭିଯୁକ୍ତ ଅସୀମାନନ୍ଦ ୨୦୧୦ ମସିହାରେ କୋର୍ଟରେ ଶପଥକରି ମାନିଥିଲେ ଓ କାରାଭାନ ନାମକ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ରାଷ୍ଟ୍ରିୟ ସ୍ୱୟମ ସେବକ ସଂଘ ଓ ବିଭିନ୍ନ ହିନ୍ଦୁତ୍ୱ ସଂଗଠନର ବଡ ବଡ ନେତାମାନେ ସାରା ଦେଶରେ ମୁସଲିମ ଅନୁଷ୍ଠାନ ଗୁଡିକରେ ମୁସଲମାନ ମାନଙ୍କ ଉପରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଚଳାଇବାପାଇଁ ଏକ ରାଜନୈତିକ କାର୍ଯ୍ୟସୂଚୀ ତିଆରି କରିଛନ୍ତି । ଶେଷରେ ୨୦୧୧ରେ ଏହି ଘଟଣାକୁ ଏନଆଇଏ(ନିଆ)କୁ ଦିଆଯାଇଥିଲା ଏବଂ ଆଶା କରାଯାଉଥିଲା ଯେହେତୁ ଦୃଢ ପ୍ରମାଣ ରହିଛି ତେଣୁ ଦୋଷୀମାନଙ୍କୁ ଦଣ୍ଡ ଦେବାରେ ନିଆ ସଫଳ ହେବ । ଏବେ ଏନଆଇଏ ଏହି ଅଭିଯୁକ୍ତମାନଙ୍କୁ ସେମାନଙ୍କ ମତ ବଦଳାଇବାର ସୁଯୋଗ ଦେଉଛି ଓ ପ୍ରମାଣକୁ ରାସ୍ତାକଡରେ ଫୋପାଡି ଦେଇଛି । ସେହି ଦୃଷ୍ଟିରୁ ଦେଖିଲେ ସ୍ୱତନ୍ତ୍ର ଏନଆଇଏ କୋର୍ଟର ରାୟ କ’ଣ ହେବ ତାହା ପୂର୍ବରୁ ଜଣା ପଡି ଯାଉଥିଲେ ବି ଏଥିରେ ଯାହା ରାୟ ଆସିଲା ତାହା ବହୁ ଲୋକଙ୍କୁ ଚମକ୍ରୃତ କରି ଦେଇଛି ।
ସେହିପରି ୨୦୦୨ରେ ଘଟିଥିବା ନରୋଦା ପାଟିଆ ଗଣହତ୍ୟା ଘଟଣାରେ ଗୁଜୁରାଟ ହାଇକୋର୍ଟ ସନ୍ଦେହ ବା ବେନିଫିଟ ଅଫ ଡାଉଟରେ ଗୁଜୁରାଟର ଜଣେ ପୂର୍ବତନ ମନ୍ତ୍ରୀ ମାୟା କୋଦନାନୀ ଓ ଅନ୍ୟ ୧୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଦେଲେ । ୨୦୦୯ ମସିହାରେ କୋଦନାନୀ ଗିରଫ ହୋଇଥିଲେ ଓ ଗୋଟିଏ କୋର୍ଟରେ ତାଙ୍କୁ ୨୮ ବର୍ଷ ପାଇଁ ସଜା ଶୁଣାଯାଇଥିଲା । କାରଣ ଥିଲା ଗୁଜୁରାଟ ଦଙ୍ଗାବେଳେ ସେ ଲୋକମାନଙ୍କୁ ଉସୁକାଇବା କାରଣରୁ ୯୭ ଜଣ ମୁସଲମାନଙ୍କର ମୃତ୍ୟୁ ଘଟିଥିଲା ଯାହାକି କୋଣସି ଗୋଟିଏ ଦଙ୍ଗାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ । ୨୦୧୨ ମସିହାରେ ଏହି ମାମଲାର ଯାଞ୍ଚ କରିବାକୁ କୋର୍ଟ ପକ୍ଷରୁ ଗଠିତ ଏସଆଇଟି କୋଦନାନୀଙ୍କୁ ନରୋଦା ଦଙ୍ଗାର ମୁଖ୍ୟ ଆସାମୀ ଭାବେ ବର୍ଣ୍ଣର୍ନା କରିଥିଲେ ଓ କେବଳ ତାଙ୍କ ଉସୁକାଣରେ କିଛି ଲୋଗ ମୁସଲମାନ ମାନଙ୍କୁ ଅତ୍ୟାଚାର ଓ ଲୁଟ କରୁ ନଥିଲେ ବରଂ ଅତ୍ୟାଚାର ଓ ଲୁଟ ଚାଲିଥିବା ସ୍ଥାନରେ ନିଜେ କୋଦନାନୀ ଉପିସ୍ଥତ ରହିଥିଲେ । ସେ ସେତେବେଳେ ବିଧାନସଭାର ଏକ କମିଟିର ସଦସ୍ୟ ବି ଥିଲେ ଓ ୨୦୦୭ରେ ତାଙ୍କୁ ମନ୍ତ୍ରୀ ପଦକୁ ଉନ୍ନିତ କରାଯାଇଥିଲା । କିନ୍ତୁ ୨୦ ଏପ୍ରିଲ ୨୦୧୮ରେ ଗୁଜୁରାଟ ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଦେଲା କାରଣ କୋର୍ଟ ଏହାର ସେପରି କୌଣସି ପ୍ରମାଣ ପାଇଲେ ନାହିଁ ଯେ ଲୁଟ ଓ ଅତ୍ୟାଚାର ସ୍ଥଳରେ କେଦନାନୀ ନିଜେ ଉପସ୍ଥିତ ଥିଲେ । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ କିପରି ଏବେର ବିଧାୟିକା ଓ କାର୍ଯ୍ୟପାଳିକାର ଚାପ ଏବେର ନ୍ୟାୟପାଳିକା ଉପରେ ରହୁଛି ଓ କାର୍ଯ୍ୟପାଳିକା କିପରି ନ୍ୟାୟ ବ୍ୟବସ୍ଥାକୁ ନିଜ ସୁବିଧାରେ ନିଜ ଆଡକୁ ନୁଆଁଇବାରେ ସକ୍ଷମ ହେଉଛି ।
ଏହି ରାୟ ସହିତ ଗୋଟିଏ ଖବର ଆସିଲା ଯେ ସୋରାବୁଦ୍ଦିନ ଓ ପ୍ରଜାପତି ମିଛ ମୁକାବିଲା ବା ଏନକାଉଣ୍ଟର ମାମଲାରେ ଦୁଇଜଣ ସାକ୍ଷୀ ସେମାନଙ୍କ ପକ୍ଷ ବଦଳାଇ ଦେଲେ । ନଭେମ୍ବର ୨୦୦୫ରେ ସୋରାବୁଦ୍ଦିନ, ତାଙ୍କ ପତ୍ନୀ କୌସର ବାଇ ଓ ସହଯୋଗୀ ପ୍ରଜାପତି ଯେତେବେଳେ ହାଇଦ୍ରାବାଦରୁ ମହାରାଷ୍ଟ୍ରର ସାଙ୍ଗଲିକୁ ଆସୁଥିଲେ ସେମାନଙ୍କୁ ରାସ୍ତାରେ ଅଟକାଇ ଗୁଜୁରାଟ ପୁଲିସର ସନ୍ତ୍ରାସବାଦ-ବିରୋଧୀ ଟିମ୍ ଉଠାଇ ନେଇଗଲା । ନଭେମ୍ବର ୨୦୦୫ରେ ଗୁଜୁରାଟ ପୁଲିସ ସୋରାବୁଦ୍ଧିନଙ୍କୁ ମିଛ ମୁକାବିଲା କରି ମାରିଦେଇଥିଲା । ତାଙ୍କ ପତ୍ନୀଙ୍କୁ ମଧ୍ୟ ଧର୍ଷଣ କରାଯାଇ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଥିଲା । ପ୍ରଜାପତିଙ୍କୁ ମଧ୍ୟ ବର୍ଷକ ପରେ ହତ୍ୟା କରାଯାଇଥିଲା । ଏ ଘଟଣାରେ ଯେଉଁମାନେ ସାକ୍ଷୀ ଥିଲେ ସେମାନେ ସିବିଆଇକୁ ଦେଇଥିବା ସେମାନଙ୍କ ସାକ୍ଷ୍ୟକୁ ପରେ ବଦଳାଇ ଦେଇଥିଲେ । ଏହି ଘଟଣାରେ କୋର୍ଟ ୭୬ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରିଥିଲା ଯେଉଁଥିରୁ ମୋଟ ୫୨ ଜଣ ସାକ୍ଷୀ ସେମାନଙ୍କ ପକ୍ଷ ବଦଳାଇ ସାରିଛନ୍ତି ।
ଏ ସମସ୍ତ ମୋକଦ୍ଦମାରେ ଥିବା ସମାନତାଟି କ’ଣ?
ପ୍ରଥମଟି ହେଉଛି ନ୍ୟାୟିକ ବ୍ୟବସ୍ଥା ଏ ସବୁ ମୋକଦ୍ଦମାରେ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛି । ତିନୋଟି ଯାକ ମୋକଦ୍ଦମାରେ ଅପରାଧ କରିଥିବା ବ୍ୟକ୍ତିମାନେ ଯେପରି ନ୍ୟୟାଳୟର ଫୈସଲାକୁ ସଂଚାଳନ କଲେ ତାହା ଅପରାଧୀମାନଙ୍କର ଶିକାର ହୋଇଥିବା ବ୍ୟକ୍ତି ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ନିଶ୍ଚିତ ଚମକ୍ରୃତ କରିବାର ଅନେକ କାରଣ ରହିଛି ।
ଦ୍ୱିତୀୟରେ ପୁଲିସର ଅପରାଧ ଅନୁସନ୍ଧାନ ବ୍ୟବସ୍ଥା ଅପରାଧ ଘଟାଉଥିବା ଶକ୍ତିମାନଙ୍କ ଆଗରେ ଅସହାୟ ହୋଇ ପଡୁଛି । ଏହା ସ୍ପଷ୍ଟ ଯେ ସ୍ଥାନୀୟ ଯାଞ୍ଚ ଏଜେନ୍ସୀ ଯେପରିକି ପୋଲିସ, ସିବିଆଇ, ଏନଆଇଏ ଆଦି ସାକ୍ଷୀ ପ୍ରମାଣଗୁଡିକୁ ଠିକଠାକ ଭାବରେ ପରିଚାଳନା କରି ପାରୁ ନାହାନ୍ତି ଯାହାକି ଯେ କୌଣସି ନ୍ୟାୟ ବ୍ୟବସ୍ଥାରେ ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ ଏକ ପ୍ରାଥମିକ ଆବଶ୍ୟକତା ଭାବରେ ଧରାଯାଇଥାଏ । ସାକ୍ଷୀମାନେ ନିଜର ପକ୍ଷ ବଦଳାଇବା, ମୋକଦ୍ଦମା ଚାଲିଥିବା ବେଳେ ଜଜ ମାନଙ୍କୁ ବଦଳି କରାଯିବା, ଅଭିଯୋଜନ ପକ୍ଷକୁ ବଦଳାଇ ଦିଆଯିବା ଦେଶର ଯାଞ୍ଚ ସଂସ୍ଥା ଓ ବିଚାର ବ୍ୟବସ୍ଥା ଉପରେ ସନ୍ଦେହର ଚିହ୍ନ ଲଗାଇ ଦେଉଛି ଓ ଏଥିପ୍ରତି ଜନସାଧାରଣଙ୍କର ବିଶ୍ୱାସ ତୁଟି ଯାଉଛି । ଯାହାର ସୁଦୂର ପ୍ରସାରୀ ପରିଣାମ ଆମ ଜନତନ୍ତ୍ର ଉପରେ ପଡିବାର ସନ୍ଦେହ ଅଧିକ ଘନିଭୂତ ହେଉଛି । ସୋହରାବୁଦ୍ଦିନ ମୋକଦ୍ଦମାର ଶୁଣାଣୀ କରୁଥିବା ବିଚାରପତି ଲୋୟାଙ୍କର ଯେପରି ଭାବରେ ମୃତ୍ୟୁ ଘଟିଲା ଓ ସୁପ୍ରିମକୋର୍ଟ ଯେତେବେଳେ ଏହି ସମସ୍ୟାକୁ ବିଚାରକୁ ନେଲା ନାହିଁ ତାହା ଉପରଲିଖିତ ସନ୍ଦେହକୁ ଆହୁରି ବଢେଇ ଦେଉଛି ।
ତୃତୀୟରେ ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠନମାନଙ୍କ ନାମ ଯେପରିକି ଅଭିନବ ଭାରତ, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଆରଏସଏସ ଏବଂ ଶାସନ କ୍ଷମତାରେ ଥିବା ବିଜେପି ଆଦି ମଧ୍ୟ ଏହି ମୋକଦ୍ଦମାରେ କାଠଗଡାକୁ ଟଣା ହୋଇଥିଲେ କାରଣ ଏହାର ସଦସ୍ୟମାନେ ଯେପରିକି ଅସୀମାନନ୍ଦ, ବାବୁ ବଜରଙ୍ଗୀ, କେଦନାନୀ ଏବଂ ସେତବେଳର ଗୁଜୁରାଟର ଗୃହମନ୍ତ୍ରୀ ଅମିତ ଶାହ ଏହି ମୋକଦ୍ଦମାରେ ସମ୍ପୃକ୍ତ ଥିବାର ଜଣା ପଡିଥିଲା ଏବଂ ଏ ସମସ୍ତେ କିଛି ନା କିଛି ସମୟ ଜେଲରେ କଟାଇ ସାରିଥିବାର ରେକର୍ଡ ଅଛି ।
ଏକଥା ମଧ୍ୟ ନିସନ୍ଦେହରେ ସତ୍ୟ ଯେ ଶାସକ ଦଳ ମୁସଲିମ ବିରୋଧୀ ରାଜନୀତିରେ ସମ୍ପୃକ୍ତ ରହୁଛି । ଭାରତୀୟ ରାଷ୍ଟ୍ର ବ୍ୟବସ୍ଥାରେ ଥିବା ବହୁଜନ ଓ ବହୁମତ କଥାଟି ଆମ ଗଣତାନ୍ତ୍ରୀକ ସାଧାରଣତନ୍ତ୍ରର ମୌଳିକ ଅନୁଷ୍ଠାନ ଗୁଡିକୁ ଧ୍ୱଂସ କରିବାରେ ଲାଗିଛି ଯେଉଁଠାରେ ନ୍ୟାୟିକ ବ୍ୟବସ୍ଥା ଶକ୍ତିଧରମାନଙ୍କ ହାତରେ ଏକ ଅସ୍ତ୍ର ହୋଇ ଯାଇଛି । ଏବେ ଆମ ଭଦ୍ର ସମାଜ, ରାଜନୈତିକ ଦଳ, ଗଣମାଧ୍ୟମ ଏବଂ ଅନ୍ୟ ଗଣତାନ୍ତ୍ରିକ ସଂଗଠନ ଗୁଡିକ ପାଖରେ କ’ଣ ସେହି ଶକ୍ତି ରହିଛି ଯେ ସେମାନେ ଏହି ଆହ୍ୱାନକୁ ଗ୍ରହଣ କରି ପାରିବେ ଓ ଏହି ସଧାରଣତନ୍ତ୍ରକୁ ରକ୍ଷା କରି ପାରିବେ?
ଆମ ସମୟରେ ଏହା ଏକ ଯକ୍ଷ ପ୍ରଶ୍ନ ହୋଇ ଛିଡା ହୋଇଛି ।