ISSN (Print) - 0012-9976 | ISSN (Online) - 2349-8846
Reader Mode

ଦକ୍ଷିଣକୁ ଯିବା

ଆନ୍ଧ୍ରପ୍ରଦେଶକୁ ଅବହେଳା ସେଠାରେ କ୍ଷମତା କନ୍ଦଳ ମୋଦୀଙ୍କ ପାଇଁ ବିପଦ ସୃଷ୍ଟି କରିଛି

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଆନ୍ଧ୍ରପ୍ରଦେଶରେ ରାଜନୈତିକ କ୍ଷମତା ପାଇଁ ହଟଚମଟ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସ୍ଥିତିକୁ ଆହୁରି ଖରାପ କରିଦେଇଛି ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କର କଳୁଷିତ ରାଜନୀତିକୁ ଲୋକଲୋଚନକୁ ଆଣିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର ସବୁଠାରୁ ପୁରୁଣା ଓ ବଡ଼ ସହଯୋଗୀ ଦଳ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ତେଲୁଗୁଦେଶମ୍ ପାର୍ଟି (ଟିଡିପି) ଯେତେବେଳେ କେନ୍ଦ୍ରରେ ତାହାର ସହଯୋଗୀଙ୍କ ଠାରୁ ବିଶେଷ ରାଜ୍ୟ ପାହ୍ୟା (ଏସ୍.ସି.ଏସ୍.) ହାସଲ କରିପାରିଲା ନାହିଁ, ସେ ବିଜେପି ଠାରୁ ଅଲଗା ହେବା ପାଇଁ ବାଧ୍ୟ ହେଲା । ରାଜ୍ୟ ପାଇଁ ବିଶେଷ ରାଜ୍ୟ ପାହ୍ୟା ପାଇବାରେ ବିଫଳ ହେବା ଯୋଗୁଁ ବର୍ତ୍ତମାନ ନାଇଡ଼ୁ ସରକାର ବିରୋଧୀ ନେତା ୱାଇ.ଏସ୍. ଜଗନ ମୋହନ ରେଡ୍ଡୀ ଓ ଚଳଚ୍ଚିତ୍ରରୁ ରାଜନୀତିକୁ ଆସିଥିବା ପୱାନ କଲ୍ୟାଣ, ଯିଏକି ୨୦୧୪ରେ ବିଜେପି ଓ ନାଇଡ଼ୁଙ୍କୁ ସମର୍ଥନ କରିଥିଲେ, ଙ୍କ ଠାରୁ ଗୁରୁତର ରାଜନୈତିକ ଆହ୍ୱାନ ପାଉଛନ୍ତି ।

ନାଇଡ଼ୁଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଜଗନ ରେଡ୍ଡୀ ନଭେମ୍ବର ୨୦୧୭ର ଆରମ୍ଭରେ ପଦଯାତ୍ରା ଆରମ୍ଭ କରିଥିଲେ, ଯେପରି ତାଙ୍କ ବାପା ୱାଇ.ଏସ୍. ରାଜଶେଖର ରେଡ୍ଡୀ (ୱାଇ.ଏସ୍.ଆର୍) ସାଧାରଣର ସମାବେଶ କରିଥିଲେ । ଯାହାଫଳରେ ନାଇଡ଼ୁ ୨୦୧୪ରେ ନିର୍ବାଚନରେ ହାରିଥିଲେ, ଯେଉଁ କ୍ଷତିକୁ ଏକଦଶକ ଧରି ସେ ଭରଣା କରିପାରି ନଥିଲେ । ଆନ୍ଧପ୍ରଦେଶର ଏହି ରାଜନୈତିକ ନାଟକ, ନିକଟରେ ସରିଥିବା ସଂସଦର ଅଧିବେଶନରେ ମୋଦୀ ସରକାରଙ୍କ ବିରୁଦ୍ଧରେ ଜଗନ ରେଡ୍ଡୀଙ୍କ ୱାଇ.ଏସ୍.ଆର୍. କଂଗ୍ରେସ ପାର୍ଟି (ୱାଇ.ଏସ୍.ଆର୍.ସି.ପି.) ଦ୍ୱାରା ଆଗତ ପ୍ରଥମ  ଅନାସ୍ଥା ପ୍ରସ୍ତାବକୁ ପ୍ରତିଫଳିତ କରୁଛି । ସରକାରଙ୍କ ବିରୁଦ୍ଧରେ ସମାନ ଧରଣର ପ୍ରସ୍ତାବ ଆଗତ କରିବାକୁ ଏହା ନାଇଡ଼ୁଙ୍କୁ ବାଧ୍ୟ କରିଥିଲା, କିନ୍ତୁ କୌଣସି ପକ୍ଷ ଆଲୋଚନାକୁ ଆସି ନଥିଲେ ।

ନାଇଡ଼ୁ ୧୦ବର୍ଷ ବିରୋଧରେ ରହିବା ପରେ ୨୦୧୪ରେ ବିଭାଜିତ ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଥିଲେ । ସେ ଦୃଢ଼ତାର ସହ ବିଶେଷ ରାଜ୍ୟ ପାହ୍ୟା ବିଷୟକୁ ଉଠାଇ ନଥିବା ସହ ଅମରାବତୀ ଠାରେ ରାଜଧାନୀ ପାଇଁ ଭୂମି ଅଧିଗ୍ରହଣ ଏବଂ ପୋଲାଭରମ୍ ଯୋଜନା ପାଇଁ ପ୍ରବଳ ସମାଲୋଚନାର ଶିକାର ହୋଇଥିଲେ । ଉଭୟ ଯୋଜନା ଜମି ଓ ଜୀବିକା ହରାଉଥିବା ଲୋକଙ୍କ ସହ ନାଗରିକ ସମାଜ ଠାରୁ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଛି । ରାଜ୍ୟ ପୁନଃଗଠନ ଆଇନ, ୨୦୧୪ର କାର୍ଯ୍ୟକାରିତା କିମ୍ବା ନୂଆ ରାଜ୍ୟ ଗଠନ ପାଇଁ ଆବଶ୍ୟକୀୟ ଆର୍ଥିକ ସହାୟତା ବା ଯୋଜନା ପାଇବା ପାଇଁ ନାଇଡ଼ୁ କେନ୍ଦ୍ର ସରକାର ସହ ତାଙ୍କର ସମ୍ପର୍କକୁ ବ୍ୟବହାର କରିପାରି ନାହାନ୍ତି । ଏହି ବିଫଳତା ନାଇଡ଼ୁଙ୍କ ବିରୁଦ୍ଧରେ ସରକାରୀ ବିରୋଧୀ ମନୋଭାବକୁ ତୀବ୍ରତର କରିଛି । ଫଳରେ ୨୦୦୦ର ପ୍ରଥମ ଭାଗରେ ତାଙ୍କ ସମୟରେ ହାଇଦ୍ରାବାଦ ଆଡ଼କୁ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ଆକୃଷ୍ଟ କରିବାରେ ନାଇଡ଼ୁ ନିଜ ସମ୍ପର୍କରେ ଯେଉଁ ଦୃଷ୍ଟାନ୍ତମୂଳକ ଧାରଣା ଲୋକଙ୍କ ମଧ୍ୟରେ ସୃଷ୍ଟି କରିପାରିଥିଲେ, ଏହା ଗୁରୁତର ଭାବେ କ୍ଷୁର୍ଣ୍ଣ ହୋଇଛି ଏବଂ ଏହାକୁ ନେଇ ଟିଡିପି ୨୦୧୬ମେ ରେ ନିର୍ବାଚନକୁ ସମ୍ମୁଖୀନ ହେବାକୁ ଯାଉଛି ।

ଏନ୍.ଡି.ଏ.ରୁ ନାଇଡ଼ୁ ବାହାରିଯିବା ପରେ, ବର୍ତ୍ତମାନ ବିଜେପି ଆନ୍ଧ୍ରପ୍ରଦେଶରେ ନିଜର ଭିତ୍ତି ତିଆରି କରିବା ପାଇଁ ଚାହୁଁଛି । କିନ୍ତୁ ରାଜ୍ୟରେ ଏହାର ଅତୀତର ନିର୍ବାଚନ ଫଳାଫଳକୁ ବିଚାରକ ଲେ, ଏଭଳି ସମ୍ଭାବନା ଦେଖାଯାଉ ନାହିଁ । ୨୦୧୪ ନିର୍ବାଚନରେ ରାଜ୍ୟର ୨୫ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ବିଜେପି ୨ଟି ଆସନ ହାସଲ କରିଥିବା ବେଳେ ଟିଡିପି ୧୫ ଓ ୱାଇ.ଏସ୍.ଆର୍.ସି.ପି. ୮ଟି ଆସନରେ ଜିତିପାରିଥିଲା । ବିଜେପିର ସବୁଠାରୁ ଭଲ ପ୍ରଦର୍ଶନ ୧୯୯୯ ମସିହାରେ ମିଳିତ ଆନ୍ଧ୍ରପ୍ରଦେଶରେ ହୋଇଥିଲା । ସେ ଟିଡିପି ସହ ନିର୍ବାଚନ ମେଣ୍ଟ କରି ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିଥିଲା ଏବଂ ୭ଟି ଲୋକସଭା ଆସନରେ ଜିତିଥିଲା । ଆନ୍ଧ୍ରରେ କେବେ ଏକ ରାଜନୈତିକ ଶକ୍ତି ନଥିବା ବିଜେପି ରାଜ୍ୟରେ ତା’ର ସହଯୋଗୀ ଓ ଜନସାଧାରଣଙ୍କ ଆଶାକୁ ଅଣଦେଖା କରିଥିବାରୁ ବର୍ତ୍ତମାନ ଏକାକୀ ହୋଇପଡ଼ିଛି । ଯେପରି ଟିଡିପିର ଏକ ଦୀର୍ଘକାଳୀନ ସମର୍ଥନ ଭିତ୍ତି ବିଶେଷ ଭାବେ ନିମ୍ନମାନଙ୍କ ମଧ୍ୟରେ କିମ୍ବା ୱାଇ.ଏସ୍.ଆର୍.ସି.ପି.ର ରେଡ୍ଡୀ, ଦଳିତ ଓ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ କିମ୍ବା କଲ୍ୟାଣଙ୍କର ଚଳଚ୍ଚିତ୍ର ପ୍ରଶାସକମାନଙ୍କ ଓ କାପୁ ସମ୍ପ୍ରଦାୟ ମଧ୍ୟରେ ରହିଛି, ବିଜେପିର କିନ୍ତୁ ସେପରି କୌଣସି ଅନୁଗତ ଭୋଟ ଭିତ୍ତି ନାହିଁ ।

ବିଜେପି ନିଜ ପାଇଁ ଏକ ସାମାଜିକ ଭିତ୍ତି ତିଆରି କରିବାର ଆଶାରେ କାପୁ ସମ୍ପ୍ରଦାୟ ପାଇଁ ଅନ୍ୟାନ୍ୟ ପଛୁଆ ଶ୍ରେଣୀ (ଓବିସି) ମାନ୍ୟତା ଦାବୀ କରି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି । ଏହାକୁ ଆଖିରେ ରଖି, ପାର୍ଟି ଜଣେ ନୂଆ ରାଜ୍ୟ ସଭାପତିଙ୍କୁ ନିଯୁକ୍ତ କରିବାକୁ ଚାହୁଁଛି । ମୁଖ୍ୟ ଆଞ୍ଚଳିକ ନେତାମାନେ ଏହା ସହ ଯୋଗ ଦେବେ ବୋଲି ଆଶା ରଖିଛି । ଯେଉଁ କୌଶଳ ପୂର୍ବରୁ ଭଲ ଫଳ ଦେଇଛି । କାପୁ ସମ୍ପ୍ରଦାୟକୁ ଏକାଠି କରିବା ପାଇଁ ପୱାନ କଲ୍ୟାଣଙ୍କ ବଡ଼ ଭାଇ ଅଭିନେତା ଚିରଞ୍ଜିବୀ ଚେଷ୍ଟା କରିଥିଲେ, ଯିଏକି ୨୦୦୬ ନିର୍ବାଚନ ପୂର୍ବରୁ ପ୍ରଜା ରାଜ୍ୟମ୍ ପାର୍ଟି ଗଠନ କରିଥିଲେ । କିନ୍ତୁ ନିର୍ବାଚନରେ ଅତି ଖରାପ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ୨୦୧୧ରେ କଂଗ୍ରେସ ସହ ମିଶିଯାଇଥିଲେ । ମୋଦୀଙ୍କର ରାଜ୍ୟ ପ୍ରତି ପ୍ରତାରଣାର ଦୃଢ଼ ପ୍ରଭାବକୁ ଏକ ଶକ୍ତ ରାଜନୈତିକ ସ୍ୱର ଥିବା ଏକ ବଡ଼ ଓ ପ୍ରଭାବଶାଳୀ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବୀ ଆଡ଼କୁ ନେଇଯାଇ ବିଜେପି ରାଜ୍ୟର ରାଜନୀତିକୁ ଏକ ନୂତନ ଦିଗରେ ନେଇଯିବା ପାଇଁ ଆଶା ରଖିଛି ।

ଯେତେବେଳେ ବିଜେପି ଆନ୍ଧ୍ରପ୍ରଦେଶରେ ପାଦ ରଖିବା ପାଇଁ ସଂଘର୍ଷ କରୁଛି, ଏହାର କିନ୍ତୁ ବୃହତ୍ତର ଲକ୍ଷ୍ୟ ହେଉଛି ନିଜର ସ୍ଥିତି ନଥିବା ଦକ୍ଷିଣ ରାଜ୍ୟଗୁଡ଼ିକରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବା । ଉଦାହରଣ ସ୍ୱରୂପ, ତାମିଲନାଡ଼ୁ ଭାବୁଛି ଆଗାମୀ କର୍ଣ୍ଣାଟକ ନିର୍ବାଚନକୁ ଆଖିରେ ରଖି କାବେରୀ ଜଳ ବିବାଦରେ ବିଜେପି କର୍ଣ୍ଣାଟକକୁ ସମର୍ଥନ କରି ତାମିଲନାଡ଼ୁକୁ ପ୍ରତାରଣା କରିଛି ।  ଅଧିକାଂଶ ଦକ୍ଷିଣ ରାଜ୍ୟମାନେ ଆଶଙ୍କା କରୁଛନ୍ତି ଯେ ପଞ୍ଚଦଶ ଆର୍ଥିକ କମିଶନର ବିଷୟବସ୍ତୁ (ଟି.ଓ.ଆର୍.)ର କେନ୍ଦ୍ରିଭୂତ ଚରିତ୍ର ଯୋଗୁଁ ସେମାନେ ଆର୍ଥିକ କ୍ଷତି ସହିବେ ।

ଆଗାମୀ ୨୦୧୯ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ଆଞ୍ଚଳିକ ନେତାମାନଙ୍କୁ ନିଜ ଦଳ ଆଡ଼କୁ ଆକର୍ଷିତ କରିବା କଷ୍ଟକର ହେବ, ଯେପରି ସେ ଆନ୍ଧ୍ରପ୍ରଦେଶର ବିଭାଜନ ପରେ କରିପାରିଥିଲା । କାରଣ ସେତେବେଳେ ମୋଦୀଙ୍କର ଛବି ବହୁତ ବଡ଼ ଥିଲା ଓ ବିଜେପିର ଅଗ୍ରଗତି ହେଉଥିଲା । ସହଯୋଗୀମାନଙ୍କ ଆବଶ୍ୟକତା କିମ୍ବା ରାଜ୍ୟ ସରକାରଙ୍କର ଦାବୀ ପୂରଣ ନ ହେବାରୁ ବିଜେପି ତା’ର ରାଜନୈତିକ ସ୍ଥାନ ହରାଉଛି । ଦୃଢ଼ ଆଞ୍ଚଳିକ ଦଳମାନଙ୍କର ଉପସ୍ଥିତି ଥିବାବେଳେ, ଏହାର ଆନ୍ଧ୍ରପ୍ରଦେଶ ଓ ଅନ୍ୟାନ୍ୟ ଦକ୍ଷିଣ ରାଜ୍ୟଗୁଡ଼ିକରେ ରାଜନୈତିକ କାର୍ଯ୍ୟକ୍ରମ କ୍ରମାଗତ ଭାବେ କ୍ଷୀଣ ହେବାପରି ଜଣାଯାଉଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top