ISSN (Print) - 0012-9976 | ISSN (Online) - 2349-8846

ସିରିଆ ପାଇଁ ନ୍ୟାୟ

ଯୁଦ୍ଧ ବିଧୋସ୍ତ ସିରିଆରେ ଶାନ୍ତି ଫେରାଇ ଆଣିବା ପାଇଁ ବହୁ ଦିଗରୁ କାମ କରିବା ପାଇଁ ପଡ଼ିବ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଶ୍ରୀନିବାସ ବୁରା ଲେଖନ୍ତି : ସିରିଆ ସରକାରଙ୍କ ଦ୍ୱାରା ରାସାୟନିକ ଅସ୍ତ୍ର ପ୍ରୟୋଗ କରାଯାଇଛି ବୋଲି ଅଭିଯୋଗ କରାଯାଇଥିବା ଘଟଣାରେ ଗତ ଏପ୍ରିଲ ୭ତାରିଖ ଦିନ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିବା ପରେ, ଆମେରିକା ଏବଂ ଏହାର ମିତ୍ର ଶକ୍ତିମାନଙ୍କ ଦ୍ୱାରା ବାସର୍ ଅଲ୍ ଆସାଦଙ୍କ ନେତୃତ୍ୱରେ ଚାଲିଥିବା ସିରିଆ ସରକାରଙ୍କ ବିରୁଦ୍ଧରେ ପୁଣି ଏକ ପର୍ଯ୍ୟାୟର ସାମରିକ ଆକ୍ରମଣ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନେକ ଘଟଣା ଭିତରେ ଇଏ ହେଉଛି ଗୋଟିଏ ଘଟଣା ଯେଉଁଥିରେ ଶହ ଶହ ତଥା ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି ବା କ୍ଷତବିକ୍ଷତ ହୋଇଛନ୍ତି । ଏହି ସଂଘର୍ଷଟି ଏବେ ୮ମ ବର୍ଷରେ ପଦାର୍ପଣ କରିଛି । ଏହି ସଂଘର୍ଷର ମାନବିକ ପରିଣତିଗୁଡ଼ିକ ଅତ୍ୟନ୍ତ ବ୍ୟାପକ । ସଂଯୁକ୍ତ ରାଷ୍ଟ୍ରର ସରଣାର୍ଥୀଙ୍କ ପାଇଁ କାମ କରୁଥିବା ଉଚ୍ଚ ଆୟୁକ୍ତଙ୍କ ମତରେ ୨୦୧୧ରେ ସଂଘର୍ଷ ଆରମ୍ଭ ହେବା ଦିନଠାରୁ ସିରିଆରୁ ୫୪ଲକ୍ଷ ଲୋକ ଦେଶଛାଡ଼ି ଚାଲିଯାଇ ବିଭିନ୍ନ ଦେଶରେ ସରଣାର୍ଥୀ ଭାବରେ ଆଶ୍ରୟ ନେଇଛନ୍ତି । ଏଥିସହିତ ୬୧ ଲକ୍ଷ ଲୋକ ଦେଶଭିତରେ ବାସ୍ତୁହରା ହୋଇଛନ୍ତି ଏବଂ ଅନେକ ସଂଖ୍ୟାରେ ଲୋକେ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ସଂଘର୍ଷ କ୍ଷେତ୍ରଗୁଡ଼ିକରେ ଆବଦ୍ଧ ହୋଇ ରହିଛନ୍ତି ।

ପ୍ରଥମେ ପ୍ରଥମେ ଯେତେବେଳେ ଆସାଦ ସରକାରଙ୍କ ବିରୁଦ୍ଧରେ ଆଭ୍ୟନ୍ତରୀଣ  ପ୍ରତିବାଦ ହେଉଥିଲା ସେତେବେଳେ ଅନେକ ଅଣରାଷ୍ଟ୍ର ସାମରିକ ଗୋଷ୍ଠୀ ଆତ୍ମପ୍ରକାଶ କରିଥିଲେ ଯାହାକି ଏକ ଆଭ୍ୟନ୍ତରୀଣ ସାମରିକ ସଂଘର୍ଷ ଆଡ଼କୁ ନେଇଯାଇଥିଲା । ପରିସ୍ଥିତିଟି ଜଟିଳ ହେଲା ଯେତେବେଳେ ସିରିଆର ସରକାରଙ୍କ ସମ୍ପର୍କରେ ଋଷିଆ ଆଗକୁ ଆସିଲା ଏବଂ ଆମେରିକା ତା’ର ମିତ୍ରଶକ୍ତିମାନଙ୍କ ସହିତ ଇସଲାମିକ୍ ଷ୍ଟେଟ୍ ବା ଆଇ.ଏସ୍. ବିରୁଦ୍ଧରେ ସଂଗ୍ରାମ ପାଇଁ ଏହି ସଂଘର୍ଷରେ ପ୍ରବେଶ କଲା । ଆମେରିକା ଏବଂ ଏହାର ମିତ୍ର ଶକ୍ତିମାନଙ୍କର ଯୁକ୍ତି ଥିଲା ଯେ ସେମାନେ ଆତ୍ମରକ୍ଷା, ସାମୂହିକ ଆତ୍ମରକ୍ଷା ଏବଂ ମାନବିକତା ଦୃଷ୍ଟିରୁ ହସ୍ତକ୍ଷେପ କରୁଛନ୍ତି । ଯେତେବେଳେ କି ଅନ୍ତରାଷ୍ଟ୍ରୀୟ ନୀୟମ ଅନୁସାରେ ମାନବିକତା ଦୃଷ୍ଟିରୁ ସାମରିକ ହସ୍ତକ୍ଷେପର କୌଣସି ଯୁକ୍ତିଯୁକ୍ତତା ନାହିଁ । ଆତ୍ମସୁରକ୍ଷା ବା ସାମୂହିକ ଆତ୍ମ ସୁରକ୍ଷାର ବିଚାରଟିର ଆଇନଗତ ବୈଦ୍ଧତା ସନ୍ଦେହ ଜନକ । ଋଷିଆର ଯୁକ୍ତି ଥିଲା ଯେ ସେମାେନେ ଆମନ୍ତ୍ରଣ ପାଇ ହସ୍ତକ୍ଷେପ କରିଛନ୍ତି । ଯେଉଁଠି ସିରିଆର ସରକାରଙ୍କ ବିରୁଦ୍ଧରେ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ସଂଗ୍ରାମ ଚଳାଇଛନ୍ତି । ସୁତରାଂ ଅନେକଗୁଡ଼ିଏ ରାଷ୍ଟ୍ର ଏବଂ ଅଣରାଷ୍ଟ୍ର ଶକ୍ତିଗୁଡ଼ିକର ଉପସ୍ଥିତି ଏହି ସଂଘର୍ଷକୁ ଜଟିଳ କରିଦେଇଛି । ଯାହା ଦେଖାଯାଉଛି ଏହି ସଂଘର୍ଷରେ ଜଡ଼ିତ ସବୁ ଶକ୍ତିଗୁଡ଼ିକ ଯୁଦ୍ଧରେ ମାତିଛନ୍ତି ଏବଂ ସେମାନଙ୍କର ସଶସ୍ତ୍ର ସଂଘର୍ଷର ଥିବା ନୀୟମଗୁଡ଼ିକ ପ୍ରତି କୌଣସି ସମ୍ମାନ ନାହିଁ ଯାହା ଫଳରେ ଏକ ବଡ଼ ଧରଣର ମାନବିକ ଦୁର୍ବିପାକ ଘଟିଛି । ଏଭଳି ଏକ ସଂଘର୍ଷ ଯେମିତି ଅଧିକ ଜଟିଳ ନହୁଏ ତାକୁ ରୋକିବାକୁ ହେଲେ କେତୋଟି ନିର୍ଦ୍ଦିଷ୍ଟ ନୀତି ଉପରେ ଆଧାରିତ ଉଦ୍ୟମ ଆରମ୍ଭ ହେବା ଉଚିତ ।

ପ୍ରଥମେ ଏକ ରଚନାତ୍ମକ କୁଟନୈତିକ ଉଦ୍ୟମ ସଂଯୁକ୍ତରାଷ୍ଟ୍ର ତରଫରୁ ଆରମ୍ଭ ହେବା ଉଚିତ ଯାହାର ପ୍ରାରମ୍ଭ ଯେତେସବୁ ବିଦେଶୀ ଶକ୍ତିମାନେ ସାମରିକ ହସ୍ତକ୍ଷେପରେ ସମ୍ପୃକ୍ତ ଅଛନ୍ତି ବା ତାକୁ ସହଯୋଗ କରୁଛନ୍ତି ସେମାନଙ୍କୁ ସେଥିରୁ ନିବୃତ୍ତ କରାଇବ । ଅଧିକାଂଶ ସମୟରେ ଏଭଳି ଦାବୀ ହୋଇପାରେ ଯେ ଶାସକଙ୍କୁ ପରିବର୍ତ୍ତନ କରାଯାଉ ।  ଆସାଦ ସରକାରଙ୍କ ସହ ଏକ କୁଟନୈତିକ ଯୋଗସୂତ୍ର ସମ୍ଭବ ହୋଇପାରିବ ଯଦି ସଂଘର୍ଷରେ ସମ୍ପୃକ୍ତ ସବୁପକ୍ଷଙ୍କ ଭିତରେ ଯଦି ପାରସ୍ପରିକ ବିଶ୍ୱାସ ଏବଂ ଆସ୍ଥା ରହିବ । ଏଭଳି ଏକ ପଦକ୍ଷେପକୁ ସିରିଆ ସରକାରଙ୍କୁ କିଛି ରିହାତି ଦିଆଯାଉଛି ଏଭଳି ଦେଖାଯିବା ଉଚିତ ହେବନାହିଁ ବରଂ ସିରିଆ ଏବଂ ତାହାର ଲୋକମାନଙ୍କର ସାର୍ବଭୌମତ୍ୱ ତଥା ଭୂଖଣ୍ଡର ସଂଘତିକୁ ସମ୍ମାନ ଦିଆଯାଉଛି ବୋଲି ଧରିବାକୁ ହେବ । ଏଭଳି କୌଣସି କୁଟନୈତିକ ପ୍ରୟାସ ପାଇଁ ସଂଯୁକ୍ତ ରାଷ୍ଟ୍ର ହିଁ ପ୍ରାଥମିକ ବହୁରାଷ୍ଟ୍ରୀୟ ମଞ୍ଚ ହିସାବରେ କାମ କରିବ । ଯଦିଓ ଯେଉଁ ରାଷ୍ଟ୍ରମାନଙ୍କର ‘ଭିଟୋ’ କ୍ଷମତା ଅଛି ସେମାନେ ତାକୁ ଉପଯୋଗ କରି ସଂଯୁକ୍ତ ରାଷ୍ଟ୍ର ନିରାପତ୍ତା ପରିଷଦର ନିଷ୍ପତ୍ତିଗୁଡ଼ିକ ଉପରେ ପ୍ରତିବନ୍ଧକ ଆଣୁଛନ୍ତି । କିନ୍ତୁ ଏହି ପ୍ରସଙ୍ଗରେ କୌଣସି ତକ୍ରାଳିକ ସମ୍ପୃକ୍ତି ପାଇଁ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ପରିଷଦକୁ ସୃଜନଶୀଳ ଭାବେ ଏକ ମଞ୍ଚ ହିସାବରେ ବ୍ୟବହାର କରାଯାଇପାରିବ ।

ଦ୍ୱିତୀୟ ପ୍ରମୁଖ କାମଟି ହେଲା ମାନବିକ ସଙ୍କଟର ଉପସମ । ପ୍ରାୟ ୧କୋଟି ୧୦ଲକ୍ଷରୁ ଅଧିକ ସିରିଆବାସୀଙ୍କର ଏବେ ସାହାଯ୍ୟର ଆବଶ୍ୟକତା ଅଛି । ସେମାନଙ୍କ ଭିତରେ ଅଛନ୍ତି ଦେଶାନ୍ତର ଯାଇଥିବା ଶରଣାର୍ଥୀମାନେ ଅବା ଦେଶ ଭିତରେ ଉଦ୍ବାସ୍ତୁ ହୋଇଥିବା ଲୋକେ ଏବଂ ସଂଘର୍ଷ କ୍ଷେତ୍ରଗୁଡ଼ିକରେ ଫସିଯାଇ ରହିଥିବା ସାଧାରଣ ଲୋକେ । ଯଦିଓ ପଶ୍ଚିମ ଦେଶଗୁଡ଼ିକ ଶରଣାର୍ଥୀ ଅନୁପ୍ରବେଶକୁ ନେଇ ହୋହଲ୍ଲା କରୁଛନ୍ତି ବାସ୍ତବରେ ପଡ଼ୋଶୀ ରାଷ୍ଟ୍ରମାନେ ହିଁ ଯଥା ତୁର୍କୀ, ଲେବାନନ୍ ଏବଂ ଯୋଡ଼ାନ୍ ଅଧିକାଂଶ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛନ୍ତି । ଏହି ଲୋକମାନେ କେମିତି ନିଜ ଦେଶକୁ ବା ନିଜ ଘରକୁ ଫେରିବେ ତାକୁ ତ୍ୱରାନ୍ୱିତ କରିବାର ଜରୁରୀ ଆବଶ୍ୟକତା ରହିଛି । ଏଥିରେ କେବଳ ବଡ଼ ଧରଣର ମାନବିକ ପଦକ୍ଷେପର କଥା ରହିବ ନାହିଁ ବରଂ ଶରଣାର୍ଥୀମାନେ ନିଜ ସ୍ଥାନକୁ ଫେରିବେ ସୁରକ୍ଷିତ କେମିତି ରହିବେ ସେଭଳି ପ୍ରତିଶ୍ରୁତିର ଆବଶ୍ୟକତା ବେଶୀ ଅଛି । ଏଥିସହିତ ସଂଘର୍ଷ ପରବର୍ତ୍ତୀ ପରିସ୍ଥିତିରେ ନିଜ ଜୀବନକୁ ପୁଣିଥରେ ଗଢ଼ି ତୋଳିବା ପାଇଁ ଯଥେଷ୍ଟ ଅର୍ଥନୈତିକ ଏବଂ ସାମାଜିକ ପଦକ୍ଷେପର ଆବଶ୍ୟକତା ମଧ୍ୟ ରହିଛି । ଏଭଳି କାମ ପାଇଁ ରାଷ୍ଟ୍ରଗୁଡ଼ିକ ଏବଂ ମାନବିକ ସଙ୍ଗଠନମାନେ ସମନ୍ୱୟ ରକ୍ଷା କରି କାମ କରିବାକୁ ପଡ଼ିବ ।

ସଂଘର୍ଷ ସମୟରେ ଯେଉଁଭଳି ବ୍ୟାପକ ଉଲ୍ଲଂଘନ ସବୁ କରାଯାଇଛି ସେସବୁର ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ ।  ରେଡ଼କ୍ରସର ଅନ୍ତଃରାଷ୍ଟ୍ରୀୟ କମିଟିଙ୍କର ରିପୋର୍ଟ ମୁତାବକ ସିରିଆର ସଂଘର୍ଷରେ ସମ୍ପୃକ୍ତ ପକ୍ଷମାନଙ୍କ ଦ୍ୱାରା ଅନ୍ତଃରାଷ୍ଟ୍ରୀୟ ମାନବିକ ଆଇନ ଗୁଡ଼ିକରେ ନୀୟମିତ ଉଲ୍ଲଂଘନ କରାଯାଇ ଆସିଛି । ସେ ଭିତରେ ଅଛି କେତେକ ଅଞ୍ଚଳକୁ ଜବତ କରି ରଖିବା, ସହରାଞ୍ଚଳ ଗୁଡ଼ିକରେ ମାତ୍ରାଧିକ ସାମରିକ ଆକ୍ରମଣ କରିବା ଏବଂ ସାଧାରଣ ନାଗରିକଙ୍କୁ ଆମ୍ବୁଲାନ୍ସ, ଜଳଯୋଗାଣ ଏବଂ ବଜାର ଭଳି ସେବା ଯୋଗାଉଥିବା କ୍ଷେତ୍ରଗୁଡ଼ିକ ଉପରେ ଲକ୍ଷ୍ୟ କରି ଆକ୍ରମଣ କରିବା । ସଂଯୁକ୍ତ ରାଷ୍ଟ୍ରର ସିରିଆନ୍ ଆରବିକ ରିପବ୍ଲିକ୍ ଉପରେ ଗଠିତ ଅନ୍ତଃରାଷ୍ଟ୍ରୀୟ ଆୟୋଗର ସଦ୍ୟତମ ରିପୋର୍ଟ ମୁତାବକ ଯୌନ ଏବଂ ଲିଙ୍ଗଭିତ୍ତିକ ହିଂସା କଥାଟି ଉପରେ ଗୁରୁତ୍ୱ ଦିଆଯାଇଛି ।

୨୦୧୬ରେ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭା ସିରିଆରେ ଚାଲିଥିବା ଅନ୍ତଃରାଷ୍ଟ୍ରୀୟ ଅପରାଧର ଅନୁସନ୍ଧାନ ପାଇଁ ଏକ ଅନ୍ତଃରାଷ୍ଟ୍ରୀୟ ନୀରପେକ୍ଷ ଏବଂ ସ୍ୱାଧୀନ ଢାଞ୍ଚା ପ୍ରସ୍ତୁତ କରିଥିଲେ ଯାହାର କାମ ଥିଲା ଗଣନିର୍ଯାତନା ଏବଂ ମାନବିକ ଅଧିକାର ଉଲ୍ଲଂଘନର ତଥ୍ୟ ସଂଗ୍ରହ କରିବା ଏବଂ ତାକୁ ବିଶ୍ଳେଷଣ କରିବା । ଏହି ଉଦ୍ଦେଶ୍ୟରେ ଅନ୍ତଃରାଷ୍ଟ୍ରୀୟ ଅପରାଧିକ ମାମଲାଗୁଡ଼ିକର ପରିଚାଳନା ଠିିକ୍ ଭାବରେ କରାଯାଇପାରିବ । ଅତୀତରେ ଅନ୍ତଃରାଷ୍ଟ୍ରୀୟ ଅପରାଧିକ ଅଦାଲତକୁ ଏହି ମାମଲାଟି ନେବାପାଇଁ ହୋଇଥିବା ଉଦ୍ୟମଗୁଡ଼ିକ ବିଫଳ ହୋଇଛି । ଅତୀତର ଅନୁଭୂତି କହୁଛି ଯେ ସଂଘର୍ଷକୁ ନେଇ ଅନ୍ତଃରାଷ୍ଟ୍ରୀୟ ଅପରାଧିକ ବିଚାର ପ୍ରକ୍ରିୟାଗୁଡ଼ିକ ବାଛି ବାଛି ହାତକୁ ନିଆଯାଉଛି ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଥିବା କ୍ଷମତାଶାଳୀ ଶକ୍ତିମାନଙ୍କ ଦ୍ୱାରା ସେସବୁ ପ୍ରଭାବିତ ହେବାର ଅଭିଯୋଗ ମଧ୍ୟ ରହିଆସିଛି । ଏଭଳି ଏକ ସୀମିତତା ସତ୍ତେ୍ୱ ଅପରାଧର ଶିକାର ହେଉଥିବା ଲୋକେ ଅପରାଧିକ ମାମଲାର ବିଚାରକୁ ଗଣନିର୍ଯାତନା କ୍ଷେତ୍ରରେ ନ୍ୟାୟ ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ଧରିନେଇଛନ୍ତି । ଏଣୁକରି ଅନ୍ତଃରାଷ୍ଟ୍ରୀୟ ନୀୟମ ଅନୁସାରେ ଯେଉଁମାନେ ଅପରାଧ କରିଛନ୍ତି ବୋଲି ଅଭିଯୁକ୍ତ ସେମାନଙ୍କର ବିରୁଦ୍ଧରେ ଅପରାଧିକ ମାମଲା ପାଇଁ ପଦକ୍ଷେପ ନିଆଯିବା ଜରୁରୀ । ତା ହୋଇପାରିବ ଯଦି ଗୋଟିଏ ଅପରାଧବକ ଟ୍ରିବ୍ୟୁନାଲ ଗଠନ କରାଯିବ ଏବଂ ସମ୍ପୂର୍ଣ୍ଣର ପ୍ରକ୍ରିୟାଟିକୁ ନୀରପେକ୍ଷ ଓ ସ୍ୱାଧୀନ ରଖିବା ପାଇଁ ସ୍ଥାନୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରର ଲୋକଙ୍କର ଯୋଗଦାନ ରହିବ ।

ଶାନ୍ତି ଫେରାଇଆଣିବା ପାଇଁ ଯେକୌଣସି ଉଦ୍ୟମରେ କ୍ଷତିଗ୍ରସ୍ତ ଲୋକମାନଙ୍କର ଅଂଶଗ୍ରହଣ ଅପରିହାର୍ଯ୍ୟ । ଯଦି ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ପରିବର୍ତ୍ତନର ଆବଶ୍ୟକତା ରହିଛି ତେବେ ସେଭଳି ଏକ ନିଷ୍ପତ୍ତି ସିରିଆର ଲୋକମାନଙ୍କ ଉପରେ ଛାଡ଼ିଦିଆଯାଉ । ଅନ୍ୟ ସବୁ ପଦକ୍ଷେପଗୁଡ଼ିକ ନେବାପାଇଁ ସରକାର ପରିବର୍ତ୍ତନ ଏକ ପୂର୍ବ ସର୍ତ୍ତ ରଖାଯାଇପାରିବ ନାହିଁ ।

(ଶ୍ରୀନିବାସ ବୁରା ନୂଆଦିଲ୍ଲୀ ସ୍ଥିତ ଦକ୍ଷିଣ ଏସିଆ ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ)

Back to Top