ISSN (Print) - 0012-9976 | ISSN (Online) - 2349-8846

ସରକାରୀ ବିଶ୍ୱବିଦ୍ୟାଳୟର ଜୀବନ ଓ ମୃତ୍ୟୁ

ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକୁ ଆକ୍ରମଣ କରି ସରକାର ଏହାର ସାମ୍ବିଧାନିକ ଉତ୍ତରଦାୟିତ୍ୱ କୁ ପରିହାର କରୁଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ମଧ୍ୟଯୁଗୀୟ ଐତିହାସିକ ମିନହାଜ ସିରାଜ ଲେଖିଛନ୍ତି ଯେ ବକ୍ତିଆର ଖିଲିଜ ଯିଏ କି ଦ୍ୱାଦଶ ଶତାବ୍ଦୀର ଶେଷଭାଗରେ ପୂର୍ବ ଭାରତର ବହୁ ଅଂଶକୁ ଜିଣି ସାରିଥିଲେ ଶେଷରେ ବିହାରର ଗୋଟିଏ ଦୁର୍ଗକୁ ଆକ୍ରମଣ କରିଥିଲେ । କିନ୍ତୁ ଏହା ପଛରେ ଥିବା କାହାଣୀଟି ହେଉଛି ଏଇଆ ଯେ ଖିଲିଜ ସେ ଦୁର୍ଗକୁ ଆକ୍ରମଣ କରି ଦେଖିଥିଲେ ଯେ ସେଥିରେ କେବଳ ବ୍ରାହ୍ମଣ ଲୋକମାନେ ରହିଛନ୍ତି ଓ ଅନେକ ପୁସ୍ତକ ଭରି ରହିଛି । ସେତେବେଳେ ଖିଲିଜ ଜାଣି ପାରିଥିଲେ ଯେ ସେ ଯାହାକୁ ଜୟ କରିଛନ୍ତି ତାହା ଏକ ସାଧାରଣ ଦୁର୍ଗ ନୁହେଁ , ଏକ ବିଶ୍ୱବିଦ୍ୟାଳୟ ଥିଲା ।

ଦକ୍ଷିଣପନ୍ଥୀ ତତ୍ତ୍ୱର ସମର୍ଥକମାନେ ତବାକତ-ଇ-ନଶିରୀରେ ଲେଖାଥିବା ଏହି ତ୍ତବିଷୟଟିକୁ  ଏପରି ବୁଝନ୍ତି ଯେ ପୂର୍ବତନ ନାଳନ୍ଦା ବିଶ୍ୱିଦ୍ୟାଳୟକୁ ମୁସଲିମ ଆକ୍ରମଣକାରୀ ମାନେ ଆକ୍ରମଣ କରି ଧ୍ୱଂସ କରି ଦେଇଥିଲେ । କିନ୍ତୁ ଏବେ ସରକାରରେ ଥିବା ଲୋକେ ଓ ତାଙ୍କ ସମର୍ଥକମାନେ ବିଶ୍ୱବିଦ୍ୟାଳୟଗୁଡିକୁ ଜ୍ଞାନର ମନ୍ଦିର ନଭାବି ସେସବୁକୁ ଶତୃର ଦୁର୍ଗ  ବୋଲି ମନେ କରୁୁଛନ୍ତି । ସେମାନେ ଭାବୁଛନ୍ତି ଏସବୁ ସ୍ଥାନଗୁଡିକ ହେଉଛି ବିଚ୍ଛିନ୍ନତାବାଦୀ ଓ ଜାତୀୟତା ବିରୋଧୀ ଶକ୍ତିମାନଙ୍କର ଦୁର୍ଗ । ଉଦାହରଣ ସ୍ୱରୂପ ଗତ ବର୍ଷ ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ କାରଗିଲ ବିଜୟ ଦିବସ ପାଳନ ହେଉଥିବା ବେଳେ ଜଣେ ସେବାନିବୃତ୍ତ ସେନା ଅଧିକାରୀ ଜି ଡି ବକ୍ସୀ କହିଥିଲେ ଯେ ଜେଏନୟୁ ଦଖଲ ପରେ ସରକାର ଏବେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଜାଦବପୁର ବିଶ୍ୱବିଦ୍ୟାଳୟ ଦୁର୍ଗକୁ ଧ୍ୱଂସ କରିଦେବାପାଇଁ ଅଗ୍ରସର ହେବା ଉଚିତ୍ । ଗତ ସପ୍ତାହରେ ସରକାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଚାଲିଥିବା ଧ୍ୱଂସକାରୀ ସରକାରୀ ହସ୍ତକ୍ଷେପ ଓ ଯୌ÷ନ ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟାଳୟରେ ଶରଣ ଦେବା ପ୍ରତିବାଦରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ସାମ୍ବାଦିକମାନଙ୍କ ଉପରେ ପାଶବିକ ଅତ୍ୟାଚାର ଚଳାଇ ପୁଣି ଥରେ ଏହାର ଉଦ୍ଦେଶ୍ୟ ଓ ମତିଗତିକୁ ପ୍ରମାଣିତ କରି ସାରିଛି । ଭାରତର ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା ସରକାରୀ ହସ୍ତକ୍ଷେପରୁ ବଞ୍ôଚବା ପାଇଁ ସେପରି କୌଣସି ସାମର୍ଥ୍ୟ ରଖୁ ନଥିବା ବେଳେ ଏବେ ବିଶ୍ୱବିଦ୍ୟାଳୟ ଗୁଡିକ ଯେପରି  ସରକାରୀ ଅତ୍ୟାଚାରର ଶିକାର ହେଉଛନ୍ତି ତାହା ପୂର୍ବରୁ କେବେ ହେଉ ନଥିଲେ ।  

ସାଧାରଣ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ଦୁଇଟି ପରସ୍ପର ସହିତ ସଂଯୋଗ ରଖିଥିବା କାର୍ଯ୍ୟ ଚାଲିଥାଏ । ପ୍ରଥମଟି ହେଉଛି ଏବେ ଯେଉଁ ଜ୍ଞାନର ପରିସର ଅଛି ତାହାର ସମ୍ପ୍ରସାରଣ । ଏଥିରେ ଜ୍ଞାନଆହରଣ ବ୍ୟବସ୍ଥାର ଯାଞ୍ଚ ପରୀକ୍ଷଣ କରାଯାଇ ଜ୍ଞାନର ବିକାଶ ପାଇଁ ଯେଉଁ ଶକ୍ତିସ୍ତମ୍ଭ ଗୁଡିକ ରହିଛି ତାହାର ମଧ୍ୟ ପରୀକ୍ଷଣ କରାଯାଇଥାଏ । ଦ୍ୱିତୀୟଟି ହେଉଛି, ଦାୟିତ୍ୱବାନ ଚିନ୍ତାଶୀଳ ନାଗରିକ ପ୍ରସ୍ତୁତ କରିବା ଯାହାକି ପ୍ରଥମ କାର୍ଯ୍ୟଟି ସହିତ ସମ୍ବନ୍ଧିତ ହୋଇଥାଏ ।  ଏହା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବଦ୍ଧମୂଳ ଧାଣଣାଗୁଡିକ ବିଷୟରେ ପ୍ରଶ୍ନ ପଚାରିବା ତଥା ବିଭିନ୍ନ ଅନୁଷ୍ଠାନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବିଚାର କରିବାର ପ୍ରଶିକ୍ଷଣ ଦିଏ  । ତେଣୁ ଏହି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ୱବିଦ୍ୟାଳୟଗୁଡିକର ପ୍ରାଥମିକ ବିଚାରକ ଓ ଆଲୋଚକ ସରକାର ନହୋଇ ସେହି ସର୍ବସାଧାରଣ ହିଁ ହୋଇଥାଆନ୍ତି । ସରକାର ଓ ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାଗୁଡିକ ସାଧାରଣତଃ ପ୍ରମୁଖ ବିଚାରଧାରାର ବାହକ ବା ଭାଷ୍ୟକାର ହୋଇ ଥାଆନ୍ତି ତେଣୁ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକ ସରକାରୀ କାର୍ଯ୍ୟକଳାପର ପୁଙ୍ଖାନୁପୁଙ୍ଖ ବିିଚାରକ ହେବା ଆବଶ୍ୟକ । ସେଇଥିପାଇଁ ଏହା ହେଉଛି ଏକ ଗଣତନ୍ତ୍ରର ମେରୀଖୁଣ୍ଟ ଯାହାକି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନକୁ ଚଳାଉଥିବା ଶାସକ ଓ ପ୍ରଶାସକମାନଙ୍କ ଉପରେ ନିରନ୍ତର ନଜର ରଖିଥାଏ । ତେଣୁ ଏବେର ସରକାର ଯାହାକୁ ଜାତୀୟତା ବିରୋଧୀ ବୋଲି କହୁଛନ୍ତି ତାହା ହେଉଛି ବାସ୍ତବରେ ସବୁ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକର ପ୍ରମୁଖ କର୍ତ୍ତବ୍ୟ । ଯଦି ସରକାରଙ୍କ କାର୍ଯ୍ୟକଳାପ ବିଷୟରେ ପ୍ରଶ୍ନ କରିବାଟା ଜାତୀୟତାବିରୋଧି କାର୍ଯ୍ୟ ତାହେଲେ ଏହାକୁ କରୁଥିବା ବିଶ୍ୱବିଦ୍ୟାଳୟମାନେ ଏହି ଉପାଧିକୁ ସମ୍ମାନର ସହ ବେକରେ ଝୁଲାଇ ବୁଲିବା ଆବଶ୍ୟକ । ଏହା ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଏସନ କାଉନସିଲ ବା (ନାକ) ଦେଉଥିବା ପ୍ରମାଣପତ୍ରଠାରୁ  ବହୁଗୁଣରେ ଭଲ ।

ଗଣତନ୍ତ୍ରରେ ସରକାର ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ରହିଥାଏ । ସରକାରୀ ବିଶ୍ୱିଦ୍ୟାଳୟ ଗୁଡିକ ଜ୍ଞାନ ଉତ୍ପାଦକ ହେବେ ଯାହାକି  ସରକାରଙ୍କୁ ନାଗରିକମାନଙ୍କର ହିତରେ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ଓ ସେମାନଙ୍କର ଅଧିକାର ଏବଂ ସ୍ୱାଧୀନତାକୁ କାୟମ ରଖିବାରେ ସାହାଯ୍ୟ କରିବ ଓ ଉତ୍ତମ ଭାବେ ସାମାଜିକ ନ୍ୟାୟ ପ୍ରଦାନରେ ସହାୟ ହେବ ବୋଲି ଆଶା କରାଯାଏ । ଗୋଟିଏ ସାଧାରଣ ବିଶ୍ୱବିଦ୍ୟାଳୟର ଭୂମିକା କିରାଣୀ ଠାରୁ ବଡ ଅଧିକାରୀଙ୍କ ପର୍ଯ୍ୟନ୍ତ ତଥା ଭବିଷ୍ୟତର ପ୍ରଶାସକ, ଶିକ୍ଷକ, ଅଧ୍ୟାପକ, ବିଚାରପତି, ମନ୍ତ୍ରୀ ଏପରିକି ପ୍ରବିଧିଜ୍ଞ ମାନଙ୍କୁ ପ୍ରଶିକ୍ଷିତ କରାଇବା ହେବା ଉଚିତ୍ । ଏବେର ସରକାର ସେହି ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାକୁ ଶତୃର ଦୁର୍ଗ ବୋଲି କହି ସେଗୁଡିକୁ ପୁରାପୁରି ଭାବରେ ନଷ୍ଟ କରିଦେବାକୁ ଚାହୁଁଛି ଯାହାକି ଅତୀତରେ ଏଦେଶର କିରାଣୀଠାରୁ ଆରମ୍ଭ କରି ବହୁ ବଡ ବଡ ପ୍ରଶାସକମାନଙ୍କୁ ପ୍ରସ୍ତୁତ କରିଛି ।

ସରକାରଙ୍କ କର୍ତ୍ତବ୍ୟ ହେଉଛି ସାଧାରଣ ବିଶ୍ୱବିଦ୍ୟାଳୟ ଗୁଡିକ କିପରି ବିନା ଭୟ ବା ବନ୍ଧନ ବା ବାରଣରେ କାର୍ଯ୍ୟ କରିପାରିବେ ତା ପାଇଁ ସୁରକ୍ଷା ଯୋଗାଇ ଦେବା । ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାୟତ୍ତତା ଦେଇ କୌଣସି ସରକାର ଏହି ସବୁ ବିଶ୍ୱିଦ୍ୟାଳୟ ଗୁଡିକୁ କିଛି ଦୟା କରି ନାହାନ୍ତି । ସରକାର ଏଥିପାଇଁ ବାଧ୍ୟ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଏହା କରିବା ହେଉଛି ସରକାରଙ୍କର ଏକ ଦାୟିତ୍ୱ । ସ୍ୱାୟତ୍ତତା ପ୍ରଦାନ କରିବା ପରେ ସରକାର ବିଶ୍ୱବିଦ୍ୟାଳୟରେ ନିଜର ପର୍ଯ୍ୟବେକ୍ଷଣ ବଢାଇ ପାରନ୍ତି କିନ୍ତୁ ଏଠାରେ କ’ଣ ପାଠ୍ୟକ୍ରମ ରହିବ, କ’ଣ ଉପରେ ଗବେଷଣା କରାଯିବ ତା କୁ ବତାଇ ପାରିବେ ନାହିଁ । ସ୍ୱାୟତ୍ତତା ପ୍ରଦାନ ପରେ ସରକାରରେ ଥିବା ଦଳ  ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ନିଜ ଦଳର ଲୋକମାନଙ୍କୁ ବସାଇବା ଉଚିତ୍ ନୁହେଁ ବା ବାରମ୍ବାର ପୁଲିସ ଲଗାଇ ବିଶ୍ୱବିଦ୍ୟାଳୟରେ ଉପୁଜୁଥିବା ବିଶୃଙ୍ଖଳାକୁ ଦବାଇବା ପାଇଁ ଉଦ୍ୟମ କରିବା ଅନାବଶ୍ୟକ । ସରକାରଙ୍କ ଦେଖିବା ଉଚିତ୍ ଯେ ନିଜ ନିଜ କ୍ଷେତ୍ରରେ ନାମ କମାଇଥିବା ଏବଂ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିବା ବିଶେଷଜ୍ଞମାନଙ୍କୁ ବିଶ୍ୱବିଦ୍ୟାଳୟ ଚଳାଇବା ପାଇଁ ଥିବା ବିଭିନ୍ନ ପଦପଦବୀରେ ବସାଇବା ଆବଶ୍ୟକ । ଏହା ସହିତ ସରକାର ବିଶ୍ୱବିଦ୍ୟାଳୟର ବିଭିନ୍ନ ଖର୍ଚ୍ଚ ସହିତ ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ମାନଙ୍କର ଆବଶ୍ୟକତା ପୂରଣ ପାଇଁ ଜରୁରୀ ଅର୍ଥ ପ୍ରଦାନ କରିବା ଦରକାର ଯାହା ଫଳରେ ସେମାନେ ବଜାରୁ ଶକ୍ତିମାନଙ୍କର କ୍ରିତଦାସ ହେବେ ନାହିଁ । ଏହା ସହିତ ସରକାର ବିଶ୍ୱବିଦ୍ୟାଳୟରେ ସାମାଜିକ ନ୍ୟାୟ ବ୍ୟବସ୍ଥା କାୟମ କରିବା ଉଚିତ୍ । ଏଥିପାଇଁ ସରକାର ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସମାଜର ସବୁ ବର୍ଗର ଲୋକଙ୍କୁ ସୁଯୋଗ ଦେବା ଦରକାର ଯା ଫଳରେ ବିଶ୍ୱବିଦ୍ୟାଳୟ ଗୁଡିକ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକ ଓ ସେମାନଙ୍କର ଆବଶ୍ୟକତାର  ଚରାଭୂଇଁ ପାଲଟିଯିବ ନାହିଁ । ଏହା କରି ସରକାର ସମ୍ବିଧାନ ପ୍ରଦତ୍ତ ନିୟମ ମୁତାବକ ସମସ୍ତଙ୍କୁ ସମାନ ସୁଯୋଗ ଦେବା କାର୍ଯ୍ୟଟି କରି ପାରିବେ ।

ଏବେ ବିଶ୍ୱବିଦ୍ୟାଳୟଗୁଡିକୁ ସ୍ୱାୟତ୍ତତା ଦିଆଯିବା ବିଷୟରେ ଯାହା  କୁହାଯାଉଛି ତାହା ହେଉଛି ସରକାରଙ୍କୁ ସ୍ୱାୟତ୍ତତାକୁ ନେଇ ବିଶ୍ୱବିଦ୍ୟାଳୟ ମାନଙ୍କରେ ଯାହା କରିବା କଥା ତା’ର ବିପରୀତ । ଏହା ପରି ସରକାର ନାଗରିକମାନଙ୍କ ପ୍ରତି ତାଙ୍କର ଥିବା ସମସ୍ତ ଦାୟିତ୍ୱକୁ ମୁଣ୍ଡରୁ ଖସାଇ ଦେବାକୁ ଚାହୁଁଛନ୍ତି । ସମ୍ପ୍ରତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ଯେଉଁ ଗ୍ରେଡେଡ ଅଟୋନୋମୀ ଦେବା କଥା କହୁଛନ୍ତି ତାହା ହେଉଛି ଶିକ୍ଷାକ୍ଷେତ୍ରକୁ ଅଧିକ ଅର୍ଥ ପ୍ରଦନ ନକରିବା ପାଇଁ ସରକାର କରୁଥିବା ଚିନ୍ତାର ଏକ ବାହାନା ମାତ୍ର । ଏହାର ସିଧା ଅର୍ଥ ହେଉଛି ନିଜକୁ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ କରିବା ପାଇଁ ବିଶ୍ୱବିଦ୍ୟାଳୟ ଗୁଡିକ ନିଜକୁ ବଜାରୁ ଶକ୍ତିର ଚାହିଦା ପାଖରେ ସମର୍ପି ଦେବେ । ଏହା କରି କେବଳ ସାଧାରଣ ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ କରାଯାଉ ନାହିଁ, ବରଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁ କାରଣ ପାଇଁ ଲୋକମାନେ ଗୋଟିଏ ସରକାରକୁ କ୍ଷମତାରେ ବସାଇଥାଆନ୍ତି ତାର ଖିଲାପରେ କରାଯାଉଥିବା ଏହା ଏକ କାର୍ଯ୍ୟ ।

କିମ୍ବଦନ୍ତୀ କହେ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଥିବା ପାଠାଗାରଟିକୁ ସମ୍ପୂର୍ଣ୍ଣ ପୋଡି ପାଉଁଶ କରିଦେବା ପାଇଁ ପୁରା ତିନିମାସ ସମୟ ଲାଗି ଯାଇଥିଲା । ଆଜି ମଧ୍ୟ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଥିବା ପାଠାଗାରଗୁଡିକୁ ଗୋଟିଏ ଦିନରେ ନଷ୍ଟ କରି ଦିଆ ଯାଇ ପାରିବ ନାହିଁ । ଏବେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଗୁଡିକୁ ଜ୍ଞାନ ଓ ପ୍ରଶିକ୍ଷଣର ମନ୍ଦିର କରିବା ପାଇଁ ପୁରା ସଂଘର୍ଷ କରି ସଫଳ ହେବାରେ ଲାଗିଛନ୍ତି କିନ୍ତୁ ସରକାରଙ୍କ ମତିଗତିିକୁ ନେଇ କାହାରି ମନରେ କୌଣସି ସନ୍ଦେହ ନାହିଁ । ଯଦି ସରକାର ଭାବୁଥାଆନ୍ତି ଯେ ସେ ମତଦାତାମାନଙ୍କୁ ବୋକା ବନେଇ ଦେଇ ପାରିବେ ତାହାହେଲେ ସିଏ ତାହା କରି ପାରନ୍ତି କିନ୍ତୁ ଇତିହାସ ତାଙ୍କୁ କେବେହେଲେ କ୍ଷମା କରିବ ନାହିଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top