ISSN (Print) - 0012-9976 | ISSN (Online) - 2349-8846
Reader Mode

ଏକ ପରିହାର୍ଯ୍ୟ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା

ଯକ୍ଷ୍ମା ବିରୁଦ୍ଧରେ ସଂଘର୍ଷ ପାଇଁ  ଏହାର ମଲ୍ଟିଡ୍ରଗ ରେଜିଷ୍ଟାନ୍ସଣ୍ଟ ବ୍ୟବସ୍ଥା କୁ ଅଧିକ ଆର୍ଥିକ ସହାୟତା ଦିଆଯାଇ ଏଥିପାଇଁ ଅଧିକ ଦମଦାର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି  

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଯଦିଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଇତି ମଧ୍ୟରେ ଏକ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରି କହି ସାରିଛନ୍ତି ଯେ ଯକ୍ଷ୍ମା ବା ଟିବି ରୋଗର ମୂଳ  ଦୁର୍ବଳ ନହୋଇ ଏବେବି ସୁଦୃଢ ଅଛି ତଥାପି  ଗତ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ୨୦୨୫ ସୁଦ୍ଧା ସେ ଏକ ଯକ୍ଷ୍ମାମୁକ୍ତ ଭାରତବର୍ଷ ଦେଖିବାକୁ ଚାହାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ  ବିଶ୍ୱରେ ଯେଉଁ ୧୦ ନିୟୁତ ଯକ୍ଷ୍ମା  ରୋଗୀ ଅଛନ୍ତି ସେଥିରୁ ୨୦୧୬ର ହିସାବ ଅନୁଯାୟୀ ଭାରତରେ ଅଛନ୍ତି  ୨.୮ ନିୟୁତ ଯକ୍ଷ୍ମା ରୋଗୀ  ।  ଏଥିରୁ ୧ ଲକ୍ଷ ୪୦ ହଜାର ରୋଗୀ ହେଉଛନ୍ତି  ବହୁ-ଔଷଧ-ପ୍ରତିରୋଧୀ(ମଲ୍ଟି-ଡ୍ରଗ୍ସ-ରେଜିଷ୍ଟ୍ଟାନ୍ସଣ୍ଟ) କେଶ୍ । ସେହି ବର୍ଷ ଏହି ରୋଗରେ ୪ ଲକ୍ଷ ୨୩ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ସମ୍ପ୍ରତି ଭାରତରେ ଯେତିକି ବହୁ-ଔଷଧ-ପ୍ରତିରୋଧି ବା ଏମଡିଆର, ବ୍ୟାପକ-ଔଷଧ-ପ୍ରତିରୋଧି  ବା ଏକ୍ସଡିଅ।।ର ଓ ସମ୍ପୂର୍ଣର୍ ଔଷଧ ପ୍ରତିରୋଧି ବା ଟିଡିଆର ଶ୍ରେଣୀର ଯକ୍ଷ୍ମାରୋଗୀ ଅଛନ୍ତି ସେଥିରୁ ସ୍ପଷ୍ଟ ହୋଇ ଯାଉଛି ଯେ ଯକ୍ଷ୍ମାରୋଗ ଏ ଦେଶରେ କି ଅବସ୍ଥାରେ ପକ୍ଷ ବିସ୍ତାର କରିବାରେ ଲାଗିଛି । ସରକାରଙ୍କର ସଦ୍ୟତମ ତଥ୍ୟରୁ ଜଣା ପଡୁଛି ଯେ ଦେଶରେ ଯେତିକି ଯକ୍ଷ୍ମାରୋଗୀ ଅଛନ୍ତି ସେଥିଣୁ ଏକ ଚତୁର୍ଥାଂଶ ରୋଗୀ ହେଉଛନ୍ତି ଔଷଧ ପ୍ରତିରୋଧି ବା ଯାହାଙ୍କ ଶରୀରରେ ଆଉ ଯକ୍ଷ୍ମା ପ୍ରତିରୋଧି ଔଷଧ କାର୍ଯ୍ୟ କରୁନାହିଁ । ଯଦିଓ ଏହା କେବଳ ଗରିବ ରୋଗୀମାନଙ୍କୁ ପ୍ରଭାବିତ କରୁଛି ବୋଲି ଚିନ୍ତା କରାଯାଉଥିଲା ସମ୍ପ୍ରତି ଏହି ରୋଗ ବିଭିନ୍ନ ରୂପରେ  ବହୁ ସହରୀ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ପ୍ରଭାବିତ କରିବାରେ ଲାଗିଛି ।ଏହାର ମୂଳ କାରଣ ହେଉଛି ଦେଶରେ ବୃଦ୍ଧି ପାଉଥିବା ମଧୁମେହ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର  ପ୍ରାଦୁର୍ଭାବ ଯାହାକି ମଣିଷ ଶରୀରରୁ ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବାରେ ଲାଗିଛି । ଅନେକ ଏଚଆଇଭି ଓ ଏଡ୍ସ ରୋଗୀଙ୍କ ଘଟଣାରେ ଦେଖିବାକୁ ମିଳୁଛି ଯେ ଟିବି ମଧ୍ୟ ଏକ ସହଯୋଗୀ ସଂକ୍ରମଣର ରୂପ ନେବାରେ ଲାଗିଛି ।  ସରକାରୀ ରିପୋର୍ଟରେ ସେସବୁ କଥା ଗୁଡିକ ପ୍ରତିଫଳିତ ହେଉନାହିଁ ଯେଉଁଥିରେ ରୋଗୀମାନେ  ଘରୋଇ କ୍ଷେତ୍ରରେ ଚିକିତ୍ସିତ ହେଉଛନ୍ତି ବା ଯେଉଁ ଘଟଣାଗୁଡିକ ଆଦୌ ଚିହ୍ନଟ ହେଉନାହିଁ ବା ଲୋକଲୋଚନକୁ ଆସୁନାହିଁ । ସେଭଳି କ୍ଷେତ୍ରରେ କୌଣସୀ ଏକ ଅଲୌକିକ ଘଟଣା ମଧ୍ୟ ଭାରତକୁ ଆଗାମୀ ସାତ ବର୍ଷ ମଧ୍ୟରେ ଯକ୍ଷ୍ମାମୁକ୍ତ କରାଇ ପାରିବ ନାହିଁ ।

 ଏହି ରୋଗର ଅମାନବୀୟ ସାମାଜିକ-ଅର୍ଥନେତିକ ପ୍ରଭାବ, ବିଶେଷକରି ଗରୀବ ଲୋକଙ୍କ ଉପରେ ପଡୁଥିବା ପ୍ରଭାବ ଓ ସାମାଜିକ ଅପବାଦ ଯାହାକି ଏହି ରୋଗକୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ପାଇଁ ଅନେକ ଅସୁବିଧା ସୃଷ୍ଟି କରୁଛି ସେସବୁର ଭଲଭାବରେ ଦଲିଲୀକରଣ ହେଉଛି ବା ନୋଟ କରା ଚାଲାଛି ।  ରାଷ୍ଟ୍ରୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯାହାକି ଏହି ରୋଗର ଚିକିତ୍ସା ସହିତ ସଚେତନତା ଉପରେ ମଧ୍ୟ କାର୍ଯ୍ୟ କରିଥାଏ  ଏବେ ସଂଶୋଧିତ ରାଷ୍ଟ୍ରୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଆରଏନଟିସିପି)ରେ ପରିବର୍ତ୍ତିତ ହୋଇ ଯାଇଛି ଯାହାର ରୂପାୟନ ଓ କ୍ରିୟାନ୍ୱୟନରେ ଅନେକ ତୃଟି ରହିଛି । ଏହାର ମୂଳ କଥାଟି ‘ଡଟ୍ସ’ ବା ଡାଇରେକ୍ଟଲି ଅବଜର୍ଭଡ ଟ୍ରିଟମେଣ୍ଟ ସର୍ଟ କୋର୍ସ ହୋଇଥିବା ବେଳେ ଏହା ଠିକ ଭାବରେ ଚାଲି ପାରୁନାହିଁ କାରଣ ଏଥିରେ କର୍ମଚାରୀ ଓ ଔଷଧର ଅଭାବ ପରିଲକ୍ଷିତ ହେଉଛି । ଏହା ମଧ୍ୟ ସାଧାରଣ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇନାହିଁ । ଯାହା ଫଳରେ ବହୁ ସଂଖ୍ୟାରେ ରୋଗୀ ଆରଏନଟିସିପି ରେ ବିନା ମୂଲ୍ୟରେ ହେଉଥିବା ପରୀକ୍ଷା ଓ ଚିକିତ୍ସା ସମ୍ବନ୍ଧରେ ଜାଣି ପାରୁ ନାହାନ୍ତି । ବରଂ ସେମାନେ ଘରୋଇ ହାସପାତାଳ ମାନଙ୍କୁ ଯାଉଛନ୍ତି । ବାସ୍ତବରେ ଯକ୍ଷ୍ମା ରୋଗ ଚିକିତ୍ସାର ୬୦ ପ୍ରତିଶତ ଭାର ଏବେ ସେହି ଘରୋଇ ଚିକିତ୍ସକ ମାନଙ୍କ ହାତରେ ରହିଛି ଯେଉଁମାନେ କି ଏ ରୋଗର ଚିକିତ୍ସା ସମ୍ବନ୍ଧରେ ବେଶି କିଛି ଜାଣି ନାହାନ୍ତି ବା ସଠିକ ପ୍ରଶିକ୍ଷଣ ମଧ୍ୟ ନେଇ ନାହାନ୍ତି । ସେମାନଙ୍କ ନିକଟରେ ଏହି ରୋଗର ଆଧୁନିକ ଚିକିତ୍ସା ପ୍ରଣାଳୀ ବିଷୟରେ କୌଣସି ସୂଚନା ମଧ୍ୟ ନାହିଁ । ଯଦିଓ ଦେଶରେ ଏଭଳି କେତେକ ଘରୋଇ ଚିକିତ୍ସକ ଅଛନ୍ତି ଯେଉଁମାନେ ଏ ଦିଗରେ ବେଶ ଭଲ କାର୍ଯ୍ୟ କରୁଛନ୍ତି । କିନ୍ତୁ ସଠିକ ଚିକିତ୍ସା ବ୍ୟବସ୍ଥା ନହେବା, ରୋଗର ସଠିକ ନିର୍ଣ୍ଣୟ ହୋଇ ନପାରିବା ଓ ଅଧିକରୁ ଅଧିକ ଆଣ୍ଟିବାୟୋଟିକ ବ୍ୟବହାର ଯୋଗୁ  ରୋଗୀ ମାନଙ୍କ ଭିତରେ ଔଷଧ ପ୍ରତିରୋଧୀ ( ଉଭୟ ଏମଡିଆର ଏବଂ ଏକ୍ସଡିଆର) ସମସ୍ୟା ଅଧିକରୁ ଅଧିକ ହେବାରେ ଲାଗିଛି ।

ଜନସାଧାରଣଙ୍କ ପାଇଁ ଧୀରେ ଧୀରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ରୂପ ନେଉଥିବା ଯକ୍ଷ୍ମାର ଚିକିତ୍ସାକୁ ନେଇ ପରାମର୍ଶ ଦେବା ଲୋକଙ୍କର ଅଭାବ ନାହିଁ । କୁହାଯାଉଛି ଯେ ଏ ବିଷୟରେ କେବଳ ଦେଶ ଭିତରେ ଥିବା  ଆଧାରଭୂତ ସମସ୍ୟା  ବା ସାମାଜିକ-ଅର୍ଥନୈତିକ ବିଭେଦ, ଆଦର୍ଶ ନିଦାନ ଓ ଚିକିତ୍ସା ବ୍ୟବସ୍ଥାକୁ  ନେଇ ନୁହେଁ  ବରଂ ଦେଶ ବିଦେଶର ବିଭିନ୍ନ ଅଞ୍ଚଳରେ ଥିବା ଅନୁରୂପ ସମସ୍ୟାଗୁଡିକ ପ୍ରତି ଧ୍ୟାନ ଦିଆଯିବା ଉଚିତ୍ ।  ପୁରାତନ ପାରମ୍ପରିକ ପଦ୍ଧତିରେ କରାଯାଉଥିବା ସ୍ପୁଟମ-ଟେଷ୍ଟର ମଧ୍ୟ ପୁନଃବିଚାର କରାଯିବା ଆବଶ୍ୟକ । ଏହି ରୋଗର ବୀଜାଣୁକୁ  ଚିହ୍ନଟ କରିବାପାଇଁ ମେଡିକାଲ ବିଶେଷଜ୍ଞମାନଙ୍କ ମତରେ  ଜେନିଏକ୍ସପର୍ଟ(ମଲିକୁଲାର ଟେଷ୍ଟ)ହିଁ ଏହି ରୋଗର ବୀଜାଣୁ ଚିହ୍ନଟର ପ୍ରଥମ ପରୀକ୍ଷା ପଦ୍ଧତି ହେବା ଆବଶ୍ୟକ ।

ଲୋକମାନଙ୍କ ମଧ୍ୟରେ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀମାନଙ୍କର ସକ୍ରୀୟତା ସହିତ ପ୍ରାଥମିକ ଅବସ୍ଥାରେ ରୋଗର ଚିହ୍ନଟ କରାଯିବା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ବିଶେଷ କରି ଯେଉଁ ପରିବାରରେ ଯକ୍ଷ୍ମା ଏହାର ପକ୍ଷ ବିସ୍ତାର କରି ସାରିଛି ସେ ପରିବାରର ଶିଶୁମାନଙ୍କର ପରୀକ୍ଷା କରାଯିବା ନିହାତି ଦରକାର ଯାହା ଫଳରେ ଯକ୍ଷ୍ମାରୋଗର ବିସ୍ତାରକୁ ରୋକାଯାଇ ପାରିବ ।  ଏହା ସହିତ ଯେଉଁମାନଙ୍କର ମଧୁମେହ ଅଛି ଓ ଯେଉଁମାନେ ଏଚଆଇଭି ଆକ୍ରାନ୍ତ ସେମାନଙ୍କର  ତୁରନ୍ତ ଚିକିତ୍ସା କରାଯିବା ଦରକାର । ଅଣମେଡିକାଲ ବିଷୟ ଯେପରିକି ଅବିଚାରିତ ଓ ଅଣଯୋଜନାବଦ୍ଧ ଭାବରେ ସଂପ୍ରସାରିତ ହୋଇ ଚାଲିଥିବା ସହରୀକରଣକୁ ନେଇ ଗଭୀର ଚିନ୍ତା କରାଯିବା ଆବଶ୍ୟକ କାରଣ ଏହା ଯୋଗୁଁ ସହର ଗୁଡିକରେ ଗହଳି ବଢୁଛି ଓ ପରିମଳ ବ୍ୟବସ୍ଥା ପ୍ରଭାବିତ ହେଉଛି । ଯାହାକି ରକ୍ତଶୋଷଣକାରୀ  ଘରୋଇ ସ୍ୱାସ୍ଥ୍ୟସେବା ସଂସ୍ଥାଗୁଡିକୁ ସୁହାଉଛି । ଏହା ସହିତ ସବୁବେଳେ ରହି ଆସିଥିବା ସାମାଜିକ ଅପବାଦ ଓ କଳଙ୍କ ବିଷୟରେ ମଧ୍ୟ ଚିନ୍ତା କରିବାକୁ ହେବ ।

ଯକ୍ଷ୍ମା ରୋଗ ବ୍ୟାପିବାର ସବୁଠୁ ବଡ କାରଣ ଦୁଇଟି ହେଉଛି ଦାରିଦ୍ର‌୍ୟ ଓ କୂପୋଷଣ । ଯେଉଁ ରୋଗୀମାନେ ଡଟ୍ ଚିକିତ୍ସା ନେଇ ପାରିବେ ସେମାନଙ୍କୁ ସୁଷମ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି । ଯାହା ଫଳରେ ସେମାନଙ୍କ ଚିକିତ୍ସା ଫଳପ୍ରଦ ହୋଇ ପାରିବ ।  ତେଣୁ ରାଜ୍ୟ ସରକାରମାନେ ଡଟ୍ ଚିକିତ୍ସାରେ ଥିବା ରୋଗୀମାନଙ୍କ ପାଇଁ ସୁଷମ ଖାଦ୍ୟର ବ୍ୟବସ୍ଥା କରାଇବା ଦରକାର ।

ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ଯାହା ଆବଶ୍ୟକ ସେଥିରେ ମୁଖ୍ୟତଃ ଏହି ରୋଗର ସଠିକ ନିଦାନ ପାଇଁ ଆବଶ୍ୟକ ହେଉଥିବା ସଠିକ ଗୁଣମାନର ମେଡିକାଲ ଯନ୍ତ୍ରପାତି ଓ ଚିକିତ୍ସା ସହିତ ସଠିକ ପୋଷଣ ଓ ଆବଶ୍ୟକ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ । ଏହା ହୁଏତ ଏକ ସାଧାରଣ କଥା ବା ବ୍ୟବସ୍ଥାପତ୍ର ପରି ଲାଗି ପାରୁଥାଏ କିନ୍ତୁ ଯାହାକୁ ସହଜରେ ଅଣଦେଖା କରାଯାଇ ପାରିବନି ସେ କଥାଟି ହେଉଛି ଯକ୍ଷ୍ମାରୁ ଉଦ୍ଧାର ପାଇବା ପାଇଁ ଯାହା ସବୁ ଆବଶ୍ୟକ ତାହା ଅଧିକାଂଶ ସାଧାରଣ ରୋଗୀଙ୍କ ପକ୍ଷରେ ଯୋଗାଡ କରିବା ସମ୍ଭବ ହୋଇ ନ ଥାଏ । ସରକାରଙ୍କ ପକ୍ଷରୁ ଗରିବ ରୋଗୀଙ୍କୁ  ସହାୟତା ଯୋଗାଇ ଦେବା ଏବେ ସୁଦ୍ଧା ସମ୍ଭବ ହୋଇ ପାରି ନାହିଁ । ଯେତେବେଳେ କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ଭାରତବର୍ଷରୁ ସମୂଳେ ଉତ୍ପାଟନ ପାଇଁ ଘୋଷଣା କରି  ରଷ୍ଟ୍ରୀୟ ସ୍ତରରେ ରଣନୀତିମୂଳକ (ନ୍ୟାସନାଲ ଷ୍ଟ୍ରାଟେଜିକ) ଯୋଜନା କରୁଛନ୍ତି ସେତେବେଳେ ସରକାରଙ୍କର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେଉଛି ଜିଡିପିର ମାତ୍ର ୧.୪ ପ୍ରତିଶତ ।  ଦେଶରେ ଯକ୍ଷ୍ମାରୋଗୀଙ୍କର ସଂଖ୍ୟାବୃଦ୍ଧି ଘଟୁଥିବା ବେଳେ ଏହାର ଚିକିତ୍ସାରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ତାକୁ ଲକ୍ଷ୍ୟ ରଖି ରାଜ୍ୟ  ସରକାର ଦୁଇଟି କ୍ଷେତ୍ରରେ ନିଜର ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ।  ଗୋଟିଏ ହେଉଛି ସ୍ୱାସ୍ଥ୍ୟସେବା ବିଶେଷ କରି ଯକ୍ଷ୍ମା ବିରୁଦ୍ଧରେ ସଂଘର୍ଷ କରିବା ପାଇଁ  ସଂବଳ ବୃଦ୍ଧି କରାଯିବା ନିହାତି ଆବଶ୍ୟକ ଓ ଦ୍ୱିତୀୟଟି ହେଉଛି ସରକାର ଜେନେରିକ ଔଷଧ ପ୍ରସ୍ତୁତକାରୀ ମାନଙ୍କୁ ଏମଡିଆର ଯକ୍ଷ୍ମା ରୋଗୀଙ୍କ ପାଇଁ ଏପରି ଔଷଧ ପ୍ରସ୍ତୁତି ଉପରେ ଯୋର ଦେବା ଆବଶ୍ୟକ ଯାହା ଫଳରେ ଏହି ଔଷଧ  ଗରିବ ରୋଗୀମାନଙ୍କର ପହଞ୍ଚ ଭିତରକୁ ଆସି ପାରିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top