ISSN (Print) - 0012-9976 | ISSN (Online) - 2349-8846

ତାମିଲନାଡୁ ଓ ଏହାର ଅସନ୍ତୋଷ

ଯେତେବେଳେ ଦୁଇଜଣ  ଅଭିନେତା ରାଜ୍ୟର ରାଜନୈତିକ ଶୂନ୍ୟତାକୁ ଭରିବାକୁ ବାହାରିଛନ୍ତି  ସେତେବେଳେ ରାଜ୍ୟର ଭବିଷ୍ୟତ ଅନିଶ୍ଚିତତା ଆଡକୁ ଟାଣି ହୋଇ ଯାଉଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନ୍ନେତ୍ରା କାଝଗାମ(ଏଆଇଡିଏମକେ)ର ନେତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ଓ ଦ୍ରାବିଡ ମୁନେତ୍ରା କାଝଗାମ(ଡିଏମକେ)ର ନେତା ଏମ କରୁଣାନିଧିଙ୍କର ନିଧନ ପୂର୍ବରୁ ସେ ଯେପରି ତାମିଲନାଡୁ ରାଜନୀତିରୁ ଏକରକମର ସନ୍ୟାସ ନେଇ ସାରିଥିଲେ ସେଥିରେ ଗତ ଦୁଇ ବର୍ଷ ଧରି ତାମିଲନାଡୁ ରାଜନୀତି ଏକରକମ ଅଶାନ୍ତ ଓ ଗୋଳମାଳିଆ ହୋଇ ଯାଇଛି । ଏହା ସେଠାକାର ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି କରିଛି । ଏକ ରାଜ୍ୟ ଯେଉଁଠାରେ ସିନେମାଜଗତ ହିଁ ରାଜ୍ୟର ଭବିଷ୍ୟତ ରାଜନୀତିର ମଙ୍ଗୁଆଳ ମାନଙ୍କୁ ପ୍ରସ୍ତୁତ କରିଥାଏ  ଏବଂ ଯେଉଁଠାରେ ସିନେମା ଓ ବାସ୍ତବ ଜୀବନ ମଧ୍ୟରେ ପ୍ରଭେଦ ବେଶି କିଛି ପରିଲକ୍ଷିତ ହୁଏ ନାହିଁ, ସେପରି ସ୍ଥିତିରେ ଯେତେବେଳେ ରାଜ୍ୟର ଦୁଇଜଣ ବିଶିଷ୍ଟ ସିନେ ଅଭିନେତା ରଜନୀକାନ୍ତ ଓ କମଲ ହାସନ ରାଜ୍ୟ ରାଜନୀତିର ଏହି ଶୂନ୍ୟତାକୁ ଭରିବା ପାଇଁ ଉଦ୍ୟମ କରିଛନ୍ତି ସେତେବେଳେ ସେ କଥାଟି କାହାରିକୁ ଆଶ୍ଚର୍ଯ୍ୟ କରି ନାହିଁ  ।

ଅତୀତରେ ତାମିଲନାଡୁ ରାଜନୀତି ମୁଖ୍ୟତଃ ଦୁଇଟି ବଡ ଦ୍ରାବିଡ ରାଜନୈତିକ ଦଳ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଭିତରେ ସୀମିତ ରହିବା ସହିତ ଅନ୍ୟ ଜାତୀୟ ଦଳ ଗୁଡିକ ନିର୍ବାଚନ ସମୟରେ ଏକ ନିର୍ଦ୍ଦିଷ୍ଟ ସାମାଜିକ ଆଧାର ଥିବା ଏହି ଦୁଇ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରୁ କାହାରି ଗୋଟିଏ ସହିତ ଯୋଡି ହୋଇ ଯାଇ ଥାଆନ୍ତି । ଦ୍ରାବିଡିଆନ ଦଳ ଗୁଡିକ ମଧ୍ୟ ଦୁର୍ନୀତିର ଖାଇ ଭିତରେ ରହି ନିଜକୁ ଏକଜୁଟ ରଖି ଲୋକଙ୍କ କଲ୍ୟାଣକାରୀ ପ୍ରଶାସନିକ ଆଭିମୁଖ୍ୟକୁ  ଧରି ଆଗେଇବାକୁ ପସନ୍ଦ କରି ଥାଆନ୍ତି ଯାହା ଫଳରେ ସେହିମାନେ ହିଁ ରାଜ୍ୟ ରାଜନୀତିରେ ପ୍ରତିପତ୍ତିଶାଳୀ ହୋଇ ରହି ଥାଆନ୍ତି । ସେମାନେ ଜାତୀୟବାଦୀ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟିକୁ କେନ୍ଦ୍ରରେ ସମର୍ଥନ ଦେଇ ରାଜ୍ୟରେ ଏହି ଜାତୀୟ ଦଳଙ୍କୁ ସେମାନଙ୍କ ସମର୍ଥକ କରି ରଖିବାରେ ସମର୍ଥ ହୋଇ ଥାଆନ୍ତି । ଦୁଇଟିଯାକ ଦ୍ରାବିଡ ଦଳ ଅଦଳ ବଦଳ  ହୋଇ କ୍ଷମତାକୁ  ଆସୁଥିବାରୁ ସେମାନଙ୍କ ଜାତୀୟ ଦଳ ପ୍ରତି ସେମାନଙ୍କ ପୁଷ୍ଠପୋଷକତା ବା ସମର୍ଥନ  ଯଦିଓ ଅପରିବର୍ତ୍ତନୀୟ  ରହେ ହେଲେ  ଅସନ୍ତୋଷ ଲାଗି ରହିଥାଏ ।

ସିନେ-ନିର୍ଦ୍ଦେଶକ ବିଜୟକାନ୍ତ ୨୦୦୫ରେ ରାଜନୀତିରେ ପ୍ରବେଶ କରିବା ପରେ ସେ ଓ ତାଙ୍କ ମୁରୋପକ୍କୁ ଦ୍ରାବିଡ କାଜଘାମ ଦଳ ପ୍ରଥମ ଥର ପାଇଁ ନିର୍ବାଚନରେ  ଅବତୀର୍ଣ୍ଣ ହୋଇ ଯେଭଳି ଭାବରେ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନରେ ଜନପ୍ରିୟ ଭୋଟରୁ ୧୦ % ପାଇବାକୁ ସକ୍ଷମ ହେଲେ ତାହା ତାମିଲନାଡୁ ରାଜ୍ୟର ଭୋଟରମାନଙ୍କ ମଧ୍ୟରେ ଏପ ପରିବର୍ତ୍ତନ ପ୍ରତି ରହିଥିବା ମନୋଭାବକୁ ପ୍ରଦର୍ଶନ କରିଥିଲା । ଉଭୟ ରଜନୀକାନ୍ତ ଓ କମଲ ହାସନ୍ ସେହି କଥାଟିକୁ ଅନୁସରଣ କରିବାରେ ଲାଗିଛନ୍ତି ଯାହାକି ଚଳଚ୍ଚିତ୍ର ଜଗତରେ ଥିବା ତାଙ୍କର ଜଣେ ସହଯୋଗୀ ଦଶବର୍ଷ ତଳେ କରି ଦେଖାଇଥିଲେ ।  କିନ୍ତୁ ସେମାନେ ଏହି କାମଟିକୁ ଭିନ୍ନ ରାସ୍ତାରେ କରୁଛନ୍ତି । ରଜନୀକାନ୍ତ ଯିଏକି ତାମିଲ ସିନେମାର ଜଣେ ସୁପରଷ୍ଟାର ଭାବରେ ପ୍ରବଳ ଲୋକପ୍ରିୟ ଏବଂ ଯାହାଙ୍କର ରାଜ୍ୟରେ ବହୁ ସମର୍ଥକ ରହିଛନ୍ତି, ସେ ବହୁୁ ସମୟରେ ରାଜନୀତି ପ୍ରତି ପରୋକ୍ଷ ଉତ୍ସାହ ଦେଖାଇ ଆସିଛନ୍ତି । ୧୯୯୬ ମସିହାରେ ଜୟଲଳିତାଙ୍କ ମୁଖ୍ୟମନ୍ତ୍ରୀତ୍ୱର ପ୍ରଥମ ପାଳି ଶେଷ ହେବା ପରେ ସେ ଏଆଇଡିଏମକେ ପ୍ରତି ବିମୁଖ ହୋଇଉଠିଥିଲେ । ତାଙ୍କର ଅସନ୍ତୋଷର ମୁଖ୍ୟ କାରଣ ଥିଲା ଜୟଲଳିତାଙ୍କ ଦୁର୍ନୀତି ଓ ତାଙ୍କ ସରକାରଙ୍କ ଉଦ୍ଧତ ବ୍ୟବହାର । ତେବେ ରଜନୀକାନ୍ତ କେବେବି ସିଧାସଳଖ ରାଜନୀତିରେ ପ୍ରବେଶ କରି ନ ଥିଲେ । ଏଇ କେତେ ବର୍ଷ ଧରି ନିଜର ଆଧ୍ୟାତ୍ମିକତା ଓ ଲୋକପ୍ରିୟତାକୁ ପାଥେୟ କରି ରଜନୀକାନ୍ତ ରାଜନୀତିକ ପରିଦୃଶ୍ୟକୁ ବଦଳାଇବାକୁ ଚାହୁଁଛନ୍ତି । ତାଙ୍କର ଆଧ୍ୟାତ୍ମିକତା ପ୍ରତି ରୁଚି ତାଙ୍କୁ ଅଧିକରୁ ଅଧିକ ଦକ୍ଷିଣପନ୍ଥୀ ରାଜନୀତି ଆଡକୁ ଟାଣି ନେଉଛି ଓ ରାଜ୍ୟରେ ଥିବା ବିଜେପି ଦଳ ଏହାର କାର୍ଯ୍ୟସୂଚୀକୁ ବଢାଇବା ପାଇଁ  ରଜନୀକାନ୍ତଙ୍କୁ ହିଁ ଠିକ୍ ଲୋକ ବୋଲି ଭାବୁଛି । କିନ୍ତୁ ରାଜ୍ୟର ବହୁ ସଂଖ୍ୟକ ଲୋକ  ହିନ୍ଦୁତ୍ୱ ରାଜନୀତିରେ ବିଶ୍ୱାସ ରଖୁ ନଥିôବା କାରଣରୁ ସେମାନଙ୍କର ଏହି ଇଚ୍ଛା ପୂରଣ ହୋଇ ପାରିବ ବୋଲି ଆଶା କରାଯାଇ ପାରୁ ନାହିଁ ।

 ରଜନୀକାନ୍ତ ମଧ୍ୟ ବିଜେପି ସହିତ କୌଣସି ମେଣ୍ଟ ବା ନିକଟତା ପ୍ରଦର୍ଶନ କରୁଥିବା ପରି ସୂଚନା ଦେଇ ନାହାନ୍ତି । ରଜନୀକାନ୍ତ କେବଳ ସୁଶାସନ ଉପରେ ଗୁରୁତ୍ୱ ଦେଇ ତାଙ୍କ ସମର୍ଥକ ବା ଫ୍ୟାନମାନଙ୍କୁ ରାଜ୍ୟରେ ଅନ୍ତତଃ ୨୩୪ ବିଧାନସଭା ଆସନରେ ଜିତିବା ପାଇଁ ଉଦ୍ୟମ ଆରମ୍ଭ କରିବାକୁ କହିଛନ୍ତି । ରାଜ୍ୟରେ କୌଣସି ବିଷୟରେ ସେ କୌଣସି ସିଧାସଳଖ ହସ୍ତକ୍ଷେପ କରି ନାହାନ୍ତି । କିନ୍ତୁ ସେ ଏକଥା ନିଶ୍ଚିତ କହିଛନ୍ତି ଯେ ସେ ଏମ ଜି ରାମଚନ୍ଦ୍ରନଙ୍କୁ ଅନୁସରଣ କରିବାକୁ ଚାହାନ୍ତି ଯିଏକି ଡିଏମକେରୁ ଓହରି ଆସି କୌଣସି ଆଦର୍ଶଗତ ବିଚାର ନରଖି  ଏକ ଦୁର୍ଦ୍ଦଷ ଏଆଇଡିଏମକେ ଦଳ ଗଠନ କରିଥିଲେ । ଏକଥା ମଧ୍ୟ ଆଶଙ୍କା କରାଯାଉଛି ଯେ ରଜନୀକାନ୍ତ ବ୍ୟକ୍ତିବାଦୀ ଓ ଆଧ୍ୟାତ୍ମିକ ରାଜନୀତି ପ୍ରତି ମନ ବଳାଇବା ଫଳରେ ଏହା ବିଜେପିକୁ ନିଜ କାର୍ଯ୍ୟରେ ଆଗେଇ ଯିବାରେ ସହାୟତା କରିବାର ସୁଯୋଗ ରହିଛି ।

ଅନ୍ୟ ପକ୍ଷରେ କମଲ ହାସନଙ୍କର ଜଣେ ବହୁଗୁଣସମ୍ପନ୍ନ କଳାକାର ଭାବରେ ଖ୍ୟାତି ଏବଂ ଲୋକପ୍ରିୟତା ରହିଛି । ସେ ପରଦାରେ ବିଭିନ୍ନ କଷ୍ଟକର ଚରିତ୍ରକୁ ବେଶ୍ ପରିପକ୍ୱତାର ସହିତ ଫୁଟାଇ ପାରିବାରେ ସକ୍ଷମ । ସେ ରଜନୀକାନ୍ତ ପରି ଲୋକପ୍ରିୟ ଅଭିନେତା ହୋଇ ପାରି ନଥାନ୍ତି କିନ୍ତୁ ଜଣେ ଅନନ୍ୟ ଗଣ ଅଭିନେତା ଭାବରେ ଲୋକେ ତାଙ୍କୁ ସମ୍ମାନ ଦେଇ ଆସିଛନ୍ତି ।  ରଜନୀକାନ୍ତଙ୍କ ପରି ସେ କେବେ ବି ରାଜନୀତିରେ ପ୍ରବେଶ କରିବାର ମନୋଭାବ ପ୍ରକାଶ କରି ନାହାନ୍ତି । ତେବେ ଅତୀତରେ ଦ୍ରାବିଡ ନେତାମାନଙ୍କର ନୀତି ଆଦର୍ଶର ପ୍ରଚାର ପ୍ରସାର କରିବା, ନାସ୍ତିକତା, ପ୍ରଗତିଶୀଳ ବିଷୟ ଉପରେ ସେ ବହୁ ସମୟରେ ଉତ୍ସାହ ଦେଖାଇ ଆସିଛନ୍ତି । ଗତ କେତେ ବର୍ଷ ଧରି ଯେତେବେଳେ କମଲ ହାସନ ତାଙ୍କର ରାଜନୀତି ପ୍ରବେଶକୁ ନେଇ ଖୋଲା ଖୋଲି ମତ ଦେବା ଆରମ୍ଭ କଲେ, ସେ ନିଜକୁ ଜଣେ କେନ୍ଦ୍ରୀୟପନ୍ଥୀ  ଭାବରେ ପ୍ରଦର୍ଶନ କରିଥିଲେ ଓ ସେ ବାସ୍ତବବାଦୀ ରାଜନୀତି କରିବା ପ୍ରତି ଆଗ୍ରହୀ ମନୋଭାବ ପ୍ରଦର୍ଶନ କରି ସାରିଛନ୍ତି । ସେ ତାଙ୍କ ପାର୍ଟିର ନାମକୁ ମକ୍କାଲ ନୀତି ମାୟମ ରଖିଛନ୍ତି ଯାହାର ଅର୍ଥ ହେଉଛି ଜନ ନ୍ୟାୟ କେନ୍ଦ୍ର ବା ପିପୁଲ୍ସ ଜଷ୍ଟିସ ସେଣ୍ଟର । ରଜନୀକାନ୍ତଙ୍କ ପରି ନକରି ସେ ସାମ୍ପ୍ରଦାୟିକତା ବିରୁଦ୍ଧରେ ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ସହିତ ଖୋଲାଖୋଲି ନିଜର ବିଜେପି ବିରୋଧୀ ମନୋଭାବ ପ୍ରକାଶ କରି ସାରିଛନ୍ତି । ଏହା ସହିତ କମଲ ହାସନ କୃଷି ଓ ଚାଷୀ ସମସ୍ୟା, ଜଳ ବଣ୍ଟନ ସମସ୍ୟା, ପରିବେଷ ପ୍୍ରଦୂଷଣ ସମ୍ବନ୍ଧିତ ସମସ୍ୟା ଉପରେ ଖୋଲାଖୋଲି ନିଜ ମତ ପ୍ରକାଶ କରି ସାରିଛନ୍ତି । ତେବେ ଲକ୍ଷ୍ୟ କରିବାର କଥା ଯେ ସେ ଏ ଯାବତ୍ ଏକ ସ୍ଥିର ଆଦର୍ଶଗତ ଆଭିମୁଖ୍ୟ ଗ୍ରହଣ କରିବା ଭଳି ମନୋଭାବ ସ୍ପଷ୍ଟ କରି ନାହାନ୍ତି ।

ମୂଳ କଥା ହେଉଛି ଯେ ଏହି ସିନେ ଅଭିନେତାମାନଙ୍କର ରାଜନୀତିରେ ପ୍ରବେଶ କରିବା ପଛରେ ଯେଉଁ ମୂଳ କାରଣଟି ରହିଛି ତାହା ହେଉଛି ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଡିଏମକେରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଏବଂ ଏବେର ଶାସକ ମାନଙ୍କର କମି କମି ଯାଉଥିବା ଲୋକପ୍ରିୟତା । ତେବେ କରୁଣାନିଧିଙ୍କ ସମ୍ପ୍ରସାରିତ ପରିବାରର ତାମିଲନାହୁ ରାଜନୀତିରେ ବଢୁଥିବା ପ୍ରଭାବ ମଧ୍ୟ ଡିଏମକେକୁ ଏଆଇଡିଏମକେର ଏକମାତ୍ର ବିକଳ୍ପ ହେବାକୁ ଦେଉ ନାହିଁ । ରଜନୀକାନ୍ତ ଓ କମଲ ହାସନ ହେଉଛନ୍ତି ପରସ୍ପରରର ବନ୍ଧୁ । କିନ୍ତୁ ଚଳଚ୍ଚିତ୍ର ଦୁନିଆରେ ସେମାନେ ଭିନ୍ନ ଭିନ୍ନ ପଥରେ ଗତି କରି ଆସିଛନ୍ତି । ରଜନୀକାନ୍ତ ତାଙ୍କ ବ୍ୟକ୍ତିତ୍ୱ ଓ ଅଭିନୟର ଯାଦୁ ବଳରେ ସେପରି କରିବାକୁ ସକ୍ଷମ ହୋଇଥିବା ବେଳେ କମଲ ହାସନ ତାଙ୍କର ଭିନ୍ନ ଭିନ୍ନ ଚରିତ୍ରରେ କରୁଥିବା ନିଖୁଣ ଅଭିନୟ ବଳରେ ଦର୍ଶକଙ୍କର ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କର ସାମ୍ପ୍ରତିକ ରାଜନୈତିକ ଅବତାରରେ ମଧ୍ୟ ସେମାନେ ସେହି ପ୍ରକାରର ଭିନ୍ନତା ପ୍ରର୍ଶନ କରୁଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଏକ ରାଜ୍ୟ ଯାହାକି ଅଧିକରୁ ଅଧିକ ମଧ୍ୟମ ଆୟ ବର୍ଗର ଅର୍ଥନୀତି ଭିତରକୁ ପ୍ରବେଶ କରିବାରେ ଲାଗିଛି ଏବଂ ଏହାର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ଏକ ସ୍ଥିର ରାଜନୈତିକ ଦିଶାନିର୍ଦ୍ଦେଶର ପ୍ରତିକ୍ଷାରେ ରହିଛି ତାହା କେତେଦୂର ସମର୍ଥ ହୋଇ ପାରୁଛି ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top