ISSN (Print) - 0012-9976 | ISSN (Online) - 2349-8846

ସାମ୍ରାଜ୍ୟବାଦୀ କଳ୍ପନା

ବ୍ରିଟେନ୍ ରେ ଧର୍ମକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ହେଉଥିବା ବିତର୍କ କେବଳ ପ୍ରବଞ୍ଚନା

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

୧ ମାର୍ଚ୍ଚ ୨୦୧୮ରେ ବ୍ରିଟିଶ ପାର୍ଲିଆମେଣ୍ଟରେ ବିଳାପ କରାଗଲା ଯେ ଭାରତରେ ନରେନ୍ଦ୍ର ମୋଦିଙ୍କ ସରକାରରେ ଧର୍ମ ଏବଂ ଆସ୍ଥାର ସ୍ୱାଧୀନତା  ସଂକଟରେ ପଡି ଯାଇଛି ।  ସ୍କଟିଶ ଜାତୀୟତାବାଦୀ ଦଳର ସଂସଦ ମାର୍ଟିନ ଡୋକେର୍ଟି ହ୍ୟୁଗ୍ସ କହିଥିଲେ ଯେ ୨୦୧୮ ମସିହା ଅପ୍ରେଲ ମଧ୍ୟ ଭାଗରେ ଯେତେବେଳେ ନରେନ୍ଦ୍ର ମୋଦି କମନୱେଲ୍ଥ ହେଡ୍ସ ଅଫ ଗଭର୍ଣ୍ଣମେଣ୍ଟ ବୈଠକରେ  ଯୁକ୍ତରାଜ୍ୟ ଗସ୍ତରେ ଆସିବେ ସେତେବେଳେ ବ୍ରିଟିଶ ସରକାର ଏ ବିଷୟକୁ ତାଙ୍କ ଆଗରେ ରଖିବା ଦରକାର ।

ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହା ନିଶ୍ଚିତ ଭାବରେ ଏକ ଶୁଭ ସଂକେତ ଯେ ବ୍ରିଟେନ ଶେଷରେ ଭାରତରେ ସଂଖ୍ୟାଲଘୁ ଲୋକଙ୍କ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ ଓ ଉତ୍ପୀଡନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି ।   ହିନ୍ଦୁ ସଂଖ୍ୟାଗରୀଷ୍ଠତା କାର୍ଯ୍ୟସୂଚୀକୁ ନେଇ ସରକାରୀ କଳ ଓ ସମାଜକୁ ପ୍ରଦୂଷିତ କରିବାକୁ ଉଦ୍ୟମ କରୁଥିବା ଏକ ସରକାର ଉପରେ ଚାପ ପ୍ରୟୋଗ କରିବା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ କଥା ।  କିନ୍ତୁ ହାଉସ ଅଫ କମନ୍ସରେ ଦିଆଯାଇଥିବା ଭାଷଣର ନକଲରୁ ଯାହା ଜଣା ପଡିଲା  ତାହା ବେଶ କୌତୁହଳପୂର୍ଣ୍ଣ । ଏଥିରୁ ଜଣାପଡିଛି ଯେ କିପରି ବ୍ରିଟେନ ସାରା ବିଶ୍ୱରେ (କେବଳ ପ୍ରାଚ୍ୟକୁ ବାଦଦେଇ)ଧାର୍ମିକ ସ୍ୱାଧୀନତା ସଂକୁଚିତ ହେବାକୁ ନେଇ ଯେଉଁ ଚିନ୍ତା ପ୍ରକଟ କରୁଛି ସେହି ସଂକୋଚନର କାରଣଟି ହେଉଛି ବ୍ରିଟିଶ ସରକାରଙ୍କ ପକ୍ଷରୁ ପର୍ଯ୍ୟାୟକ୍ରମେ  ନିଆଯାଇଥିବା  ସାମ୍ରାଜ୍ୟବାଦୀ ପଦକ୍ଷେପ ।

ଆଧୁନିକ ୟୁରୋପିଆନ ଢାଞ୍ଚାରେ କରାଯାଉଥିବା ସଫଳ ସାମ୍ରାଜ୍ୟବାଦୀ ପ୍ରଚାରକୁ କେବଳ ଡିଗ୍ରୀ ଅଫ ଲେଜିଟିମାସୀ ଯାହା ବିଭିନ୍ନ ସାଧାରଣ ସଭାରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଯାଇଥାଏ,ରେ ମାପ କରାଯାଇ ପାରିବ ନାହିଁ ।  କାରଣ ଏକଥା ସ୍ପଷ୍ଟ ହୋଇ ସାରିଛି ଯେ ସାମ୍ରାଜ୍ୟବାଦୀ ଆଦର୍ଶର କେତେକ ମୂଳ ତର୍କାଧାର ହେଉଛି  ନିଜେ ନିଜର ଆତ୍ମ ପରିଚୟ ଦେବାଟା ଏକ ଅବଶ୍ୟମ୍ଭାବୀ କଥା । ଯେପରିକି  ୟୁରୋପରେ ଯେଉଁ କ୍ଷେତ୍ରରେ  କିଛି ସଫଳତା ଆସିଛି ତାହା ଅନ୍ୟ କୌଣସି ଦେଶରେ ବା ସ୍ଥାନରେ ମିଳୁଥିବା ସଫଳତା ଓ ବିଫଳତାକୁ  ମାପିବାପାଇଁ ଏକ ପରିମାପକ ବା ମାପଦଣ୍ଡ ଅଟେ । ଧାର୍ମିକ ସ୍ୱାଧିନତା ହ୍ରାସ ପାଉଥିବାକୁ ନେଇ ୱେଷ୍ଟମିନିଷ୍ଟର ହଲରେ ହୋଇଥିବା ବିତର୍କ ପୁରାପୁରି ଭାବରେ ୟୁରୋପ କେନ୍ଦ୍ରିତ ଥିଲା । ଶ୍ରମିକ ଦଳର ସଂସଦ ଫାବିଆନ ହାମିଲଟନ ଆତଙ୍କିତ ହୋଇ ପଡିଥିଲେ ଯେ ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିତ ଦେଶ ହୋଇ ମଧ୍ୟ ସେଠାରେ ଧାର୍ମିକ ଉନ୍ମାଦନା ବୃଦ୍ଧି ପାଇବାରେ ଲାଗିଛି ଓ ଏପରି ଘଟଣା ୟୁରୋପରେ ଦେଖିବାକୁ ମିଳିବା କଷ୍ଟ । ଭାରତର ଧାର୍ମିକ ସ୍ୱାଧିନତାର ରେକର୍ଡ ୟୁରୋପ ବିଶେଷକରି ପଶ୍ଚିମ ୟୁରୋପ ତୁଳନାରେ ଖରାପ ହୋଇ ଯାଇଛି ।

ସାମ୍ରାଜ୍ୟବାଦୀମାନଙ୍କର ଭାରତର ଧାର୍ମିକ ବ୍ୟବସ୍ଥାକୁ ନେଇ କରାଯାଉଥିବା ବିତର୍କର ପରିଣାମ ମଧ୍ୟ ଜଣାଶୁଣା ଥିଲା । ହାଉସ ଅଫ କମନ୍ସରେ ହୋଇଥିବା ବିତର୍କ ସୂଚନା ଦେବାକୁ ଚାହୁଁଥିଲା ଯେ ଭାରତରେ କେବଳ ଖ୍ରୀଷ୍ଟିଆନ ଏବଂ ଶିଖମାନେ ହେଉଛନ୍ତି ଅତ୍ୟାଚାରର ଶିକାର ହେଉଥିବା ଗୋଷ୍ଠୀ । ସେଥିରେ ମୁସଲମାନମାନଙ୍କ ବିଷୟରେ ଗୋଟିଏ ଶବ୍ଦ ମଧ୍ୟ କୁହା ଗଲା ନାହିଁ । ଅଥଚ ହିନ୍ଦୁ ଧର୍ମାନ୍ଧମାନଙ୍କ ହିଂସାର ପ୍ରଥମ ଲକ୍ଷ୍ୟ ହୋଇ ଥାଆନ୍ତି ମୁସଲମାନମାନେ । ଏହି ପାଶୋରିଦେବା ପଛର କାରଣଟି କ’ଣ? ଏହାର କାରଣଟି ହେଉଛି ୟୁରୋପ ଓ ଅନ୍ୟାନ୍ୟ ପ୍ରାଚ୍ୟ ଭୂଖଣ୍ଡରେ ମୁସଲମାନ ମାନଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ତାହାଠାରୁ ଭାରତର ମୁସଲିମମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବହୁତ୍ କମ । ଏକଥାଟି ହାମିଲଟନଙ୍କର କଥାରୁ ସ୍ପଷ୍ଟ ହୋଇ ଯାଇଥିଲା ଯିଏକି କହିଥିଲେ ଯେ ଗତ କେତେଦିନ ଧରି ସଂଯୁକ୍ତରାଜ୍ୟ(ୟୁକେ)ରେ ମୁସଲିମମାନଙ୍କ ଉପରେ ଅତ୍ୟାଚାର ଓ ତତସମ୍ବନ୍ଧିତ ଅପରାଧ ପ୍ରବଳ ପରିମାଣରେ ବୃଦ୍ଧି ପାଇଛି । କିନ୍ତୁ ଏ ସବୁ କଥା ଗୋଟିଏ ପଦରେ ଭାସି ଯାଇଥିଲା ଯେତେବେଳେ କଞ୍ଜରଭେଟିଭ ଦଳର ସାଂସଦ ଏଡୱାର୍ଡ  ଲୀ କହିଥିଲେ ଯେ ବିଶ୍ୱରେ ଯେତେ ସଂଖ୍ୟାଲଘୁ ଗୋଷ୍ଠୀ ଅତ୍ୟାଚାରର ଶିକାର ହେଉଛନ୍ତି ତା ଭିତରେ ଖ୍ରୀଷ୍ଟିଆନ ଓ ଅଳ୍ପସଂଖ୍ୟକ ମୁସଲିମଙ୍କ ସଂଖ୍ୟା ସବୁଠାରୁ ଅଧିକ । ସେ ଅଳ୍ପସଂଖ୍ୟକ ମୁସଲମାନ ଅର୍ଥ ପାକିସ୍ଥାନରେ ଥିବା ଅହମଦିଆ ମୁସଲିମମାନଙ୍କ କଥାର ଅବତାରଣା  କରୁଥିଲେ ଯେଉଁମାନେ କି ତାଙ୍କ ମତରେ ସେଠାକାର ପ୍ରଭାବଶାଳୀ ମୁସଲମାନ ମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି ।  ଏହାର ଅର୍ଥ କ’ଣ ଏଇଆ ଯେ ଅଣମୁସଲମାନ ସଂଖ୍ୟାବହୁଳ ରାଷ୍ଟ୍ର ଯେପରିକି ଭାରତ ଓ ବ୍ରିଟେନରେ ମୁସଲମାନମାନେ ସେମାନଙ୍କ ଧର୍ମ ପାଇଁ  ଅତ୍ୟାଚାରିତ ହେଉ ନାହାନ୍ତି ?  ସେମାନେ ଯଦି ଅତ୍ୟାଚାରିତ ହେଉଛନ୍ତି ତେବେ ତାହାର କାଣରଟି ହେଉଛି ସନ୍ତ୍ରାସବାଦ କାରଣରୁ ସେମାନଙ୍କୁ ସେପରି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

ଏ ସବୁ ସତ୍ତେ୍ୱ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ବ୍ରିଟିଶ ସରକାର ତାଙ୍କ ସହିତ ଭାରତରେ ଧାର୍ମିକ ସ୍ୱାଧିନତା ଉପରେ ଅତ୍ୟାଚାର କଥାକୁ ଉଠାଏ ତେବେ ତାହା ଏକ ସୁସମ୍ବାଦ ନିଶ୍ଚିତ ହେବ । କିନ୍ତୁ ଏହାର ସମ୍ଭାବନା ଏତେ ଉଜ୍ଜଳ ଦେଖା ଯାଉନାହିଁ । ଏ ବିଷୟରେ ହେବାକୁ ଥିବା ଆଲୋଚନା ଉପରେ ମତ ରଖି ବ୍ରିଟେନର ଏସିଆ ଏବଂ ପାସିଫିକ ବିଭାଗର ମନ୍ତ୍ରୀ ମାର୍କ ଫିଲ୍ଡ ଶପଥ କରି କହିଛନ୍ତି ଯେ ମୋଦିଙ୍କ ଗସ୍ତ ସମୟରେ ଓ ତାଙ୍କ ସହିତ ଆଲୋଚନା କାଳରେ ସେ ଏକଥା ନିଶ୍ଚିତ ଦେଖିବେ ଯେ ଯେପରି ସଂସଦର ସ୍ୱର ସେହି ଆଲୋଚନାରେ ଠିକ ଭାବରେ ଶୁଣିବାକୁ ମିଳେ । କିନ୍ତୁ ସେ ଏହା ସହିତ ତାଙ୍କ ସହକର୍ମୀମାନଙ୍କୁ ଏକଥା ମଧ୍ୟ କହିଛନ୍ତି ଯେ ବେଳେ ବେଳେ  କୁଟନୀତିକୁ ମେଗାଫୋନ ସହାୟତାରେ ନକରି ରୁଦ୍ଧଦ୍ୱାର ଭିତରେ ହିଁ କରିବାକୁ ହୋଇଥାଏ । ଏବେ ମୋଦିଙ୍କୁ ୨୦୧୫ ରେ ତାଙ୍କ ସରକାରଙ୍କ ପକ୍ଷରୁ ମିଳିଥିବା ସମ୍ବର୍ଦ୍ଧନା ଓ ସରକାରର ମନ୍ତ୍ରୀ ଫିଲ୍ଡଙ୍କ କଥାକୁ ମିଶାଇ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବୈଠକରୁ ଅଧିକ  କିଛି ଆଶା କରାଯିବାର ହିଁ ନାହିଁ । ବ୍ରେକ୍ସିଟଙ୍କ ପରେ ବ୍ରିଟେନ ପକ୍ଷରୁ ଭାରତ ସହିତ ସମ୍ପର୍କ ସୁଦୃଢ କରିବାପାଇଁ ଅଧିକ ଉତ୍ସାହ ପ୍ରକାଶ ପାଇଛି ।  ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ମଧ୍ୟରେ ଯେଉଁ ବୈଠକ ହେବାକୁ ଯାଉଛି ସେଥିରେ ବାଣିଜ୍ୟ ଓ ବେପାରକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ଭାରତରେ ଗୋଟିଏ ବାଣିଜ୍ୟ କେନ୍ଦ୍ର ବା ଟ୍ରେଡ ହବ କରାଯିବା କଥା ଚିନ୍ତା କରାଯାଉଛି । ତେଣୁ ଏକଥା ଆଶା କରାଯିବା ଅନୁଚିତ୍ ଯେ ବ୍ରିଟେନ ପକ୍ଷରୁ ଗସ୍ତରେ ଆସିଥିବା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧାର୍ମିକ ବିଷୟରେ ଆଲୋଚନା କରି ବିରକ୍ତ କରାଇବାକୁ ଉଦ୍ୟମ କରାଯିବ ।

ଏକଥାରେ କାହାରି ଦ୍ୱିମତ ନାହିଁ ଯେ ଭାରତରେ ଖ୍ରୀଷ୍ଟିଆନ ତଥା ଶିଖ ମାନଙ୍କ ପରି ଅଳ୍ପସଂଖ୍ୟକ ବର୍ଗଙ୍କ ଉପରେ ଚାଲିଥିବା ଅତ୍ୟାଚାର ମଧ୍ୟ ଏକ ଯଥାର୍ଥ ବିଷୟ । କନ୍ଧମାଳରେ ୨୦୦୮ରେ ଶିକାର ହୋଇଥିବା ଖ୍ରୀଷ୍ଟିଆନମାନେ ଏବେ ମଧ୍ୟ ନ୍ୟାୟ ପାଇବା ଆଶାରେ ଅପେକ୍ଷା କରି ରହିଛନ୍ତି । ସେହିପରି ୧୯୮୪ରେ ଦେଶରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା କଥା କେହି ଭୁଲି ପାରି ନାହାନ୍ତି । କିନ୍ତୁ ଏବେ ବ୍ରିଟିଶ ସଂସଦରେ ତାକୁ ନେଇ ଯେପରି ସାମ୍ରାଜ୍ୟବାଦୀ  ସମାଲୋଚନା ସବୁ ଚାଲିଲା ସେଥିରେ ତାହାର ଉଦ୍ଦେଶ୍ୟ ଓ ସୀମା ଜଣା ପଡିଗଲା । ସାମ୍ପ୍ରତିକ ଭାରତରେ ମୁସଲମାନମାନେ ଯେଭଳି ଭୟଙ୍କର ହିଂସାର  ଅନୁଭୂତି ଭିତର ଦେଇ ଗତି କରୁଛନ୍ତି ତାହା ଭାଷାରେ ବର୍ଣ୍ଣନା କରିବା କଷ୍ଟକର । ଏପରି ଆଲୋଚନା ମଧ୍ୟ ଧାର୍ମିକ ହିଂସାର ଜଟିଳତାକୁ ବୁଝିବାରେ ବହୁ ସମସ୍ୟା ସୃଷ୍ଟି କରିଥାଏ । ଭାରତରେ ଖ୍ରୀଷ୍ଟିଆନମାନେ କେବଳ  ଏଇଥିପାଇଁ ଅତ୍ୟାଚାରିତ ନୁହନ୍ତି ଯେ ସେମାନେ ବାଇବେଲ ପଢନ୍ତି, ବରଂ ସେମାନଙ୍କୁ ଅତ୍ୟାଚାରର ଶିକାର କରାଯିବାର ଗୋଟିଏ ମୂଳ କାରଣ ହେଉଛି ସେମାନେ ସବୁ ଦଳିତ ଓ ଆଦିବାସୀ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଥିବା ସଂଖ୍ୟାଲଘୁଙ୍କ ପରି ସେମାନେ ଯେଉଁ ଜମି ଓ ସଂସାଧନ ଉପରେ ବସବାସ କରୁଛନ୍ତି ତାହାକୁ ହଡପ କରିନେବାକୁ ବିଶ୍ୱ-ପୁଞ୍ଜିବାଦୀ ଶ୍ରେଣୀ ଲାଳାୟିତ ।  ବିଶ୍ୱ ପରିପ୍ରେକ୍ଷୀରେ ଦେଖିଲେ ମହାନଗରୀୟ ପୁଞ୍ଜିବାଦୀଙ୍କ ନବ୍ୟ-ସାମ୍ରାଜ୍ୟବାଦୀ ଆକାଂକ୍ଷା ହିଁ ଧାର୍ମିକ ସଂଖ୍ୟାଲଘୁଙ୍କ ସହିତ ଦୂର୍ବଳଶ୍ରେଣୀର ଲୋକମାନଙ୍କୁ ସାରା ବିଶ୍ୱରେ ଉତ୍ପୀଡନର ଶିକାର କରିବାରେ ଲାଗିଛି । ତେଣୁ ସାମ୍ରାଜ୍ୟବାଦୀ ଧାରଣା ଭିତରେ ରହି ଧାର୍ମିକ ଅତ୍ୟାଚାର ବିରୋଧୀ ଆଲୋଚନାରୁ କିଛି ଫାଇଦା ମିଳିବା ଅସମ୍ଭବ ।

Back to Top