ISSN (Print) - 0012-9976 | ISSN (Online) - 2349-8846

ଘରୋଇ ପୁଞ୍ଜି ଠୁଳୀକରଣ ଥଇଥାନ ସଂସ୍ଥା

ଅର୍ଥନୈତିକ ସର୍ବେକ୍ଷଣରେ ଗଢ଼ିଚାଲିଥିବା ଦ୍ୱୈତ ହିସାବପତ୍ର (ତୁଳନା ପତ୍ର) ସମସ୍ୟାର ଚିକିତ୍ସାକୁ ନେଇ ଯେଉଁ ପ୍ରସ୍ତାବ ରଖାଯାଇଛି ତାହା ଗଭୀର କ୍ଷତରେ ବ୍ୟାଣ୍ଡଏଡ଼୍ ଲଗାଇବା ସଦୃଶ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଘା’ ଭଳି ବଢ଼ି ଚାଲିଥିବା ‘ଦ୍ୱୈତ ତୁଳନାପତ୍ର ସମସ୍ୟା’ କହିଲେ ଦିନକୁ ଦିନ ଗୁରୁତରଭାବେ ଅଧୋଗତି ଆଡ଼କୁ ଯାଉଥିବା ଆର୍ଥିକ ଦୁଃସ୍ଥତାକୁ ବୁଝାଉଛି ଯାହାର ଗୋଟିଏ ପଟେ ଅଛି ‘ଭୀଷଣ ଭାବେ ଋଣଗ୍ରସ୍ତ କମ୍ପାନୀମାନେ ଯେଉଁମାନେ ଋଣର ସୁଧ ପୈଠ କରିବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି । ଯେଉଁମାନଙ୍କର ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଖର୍ଚ୍ଚ ହେଉଥିବା ଅର୍ଥ ଭରଣ ମଧ୍ୟ କରିପାରୁନାହାନ୍ତି । ଏହି ଦୁଃସ୍ଥତାର ଅନ୍ୟପଟେ ଅଛନ୍ତି ଅତ୍ୟଧିକ ଋଣ ଦେଇ ଦୁଃସ୍ଥ ଅବସ୍ଥାକୁ ଆସିଥିବା ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଯେଉଁମାନେ ନା ଋଣ, ନା ଋଣର ସୁଧ କେଉଁଟି ବି ଆଦାୟ କରିପାରୁନାହାନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ବଡ଼ ବଡ଼ କମ୍ପାନୀମାନଙ୍କୁ ଦେଇଥିବା ଭାରି ଋଣଗୁଡ଼ିକ କେମିତି ସଜଡ଼ାସଜଡ଼ି କରି ଅନାଦେୟ ଋଣର ସମାଧାନର ବାଟ ବାହାର କରିବାରେ ଅକ୍ଷମ ହେଉଥିବାବେଳେ, ଅନାଦେୟ ଋଣ ବା କେବେ ଆଉ ଆଦାୟ ହେବାର ସମ୍ଭାବନା ନଥିବା ଋଣ ଟଙ୍କାର ପରିମାଣ ବଢ଼ି ବଢ଼ି ଚାଲିଛି । ଏତିକିବେଳେ ବ୍ୟବସାୟିକ କ୍ଷେତ୍ର ଓ ଘରୋଇ ପୁଞ୍ଜି ବିନିଯୋଗ ପାଇଁ ଋଣ ନ ଦେଇପାରିବା ଯୋଗୁଁ ବ୍ୟାଙ୍କମାନଙ୍କ ଅବସ୍ଥା ଖରାପ ହେଇଚାଲିଛି । ଏଭଳି ଏକ ଅବସ୍ଥାରୁ ବାହାରିବା ପାଇଁ ଅର୍ଥନୈତିକ ସର୍ବେକ୍ଷଣ ୨୦୧୫-୧୬ର ଲେଖକମାନେ ଗୋଟିଏ ପରାମର୍ଶ ଦେଇଛନ୍ତି । ତାହାହେଲା କେନ୍ଦ୍ରୀୟ ସ୍ତରରେ ‘ପବ୍ଲିକ୍ ସେକ୍ଟର ଆସେଟ୍ ରିହାଲାବିଲିଟିସନ୍ ଏଜେନ୍ସି’ ବା ପାରା ଯିଏକି ସବୁଠାରୁ ବଡ଼ ଏବଂ କଷ୍ଟକର ମାମଲାଗୁଡ଼ିକ ହାତକୁ ନେବ ଏବଂ ଋଣର ବୋଝ ହ୍ରାସ କରିବାପାଇଁ ରାଜନୈତିକ ଦୃଷ୍ଟିରୁ କଠିନ ନିଷ୍ପତି ସବୁ ନେବ । ରାଷ୍ଟ୍ରାୟତ ବ୍ୟାଙ୍କମାନେ ଦେଇଥିବା ମୂଳ ଅଗ୍ରୀମ ଟଙ୍କାର ୬ଭାଗରୁ ୧ଭାଗ ଟଙ୍କା ‘ଚାପ’ ଭିତରେ ଅଛି- ସେଗୁଡ଼ିକ ‘ଅଚଳ’ କରିଦିଆଯାଇଛି ବା ‘ପୁଣିଥରେ ଏପଟ-ସେପଟ କରାଯାଉଛି’ ବା ସମ୍ପୂର୍ଣ୍ଣ ଛାଡ଼ କରିଦିଆଯାଉଛି । ଚାପ ଭିତରେ ଅଧିକାଂଶ ଅଗ୍ରୀମ ଟଙ୍କା ‘ଅଚଳ’ ଅବସ୍ଥାରେ ଅଛି । ଅର୍ଥନୈତିକ ସର୍ବେକ୍ଷଣ ସେହି ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ଯେଉଁମାନେ ‘ଲକ୍ଷ ଲକ୍ଷ କୋଟି’ ଟଙ୍କାର ନୂଆ ପ୍ରକଳ୍ପ ସବୁ ଆରମ୍ଭ କରିଛନ୍ତି ଶକ୍ତି ଉତ୍ପାଦନ, ଇସ୍ପାତ ଏବଂ ଟେଲିକମ୍ ଭଳି ଭିତିଭୂମି ସମ୍ପର୍କିତ କ୍ଷେତ୍ରରେ (ସେ ଭିତରେ ସଡ଼କ ଓ ରାଜପଥ, ବନ୍ଦର, ନାଗରିକ, ବିମାନ ଉଡ଼ାଣ ଇତ୍ୟାଦି ମଧ୍ୟ ରହିବା କଥା) କିନ୍ତୁ ସେମାନଙ୍କର ଏଭଳି ଆୟ ହେଉନାହିଁ ଯେ ସେମାନେ ଯେଉଁ ବ୍ୟାଙ୍କ ବା ବାହ୍ୟ ବାଣିଜ୍ୟ ସଂସ୍ଥାମାନଙ୍କଠୁ ଋଣ ଆଣିଛନ୍ତି ତା’ର ସୁଧ ପୈଠ କରିବା ପାଇଁ ସକ୍ଷମ ହୋଇପାରିବେ । ବାହ୍ୟ ବାଣିଜ୍ୟ ସଂସ୍ଥାମାନଙ୍କଠୁ ଋଣ ଆଣିବା ପରେ ସେମାନେ ସବୁଠାରୁ ବେଶୀ ଆଘାତପ୍ରାପ୍ତ ହେଉଛନ୍ତି ଯେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି କମି ଯାଉଛି । ଟଙ୍କାରେ ସୁଧ ପୈଠ କଲାବେଳକୁ ଅଧିକ ଟଙ୍କାର ଆବଶ୍ୟକତା ପଡ଼ୁଛି ଏବଂ ଋଣମୁକ୍ତ ଅବସ୍ଥା ଆସିବା ଅସମ୍ଭବ ହୋଇପଡ଼ୁଛି । ତା’ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମୁଦ୍ରାସ୍ଫୀତି’କୁ ଲକ୍ଷ୍ୟ ରଖି ନିଆଯାଉଥିବା ମୁଦ୍ରା ନୀତି ମଧ୍ୟ ସାମଗ୍ରିକ ଭାବେ ଋଣର ବୋଝଟିକୁ ବଢ଼ାଇ ଦେଉଛି ।

ରିଜର୍ଭ ବ୍ୟାଙ୍କ କମ୍ପାନୀମାନଙ୍କ ଋଣକୁ ନେଇ ପୁନଃ ସଙ୍ଗଠିତ କରାଇଛନ୍ତି ଯାହାକି ଋଣ ଦେବା ଲୋକ ଅପେକ୍ଷା ଋଣ ନେବା ଲୋକଟିକୁ ସୁହାଇଛି ଯେମିତିକି ଋଣ ପୈଠ କରିବାର ସମୟସୀମାକୁ ବଢ଼ାଇ ଦେବା, ସୁଧର ହାରକୁ କମାଇବା, କିଛି ଋଣ ପୁଞ୍ଜିକୁ ଅଂଶଧନ ପୁଞ୍ଜିରେ ପରିବର୍ତନ କରିବା ଏବଂ ଅତିରିକ୍ତ ଋଣ ଦେବା । ଏସବୁ ସତ୍ୱେ କମ୍ପାନୀମାନଙ୍କ ସ୍ଥିତିରେ ସୁଧାର ଆସିପାରି ନାହିଁ । ସୁତରାଂ ସୁଧାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧନ ହେଇପାରି ନାହିଁ । ଯଦିଓ ଅର୍ଥନୈତିକ ସର୍ବେକ୍ଷଣର ଲେଖକମାନେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ଏଥିରେ କୌଣସି ନୈତିକ ପ୍ରଶ୍ନ ଜଡ଼ିତ ନାହିଁ । ତେବେ ସୁଧାର କାର୍ଯ୍ୟକ୍ରମରେ ଘରୋଇ ପୁଞ୍ଜି ଲଗାଣକାରୀମାନଙ୍କୁ ଉଦ୍ଧାର କରିବା ପାଇଁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ମୂଲ୍ୟ ଦେବାକୁ ପଡ଼ୁଛି ।

ଉଦାରୀକରଣର ଏକ ପ୍ରମୁଖ କାର୍ଯ୍ୟସୂଚୀ ଥିଲା କେମିତି ଭିତିଭୂମି ସମ୍ପର୍କିତ କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କର ବଡ଼ ଧରଣର ପ୍ରବେଶ ପାଇଁ ପଥ ପ୍ରଶସ୍ତ କରାଯାଇପାରିବ । କର୍ପୋରେଟ ବଣ୍ଡ୍ ବଜାର ଓ ବଡ଼ ବଡ଼ ବିତଶୀଳ କମ୍ପାନୀମାନେ ଯେତେବେଳେ ଏହି ଭିତିଭୂମି ପ୍ରକଳ୍ପଗୁଡ଼ିକରେ ସେମାନେ ଖର୍ଚ୍ଚ କରିବାକୁ ଥିବା ଅର୍ଥ ଆଣିପାରିଲେ ନାହିଁ, ସେତେବେଳେ ସରକାର ଘରୋଇ-ସରକାରୀ ଭାଗିଦାରିତା କଥା ଉଠାଇ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଉପରେ ଚାପ ସୃଷ୍ଟି କଲେ ଏଭଳି ବିପୁଳ ଅର୍ଥ ବ୍ୟୟ ଅଟକଳ କରାଯାଇଥିବା ପ୍ରକଳ୍ପଗୁଡ଼ିକୁ ଦୀର୍ଘମିଆଦି ବଡ଼ ଧରଣର ଋଣ ଯୋଗାଇ ଦେବାପାଇଁ । ଏହି ସବୁ ପ୍ରକଳ୍ପ କାମ କରିବାପାଇଁ ଲମ୍ବା ସମୟ ଲାଗିଥାଏ ଏବଂ ତା’ର ଋଣ ପରିଶୋଧ ଆରମ୍ଭ କରିବା ପାଇଁ ସମୟ ମଧ୍ୟ ବେଶୀ ଲାଗିଥାଏ । ଅଧିକାଂଶ କ୍ଷେତ୍ରରେ ଘରୋଇ ବ୍ୟାଙ୍କମାନେ ଏସବୁ ପ୍ରକଳ୍ପଗୁଡ଼ିକରେ ଅର୍ଥ ଲଗାଣ ପାଇଁ ସିଧାସଳଖ ଅନିଚ୍ଛୁକ ରହିଆସିଛନ୍ତି ।

କ୍ରମାଗତ ଭାବେ କେନ୍ଦ୍ରରେ ଥିବା ସରକାରମାନେ ଏହି ଦ୍ୱୈତ ତୁଳନାପତ୍ର ସମସ୍ୟା ବା ଅତ୍ୟଧିକ ଋଣ ନେଇ ସୁଧ ବି ପୈଠ କରୁନଥିବା କମ୍ପାନୀ ଓ ଖରାପ ଋଣ ଦେଇ ତଳିତଳାନ୍ତ ହେଉଥିବା ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ସମସ୍ୟାକୁ ଅଧିକ ହୃଷ୍ଟପୁଷ୍ଟ କରି ଗୋଟିଏ ଘାଟିକୁ ବଢ଼ିବାରେ ସାହାଯ୍ୟ କରିଆସିଥିବା ବେଳେ, ଏବେକାର ସରକାରଙ୍କୁ ସେଥିରୁ ବାହାରିବା ପାଇଁ ଉପାୟ ବାହାର କରିବାକୁ ପଡ଼ୁଛି । କିନ୍ତୁ ପ୍ରସ୍ତାବିତ ‘ପାରା’ ବା ରାଷ୍ଟ୍ରୀୟ ସମ୍ପତି ଥଇଥାନ ସଂସ୍ଥାଟି କ’ଣ ଗୋଟିଏ ସମାଧାନ ହୋଇପାରିବ । ମୂଳତଃ ‘ପାରା’ ବ୍ୟାଙ୍କମାନଙ୍କର ବଡ଼ଧରଣର ପୈଠ ହୋଇପାରୁନଥିବା ଋଣଗୁଡ଼କୁ କିଣିବ ଏବଂ ତା’ପରେ ସେସବୁକୁ ନେଇ କାମ କରିବ । ଯେମିତିକି ଋଣଟିକୁ ଅଂଶଧନରେ ରୂପାନ୍ତରିତ କରିବା; ନିର୍ଣ୍ଣାୟକ ଭାଗଗୁଡ଼ିକୁ ନିଲାମରେ ବିକ୍ରି କରିବା ବା ଋଣ ହ୍ରାସ କରିବା ପାଇଁ ସୁଯୋଗ ଦେବା ସବୁକିଛି କମ୍ପାନୀମାନଙ୍କ ଅର୍ଥନୈତିକ କ୍ଷମତାକୁ ସ୍ଥିର ରଖିବା ପାଇଁ ଉଦ୍ଦିଷ୍ଟ ରହିବ । ବଡ଼ ବଡ଼ ଅନାଦେୟ ଋଣଗୁଡ଼ିକୁ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଖାତାରୁ ଉଠାଇ ଦିଆଯିବା ପରେ ସରକାର ବ୍ୟାଙ୍କଗୁଡ଼ିକୁ ପୁଣି ପୁଞ୍ଜି ଯୋଗାଇ ସେମାନଙ୍କର ଆର୍ଥିକ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବେ । ‘ପାରା’କୁ ତିନୋଟି ସୂତ୍ରରୁ ଅର୍ଥ ଆସିବ - ସରକାରୀ ସିକ୍ୟୁରିଟି ଲୋକଙ୍କୁ ଯୋଗାଇ ଦେଇ (ଅର୍ଥାତ ସଂଚୟ ପତ୍ର, ଟ୍ରେଜେରି ବିଲ ଏବଂ ନୋଟ ମାଧ୍ୟମରେ ଯାହାର ନିର୍ଦ୍ଦିଷ୍ଟ ଅବଧି ସରିଲେ ଟଙ୍କା ପୈଠ କରାଯିବ ଏବଂ ସମୟ ସମୟରେ ସୁଧ ମଧ୍ୟ ସିକ୍ୟୁରିଟି କିଣିଥିବା ଲୋକଙ୍କୁ ଦିଆଯାଇପାରିବ) ଏହାର ଅଂଶଧନ ଦେବାପାଇଁ ଘରୋଇ ପୁଞ୍ଜି ବିନିଯୋଗକାରୀଙ୍କୁ ପ୍ରୋତ୍ସାହିତ କରି ଏବଂ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ।

୧୯୯୦ଦଶକରେ ପୂର୍ବ ଏସିଆରେ ଦେଖା ଦେଇଥିବା ଆର୍ଥିକ ସଙ୍କଟକୁ ଅତିକ୍ରମ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଢାଂଚାରେ ଏଭଳି ଏକ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସମ୍ପତି ଥଇଥାନ ହିସାବରେ ପ୍ରଚାରିତ କରାଯାଉଛି । ଯେଉଁ ମୂଳକଥାଟି ‘ପାରା’ର ବୁକୁରେ ଛପିରହିଛି ତାହା ହେଲା ଯେ, ‘ପାରା’ ଅନାଦେୟ ଋଣ ସମ୍ପର୍କିତ ସମ୍ପତିଗୁଡ଼ିକୁ ଦୁଃସ୍ଥ ଦରରେ କିଣିବ, ସେସବୁକୁ ଆର୍ଥିକ ଦୃଷ୍ଟିରୁ ଚଳମାନ କରାଇବ ଏବଂ ତା’ପରେ ଯେଉଁ ନିର୍ଣ୍ଣାୟକ ଭାଗ ସାମ୍ନାକୁ ଆସିବ ତାକୁ ଯେଉଁମାନେ ଅଧିକ ଅର୍ଥ ଦେବେ ସେମାନଙ୍କୁ ବିକ୍ରି କରିବ । ସେମାନେ ମୁଖ୍ୟତଃ ଘରୋଇ ପୁଞ୍ଜିଲଗାଣକାରୀ ସଂସ୍ଥା ହୋଇଥିବେ । ଯେହେତୁ ପ୍ରକଳ୍ପଗୁଡ଼ିକ ରାଷ୍ଟ୍ରୀୟ କ୍ଷେତ୍ରରେ ଭିତିଭୂମି ସମ୍ପର୍କିତ ପ୍ରକଳ୍ପ, ସେମାନେ ମଧ୍ୟ ଏକଥା ଜାଣନ୍ତି ଯେ ଯଦି ସେମାନେ ବିଫଳ ହୁଅନ୍ତି ସରକାର ପୁଣି ସେମାନଙ୍କୁ ସେ ଭିତରୁ ଉଦ୍ଧାର କରିବେ । ସୁତରାଂ ସେମାନେ କମ୍ ସାବଧାନ ହେବେ ଏବଂ ଅଧିକ ବିପତିମୂଳକ ନିଷ୍ପତି ନେବେ ଯାହାଫଳରେ ପୂର୍ବରୁ ହୋଇଥିବା କ୍ଷତି ତୁଳନାରେ ଏହି ସୁଧାର କାର୍ଯ୍ୟକ୍ରମଟି ଅଧିକ ଖର୍ଚ୍ଚବହୁଳ ହୋଇଯିବ ।

ମୂଳ ସମସ୍ୟାଟି ଯାହା ଜଣେ ସ୍ୱୀକାର କରିବା କଥା, ତାହା ହେଉଛି ଯେ ଆର୍ଥିକ ପୁଞ୍ଜିଟି ମୂଳ ପ୍ରୋତ୍ସାହକମାନଙ୍କଠୁ ଆସୁ ବା ନିଲାମରେ କରିଥିବା ଲୋକମାନଙ୍କ ପାଖରୁ ଆସୁ ପୁଞ୍ଜି ବିନିଯୋଗର ଅସଲ ଉଦ୍ଦେଶ୍ୟ ରହିବ ଘରୋଇ ସଂସ୍ଥାମାନଙ୍କର ଆର୍ଥିକ ଲାଭକୁ ବଢ଼ାଇବା । ଏମିତିରେ ତ ବିପୁଳ ବୈଦେଶିକ ମୁଦ୍ରାକୁ ମଜବୁତ ରଖିବା ଯୋଗୁଁ ବ୍ୟାଙ୍କମାନଙ୍କୁ ଅର୍ଥ ଯୋଗାଇ ଦେବାପାଇଁ କୌଣସି ସମସ୍ୟା ସାମ୍ନା କରିବାକୁ ପଡ଼ିବନି । ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରାର କେବଳ ଗୋଟିଏ ଭାଗକୁ ନିରାପଦ ରଖିଛନ୍ତି । ଯାହାର ବିନିଯୋଗ ହୋଇପାରିବ ନାହିଁ । ଏମିତିକି ଅଧିକ ଆୟ କରୁଥିବା ଅଣ ଅର୍ଥଲଗାଣକାରୀ ସଂସ୍ଥାମାନେ ଯେଉଁମାନେ ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକୃତ ପୁଞ୍ଜି ବିନିଯୋଗଗୁଡ଼ିକୁ ଅର୍ଥ ଯୋଗାଇ ଦେବାରେ ସକ୍ଷମ । ସେମାନେ ନିଜକୁ ଗୋଟିଏ ଗୋଟିଏ ଅର୍ଥ ଲଗାଣକାରୀ ସଂସ୍ଥା ହିସାବରେ ଉପସ୍ଥାପନ କରିବା ଆରମ୍ଭ କରିଦେଲେଣି । ସେମାନେ ଆର୍ଥିକ ଲାଭ ଉଠାଇବା ପାଇଁ ବିଭିନ୍ନ ପ୍ରକାର ବ୍ୟବସାୟଗୁଡ଼ିକ ଉପରେ ବାଜି ଲଗାଇଲେଣି । ଯେତେବେଳେ ଘରୋଇ କମ୍ପାନୀମାନଙ୍କୁ ସବୁପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ଭିତିଭୂମି ସମ୍ପର୍କିତ ବ୍ୟାପକ କ୍ଷେତ୍ରରେ ପ୍ରବେଶ କରିବାପାଇଁ ଅଣ ଅର୍ଥଲଗାଣକାରୀ ବ୍ୟବସାୟିକ ଗୋଷ୍ଠୀଗୁଡ଼ିକ ଅଧିକରୁ ଅଧିକ ଖୋଜି ଚାଲିଛନ୍ତ, କେମିତି ଲାଭ ମିଳିବାର ସୁଯୋଗମାନ କେଉଁ ସବୁ କ୍ଷେତ୍ରରେ ପାଇପାରିବେ । ଆର୍ଥିକ ଦୃଷ୍ଟିରୁ ପୁଞ୍ଜି ବିନିଯୋଗ କଥା ଆଖିଆଗରେ ଯଦିଓ ଦେଖାଯାଉ ନାହିଁ । ପ୍ରକୃତରେ ପୁଞ୍ଜିବାଦୀ ଠୁଳିକରଣ ପ୍ରକ୍ରିୟାରେ ଅର୍ଥ ଲାଭ କରିବାର ବୃହତର ଓଜନଟି ‘ଦ୍ୱୈତ ତୁଳନା ପତ୍ର ସମସ୍ୟା’ର ମୂଳରେ ହିଁ ରହିଛି । ‘ପାରା’ କୌଣସ ଦୀର୍ଘକାଳୀନ ପ୍ରତିକାର ଯୋଗାଇ ଦେବା ପରିବର୍ତେ ଗୋଟିଏ ବଡ଼ ଧରଣର କ୍ଷତ ପାଇଁ ସର୍ବାଧିକ କେବଳ ବ୍ୟାଣ୍ଡ୍ ଏଡ଼୍ଟିଏ ଲଗାଇ ଦେଇପାରେ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top