ISSN (Print) - 0012-9976 | ISSN (Online) - 2349-8846

ଗଢ଼ ବା ଭାଙ୍ଗ

ଉତରପ୍ରଦେଶ ନିର୍ବାଚନର ପରିଣାମ ଭାରତୀୟ ରାଜନୀତିର ରୂପରେଖ ନିର୍ଦ୍ଧାରଣ କରିବ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଉତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଯେ ନିକଟ ଭବିଷ୍ୟତରେ ଭାରତୀୟ ରାଜନୀତିର ଗତିପଥ ଉପରେ ଏକ ନିର୍ଣ୍ଣାୟକ ପ୍ରଭାବ ପକାଇବ, ଏହାର ସତ୍ୟତା ସ୍ପଷ୍ଟ ହୋଇଗଲାଣି । ସର୍ବୋପରି ଏହି ରାଜ୍ୟରେ ଦେଶର ଛଟି ଲୋକଙ୍କ ଭିତରୁ ଜଣେ ବାସ କରନ୍ତି; ଯଦି ଏହା ଦେଶଟିଏ ହୋଇଥାନ୍ତା, ତେବେ ବିଶ୍ୱର ୫ମ ଜନବହୁଳ ଦେଶ ହିସାବରେ ପରିଗଣିତ ହୁଅନ୍ତା । କିନ୍ତୁ ଇତିହାସରେ ଏଭଳି କିଛି ମୁହୂର୍ତ ଆସିଥାଏ, ଯେତେବେଳେ ଏତେସବୁ ଗୁରୁତ୍ୱ ବହନ କରୁଥିବା ରାଜ୍ୟଟିର ମହତ୍ୱ ଅଧିକ ବଢ଼ିଯାଇଥାଏ । ବର୍ତମାନ ଚାଲିଥିବା ନିର୍ବାଚନଗୁଡ଼ିକର ସମୟକାଳ ଓ ପୃଷ୍ଠଭୂମିକୁ ନିରୀକ୍ଷଣ କଲେ ଆମେ ସେମିତି ଏକ ମୁହୂର୍ତରେ ପହଂଚି ଯାଇଛନ୍ତି ।

ନାଟକୀୟ ଭଙ୍ଗୀରେ ନଭେମ୍ବର ୮,୨୦୧୬ ଦିନ ପ୍ରଚଳିତ ମୁଦ୍ରାର ୮୬ ଭାଗ ଟଙ୍କାକୁ ଅଚଳ କରାଇବା ପାଇଁ ପ୍ରଧାମନ୍ତ୍ରୀଙ୍କ ଘୋଷଣା ପରେ ପ୍ରଥମ କରି ଏହି ସବୁ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଯେହେତୁ ନିର୍ବାଚନ ହେଉଥିବା ୫ଟି ରାଜ୍ୟ ଭିତରୁ ସବୁଠାରୁ ବଡ଼ ରାଜ୍ୟ ଉତରପ୍ରଦେଶ , ସେଠି ଯେଉଁ ରାୟ ମିଳିବ, ତାକୁ ବିମୁଦ୍ରୀକରଣ ଉପରେ କେତେକାଂଶରେ ଏକ ଜନମତ ହିସାବରେ ବିଚାର କରାଯିବ । ଉତରପ୍ରଦେଶରେ ଯଦି ଭାଜପା ନିର୍ବାଚନ ଜିତିଯାଏ ବା ଅନ୍ତତଃ ସଂଖ୍ୟାଗରିଷ୍ଠ ଦଳ ହିସାବରେ ସାମ୍ନାକୁ ଆସେ, ତେବେ ଜନମତଟି ମୋଦୀଙ୍କ ସପକ୍ଷରେ ଯାଇଛି ବୋଲି କୁହାଯିବ । ଏକଥା ମଧ୍ୟ ନିଃସନ୍ଦେହ ବୋଲି କୁହାଯିବ ଯେ ଭାଜପାର କେବଳ ସେ ହେଉଛନ୍ତି ସବୁଠାରୁ ବଡ଼ କରିସ୍ମାଥିବା ରାଜନେତା । ତାଙ୍କର ତୀକ୍ଷ୍ଣ ରାଜନୈତିକ ସ୍ୱଭାବ ରହିଛି । ମୋଦୀଙ୍କ ଭଳି ନହେଲେ ବି ଦଳର ସଭାପତି ତଥା ମୋଦୀଙ୍କ ପରମ ବିଶ୍ୱସ୍ତ ଅମିତ ଶାହାଙ୍କର ମଧ୍ୟ ଲାଭ ହେବ । ଏଭଳି ଏକ ଜନସମର୍ଥନ, କିଛିଟା ନିର୍ବିଘ୍ନରେ କହିହେବ ଯେ , ଅସହାୟ ଅବସ୍ଥାରେ ଥିବା ବିରୋଧୀ ଦଳମାନଙ୍କୁ ଅଧିକ ଅସହାୟ କରାଇବା ପାଇଁ ଏବଂ ସେମାନଙ୍କ ପ୍ରତି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସହାୟକ ହେବ ।

ଅନ୍ୟପଟେ ଯଦି ଉତରପ୍ରଦେଶରେ ଭାଜପା ଦ୍ୱିତୀୟ ବା ତୃତୀୟ ସ୍ଥାନରେ ରହେ, ମୋଦୀ ଓ ଶାହାଙ୍କ ଭାବମୂର୍ତିକୁ ଶକ୍ତ ଧକ୍କା ମିଳିବ । ୨୦୧୪ ଲୋକସଭା ନିର୍ବାଚନବେଳେ ୪୦୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ ୩୨୮ଟିରେ ଆଗୁଆ ଥିବା ଦଳଟି ଚଳିତ ବିଧାନସଭା ନିର୍ବାଚନରେ ଏଭଳି ଫଳାଫଳ ଆସିଲେ ନିମ୍ନଗାମୀ ହେଉଛି ବୋଲି ଧରି ନିଆଯିବ । ନିଜ ଦଳଭିତରେ ସମ୍ପ୍ରତି ନିରାଶା ଭିତରେ ଥିବା ମୋଦୀ ବିରୋଧୀମାନେ ବାହାରକୁ ଆସିଯିବେ, ଏବଂ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବାର ବଳ ପାଇବେ ଯେ, ବେପରୁୱା ରାଜନୀତିକୁ ନିଜର କରି, ଜୁଆଖେଳ ଖେଳି ବିମୁଦ୍ରୀକରଣ ଭଳି ନିଷ୍ପତି ନେଉଥିବା ଗୋଟିଏ ଲୋକ ହାତରେ ନିଜ ଦଳର ଭବିଷ୍ୟତ କେତେ ସୁରକ୍ଷିତ ରହିବ । ଏମିତି ବି ହୋଇପାରେ ଯେ ଅଧିକାଂଶ ରୋଷ ମୋଦୀଙ୍କ ପ୍ରତିରୂପ ଅମିତ ଶାହାଙ୍କ ଆଡ଼କୁ ବାଟେଇ ଦିଆଯିବ । କିନ୍ତୁ ଉତରପ୍ରଦେଶରେ ଯଦି ଭାଜପାର ପରାଜୟ ହୁଏ, ତେବେ ତାହା ଦଳର ଚାରିସୀମା ଭିତରେ ସୀମିତ ନରହି ବହୁ ସୁଦୂରପ୍ରସାରୀ ପ୍ରଭାବ ପକାଇବ । ସମାଜବାଦୀ ପାର୍ଟି-କଂଗ୍ରେସ ଗଠବନ୍ଧନ ହେଉ ବା ବହୁଜନସମାଜ ପାର୍ଟି ଯିଏ ବି ପ୍ରଥମ ସ୍ଥାନରେ ରହିବ ସେ ଯେ ଉତରପ୍ରଦେଶ ରାଜନୀତିରେ ବଡ଼ ପ୍ରଭାବ ପକାଇବ କେବଳ ସେତିକି ନୁହେଁ, ବରଂ ସେ ଜାତୀୟସ୍ତରରେ ରାଜନୈତିକ ଅଭିଳାଷ ପୂରଣ କରିବାପାଇଁ ଏହି ବିଜୟକୁ ଆଦ୍ୟପର୍ବ ହିସାବରେ ବିଚାର କରିବ । ଅକ୍ଟୋବର ୨୦୧୫ରେ ବିହାର ବିଧାନସଭା ନିର୍ବାଚନରେ ବିଜୟ ପରେ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଭାଜପାକୁ ଚୁନୈତି ଦେବାପାଇଁ ବିରୋଧ ଦଳମାନଙ୍କର ସମ୍ଭାବ୍ୟ ଗଠବନ୍ଧନର ସର୍ବସମ୍ମତ ନେତା ହିସାବରେ ମୁଖ୍ୟମନ୍ତ୍ରୀ ନିତୀଶକୁମାରଙ୍କ ନାଁ ଆଗକୁ ଆସିଥିଲା । ଉତରପ୍ରଦେଶରେ ଭାଜପାକୁ ପରାଜିତ କରିପାରିଲେ ଅଖିଲେଶ ଯାଦବ ବା ମାୟାବତୀଙ୍କୁ ଏହି ପଦପାଇଁ ଦାବୀଦାର ଭାବରେ ଉପସ୍ଥାପନ କରାଯାଇପାରିବ ।

ଯଦି ଏପରି ହୁଏ, ତେବେ ଯେଉଁ ଧାରଣା ରହି ଆସିଛି ଯେ କେବଳ ବିହାର ଭଳି ଗଠବନ୍ଧନ/ ସାମ୍ମୁଖ୍ୟଟିଏ ହେଲେ ହିଁ ଭାଜପାର ବିକଳ୍ପ ନିର୍ମାଣ ସମ୍ଭବ ହେବ, ତାଙ୍କୁ ପ୍ରଶ୍ନବାଚୀ ଭିତରକୁ ନେଇ ଆସିବ । ସମାଜବାଦୀ ପାର୍ଟି ଯଦି ପ୍ରଥମ ସ୍ଥାନରେ ରହେ, ସେଥିରେ ଉତରପ୍ରଦେଶ ରାଜନୀତି ରଂଗମଂଚରେ କେବଳ ମାତ୍ର ସହଯୋଗୀ କଳାକାରଙ୍କର ଭୂମିକା ନିଭାଉଥିବା କଂଗ୍ରେସ ସହ ସାମ୍ମୁଖ୍ୟର ଅପେକ୍ଷାକୃତ ସୀମିତ ଭୂମିକା ରହିଛି ବୋଲି କୁହାଯିବ । ଅଖିଲେଶ ଯାଦବ ମଧ୍ୟ ଜଣେ ଚତୁର ରାଜନେତା ହିସାବରେ ସାମ୍ନାକୁ ଆସିବେ ଯେ କି ଦକ୍ଷତାର ସହ ବିଶ୍ୱାସଘାତୀ ପାରିବାରିକ ରାଜନୀତିକୁ ଅତିକ୍ରମ କରିପାରିଛନ୍ତି, କେବଳ ସେତିକି ନୁହେଁ ଉତରପ୍ରଦେଶ ଜନସଂଖ୍ୟାର ଏକ ବିଶାଳଭାଗକୁ ନିଜ ସାଙ୍ଗରେ ମଧ୍ୟ କନେଇ ପାରିଛନ୍ତି । ଯୁବକ ଅଖିଲେଶ ବୟସ ଦୃଷ୍ଟିରୁ ଦୀର୍ଘ ସମୟ ଧରି ରଜନୈତିକ ଘୋଡାଦୌଡ଼ରେ ରହିପାରିବେ । ସମାଜବାଦୀ ପାର୍ଟି ଭିତରେ ସ୍ଥିତିକୁ ବିପନ୍ନ କରିଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳରୁ ବାହାରି ଆସି ଅଖିଲେଶ ନିଜକୁ ଜଣେ ଦକ୍ଷ ରାଜନେତା ହିସାବରେ ଉପସ୍ଥାପିତ କରିପାରିଛନ୍ତି । ଯୁକ୍ତି କରାଯାଇପାରେ ଯେ ଏପ୍ରିଲ-ମେ ୨୦୧୪ରେ ହୋଇଥିବା ଲୋକସଭା ନିର୍ବାଚନବେଳେ ବ୍ୟକ୍ତିପ୍ରମୁଖ ରାଜନୀତିର ଆବିର୍ଭାବ ଘଟିଥିଲା ଯେଉଁଥିରେ ଦଳ ଅପେକ୍ଷା ଦଳକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିମାନେ ବେଶୀ ପ୍ରମୁଖତା ପାଇବାର ଦେଖିବାକୁ ମିଳିଥିଲା । ପ୍ରାୟତଃ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଢାଂଚାରେ ରାହୁଲ ଗାନ୍ଧୀ ଓ ନରେନ୍ଦ୍ରମୋଦୀଙ୍କ ଭିତରେ ହୋଇଥିବା ଏକ ପ୍ରତିଯୋଗିତାରେ ନରେନ୍ଦ୍ର ମୋଦୀଙ୍କ ପଲ୍ଳା ବେଶି ଭାରି ପ୍ରମାଣିତ ହୋଇଥିଲା । କିନ୍ତୁ ଛୁରୀଟି ଦୁଇପଟୁ କାଟିପାରେ । ଫେବୃଆରୀ୨୦୧୫ ନିର୍ବାଚନରେ ଅରବିନ୍ଦ କେଜ୍ରୀୱାଲ ଓ କିରଣ ବେଦୀଙ୍କ ଭିତରେ ହେଇଥିବା ପ୍ରତିଦ୍ୱନ୍ଦ୍ୱିତାରେ କେଜ୍ରୀୱାଲା ସବୁ ଆସନ ପୋଛି ନେଇଗଲେ । ଏଭଳି ଏକ ବିଜୟ ନିତୀଶକୁମାର ଅକ୍ଟୋବର ୨୦୧୫ ବିହାର ନିର୍ବାଚନ ବେଳେ ପାଇଥିଲେ । ଅଖିଲେଶ ଯାଦବ ବା ମାୟାବତୀଙ୍କ ବିପକ୍ଷରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହିସାବରେ ଭାଜପା କାହାକୁ ନବାଛିବା ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ବହୁଜନ ସମାଜ ପାର୍ଟି ଯଦି କିଛି ସମ୍ମାନଜନକ ଫଳାଫଳ ପାଏ, ତେବେ ତାହା ମାୟାବତୀଙ୍କ ନିଜସ୍ୱ ଶକ୍ତି ଯୋଗୁଁ ସମ୍ଭବ ହୋଇଛି ବୋଲି କୁହାଯିବ । କଥାଟି ସମାନଭାବେ ପ୍ରଯୁଜ୍ୟ ହେବ ଅଖିଲେଶଙ୍କ ପାଇଁ । ୫ବର୍ଷ ମୁଖ୍ୟମନ୍ତ୍ରୀ ରହିବାପରେ ବି ସେ ସରକାରବିରୋଧୀ ମନୋଭାବର ମୁକାବିଲା କରି ପାରିଛନ୍ତି ବୋଲି ଧରି ନିଆଯିବ । ଉତରପ୍ରଦେଶ ନିର୍ବାଚନ ଫଳାଫଳ ଏକଥାକୁ ମଧ୍ୟ ସାମ୍ନାକୁ ଆଣିବ ଯେ ଭୋଟ ବ୍ୟାଙ୍କ ରାଜନୀତି ବା ଅସ୍ମିତାଭିତିକ ରାଜନୀତି ପୂର୍ବଭଳି ପ୍ରଭାବଶାଳୀ ରହିଛି କି ନାହିଁ ଏବଂ ମୁସଲମାନ, ଦଳିତ ଓ ଅନ୍ୟ ପଛୁଆଶ୍ରେଣୀର ଲୋକେ ଆଶା କରାଯାଇଥିବା ଧାରାରେ ଭୋଟ ଦେଇଛନ୍ତି କି ନାହିଁ । ଯଦି ପରାଜୟ ହୁଏ, ଉତରପ୍ରଦେଶ ନିର୍ବାଚନରେ ୨୦୧୯ ଲୋକସଭା ପୂର୍ବରୁ ମୋଦୀ ଏବଂ ଶାହା ଆଗାମୀ ୨ବର୍ଷ ଭିତରେ କିଭଳି ନିଜର କାର୍ଯ୍ୟଶୈଳୀକୁ ଚଳାଇ ରଖୁଛନ୍ତି, ତାହା ମଧ୍ୟ ଦେଖିବାକୁ ମିଳିବ । ମୋଦୀ ଦେଖାଇ ସାରିଛନ୍ତି ସେ କେମିତି ଲୋକଙ୍କୁ ଚକିତ କରାଇବାରେ ଦକ୍ଷ, ସେହି ଦୃଷ୍ଟିରୁ ତାଙ୍କ ସମ୍ପର୍କରେ କିଛି ବି ପୂର୍ବାନୁମାନ କରିବା ବିପଦପୂର୍ଣ୍ଣ । ସେ ନିଜ ଦଳ ଏବଂ ବିରୋଧୀ ଦଳମାନଙ୍କ ଭିତରେ ଥିବା ତାଙ୍କର ବିରୋଧୀମାନଙ୍କ ପ୍ରତି କୋହଳ ମନୋଭାବ ଗ୍ରହଣ କରିବେ କି? ନା ସେ ଆକ୍ରମଣାତ୍ମକ ଆଭିମୁଖ୍ୟଟି ଜାରି ରଖିବେ ଓ ବିଭକ୍ତିକରଣ ରାଜନୀତିକୁ ଆପଣେଇବେ । ସେ ଯାହା ବି ହେଉ, ମାର୍ଚ୍ଚ ୧୧ ଦିନ ଭାରତୀୟ ରାଜନୀତିର ଗତିପଥ ବଦଳିଯିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top