ISSN (Print) - 0012-9976 | ISSN (Online) - 2349-8846

ଆଜାଦୀ- ଭାରତୀୟ ନିର୍ଯାତନାରୁ ମୁକ୍ତି

ଭାରତୀୟ ନିରାପତା ବାହିନୀଙ୍କ ସବୁପ୍ରକାର ନିର୍ଯାତନା ଏବଂ ୨୭ବର୍ଷର ସାମରିକ ଶାସନର ଯନ୍ତ୍ରଣାକୁ କାଶ୍ମୀରର ମୁସଲିମମାନେ ସହି ଆସିଛନ୍ତି

କାଶ୍ମୀର ଉପତ୍ୟକାର ହାଡ଼ଭଙ୍ଗା ଶୀତ ସେଠାକାର ଲୋକମାନଙ୍କ ଉତ୍ସାହକୁ ଭାଙ୍ଗିପାରିନି । ସେଭଳି ଏକ ଶୀତ ସମୟରେ ଭାରତର ନିରାପତା ବାହିନୀର ଶହ ଶହ ଯବାନ ଗୋଟିଏ ଘରେ ଆଶ୍ରୟ ନେଇଥିବା କିଛି ଉଗ୍ରବାଦୀଙ୍କୁ ମାରିବା ପାଇଁ ଯେତେବେଳେ ଆସି ପହଂଚୁଛନ୍ତି, ସ୍ଥାନୀୟ ଲୋକେ ସାମ୍ନାକୁ ଆସି ସେହି ସମସ୍ତ ଉଗ୍ରବାଦୀଙ୍କୁ ସାହାଯ୍ୟ କରନ୍ତି ଏବଂ ନିରାପତା ବାହିନୀଙ୍କ ଆଗରେ ପ୍ରତିବନ୍ଧକ ଛିଡ଼ା କରନ୍ତି । ବେଳେବେଳେ ସେହି ଉଗ୍ରବାଦୀଙ୍କୁ ଖସି ପଳାଇବା ପାଇଁ ମଧ୍ୟ ସାହାଯ୍ୟ କରନ୍ତି । ନିରାପତା ବାହିନୀଙ୍କ ପାଇଁ ଏହି ସ୍ଥାନୀୟ ଲୋକେ ଦେଶଦ୍ରୋହୀ ଏବଂ ସେମାନଙ୍କୁ ନିଷ୍ଠୁର ଭାବେ ମୁକାବିଲା କରିବା ପାଇଁ ସେମାନଙ୍କର କିଛି ଦ୍ୱିଧା ନାହିଁ ।

ପ୍ରକୃତରେ ଅନେକ ସ୍ଥାନୀୟ ଜନସମୁଦାୟ ଉଗ୍ରବାଦୀମାନଙ୍କୁ ବଂଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଳଗାଇ ଦିଅନ୍ତି । ପ୍ରତିଟି ଉଗ୍ରବାଦୀର ହତ୍ୟାକୁ ସେଠି ତୀବ୍ର ବିରୋଧ କରାଯାଉଛି; ସେମାନେ ସମସ୍ତେ କାଶ୍ମୀରବାସୀ ମୁଖ୍ୟତଃ ଭାରତର ଦଖଲରେ ଥିବା ପୂର୍ବ କାଶ୍ମୀର ଏବଂ ବହୁତ କମ୍ ପାକିସ୍ଥାନ ଦଖଲରେ ଥିବା ପଶ୍ଚିମ କାଶ୍ମୀରର ବାସିନ୍ଦା । ବାହାରେ ପ୍ରବଳ ଥଣ୍ଡା ଥିବାସତ୍ୱେ ପ୍ରତ୍ୟେକଟି ବା ସବୁ ଉଗ୍ରବାଦୀଙ୍କ ‘ମୁକାବିଲା’ଜନିତ ହତ୍ୟା ଏବଂ ସାଧାରଣ ନାଗରିକଙ୍କ ସେଥିରେ ହତ୍ୟାକୁ କାଶ୍ମୀର ଜନସାଧାରଣ ବିରୋଧ କରିଆସିଛନ୍ତି । ଯେତେବେଳେ ଏଭଳି ପ୍ରତିବାଦ ବିରାଟ ରୂପ ନିଏ, ନିରାପତା ବାହିନୀ ସେ ଭିତରେ ପଶି ପୁଣି ଗୁଳିଚଳାନ୍ତି ଫଳରେ ପୁଣି ପ୍ରତିବାଦର ଢେଉ ବ୍ୟାପକ ହୁଏ ।

୨୭ବର୍ଷ ଧରି କାଶ୍ମୀରର ଲୋକେ ଯାହା କୁହାଯାଉଛି ଏକ ସାମରିକ ଶାସନ ତା’ର ସାମ୍ନା କରି ଆସୁଛନ୍ତି । କହିବାକୁ ଗଲେ ପ୍ରାୟତଃ ସମଗ୍ର କାଶ୍ମୀର ରାଜ୍ୟଟି ‘ଅଶାନ୍ତ ଅଂଚଳ’ ଘୋଷଣା କରାଯାଇଛି । ଫଳରେ, ଧର୍ଷଣ, ନିର୍ଯାତନା, ନାଗରିକଙ୍କୁ ଅପହରଣ କରିବା ବା ହତ୍ୟା କରିବା ଇତ୍ୟାଦି ଯାହା ଅପରାଧ କଲେ ବି ସାମରିକ ବାହିନୀର ବିଚାର କରାଯିବ ନାହିଁ । ଏ.ପି.ଡି.ପି (ଉଭାନ ହୋଇଯାଇଥିବା ଲୋକମାନଙ୍କର ପିତାମାତାଙ୍କ ସଂଘ)ର ୧୦ ଜାନୁଆରୀ ୨୦୧୭ର ଏକ ବକ୍ତବ୍ୟ ମୁତାବକ ଗତବର୍ଷ ଜୁଲାଇ ୮ରୁ ଆରମ୍ଭ ହୋଇଥିବା ଜନଜାଗରଣରେ ଏଯାବତ୍ ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି । ଏକ ହଜାରରୁ ଅଧିକ ଲୋକେ କ୍ଷତବିକ୍ଷତ ହୋଇଛନ୍ତି ଅବା ଅନ୍ଧ ହୋଇଯାଇଛନ୍ତି ମୁଖ୍ୟତଃ ନିରାପତାବାହିନୀ ଯେତେବେଳେ ସେମାନଙ୍କ ଉପରେ ରବର ଗୁଳିମାଡ଼ କରିଛନ୍ତି । ସାଧାରଣ ନିରାପତା ଆଇନ, ୧୯୭୮ ଭଳି ଭୟଙ୍କର ଆଇନର ପ୍ରୟୋଗ କରି ଗଣ ଗିରଫଦାରୀ ଚାଲିଛି । ବିଭିନ୍ନ ଅପରାଧ ଯୋଗୁଁ ଗିରଫ ହୋଇଥିବା ଲୋକମାନଙ୍କ ସଂଖ୍ୟା ୮ହଜାର ହେବ ବୋଲି ସରକାରୀ ଆକଳନ କହୁଛି । ଦୀର୍ଘକାଳୀନ ଆଫପ୍ସା ଆଇନ, ଗଣମାଧ୍ୟମ ଓ ଇଂଟରନେଟ୍କୁ ବାରଣ କରିବା, ମୁକ୍ତ ଅଭିବ୍ୟକ୍ତିର ଅଧିକାର ତଥା ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଅଧିକାର ଭଳି ମୌଳିକ ଅଧିକାରଗୁଡ଼ିକୁ ଅକାମୀ କରେଇଦେବା ଆଜିର ଦିନରେ କାଶ୍ମୀର ଉପତ୍ୟକା ପାଇଁ ଏକ ସାଧାରଣ କଥା ହୋଇଯାଇଛି ।

ଅନ୍ତର୍ଦ୍ଧାନ ହୋଇଯାଇଥିବା ଲୋକମାନଙ୍କର ବାପା-ମା ଓ ଆତ୍ମୀୟମାନଙ୍କର କ୍ଷୋଭଟିକୁ ଜଣେ ବୁଝିପାରିବ । ୧୯୮୯ ପରବର୍ତୀ ସମୟକାଳ ଠାରୁ ଅଦ୍ୟାବଧି ୮ ହଜାରରୁ ୧୦ହଜାର କାଶ୍ମୀରବାସୀ ଅନ୍ତର୍ଦ୍ଧାନ ହୋଇଛନ୍ତି । ଏହା ପୂର୍ବରୁ ଓମାର୍ ଅବଦୁଲା ମୁଖ୍ୟମନ୍ତ୍ରୀ ଥିଲାବେଳେ ତାଙ୍କ ସରକାର କାଶ୍ମୀର ବିଧାନସଭାରେ ସ୍ୱୀକାର କରିଥିଲେ ଯେ ଏହି ଅନ୍ତର୍ଦ୍ଧାନ ହୋଇଥିବା ଲୋକଙ୍କ ସଂଖ୍ୟା ୩,୭୪୪ ହେବ, ଯେଉଁମାନଙ୍କୁ ବଳପୂର୍ବକ ଉଠାଇ ନିଆଯାଇଛି ଏବଂ ପରେ ମୁକାବିଲାରେ ହତ୍ୟା କରାଯାଇଛି । କିନ୍ତୁ ଭାରତୀୟ ରାଷ୍ଟ୍ର ଓ ବ୍ୟବସ୍ଥା ସବୁବେଳେ ଏହି ବଳପୂର୍ବକ ଅନ୍ତର୍ଦ୍ଧାନ କରାଇବା ଏବଂ ହତ୍ୟା କରିବା କଥାକୁ ଅସ୍ୱୀକାର କରିଆସିଛନ୍ତି । ଓଲଟା ହିଂସାର ଶିକାର ହେଉଥିବା ଲୋକମାନଙ୍କୁ ସେମାନେ ଏଥିପାଇଁ ଦାୟୀ କରିଆସିଛନ୍ତି । ପ୍ରତ୍ୟେକ ମାସର ୧୦ ତାରିଖ ଦିନ ଏ ପି.ଡ଼ି.ପି କାଶ୍ମୀର ଧାରଣାରେ ବସୁଛନ୍ତି ବଳପୂର୍ବକ ଅନ୍ତର୍ଦ୍ଧାନ କରାଯାଉଥିବା ଘଟଣାଗୁଡ଼ିକର ପ୍ରତିବାଦ କରିବା ପାଇଁ । ସେମାନଙ୍କ ସ୍ମୃତିରେ ଏକ କ୍ୟାଲେଣ୍ଡର ମଧ୍ୟ ସେମାନେ ବାହାର କରନ୍ତି । ସେମାନେ ନିଜ ଉପରେ ଏହି ଦାୟିତ୍ୱ ନେଇଛନ୍ତି ଯେମିତିକି ଅନ୍ତର୍ଦ୍ଧାନ ହେଇଯାଉଥିବା ଲୋକମାନଙ୍କର ପିତାମାତାଙ୍କ ଯନ୍ତ୍ରଣା ସହ ଯୋଡ଼ି ହୋଇ ରହିଥିବା ସ୍ମୃତିଗୁଡ଼ିକ ହଜି ନଯାଏ ।

କ୍ରମାଗତ ଭାବେ ଜମ୍ମୁ ଓ କାଶ୍ମୀର ସରକାରମାନେ ଏହି ପ୍ରସଙ୍ଗର ଯେଉଁ ଉଦାସୀନତା ଦେଖାଇ ଆସିଛନ୍ତି ତାହାର ପ୍ରତିଫଳନ ଗୋଟିଏ ସତ୍ୟରେ ଦେଖାଯାଏ । ଏଯାବତ୍ ଏହି ବଳପୂର୍ବକ ଅନ୍ତର୍ଦ୍ଧାନ କରାଯାଉଥିବା ଘଟଣାକୁ ବନ୍ଦ କରିବା ପାଇଁ ବିଧେୟକଟିଏ ରାଜ୍ୟ ବିଧାନସଭାରେ ଆସିପାରି ନାହିଁ । ବଳପୂର୍ବକ ଉଠାଇ ନେଇ ଅନ୍ତର୍ଦ୍ଧାନ କରାଯାଉଥିବା ଲୋକମାନଙ୍କର ସୁରକ୍ଷା ପାଇଁ ହେଇଥିବା ଅନ୍ତଃରାଷ୍ଟ୍ରୀୟ ଚୁକ୍ତିନାମାରେ ସ୍ୱାକ୍ଷର ନକରି କେନ୍ଦ୍ରରେ ଥିବା ସରକାରମାନେ ନିଜ ସମ୍ବେଦନହୀନତାର ପରିଚୟ ଦେଇ ଆସିଛନ୍ତି ।

ଗତ ୨୭ବର୍ଷ ଧରି କାଶ୍ମୀର ଲୋକମାନଙ୍କ ବିରୁଦ୍ଧରେ ଭାରତ ସାମରିକ ଶକ୍ତି ପ୍ରୟୋଗ କରିଆସିଛନ୍ତି । ସେମାନଙ୍କ ଭିତରୁ ଅନେକ ଭାରତରେ ରହିବାପାଇଁ ଚାହୁଁନାହାନ୍ତି । ନୂଆଦିଲ୍ଲୀର ସରକାର ଏଭଳି ଶକ୍ତି ପ୍ରୟୋଗକୁ ଆମର ‘ଭୌଗୋଳିକ ସଂହତି’ ଏବଂ ‘ଧର୍ମନିରପେକ୍ଷତା’ ନାଁରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇ ଆସିଛନ୍ତି । ଯାହାକୁ କାଶ୍ମୀର ଉପତ୍ୟକାରେ ହେଉଛି ସେଥିପାଇଁ ପାକିସ୍ଥାନକୁ ଦାୟୀ କରାଯାଉଛି । ଯେତେସବୁ ଗଣପ୍ରତିବାଦ ହେଉ ବା ଉଗ୍ରବାଦ, ସବୁ ପାକିସ୍ଥାନ ପ୍ରାୟୋଜିତ ବୋଲି କୁହାଯାଉଛି । ବର୍ତମାନ କେନ୍ଦ୍ର ସରକାର ଯାହାକୁ ଜାତୀୟତାବାଦ କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭାରତୀୟ ନୁହେଁ; ତାହା ସାମ୍ପ୍ରଦାୟିକ ହିନ୍ଦୁତ୍ୱବାଦୀ ଜାତୀୟବାଦକୁ ନିଜସ୍ୱ କରିଥିବା ଭାରତୀୟ ଜନସମୁଦାୟର ଗୋଟିଏ ଅଂଶକୁ ହିଁ ପ୍ରତିନିଧିତ୍ୱ କରୁଛି । ଏହା କହିବାର ଆବଶ୍ୟକତା ନାହିଁ ଯେ କଂଗ୍ରେସର ଜାତୀୟବାଦ ବି ଏ ଦିଗରେ କିଛି ଭିନ୍ନ ଥିଲା । ଏମିତି ବି ନୁହେଁ ଯେ ପାକିସ୍ଥାନୀ ଜାତୀୟବାଦ ଏଥିରୁ କିଛି ଭିନ୍ନ । ଭାରତର ଏହି ଜାତୀୟତାବାଦୀମାନେ ସମର୍ଥକ ଖୋଜୁଥିବା ପ୍ରକ୍ରିୟାରେ ବେଲୁଚିସ୍ଥାନ ମୁକ୍ତି ସଂଗ୍ରାମକୁ ସମର୍ଥନ ଘୋଷଣା କରିଛନ୍ତି । ଠିକ୍ ଏତିକିବେଳେ କାଶ୍ମୀରକୁ ଭାରତରୁ ମୁକ୍ତ କରିବାପାଇଁ ପାକିସ୍ଥାନ ଜାତୀୟତାବାଦୀମାନେ ଯେଉଁ ପ୍ରୟାସ କରିଆସିଛନ୍ତି ତାହା କାଶ୍ମୀରକୁ ଏକ ଉପନିବେଶର ଅନୁଭବ ଦେଉଛି । କିନ୍ତୁ ଯେଉଁଭଳି ଭାବେ ନୂଆଦିଲ୍ଲୀର ଶାସକମାନେ ୨୭ବର୍ଷ ଧରି କାଶ୍ମୀର ଉପତ୍ୟକାରେ ସାମରିକ ଶକ୍ତି ପ୍ରୟୋଗ କରିଆସିଛନ୍ତି କାଶ୍ମୀର ଆଜାଦୀ ଏବଂ ଅନ୍ୟାନ୍ୟ ଡାକରା ସବୁ ମୁଖ୍ୟତଃ ସେମାନଙ୍କର ନିଜ ହୃଦୟରୁ ନିର୍ଗତ ଯାହା ଭାରତୀୟ ଦମନରୁ ମୁକ୍ତି ପାଇଁ ଏକ ଡାକରା ମାତ୍ର ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top