ISSN (Print) - 0012-9976 | ISSN (Online) - 2349-8846

ଟ୍ରମ୍ପ୍ ଓ ପରିବେଶ

ଆମେରିକୀୟ ରାଷ୍ଟ୍ରପତି ଭବନରେ ଜଳବାୟୁ ପରିବର୍ତନକୁ ସ୍ୱୀକାର ନକରିବା ବିଶ୍ୱପାଇଁ ଏକ ଦୁଃସମ୍ବାଦ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଆମେରିକାର ରାଷ୍ଟ୍ରପତି ଡୋନାଲଡ଼୍ ଟ୍ରମ୍ପ୍୍ଙ୍କ ଜାନୁଆରୀ ୨୭, ୨୦୧୭ର ମୁସଲମାନମାନଙ୍କୁ ଆମେରିକାରେ ପ୍ରବେଶ କରିବାପାଇଁ ବାରଣ ନିଷ୍ପତ୍ତି ଯାହାକି ଇରାକ୍, ଇରାନ୍, ଲିବ୍ୟା, ସୋମାଲିଆ, ସୁଦାନ, ସିରିଆ ଓ ୟେମେନ୍ର ନାଗରିକମାନଙ୍କ ଉପରେ ୯୦/୧୨୦ ଦିନର କଟକଣା ଜାରି କରିଛି, ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିବାବେଳେ ପରିବେଶ ନିୟନ୍ତ୍ରଣ ସମ୍ପର୍କିତ ତାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶଗୁଡ଼ିକ ଦୃଶ୍ୟର ଅନ୍ତରାଳରେ ରହିଯାଇଛି । ଆମେରିକାରେ ପ୍ରବେଶ କରିବାପାଇଁ ଭିସା ବା ଅନୁମତି ନମିଳିବା ନିଷ୍ପତିଟି ଯେମିତି ଦୁନିଆସାରା ପ୍ରଭାବ ପକାଇ ସାରିଛି, ସେଭଳି ପ୍ରଭାବ ତାଙ୍କର ପରିବେଶ ସମ୍ପର୍କିତ ନିର୍ଦ୍ଦେଶାବଳୀ ଯୋଗୁଁ ମଧ୍ୟ ଦେଖିବାକୁ ମିଳିବ । ସବୁଠାରୁ ଅଧିକ ଆବେଗ ସୃଷ୍ଟି କରୁଛି ତାଙ୍କର ବର୍ତମାନର କିଛି ନିଷ୍ପତି ଓ ଭବିଷ୍ୟତ କାର୍ଯ୍ୟଧାରା ସମ୍ପର୍କରେ ଥିବା ଆଶଙ୍କା ଯାହା କି ବାୟୁମଣ୍ଡଳକୁ ଦୂଷିତ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ ହେବା ଦିଗରେ ପ୍ରଭାବିତ କରିବ । ବର୍ତମାନ ଆମେରିକା ଯେଉଁ ପରିମାଣରେ ଗ୍ରୀନ୍ ହାଉସ ଗ୍ୟାସ ବାୟୁମଣ୍ଡଳକୁ ଛାଡ଼ୁଛି, ଯଦି ଏଥିରେ ବୃଦ୍ଧି ଘଟେ ବା ଯାହା ଅଛି ସେତିକିରେ ବି ରହେ, ତେବେ ବି ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ ପାଇଁ ହେଉଥିବା ଉଦ୍ୟମଗୁଡ଼ିକ ବିପର୍ଯ୍ୟୟମୁଖୀ ହେବ ।

ପରିବେଶବିତମାନଙ୍କ ପ୍ରତି ଟ୍ରମ୍ପଙ୍କର ଅସୂୟା ମନୋଭାବ ତାଙ୍କର ନିର୍ବାଚନ ଅଭିଯାନ ବେଳଠୁ ଜଣାପଡ଼ିଯାଇଛି । ତାଙ୍କର ଉପଦେଷ୍ଟାମାନଙ୍କର ମନୋନୟନ ଯେଉଁଥିରେ ଅଛନ୍ତି ମାଇରନ୍ ଇବେଲ୍ ଯେ କି ସ୍କଟ ପ୍ରୁଇଟ୍ଙ୍କ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା (ଋଚଇ)ର ନିର୍ଦ୍ଦେଶକ ନିଯୁକ୍ତି ଚୂଡ଼ାନ୍ତ ହେବାଯାଏଁ ଏହି ସଂସ୍ଥାର ନିର୍ଦ୍ଦେଶକ ରହିବେ, ଆମକୁ ଆଶ୍ଚର୍ଯ୍ୟ ଲାଗୁନାହିଁ । ଇବେଲ ଉଗ୍ର ରକ୍ଷଣଶୀଳ କମ୍ପିଟିଟିଭ ଏଂଟରପ୍ରାଇଜ୍ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଅଛନ୍ତି । ସେ ପରିବେଶ ଆନ୍ଦୋଳନ ଉପରେ ଟିପ୍ପଣୀ ଦେଇ କହିଛନ୍ତି ଯେ ପରିବେଶ ଆନ୍ଦୋଳନଟି ‘ଆଧୁନିକ ଦୁନିଆରେ ସମୃଦ୍ଧି ଓ ସ୍ୱାଧୀନତା ପାଇଁ ଏକ ଆତଙ୍କ’ । ସେହିଭଳି ସ୍କଟ ପ୍ରୁଇଟ ଜଣେ ଜଳବାୟୁ ପରିବର୍ତନକୁ ଅସ୍ୱୀକାର କଲାଭଳି ବ୍ୟକ୍ତିତ୍ୱ ଯେ କି ଓକଲାହାମା ରାଜ୍ୟର ଆଟର୍ଣ୍ଣି ଜେନେରାଲ ଥିବାବେଳେ ତୈଳ-କମ୍ପାନୀମାନଙ୍କ ତରଫରୁ ଆମେରିକୀୟ ପରିବେଶ ସଂସ୍ଥା (ଇପିଏ) ବିରୋଧରେ ୧୪ଟି ମାମଲା ଦାଏର କରିଥିଲେ । ଏହି ଲୋକମାନଙ୍କୁ ଯଦି ପରିବେଶ ସୁରକ୍ଷା ଦାୟିତ୍ୱ ଦିଆଯାଇଛି, ତେବେ ଭବିଷ୍ୟତଟି କ’ଣ ହେବ ସହଜରେ ଅନୁମେୟ ।

ଶପଥ ନେବାର କେତୋଟି ଦିନ ଭିତରେ, ଆମେରିକୀୟ ପରିବେଶ ସୁରକ୍ଷା ସଂସ୍ଥାର ପାଣ୍ଠିଟିକୁ ଟ୍ରମ୍ପ ଅକାମୀ କରିଦେଲେ (ଯେଉଁ ସଂସ୍ଥାଟିକୁ ବନ୍ଦ କରିବା ପାଇଁ ସେ ନିଜ ନିର୍ବାଚନ ଦୌଡ଼ବେଳେ ଘୋଷଣା କରିଥିଲେ) ଏବଂ ଏହାର ୧୫୦୦୦ ଯନ୍ତ୍ରୀ ଓ ବୈଜ୍ଞାନିକମାନଙ୍କ ସଂଖ୍ୟାଟିକୁ ହ୍ରାସ କରିବା ପାଇଁ ଡାକରା ଦେଲେ । ଏହି ସଂସ୍ଥାର ଗବେଷକ/ବୈଜ୍ଞାନିକମାନେ କୌଣସି ଅନୁସନ୍ଧାନମୂଳକ ଅନୁଧ୍ୟାନର ତଥ୍ୟ ବାହାରେ ତଥା ଗଣମାଧ୍ୟମରେ ପ୍ରଘଟ ନ କରିବା ପାଇଁ କଟକଣା ମଧ୍ୟ ଜାହିର କଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ସମ୍ପର୍କୀୟ ସଦ୍ୟତମ ତଥ୍ୟ ଆଉ ସର୍ବସାଧାରଣାରେ ମିଳିବ ନାହିଁ । ରାଷ୍ଟ୍ରପତି ଭବନର ୱେବ ପୃଷ୍ଠାରେ ‘ଜଳବାୟୁ ପରିବର୍ତନ’ ସ୍ଥାନରେ ‘ଏକ ଆମେରିକୀୟ ପ୍ରଥମ ଶକ୍ତି ଯୋଜନା’ ସ୍ଥାନିତ ହେବା କଥାଟି ସେହି ଦୃଷ୍ଟିରୁ ଆଶ୍ଚର୍ଯ୍ୟଜନକ ମନେ ହେଉନାହିଁ । ଟ୍ରମ୍ପଙ୍କ ଅନୁସାରେ ଏହି ଶକ୍ତି ଯୋଜନାର ଆମେରିକୀୟ ରାଷ୍ଟ୍ରର ଜମିରେ ଥିବା ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାରକୁ ଉନ୍ମୁକ୍ତ କରିବାପାଇଁ ୫୦ ଟ୍ରିଲିୟନ୍ ଆମେରିକୀୟ ଡଲାରର ଖର୍ଚ୍ଚ ଅଟକଳ କରାଯାଇଛି । ଅନ୍ୟ ଅର୍ଥରେ ଯାହା ଓବାମା ପ୍ରଶାସନ ଜଳବାୟୁ କାର୍ଯ୍ୟକ୍ରମ ଯୋଜନା ଏବଂ ନିର୍ମଳ ଶକ୍ତି ଯୋଜନା ନାଁରେ ନିର୍ଦ୍ଧାରିତ କରିଥିଲେ, ତାକୁ ଟ୍ରମ୍ପ ଦୂରେଇଦେଇ ପ୍ରାଣୀମାନଙ୍କ ଜୀବାଶ୍ମରୁ ଜାତ ଜଳେଣୀକୁ ନେଇ ବ୍ୟବସାୟ କରୁଥିବା ଗୋଷ୍ଠୀକୁ ଅବାଧରେ କାରବାର କରିବାପାଇଁ ପଥ ପ୍ରଶସ୍ତ କରିଛନ୍ତି । ସବୁ କିଛି ଆମେରିକାକୁ ମହାନ କରିବା ଓ ସମସ୍ତଙ୍କୁ ନିଯୁକ୍ତି ଦେବା ନାଁରେ ଚାଲିଛି ।

ଏଭଳି ଏକ ପଦକ୍ଷେପର ଭୟଙ୍କର ପରିଣାମ କେବଳ ଆମେରିକା ନୁହଁ, ସମଗ୍ର ବିଶ୍ୱକୁ ଭୋଗିବାକୁ ପଡ଼ିବ । ଆଇନଗତ ଭାବେ ବାଧ୍ୟତାମୂଳକ ଥିବା କ୍ୱେଟା ପ୍ରସ୍ତାବରେ ଆମେରିକା ସ୍ୱାକ୍ଷର କରିନାହିଁ; ଯେଉଁଟାକି ବାୟୁମଣ୍ଡଳକୁ ଗ୍ରୀନ୍ହାଉସ ଗ୍ୟାସ ଛାଡ଼ୁଥିବା ଶିଳ୍ପୋନ୍ନତ ଦେଶମାନଙ୍କୁ ଏଥିପାଇଁ ଦାୟୀ କରି ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ହେବା ଉପରେ କଟକଣା ଜାରି କରିବା କ୍ଷେତ୍ରରେ ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଚୁକ୍ତିଥିଲା । ତା’ସତ୍ୱେ ୨୦୧୫ ମସିହାରେ ପ୍ୟାରିସ ଚୁକ୍ତିନାମାରେ ସାମିଲ ହେବାପାଇଁ ଓବାମା ପ୍ରଶାସନ ଆସିପାରିଥିଲା । ଏହି ପ୍ୟାରିସ ଚୁକ୍ତିର ଅଂଶସ୍ୱରୂପ ପ୍ରତ୍ୟେକଟି ଦେଶକୁ ଗ୍ରୀନ୍ହାଉସ୍ ଗ୍ୟାସ ହ୍ରାସ କରିବା ପାଇଁ ନିଜ ନିର୍ଦ୍ଧାରିତ ସ୍ତରଟିକୁ ନିରୂପଣ କରିବା ପାଇଁ ସୁଯୋଗଟି ଦିଆଯାଇଥିଲା । ଆମେରିକା ତାର ପ୍ରତିବଦ୍ଧତା ଦେଖାଇଥିଲା ଯେ ୨୦୩୦ ସୁଦ୍ଧା ୨୦୦୫ ସ୍ତରର ଅଂଗାରକାମ୍ଳ ଗ୍ୟାସ ନିର୍ଗତ ହାରକୁ ସେମାନେ ଶତକଡ଼ା ୩୦ଭାଗ ହ୍ରାସ କରାଇବେ । ଅନୁମାନ କରାଯାଉଛି ଯେ ଆମେରିକା ଏହି ଲକ୍ଷ୍ୟର ଶତକଡ଼ା ୨୭ଭାଗ ହାସଲ କରିସାରିଲିଣି । କିନ୍ତୁ ପରିବହନ କ୍ଷେତ୍ରରେ (ଯେଉଁଠି ଶତକଡ଼ା ୨୬ ଭାଗ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ହୁଏ) ଏବଂ କୃଷି ( ଶତକଡ଼ା ୯ ଭାଗ ଗ୍ରାନ୍ ହାଉସ ଗ୍ୟାସ) ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିନାହିଁ ।

ନିଜ ନିର୍ବାଚନ ପ୍ରଚାରବେଳେ ପ୍ୟାରିସ ଚୁକ୍ତିରୁ ଆମେରିକା ଓହରିଯିବ ବୋଲି ଟ୍ରମ୍ପଙ୍କ ଧମକ ଯଦି ବି ସତରେ କାର୍ଯ୍ୟକାରୀ ନ ହୁଏ, ତଥାପି ଆମେରିକା ଦେଇଥିବା ପ୍ରତିଶ୍ରୁତିରେ ସ୍ଥାଣୁତା ଆସିଯିବ । ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଆକଳନ ମୁତାବକ ଯଦି ବି ସମସ୍ତ ଦେଶ ନିଜ ପ୍ରତିଶ୍ରୁତି ରକ୍ଷା କରନ୍ତି, ତଥାପି ବିଶ୍ୱ ତାପମାତ୍ରାରେ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧିର ଆଶଙ୍କାକୁ ଏଡାଇବା କଷ୍ଟକର ହେବ । ଏଭଳି ଏକ ପରିସ୍ଥିତିରେ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତିଟି ଯଦି ନିଜେ ଦେଇଥିବା ପ୍ରତିଶ୍ରୁତିରୁ ଦୂରେଇଯାଏ, ତେବେ ତାର ଅତି ଗମ୍ଭୀର ପରିଣାମ ଅନୁଭୂତ ହେବ ।

ଅନ୍ୟଏକ ସମ୍ଭାବନାଟି ଅନୁମାନ କରାଯାଉଚି ତାହାହେଲା, ଚୁକ୍ତିଟିକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପାଣ୍ଠି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେଥିରୁ ଟ୍ରମ୍ପ ପ୍ରଶାସନ ପଛଘୁଂଚା ଦେବ । ପ୍ୟାରସ ଚୁକ୍ତିବେଳେ ସଂଯୁକ୍ତ ରାଷ୍ଟ୍ରରେ ୧୦ହଜାର କୋଟି ଡଲାରର ସବୁଜ ଜଳବାୟୁ ପାଣ୍ଠିକୁ ୨୦୨୦ ସୁଦ୍ଧା ୩୦୦ କୋଟି ଡଲାର ଦେବ ବୋଲି ଆମେରିକା ପ୍ରତିଶ୍ରୁତି ଦେଇଥିଲା । କେତେକାଂଶରେ ରିପବ୍ଲିକାନ୍ମାନଙ୍କ ନିୟନ୍ତ୍ରଣରେ ଥିବା ଆମେରିକୀୟ କଂଗ୍ରେସର ବିରୋଧ ଯୋଗୁଁ ବର୍ତମାନ ସୁଦ୍ଧା ଆମେରିକା କେବଳ ୫୦କୋଟି ଡଲାର ଦେଇପାରିଛି । ଟ୍ରମ୍ପଙ୍କ ମନୋବୃତି ଦେଖିଲେ ଜଣାପଡ଼ୁଛି ଯେ ଆମେରିକା ତାର ପ୍ରତିଶ୍ରୁତି ପୂରଣ କରିବ ନାହିଁ ।

ଜଳବାୟୁ ପରିବର୍ତନକୁ ମାନୁନଥିବା ଜଣେ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ଭବନରେ ବସିବା ଅନେକ ଦିଗରୁ ବିଶ୍ୱପାଇଁ ଦୁଃସମ୍ବାଦ ଆଣିଛି ନିଶ୍ଚୟ । ପ୍ରଥମେ, ଟ୍ରମ୍ପ ପ୍ରଶାସନ ଜୀବାଶ୍ମରୁ ନିର୍ଗତ ଜାଳେଣି ତୈଳର ଅଧିକ ବ୍ୟବହାରକୁ ପ୍ରୋତ୍ସାହନ ଦେବ, ଯଦ୍ୱାରା କି ପ୍ରଚଳିତ ପରିବେଶ ନିୟନ୍ତ୍ରଣ ନିୟମଗୁଡ଼ିକର ଅବମାନନା କରାଯିବ । ସୁତରାଂ, ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ ହେବା କ୍ଷେତ୍ରରେ ପ୍ୟାରିସ ଚୁକ୍ତିରେ ଆମେରିକା ସ୍ଥିର କରିଥିବା ଲକ୍ଷ୍ୟରେ ପହଂଚିବା ସମ୍ଭବପର ହେବ ନାହିଁ । ଦ୍ୱିତୀୟରେ ଆମ ଦ୍ୱାରଦେଶରେ ପହଂଚିଥିବା ପରିବେଶୀୟ ଦୁର୍ବିପାକକୁ ନିୟନ୍ତ୍ରଣ କରିବା ପାଇଁ ଚାଲିଥିବା ବିଶ୍ୱସ୍ତରର ଉଦ୍ୟମଗୁଡ଼ିକ ଭୀଷଣ ଭାବେ ଆଘାତପ୍ରାପ୍ତ ହେବ । ବିଡ଼ମ୍ବନାର କଥା ଯେ ଯେଉଁ ଦେଶଟି ଯୁଦ୍ଧର ବିଭୀଷିକାରୁ ନିଜକୁ ବଂଚାଇବା ପାଇଁ ଶରଣ ପଶୁଥିବା ଲୋକମାନଙ୍କୁ ନିଜ ଦୁଆର ବନ୍ଦ କରି ଦେଇଛି,ସେ ଆଜି ବିଶ୍ୱର ଦାରିଦ୍ର୍ୟ ପ୍ରପୀଡ଼ିତ ଦେଶମାନଙ୍କରେ ବାସ କରୁଥିବା କୋଟି କୋଟି ଲୋକଙ୍କୁ ପରିବେଶ ଶରଣାର୍ଥୀରେ ପରିଣତ କରିଚାଲିଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top