ISSN (Print) - 0012-9976 | ISSN (Online) - 2349-8846

ଗୁଜୁରାଟ ଢାଞ୍ଚା

କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମାନେ ବିଜେପିର ସଂଖ୍ୟାବହୁଳ ରାଜନୀତି କରି ପାରିବେ ନାହିଁ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗୁଜୁରାଟ ବିଧାନସଭା ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ହେଉଥିବା ଆଲୋଚନା ପର୍ଯ୍ୟାଲୋଚନା ବନ୍ଦ ହୋଇଯିବାର ବହୁଦିନ ପରେ ମଧ୍ୟ ଏହାର କିଛି କିଛି ପ୍ରଭାବ  ଦେଖିବାକୁ ମିଳିବ । ଏକଥାଟି ଏଇଥିପାଇଁ ଘଟିବ ନାହିଁ ଯେ  ଏହି ଫଳାଫଳ ନିହାତି ଅପ୍ରତ୍ୟାଶିତ ଥିଲା । ବାସ୍ତବ କଥା ହେଉଛି ଯେ ଏହା ଆଦୌ ଅପ୍ରତ୍ୟାଶିତ ନ ଥିଲା । ଭାରତୀୟ ଜନତା ପାର୍ଟି (ବିଜେପି) ଜିତିବାର ଥିଲା ଏବଂ ଏହା ଜିତିଲା । କିନ୍ତୁ ଏହାକୁ ଏକ ସମ୍ପୂର୍ଣ୍ଣ ବିଜୟ ବୋଲି କୁହାଯାଇ ପାରିବ ନାହିଁ । ଏହା କଂଗ୍ରେସକୁ ପରାଜିତ କଲା କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଇ ଦେଇ ପାରି ନାହିଁ, ଏହା ଆଘାତପ୍ରାପ୍ତ ହୋଇଛି କିନ୍ତୁ ଅଟକି ଯାଇ ନାହିଁ ।

ଗୁଜୁରାଟ ନିର୍ବାଚନରେ ବହୁମତ ହାସଲ କରିବା ଦ୍ୱାରା ଏବେ ବିଜେପି ସଂସଦରେ ବହୁମତରେ ରହିବା ସହିତ  ଦେଶର ୨୯ଟିରୁ ୧୯ ଟି ରାଷ୍ଟ୍ରରେ ସରକାରରେ  ରହିଲା ।  ଦୁଇ ଦଶନ୍ଧୀ ପୂର୍ବରୁ କଂଗ୍ରେସ ପାର୍ଟି ଦେଶର ୨୬ଟିରୁ ୧୬ଟି ରାଜ୍ୟରେ ସରକାରରେ ଥିଲା । ତାହା  ହେଲେ କ’ଣ ବିଜେପିର କଂଗ୍ରେସମୁକ୍ତ ଭାରତ ବା ବିନା ବିରୋଧୀ ଭାରତ କଥାଟି ପୂର୍ବ ଯୋଜନା ମୁତାବକ ସଫଳ ହୋଇଛି? ଗୁଜୁରାଟ ଫଳାଫଳ ଏକ ଆକସ୍ମିକ କଥା ନ ହୋଇପାରେ, ବିଜେପିର ସଠିକ ନିର୍ବାଚନ ରାଜନୀତିର ଖେଳ ପାଇଁ ଏହା ହୁଏତ ଅସମ୍ଭବ ହୋଇ ନପାରେ ବା ସମ୍ଭø ହୋଇଥାଇ ପାରେ ।  ହେଲେ ମଧ୍ୟ ୨୦ ବର୍ଷ ଧରି ଶାସନ କରି ଆସୁଥିବା  ଗୁଜୁରାଟର ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ଏଥର ୯୯ ଟି ଆସନ ହାତଛଡା କରିଛି ଯାହାକି ସାଧାରଣ ବହୁମତଠାରୁ ମାତ୍ର ୭ଟି ସିଟ ଅଧିକ ଓ ପୂର୍ବରୁ ବିଜେପି ଏହି ବିଧାନସଭାରେ ଯେତିକି ଆସନ ଜିଣିଥିଲା ତା’ଠାରୁ ବହୁତ୍ କମ । ତେଣୁ ବିଜେପି ନିର୍ବାଚନ ପୂର୍ବରୁ ଯେଉଁ ଆସ୍ଫାଳନ କରୁଥିଲା ଯେ ଏଥର ଏହି ପାର୍ଟି ଗୁଜୁରାଟ ବିଧାନସଭାରେ ପୁଣିଥରେ ଦୁଇତୃତୀୟାଂଶ ଭୋଟରେ ଜିଣିବ ତାହା ପାଣିଫୋଟକା ପରି ମିଳେଇ ଯାଇଛି ଯଦିିଓ ଏହି ଦଳ ଏହାର ଭୋଟ ସଂଖ୍ୟାରେ ସାମନ୍ୟ ବୃଦ୍ଧି କରାଇବାରେ ସଫଳ ହୋଇଛି । ରାଜ୍ୟରେ ଏହାର ସମର୍ଥନ ପୂର୍ବ ପରି ରହିଛି ଓ ବହୁଦିନ ଧରି ଶାସନରେ ରହି ମଧ୍ୟ କୌଣସି କ୍ଷମତା-ବିରୋଧି (ଆଣ୍ଟି-ଇନକମ୍ବେନ୍ସୀ) ଶକ୍ତି ବା ପୁନଃଶକ୍ତିଶାଳୀ ହୋଇଥିବା କଂଗ୍ରେସ ପାର୍ଟି କେହି ଏହାର ସମର୍ଥନ ହ୍ରାସ କରାଇବାରେ ସଫଳ ହୋଇ ପାରି ନାହାନ୍ତି ।

ଗୁଜୁରାଟ ନିର୍ବାଚନ ଫଳାଫଳ ଭବିଷ୍ୟତର ଅନେକ କଥା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଗୁଜୁରାଟ ମଡେଲ କଥା ଉଠାଇ ମିଛରେ ଗର୍ବ କରୁଥିଲେ ଓ ୨୦୧୪ ନିର୍ବାଚନ ସମୟରେ ଦେଶର ବିକାଶ ପାଇଁ ଏହା ଏକ ପଥପ୍ରଦର୍ଶକ ହେବ ବୋଲି କହୁଥିଲେ ତାହା ଭୁଲଭାଲ ହୋଇ ଯାଇ ସାରିଛି । ଗୁଜୁରାଟ ମଡେଲ କେବଳ ସହରାଞ୍ଚଳ ଓ ଉପରକୁ ଦେଖାଯାଉଥିବା କେତେକ ଗୋଷ୍ଠୀ ବ୍ୟତୀତ ଗ୍ରାମାଞ୍ଚରେ ଓ ପଛରେ ଅବହେଳିତ ହୋଇ ରହିଯାଇଥିବା ମଣିଷମାନଙ୍କ ପାଇଁ ଏହାର କୌଣସି ପ୍ରଭାବ ନାହିଁ । ଗତ ଗୁଜୁରାଟ ନିର୍ବାଚନରେ ସହରୀ ଓ ଗ୍ରାମାଞ୍ଚଳ ଭୋଟର ମାନଙ୍କ ବ୍ୟବଧାନ ବିଶେଷକରି ବିଜେପିକୁ ଗତ ନିର୍ବାଚନରେ ସହରୀ ଅଞ୍ଚଳର ସବୁଠୁ ଅଧିକ ଭୋଟ ଓ ଆସନ  ମିଳିବା ଘଟଣା ଏହି ବାସ୍ତବତାର ଏକ ଉଦାହରଣ । ଏହି ଭ୍ରାନ୍ତଧାରଣାରୁ ମୁକୁଳି ସାରିଥିବା ଗ୍ରାମାଞ୍ଚଳର ସବୁଜାତିର ଲୋକେ  ଯେଉଁମାନେ କି ଗୁଜୁରାଟ ମଡେଲର କୌଣସି ସୁଫଳ ପାଇ ପାରି ନାହାନ୍ତି ସେମାନେ ସମସ୍ତେ ଏଥର ଗୁଜୁରାଟ ରାଜ୍ୟର ଅସ୍ମିତା ବିଷୟରେ ଅଧିକ କହୁଥିବା ଦଳ କଥା ଭୁଲିଯାଇ ବିକ୍ଷିପ୍ତ ହୋଇ ରହିଥିବା ବିରୋଧୀଦଳଗୁଡିକୁ ଭୋଟ ଦେଇଛନ୍ତି । ଆମେ ଏବେ ରାଜସ୍ଥାନରେ ମଧ୍ୟ ସେମିତି କିଛି ଘଟିବାର ପ୍ରତିଧ୍ୱନୀ ଶୁଣିବାକୁ ପାଉଛୁ ଯେଉଁଠାରେ ସମ୍ପ୍ରତି ଶେଷ ହୋଇଥିବା ପୌର ନିର୍ବାଚନରେ କଂଗ୍ରେସ ଦଳ ବିଜେପିଠାରୁ ବହୁତ ଭଲ କରିଛି ।

ତେବେ ବିଜେପି ଯଦିଓ ଅପରାଜେୟ ନୁହେଁ ତଥାପି ଏହା ଏକ ଦୁର୍ଜୟ ପ୍ରତିଦ୍ୱନ୍ଦୀ ନିଶ୍ଚିତ । ନରେନ୍ଦ୍ର ମୋଦି-ଅମିତ ଶାହ ଯୋଡି କୌଣସି କଥାକୁ ସହଜ ଭାବରେ ନେଇ ଯାଉ ନାହାନ୍ତି । ତାଙ୍କ ସରକାରର ନୀତି ଗୁଡିକ ବିରୁଦ୍ଧରେ  ଲୋକଙ୍କର ଥିବା ଆକ୍ରୋଶକୁ କଂଗ୍ରେସ ଦଳ ଭୋଟରେ ପରିବର୍ତ୍ତନ କରିବାର ବହୁ ପୂର୍ବରୁ  ସେମାନେ ତୃଣମୂଳ ସ୍ତରରୁ ନିର୍ବାଚନରେ ଜିଣିବା ପାଇଁ ଁ ସଂପୂର୍ଣ୍ଣ ପ୍ରସ୍ତୁତି କରି ନେଉଛନ୍ତି । ଗୋଟିଏ ଆଦର୍ଶଗତ ଦୃଷ୍ଟିରୁ ସଂଯୋଗପ୍ରବଣ ଦଳ ବିରୁଦ୍ଧରେ ଲଢିବାକୁ ହେଲେ ତୃଣମୂଳସ୍ତରରେ ଅଧିକ ଶକ୍ତିଶାଳୀ ସଂଗଠନର ଆବଶ୍ୟକତା ହୋଇଥାଏ  । କେବଳ ନିର୍ବାଚନ ସମୟରେ ଆଖିଦୃଶିଆ ଜନସମାବେଶ କରି ଦେଲେ ଏହା ହୋଇଯାଏ ନାହିଁ । କଂଗ୍ରେସ ପଛରେ ପଡିବାର ବଡ କାରଣଟି ହେଉଛି ଗୋଟିଏ ପରେ ଗୋଟିଏ  ନିର୍ବାଚନରେ ହାରିବା ପରେ ଏହି ଦଳର ରାଜ୍ୟସ୍ତରରେ ସେତେ ଭଳ ସଂଗଠନ ଆଉ ନାହିଁ । ଏହାର ରାଜ୍ୟସ୍ତରରେ ଭଲ ନେତା ମଧ୍ୟ ନାହାନ୍ତି ଯେଉଁମାନେ ନିର୍ବାଚନ ସମୟରେ ଦଳକୁ ସଠିକ ରାସ୍ତା ଦେଖାଇ ପାରିବେ । ଏହା ସତ୍ତେ୍ୱ ମଧ୍ୟ ଏହି ଦଳ ୧୯୮୫ପରେ ପ୍ରଥମ ଥର ପାଇଁ ବିଧାନସଭାରେ ୭୭ ଆସନ ହାତେଇବାରେ ସମର୍ଥନ ହୋଇ ପାରିଛି । ପୁଣି ୩୦ ଟି ଆସନରେ ବିଜେପି ବହୁ କମ ମାର୍ଜିନରେ ଜିଣିଥିବାରୁ ଏହା ଭାବିନେବା  ଉଚିତ୍ ନୁହେଁ ଯେ ନିର୍ବାଚନରେ ସଂଘର୍ଷ ଖୁବ କଡା କଡି ଥିଲା ।

ତୃତୀୟରେ ଯଦିଓ ଏହି ନିର୍ବାଚନରେ ବିଭିନ୍ନ ସ୍ତରରୁ ଆସିଥିବା ତିନିଜଣ ଯୁବକଙ୍କ ସଭାରେ ବେଶ ଭିଡ ହେଉଥିଲା ଓ ଗଣମାଧ୍ୟମ ମଧ୍ୟ ସେମାନଙ୍କ ଚାରିପଟେ ବେଶ୍ ଭିଡ କରୁଥିଲା ଏବଂ ଏହା ଜରିଆରେ କଂଗ୍ରେସ ଦଳ ମୋଦି ସରକାରଙ୍କ ପ୍ରତି ଲୋକଙ୍କର ଥିବା ଭ୍ରାନ୍ତଧାରଣାକୁ ଦୁର କରେଇବାରେ କିଛି ପରିମାଣରେ ସହାୟକ ହୋଇ ପାରିଥିଲା ତଥାପି ଏହା ପର୍ଯ୍ୟାପ୍ତ ନଥିଲା । ଦଳିତ ବର୍ଗର ଯୁବ ଓକିଲ ଜିଗ୍ନେଶ ମେୱାନୀ, ଯିଏକି  ଉନାରେ ଦଳିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧକରି ଲୋକଲୋଚନକୁ ଆସିଥିଲେ, ହାର୍ଦ୍ଦିକ ପଟେଲ ଯିଏକି ପାଟିଦାର ବର୍ଗର ଲୋକମାନଙ୍କୁ ବିଜେପି ବିରୁଦ୍ଧରେ ଏକତ୍ରିତ କରିଥିଲେ ଏବଂ ଅଳ୍ପେଶ ଠାକୁର ପଛୁଆ ବର୍ଗର ଲୋକମାନଙ୍କର ସ୍ୱର ପାଲଟି ଯାଇଥିଲେ, ଏ ତିନିଜଣଯାକ ଗୁଜୁରାଟ ନିର୍ବାଚନରେ ବେଶ ଉଷ୍ମତା ଓ ରଙ୍ଗ ଭରି ପାରିଥିଲେ । କିନ୍ତୁ ସେତେବେଳେ ଯାହା ଦେଖାଗଲା ଓ ଏବେ ବି ଯାହା ଦେଖାଯାଉଛି ଏହି ତିନିଜଣ ଯାକ ସ୍ୱତନ୍ତ୍ର ଭାବେ ହୁଅନ୍ତୁ ବା ଏକତ୍ରିତ ଭାବେ ହୁଅନ୍ତୁ ଏକ ସଂୟୁକ୍ତ ବିକଳ୍ପ ଭାବେ ଉଭା ହୋଇ ପାରୁ ନାହାନ୍ତି । ହୋଇପାରେ ଯେ ଭବିଷ୍ୟତରେ ହୁଏତ ଏହା ସମ୍ଭବ ହୋଇପାରେ । କିନ୍ତୁ ମେୱାନୀ, ଯିଏକି ଏକ ବିଶ୍ୱଦୃଷ୍ଟି ରଖି ପଛୁଆ ବର୍ଗ ସହିତ ଅନ୍ୟମାନଙ୍କୁ ମଧ୍ୟ ଏକତ୍ରିତ କରି ଏକ ଡୋରରେ ବାନ୍ଧି  ପାରିଛନ୍ତି,  ତାଙ୍କୁ ବାଦ ଦେଲେ ବିଜେପି ବିରୁଦ୍ଧରେ ଏହି ତିନିଜଣଙ୍କୁ ବାନ୍ଧି ରଖିବା ପାଇଁ ସେପରି ଏକ ସାଧାରଣ ବନ୍ଧନ କିଛି ନାହିଁ ।

ଚତୁର୍ଥ କଥାଟି ହେଉଛି, ଯଦିଓ ଗୁଜୁରାଟରେ ବିଜେପି ଜିଣିଛି, ତଥାପି ନରେନ୍ଦ୍ର ମୋଦୀ ନିର୍ବାଚନ ପରେ ମଧ୍ୟ ତାଙ୍କ ପାର୍ଟି ବୈଠକରେ ଯାହା କହିଲେ, ପାର୍ଟି କାର୍ଯକର୍ତ୍ତାମାନେ ଏହି ବିଜୟରେ ଖୁସି ବା ସନ୍ତୁଷ୍ଟ ହୋଇ ରହିବେ ନାହିଁ । ଯେଉଁ ଯେଉଁ ଆସନରେ ବିଜେପି ହାରିଲା ସେ ଆସନଗୁଡିକ ବିଷୟରେ ଟିଖିନିଖି ବିଚାର ବିମର୍ଷ କରାଯାଇ ଏହାକୁ କିପରି ସଜଡାଯିବ ଓ ତାକୁ ପୁଣି କିପରି ଭବିଷ୍ୟତରେ ଜିଣାଯିବ ତାପାଇଁ ବିଜେପିର ଉଦ୍ୟମ ଜାରୀ ରହିବ ।  ସମ୍ପ୍ରତି କୃଷକମାନଙ୍କର ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମାଧାନର ବାଟ ବାହାର କରିବାର ବ୍ୟବସ୍ଥା ଆରମ୍ଭ କରାଯାଉଛି ।  ଏହାକୁ ନେଇ ଯଦି ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର କୌଣସି ନୀତିଗତ ନିଷ୍ପତ୍ତିର ଘୋଷଣା କରାଯାଏ ତେବେ ସେଥିରେ ମଧ୍ୟ କିଛି ଆଶ୍ଚର୍ଯ୍ୟ ହେଲା ଭଳି କଥା ରହିବ ନାହିଁ । ଯେ କୌଣସି ଦଳ ବିଜେପି ବିରୁଦ୍ଧରେ ଛିଡା ହେବାକୁ ଚାହିଁବ ତାହାକୁ ଏହି ସ୍ତରର ରଣନୀତି ଓ ନିଷ୍ଠା ପ୍ରଦର୍ଶନ କରିବାକୁ ହେବ । ଗୁଜୁରାଟ ନିର୍ବାଚନ ଗୋଟିଏ କଥା ସ୍ପଷ୍ଟ କରି ଦେଇଛି ଯେ ସରକାର ବିରୁଦ୍ଧରେ ଲୋକଙ୍କର ଥିବା ଆକ୍ରୋଶ ସେ ପର୍ଯ୍ୟନ୍ତ ଭୋଟରେ ପରିବର୍ତ୍ତିତ ହୋଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ଜଣେ ସଠିକ୍ ନେତୃତ୍ୱ ପ୍ରଦାନକାରୀ ବିଶ୍ୱସ୍ତ ବିକଳ୍ପ ଛିଡା ହୋଇ ନାହାନ୍ତି ।

ଏକଥା ସ୍ପଷ୍ଟ ଯେ ‘ ଅଚ୍ଛେ ଦିନ,’ ‘ ସବକା ସାଥ, ସବକା ବିକାଶ’  ଆଦି ଯେଉଁ ସବୁ ଆଶା ଲୋକଙ୍କୁ ଦେଖା ଯାଇଥିଲା ତାହା ଧୀରେ ଧୀରେ ମଉଳି ଯିବାରେ ଲାଗିଛି । କିନ୍ତୁ ହିନ୍ଦୁ ମାନଙ୍କୁ ମତଦାନ ମେସିନ(ଇଭିଏମ୍) ଜରିଆରେ ପ୍ରତିଶୋଧ ନେବାକୁ ବିଜେପି ପକ୍ଷରୁ ଯେଉଁ ନିଗୁଢ ଓ ରଙ୍ଗବୋଳା ଆହ୍ୱାନ ଦିଆଯାଉଛି ତାହା ଏବେବି କାର୍ଯ୍ୟ କରୁଛି । ପ୍ରଗତିଶୀଳ ଶକ୍ତି ଗୁଡିକ ସମ୍ମୁଖରେ ମୁସଲମାନ୍, ଦଳିତ ଏବଂ ଅନ୍ୟାନ୍ୟ ବଞ୍ôଚତ ବର୍ଗଙ୍କୁ ନେଇ ବିଜେପିର ହିନ୍ଦୁତ୍ୱ ବିରୋଧୀ ମଞ୍ଚ ଗଠନ  କରିବା  ଏବେ ଏକ ବଡ ଆହ୍ୱାନ ହୋଇ ଛିଡା ହୋଇଛି । ଗୁଜୁରାଟରେ କଂଗ୍ରେସ ଯେଉଁଭଳି କାର୍ଯ୍ୟ କରୁଛି ତାହା ସେମାନଙ୍କର ରାଜନୈତିକ ଦେବାଳିଆ ପଣକୁ ପ୍ରଦର୍ଶନ କରୁଛି । ଏହା ବିଜେପିର ଉଗ୍ର ହିନ୍ଦୁତ୍ୱ ପ୍ରଚାରର ସମ୍ମୁଖିନ ହେବାକୁ ଦୁର୍ବଳ ହେଉଛି ବା ଏହାକୁ ଅତି ଦୁର୍ବଳ ଭାବରେ ଅନୁକରଣ କରୁଛି । ଯଦି ଭବିଷ୍ୟତରେ ମଧ୍ୟ ଏହି  ଢାଞ୍ଚା ରହେ ତେବେ ଏହା ଏକ ଦୁଖଦ ସ୍ଥିତି ହେବ । କାରଣ ବହୁମତର ଖେଳରେ ବିଜେପି  ପୂର୍ବରୁ ହିଁ ବହୁ ଆଗରେ ରହି ସାରିଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top