ISSN (Print) - 0012-9976 | ISSN (Online) - 2349-8846

ଦୃଢତା ଓ ସ୍ଥିରତା ସପୟରେ ଭୋଟ୍

ନେପାଳୀ ଜନତା ବାମପନ୍ଥୀମାନଙ୍କଠାରୁ ସେହି ସଂସ୍କାରର ପୁର୍ତ୍ତି  ଆଶା କରୁଛନ୍ତି ଯାହାକି ନେପାଳ ପାଇଁ ସମତା ଓ ନ୍ୟାୟ ଆରି ଦେଇ ପାରିବ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନେପାଳରେ ୨୦୧୫ରେ ନୂତନ ସମ୍ବିଧାନ ଲାଗୁ ହେବା ପରେ ହୋଇଥିବା ପ୍ରଥମ ନିର୍ବାଚନରେ ଲୋକମାନେ ବହୁସଂଖ୍ୟାରେ ନେପାଳୀ କଂଗ୍ରେସ ନେତୃତ୍ୱରେ ଥିବା ମେଣ୍ଟ ସରକାରକୁ ପରାସ୍ତ କରି ଏଠାକାର ବାମପନ୍ଥୀ ମେଣ୍ଟକୁ ଭୋଟ ଦେଇଛନ୍ତି । କହିବା ବାହୁଲ୍ୟ ଯେ ୧୯୯୦ ମସିହାପରେ ଏହା ହେଉଛି ନେପାଳରେ ବାମପନ୍ଥୀମାନଙ୍କୁ ମିଳିଥିବା ସବୁଠୁ ବଡ ଜନମତ । କମ୍୍ୟୁନିଷ୍ଟ ପାର୍ଟି ଅଫ ନେପାଲ(ଯୁନିଫାଏଡ ମାର୍କ୍ସିଷ୍ଟ-ଲେନିନିଷ୍ଟ) ବା ୟୁଏମଏଲ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଲ(ମାଓଇଷ୍ଟ ସେଣ୍ଟର) ବା ସିପିଏନ୍ (ଏମସି) ମିଳିତ ଭାବରେ ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ (ଏଫପିଟିପି) ବ୍ୟବସ୍ଥାରେ ନେପାଳର ସଂଘୀୟ ସଂସଦରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଭୋଟ ପାଇଛନ୍ତି ଏବଂ ଅଧିକାଂଶ ଭୋଟ ଆନୁପାତିକ ପ୍ରତିନିଧିତ୍ୱ ମାଧ୍ୟମରେ ହୋଇଛି ।

ଭୋଟରମାନେ ବିଶ୍ୱାସ କରିଛନ୍ତି ଯେ ୟୁଏମଏଲ –ସିପିଏନ(ଏମସି)ମେଣ୍ଟ ନେପାଳରେ ଯେଉଁ ସଂହତିପୂର୍ଣ୍ଣ ଏବଂ ଦୀର୍ଘସ୍ଥ୍ରାୟୀ ସରକାର ଦେବାର ପ୍ରତିଶୃତି ନିର୍ବାଚନ ପୂର୍ବରୁ ଦେଇଥିଲା ତାହା ଆଜି ପର୍ଯ୍ୟନ୍ତ ଚାଲି ଆସିଥିବା ଅନ୍ୟାନ୍ୟ ରାଜନୈତିକ ଚର୍ବିତଚର୍ବଣରୁ ମୁଁହ ଫେରାଇ ରାଜନୀତିକୁ ଲୋକଙ୍କ ଜୀବନ ଜୀବିକାର ଅଭିବୃଦ୍ଧି ଦିଗରେ ଲଗାଇବ । କାରଣ ନେପାଳୀ କଂଗ୍ରେସର ପୂର୍ବତନ ରାଜ ପରିବାରର ସମର୍ଥକ ଓ ମାଧେସୀମାନଙ୍କ ସହିତ  ଏକ ଅସ୍ଥିର ରାଜନୈତିକ ଅସ୍ଥିର ମେଣ୍ଟଗଠନ ଲୋକଙ୍କର ବିଶ୍ୱାସକୁ ଜିଣି ପାରିଲା ନାହିଁ । ଗତ ନିର୍ବାଚନ ସମୟରେ ନେପାଳୀ କଂଗ୍ରେସର ନିର୍ବାଚନ ପ୍ରଚାର ମଧ୍ୟ ଯେତିକି ନୈରାଶ୍ୟବାଦୀ ସେତିକି ବିପଦସୂଚକ ହୋଇଥିଲା ।

ଗତ ନିର୍ବାଚନରେ ସ୍ଥିରତାର ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାହା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ୧୯୯୦ରେ ନେପାଳରେ ଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥାର ପ୍ରତିଷ୍ଠା ହେବା ପରଠାରୁ କ୍ଷମତାପାଇଁ ରାଜନୈତିକ ଦଳମାନଙ୍କର ବାରମ୍ବାର କଳହ ଫଳରେ ରାଜନୈତିକ ଅସ୍ଥିିରତା ନେପାଳ ପାଇଁ ଏକ ବଡ ରାଜନୈତିକ ସମସ୍ୟା ପାଲଟି ଯାଇଥିଲା । ଦେଶକୁ ଗଣତନ୍ତ୍ର ଆସିବାର ୨୭ ବର୍ଷ ମଧ୍ୟରେ ୨୩ ଥର ସରକାର ହୋଇ ଦେଶରେ ୧୩ ଜଣ ପ୍ରଧାନମନ୍ତ୍ରୀ ଆସିଲେଣି ଓ ଗଲେଣି । ଏହାରି ଭିତରେ ଏକ ଦଶନ୍ଧୀ ଧରି ଚାଲି ରହିଥିବା ଶୀତଳ ଯୁଦ୍ଧ, ଅଳ୍ପ ସମୟ ପାଇଁ ପୁଣି ଥରେ ପୂର୍ବତନ ରାଜପରିବାର ଦ୍ୱାରା ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ଲାଗୁ କରାଯିବାର ଅପଚେଷ୍ଟା ପରେ ସଶସ୍ତ୍ର ମାଓବାଦୀ ଓ ମୁଖ୍ୟଧାରାରେ ଥିବା ଗଣତାନ୍ତ୍ରିକ ଦଳ ମାନଙ୍କ ପକ୍ଷରୁ ଶାନ୍ତି ପ୍ରକ୍ରିୟା ଆରମ୍ଭ କରାଯାଇ ରାଜତନ୍ତ୍ରର ବିଲୋପ ଓ ଏକ ସଂଘୀୟ ବ୍ୟବସ୍ଥାର ଉଦୟ ହୋଇ ପାରିଛି । ଗତ ଦଶନ୍ଧୀରେ ନୂତନ ସମ୍ବିଧାନର ପ୍ରସ୍ତୁୁତିକୁ ନେଇ ମଧ୍ୟ ଅନେକ ମତଭେଦ ଦେଖା ଦେଇଥିଲା ତେବେ ନେପାଳରେ ଆସିଥିବା ଏକ ଭୟଙ୍କର ଭୂମିକମ୍ପ ପରେ ଦେଶର ରାଜନୀତିଜ୍ଞମାନେ ନିଜ ନିଜର ମତଭେଦ ଉପରେ ନିୟନ୍ତ୍ରଣ ପାଇପାରିବା ଯୋଗୁଁ ନୂତନ ସମ୍ବିଧାନ ପ୍ରସ୍ତୁତି କାର୍ଯ୍ୟ ସମ୍ଭବ ହୋଇ ପାରିଛି । ତା ସତ୍ତେ୍ୱ ମଧ୍ୟ ନୂତନ ସମ୍ବିଧାନକୁ ନେଇ ଦେଶରେ ଏବେବି ଅସନ୍ତୋଷ ଲାଗି ରହିଛି  । ଉଦାହରଣ ସ୍ୱରୂପ ମାଧେସୀ ଓ ଜନଜାତିମାନଙ୍କ ପକ୍ଷରୁ ଦେଶ ପୁନର୍ଗଠନର ଏକ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ଯେଉଁ ଦାବୀ କରାଯାଇ ଆସୁଛି ତାହା ଅଧା ରହି ଯାଇଛି ।

୧୯୯୦ରେ ସ୍ୱର୍ଗତଃ ମଦନ ଭଣ୍ଡାରୀ ଙ୍କ ନେତୃତ୍ୱରେ ୟୁଏମଏଲର ଗଠନ ପରେ ଏହି ମେଣ୍ଟକୁ ଚଳିତ ନିର୍ବାଚନରେ ସବୁଠାରୁ ଅଧିକ ଜନମତ ମିଳିଛି ।  ଏହି ପାର୍ଟି ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହା ଭିତରେ ଅନେକ ରାସ୍ତା ଆସି ସାରିଛି । ଏହା କେ ପି ଓଲିଙ୍କ ନେତୃତ୍ୱରେ ଗତ ଦଶନ୍ଧୀରେ ସ୍ଥିତାବସ୍ଥା ରାଜନୀତି ଉପରେ ଗୁରୁତ୍ୱ  ଦେଇ ଚାଲିବା ସହିତ ନେପାଳୀ ଜାତୀୟତାକୁ ଆଗରେ ରଖି ନେସନ ଷ୍ଟେଟର ସଚ୍ଚା ସଂଘୀୟ ଢାଞ୍ଚାଟିକୁ ରୋକିବାର ଉଦ୍ୟମ କରିଥିଲା । ସେହିପରି ଅର୍ଥନୈତିକ ନୀତି ମଧ୍ୟ କେବଳ ପୃଷ୍ଠପୋଷକତା ଭିତ୍ତିକ ହୋଇ ରହିଥିଲା । ତେବେ  ମାଧେଶୀ ଆନ୍ଦୋଳନ ସମୟରେ ଭାରତ ପକ୍ଷରୁ  ହସ୍ତକ୍ଷେପ ସତ୍ତେ୍ୱ ଏହା ଯେଉଁ ପ୍ରକାରରେ  ଦୃଢ ଜାତୀୟତାବାଦୀ ରାଜନୀତିର ଖେଳ ଆରମ୍ଭ କରିଦେଲା ସେଥିରେ ଏହାକୁ ସ୍ୱାଧୀନ ନେପାଳି ମତଦାତାମାନଙ୍କର ସମର୍ଥନ ମିଳିଲା ।  

ସେହିପରି ପୁଷ୍ପ କମଲ ଦହଲ ବା ପ୍ରଚଣ୍ଡଙ୍କ ନେତୃତ୍ୱରେ ସିପିଏନ(ଏମସି)ରେ ମଧ୍ୟ ଏକ ଆମୂଳଚୁଳ ପରିବର୍ତ୍ତନ ଆସିଲା ଓ ୧୯୯୦ ଓ ୨୦୦୦ ମସିହାର ପ୍ରାରମ୍ଭରୁ  ଆରମ୍ଭ ହୋଇଥିବା ଜନଯୁଦ୍ଧ ସହିତ  ପାର୍ଟିର ପୂର୍ବର ଉଗ୍ର ଚେହେରାରେ ମଧ୍ୟ ଏକ ପରିବର୍ତ୍ତନ ଆସିଥିଲା । ଯେତେବେଳେ ପାର୍ଟି ଏହାର କୌଶଳ ବଦଳାଇ ଏକ ଲୋକପ୍ରିୟ ନିର୍ବାଚିତ ସରକାରର ଭୂମିକାରେ ଦେଖାଦେଲା , ପ୍ରଚଣ୍ଡ କାଠମାଣ୍ଡୁରେ କ୍ଷମତାକୁ ଜାବୁଡି ଧରିବାର ଅଧିକରୁ ଅଧିକ ଉଦ୍ୟମ କରି ପୂର୍ବରୁ ପାର୍ଟିର ଥିବା ଭୂସଂସ୍କାର ଓ ସମ୍ପୂର୍ଣର୍ ସଂଘୀୟ ଢାଞ୍ଚା ବିଷୟ ଉପରେ ଏତେ ଗୁରୁତ୍ୱ ଦେଲେ ନାହିଁ । ମୂଳ ମାଓବାଦୀ ଧାରାରୁ ଓହରିବା କାରଣରୁ ଦଳ ଭିତରେ ବିଭିନ୍ନ ଗୋଷ୍ଠୀ ମଧ୍ୟ ସୃଷ୍ଟି ହେଲେ  । ତେବେ ପ୍ରଚଣ୍ଡ ୟୁଏମଏଲ ସହିତ ସୁସମ୍ପର୍କ ରଖି ଦେଶରେ ବାମମେଣ୍ଟକୁ ଠିକ ଭାବରେ ଚଳାଇ ରଖିବାରେ ସମର୍ଥ ହୋଇଥିଲେ ।

 ସମ୍ପ୍ରତି ଏହି ଦୁଇଦଳର ପ୍ରଚଣ୍ଡ ବହୁମତ ଏବଂ ଦୁଇଦଳର ଏକାଠି ହୋଇଯିବାର ସମ୍ଭାବନା ଦୁଇଦଳକୁ ଆତ୍ମସନ୍ତୁଷ୍ଟି ଆଡକୁ ନେଇଯାଇପାରେ । ଦୁଇପାର୍ଟିଯାକ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ବରଂ ଦୁଇ ପାର୍ଟିଯାକ ଏହାକୁ ଦେଶରେ ବିଭିନ୍ନ ସଂସ୍କାର ଆଣିବା ପାଇଁ ଏକ ସୁଯୋଗ  ଭାବରେ ନେଇ ଦେଶର ବହୁଦିନର ଦାବୀ ଯେପରିକି ଦାଦନ ସମସ୍ୟା, ଭୂକମ୍ପ ପୀଡିତମାନଙ୍କୁ ଏଯାବତ୍ ସମ୍ପୂର୍ଣର୍ ଭାବରେ ସଠିକ୍  ସହାୟତା  ପହୁଞ୍ôଚ ନ ପାରିବା, ଭୂକମ୍ପ ପୀଡିତ ଅଞ୍ଚଳର ପୁର୍ନଗଠନ ଓ ପୁନର୍ବାସ ତଥା ଅର୍ଥନୀତିର ନିମ୍ନମୁଖୀ ଧାରା ଆଦି ପ୍ରତି ଅଧିକ ଧ୍ୟାନ ଦେବା ଦରକାର । ନେପାଳରେ ଯେଉଁ ଦାଦନ ସମସ୍ୟା ଦେଖା ଦେଇଛି ତାର ମୂଳ କାରଣଟି ହେଉଛି ଯେ ସେଠାକାର କୃଷି ଅର୍ଥନୀତି ଏବେ ସ୍ଥାଣୁ ପାଲଟି ଯାଇଛି । ସେହିପରି ବିଦେଶୀ ସହାୟତା ଓ ବିଦେଶରେ କାର୍ଯ୍ୟରତ ନେପାଳୀମାନଙ୍କ ପ୍ରେରିତ ଅର୍ଥ ଉପରେ ଭରସା କରୁଥିବା ନେପାଳୀ ଅର୍ଥନୀତିରେ କୌଣସି ବିବିଧୀକରଣର  ବ୍ୟବସ୍ଥା ମଧ୍ୟ କରାଯାଇ ପାରି ନାହିଁ ।

ଏବେ ଦେଖିବା ପାଇଁ ବାକି ରହିଲା ଯେ ବାମମେଣ୍ଟ ପକ୍ଷରୁ ନେପାଳର ପୃଷ୍ଠପୋଷକତା ଉପରେ ନିର୍ଭରଶୀଳ ଅର୍ଥନୀତି ଯାହାକି ନେପାଳର ବିକାଶର ହାତ ମୋଡିବାରେ ଲାଗିଛି ତାହାକୁ ବାଟକୁ ଆଣିବାପାଇଁ କେତେ ଉଦ୍ୟମ କରାଯାଉଛିି । ଏହା କରିବା ପାଇଁ ୟୁଏମଏଲ ଓ ସିପିଏନ(ଏମସି)ଙ୍କୁ ସେମାନଙ୍କ ନିଜ ସ୍ଥିତିକୁ ଆସିବାକୁ ହେବ ଯେଉଁଠାରେ କି ସେମାନେ ଭୂସଂସ୍କାର, ଉତ୍ପାଦନ କ୍ଷେତ୍ର ଯେପରିକି ଜଳବିଦ୍ୟୁତ୍ରେ ବେସରକାରୀ ପୁଞ୍ଜିଲଗାଣକୁ ବ୍ୟାପକ କରିବା ତଥା ବିଦେଶ ଉପରେ ନିର୍ଭରଶୀଳତା କମାଇବାପାଇଁ ସ୍ୱଦେଶୀ  ଉଦ୍ୟୋଗଜଗତକୁ ମଜବୁତ କରିବାର ଉଦ୍ୟମ କରି ପାରିବେ ।

ଏହା ସହିତ ଦେଶ ଭିତରେ ଯେଉଁଥିପାଇଁ ମାଧେସୀ ଓ ଜନଜାତିମାନେ ନିଜକୁ  ଦେଶ ଭିତରେ ଥାଇ ମଧ୍ୟ ବିଚ୍ଛିନ୍ନ ମନେକରୁଛନ୍ତି ତାହାକୁ ପ୍ରଶମିତ କରିବାପାଇଁ ଦେଶଭିତରର ଭୌଗାଳିକ ପୁର୍ନଗଠନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ          । ତେରାଇର ଏହି ଲୋକପ୍ର୍ରିୟ ଦାବୀକୁ ପ୍ରତ୍ୟାଖ୍ୟାନ କରିଥିଲେ  ମଧ୍ୟ   ୟୁଏମଏଲକୁ ପାହାଡୀ ଅଧିବାସୀମାନଙ୍କର ସମର୍ଥନ ମିଳିଛି  । କିନ୍ତୁ ଏହାକୁ ଅଧିକ ଅଣଦେଖା କରିହେବ ନାହିଁ । ଏହାକୁ ଅଧିକ ଅଣଦେଖା କରିବାର ଅର୍ଥ ହେଉଛି ବିଛିନ୍ନତାବାଦୀମାନଙ୍କୁ ମୁଣ୍ଡ ଟେକିବାକୁ ସୁଯୋଗ ଦେବା ଓ ବିଛିନ୍ନତାବାଦୀଙ୍କ ଦାବୀକୁ ବୈଧତା ପ୍ରଦାନ କରିବା । ବାମମେଣ୍ଟ ସେମାନଙ୍କୁ ମିଳିଥିବା ଜନମତରୁ ଏହା ଭାବିନେବା ଉଚିତ୍ ନୁହେଁ ଯେ ସେମାନଙ୍କୁ ପୁର୍ନଗଠନ ବା ସଂଘୀୟ ଘଟଣାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଦେବାପାଇଁ ଏ ବ୍ୟବସ୍ଥା କରାଯାଇଛି ।

ପ୍ରଶାସନରେ ପରିବର୍ତ୍ତନ ଆସିବାର ଆଶା ସହିତ ଦେଶର ସାର୍ବଭୋମତ୍ୱ ଓ ଲୋକଙ୍କ ହାତକୁ କ୍ଷମତା ଆସିବାର ଆଶା ନେଇ ଲୋକେ ରାଜତନ୍ତ୍ରକୁ ପରିବର୍ତ୍ତନ କରି ଜନତନ୍ତ୍ରକୁ ସମର୍ଥନ ଦେଇ ସରକାରରେ ବସାଇଛନ୍ତି । କିନ୍ତୁ ରାଜନୈତିକ ଶ୍ରେଣୀମାନେ ବୁଝି ପାରୁ ନାହାନ୍ତି ଯେ ଲୋକମାନଙ୍କର ଗଣତନ୍ତ୍ର ପ୍ରତି ଥିବା ଆକାଂକ୍ଷାରେ  କମି ଆସି ନାହିଁ । ତେଣୁ ବାମ ଗଣତାନ୍ତ୍ରୀକ ମେଣ୍ଟ ପାଇଁ ଏବେ କାମ କରି ଦେଖାଇବାର ସମୟ ଆସିଛି ।

Back to Top