ISSN (Print) - 0012-9976 | ISSN (Online) - 2349-8846

ବିପଦଜନକ ମୋଡ

ମୋଦିଙ୍କ ଅଯୌକ୍ତିକ  ଚକ୍ରାନ୍ତ ତତ୍ତ୍ୱ କେବଳ ଯେ କୌଣସି ମତେ ନିର୍ବାଚନ ଜିଣିବାର ଏକ ବାହାନା ମାତ୍ର ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ରାଜନୀତିକ ବ୍ୟକ୍ତିମାନଙ୍କ ଠାରୁ ଆଶା କରା ଯାଏ ନାହିଁ ଯେ ସେମାନେ ନିର୍ବାଚନ ସମୟରେ ସତ କହିବେ । ବାସ୍ତବ କଥା ହେଉଛି ଶବ୍ଦାଡମ୍ବର, ଅତିଶୟୋକ୍ତି ଏବଂ ସିଧାସଳଖ ମିଛକଥା ଏବେ ନିର୍ବାଚନ ପ୍ରକ୍ରିୟାର ମୂଳକଥା ହୋଇଛି । କିନ୍ତୁ ଯେତେବେଳେ ଏହି ରାଜନୈତିକ ବ୍ୟକ୍ତିଟି ଜଣେ ପ୍ରଧାନମନ୍ତ୍ରୀ ହୁଅନ୍ତି ସେତେବେଳେ ଯେ କେହି ବି ଆଶା କରିବ ଯେ ସେ ସାଧାରଣ ରାଜନୈତିକଙ୍କ ଠାରୁ ସେ ନିଶ୍ଚିତ ଟିକେ ସ୍ୱତନ୍ତ୍ର ହୋଇଥିବେ ।  ଭାରତୀୟ ମାନଙ୍କ ପାଇଁ ସେ  ଆଶା ଟିକକ ମଧ୍ୟ ମଉଳି ଯାଇଛି । ନରେନ୍ଦ୍ର ମୋଦି ଗୁଜୁରାଟର ବନସକଣ୍ଠାଠାରେ ଡିସେମ୍ବର ୧୦ ତାରିଖରେ ଯାହା କହିଲେ ତାପରେ ଏହା ସ୍ୱାଭାବିକ ଭାବେ ସମସ୍ତଙ୍କ ମନରୁ ଉଭେଇ ଯାଉଛି । ମୋଦି ଯେଉଁପରି ଅନନୁକରଣୀୟ ନାଟକୀୟ ଢଙ୍ଗରେ ଭାଷଣ ଦିଅନ୍ତି ଓ ଶବ୍ଦ ସବୁଙ୍କୁ ବ୍ୟବହାର କରନ୍ତି ସେସବୁକୁ ଟପି ସେ ସେଦିନ ଯେଉଁ  ଭାଷଣ ଦେଇଥିଲେ ତାହା ଜଣେ ରାଷ୍ଟ୍ରମୁଖ୍ୟଙ୍କ ଭାଷଣର  ଶାଳୀନତାର ସବୁ ସୀମାକୁ ଭୁଲି ଯାଇଥିଲା । ସିଧାକଥାରେ କହିଲେ ମୋଦି ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ, ଜଣେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଆନସାରୀ ଓ ଜଣେ ପୂର୍ବତନ ସେନାମୁଖ୍ୟ ଦୀପକ କପୁରଙ୍କୁ ଚକ୍ରାନ୍ତକାରୀ ହେବାର ଦୋଷରେ ଦୋଷୀ କରିଦେଇଥିଲେ ।  ଗୁଜୁରାଟର ଶେଷ ପର୍ଯ୍ୟାୟ ନିର୍ବାଚନରେ ଯେତେବେଳେ ମୋଦି ଦେଖିଲେ ଯେ ସଂଘର୍ଷ କଡାକଡି ହେଉଛି  ସେତେବେଳେ ସେ ସମାଜପାଇଁ ବିପଦଜନକ ସାମ୍ପ୍ରଦାୟିକତା କାର୍ଡଟିକୁ ଖେଳି ଦେବା ପାଇଁ  କହିଥିଲେ ଯେ ଏହି ପ୍ରସିଦ୍ଧ ଲୋକମାନେ ଶତୃରାଷ୍ଟ୍ର ପାକିସ୍ଥାନ ସହିତ ମିଶି ଗୁଜୁରାଟରେ ବିଜେପିକୁ ହରାଇ ଜଣେ ମୁସଲମାନ ଅହମ୍ମ୍ଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବାର ଚକ୍ରାନ୍ତ କରୁଛନ୍ତି । ଏସବୁ ଚକ୍ରାନ୍ତ ଗତ ଡିସେମ୍ବର ୬ ତାରିଖରେ କଂଗ୍ରେସୀ ନେତା ମଣିଶଙ୍କର ଆୟାରଙ୍କ ଘରେ ହୋଇଥିବା ଏକ ତିନି ଘଣ୍ଟିଆ ଗୁପ୍ତ ବୈଠକରେ କରାଯାଇଛି  । ମୋଦି ଯାହା କହିଥିଲେ ସେଥିରେ ଗୋଟିଏ କଥା ସତ୍ୟ ଥିଲା ଯେ ମଣିଶଙ୍କର ଆୟାରଙ୍କ ଘରେ ଗୋଟିଏ ତିନିଘଣ୍ଟିଆ ବୈଠକ ହୋଇଥିଲା, ଏହା ଏକ ସମ୍ପୂର୍ଣ୍ଣ ବେସରକାରୀ ରାତ୍ରିଭୋଜନ (ଡିନର ପାର୍ଟି) ଥିଲା ଯାହାକୁ କି ଶ୍ରୀ ଆୟାର ତାଙ୍କର ଜନୈକ ପୁରୁଣା ବନ୍ଧୁ ଓ ପାକିସ୍ଥାନର ପୂର୍ବତନ ବୈଦେଶୀକ ମନ୍ତ୍ରୀ ଖୁର୍ସିଦ ମାହମୁଦ କସୌରୀଙ୍କ ପାଇଁ ଆୟୋଜନ କରିଥିଲେ ।

ମୋଦୀ ନିଜ ଉଦ୍ଭଟ ମିଛକୁ ଲୋକଙ୍କ ପାଇଁ ବିଶ୍ୱସନୀୟ କରାଇବା ଉଦ୍ଦେଶ୍ୟ ରଖି ପାକିସ୍ଥାନ, କଂଗ୍ରେସ ଓ ମୁସଲିମ ପରି ତିନୋଟି ଶବ୍ଦକୁ ବେଶ ଚାଲାକୀ କରି ଯୋଡି ଦେଇଥିଲେ । ସେଇଟା ହିଁ ସବୁଠୁ ବଡ ବିପଦ । ଜଣେ ସର୍ବୋଚ୍ଚ ସ୍ଥାନରେ ଥିବା  ଜନପ୍ରତିନିଧି ଯିଏକି ଏହି ସ୍ଥାନରେ ବସିବା ପରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା କଥା ଓ କେବଳ ନିଜ ପାର୍ଟି କଥା ଚିନ୍ତା ନକରି ଦେଶର ସମସ୍ତଙ୍କର ପ୍ରତିନିଧିତ୍ୱ କରିବା କଥା  ସିଏ ଭାରତର କିଛି ପ୍ରସିଦ୍ଧ ଲୋକଙ୍କୁ ପାକିସ୍ଥାନ ସହିତ ଯୋଡି ସେମାନେ ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରୁଥିବା କଥା କହୁଛନ୍ତି । ପୁଣି ଏହି ବ୍ୟକ୍ତି ଜଣକ ସବୁ ସମୟରେ ଭାରତୀୟ ମୁସଲମାନମାନଙ୍କୁ ପାକିସ୍ଥାନ ସହିତ ଯୋଡୁଛନ୍ତି ଯାହା ଦ୍ୱାରା ଭାରତ ସ୍ୱାଧୀନ ହେବା ପରଠାରୁ ଗତ ୭୦ ବର୍ଷ ଧରି ଭାରତରେ ରହି ଆସୁଥିବା ମୁସଲମାନମାନଙ୍କୁ ପୁଣିଥରେ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାକୁ କୁହାଯାଉଛି ଯାହାକି ସେମାନେ ଗତ ୭୦ ବର୍ଷ ଧରି କରିବାକୁ  ବାଧ୍ୟ ହୋଇ ଆସୁଛନ୍ତି । ତୃତୀୟରେ ସେ କହୁଛନ୍ତି ଯେ କଂଗ୍ରେସ ଭଳି ଦଳ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଶତୃରାଷ୍ଟ୍ର ସହିତ ମିଶି ଷଡଯନ୍ତ୍ର କରୁଛି ।  କିନ୍ତୁ ପ୍ରକୃତ କଥା ହେଉଛି ବାରମ୍ବାର ଗାଈ ରାଜନୀତି ଓ ଲଭଜିହାଦ ନାଁଆରେ ଦେଶର ମୁସଲମାନମାନଙ୍କୁ ଲକ୍ଷ୍ୟ ବନାଇ ସେମାନଙ୍କୁ ହତ୍ୟା କରାଯାଉଛି, ଏବେ ଏବେ ଗତ ଡିସେମ୍ବର ୬ ତାରିଖରେ ରାଜସ୍ଥାନର ରାଜସମନ୍ଦଠାରେ ମହମ୍ମଦ ଅଫ୍ରାଜୁଲଙ୍କୁ ଏହି କାରଣରୁ ହତ୍ୟା କରାଯାଇଛି । ଏହାଦ୍ୱାରା କେବଳ ଘୃଣାର ରାଜନୀତିକୁ ବିକଶିତ କରାଯାଉଛି ଓ ମୁସଲମାନମାନଙ୍କୁ କୋଣଠେସା କରି ଦିଆଯାଉଛି ବୋଲି ନୁହେଁ,  ଗଣତନ୍ତ୍ରର ଶରୀରରୁ ଅନ୍ତବୁଜୁଳିକୁ ବାହାର କରି ଦିଆଯାଉଛି । ଦୁର୍ଭାଗ୍ୟର କଥା ହେଉଛି କଂଗ୍ରେସ ଦଳ ମଧ୍ୟ ଚଳିତ ନିର୍ବାଚନରେ ବିଜେପିର ମୁସଲିମ ବିରୋଧୀ କାର୍ଯ୍ୟସୂଚୀକୁ ରୋକି ପାରିଲା ନାହିଁ । ଗତ କେତେ ବର୍ଷ ଧରି ଚୁପ କରାଇ ଦିଆଯାଇଥିବା ମୁସଲିମମାନଙ୍କୁ ପୁଣି ଥରେ ମୁଣ୍ଡ ଉଠାଇ କଥା କହିବାର ଶକ୍ତି ଟିକକ କଂଗ୍ରେସ ଦଳ ଏଥର ମୁସଲିମମାନଙ୍କୁ ଦେଇ ପାରିଲା ନାହିଁ ।

ଏଥର ଗୁଜୁରାଟ ନିର୍ବାଚନର ପ୍ରଚାର ଅଭିଯାନ ଯେପରି ଚାଲିଲା ତାହା ଲୋକଙ୍କୁୁ ଚିନ୍ତାରେ ପକାଇ ଦେବାର ଅନେକ କାରଣ ରହିଛି । ଗୋଟିକ ପରେ ଗୋଟିଏ  ରାଜ୍ୟର ନିର୍ବାଚନରେ ମୋଦିଙ୍କୁ ନେଇ ଦେଶରେ ଏକ ବ୍ୟକ୍ତିବାଦୀ ସଂସ୍କୃତି ବିକଶିତ ହେବାରେ ଲାଗିଛି । ନିର୍ବାଚନ ସଭାଗୁଡିକରେ ମୋଦି ମୋଦି ଚିକ୍ରାର କରାଯିବା, ମୋଦି ସାବରମତୀ ନଦୀରେ ଏକ ସି-ପ୍ଲେନରେ ଛିଡାହୋଇ ନିର୍ବାଚନ ପ୍ରଚାର କରିବା, ମିଛରେ ପ୍ରଚାର କରାଯିବା ଯେ ଏହି  ସି-ପ୍ଲେନ ପ୍ରଥମଥର ପାଇଁ   ମୋଦି ବ୍ୟବହାର କଲେ ଯେତେବେଳେ କି ଏହି ସି-ପ୍ଲେନକୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ବର୍ଷ ବର୍ଷ ଧରି ବ୍ୟବହାର କରାଯାଉଛି । ପୁଣି ମୋଦି ଚାଲାକୀ କରି ମଣିଶଙ୍କର ଆୟାରଙ୍କର ଗୋଟିଏ ଶବ୍ଦକୁ ନେଇ ନିଜେ ଯୋରଦାର ଆକ୍ରମଣର ଶିକାର ହୋଇଥିବାର ଯେଉଁ ମିଛ କାର୍ଡ ଖେଳିଲେ ତାହା ମଧ୍ୟ ଦେଖିବାର କଥା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଆଉ ତାହା ହେଉଛି ଜଣେ ବ୍ୟକ୍ତିଙ୍କ ପ୍ରତି ଖୋଲାଖୋଲି ଆନୁଗତ୍ୟ ପ୍ରକାଶ । ଏଥିରୁ ଏ ଜାତିପାଇଁ ଗୋଟିଏ ନୂଆ ବାକ୍ୟ ବାହାରୁଛି ଯେ ମୋଦୀ ହେଉଛନ୍ତି ଭାରତ, ଭାରତ ହେଉଛି ମୋଦି ।

ଗୁଜୁରାଟ ନିର୍ବାଚନ ପ୍ରଚାରରେ ମୋଦିଙ୍କ ଭାଷଣକୁ ଦେଖିଲେ ଗୋଟିଏ କଥା ଜଣା ପଡିଯାଉଥିଲା ଯେ ବିକାଶ ହିନ୍ଦୁତ୍ୱର ବିକ୍ରୟ ପାଇଁ ଏକ ମଞ୍ଚ ହୋଇ ଉଭା ହେଲାଣି । ଗୁଜୁରାଟ ନିର୍ବାଚନରେ  ବିକାଶ କଥାଟି ବେଶ ବର୍ଣର୍ାଢ୍ୟ ଓ ନାଟକୀୟ  ଅଙ୍ଗଭଙ୍ଗୀରେ ପରିବଶିତ ହୋଇସାରିଛି । ବିକାଶର ମିଥ୍ୟା ପ୍ରତିଶୃତି ଫମ୍ପା ବୋଲି ପ୍ରମାଣିତ ହୋଇଯିବା ପରେ ଜଳ ବିମାନରେ ଷ୍ଟଣ୍ଟ ପ୍ରଦର୍ଶନର ସାହାଯ୍ୟ ନିଆଗଲା । ଏହା କେବଳ ଲୋକମାନଙ୍କୁ ଭୁତେଇବା ପାଇଁ କରାଯାଉଥିବା ତାମସାର ଗୋଟିଏ ଗୋଟିଏ ଅଙ୍କ ମାତ୍ର । ସମସ୍ତେ ବୁଝିଲେଣି ଯେ ବିକାଶର ଫମ୍ପା ମାଠିଆରୁ ବାହାରୁଥିବା ଶବ୍ଦରେ ନାଁ ପେଟ ପୁରିବ ନାଁ  ଜୀବିକାର୍ଜନ ହୋଇ ପାରିବ । ତେଣୁ ଶେଷରେ ତାକୁ ମଧ୍ୟ ପରିତ୍ୟାଗ କରି ପ୍ରକୃତ କାର୍ଯ୍ୟସୂଚୀ- ଧର୍ମ, ପରିଚିତି ଏବଂ ନେତାଙ୍କ ପ୍ରତି ଆନୁଗତ୍ୟ ହିଁ ମୂଳକଥା ହୋଇଯାଇଛି ।   ଆଗରୁ ଏ ବିଷୟରେ ଯାହା କିଛି ସନ୍ଦେହ ରହୁଥିଲା ତାହା ଗୁଜୁରାଟ ନିର୍ବାଚନରେ ଦୂର ହୋଇ ଯାଇଛି । ଆଗାମୀ ଦୁଇ ବର୍ଷରେ ଅଧିକରୁ ଅଧିକ ଘୃଣା ଉଦ୍ରେକକାରୀ ଭାଷଣ, ବିଭେଦ ସୃଷ୍ଟିକାରୀ ରଣନୀତି, ଅଧିକରୁ ଅଧିକ କୋଣଠେସାକରଣ, ସଂଖ୍ୟାଲଘୁଙ୍କ କଣ୍ଠରୋଧ ଏବଂ ସଂଖ୍ୟାବହୁଳତାର ଗର୍ବିତ ଜୟଗାନ  ଶୁଣିବାକୁ ମିଳିବ ।  ଏଠାରେ ବିରୋଧୀଦଳ ଗୁଡିକ ପାଇଁ ଆହ୍ୱାନ ହେଉଛି ଯେ ସେମାନେ ବିଜେପିର କାର୍ଯ୍ୟସୂଚୀର ବିପରୀତ ଏକ ଭିନ୍ନ ଅନ୍ତର୍ଭୁକ୍ତି ବର୍ଣ୍ଣନା ବାହାର କରିବା ଉଚିତ୍ ।

ମୋଦିଙ୍କ ଉଦ୍ଭଟ ଷଡଯନ୍ତ୍ର ତତ୍ତ୍ୱର ପ୍ରତିକ୍ରିୟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ ଠିକ କହିଛନ୍ତି ଯେ “ମୋଦି ତାଙ୍କର କେବେ ପୂର୍ଣ୍ଣ ହେଉ ନ ଥିବା ଅପୂର୍ଣ୍ଣ ଇଚ୍ଛାର ପୂରଣ ପାଇଁ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜଣେ ପୂର୍ବତନ ସେନାଧ୍ୟକ୍ଷଙ୍କ ଭଳି ସାମ୍ବିଧାନୀକ ବ୍ୟକ୍ତିତ୍ୱ ଗୁଡିକୁ ଅପମାନିତ କରି ଏକ ଭୟାନକ ପରମ୍ପରା ସୃଷ୍ଟି କରିଛନ୍ତି  ।” ସର୍ବୋପରି ଯାହା ଆମକୁ ଓ ସମସ୍ତଙ୍କୁ ଚିନ୍ତିତ କରିଛି ତାହା ହେଉଛି ଯେ ଯେଉଁ ବ୍ୟକ୍ତି  ଏହି ଦେଶକୁ ନେତୃତ୍ୱ ଦେଉଛନ୍ତି ଓ ଯେଉଁ ବ୍ୟକ୍ତିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହିସାବରେ ଏକ ଗୁରୁ ଦାୟିତ୍ୱ ଦିଆଯାଇଛି ସେ ଶାଳୀନତା ପ୍ରତି ସାମାନ୍ୟ ଧ୍ୟାନ ଦେଉ ନାହାନ୍ତି । ସେ ଭୁଲି ଯାଉଛନ୍ତି ସେ କେବଳ ଶାସକ ଦଳର ନେତା ନୁହନ୍ତି । କିନ୍ତ ୁ ଏବେ ଯାହା ଦେଖାଯାଉଛି ତାଙ୍କ ମତରେ ନିର୍ବାଚନ ଓ ଯୁଦ୍ଧରେ ସବୁ କିଛି ସମ୍ଭବ । କିଏ ଜିତିଲା ସେଇଟା ବଡ କଥା କେମିତି ଜିତିଲା ସେଇଟା ବଡ କଥା ନୁହେଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top