ଇଚ୍ଛାକୃତ ପ୍ରତ୍ୟାଖ୍ୟାନର ସ୍ଥିତି
ବର୍ଷର ଦ୍ୱିତୀୟାର୍ଦ୍ଧରେ ଜିଡିପିର ଅଭିବୃଦ୍ଧି ୬.୩ % ରହିବା ବେଳେ ୨୦୧୨-୧୩ ପରେ ସବୁଠାରୁ କମ ରହିଲା
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ସମ୍ପ୍ରତି ସେଣ୍ଟ୍ରାଲ ଷ୍ଟାଟିସଟିକ୍ସ ଦଫ୍ତରରୁ ଜାତୀୟ ଆୟ ସମ୍ବନ୍ଧରେ ଯେଉଁ ତଥ୍ୟ ସବୁ ଦିଆଯାଇଛି ସେଥିରୁ ପୁଣିଥରେ ପ୍ରମାଣ ମିଳିଛି ଯେ ଭାରତୀୟ ଅର୍ଥନୀତି ଅସୁସ୍ଥ ହେଉଛି । ଆର୍ଥିକ ବର୍ଷ ୨୦୧୭-୧୮ର ଦ୍ୱିତୀୟ ତ୍ରୟମାସିକ (ଜୁଲାଇ ରୁ ସେପ୍ଟେମ୍ବର ) ହିସାବରୁ ଯାହା ଜଣା ପଡିଛି ସକଳ ଘରୋଇ ଉତ୍ପାଦନ(ଜିଡିପି)ର ଅଭିବୃଦ୍ଧି ହାର ୬.୩%ରେ ରହିଥିଲା । ସରକାରଙ୍କ କହିବା କଥା ଯେ ଏହା ହେଉଛି ଅର୍ଥନୈତିକ ବ୍ୟବସ୍ଥାର ଏକ ମୋଡ । ଏହାକୁ ନେଇ କେନ୍ଦ୍ର ସରକାର ଯେଉଁ ଯୁକ୍ତି ଦେଉଛନ୍ତି ଓ ଯାହାକୁ ବିତ୍ତୀୟ ଗଣମାଧ୍ୟମ ଘୋଷି ହେବାରେ ଲାଗିଛି ତାହା ହେଉଛି ଯେ ଜାନୁଆରୀ-ମାର୍ଚ୍ଚ ୨୦୧୬ ରେ ଯେତେବେଳେ ଜିଡିପିର ଅଭିବୃଦ୍ଧି ହାର ୯.୧ % ଥିଲା, ସେତିକିବେଳୁ ପ୍ରତ୍ୟେକ ତିନିମାସର ଅଭିବୃଦ୍ଧି ହାର ତା ପୂର୍ବବର୍ତ୍ତୀ ତିନିମାସର ବୃଦ୍ଧିହାରଠାରୁ କମ ରହୁଥିବବାର ଲକ୍ଷ୍ୟ କରାଯାଉଥିଲା । କିନ୍ତୁ ଜୁଲାଇ-ସେପ୍ଟେମ୍ବର ୨୦୧୭ ତିନିମାସରେ ଜିଡିପିରେ ଯେତିକି ଅଭିବୃଦ୍ଧି ହୋଇଥିଲା ତାହା ନିଶ୍ଚିତ ଭାବରେ ତା ପୂର୍ବବର୍ତ୍ତୀ ତିନିମାସର ଅଭିବୃଦ୍ଧିଠାରୁ ଅଧିକ ଥିଲା । ପୁଣି କୁହାଯାଉଛି ଯେ ଏଥିରୁ ଗୋଟିଏ କଥା ଜଣାପଡୁଛି ଯେ ଜିଡିପିର ଅଭିବୃଦ୍ଧି ଧୀରେ ଧୀରେ କମିବା ଘଟଣାଟି ଉପରେ ରୋକ ଲାଗିଛି । ଦୁର୍ଭାଗ୍ୟବଶତଃ ଏ କଥାଟି ମଧ୍ୟ ଠିକ ନୁହେଁ । ତିନିମାସର ଅଭିବୃଦ୍ଧି ଦର କେତେ ବଢିଲା /କମିଲା ତାହା ପୂର୍ବ ବର୍ଷର ଏହି ତିନିମାସର ହିସାବ ସହିତ ତୁଳନା କରାଯିବା ଆବଶ୍ୟକ । କାରଣ ବିତ୍ତୀୟ ଅଭିବୃଦ୍ଧି ଗୋଟିଏ ରୁତୁରେ ଯେପରି ଭାବରେ ଘଟିଥାଏ ତାହା ହୁଏତ ଅନ୍ୟ ରୁତୁରେ ସମାନ ଆକାରରେ ଘଟି ନ ଥାଏ । ଏହି ଦୃଷ୍ଟିରୁ ଦେଖିଲେ ୨୦୧୧-୧୨କୁ ମୂଳ ବର୍ଷ ହିସାବରେ ଧରି ନ୍ୟାସନାଲ ଆକାଉଣ୍ଟ୍ ଷ୍ଟାଟିସଟିକ୍ସ ବା ନାସ ପକ୍ଷରୁ ଯେଉଁ ନୂଆ ତଥ୍ୟ ପ୍ରସ୍ତୁତ କରାଯାଇଛି ସେଥିରେ କୁହାଯାଇଛି ଯେ ଏହି ଅଭିବୃଦ୍ଧି ଦର ୨୦୧୨-୧୩ ଆର୍ଥିକ ବର୍ଷ ପରେ ସବୁଠାରୁ କମ୍ ରହିଥିଲା । ଏଥିରୁ ଜଣା ପଡୁଛି ଯେ ଭାରତର ଆର୍ଥିକ ଅସୁସ୍ଥତା ବୃଦ୍ଧି ପାଉଛି । ଏହାକୁ ଯଦି କେନ୍ଦ୍ର ସରକାର ଏକ ମୋଡ ବା ପରିବର୍ତ୍ତନ ବୋଲି କହିବେ ତେବେ ଏକଥା ବୁଝିବାକୁ ହେବ ଯେ କେନ୍ଦ୍ର ସରକାର ସତ୍ୟର ଇଚ୍ଛାକୃତ ପ୍ରତ୍ୟାଖ୍ୟାନର ସ୍ଥିତିରେ ରହିବାକୁ ଚାହୁଁଛନ୍ତି । ନାସର ନୂଆ ପର୍ଯ୍ୟାୟରେ ଅର୍ଥନୀତି ଦ୍ୱିତୀୟ ତ୍ରୟୋମାସିକରେ ଅନ୍ୟ ତ୍ରୟୋମାସିକ ତୁଳନାରେ ଅନ୍ତତଃ ଏକ ପ୍ରତିଶତ ଉଚ୍ଚଦରରେ ବୃଦ୍ଧି ପାଇବା କଥା । ୨୦୧୫-୧୬ ମସିହାର ଶେଷ ତ୍ରୟୋମାସିକ ଓ ୨୦୧୬-୧୭ର ପ୍ରଥମ ତ୍ରୟୋମାସିକରେ ଏଥିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଥିଲା ଯେଉଁଠାରେ କି ଏହା ପୂର୍ବବର୍ଷର ଦ୍ୱିତୀୟ ତ୍ରୟୋମାସିକ ଠାରୁ ସାମାନ୍ୟ ଅଧିକ ରହିଥିଲା । ଏହି ସାଧାରଣ ପ୍ରବୃତ୍ତିକୁ ଦେଖିଲେ ଯାହା ଅନୁମାନ କରାଯାଉଛି ଏଥରର ଅଭିବୃଦ୍ଧି ହାର ୬.୩ % ରୁ ଅଧିକ ହେବ ନାହିଁ । ୨୦୧୨-୧୩ ଠାରୁ ବାର୍ଷିକ ଅଭିବୃଦ୍ଧି ଦର କେବେ ବି ସେହି ବର୍ଷର ଦ୍ୱିତୀୟ ତ୍ରୟୋମାସିକର ଅଭିବୃଦ୍ଧି ଦର ଠାରୁ ଅଧିକ ହୋଇନାହିଁ । ତେଣୁ ଏହା ଆଶା କରିବା ଯୁକ୍ତିସଙ୍ଗତ ହେବ ଯେ ଚଳିତ ବର୍ଷର ବାର୍ଷିକ ଅଭିବୃଦ୍ଧି ଦର ଅଧିକରୁ ଅଧିକ ୬.୩ % ହିଁ ରହିବ । ଯାହାକି ୨୦୧୬-୧୭ର ଆଗୁଆ ହିସାବ ୭.୧% ଓ ୨୦୧୫-୧୬ର ପ୍ରୋଭିଜିଓନାଲ ହିସାବ ୮ %ଠାରୁ କମ୍ ।
ଆକସ୍ମିକ ଭାବରେ , ଆମେ ଯଦି ବିତ୍ତୀୟ ବର୍ଷକୁ ଅଧା ଅଧା କରି ଦେଖିବା ପ୍ରଥମ ଅର୍ଦ୍ଧବାର୍ଷିକ ଅର୍ଥ।।ତ ଏପ୍ରିଲ ରୁ ସେପ୍ଟେମ୍ବରର ଜିଡିପି ଅଭିବୃଦ୍ଧି ଦର ଦ୍ୱିତୀୟ ଛଅମାସଠାରୁ ୧ % ଅଧିକ ରହିବ । କେବଳ ୨୦୧୫-୧୬ ରେ ଏହା ଏକ ବ୍ୟତିକ୍ରମ ଭାବେ ଦେଖା ଯାଇଥିଲା । ପୁଣି ଚଳିତ ବର୍ଷର ପ୍ରଥମ ଛଅମାସରେ ୬% ଅଭିବୃଦ୍ଧି ଦର ୨୦୧୨-୧୩ ଠାରୁ ଦିଆଯାଇଥିବା ନୂଆ ପର୍ଯ୍ୟାୟରେ ସବୁଠାରୁ କମ । ତେଣୁ ଏହି ଧାରାରୁ ଯାହା ଜଣାପଡୁଛି ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିର ବାର୍ଷିକ ଅଭିବୃଦ୍ଧି ୬ %ରୁ କମ ହେବ । ଚଳିତ ବର୍ଷ ଗୁଡିକରେ ଦେଖା ଦେଇଥିବା ଧାରା ଠାରୁ ଏହା ବହୁ କମ୍ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ମୂଳ ବଜାର ଦର ଉପରେ ଗ୍ରସ ଭ୍ୟାଲୁ ଆଡେଡ୍ ବା ଜିଭିଏ ତଥ୍ୟକୁ ବ୍ୟବହାର କରି ସମାନ ପ୍ରକାରର ଯୁକ୍ତି ଦିଆଯାଉଛି । ନିର୍ମାଣ କ୍ଷେତ୍ରରେ ୨୦୧୭-୧୮ ବର୍ଷର ଦ୍ୱିତୀୟ ତ୍ରୟୋମାସିକରେ ଅଭିବୃଦ୍ଧି ଦର ୭% ହୋଇଥିଲା ଯଦିଓ ସେହି ବର୍ଷର ପ୍ରଥମ ତିନିମାସରେ ଏହା ୧.୨ % ଥିଲା । ଏହା ସତ୍ତେ୍ୱ ବି ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟୋମାସିକରେ ଏହି କ୍ଷେତ୍ରର ଅଭିବୃଦ୍ଧି ଯାହା ହୋଇଥିଲା ଏବେ ଏହା ତା’ଠାରୁ ବହୁ ପରିମାଣରେ କମ ରହିଛି । ଶିଳ୍ପ ଉତ୍ପାଦନର ସୂଚକାଙ୍କ ମଧ୍ୟ ଦର୍ଶାଉଛି ଯେ ନିର୍ମାଣ କ୍ଷେତ୍ରରେ ଏହି ଅଭିବୃଦ୍ଧିର ହାର ଦ୍ୱିତୀୟ ତ୍ରୟୋମାସିକରେ ମାତ୍ର ୨.୨ % ହାରରେ ବୃଦ୍ଧି ପାଇଥିଲା ଯେତେବେଳେ କି ଗୋଟିଏ ବର୍ଷ ପୂର୍ବରୁ ସେହି ସମୟରେ ଏହି ହାର ୫.୫ % ଥିଲା । ସରକାର ଯେତେ କହିଲେ ବି ଫଳାଫଳରୁ ଯାହା ଜଣାପଡୁଛି ବିନିର୍ମାଣ(ମାନୁଫାକ୍ଚରିଙ୍ଗ) କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧିରେ କୌଣସି ମୋଡ ଆସି ନାହିଁ ।
ଆହୁରି ମଧ୍ୟ ଆର୍ଥିକ, ରିୟଲ ଇଷ୍ଟେଟ୍, ପେଶାଗତ ସେବାଗୁଡିକରେ ଅଭିବୃଦ୍ଧି ଦର ଜିଭିଏର ୫.୭ % ଏବଂ କୃଷି କ୍ଷେତ୍ରରେ ୧.୭% ରହିବା ନୂତନ ବର୍ଷରେ ସବୁଠାରୁ କମ ଅଭିବୃଦ୍ଧି ଥିଲା । ଏହି ତିନୋଟି କ୍ଷେତ୍ର ମିଶି ମୋଟ ଜିଭିଏର ୫୫ % ଥିଲେ । ଜିଭିଏର ଅଭିବୃଦ୍ଧି ସାଧାରଣତଃ ଖଣି, ବିଦ୍ୟୁତ,ଏବଂ ବାଣିଜ୍ୟରୁ ଆସିଥାଏ । ଯୋଗାଯୋଗ କ୍ଷେତ୍ରରେ ଦ୍ୱିତୀୟ ତ୍ରୟୋମାସିକରେ ପୂର୍ବବର୍ଷ ତୁଳନାରେ କିଛି ବୃଦ୍ଧି ଆସିଥିଲା କ଼ିନ୍ତୁ ବିର୍ମାଣ ଓ ସାଧାରଣ ପ୍ରଶାସନ କ୍ଷେତ୍ରରେ ଏହା କମିଥିଲା । ତେଣୁ ସବୁ କ୍ଷେତ୍ରରେ ଅଭିବୃଦ୍ଧି ଆସିଥିବା କଥା କୁହାଯାଇ ପାରିବ ନାହିଁ । ବରଂ ଅର୍ଥନୀତି ଦୁର୍ବଳ ହୋଇଥିବାର ଅନେକ ପ୍ରମାଣ ଦେଖିବାକୁ ମିଳିଛି ।
ସେହିପରି ନିବେଶର ପରିବେଶ ମଧ୍ୟ ସେପରି କିଛି ଭଲ ନ ଥିଲା । ନିବେଶ ବା ସ୍ଥାୟୀ ପୁଞ୍ଜି ଗଠନ ବା ଗ୍ରସ ଫିକ୍ସ୍ କ୍ୟାପିଟାଲ ଫର୍ମେଶନ(ଜିଏଫସିଏଫ) ଶେଷ ତ୍ରୟୋମାସିକରେ ୪.୭ % ଦରରେ ବେଶ କ୍ଷିପ୍ର ଗତିରେ ବୃଦ୍ଧି ପାଇଥିଲା । ଯାହାକି ଗତ ବର୍ଷ ସେହି ସମୟରେ ମାତ୍ର ୩ % ଥିଲା । ଗତ କେତେବର୍ଷ ଧରି ଜିଏଫସିଏଫ ଯେପରି କମି କମି ଯିବାରେ ଲାଗିଛି ସେଥିରେ ଏହି ଅଭିବିୃଦ୍ଧି ସେପରି କିଛି ଉଲ୍ଲେଖନୀୟ ହୋଇ ପାରି ନାହିଁ । କାରଣ ଜିଡିପିର ଅଂଶ ଭାବରେ ଜିଏଫସିଏଫ୍ର ପରିମାଣ ୨୦୧୧-୧୨ର ଦ୍ୱିତୀୟ ତ୍ରୟୋମାସିକରେ ୩୫.୬ % ଥିଲା ଯାହାକି ୨୦୧୭-୧୮ରେ ସେହି ସମୟରେ ୨୮.୮%କୁ ଖସି ଆସିଥିଲା ।
ଭାରତରେ ଜିଡିପିର ଅଭିବୃଦ୍ଧି ଯେ ମନ୍ଥର ହୋଇଯାଉଛି ତା’ର ପ୍ରମାଣ ୨୦୧୬-୧୭ ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସିକରେ ଧରା ପଡିଥିଲା । ୨୦୧୬-୧୭ର ତୃତୀୟ ତ୍ରୟୋମାସିକରେ ବିମୁଦ୍ରୀକରଣ ବ୍ୟବସ୍ଥା ଲାଗୁ ହୋଇଯିବାପରେ ତାହା ଆହୁରି ମନ୍ଥର ହୋଇଗଲା । ଅଭିବୃଦ୍ଧିର ତଥ୍ୟ ଅନୁଯାୟୀ ସରକାରଙ୍କର ଏହି ଦୁଇଟି ବିତ୍ତୀୟ ନୀତି ଦେଶର ଆର୍ଥିକ କାରବାରକୁ ଦୁର୍ବଳ କରିଛି । ବିଶେଷ କରି ଅନୌପଚାରିକ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି । ଏକଥା ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର ଯେପରି କହୁଛନ୍ତି ତାହା ନୁହେଁ । ଆମ ଅର୍ଥନୀତିରେ ସବୁ କିଛି ଠିକ ଠାକ ଚାଲିନାହିଁ । ଏବେ ଏହା ସରକାରଙ୍କ ଉପରେ ନିର୍ଭର କରୁଛି ଯେ ସେ ତାଙ୍କ ମନଇଚ୍ଛା ଆଣୁଥିବା ଆର୍ଥିକ ନୀତି ଯାହାର କୁୂପ୍ରଭାବ ଆମ ଅର୍ଥନୀତି ଉପରେ ପଡୁଛି ସେଥିରେ ସେ କୌଣସି ପରିବର୍ତ୍ତନ ଆଣିବେ କି ନାହିଁ । ସରକାର ଜାଣିଶୁଣି ଅର୍ଥନୀତିର ଏହି ମନ୍ଥର ଅଭିବୃଦ୍ଧିକୁ କେବଳ କଥା କହି ଲୋକଙ୍କୁ ଭୂଆଁ ବୁଲେଇ ଦେଇ ପାରିବେ ନାହିଁ । ଅର୍ଥନୀତିରେ ପୁର୍ନଲାଭ ବା ଅଭିବୃଦ୍ଧିର ନିଶ୍ଚିତତା ପାଇଁ ପ୍ରଥମେ ସମସ୍ୟାକୁ ସ୍ୱୀକାର କରିବାକୁ ହେବ।