ISSN (Print) - 0012-9976 | ISSN (Online) - 2349-8846

ନ୍ୟାୟର କଣ୍ଠରୋଧ

ଗଣମାଧ୍ୟମକୁ ନ୍ୟାୟାଳୟର ବିବରଣୀରୁ ଦୂରେଇ ରଖିବା ଫଳରେ ନ୍ୟାୟବ୍ୟବସ୍ଥା ପ୍ରତି ଲୋକଙ୍କର ବିଶ୍ୱାସ ହ୍ରାସ ପାଇବ 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଖୋଲାଖୋଲି ନ୍ୟାୟ ପ୍ରଦାନ ହେଉଛି ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ମୂଳଭିତ୍ତି । ସିଦ୍ଧାନ୍ତ ଦୃଷ୍ଟିରୁ କୋର୍ଟରେ ହେଉଥିବା ଶୁଣାଣୀ ସର୍ବସାଧାରଣଙ୍କ ପାଇଁ ସର୍ବଦା ଉନ୍ମୁକ୍ତ ଏବଂ ଗଣମାଧ୍ୟମ ଏହାର ବିବରଣୀକୁ ସଂଗ୍ରହ କରି ପ୍ରତିଦିନ ରିପୋର୍ଟ କରିଥାଆନ୍ତି । ବାସ୍ତବରେ ଦେଖିବାକୁ ଗଲେ, ଛୋଟିଆ ଏବଂ ସଂକୁଚିତ କୋର୍ଟରୁମ ଗୁଡିକରେ ଯାଗା କମ ଥିବାରୁ ସେଠାକୁ କେବଳ ସୀମିତ ଲୋକମାନଙ୍କର ପ୍ରବେଶ ଘଟି ପାରିଥାଏ ତେଣୁ ସାଧାରଣ ନାଗରିକମାନେ କୋର୍ଟରୁମରେ ଘଟୁଥିବା କଥାଗୁଡିକୁ ଜାଣିବା ପାଇଁ ସାମ୍ବାଦିକମାନଙ୍କ ଉପରେ ନିର୍ଭର କରିଥାଆନ୍ତି ଓ ସାମ୍ବାଦିକମାନେ କୋର୍ଟର ବିବରଣୀକୁ ଅଳ୍ପରେ କିନ୍ତୁ ନିରପେକ୍ଷ ଭାବରେ ଜନସାଧାଣଙ୍କ ପାଇଁ ପରିବେଷଣ କରି ଥାଆନ୍ତି । ଯାହାଫଳରେ ଜନସାଧାରଣ କୋର୍ଟରେ ପ୍ରତିଦିନ କ’ଣ ଘଟୁଛି ତାହା ଜାଣି ପାରି ଥାଆନ୍ତି । ସାଧାରଣ ଲୋକମାନେ ଯେଉଁ ମୋକଦମ୍ମାରେ ଯେତେ ଅଧିକ ସାମିଲ ହୋଇ ଥାଆନ୍ତି ସେମାନେ ସେ ମୋକଦମ୍ମା ବିଷୟରେ ଜାଣିବାପାଇଁ ସେତେ ଅଧିକ ଅଗ୍ରହୀ ହୋଇ ଥାଆନ୍ତି । ଯାହା ଫଳରେ କୋର୍ଟ ମଧ୍ୟ ଟିକେ ସାବଧାନ ହୁଅନ୍ତି ଯେ ଯେପରି ପରେ ତାଙ୍କୁ ତାଙ୍କ ମୋକଦମ୍ମା ପରିଚାଳନା ପାଇଁ ଲୋକଙ୍କ ଉଲୁଗୁଣାର ସମ୍ମୁଖିନ ହେବାକୁ ନ ପଡେ । ଫଳାଫଳ ଯାହା ହେଉନା କାହିଁକି, ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କର ବିଶ୍ୱାସ ଆସିବାଟା ନ୍ୟାୟବ୍ୟବସ୍ଥାର ଭରସାଜନକ ଏବଂ ନିରପେକ୍ଷ  ହେବା ଉପରେ ନିର୍ଭର କରିଥାଏ । ଅନ୍ୟ ସରକାରୀ ବିଭାଗ ଗୁଡିକଙ୍କ ପରି ନ୍ୟାୟ ବ୍ୟବସ୍ଥାଟି ଲୂଚାଛପାରେ ନ ଚାଲି ଖୋଲାଖୋଲି ନାଗରିକମାନେ ଦେଖିପାରିବା ଓ ଶୁଣି ପାରିବା ଯୋଗୁଁ ନ୍ୟାୟପାଳିକାର  ନିଷ୍ଠାପରତା ଉପରେ ଲୋକେ ବିଶ୍ୱାସ ରଖି ପାରିଛନ୍ତି ।

ଏବେ କିନ୍ତୁ ଦେଖିବାକୁ ମିଳୁଛି ଯେ ଏହି ପରମ୍ପରାର ଉଲ୍ଲଂଘନ ନ୍ୟାୟାଳୟ ଆଡୁ ହିଁ ଅଧିକ ହେବାରେ ଲାଗିଛି । ଏହାର ପରିଣାମ କ’ଣ ହେବ ତା ପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି । ଏବେ ଦୁଇଟି ବଡ ମୋକଦମ୍ମା ଯେପରିକି ଶୋହରାବୁଦ୍ଦିନ ଶେଖଙ୍କ ହତ୍ୟାକାଣ୍ଡରେ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ ଚାଲିଥିବା ମୋକଦମ୍ମା, ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଷଣକୁ ନେଇ ଆହ୍ଲାବାଦ ନ୍ୟାୟାଳୟରେ ଚାଲିଥିବା ମୋକଦମ୍ମାରେ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏହାର ଶୁଣାଣୀ ଚାଲିଥିବା ବେଳେ ଗଣମାଧ୍ୟମକୁ କୋର୍ଟରୁମ ଭିତରକୁ ଛଡା ଯିବ ନାହିଁ । ଏହା ନିଶ୍ଚିତ ଭାବେର ଚିନ୍ତାର ବିଷୟ କାରଣ ଦୁଇଟି ଯାକ ହେଉଛି ବେଶ ଗୁରୁତ୍ୱପୂର୍ଣ୍ଣ ମୋକଦମ୍ମା । ଏହାର ପରିଣାମ ଜାଣିବା ପାଇଁ ଲୋକେ ଉକ୍ରଣ୍ଠା ପ୍ରକାଶ କରିବା ସ୍ୱାଭାବିକ୍।

ଏହି ଦୁଇ ମୋକଦମ୍ମାରେ ଗଣମାଧ୍ୟମକୁ କୋର୍ଟରୁମକୁ ବାରଣ କରିବା ନିର୍ଦ୍ଦେଶ ଭିନ୍ନ ଭିନ୍ନ ସ୍ଥିତିରେ ଆସିଛି । ମୁମ୍ବାଇର ସିବିଆଇର ବିଶେଷ କୋର୍ଟର ବିଚାରପତି କୋର୍ଟରୁମରେ ଚାଲିଥିବା ଶୁଣାଣୀର ପ୍ରତିଦିନର ବିବରଣୀକୁ ଗଣମାଧ୍ୟମରେ ରିପୋର୍ଟିଙ୍ଗ କରାଯିବାକୁ ବାରଣ କରିଛନ୍ତି  । କୋର୍ଟଙ୍କ କହିବା କଥା ହେଉଛି ଯେ ଏହା କାଳେ ଉଭୟ ପକ୍ଷର ସାକ୍ଷୀ, ଅଭିଯୁକ୍ତ ଏବଂ ଓକିଲମାନଙ୍କୁ ପୂର୍ବାଗ୍ରହଯୁକ୍ତ କରାଇପାରେ । କୋର୍ଟ ନିର୍ଦ୍ଦେଶ ହେଲା ଯେ ଗଣମାଧ୍ୟମ ଗୋଟିଏ ମୋକଦମ୍ମାର ଶୁଣାଣୀ ଶେଷ ହେବା ପରେ ସେ ସମ୍ବନ୍ଧରେ ରିପୋର୍ଟିଙ୍ଗ କରିପାରିବ କିନ୍ତୁ ପ୍ରତିଦିନର ଶୁଣାଣୀକୁ ରିପୋର୍ଟିଙ୍ଗ କରି ପାରିବେ ନାହିଁ ।

ଏବେ ପ୍ରତିପକ୍ଷ ଓକିଲଙ୍କ ସ୍ୱହସ୍ତ ଲିଖିତ ଆବେଦନ ସତ୍ତେ୍ୱ କେହି ଜାଣି ପାରୁନାହାନ୍ତି ଯେ କେଉଁ ଆଧାରରେ  କୋର୍ଟ ଏହି ସିଦ୍ଧାନ୍ତରେ ଉପନିତ ହେଲେ । 

ଅନ୍ୟ ପଟରେ ଆହ୍ଲାବାଦ ହାଇକୋର୍ଟ ତାଙ୍କର ଏପରି କରିବାର ଯେଉଁ କାରଣଟି ଦର୍ଶଇଛନ୍ତି ତାହା ହେଉଛି ଯେ  ଉତ୍ତର ପ୍ରଦେଶର ଅତିରିକ୍ତ ମହାଧିବକ୍ତା (ଆଡିସନାଲ ଆଡଭୋକେଟ ଜେନେରାଲ) କେତେକ ଗଣମାଧ୍ୟମରେ ଭୁଲଭାଲ ରିପୋର୍ଟିଙ୍ଗ ହୋଇଥିବା କଥା କୋର୍ଟକୁ ଲିଖିତ ଭାବରେ ଜଣାଇଥିଲେ । ଏହାକୁ ବିଚାରକୁ ନେଇ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଯେ ବିଚାର ନ ସରିବା ପର୍ଯ୍ୟନ୍ତ କେହି କିଛି ରିପୋର୍ଟିଙ୍ଗ କରି ପାରିବେ ନାହିଁ ।  କିନ୍ତୁ କୋର୍ଟ ମହାଧିବକ୍ତାଙ୍କ କହିବା ବ୍ୟତୀତ ନିଜେ କୌଣସି ପେପର କଟିଙ୍ଗ ବା ଟିଭି ରିପୋର୍ଟିଙ୍ଗ ମଗାଇ ମହାଧିବକ୍ତାଙ୍କ କଥାର ସତ୍ୟାସତ୍ୟ ପରଖି ଥିବା କଥା ଜଣା ପଡିନାହିଁ କି ହାଇକୋର୍ଟ କୌଣସି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ପ୍ରତିନିଧିଙ୍କୁ ଡାକି ତାଙ୍କ ରିପୋଟିଁଙ୍ଗ ବିଷୟରେ ଆପତ୍ତି ଉଠାଇବା ବା ସେ ବିଷୟରେ ତାଙ୍କ ପକ୍ଷ ରଖିବା ନିର୍ଦ୍ଦେଶ ଦେଇ ନାହାନ୍ତି । ତାସତ୍ତେ୍ୱ କୋର୍ଟ କେବଳ ତାଙ୍କ ଚୂଡାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ କୋର୍ଟରୁମର ଦୈନନ୍ଦିନ ରିପୋର୍ଟିଙ୍ଗ ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଦୁଇ ଘଟଣାରେ କୋର୍ଟମାନେ ସୁପ୍ରିମକୋର୍ଟଙ୍କର ନିଷ୍ପତ୍ତିର ଉଲ୍ଲଂଘନ କରିଛନ୍ତି ଯାହାକି ମାନ୍ୟବର ସୁପ୍ରିମ କୋର୍ଟ  ସାହାରା ଇଣ୍ଡିଆ ରିୟଲ ଇଷ୍ଟେଟ କରପୋରେସନ ଲିମିଟେଡ ବନାମ ସିକ୍ୟୁରିଟୀଜ୍ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ(ସେବୀ) (୨୦୧୨) ୧୦ ଏସସିସି ୬୦୩ ନମ୍ବର ମୋକଦମ୍ମାରେ ଶୁଣାଇଥିଲେ । ଏହି ମୋକଦମ୍ମାରେ ଗଠିତ ସାମ୍ବିଧାନକ  ଖଣ୍ଡପୀଠ ମତ ଦେଇ ଥିଲେ ଯେ ଗଣମାଧ୍ୟମରେ କୋର୍ଟରୁମ ବିବରଣୀର ପ୍ରକାଶନ ଉପରେ ସ୍ଥଗିତାଦେଶ ଦେବା ସମୟରେ ଏହାର ଆବଶ୍ୟକତା ଓ ଯଥାନୁପାତିକତା ଉପରେ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ଗଣମାଧ୍ୟମ ରିପୋର୍ଟିଙ୍ଗ ଉପରେ ଅଂକୁଶ ଲଗାଇବା ପୂର୍ବରୁ କୋର୍ଟ ଏଥିରେ ନିଜେ ନିଶ୍ଚିତ ହେବା ଆବଶ୍ୟକ ଏବଂ ଏହାକୁ  ନିଶ୍ଚିତ କରିବାକୁ ହେବ ଯେ ଶୁଶାଣୀର ପବିତ୍ରତା ବା ବିଶ୍ୱସନୀୟତାର ରକ୍ଷା ପାଇଁ ଅନ୍ୟ କୌଣସି ପଦକ୍ଷେପ ନିଆଯାଇ ପାରିବ ନାହିଁ । କୋର୍ଟରୁମର ଶୁଣାଣୀ ବିନା କୌ÷ଣସି ବାଧା ବା ପ୍ରତିବନ୍ଧକରେ ଚାଲିବା ପାଇଁ ସମସ୍ୟା ଦେଖାଦେଲେ ଏପରି ପଦକ୍ଷେପ କଥା ଚିନ୍ତା କରାଯାଇପାରେ  ବୋଲି  କୋର୍ଟ ମତ ଦେଇଥିଲେ । କିନ୍ତୁ ଏହି ଦୁଇଟି ମୋକଦମ୍ମାରେ କୋର୍ଟମାନେ ଯାହା କରିଛନ୍ତି ତାହା ସୁପ୍ରିମକୋର୍ଟର ନିଷ୍ପତ୍ତି ସହିତ ଖାପ ଖାଉ ନାହିଁ ।

ତେବେ ମୋକଦମ୍ମାଗୁଡିକ ଯେତେ ଗୁରୁତ୍ୱପୂର୍ଣ୍ଣ ହୋଇ ଥାଆନ୍ତୁ ନା କାହିଁକି ଗଣମାଧ୍ୟମର କଣ୍ଠରୋଧ ପାଇଁ କେବଳ ଏହି ଦୁଇଟି କୋର୍ଟକୁ ଦାୟୀ କରିବାଟି ମଧ୍ୟ ଠିକ ନୁହେଁ । ନିଜେ ସୁପ୍ରିମକୋର୍ଟ ମଧ୍ୟ ନିକଟ ଅତୀତରେ  ଏପରି ଦୁଖଃଦ ଉଦାହରଣ ସୃଷ୍ଟି କରି ସାରିଛନ୍ତି । ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ରୀତିନୀତିକୁ ନେଇ ହୋଇଥିବା ମୋକଦମ୍ମାରେ ସୁପ୍ରିମକୋର୍ଟ ସାମ୍ବାଦିକମାନଙ୍କୁ ମୌଖିକ ଭାବେ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ମୋକଦମ୍ମାର ବିବରଣୀକୁ ରିପୋର୍ଟିଙ୍ଗ କରିବେ ନାହିଁ । ଯଦିଓ କାଳେ କୌଣସି ଗଣମାଧ୍ୟମରେ ତ୍ରୁଟିପୂର୍ଣ୍ଣ ରିପୋର୍ଟିଙ୍ଗ ହୋଇଯିବ ବୋଲି ଚିନ୍ତା କରାଯାଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏଭଳି ଏକ ମୌଖିକ ନିର୍ଦ୍ଦେଶନାମା ଦିଆ ଯାଇଥିଲା କିନ୍ତୁ ମୋକଦମ୍ମା ଶେଷରେ ଦେଖାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟଟି ହିଁ ଭୁଲ୍ ଭାବରେ ରିପୋର୍ଟିଙ୍ଗ ହୋଇଛି । ସେହିପରି ବିଚାରପତି କର୍ଣ୍ଣନଙ୍କ ଘଟଣାରେ ମଧ୍ୟ ଘଟିଥିଲା । କଲିକତା ହାଇକୋର୍ଟର ବିଚାରପତି କର୍ଣ୍ଣନଙ୍କୁ ନେଇ କୋର୍ଟ ଅବମାନନା ମୋକଦମ୍ମାରେ ଚାଲିଥିବା ଶୁଣାଣୀ କରାଯିବା ବେଳେ ଏକଥା ମଧ୍ୟ କୁହାଯାଇଥିଲା ଯେ ମେଡିଆ ହାଉସମାନେ କର୍ଣ୍ଣନଙ୍କର ଏହି ମୋକଦମ୍ମା ସମ୍ବନ୍ଧିତ  କୌଣସି ବିବୃତ୍ତତ୍ତି ବା ଟିପ୍ପଣୀଙ୍କୁ ପ୍ରକାଶ କରିବେ ନାହିଁ । ତେଣୁ ସୁପ୍ରିମକୋର୍ଟର ନିର୍ଦ୍ଦେଶନାମାରେ ମଧ୍ୟ ଚିନ୍ତାଶୂନ୍ୟ ତଥା ଖାମଖିଆଲୀ ଭାବରେ ବାକ୍ ସ୍ୱାଧୀନତାର ମୌଳିକ ଅଧିକାରକୁ ଚାପି ଦିଆଯଇଛି ।

ସାହାରା ଘଟଣାରେ ସୁପ୍ରିମକୋର୍ଟ ମାନିଥିଲେ ଯେ ଗଣମାଧ୍ୟମର ସ୍ୱାଧିନତା ଏବଂ ନ୍ୟାୟ ବ୍ୟବସ୍ଥା ମଧ୍ୟରେ ସନ୍ତୁଳନ ରଖିବା ଏତେ ସହଜ କଥା ନୁହେଁ । କିନ୍ତୁ ପ୍ରକୃତ କଥାଟି ହେଉଛି ଯେ ବର୍ତ୍ତମାନ ଯେଉଁ କଣ୍ଠରୋଧ କରିବାର ନିର୍ଦ୍ଦେଶନାମା ଦିଆଯାଉଛି ତାହା ଉଭୟ ଗଣମାଧ୍ୟମର ସ୍ୱାଧୀନତା ଓ ନ୍ୟାୟ ବ୍ୟବସ୍ଥା ପାଇଁ ଧ୍ୱଂସକାରୀ । ଏପରି ନିର୍ଦ୍ଦେଶ କେବଳ ସାମ୍ବାଦିକ ମାନଙ୍କ ରିପୋର୍ଟିଙ୍ଗ ଉପରେ ପୂର୍ବରୁ ପ୍ରତିବନ୍ଧକ ଲଗାଇ ଦେଇଥାଆନ୍ତି ବୋଲି ନୁହେଁ,ବରଂ ସେମାନେ ଏହି ସବୁ ବଡ ବଡ ମୋକଦମ୍ମାରେ ଜନସାଧାରଣଙ୍କୁ ଏ ପ୍ରଶ୍ନ ପଚାରିବାକୁ ବାଧ୍ୟ କରନ୍ତି ଯେ କୋର୍ଟ କେଉଁ ଉଦ୍ଦେଶ୍ୟ ରଖି ସେପରି କଲେ? ନ୍ୟାୟିକ ବ୍ୟବସ୍ଥାରେ ଲୋକଙ୍କର ବିଶ୍ୱାସ ସେତିକି ବେଳେ ଆସିଥାଏ ଯେତେବେଳେ ସେମାନେ ନିଜେ ଦେଖିଥାଆନ୍ତି ଯେ ନ୍ୟାୟ ଦେବାର ବ୍ୟବସ୍ଥା ନ୍ୟାୟାଳୟ ପକ୍ଷରୁ କିପରି କରାଯାଇଥିଲା? ଏଭଳି ବହୁ ପ୍ରଚାରିତ ମୋକଦମ୍ମାରେ ଗଣମାଧ୍ୟମର ରିପୋର୍ଟିଙ୍ଗକୁ ଚାପିଦେଇ କୋର୍ଟମାନେ କେବଳ ମୁକ୍ତ ମତପ୍ରକାଶକୁ ଚାପି ଦେଉ ନାହାନ୍ତି ବରଂ ଜନସାଧାରଣଙ୍କର ନ୍ୟାୟବ୍ୟବସ୍ଥା ଉପରେ ଯେଉଁ ଭରସା ରହିଛି ତାକୁ ନଷ୍ଟ କରି ଦେଉଛନ୍ତିି । ସେମାନେ ଏକଥାଟିକୁ ବୁଝିବା ଆବଶ୍ୟକ ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top