ବନ୍ଧ ଓ ଉତ୍ତର ସତ୍ୟ
ସର୍ଦ୍ଦାର ସରୋବର ବନ୍ଧ ଅଯୌକ୍ତିକ ଏବଂ ଅନିରନ୍ତର ବିକାଶର ଏକ ଦୃଷ୍ଟାନ୍ତ
ଆଜିର ଉତ୍ତର ସତ୍ୟ ଏବଂ ଏକାନ୍ତର ତଥ୍ୟ ଯୁଗରେ ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖରେ ନିଜ ୬୭ତମ ଜନ୍ମଦିବସ ଅବସରରେ ଗୁଜୁରାଟ ସ୍ଥିତ ସର୍ଦ୍ଦାର ସରୋବର ବହୁମୁଖୀ ବନ୍ଧ ଉଦଘାଟନ ସମୟରେ ଦେଇଥିବା ବୟାନ ଶୁଣି ବିସ୍ମିତ ହେବା ଅନୁଚିତ୍ । ଗତ ତିନି ଦଶନ୍ଧୀ ଧରି ନିର୍ମାଣାଧିନ ଏହି ବନ୍ଧର ବିବାଦପୂର୍ଣ୍ଣ ତଥା ଜଟିଳ ଇତିହାସକୁ ପଛକୁ ରଖି ମୋଦି କହିଲେ ଯେ “ ମୁଁ ନିଷ୍ପତ୍ତି କରିଥିଲିି ଯେ ବିଶ୍ୱ ବ୍ୟାଙ୍କ ସାଥ ଦେଉ କି ନଦେଉ ଆମକୁ ଏହି ପରିଯୋଜନାରେ ଆଗେଇ ଯିବାକୁ ହେବ । କିନ୍ତୁ ସତଟି ଟିକିଏ ଭିନ୍ନ । ସେ ଏକଥା ମଧ୍ୟ କହିଥିଲେ ଯେ ଯେତେବେଳେ ବିଶ୍ୱବ୍ୟାଙ୍କ ଏହି ପରିଯୋଜନାକୁ ଅର୍ଥ ଦେବାପାଇଁ କରିଥିବା ଶପଥରୁ ଓହରିଗଲା ସେତେବେଳେ ଗୁଜୁରାଟର ବହୁ ମନ୍ଦିର ଏହି ପରିଯୋଜନା ପାଇଁ ଅର୍ଥ ଯୋଗାଇ ଦେବାକୁ ଆଗେଇ ଆସିଥିଲେ । ଏକଥାଟି କହି ମୋଦି ସତ୍ୟକୁ ଟାଣିଓଟାରି ଭିନ୍ନ ଦିଗରେ ନେଉଥିଲେ ।
ସର୍ଦ୍ଦାର ସରୋବର ବନ୍ଧ ନର୍ମଦା ନଦୀ ଉପରେ ତିଆରି ହୋଇଥିବା ୩୦ଟି ବଡ,୧୩୫ଟି ମଧ୍ୟମ ଓ ୩୦୦୦ ଛୋଟ ବନ୍ଧ ମଧ୍ୟରୁ ଗୋଟିଏ ଯାହାକୁ କୌଣସି ମନ୍ଦିର କେବେ ଅର୍ଥ ଯୋଗାଇ ନାହିଁ । ଏହାକୁ ବିଶ୍ୱବ୍ୟାଙ୍କ ୩୦୦ ମିଲିଅନ ଡଲାରର ରୁଣ ଦେବା ପାଇଁ କହି ୧୯୯୩ରେ ରୁଣର ଶେଷ କିସ୍ତିଟି ଦେବା ପୂର୍ବରୁ ଏଥିରୁ ଓହରି ଯିବାରୁ ସରକାର ନିଜେ ଏଥିପାଇଁ ଅର୍ଥ ଯୋଗାଇଥିଲେ । ଏହି ବନ୍ଧ ନିର୍ମାଣ ବିରୁଦ୍ଧରେ ଚାଲିଥିବା ଜନଆନ୍ଦୋଳନ ଓ ବିଶ୍ୱ୍ୟବ୍ୟାଙ୍କର ନିଷ୍ପତ୍ତି ପଛରେ ଥିବା କାରଣଟି ହେଉଛି ଏହି ବନ୍ଧର ପ୍ରକୃତ ଇତିହାସର ଅଂଶ ବିଶେଷ । । ଆମକୁ ଏହି ଇତିହାସକୁ ଆଉ ବିକୃତ ନକରି ଏଥିରୁ ଅନେକ କଥା ଶିଖିବାକୁ ହେବ ଓ ଭାରତବର୍ଷ ଯେତେ ଯେତେ ଆଗକୁ ଯିବ ତାକୁ ଏହି ଇତିହାସକୁ ଶୁଣିବାକୁ ହେବ । ମୋଦି ଏହାକୁ ବନ୍ଧ ବିରୁଦ୍ଧରେ ପ୍ରବଳ ଅପପ୍ରଚାର ବୋଲି କହି ଉଡାଇ ଦେବା ଘଟଣାଟି ପ୍ରମାଣ କରୁଛି ଯେ କ୍ଷମତାରେ ଯେଉଁ ଦଳ ଥାଉନା କାହିଁକି ଦାୟିତ୍ୱବାନ, ଯଥାର୍ଥ ଏବଂ ନିରନ୍ତର ବିକାଶ କଥାଟି ଏବେବି ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି ।
ଏହି ପ୍ରକଳ୍ପରୁ ବିଶ୍ୱବ୍ୟାଙ୍କ ଓହରି ଯିବା ପଛରେ ଗୋଟିଏ ବଡ କାରଣ ହେଉଛି ଯେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ନେଇ ଏକ ସ୍ୱତନ୍ତ୍ର ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ଜଣା ପଡିଲା ଯେ ଏହି ପ୍ରକଳ୍ପରେ ଯେଉଁ ଥଇଥାନ ଓ ପୁର୍ନବାସ ନୀତି ବା ଆର ଏଣ୍ଡ ଆର ପଲିସୀ କରାଯାଇଛି ଓ ପରିବେଶ ସମ୍ବନ୍ଧରେ ଯାହା ଯାହା କୁହାଯାଇଛି ତାହା ବିଶ୍ୱବ୍ୟାଙ୍କର ନୀତି ଅନୁଯାୟୀ ହୋଇ ନାହିଁ । ତେଣୁ ବିଶ୍ୱବ୍ୟାଙ୍କ ସମ୍ମୁଖରେ ଏହି ପ୍ରକଳ୍ପରୁ ଓହରି ଯିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନ ଥିଲା । ନର୍ମଦା ବଚାଓ ଆନ୍ଦୋଳନ ପକ୍ଷରୁ ବିସ୍ଥାପିତ ମାନଙ୍କ ସମସ୍ୟାକୁ ନେଇ ଚାଲିଥିବା ଆନ୍ଦୋଳନ ସହିତ ଅନ୍ୟାନ୍ୟ ମାନଙ୍କର ବିରୋଧ ମଧ୍ୟ ବ୍ୟାଙ୍କ ବିଚାରକୁ ନେଇଥିବା ପରି ସର୍ବେକ୍ଷଣରୁ ଜଣାପଡିଛି । ପ୍ରକୃତରେ କହିବାକୁ ଗଲେ ବିଶ୍ୱର ଏହିପରି ଅନେକ ପ୍ରକଳ୍ପକୁ ନେଇ ଚିନ୍ତା ପ୍ରକଟ କରାଯିବା ଫଳରେ ଏବେ ବଡ ବନ୍ଧ ଯୋଜନାକୁ ନେଇ ବିଭିନ୍ନ ସଂସ୍ଥାକୁ ଆଉଥରେ ଚିନ୍ତା କରିବାକୁ ପଡିଛି ଓ ୧୯୯୮ ମସିହାରେ ବଡ ବ ବନ୍ଧକୁ ନେଇ ବିଚାର ବିମର୍ଷ କରିବା ପାଇଁ ଏକ ବିଶ୍ୱ ଆୟୋଗ (ୱାର୍ଲ୍ଡ କମିଶନ ଅନ ଡ୍ୟାମ୍ସ)ର ଗଠନ କରାଯାଇଛି । ସେବେଠାରୁ ଏହି ସବୁ ପରିଯୋଜନା ଗୁଡିକ ପାଇଁ ଅର୍ଥ ଲଗାଣ କ୍ଷୀଣ ହୋଇଯାଇଛି କାରଣ ଏହି ପ୍ରକଳ୍ପ ଗୁଡିକର ଆକାର ପ୍ରକାରକୁ ଏବେ ଲୋକେ ବୁଝି ଗଲେଣି ।
ମନେ ରଖିବା ଉଚିତ୍ ଯେ ଜବାହରଲାଲ ନେହେରୁ ଯିଏକି ବନ୍ଧଗୁଡିକୁ ଆଧୁନିକ ଭାରତର ମନ୍ଦିର ବୋଲି କହୁଥିଲେ ଓ ଯିଏ ୧୯୬୧ ମସିହାରେ ସର୍ଦ୍ଦାର ସରୋବର ବନ୍ଧର ମୂଳଦୁଆ ପକାଇଥିଲେ ସିଏ ମଧ୍ୟ ବନ୍ଧର ବିଶାଳତାକୁ ନେଇ କିଛିଟା ସନ୍ଦେହ ପ୍ରକଟ କରିଥିଲେ । ସେତେବେଳ ସମୟରେ ଚିନ୍ତା କରାଯାଉଥିଲା ଯେ ଯେତେବଡ ବନ୍ଧ ହେବ ସେତେ ଅଧିକ ପୁଂଜି ନିବେଶ ହୋଇ ସେତେ ଅଧିକ ଫାଇଦା ମିଳିବ । କିନ୍ତୁ ୧୯୮୭ ମସିହାରେ ଯେତେେବେଳ ସର୍ଦ୍ଦାର ସରୋବର ବନ୍ଧ ଯୋଜନାର କାମ ଆରମ୍ଭ ହେଲା ସେତେବେଳେ ଏଥିରେ ସନ୍ଦେହ ଉପୁଜିବାକୁ ଲାଗିଲା । ପ୍ରଥମ ଥର ପାଇଁ ସାମାଜିକ ଓ ପରିବେଶ ସମ୍ବନ୍ଧୀୟ ଖର୍ଚ୍ଚ କଥାଟି ଆଲେଶଚନା ପରିସରକୁ ଆସିବା ଆରମ୍ଭ କଲା । ୧୩୮.୬୮ ମିଟର ଉଚ୍ଚା ସର୍ଦ୍ଦାର ସରୋବର ବନ୍ଧ ନିର୍ମାଣ ହେବାପାଇଁ ବିତି ଯାଇଥିବା ତିନି ଦଶନ୍ଧୀ ମଧ୍ୟରେ ଏହି ସବୁ ବିଷୟର ବୈଧତା ଅଧିକ ବୃଦ୍ଧି ପାଇଛି । ବିନିଯୋଗ ର ଫାଇଦା ଏବେ କେବଳ ଏକ ସଂଖ୍ୟାର ଖେଳ ହୋଇ ରହି ନାହିଁ: ଏବେ ଏଥିପାଇଁ ଲୋକମାନଙ୍କୁ କେତେ ମୂଲ୍ୟ ଦେବାକୁ ପଡୁଛି ଓ ପରିବେଶ କେତେ ପରିମାଣରେ ପ୍ରଭାବିତ ହେଉଛି ସେ ବିଷୟରେ ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ରହିଛି ।
ମୋଦି ମଧ୍ୟ ଚାହୁଁଛନ୍ତି ଯେ ଲୋକେ ଏକଥାକୁ ବିଶ୍ୱାସ କରନ୍ତୁ ଯେ ଅନେକ ବାଧାବନ୍ଧନ ସତ୍ତେ୍ ଏହି ବନ୍ଧର କାର୍ଯ୍ୟ କେବଳ ତାଙ୍କ ଯୋଗୁଁ ପୁରା ହୋଇ ପାରିଛି । ଯଦିିଓ ଏକଥା ସତ୍ୟ ଯେ ସିଏ ଯେତେବେଳେ ଗୁଜୁରାଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସିଏ ସର୍ଦ୍ଦାର ସରୋବର ପ୍ରକଳ୍ପକୁ ଗୁଜୁରାଟୀ ସ୍ୱାଭିମାନ କଥାକୁ ପରିବର୍ତ୍ତନ କରାଇ ଦେଇ ପାରିଥିଲେ । ତେଣୁ ଯିଏ ବି ଏହି ପ୍ରକଳ୍ପକୁ ବିରୋଧ କରୁଥିଲା ସିଏ ଗୁଜୁରାଟୀ ବିରୋଧୀ ବୋଲାଉଥିଲା । ଅସଲ କଥା ହେଉଛି ଯେ ଏହି ପ୍ରକଳ୍ପଟି ଆଗେଇ ପାରିବାର ମୂଳ କାରଣଟି ହେଉଛି ଯେ ଏହା ଭିତରେ ଯେତେଗୁଡିଏ ସରକାର କେନ୍ଦ୍ରରେ ରହିଲେ ସେମାନେ ବିଶାଳ ହିଁ ସୁନ୍ଦର ବା ବିଗ ଇଜ୍ ବ୍ୟୁଟିଫୁଲ ନୀତିରେ ବିଶ୍ୱାସ ରଖିଥିଲେ । ନର୍ମଦା ବଞ୍ଚାଅ ଆନ୍ଦୋଳନର ବର୍ଷ ବର୍ଷର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଏବଂ ଅପର୍ଯ୍ୟାପ୍ତ ଥଇଥାନ ଓ ପୁନର୍ବାସ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ବହୁ ମୋକଦ୍ଦମା ସତ୍ତେ୍ୱ ୨୦୧୪ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ଜିତିବା ପରେ ନର୍ମଦା ନିୟନ୍ତ୍ରଣ ପ୍ରାଧିକରଣ ବା ଏନସିଏ ଏହି ପ୍ରକଳ୍ପକୁ ଆଗେଇବାକୁ ଅନୁମତି ଦେଇଦେଲା । ସେ ପର୍ଯ୍ୟନ୍ତ ଏହି ବନ୍ଧର ଉଚ୍ଚତା ୧୨୧.୯୨ ମିଟର ଥିଲା । ସେହି ଉଚ୍ଚତାରେ ମଧ୍ୟ ଏହି ବନ୍ଧ ଯୋଗୁଁ ପ୍ରଭାବିତ ହେବାକୁ ଯାଉଥିବା ହଜାର ହଜାର ପରିବାର ସେମାନଙ୍କ ପାଇଁ ଉଚିତ୍ ଥଇଥାନ ଓ ପୁନର୍ବାସ ଯୋଜନା ପାଇଁ ଦାବି କରୁଥିଲେ । ତା ସତ୍ତେ୍ୱ ଏନସିଏ ଏହାର ଉଚ୍ଚତାକୁ ୧୩୮.୬୮ ମିଟରକୁ ବଢାଇବାକୁ ଅନୁମତି ଦେଇଦେଲା । ଏହି ନିଷ୍ପତ୍ତିକୁ ବୁଦ୍ଧିଜୀବୀ, ଜଳ ବିଶେଷଜ୍ଞ ତଥା ସକ୍ରିୟ କାର୍ଯକର୍ତ୍ତାମାନେ ଏକ ଖୋଲା ଚିଠିରେ ତରବରିଆ, ଅଜ୍ଞତା ବଶତଃ ଓ ବିଧ୍ୱଂସୀ ତଥା ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ବୋଲି କହିବା ସତ୍ତେ୍ୱ ଏନସିଏ କାହିଁକି ବନ୍ଧର ଉଚ୍ଚତାକୁ ବଢାଇବାକୁ ଅନୁମତି ଦେଲା ତାହା ଏକ ପ୍ରହେଳିକା ହୋଇ ରହିଛି । ତେବେ ମୋଦିଙ୍କ କଥାରୁ ଯେତିକି ଜଣା ପଡୁଛି ସେ ଏଥିପାଇଁ ଉଦ୍ୟମ କରି ନ ଥିଲେ ବୋଧେ ତାହା ସମ୍ପୂର୍ଣ୍ଣ ହୋଇ ପାରି ନଥାନ୍ତା ।
ଏହା ଭିତରେ ସର୍ଦ୍ଦାର ସରୋବର ଏବଂ ଅନ୍ୟ ବଡ ବନ୍ଧ ଗୁଡିକ ଉପରେ ରିମ ରିମ କାଗଜ ଲେଖା ସରିଲାଣି । ଗୁଜୁରାଟ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସହିତ ସବୁ ରାଜ୍ୟରେ ଅପର୍ଯ୍ୟାପ୍ତ ଥଇଥାନ ଓ ପୁନର୍ବାସ ଯୋଜନାକୁ ନେଇ କରାଯାଇଥିବା ବହୁ ଅଧ୍ୟୟନ ଲିପିବଦ୍ଧ ହୋଇ ସାରିଛି । ମଧ୍ୟପ୍ରଦେଶ ନର୍ମଦା ୱାଟର ଡିସପ୍ୟୁଟ୍ସ ଟ୍ରାଇିବ୍ୟୁନାଲ ଆୱାର୍ଡ ରେ ଜମି ପାଇଁ ଜମି ଦେବା ବାଧ୍ୟତାମୂଳକ ନିଷ୍ପତ୍ତିର ବିରୋଧ କରି ବନ୍ଧ ପାଇଁ ଜମିହରାଉ ଥିବା ବିସ୍ଥାପିତମାନଙ୍କୁ ଟଙ୍କା ଦେବା କଥା କହିଲା । ଯାହାଫଳରେ ଆଜି ମଧ୍ୟ ହଜାର ହଜାର ଅସନ୍ତୁଷ୍ଟ ପରିବାର ସର୍ଦ୍ଦାର ସରୋବର ପାଣି ତଳେ ସେମାନଙ୍କ ଜମିବାଡି ବୁଡିଯିବା ପୂର୍ବରୁ ସେମାନଙ୍କ ଜମିର ଉପଯୁକ୍ତ କ୍ଷତିପୂରଣ ପାଇବାପାଇଁ ଉଦ୍ୟମ କରି ଚାଲିଛନ୍ତି । ଯେତେବେଳେ ଏହି ପ୍ରକଳ୍ପର ଉପକାରିତା ସମ୍ବନ୍ଧରେ ବଡ ବଡ କଥା କୁହାଯାଉଛି ସେତେବେଳେ ଜଳସେଚନ ପାଇଁ ଏହା ସହିତ ସଂଯୋଗ ହେବାକୂ ଥିବା କେନାଲ ଗୁଡିକ ମଧ୍ୟ ଆଜିଯାଏ ଆରମ୍ଭ ହୋଇ ନାହିଁ । ଏଥିପାଇଁ ଯେଉଁ ଲୋକମାନେ ବିସ୍ଥ।।ପିତ ହେବେ ତାର ମୂଲ୍ୟ କେତେ ହେବ ସେକଥାର ଆକଳନ ଆରମ୍ଭ ହୋଇନାହିଁ । ମୋଦିଙ୍କ ଭାଷାରେ ଏହି ଅଲୋ÷କିକ ଇଞ୍ଜିନିୟରିଙ୍ଗ କାର୍ଯ୍ୟ ସେହି ଲୋକମାନଙ୍କ ଦ୍ୱାରା ସମ୍ଭବ ହୋଇଛି ଯେଉଁମାନେ ସେମାନଙ୍କର ଜମି ଓ ଆଜିବିକା ହରାଇ ବହୁ ମୂଲ୍ୟ ଦେଇଛନ୍ତି ଅଥଚ ଏଥିରୁ କିଛି ବି ଫାଇଦା ପାଇ ନାହାନ୍ତି । ଏ ସବୁକଥା ପରେ, ମୋଦି ଏହି ବନ୍ଧ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀମାନଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଦେବା ଅସମ୍ବେଦନଶୀଳତର ଏକ ମାଷ୍ଟର ଷ୍ଟ୍ରୋକ୍ ଭାବେ ପରିଗଣିତ ହେବ ।