ISSN (Print) - 0012-9976 | ISSN (Online) - 2349-8846

ଅଶାନ୍ତ ଶସ୍ୟକ୍ଷେତ୍ର

ନିର୍ବାଚନବେଳେ କୃଷିର ଆୟକୁ ଦୁଇଗୁଣା କରିବାପାଇଁ ଦିଆଯାଇଥିବା ପ୍ରତିଶ୍ରୁତିର ବିଶ୍ୱାସ ଘାତକତା କରାଯାଇଥିବାରୁ ଭାରତର ଚାଷ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

୨୦୧୪ର ସାଧାରଣ ନିର୍ବାଚନ ଦୌଡ଼ରେ ଭାରତୀୟ ଜନତା ପାର୍ଟି (ଭାଜପା) ମାତ୍ରାଧିକ ପ୍ରତିଶ୍ରୁତି ଦେଇ କହିଥିଲେ ଯେ, କ୍ଷମତାକୁ ଆସିଲେ ସେମାନେ ଚାଷୀର ଆୟକୁ ଦୁଇଗୁଣ କରିଦେବେ, ଅଧିକ ନିଯୁକ୍ତି ସୃଷ୍ଟି କରିବେ ଏବଂ କଳାଧନ ଫେରାଇ ଆଣିବେ । ନିର୍ବାଚନୀ ପ୍ରତିଶ୍ରୁତିର ଅବସ୍ଥା ଏ ଦେଶରେ କ’ଣ ହୁଏ ସମସ୍ତେ ଜାଣନ୍ତି । ଏହି ସରକାରଙ୍କ ଭିନ୍ନତା ଏଇୟା ଥିଲା ଯେ, ଏମାନେ ଏଭଳି ଏକା ନେତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯିଏ ପ୍ରକୃତରେ କାମ କରିବ । ତେଣୁକରି, ଅନ୍ୟପ୍ରକାରେ ଦେଖିଲେ ସବୁକଥାକୁ କ୍ଷମା କରିଦେଉଥିବା ଏବଂ ସବୁକଥାକୁ ଭୁଲି ଯାଉଥିବା ଆମ ନାଗରିକମାନେ ଗୋଟିଏ ଶ୍ରେଷ୍ଠ ପୁରୁଷ ଓ ଅତି ଦକ୍ଷ ନେତାର ଅତିରଞ୍ଜିତ ଉପସ୍ଥାପନାକୁ ବିଶ୍ୱାସ କରି ଏବେ ସେହି ନେତାଙ୍କୁ ନିଜ ଆତ୍ମଘୋଷିତ କାର୍ଯ୍ୟସୂଚୀ ସମ୍ପର୍କରେ ମନେ ପକାଇ ଦେବାର ବୋଝଟି ନେଇଛନ୍ତି । ଦେଶବ୍ୟାପୀ କୃଷି ଓ ଜୀବିକାର ସଙ୍କଟକୁ ମୁକାବିଲା କରିବା ବେଳେ ଭାଜପା ଯେଉଁ ଆଶଙ୍କା ଦେଇ ଗତି କରୁଛି ତାହା ଏଥିରୁ ଜଣାପଡ଼ୁଛି । ଏମିତିରେ ବି ଏମାନଙ୍କର ବିମୁଦ୍ରୀକରଣର ଅଭିନୟଟି କ୍ଷୀପ୍ର ଗତିରେ ଉନ୍ମୋଚିତ ହେଇଚାଲିଛି ।

ମହାରାଷ୍ଟ୍ର ଏବଂ ସଂଲଗ୍ନ ମଧ୍ୟପ୍ରଦେଶରେ ୧୦ଦିନିଆ କୃଷକ ଧର୍ମଘଟ ସାଧାରଣରେ ସାରା ଦେଶଟାକୁ ଏବଂ ନିର୍ଦ୍ଦିଷ୍ଟ ଭାବେ ଭାଜପାକୁ ଚକିତ କରିଦେଇଛି । ଏଯାବତ୍ ନିଜ ଅଧିକାର ସାବ୍ୟସ୍ତ କରିପାରୁନଥିବା ଅଣସଙ୍ଗଠିତ ଗ୍ରାମାଞ୍ଚଳର କୃଷକମାନଙ୍କର ଗଣ ସମୁଦାୟ ରାତାରାତି ନିଜକୁ ଏକ ସଚ୍ଚା ରାଜନୈତିକ ଶକ୍ତି ହିସାବରେ ରୂପାନ୍ତରିତ କରିପାରିଲେ । ଧର୍ମଘଟକାରୀ କୃଷକମାନେ ସ୍ୱାମୀନାଥନ କମିଶନଙ୍କ ଦ୍ୱାରା ପ୍ରସ୍ତାବିତ ଢାଂଚାଗତ ସଂସ୍କାର ଲାଗୁ କରିବା ପାଇଁ ପୁନଶ୍ଚ ଦାବୀକରିବା ସହ, ବିମୁଦ୍ରୀକରଣ ଓ ଅତ୍ୟଧିକ ଭଲ ଫସଲଯୋଗୁଁ କୃଷିଜାତ ଦ୍ରବ୍ୟର ବିକ୍ରି ଦରରେ ଯେଉଁଭଳି ହ୍ରାସ ଘଟିଛି ତା’ର ଭରଣ କରିବା ପାଇଁ ଦାବୀ କରିଥିଲେ । ଦୁଇବର୍ଷର ଅନବରତ ଦୁର୍ଭିକ୍ଷ ପରେ ଏଥର ଆସିଥିବା ଭଲ ଫସଲ ସମସ୍ୟା ସୃଷ୍ଟି କରିଛି । ତେଣୁକରି ମହାରାଷ୍ଟ୍ରର ନାସିକ ଡିଭିଜନ୍ର ଅପେକ୍ଷାକୃତ ଜଳସେଚିତ ଓ ସମୃଦ୍ଧ ଅଂଚଳ ପୁନା ଏବଂ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଆନ୍ଦୋଳନଟି ଚିର ମରୁଡ଼ି ପ୍ରପୀଡ଼ିତ ଏବଂ ଅତି ଦରିଦ୍ର ଅଂଚଳ ମରାଠାୱାଡ଼ା ଏବଂ ବିଦର୍ଭ ବା ଚମ୍ବଲ ଏବଂ ବୁନ୍ଦେଲଖଣ୍ଡ ଅଂଚଳରୁ ଆରମ୍ଭ ହୋଇନାହିଁ । ପ୍ରାକୃତିକ ଦୁର୍ବିପାକକୁ ବାଦ ଦେଲେ ବି ଏମିତିରେ ଭାରତୀୟ କୃଷି ଗଭୀର ସଙ୍କଟ ଦେଇ ଗତି କରୁଛି । ଚାଷ ପାଇଁ ଆବଶ୍ୟକୀୟ ଜିନିଷର ଖର୍ଚ୍ଚ ବୃଦ୍ଧି ଏବଂ କୃଷି ଉତ୍ପାଦନର ମୂଲ୍ୟ ହ୍ରାସ, ସରକାରୀ ସହଯୋଗ କମିବା ଓ ବଜାରର ଅସ୍ଥିରତା, ଜମିର ପରିମାଣ ଓ ଉତ୍ପାଦନରେ ହ୍ରାସ ଇତ୍ୟାଦି ଯୋଗୁଁ କୃଷିକ୍ଷେତ୍ରରୁ ଆୟ କମୁଛି, ଯାହାଫଳରେ କୃଷି ପୁରାପୁରି ଅସମ୍ଭବ ହେଇଯାଇଛି । କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ଭୂମିହୀନ କୃଷି ଶ୍ରମିକ ଏବଂ କୃଷିଭିତିକ ଅର୍ଥନୀତିର ସୀମାରେ ରହୁଥିବା ଲୋକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଇଛନ୍ତି ।

ଉଭୟ ରାଜ୍ୟର ଭାଜପା ନେତୃତ୍ୱାଧିନ ସରକାର କୃଷକଙ୍କ ପ୍ରତିବାଦକୁ ସଫଳତାର ସହ ବୁଝିବାରେ ଭୁଲ୍ କରିଛନ୍ତି । ପ୍ରଥମେ ସେମାନେ ଏହି ପ୍ରତିବାଦକୁ ବିପକ୍ଷ ଦଳଙ୍କ କାମ ବୋଲି କହିଦେଇ ସେମାନଙ୍କୁ ଅନାବଶ୍ୟକୀୟ ମାନ୍ୟତା ଦେଲେ । ତା’ପରେ ପ୍ରତିରୋଧକୁ ଅବୈଧ କରିବା ପାଇଁ ସେମାନେ ଏହି କୃଷକମାନଙ୍କୁ ‘ପ୍ରକୃତ’ କୃଷକ ନୁହନ୍ତି ବୋଲି କହିଲେ ଯାହାକି ଅତିଶୀଘ୍ର ତାଙ୍କ ବିରୁଦ୍ଧରେ ହିଁ ଓଲଟିଗଲା । କୃଷକମାନଙ୍କ ପ୍ରତିନିଧିମାନଙ୍କୁ ନେଇ ଗଢ଼ା ଯାଇଥିବା କୋର କମିଟି ସଦସ୍ୟମାନଙ୍କୁ ବିଭାଜିତ କରିବା ପାଇଁ ମହାରାଷ୍ଟ୍ରରେ ଉଦ୍ୟମ କରାଗଲା । ଏହାର ପରିଣାମ ହେଲା ଯେ ଗୋଟିଏ ନୂଆ ଏବଂ ଅଧିକ ସଠିକ କମିଟି ଗଠନ ହେଲା ସେହି ପୁରୁଣା କୋର କମିଟି ସ୍ଥାନରେ, ଯାହାର ଦାୟିତ୍ୱ ବାମପନ୍ଥୀ ନେତୃତ୍ୱ ହାତରେ ରହିଲା । ଶେଷରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମୁଣ୍ଡ ନୂଅାଁଇଲେ ଏବଂ କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀମାନଙ୍କ ପାଇଁ ୩୦ହଜାର କୋଟିର ଋଣଛାଡ଼ ଘୋଷଣା କଲେ, ଆଗାମୀ ଫସଲ ପାଇଁ ତୁରନ୍ତ ନୂଆ ଋଣ ପ୍ରଦାନ ପାଇଁ ଆଦେଶଦେଲେ ଏବଂ ଦୁଗ୍ଧ ଚାଷୀମାନଙ୍କ ପାଇଁ ଦୁଗ୍ଧର ମୂଲ୍ୟ ବୃଦ୍ଧିକଲେ ଯାହାର ଶତକଡ଼ା ୭୦ଭାଗ ସିଧାସଳଖ ଦୁଗ୍ଧ ଚାଷୀଙ୍କ ପାଖକୁ ଯିବ । ସେ ପୁଣି ପ୍ରତିଶ୍ରୁତି ଦେଲେ ଯେ କେନ୍ଦ୍ର ସହ ପରାମର୍ଶ କରିବେ ଖାଦ୍ୟଶସ୍ୟର ସର୍ବନିମ୍ନ ସଂଗ୍ରହ ଦର ଉତ୍ପାଦନ ମୂଲ୍ୟକୁ ହିସାବ କରି ନିର୍ଦ୍ଧାରିତ କରିବାପାଇଁ ଏବଂ ତା’ ସହ ଯେମିତି ଶତକଡ଼ା ୫୦ଭାଗ ଲାଭ ଯୁକ୍ତ କରାଯିବ । ଏହି ସବୁ ପ୍ରତିଶ୍ରୁତିଗୁଡ଼ିକ ଉଚ୍ଚ ଆକାଂକ୍ଷାରେ ଭରି ରହିଛି ଯାହାର ରୂପାୟନ ଏକ ବଡ଼ ଆହ୍ୱାନ ହୋଇ ରହିବ ଯେମିତି କି ଋଣ ଛାଡ଼ ପାଇଁ ପ୍ରକୃତରେ ଅସୁବିଧାରେ ଥିବା ଚାଷୀଟିକୁ କେମିତି ଚିହ୍ନଟ କରିବେ ଏବଂ ଉତ୍ପାଦନର ପ୍ରକୃତ ଖର୍ଚ୍ଚ କେତେ ତାକୁ କେମିତି ହିସାବ କରିବେ । ଆର୍ଥିକ ଦୃଷ୍ଟିକୋଣରୁ ବି ଏହା ଏକ ବିରାଟ ବୋଝ । ଉଲ୍ଲେଖନୀୟ କଥା ଯେ, ଏହା କୃଷିରେ ସରକାରୀ ହସ୍ତକ୍ଷେପର ବାଟ ଦେଖାଇଚି ଯାହାକି ସରକାରଙ୍କ ନୀତିର ଗତିପଥକୁ ବଦଳାଇ ଦେଇଛି ଏବଂ ଯାହା ଭାଜପାର ନୀତିର ବିରୁଦ୍ଧାଚରଣ କରୁଛି । ମଧ୍ୟପ୍ରଦେଶରେ ଏତେଜଣ ଚାଷୀ ମରିବା ପରେ ମୁଖ୍ୟମନ୍ତ୍ରୀ ଯେମିତି କୃଷିଋଣ ଉପରେ ସୁଧ ଛାଡ଼ ଏବଂ ଆଲୋଚନା ପାଇଁ କୃଷକମାନଙ୍କୁ ଆମନ୍ତ୍ରଣ କଲେ, କୃଷକମାନଙ୍କୁ ଶାନ୍ତ କରାଇବା ତ ଦୂରର କଥା, ଏଭଳି ପଦକ୍ଷେପ ବିରୋଧୀମାନଙ୍କୁ ପ୍ରକୃତପକ୍ଷେ ସଶକ୍ତ କରାଇଛି ।

ମଞ୍ଜ କଥାଟି ହେଉଛି ଯେ ଭାଜପାକୁ ଗ୍ରାମାଂଚଳ ଓ କୃଷି ଅର୍ଥନୀତିକୁ ଧ୍ୟାନ ଦେବାକୁ ପଡ଼ିବ । ପ୍ରାଥମିକ ଭାବେ ଗୋଟିଏ ବଣିକମାନଙ୍କ ବନ୍ଧୁ ଏବଂ ସହରିଆ ଦଳଟିଏ ଗ୍ରାମାଂଚଳର ଭୋଟ ପାଇପାରିଲା ଜାତିର ସମୀକରଣଟିକୁ ଭଲଭାବେ ଆୟୋଜିତ କରି ଏବଂ ଅର୍ଥନୀତି ଓ ନିର୍ଦ୍ଦିଷ୍ଟ ଭାବେ କୃଷିର ପୁନଃ ସଙ୍ଗଠନ କରିବାର ପ୍ରତିଶ୍ରୁତି ଦେଇ । ଏବେ ଏହି ପ୍ରତିଶ୍ରୁତି ହିଁ ତାଙ୍କ ପଛରେ ଶିକାରୀ ପରି ଗୋଡ଼ାଇଛି । ରାଜନୈତିକ ଦଳ ଏବଂ ସରକାର ନିର୍ବିଶେଷରେ କୃଷିକ୍ଷେତ୍ର ପ୍ରତି ଯେଉଁ କ୍ରମାଗତ ଭାବେ ଅବିଚାର କରାଯାଇଆସିଛି ଏବଂ କୃଷି ନୀତିଗୁଡ଼ିକ ଭିତରେ ଯେଉଁ ଅସଙ୍ଗତି ରହିଆସିଛି, ତାହାର ଏକ ପରିଣାମ ହେଉଛି ଏବେକାର କୃଷି ସଙ୍କଟ । ଯଦିଓ ଭାଜପାକୁ ଆଜିର ସଙ୍କଟ ପାଇଁ ଏକମାତ୍ର ଦୋଷୀ ହିସାବରେ କୁହାଯାଇପାରିବନି, ତେବେ ଏକାକୀ ଏବଂ ଅଣନିଶ୍ୱାସୀ ହୋଇଯାଇଥିବା ଏକ ଗଣ ସମୁଦାୟ ଯେତେବେଳେ ନ୍ୟାୟ ପାଇଁ ଅଦ୍ଭୁତପୂର୍ବ ଦାବୀ କରୁଛନ୍ତି, ତା’ର ପରିଣାମ ଏହି ଦଳକୁ ଭୋଗିବାକୁ ପଡ଼ିବ । ଅତୀତରେ କଂଗ୍ରେସ ଦ୍ୱାରା ପ୍ରଣିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଯୁକ୍ତି ପ୍ରତିଶ୍ରୁତି ଆଇନ ଭଳି କଂଗ୍ରେସର ଗ୍ରାମାଂଚଳ ବିକାଶ ଯୋଜନାକୁ ଭାଜପା ବିରୋଧ କରିଆସିଥିଲା । ଅନ୍ୟ ପଟେ, ଏହି ଦଳର ନିଜସ୍ୱ ନୀତି ଯଥା ଜମି ଅଧିଗ୍ରହଣ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବା ଏବଂ ବିମୁଦ୍ରୀକରଣ ଗ୍ରାମାଂଚଳକୁ ନେଇ ଏମାନଙ୍କର ଯେଉଁ ଅଜ୍ଞତା ବା ବିମୁଖତା ରହିଆସିଛି ତଥା ଏମାନଙ୍କ କାର୍ଯ୍ୟଧାରାକୁ ସୂଚିତ କରାଉଛି । ଭାରତର ରିଜର୍ଭ ବ୍ୟାଙ୍କ ଦ୍ୱାରା ଜୁନ୍ ୭, ୨୦୧୭ରେ ଯେଉଁ ମୁଦ୍ରା ନୀତି ସମୀକ୍ଷାକୁ ନେଇ ବକ୍ତବ୍ୟ ରଖାଯାଉଛି ତାହା ବିମୁଦ୍ରୀକରଣ ଯୋଗୁଁ କିଭଳି କୃଷିଜାତ ଦ୍ରବ୍ୟଗୁଡ଼ିକର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘଟିଛି ଏବଂ ‘ଅଭାବୀ ବିକ୍ରି’ର ପରିସ୍ଥିତି ଉପୁଜିଛି ସେ ସମ୍ପର୍କରେ କୁହାଯାଇଛି । ବିମୁଦ୍ରୀକରଣଜନିତ ନଗଦ ଟଙ୍କାର ଅଭାବ ଆଜି ବି ସବୁ ଗାଁ’, ଛୋଟ ସହର ଏବଂ ବଜାରରେ ଲାଗି ରହିଛି ଯାହାଫଳରେ କୃଷିକ୍ଷେତ୍ରରେ ମୁଦ୍ରାହ୍ରାସ ଘଟିଛି, କୃଷିଜାତ ବଜାରର ନଗଦ ପୁଞ୍ଜିକୁ ଲୁଟି ନିଆଯାଇଛି । ଏହି ପରିସ୍ଥିତିଟି ହରିଆଣା, ରାଜସ୍ଥାନ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଜଳ ଜଳ ଦେଖାଯାଉଛି, ଯେଉଁଠି କୃଷକମାନେ ଆଗାମୀ ପ୍ରତିବାଦ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଗୋଟିଏ ମାର୍ମିକ କଥା ଯାହା ଅଧିକାଂଶ ଭୁଲି ଯାଇଥାନ୍ତି, ତାହା ହେଉଛି ଯେ ଏଇ ଯେଉଁ କୃଷକ ଧର୍ମଘଟ ମହାରାଷ୍ଟ୍ରରେ ଦେଖାଗଲା, ସେହି ଜିଲ୍ଲାରୁ ଆରମ୍ଭ ହୋଇଛି ଯେଉଁଠି ମରାଠାମାନଙ୍କ ମୋର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା-ପୁନା ଡିଭିଜନର ଅହମଦ୍ନଗର । ଯଦିଓ ଦୁଇଟିଯାକ ଆନ୍ଦୋଳନ ଭିତରେ ଦାବୀ ଏବଂ ପ୍ରତିବାଦର ଧାରାକୁ ନେଇ ପ୍ରଭେଦ ରହିଛି, ଉଭୟ କ୍ଷେତ୍ରରେ ସ୍ୱତଃପ୍ରବୃତ୍ତ ଜନଜାଗରଣ ଦେଖିବାକୁ ମିଳିଥିଲା ଯାହାର ଆକାର ଏବଂ ତୀବ୍ରତା ଯେକୌଣସି ସରକାରଙ୍କ ପାଇଁ ବ୍ୟସ୍ତତାର କାରଣ ସାଜିପାରିବ । ଗୋଟିଏ ବଳିଷ୍ଠ ବିରୋଧି ଦଳର ଅନୁପସ୍ଥିତିରେ, କେବଳ ଜନଆକ୍ରୋଶ ହିଁ ସରକାରଙ୍କୁ ଉତ୍ତରଦାୟୀ କରାଇବା ଏବଂ ନିଜ ପ୍ରତିଶ୍ରୁତି ପାଳନ କରିବା କ୍ଷେତ୍ରରେ ଚାପ ସୃଷ୍ଟି କରିପାରିବ ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top