ISSN (Print) - 0012-9976 | ISSN (Online) - 2349-8846

ଅଭିବୃଦ୍ଧିର ଅଧପତନ

୨୦୧୬-୧୭ ବର୍ଷର ଶେଷ ଦୁଇଟି ତ୍ରୟମାସିକୀରେ ମନ୍ଥର ଅଭିବୃଦ୍ଧି ସୁନିଶ୍ଚିତ କରୁଛି ବିମୁଦ୍ରୀକରଣ ଦ୍ୱାରା କିଭଳି କ୍ଷତି ଘଟିଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଫେବୃଆରୀ୨୦୧୭ରେ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଘୋଷଣା କଲେ ଯେ ସାମଗ୍ରୀକ ଜାତୀୟ ଉତ୍ପାଦନ ବା ଜିଡ଼ିପିର ଅଭିବୃଦ୍ଧି ହାର ୨୦୧୬-୧୭ର ତୃତୀୟ ତ୍ରୟମାସିକୀ (ଅକ୍ଟୋବର- ଡିସେମ୍ବର)ରେ ଶତକଡ଼ା ୭ଥିଲା ଏବଂ ଆର୍ଥିକ ବର୍ଷଟି ପାଇଁ ଏହି ହାର ଶତକଡ଼ା ୭.୧ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ସୁଯୋଗ ନେଇ ‘ହାଭାର୍ଡ଼ରୁ ଆସିଥିବା’ ଲୋକମାନଙ୍କର ଅଭିବୃଦ୍ଧି ଉପରେ ବିମୁଦ୍ରୀକରଣର କୁପ୍ରଭାବ ପଡ଼ିବ ବୋଲି କୁହାଯାଇଥିବା ମନ୍ତବ୍ୟକୁ ନେଇ ବିଦ୍ରୂପ କଲେ । ବିଭିନ୍ନ ସର୍ବସାଧାରଣ ରାଲି ବା ସମାବେଶରେ ନିର୍ଦ୍ଦିଷ୍ଟ ଭାବେ ମନମୋହନ ସିଂହଙ୍କ ସଂସଦରେ ଜିଡ଼ିପିର ଅଭିବୃଦ୍ଧିରେ ଦୁଇ ଶତକଡ଼ା ପଏଂଟ ହ୍ରାସ ହୋଇଛି ବୋଲି ଯେଉଁ ମନ୍ତବ୍ୟ ରଖିଥିଲେ ଏବଂ ଅର୍ମତ୍ୟ ସେନ୍ଙ୍କ ଅବ୍ୟବସ୍ଥିତ କ୍ଷେତ୍ରରେ ବିମୁଦ୍ରୀକରଣର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଯେଉଁ ମନ୍ତବ୍ୟ ରଖିଥିଲେ, ତାକୁ ନେଇ ପ୍ରତିକ୍ରିୟା ମାନ ରଖିଲେ । ମୋଦୀ କହିଲେ ଯେ ଏମାନଙ୍କର ମିଛଗୁଡ଼ିକ ପଦାରେ ପଡ଼ିଯାଇଛି । ସରକାରୀ ପରିସଂଖ୍ୟାନ ପଣ୍ଡିତମାନେ ଏହି ତୃତୀୟ ତ୍ରୟମାସିକୀର ଅଭିବୃଦ୍ଧି ହିସାବକୁ ନେଇ ବିମୁଦ୍ରୀକରଣର ପ୍ରଭାବକୁ ମାପି ହେବନାହିଁ ବୋଲି କହିବା ସତ୍ୱେ ଏଭଳି ମତପୋଷଣ କରାଗଲା । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ମେ୩୧, ଦିନ ନିଜର ସଦ୍ୟତମ ଆକଳନକୁ ସାର୍ବଜନୀନ କଲାବେଳେ ଦେଖାଇଛନ୍ତି କେମିତି ୨୦୧୬-୧୭ ବର୍ଷର ତୃତୀୟ ଓ ଚତୁର୍ଥ ତ୍ରୟମାସିକୀ ଆକଳନରେ ଅଭିବୃଦ୍ଧିର ହାର ମନ୍ଥର ରହିଛି, ଯାହା ବିମୁଦ୍ରୀକରଣର ନକାରାତ୍ମକ ପ୍ରଭାବକୁ ସମର୍ଥନ କରିବା ସହ ମୋଦୀଙ୍କ ମିଛକୁ ପଦାରେ ପକାଇ ଦେଇଛି ।

ତୃତୀୟ ତ୍ରୟମାସିକୀର ଅଭିବୃଦ୍ଧି ଶତକଡ଼ା ୬.୭ ରହି ୦.୬ ଶତାଂଶ ପଏଂଟରେ ହ୍ରାସ ହୋଇଛି ଯଦି ୨୦୧୫-୧୬ର ତୃତୀୟ ତ୍ରୟମାସିକୀର ଆକଳନ ସହ ତୁଳନା କରାଯାଏ । ଚତୁର୍ଥ ତ୍ରୟମାସିକୀର ଆକଳନ ବେଳକୁ ତାହା ଶତକଡ଼ା ୮.୭ ଭାଗରୁ ୩.୧ ଶତାଂଶ ପଏଂଟ ଖସି ଆସି ଶତକଡ଼ା ୫.୬ ଭାଗରେ ପହଂଚିଛି । ୨୦୧୩-୧୪ରେ ଯେତେବେଳେ ଅର୍ଥନୀତିର ଅଭିବୃଦ୍ଧି ଶତକଡ଼ା ୫.୩ ଥିଲା, ତା’ ପରଠାରୁ ଏହା ହେଉଛି ସବୁଠାରୁ କମ୍ ଅଭିବୃଦ୍ଧି ଘଟିଥିବା ଚତୁର୍ଥ ତ୍ରୟମାସିକୀ ଆକଳନ । ଏହି ୫.୩ ଶତକଡ଼ା ଅଭିବୃଦ୍ଧି ବି ଅସଂଶୋଧିତ ସଂଖ୍ୟା । ଯଦି ଇଣ୍ଡେକ୍ସ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ସନ୍ (ଆଇ.ଆଇ.ପି) ବା ଶିଳ୍ପ ଉତ୍ପାଦନର ସୂଚକାଙ୍କ ଏବଂ ସାମଗ୍ରୀକ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁ.ପି.ଆଇ)ରେ କିଛି ବଢ଼ତି ଦିଆଯାଏ, ତେବେ ୨୦୧୩-୧୪ରେ ଚତୁର୍ଥ ତ୍ରୟମାସିକୀ ଆକଳନ ଆହୁରି ବଢ଼ିଯିବ । ଫଳରେ ୨୦୧୬-୧୭ର ଚତୁର୍ଥ ତ୍ରୟମାସିକୀ ଆକଳନଟି ୨୦୧୧-୧୨ରୁ ଆରମ୍ଭ ହୋଇଥିବା ନୂତନ ଶୃଙ୍ଖଳାର ସବୁଠାରୁ କମ୍ ଅଭିବୃଦ୍ଧି ହାର ବୋଲି ସାବ୍ୟସ୍ତ ହେବ । ଏମିତିକି ଆର୍ଥିକ ବର୍ଷକୁ ବି ଯଦି ହିସାବକୁ ନିଆଯାଏ, ୨୦୧୬-୧୭ରେ ଯେଉଁ ଶତକଡ଼ା ୬.୬ର ସାମଗ୍ରୀକ ମୂଲ୍ୟଯୁକ୍ତ (ଜିଭିଏ) ଅଭିବୃଦ୍ଧି ଘଟିଛି, ତାହା ବି ଗତବର୍ଷ ତୁଳନାରେ ୧.୩ ପ୍ରତିଶତ ପଏଂଟ କମ୍ । ୨୦୧୨-୧୩ ପରଠାରୁ ଏହା ସବୁଠାରୁ କମ୍ । ସଦ୍ୟତମ ବର୍ଷ ପାଇଁ ଜିଡ଼ିପି ଅଭିବୃଦ୍ଧି ଶତକଡ଼ା ୭.୧ ରହିଛି ଏବଂ ଅଧିକ ଜଣାପଡ଼ୁଛି କାହିଁକି ନା ପ୍ରକୃତ ମୂଲ୍ୟରେ ମୂଳ ପରୋକ୍ଷ କର’ର କ୍ଷେତ୍ରର ପର୍ଯ୍ୟାୟକ୍ରମେ ଶତକଡ଼ା ୧୨.୮ ଅବଦାନ ରହିଛି । ଜାତୀୟ ହିସାବର ଆକଳନ ପାଇଁ ବ୍ୟବହୃତ ହେଉଥିବା ପୁରୁଣା ଜାତୀୟ ଆୟ ସୂଚକାଙ୍କକୁ ଯଦି ହିସାବକୁ ନିଆଯିବ, ଏପରି ଅଭିବୃଦ୍ଧି ହିସାବ ଆସିବ ନାହିଁ ।

କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା ସି.ଏସ୍.ଓଙ୍କର ସଦ୍ୟତମ ଆକଳନ ଇଙ୍ଗିତ କରୁଛି ସ୍ଥାୟୀ ଅର୍ଥଲଗାଣ କ୍ଷେତ୍ରରେ କିଭଳି ହ୍ରାସ ଘଟିଛି ଯାହାକୁ ଜିଏଫ୍ସିଏଫ୍ ବା ସାମଗ୍ରୀକ ସ୍ଥାୟୀ ପୁଞ୍ଜିଯୋଗାଣର ମାପକାଠିରେ ମପାଯାଇଛି । ୨୦୧୬-୧୭ରେ ଜିଡ଼ିପି ଶତକଡ଼ା ୩୦.୯ ଭାଗରୁ ଖସି ଆସି ଶତକଡ଼ା ୨୯.୫ ଭାଗରେ ପହଂଚିଲା । ଗତବର୍ଷର ଚତୁର୍ଥ ତ୍ରୟମାସିକୀ ତୁଳନାରେ ଯାହା ଶତକଡ଼ା ୨୮.୫ ଥିଲା, ଏହି ବର୍ଷ ଚତୁର୍ଥ ତ୍ରୟମାସିକୀ ଆକଳନର ଜିଏଫ୍ସିଏଫ୍ ଶତକଡ଼ା ୨୫.୫କୁ ଖସି ଆସିଛି । ଜିଏଫ୍ସିଏଫ୍ରେ ହ୍ରାସ ଘଟିଲେ, ମଧ୍ୟବର୍ତୀକାଳୀନ ଉତ୍ପାଦନ, ନିଯୁକ୍ତି ଏବଂ ଆୟ ଉପରେ ପ୍ରଭାବ ପଡ଼ିବ ।

ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, କୃଷି ଓ ସାଧାରଣ ପ୍ରଶାସନ ଭଳି ଦୁଇଟି କ୍ଷେତ୍ର ବ୍ୟତିରେକ ସବୁ ପ୍ରକାର ଶିଳ୍ପକ୍ଷେତ୍ରରେ ଚତୁର୍ଥ ତ୍ରୟମାସିକୀରେ ଅଭିବୃଦ୍ଧିର ହ୍ରାସ ଘଟିଛି । ଏହି ଦୁଇଟି କ୍ଷେତ୍ରକୁ ବାଦ୍ ଦେଲେ ୬ଟି କ୍ଷେତ୍ରର ହାରାହାରି ଅଭିବୃଦ୍ଧି ହାର ଅତି କମ୍ ଶତକଡ଼ା ୩.୮ଭାଗ ରହିଛି ୨୦୧୫-୧୬ ବର୍ଷରେ ଏହି ତ୍ରୟମାସିକୀ ବେଳେ ଯାହା ଶତକଡ଼ା ୧୦.୭ ଭାଗ ଥିଲା । ବର୍ଷ ପରେ ବର୍ଷ ହୋଇ ଚାଲିଥିବା କ୍ଷତିର ହାର ଶତକଡ଼ା ୭ପଏଂଟ ରହିଆସିଛି । ଅର୍ଥରେ ହିସାବ କଲେ ଜିଡ଼ିପିରେ କ୍ଷତିର ପରିମାଣ ୧ଲକ୍ଷ ୩୫ ହଜାର ୬୦୦କୋଟି ଟଙ୍କା ହେବ । ଅଭିବୃଦ୍ଧିର ସବୁଠାରୁ ଅଧିକ କ୍ଷୀପ୍ର ହ୍ରାସ ଘଟିଛି ନିର୍ମାଣ କ୍ଷେତ୍ରରେ । ୨୦୧୫-୧୬ର ଚତୁର୍ଥ ତ୍ରୟମାସିକୀରେ ଯାହାର ଅଭିବୃଦ୍ଧି ଶତକଡ଼ା ୬ଥିଲା ତାହାର ପତନ ଘଟି ଏହି ବର୍ଷର ଚତୁର୍ଥ ତ୍ରୟମାସିକୀ ବେଳକୁ ଶତକଡ଼ା ୩.୭ରେ ଆସି ପହଂଚିଛି । ଅନୌପଚାରିକ ବା ଅବ୍ୟବସ୍ଥିତ କ୍ଷେତ୍ରରେ ସର୍ବାଧିକ ଶ୍ରମିକଙ୍କୁ ଏହି ନିର୍ମାଣ କ୍ଷେତ୍ର ନିଯୁକ୍ତ ଦେଇଥାଏ । ଏମିତି ତୀର୍ଯ୍ୟକ ହ୍ରାସ ଘଟିଛି ଉଦ୍ୟୋଗ, ବ୍ୟବସାୟ, ହୋଟେଲ, ପରିବହନ, ଆର୍ଥିକ, କୋଠାବାଡ଼ି ଏବଂ ବୃତିଗତ ସେବା ଇତ୍ୟାଦି କ୍ଷେତ୍ରରେ । ଏହିସବୁ କ୍ଷେତ୍ରରେ ଅନେକ ଅନୌପଚାରିକ ପ୍ରତିଷ୍ଠାନ ଅଛି ଯେଉଁଠି ବ୍ୟାପକ ନିଯୁକ୍ତି ମିଳିଥାଏ ।

ଏଭଳି ଯୁକ୍ତି ବି କରାଯାଇପାରେ ଯେ ଗତ ଦୁଇଟି ତ୍ରୟମାସିକୀରେ ଯେଉଁ ଅଭିବୃଦ୍ଧି ଦୃଶ୍ୟପଟ୍ଟର ଘୋଷଣା କରାଯାଇଛି, ତାହା ଏକ ସାମୟିକ ପ୍ରଭାବ ଏବଂ ତାହା ମଧ୍ୟବର୍ତୀକାଳୀନ ଆକଳନ ଆଡ଼କୁ ନ ଯାଇପାରେ । ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଅନୌପଚାରିକ ସ୍ୱଭାବକୁ ଦେଖିଲେ, ଜିଡ଼ିପିରେ କାହାର କେତେକ ଅବଦାନ ରହିଛି, ମାପିବାପାଇଁ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଯେଉଁ ମାପକାଠି ଗ୍ରହଣ କରିଛନ୍ତି ସେଥିରେ ଅନେକ ଗୁରୁତର ସମସ୍ୟା ରହିଛି । ଉଦ୍ୟୋଗ ଓ ସେବା କ୍ଷେତ୍ରର ଅଣସଂଗଠିତ ବିଭାଗ ଗୁଡ଼ିକର ସାମଗ୍ରୀକ ମୂଲ୍ୟଯୁକ୍ତ ଅବଦାନ ମାପିବା ପାଇଁ ୨୦୧୨-୧୩କୁ ମୂଳବର୍ଷ କରି ଏକ ଫଳପ୍ରଦ ଶ୍ରମ-ବିନିଯୋଗ ପଦ୍ଧତିକୁ ପ୍ରୟୋଗ କରାଗଲା, ସାମଗ୍ରୀକ ମୂଲ୍ୟଯୁକ୍ତ ଆକଳନଟିକୁ ପରବର୍ତୀ ବର୍ଷକୁ ନେବାପାଇଁ । ଫଳପ୍ରଦ ଶ୍ରମ ବିନିଯୋଗ ପଦ୍ଧତି ଯେଉଁକଥାଟି ଦରକାର, ତାହା ହେଲା ଶ୍ରମ ବିନିଯୋଗର ଏକ ଆକଳନ ଏବଂ ପ୍ରତ୍ୟେକଟି ସମୀକରଣ କରାଯାଉଥିବା ଶିଳ୍ପକ୍ଷେତ୍ରରେ ନିଯୁକ୍ତ ପ୍ରତି ଶ୍ରମ ପିଚ୍ଛା ଯୋଡ଼ାଯାଉଥିବା ମୂଲ୍ୟ ସମ୍ପର୍କିତ ତଥ୍ୟ । ଏଭଳି ତଥ୍ୟ କିନ୍ତୁ କେବଳ ମୂଳବର୍ଷ ପାଇଁ ଉପଲବ୍ଧ । ପରବର୍ତୀ ବର୍ଷଗୁଡ଼ିକରେ ଏହି ସୂଚନା ଜାଣିବାପାଇଁ ବାଟ କିଛି ନାହିଁ । ତେଣୁକରି, ଅବ୍ୟବସ୍ଥିତ କ୍ଷେତ୍ରର ନିଯୁକ୍ତିରେ ବିମୁଦ୍ରୀକରଣର କଣ ପ୍ରଭାବ ପଡ଼ିଛି ଜାଣିବା ବା ବୃହତର ଅର୍ଥନୀତିକ ସ୍ତରରେ ସକ୍ରିୟଥିବା ଉଦ୍ୟୋଗମାନଙ୍କରେ ଶ୍ରମିକମାନଙ୍କ ଆୟରେ ବିମୁଦ୍ରୀକରଣର ପ୍ରଭାବ ବୁଝିବା ସମ୍ଭବ ନୁହଁ । ବୃହତର ଅର୍ଥନୈତିକ ସ୍ତରରେ ସୂଚକାଙ୍କ ଯଥା ଶିଳ୍ପ ଉତ୍ପାଦନ ସୂଚକାଙ୍କ ଓ ସାମଗ୍ରିକ ମୂଲ୍ୟ ସୂଚକାଙ୍କର ଧାରା ଯାହା ପରବର୍ତୀ ବର୍ଷଗୁଡ଼ିକରେ ସାମଗ୍ରୀକ ଯୁକ୍ତ ସ୍ଥିତିକୁ ଆକଳନ କରିବାପାଇଁ ବ୍ୟବହାର କରାଯାଇଥାଏ, ତାକୁ ନେଇ ଅବ୍ୟବସ୍ଥିତ ବା ଅନୌପଚାରିକ ଅର୍ଥନୀତିର ଅବଦାନକୁ ମାପି ପାରିବ ନାହିଁ । କିନ୍ତୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ରିପୋର୍ଟରେ ଯଥେଷ୍ଟ ପ୍ରମାଣ ରହିଛି କେମିତି ଅନୌପଚାରିକ ଅର୍ଥନୀତିଟି ସବୁ ଦିଗରୁ ଦୁଃସ୍ଥତା ଦେଇ ଗତି କରୁଛି: ନିଯୁକ୍ତି ଓ ଆୟର ହ୍ରାସ, ଆତ୍ମନିଯୁକ୍ତ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଆୟର ହ୍ରାସ ।

୨୦୧୧-୧୨ରେ ହିସାବ କରାଯାଇଥିବା ୪୮ କୋଟି ୪୦ଲକ୍ଷ ଶ୍ରମିକମାନଙ୍କ ଭିତରୁ କେବଳ ୩କୋଟି ଶ୍ରମିକ ବ୍ୟବସ୍ଥିତ କ୍ଷେତ୍ରରେ କାମ କରନ୍ତି ଏବଂ ଅବଶିଷ୍ଟ ଅର୍ଥାତ୍ ଶତକଡ଼ା ୯୩ ଭାଗ ଶ୍ରମିକ ଅବ୍ୟବସ୍ଥିତ କ୍ଷେତ୍ରରେ ନିଯୁକ୍ତି ପାଇଥାନ୍ତି । ତେଣୁ କରି ଅବ୍ୟବସ୍ଥିତ କ୍ଷେତ୍ରର ଘର ବା ଉଦ୍ୟୋଗମାନଙ୍କରେ ଖର୍ଚ୍ଚ କମିବ ଓ ସଂଚୟ ହ୍ରାସ ହେବ ଏବଂ ଏହି କ୍ଷେତ୍ରରେ ନିଯୁକ୍ତ ଲୋକମାନଙ୍କୁ ମଧ୍ୟବର୍ତୀ ସମୟରେ ନିଶ୍ଚିତ ଭାବେ ପ୍ରଭାବିତ କରିବ । ଭାରତୀୟ ଅର୍ଥନୀତି, ବିଶେଷ କରି ଅବ୍ୟବସ୍ଥିତ ଉଦ୍ୟୋଗ ଏବଂ ତାହା ଉପରେ ଜୀବିକା ପାଇଁ ନିର୍ଭରଶୀଳ ଲୋକମାନଙ୍କୁ ପ୍ରଭୂତ କ୍ଷତି ପହଂଚା ଯାଇସାରିଲାଣି । ଏହି ନୂତନ ଅଭିବୃଦ୍ଧିର ସଂଖ୍ୟାଗୁଡ଼ିକ ମୋଦୀଙ୍କର ବିଭ୍ରାନ୍ତିକର ନାରାବାଜି ଓ ଫମ୍ପା ଉଚ୍ଚାରଣଗୁଡ଼ିକୁ ପଦାରେ ପକାଇ ଦେଉଛି ।

Back to Top