ISSN (Print) - 0012-9976 | ISSN (Online) - 2349-8846

ପବିତ୍ର ଗାଈ ରାଜନୀତି

ଗୋ-ବଧ ପାଇଁ କରାଯାଉଥିବା ବେପାରକୁ ନିଷିଦ୍ଧ କରିବାପାଇଁ ଲାଗୁ ହୋଇଥିବା ନୂତନ ନିୟମ ଅସାମ୍ବିଧାନିକ ଏବଂ ଅଣ ହିନ୍ଦୁ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଗୋ-ବଧକୁ ନିଷିଦ୍ଧ କରିବା ପାଇଁ ଗୁଜରାଟ, ହିମାଚଳପ୍ରଦେଶ, ରାଜସ୍ଥାନ, ହରିଆଣା ଓ ପଞ୍ଜାବ ଭଳି ରାଜ୍ୟମାନେ କଠୋର ଆଇନ ପ୍ରଣୟନ କରିଛନ୍ତି । ପଶ୍ଚିମବଙ୍ଗ, କେରଳ, ମେଘାଳୟ, ନାଗାଲ୍ୟାଣ୍ଡ ଓ ତ୍ରିପୁରା ଭଳି ରାଜ୍ୟମାନେ କିନ୍ତୁ ଗୋ-ବଧକୁ ନିଷିଦ୍ଧ କରିନାହାନ୍ତି ଏବଂ ଓଡ଼ିଶା, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ ଭଳି ରାଜ୍ୟରେ ଯେଉଁ ଗାଈ ଓ ମଇଁଷିମାନେ କୌଣସି କାମରେ ଆସିବାପାଇଁ ଅନୁପଯୁକ୍ତ, ସେମାନଙ୍କୁ ହିଁ ‘ବଧ ପାଇଁ ଉପଯୁକ୍ତ’ କୁହାଯାଇଥାଏ, ଯାହାକୁ ଆଂଶିକଭାବେ ନିଷିଦ୍ଧ ଆଇନ କୁହାଯିବ । ଗତ ତିନିବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ପ୍ରକୃତରେ ସଚେତନ ଅଛନ୍ତି ଯେ ୧୯୮୦ ଦଶକର ଶେଷଭାଗରୁ ସେମାନଙ୍କର ଯେଉଁ ଚିତ୍ତାକର୍ଷକ ଉତ୍ଥାନ ଘଟିଛି, ତାହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ହିଂସ୍ରମାର୍କା ହିନ୍ଦୁତ୍ୱବାଦୀ ଜାତୀୟତାବାଦର ଅବିରତ ରାଜନୈତିକ ପ୍ରଦର୍ଶନର ଏକ ପରିଣାମ । ଯେଉଁ ସବୁ ରାଜ୍ୟରେ କୌଣସି ବି ସୁଯୋଗ ନଥିଲା, ସେହି ସବୁ ରାଜ୍ୟରେ କ୍ଷମତାକୁ ଆସିବାପାଇଁ ବଦ୍ଧପରିକର ଥିବା ଭାଜପା-ନେତୃତ୍ୱାଧିନ କେନ୍ଦ୍ର ସରକାର ଏବେ ସମଗ୍ର ଦେଶରେ ଗୋ-ବଧକୁ ନିଷିଦ୍ଧ କରିବାପାଇଁ ବିବେକବିହୀନ ରାସ୍ତାକୁ ଗ୍ରହଣ କରୁଛନ୍ତି । ସେମାନେ ୧୯୬୦ର ପଶୁ ନିଷ୍ଠୁରତା ପ୍ରତିରୋଧ ଆଇନ (ପିସିଏଏ)ରେ ସଂଶୋଧନ ଆଣି ଏଭଳି ପଦକ୍ଷେପ ନେଇଛନ୍ତି । ନୂତନ ନିୟମ ଦେଶସାରା ଗୋ-ବଧ ପାଇଁ କରାଯାଇଥିବା ବେପାରକୁ ନିଷଦ୍ଧ ଘୋଷଣା କରିଛି, ଯାହାଦ୍ୱାରା କି ଫଳପ୍ରଦ ଭାବେ ସମଗ୍ର ଦେଶରେ ଗୋ-ବଧକୁ ନିଷିଦ୍ଧ କରିବାପାଇଁ ଚେଷ୍ଟା କରାଯାଇଛି ।

ଭାଜପା ତଥା ଏହି ଦଳ କ୍ଷମତାରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ସହଯୋଗରେ ତଥାକଥିତ ଆତ୍ମନିଯୁକ୍ତ ଗୋ-ରକ୍ଷକମାନେ ଆଉ ଏକ ପ୍ରକାର ଆତଙ୍କବାଦ ଚଳାଇ ଆସିଛନ୍ତି ଯାହାକୁ ଗୋ-ଆତଙ୍କବାଦ କୁହାଯାଇପାରିବ । ଏବଂ ଯାହା ମୁସଲମାନ ଏବଂ ଦଳିତମାନଙ୍କ ବିରୋଧରେ ଚାଲିଥିବା ବେଆଇନ ହିଂସା ଏବଂ ବଳପ୍ରୟୋଗର ଯେଉଁ ହିନ୍ଦୁତ୍ୱବାଦୀ ସଂସ୍କୃତି ଅଛି, ତା’ସହ ତାଳ ଦେଇ ଚାଲିଛି । ଛତିଶଗଡ଼ର ଭାଜପା ମୁଖ୍ୟମନ୍ତ୍ରୀ ଯିଏ ଗାଈକୁ କ୍ଷତି ପହଂଚାଇବ, ତାକୁ ଫାଶୀରେ ଚଢ଼ାଇଦେବେ ବୋଲି ଧମକ ଦେଇଛନ୍ତି । ତାଙ୍କର ଗୁଜୁରାଟ ପ୍ରତିପକ୍ଷ ଗୋସୁରକ୍ଷାକୁ ଆଧ୍ୟାତ୍ମିକ ଓ ନୈତିକ ଅଧୋଗତିରୁ ଦୁନିଆକୁ ବଂଚାଇବା ସହ ଯୋଡ଼ିବାପାଇଁ ଚେଷ୍ଟା କରୁଛନ୍ତି । ଏବଂ ଗୋରୁ ହାଟରୁ ବଳଦ କିଣି ଯାଉଥିବା ବେଳେ ଯେଉଁ ରାଜସ୍ଥାନରେ ପହେଲୁ ଖାଁକୁ ଗୋରକ୍ଷକମାନେ ମରଣାନ୍ତକ ଆକ୍ରମଣ କୋଲ, ସେଠାକାର ଜଣେ ମନ୍ତ୍ରୀ ପହେଲୁ ହତ୍ୟାକାରୀମାନଙ୍କୁ ସୁରକ୍ଷାଦେଲେ ଏବଂ ଗୋ-ବଧ କରୁଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ  । ପହେଲୁ ଖାଁଙ୍କ ଘଟଣାକ୍ରମେ ମୃତ୍ୟୁ ହେଲା । ଧରି ନିଆଯାଉଛି ଯେ ମଣିଷମାନଙ୍କୁ ହତ୍ୟା କରିବା ବା ଜଘନ୍ୟ ଆଘାତ ପହଂଚେଇବା ଅପେକ୍ଷା ଗୋ-ବଧ ପାଇଁ ସହମତି ଦେବା ଅଧିକ ବଡ଼ ଅପରାଧ ।

ଏମିତିକି ନ୍ୟାୟପାଳିକା, ଯିଏ ଜାଣନ୍ତି ଯେ ଧାର୍ମିକ ଦୃଷ୍ଟିକୋଣରୁ ଗୋସୁରକ୍ଷା ପାଇଁ ସମ୍ବିଧାନ ବି କିଛି କହିନାହିଁ (ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ଧାରା ୪୮ ଗୋ-ବଧକୁ ନିଷିଦ୍ଧ କରୁଛି ଯଦି ତାଦ୍ୱାରା କୃଷି ଓ ଗୋପାଳନ ଅଧିକ କ୍ଷତିଗ୍ରସ୍ତ ହେଉଛି),୨୦୦୫ ମସିହାରେ ଗାଈ ଓ ବାଛୁରୀର ହତ୍ୟାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ନିଷ୍ପତ୍ତିକୁ କାଏମ ରଖିଲେ । ଗୋଟିଏ ୩ଜଣିଆ ଖଣ୍ଡପୀଠ ଏକଥା କହି ନିଜ ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ କହିଲେ ଯେ ଯଦି ବି ଗାଈ ଓ ମଇଁଷିମାନେ କାମ କରିବାପାଇଁ ଅନୁପଯୁକ୍ତ ହୁଅନ୍ତି, ସେମାନଙ୍କର ଗୋବର ଓ ମୂତ୍ର ଗୋବର ଗ୍ୟାସ ଏବଂ ଅନ୍ୟାନ୍ୟ ଡାକ୍ତରୀ ଔଷଧର ପ୍ରସ୍ତୁତିରେ କାମରେ ଆସିବ । ଆମେ କଣ ସତରେ କହିପାରିବା ଯେ ଧାର୍ମିକ ବିଚାର ତଥା ଜଣେ ହିନ୍ଦୁ ଭକ୍ତଙ୍କର, ବୁଢ଼ୀ ତଥା କାମରେ ଆସୁନଥିବା ଗାଈ ପ୍ରତିଥିବା ‘ଗୋମାତା’ର ସମ୍ମାନ ଏଭଳି ଏକ ରାୟକୁ ପ୍ରଭାବିତ କରିନାହିଁ?

ଗୋ-ବଧ ନିଷେଧାଜ୍ଞାରେ କ୍ଷୀର ଦେଉନଥିବା ଶୁଖିଲା ଗାଈମାନଙ୍କୁ ସାମିଲ କରି, ଆମେ ଗୋଖାଦ୍ୟ ଭଳି ସମ୍ବଳର ଅପଚୟ କରିବା ଏବଂ ସେହି ଗାଈମାନଙ୍କୁ ଧୀରେ ଧୀରେ ମରିବାପାଇଁ ବାଟ ଖୋଲିବା ଓ ତତ୍ସହିତ ନିଜର ଜୀବିକା ଓ ପ୍ରମୁଖ ଖାଦ୍ୟ ପାଇବାରୁ ଲୋକମାନଙ୍କୁ ବଂଚିତ କରାଇବା କାମଟି କରୁନାହାନ୍ତି କି? ନିଜ ହାତ ପହଂଚରେ ଥିବା ପଶୁ ପୁଷ୍ଟିସାର ସପ୍ତାହରେ ଥରେ ଦୁଇଥର ପାଇବାରେ ଏଭଳି ଏକ ନିଷେଧାଜ୍ଞା ଦଳିତ, ଆଦିବାସୀ, ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ୍ ଏବଂ ଅନେକ ହିନ୍ଦୁଙ୍କୁ ବଂଚିତ କରୁନାହିଁ କି? ପୁଣି ପଶୁ ନିଷ୍ଠୁରତା ବିରୋଧୀ ଆଇନରେ ଆସିଥିବା ନୂତନ ନିୟମ ସମ୍ବିଧାନର ଧାରା -୪୮ ଦ୍ୱାରା ନିର୍ଦ୍ଦେଶିତ ହୋଇନାହିଁ ।

ହିନ୍ଦୁଧର୍ମ, ଯାହା ଆଧ୍ୟାତ୍ମିକ ନିର୍ବାଣପ୍ରାପ୍ତିର ଲକ୍ଷ୍ୟ ରଖିଥିବା ଅନେକ ବିଶ୍ୱାସର ସମାହାର, ତାହାର ବିରୁଦ୍ଧାଚରଣ କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଥିବା ଭାଜପା ହିନ୍ଦୁତ୍ୱର ଆଦର୍ଶକୁ ଆପେଣେଇଛି । ଏହାର ଲକ୍ଷ୍ୟ ରହିଛି ସମ୍ପୂର୍ଣ୍ଣ କ୍ଷମତା ଦଖଲ ଏବଂ ଏକ ନିର୍ଦ୍ଦିଷ୍ଟ ମାର୍କା ହିନ୍ଦୁଧର୍ମକୁ ସମସ୍ତଙ୍କ ଉପରେ ଲଦି ଦେବା । ଏହି ନୂତନ ନିୟମର ଉଦ୍ଦେଶ୍ୟ ହେଉଛି ଏହି ଆଦର୍ଶବାଦକୁ ଗ୍ରହଣ କରୁନଥିବା ଲୋକମାନଙ୍କୁ ସେମାନଙ୍କ ଜୀବନ ଓ ଜୀବିକାରୁ ବଂଚିତ କରାଇବା । ଠିକ୍ ସେହି ସମୟରେ, ହିନ୍ଦୁମାନଙ୍କ ଧାର୍ମିକ ଭାବଧାରାକୁ ନେଇ ଛଳ କରି, ଭାଜପା ଆଶା ରଖିଛି ଯେମିତି ସଂଖ୍ୟାଧିକ ଜନଗଣଙ୍କୁ ନିଜ ସପକ୍ଷରେ ଆଣି, ଆଗାମୀ ବିଧାନସଭା ନିର୍ବାଚନ ଓ ୨୦୧୯ର ସାଧାରଣ ନିର୍ବାଚନର ଭୋଟ ପାଇଁ ପ୍ରତିଯୋଗିତାରେ ଆଗୁଆ ରହିବ ।

ନୂଆ ପଶୁ ନିଷ୍ଠୁରତା ବିରୋଧୀ ନିୟମକୁ ଅଦାଲତରେ ଅସାମ୍ବିଧାନିକ ବୋଲି ଚୁନୌତି ଦିଆଯିବ ନିଶ୍ଚୟ ଏବଂ ହୁଏତ ତାକୁ ନାକଚ ବି କରିଦିଆ ଯାଇପାରେ । ଭାଜପା ତଥାପି ହିନ୍ଦୁ ଭୋଟରମାନଙ୍କୁ କହିବୁଲିବ କେମିତି ବୈଦିକ ସଂସ୍କୃତିର ଗାରିମା ଫେରାଇ ଆଣିବା ପ୍ରୟାସରେ ଅଦାଲତ ପ୍ରତିବନ୍ଧକ ସାଜୁଛି । ଯେଉଁ କଥାଟି ମୁଖ୍ୟ କେନ୍ଦ୍ରରେ ଅଛି, ତାହା ହେଲା ଯେ ବୈଦିକ ତଥା ଉତ୍ତର-ବୈଦିକ ଶତାବ୍ଦୀଗୁଡ଼ିକରେ ଗାଈକୁ ପବିତ୍ର ବିଚାର କରାଯାଉନଥିଲା । ଗୋ-ବଧ ବା ଗୋ-ମାଂସ ଭକ୍ଷଣ ନୈତିକତା ତାଲିକାରେ ନଥିଲା ବା ଆଇନର ବିରୁଦ୍ଧାଚରଣ କରାଯାଉଛି ବୋଲି କୁହାଯାଉନଥିଲା । ଖ୍ରୀଷ୍ଟଜନ୍ମର ୧୫୦୦ ବର୍ଷରୁ ୬୦୦ ବର୍ଷ ଯାଏଁ ଭାରତରେ ଗୋ-ମାଂସ ଭକ୍ଷଣ ଅତି ସାଧାରଣ ଥିଲା । ଏହି ସତ୍ୟକୁ ହଜମ କରିପାରୁନଥିବା ହିନ୍ଦୁତ୍ୱବାଦୀମାନେ ହିନ୍ଦୁଧର୍ମ ଇତିହାସର ଏହି ଅଧ୍ୟାୟଗୁଡ଼ିକୁ ନିଜ ସୁବିଧା ପାଇଁ ଲିଭେଇ ଦେଇଛନ୍ତି । ବାସ୍ତବରେ ନୂଆ ପଶୁ ନିଷ୍ଠୁରତା ବିରୋଧୀ ନିୟମଗୁଡ଼ିକ କେବଳ ଅଣସାମ୍ବିଧାନିକ ନୁହଁ, ଅଣହିନ୍ଦୁ ମଧ୍ୟ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top