ISSN (Print) - 0012-9976 | ISSN (Online) - 2349-8846

ମଣିପୁରରୁ ବାର୍ତା

ମିଥ୍ୟା ମୁକାବିଲା ମାମଲାରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ନାଗରିକମାନଙ୍କ ଅଧିକାରକୁ ପୁନଃନିଶ୍ଚିତ କରିଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ମଣିପୁର ମିଛ ମୁକାବିଲା ମାମଲାରେ ଜୁଲାଇ ୨୦୧୬ରେ ଉଚ୍ଚତମ ନ୍ୟାୟାଳୟ ଯେଉଁ ରାୟ ଶୁଣାଇଥିଲେ ତା’ର ସଂଶୋଧନ ପାଇଁ କେନ୍ଦ୍ର ସରକାର ଯେଉଁ ଆବେଦନ କରିଥିଲେ, ତାକୁ ଉଚ୍ଚତମ ନ୍ୟାୟାଳୟ ଅଗ୍ରାହ୍ୟ କରିଦେବା କଥା ଅତି ଗୁରୁତ୍ୱପୂର୍ଣ୍ଣ  । ରାୟଟି ଏପରି ଏକ ଘଡ଼ିସନ୍ଧି ସମୟରେ ଆସିଛି ଯେତେବେଳେ କି, ସବୁ ପ୍ରକାର ପ୍ରତିବାଦକୁ ‘ରାଷ୍ଟ୍ର’ ସ୍ୱାର୍ଥବିରୋଧୀ କହି ତାକୁ ଦମନ କରିବା ପାଇଁ ସରକାର ଅଧିକ କ୍ଷମତା ମାଗୁଛନ୍ତି । ଏବେ ଅନ୍ତତଃ ସରକାରଙ୍କର ସେହି ଯୁଦ୍ଧଖୋର ଅଭିପ୍ରାୟ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ମୁଖ୍ୟ ନ୍ୟାୟାଧିଶ ଜେ.ଏସ୍. ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠଟି ଆଉ ଅଧିକ ସ୍ପଷ୍ଟଭାବେ ସରକାରଙ୍କୁ ପରାମର୍ଶ ଦେଇପାରି ନଥାନ୍ତେ ଯେତେବେଳେ ସେମାନେ କହୁଛନ୍ତି ଯେ ‘ଗୋଟିଏ ଆଭ୍ୟନ୍ତରୀଣ ଉପଦ୍ରବ’କୁ ଯୁଦ୍ଧଭଳି ପରିସ୍ଥିତି ବା ତା’ ସହ ସମତୁଲ କୁହାଯାଇପାରିବ ନାହିଁ । ପୁଣି ଖଣ୍ଡପୀଠ କହିଥିଲେ ଯେ, ସରକାର ଏଭଳି ଭାବି ଆଗେଇ ଯାଆନ୍ତୁ ଯେ, ‘ମଣିପୁରରେ ଯୁଦ୍ଧ ବା ଯୁଦ୍ଧଭଳି ପରିସ୍ଥିତି ନାହିଁ ବରଂ କେବଳ ଅଛି ଏକ ଆଭ୍ୟନ୍ତରୀଣ ଉପଦ୍ରବ ଯାହାର ଅର୍ଥ ସମ୍ବିଧାନରେ ରଖାଯାଇଛି - କିଛି ଅଧିକ ନୁହେଁ ଏବଂ କିଛି କମ୍ ବି ନୁହେଁ ।’

ସରକାରଙ୍କର ସଂଶୋଧନ ଆବେଦନଟି ଆସିଥିଲା, ଅଦାଲତର ୨୦୧୬ ମସିହାର ଏକ ଆଭ୍ୟନ୍ତରୀଣ ରାୟକୁ ଚୁନୋତି ଦେବା ପାଇଁ । ବିନା ବିଚାରରେ ହତ୍ୟାର ଶିକାର ହେଉଥିବା ପରିବାରବର୍ଗଙ୍କ ସଂଘ ନାମରେ ମଣିପୁର ସ୍ଥିତି ଏକ ବେସରକାରୀ ସଙ୍ଗଠନ ୨୦୧୨ ମସିହାରେ ଉଚ୍ଚତମ ନ୍ୟାୟାଳୟରେ ଏକ ରିଟ ପିଟିସନ୍ ଦାଖଲ କରିଥିଲେ । ସେମାନେ ୨୦୦୦ରୁ ୨୦୧୨ ମସିହା ଭିତରେ ୧,୫୮୨ଟି ବିନା ବିଚାରରେ କରାଯାଇଥିବା ହତ୍ୟାର ବିବରଣୀ ଦାଖଲ କରିଥିଲେ । ନିଜ ଆବେଦନର ସଂଘ, ଯେତେସବୁ ଗିରଫ ଓ ନିର୍ଯାତନା ପରର ହତ୍ୟା ଘଟଣା ଘଟିଛି ସବୁର ଅନୁସନ୍ଧାନ ପାଇଁ ଦାବି କରି କହିଥିଲେ ଯେ, ଏଭଳି ସବୁ ଘଟଣା ଏଇଥିପାଇଁ ଘଟିଚାଲିଛି, ଯେହେତୁ ସୁରକ୍ଷା ବାହିନୀଙ୍କୁ ତଥାକଥିତ ‘ଉପଦ୍ରୁତ ଅଂଚଳରେ’ ସେମାନେ କରିଚାଲିଥିବା ଅପରାଧ ପାଇଁ ଦଣ୍ଡ ମିଳୁନାହିଁ । ଏହି ପରିସ୍ଥିତିଟି ସାମରିକ ବାହିନୀଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା ଆଇନ (ଆଫ୍ସା), ୧୯୫୮ର କେତେକ ପ୍ରାବଧାନ ଯୋଗୁଁ ଉପୁଜିଛି । ଆବେଦନଟି ଗ୍ରହଣ କରି ଅଦାଲତ, ନ୍ୟାୟମୂର୍ତି ଏନ୍.ସନ୍ତୋଷ ହେଗଡ଼ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କମିଟି ଗଠନ କରି ୬ଟି ମାମଲାକୁ ଅନୁସନ୍ଧାନ କରିବା ପାଇଁ କହିଲେ । କମିଟି ଅନୁସନ୍ଧାନ କରି ଦେଖିଲେ ଯେ ସମସ୍ତ ୬ଟି ମାମଲାକୁ ‘ବିନା ବିଚାରରେ ହତ୍ୟା’ କୁହାଯାଇପାରିବ ।

ଆବେଦନର ଶୁଣାଣୀ କରି ଅଦାଲତ ଏବେ ଏକ ‘ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ’ ଗଠନ କରିଛନ୍ତି (ଏସ୍.ଆଇ.ଟି) ଯେଉଁଥିରେ ମଣିପୁର ବାହାରର ବରିଷ୍ଠ ପୋଲିସ ଅଧିକାରୀମାନେ ଅଛନ୍ତି । ଏମାନେ ଆବେଦନକାରୀ ଦାଖଲ କରିଥିବା ଗୋଟିଏ ଭାଗ ମାମଲାର ଅନୁସନ୍ଧାନ କରିବେ । ଏହି ପୃଷ୍ଠଭୂମିରେ, ୨୦୧୪ର ଘଟଣାଟିଏ ସ୍ମରଣ କରାଯାଇପାରେ, ଯେତେବେଳେ ଇରମ୍ ଶର୍ମିଲାଙ୍କ ଅନଶନ ସମେତ ମଣିପୁରବାସୀଙ୍କ ଆଫ୍ପସା ପ୍ରତ୍ୟାହାର ପାଇଁ ଜୋରଦାର ଦାବୀର ପ୍ରତିକ୍ରିୟାସ୍ୱରୂପ କେନ୍ଦ୍ର ସରକାର ନ୍ୟାୟମୂର୍ତି ବି.ପି.ଜୀବନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପରିସ୍ଥିତି ଆକଳନ କରିବା ପାଇଁ କମିଟି ଗଠନ କରିଥିଲେ । କମିଟି କହିଥିଲେ, ‘ମଣିପୁର ଏବଂ ଅନ୍ୟତ୍ର ଦେଖାଯାଉଥିବା ଆନ୍ଦୋଳନଗୁଡ଼ିକ କେବଳ ଏକ ବ୍ୟାଧିର ଲକ୍ଷଣ ଯାହାର ଚେର ବହୁ ଗଭୀରତାକୁ ମାଡ଼ି ଯାଇଛି’ ଏବଂ ବଳିଷ୍ଠ ସୁପାରିଶଟିଏ କହିଥିଲେ ଯେ, ଆଫ୍ସାକୁ ପ୍ରତ୍ୟାହାର କରାଯାଉ । ସେ ମଧ୍ୟ ୧୯୬୩ ମସିହାରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (ଉପା)ରେ ସଂଶୋଧନ ଆଣିବା ପାଇଁ ସୁପାରିଶ କରିଥିଲେ । ଏହି ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରାଯାଇ ନାହିଁ ।

ଯେହେତୁ ଏବେ ଅଦାଲତ ନିଜର ୨୦୧୬ ରାୟର ମୂଳ ବାର୍ତାଟିକୁ ପାଣିଚିଆ କରାଇଦେବା ପାଇଁ କେନ୍ଦ୍ର ସରକାର କରିଥିବା ଉଦ୍ୟମଗୁଡ଼ିକୁ ଅଗ୍ରାହ୍ୟ କରିଦେଇଛନ୍ତି, ସେଥିପାଇଁ ସଂଶୟ ପାଇଁ ଅବକାଶ ନାହିଁ ଯେ ବିନା ବିଚାରରେ ହତ୍ୟା ଘଟଣାଗୁଡ଼ିକ ପାଇଁ ନିରାପତ୍ତା ବାହିନୀଙ୍କୁ ଉତରଦାୟୀ କରାଯାଇପରିବ । ଯଦିଓ ମାମଲାଟି ମଣିପୁରକୁ ନେଇ ସୀମିତ ଥିଲା ତେବେ ଏହାର ଗୁରୁତ୍ୱ ମଣିପୁର ସୀମା ବାହାରେ ଅନୁଭୂତ ହେବ । ଅଦାଲତ ବେସାଲିସ ସ୍ୱରରେ ‘ଘରୋଇ ପ୍ରଶାସନକୁ ସାହାଯ୍ୟ’ କରିବା ପାଇଁ ସେନାର ବ୍ୟବହାର କଥାଟିକୁ ଗୁରୁତ୍ୱ ଦେଇଥିଲେ ତେବେ କହିଥିଲେ ଯେ ତାହା ‘ଅନିର୍ଦ୍ଦିଷ୍ଟ କାଳ’ ପାଇଁ ଏଭଳି ସାହାଯ୍ୟ କରାଯାଇ ପାରିବନି । ଏକଥା ମଧ୍ୟ ଅଦାଲତ କହିଥିଲେ ଯେ ଯଦି ଉପଦ୍ରୁତ ଇଲାକାରେ ଯଦି କେହି ବ୍ୟକ୍ତି ଅସ୍ତ୍ରଟିଏ ଧରିଥାଏ କୌଣସି ନିର୍ଦ୍ଦେଶାଜ୍ଞାକୁ ଅବଜ୍ଞା କରି, ତେବେ ତାକୁ ଉଗ୍ରପନ୍ଥୀ ବା ବିଦ୍ରୋହୀ କୁହାଯାଇପାରିବ ନାହିଁ ।’ ଅଦାଲତଙ୍କର ନିମ୍ନ ଟିପ୍ପଣୀଟି ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ - ‘ଯଦି ସେନାର ସଦସ୍ୟମାନଙ୍କୁ ଠୁଳ କରାଯାଏ ଲୋକଙ୍କୁ ମାରିବା ପାଇଁ କେବଳ ଅଭିଯୋଗକୁ ଆଧାର କରି ବା ସନ୍ଦେହ କରି ଯେ ସେମାନେ ଆମର ‘ଶତ୍ରୁ’, ତା’ହେଲେ କେବଳ ଆଇନର ଶାସନ ନୁହେଁ, ଆମ ଗଣତନ୍ତ୍ର ପ୍ରତି ମଧ୍ୟ ଘୋର ବିପଦ ମାଡ଼ି ଆସିବ ।’ ଯେହେତୁ ସଂକ୍ଷେପରେ କହିଲେ ଏଭଳି ସ୍ଥିତି ଆଜି କାଶ୍ମୀର ଏବଂ ଛତିଶଗଡ଼ରେ ଲାଗି ରହିଛି, ନ୍ୟାୟମୂର୍ତି ମଦନ ବି ଲେକୁର ଏବଂ ନ୍ୟାୟମୂର୍ତି ଉଦୟ ଲଲିତଙ୍କ ଦ୍ୱାରା ଦିଆଯାଇଥିବା ଏହି ରାୟଟିକୁ ବହୁଳଭାବେ ପ୍ରସାରିତ କରିବାର ଆବଶ୍ୟକତା ରହିଛି ।

ନ୍ୟାୟାଳୟ ସରକାରଙ୍କର ଏହି ଯୁକ୍ତିଟିକୁ ଗ୍ରହଣ କରିନଥିଲେ ଯେତେବେଳେ କୁହାଯାଇଥିଲା ଯେ, ନିରାପତା ବାହିନୀଙ୍କୁ ମିଛ ମୁକାବିଲା ପାଇଁ ଉତରଦାୟୀ କରାଇଲେ, ସେମାନେ ‘ଗୋଟିଏ ହାତ ପଛପଟେ ବନ୍ଧା ଯାଇଥିବା’ ଅବସ୍ଥାରେ ଲଢ଼େଇ କରିବାକୁ ପଡ଼ିବ । ଏଭଳି ଏକ ଯୁକ୍ତି ସରକାର ପ୍ରତିଟି ଆଭ୍ୟନ୍ତରିଣ ସଂଘର୍ଷବେଳେ ପ୍ରୟୋଗ କରିଆସିଛନ୍ତି, ଯେଉଁଠି ସରକାର ନିଜ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି । ସରକାର ଏକଥା ଭୁଲିଯାଉଛନ୍ତି ଯେ ଯେଉଁ ଲୋକମାନେ ସଂଘର୍ଷ ଚାଲିଥିବା ଅଂଚଳରେ ରହୁଛନ୍ତି, ସେମାନଙ୍କର ଦୁଇଟିଯାକ ହାତ ପଛପଟେ ବନ୍ଧା ହୋଇଯାଇଛି । ମଣିପୁରରେ ୨୩ଲକ୍ଷ ଲୋକଙ୍କୁ ସେନାର ଦଖଲରେ ରହିବାକୁ ପଡ଼ୁଛି, ଯେଉଁମାନେ ମାତ୍ର ୫ହଜାର ଉଗ୍ରପନ୍ଥୀଙ୍କୁ ମୁକାବିଲା କରିବା ପାଇଁ ଯାଇଛନ୍ତି । ଏହି ଉଗ୍ରପନ୍ଥୀଙ୍କ ଏକମାତ୍ର କାମ ହେଉଛି ଜବରଦସ୍ତ ଚାନ୍ଦା ଆଦାୟ କରିବା । ଆଫସା ହେଉ ଅବା ଉପା କେଉଁଟି ବି ବଳବତର ରଖିବା ପାଇଁ ଏହା ଏକ ଯୁକ୍ତି ହେଇପାରିବ କି? ଆମକୁ ମନେ ରଖିବାକୁ ହେବ ଯେ ମଣିପୁର ପରିସ୍ଥିତି କାଶ୍ମୀରଠାରୁ ଭିନ୍ନ । କାଶ୍ମୀରରେ ଏକ ବିରାଟ ଜନସଂଖ୍ୟାକୁ ଭାରତୀୟ ରାଷ୍ଟ୍ରର ନୀତି ଦୂରେଇ ଦେଇଥିବାବେଳେ, ମଣିପୁରର ଯୁବକମାନେ ଭାରତୀୟ ରାଷ୍ଟ୍ରକୁ ଗ୍ରହଣ କରୁଛନ୍ତି । ପ୍ରତିଟି ନିର୍ବାଚନରେ ଯେଉଁ ଭାରି ସଂଖ୍ୟାରେ ଭୋଟ ଦେବା ପାଇଁ ଲୋକ ଆସୁଛନ୍ତି ତାହା ହିଁ ଏକ ପ୍ରମାଣ । ତଥାପି ଭାରତୀୟ ରାଷ୍ଟ୍ର ଏକଥାକୁ ବିଶ୍ୱାସ କରୁନାହିଁ ଯେ ସାଧାରଣ ମଣିପୁରବାସୀ ଶାନ୍ତିରେ ବଂଚିବା ପାଇଁ ଚାହାନ୍ତି । ତା ବଦଳରେ ଲାଗୁଛି ଯେମିତି କୁହାଯାଉଛି ଯେ ତୁମ ଭୋଟଟି ତୁମକୁ ନାଗରିକତ୍ୱ ଦେଉଛି, କିନ୍ତୁ ରାଷ୍ଟ୍ରର ଯେଉଁ କ୍ଷମତା ଅଛି ତଦ୍ୱାରା ସେହି ନାଗରକତ୍ୱଟିକୁ ଅଗ୍ରାହ୍ୟ କରିଦିଆଯାଇପାରିବ । ଏହି ଅମଙ୍ଗଳପୂର୍ଣ୍ଣ ବାର୍ତାଟି ହିଁ ଦେଶର ସବୁ ନାଗରିକଙ୍କୁ ବ୍ୟଥିତ କରିବା କଥା, ସେମାନେ ସଂଘର୍ଷ ଇଲାକାରେ ଥାଆନ୍ତୁ ବା ଥାଆନ୍ତୁ ଅନ୍ୟ କେଉଁଠି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top