ISSN (Print) - 0012-9976 | ISSN (Online) - 2349-8846

ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଉନ୍ନତ ଚେତନାମୁକ୍ତ କରାଇବା

ସମାଜ ବିଜ୍ଞାନ ଗବେଷଣା ପାଇଁ ଅର୍ଥ ହ୍ରାସ କରାଇବା ଏକ ଦୂରଦୃଷ୍ଟି ବିହୀନ ପଦକ୍ଷେପ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କୁ ସାଧାରଣରେ ଏବଂ ସମାଜ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ଯେଉଁ ସଦ୍ୟତମ ଆଘାତ ମିଳିଛି ତାହା ହେଉଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.) ଦ୍ୱାରା ନିକଟରେ କରାଯାଇଥିବା ଖର୍ଚ୍ଚକାଟ । ୫ବାର୍ଷିକ ଯୋଜନାଗୁଡ଼ିକ ବନ୍ଦ କରିଦେବା ପରେ ଏକାଦଶ ୫ବାର୍ଷିକ ଯୋଜନା (୨୦୦୭-୨୦୧୨)ରେ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ସମାଜ ବିଜ୍ଞାନ ଗବେଷଣା ଓ ଶିକ୍ଷା କେନ୍ଦ୍ରଗୁଡ଼ିକ ଏବେ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛନ୍ତି । ଏହି କେନ୍ଦ୍ରଗୁଡ଼ିକୁ ପାଣ୍ଠି ଯୋଗାଇବା କ୍ଷେତ୍ରରେ ୟୁ.ଜି.ସି.ର ଦୋମୁହାଁ ନୀତି ଯୋଗୁଁ ବହୁ ଶିକ୍ଷକ, ଗବେଷକ ଏବଂ ଛାତ୍ର ମୁଣ୍ଡ ଟେକୁଥିବା ବିଷୟ ଓ ଚର୍ଚ୍ଚାଗୁଡ଼ିକର ଭବିଷ୍ୟତ ଏବେ ବିପନ୍ନ ।

ଭାରତର ବଡ଼ ବଡ଼ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରତିଷ୍ଠିତ ଏହି ସମାଜ ବିଜ୍ଞାନ କେନ୍ଦ୍ରଗୁଡ଼ିକର ଯୋଜନା ପାଣ୍ଠି ଉପରେ ଭିନ୍ନ ଭିନ୍ନ ସ୍ତରର ନିର୍ଭରଶୀଳତା ରହିଆସିଛି । କେତେକ ସ୍ଥାନରେ ଏହି କେନ୍ଦ୍ରଗୁଡ଼ିକୁ ବିଭାଗରେ ବଦଳାଇ ଦିଆଯାଇଛି । ଅନ୍ୟ କେତେକ ସ୍ଥାନରେ ସେମାନେ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ସୂତ୍ରରୁ ମଧ୍ୟ ପାଣ୍ଠି ପାଇ ପାରିଛନ୍ତି । ଯେଉଁସବୁ ବିଶ୍ୱବିଦ୍ୟାଳୟରେ ଏହି କେନ୍ଦ୍ରଗୁଡ଼ିକ ୟୁ.ଜି.ସି.ର ଯୋଜନା ପାଣ୍ଠି ଉପରେ ନିର୍ଭରଶୀଳ ସେହି କେନ୍ଦ୍ରଗୁଡ଼ିକ ଏବେ ହୁଏତ ବନ୍ଦ ହୋଇଯିବ ବା ଯାହା ବି ସ୍ଥିତି ଅଛି ତାକୁ ହ୍ରାସ କରିବାକୁ ପଡ଼ିବ ।

ୟୁ.ଜି.ସି ପଦକ୍ଷେପର ତୁରନ୍ତ ପରିଣାମ ଦେଖିବାକୁ ମିଳିଥିଲା ଗତମାସରେ ଯେତେବେଳେ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ (ଟିସ୍) କର୍ତ୍ତୃପକ୍ଷ ବହୁସଂଖ୍ୟାରେ ଶିକ୍ଷକ ଓ ଗବେଷକମାନଙ୍କୁ ଅବ୍ୟାହତ ଦେବା ପାଇଁ ଚିଠି ଲେଖିଥିଲେ । ସେମାନେ ସବୁ କାମ କରୁଥିବା କେନ୍ଦ୍ରଗୁଡ଼ିକ ଭିତରେ ଅଛି, ଆଡ଼ଭାନ୍ସଡ଼ ସେଣ୍ଟର ଅଫ୍ ଓମେନ୍ସ ଷ୍ଟଡିଜ୍, ସେଣ୍ଟର ଫର୍ ଷ୍ଟଡ଼ି ଅଫ୍ ସୋସିଆଲ ଏକ୍ସକ୍ଲ୍ୟୁଜନ ଏବଂ ନୋଡ଼ାଲ ସେଣ୍ଟର ଫର୍ ଏକ୍ସଲେନ୍ସ ଫର୍ ହ୍ୟୁମାନ ରାଇଟ୍ସ ଏଡୁକେସନ । ଗଣମାଧ୍ୟମ କଥାଟିକୁ ଧ୍ୟାନକୁ ନେବା ଏବଂ ଜନସାଧାରଣଙ୍କର ସମାଲୋଚନାର ଆଂଶିକ ପରିଣାମ ସ୍ୱରୂପ ୟୁ.ଜି.ସି କର୍ତ୍ତୃପକ୍ଷ ଯୋଜନା ଖର୍ଚ୍ଚକାଟ ପ୍ରସ୍ଥାବଟିକୁ ମାର୍ଚ୍ଚ ୩୧, ୨୦୦୮ ଯାଏଁ ଏକବର୍ଷ ପାଇଁ ବଢ଼ାଇ ଦେଲେ । ତା’ଫଳରେ ଟିସ୍ କର୍ତ୍ତୃପକ୍ଷ ଅଧିକାଂଶ ପ୍ରଭାବିତ ଶିକ୍ଷକମାନଙ୍କୁ ରଖିବା ପାଇଁ ସଫଳ ହେଲେ । ଏହି ଅଧାପନ୍ତରା ପଦକ୍ଷେପ, ବିରୋଧକୁ ବର୍ତ୍ତମାନ ପାଇଁ ପ୍ରଶମିତ କରିବାରେ କାମ ଦେଲା କିନ୍ତୁ ଏହି କେନ୍ଦ୍ରଗୁଡ଼ିକର ଦୀର୍ଘକାଳିନ ଭବିଷ୍ୟତ କ’ଣ ହେବ ତାହା ଉପରେ ବଡ଼ ପ୍ରଶ୍ନବାଚୀଟିଏ ତଥାପି ଅମିମାଂସିତ ହୋଇ ରହିଗଲା ।

ଯଦିଓ ଓମେନ୍ସ ଷ୍ଟଡିଜ୍ କେନ୍ଦ୍ରଗୁଡ଼ିକ ୧୯୭୦ ଦଶକର ଆଦ୍ୟଭାଗରେ ପ୍ରତିଷ୍ଠିତ ହୋଇଥିଲା ସେସବୁ ୟୁ.ଜି.ସି ଅନୁଦାନ ୧୯୮୦ ଦଶକର ମଧ୍ୟଭାଗରେ ପାଇଥିଲେ । କିନ୍ତୁ ୧୧ଦଶ ପଞ୍ଚବାର୍ଷିକ ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବଳିଷ୍ଠ ନିଷ୍ପତ୍ତି ନିଆଗଲା ଏବଂ ସ୍ୱତନ୍ତ୍ର ଶିକ୍ଷା ପାଇଁ କେନ୍ଦ୍ର ଖୋଲିବା ତଥା ସମ୍ପ୍ରସାରଣ କରିବା ପାଇଁ ଯଥେଷ୍ଟ ପାଣ୍ଠି ଯୋଗାଇ ଦିଆଗଲା । ସେସବୁକୁ ସମ୍ପୂର୍ଣ୍ଣଭାବେ ପାଠ୍ୟକ୍ରମ ବିଷୟବସ୍ତୁ ହିସାବରେ ଗଢ଼ିବା ପାଇଁ ଶିକ୍ଷକ ନିଯୁକ୍ତି କରିବା ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମ ମଧ୍ୟ ନିଆଗଲା । ଉଦାହରଣ ସ୍ୱରୂପ ଓମେନ୍ସ ଷ୍ଟଡିଜ୍ କେନ୍ଦ୍ର ବା ମହିଳା ଅଧ୍ୟୟନ କେନ୍ଦ୍ରଗୁଡ଼ିକ ପାଇଁ ଯେଉଁ କାର୍ଯ୍ୟସୂଚୀ ରଖାଗଲା ସେଥିରେ ଥିଲା, ବିବିଧ ବିଷୟ/ବିଭାଗ ଭିତରେ ସମନ୍ୱୟ ପାଇଁ ଢାଞ୍ଚା ପ୍ରସ୍ତୁତ କରିବା, ଅନ୍ୟ ବିଷୟ/ବିଭାଗଗୁଡ଼ିକର ଦୃଷ୍ଟିଭଙ୍ଗୀ ବଦଳାଇବା, ନିତି ନିର୍ଦ୍ଧାରଣ ପାଇଁ ସୂଚନା ଦେବା ଏବଂ ନିଷ୍ପେଷିତ ବର୍ଗର ମହିଳା ବିଶେଷକରି ଦଳିତ, ଆଦିବାସୀ ଏବଂ ଧାର୍ମିକ ସମ୍ପ୍ରଦାୟର ମହିଳାମାନେ ଯେମିତି ଗବେଷଣା ଓ ନିତି ନିର୍ଦ୍ଧାରଣରେ ଦୃଶ୍ୟମାନ ହେବେ ତାକୁ ନିଶ୍ଚିତ କରାଇବା । ଏହି କେନ୍ଦ୍ରଗୁଡ଼ିକ ଗୋଟିଏ ମହତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀକୁ ଆଗକୁ ନେଲେ ଯାହାକୁ ଶକ୍ତି ଯୋଗାଇଲେ ନୂଆ ଅଧ୍ୟାପକ ଓ ଛାତ୍ରମାନେ । ଏକ ସମନ୍ୱିତ କାର୍ଯ୍ୟଧାରାରେ ଜାତି, ଶ୍ରେଣୀ ଓ ଲିଙ୍ଗ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକର ଉତ୍ଥାପନ ହୋଇପାରିଲା ।

ଏହି ପ୍ରକ୍ରିୟାର ଗୋଟିଏ ଲେଖାରେ ସମାଜବିଜ୍ଞାନୀ ଗୋପାଲ ଗୁରୁ ପ୍ରଶ୍ନ ଉଠାଇଥିଲେ, ‘ସମାଜ ବିଜ୍ଞାନ ସବୁ କେତେ ସମାନତା ଭିତ୍ତିକ?’ (ଡିସେମ୍ବର ୧୫, ୨୦୦୨) ସେ ଅଧ୍ୟାପନା କ୍ଷେତ୍ରରେ ଏବଂ ଅନୁଷ୍ଠାନମାନଙ୍କରେ ଯେଉଁ ସାଂସ୍କୃତିକ ପତିଆରାର ଶିଡ଼ି ସବୁ ରହିଛି ତାକୁ ନିନ୍ଦା କରିଥିଲେ ଏବଂ ଯୁକ୍ତି ରଖିଥିଲେ ଯେ ସମାଜ ବିଜ୍ଞାନର ଯେଉଁ ବିଚାରର ପରିସୀମାଟି ରହିଛି ତାକୁ ବ୍ୟାପକ କରିବାକୁ ପଡ଼ିବ । ସଂକ୍ଷେପରେ କହିବାକୁ ଗଲେ ଏଭଳି ଏକ ବୌଦ୍ଧିକ ବାତାବରଣ ଭିତରେ ଏହି ସବୁ କେନ୍ଦ୍ରଗୁଡ଼ିକର ପ୍ରତିଷ୍ଠା କରାଗଲା ଏବଂ ସେମାନେ କାମ କରିବାରେ ଲାଗିଲେ । ଏହି କେନ୍ଦ୍ର ସବୁ ପାରମ୍ପରିକ ସମାଜ ବିଜ୍ଞାନ ବିଭାଗ ତଥା ବିଦ୍ୱାନମାନଙ୍କ ପ୍ରତି ଏଭଳି ଏକ ଜ୍ଞାନଭିତ୍ତିକ ତତ୍ୱର ଚୁନୋତି ବା ଆହ୍ୱାନ ଦେଲେ ଯାହାଫଳରେ ଅନେକ ବିଷୟରେ ପୁନଃପ୍ରବେଶ କରିବା କାର୍ଯ୍ୟକ୍ରମ ଆରମ୍ଭ ହେଲା ଯେମିତିକି ପାରମ୍ପରିକ ଦ୍ୱନ୍ଦ୍ୱଗୁଡ଼ିକ ଯଥା ସନ୍ଦର୍ଭ ବନାମ ଅଭ୍ୟାସ, ଢାଞ୍ଚା ବନାମ ସଂସ୍ଥା ଏବଂ ବାମ ବନାମ ଦକ୍ଷିଣ ରାଜନୀତି ଇତ୍ୟାଦି । ଉଦାହରଣ ସ୍ୱରୂପ, ପୁନା ସ୍ଥିତ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେ ଓମେନ୍ସ ଷ୍ଟଡିଜ୍ କେନ୍ଦ୍ର, ବିକଳ୍ପ ଶୈକ୍ଷଣିକ ପଦ୍ଧତି ଏବଂ ସମ୍ବଳ ସଙ୍ଗଠିତ କରିଥିଲେ ଯାହା ଅଧ୍ୟୟନର ବିଷୟବସ୍ତୁ ସାଜିଥିବା ନିଷ୍ପେଷିତ ବର୍ଗର ବିଦ୍ୱାନମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକ ଥିଲା ।

ଏହି ଅନ୍ତଃର୍ବିଭାଗୀୟ କେନ୍ଦ୍ରଗୁଡ଼ିକର ଆରମ୍ଭ ହେବା ବେଳକୁ ୨୦୦୭ରେ ଆରମ୍ଭ ହେଲା କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନମାନଙ୍କରେ ପଛୁଆ ଜାତିମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ନାମଲେଖା ପାଇଁ ସଂରକ୍ଷଣ) ଆଇନ, ୨୦୦୬ ଯୋଗୁଁ ଛାତ୍ରମାନଙ୍କର ସାମଗ୍ରିକ ସଂଖ୍ୟାରେ ବୃଦ୍ଧି ଘଟିଲା । ସଂରକ୍ଷଣ ଯୋଗୁଁ ଉଚ୍ଚଶିକ୍ଷା କ୍ଷେତ୍ରରେ ସାମାଜିକ ପୃଷ୍ଠଭୂମିର ବିବିଧତା ବଢ଼ିଗଲା । ନୂଆ କରି ଗଢ଼ିଉଠିଥିବା କେନ୍ଦ୍ରଗୁଡ଼ିକ ତାତ୍ତ୍ୱିକ ପ୍ରେରଣା ଯୋଗାଇଲେ ପ୍ରଶ୍ନ କରିବା ପାଇଁ, ଜାତିକୁ ନେଇ, ପୁରୁଷର ପତିଆରାକୁ ନେଇ, ମୁଖ୍ୟସ୍ରୋତରେ ଚାଲିଥିବା ଚର୍ଚ୍ଚାକୁ ନେଇ ଏବଂ ରାଷ୍ଟ୍ରୀୟ ନିର୍ଯାତନାକୁ ନେଇ । ଏହା ମଧ୍ୟ ଆଂଶିକ ଭାବେ ବୁଝାଇଥାଏ ବଢ଼ି ଚାଲିଥିବା ଛାତ୍ରସଙ୍ଗଠନମାନଙ୍କ ସମ୍ପର୍କରେ, ଯେମିତିକି ‘ରେହିତ ଭେମୁଲାଙ୍କ ପାଇଁ ନ୍ୟାୟ’( ଦଳିତ ଜାତିର ଛାତ୍ରମାନେ ଶିକ୍ଷାନୁଷ୍ଠାନମାନଙ୍କରେ ସାମ୍ନା କରୁଥିବା ଭେଦଭାବ ବିରୁଦ୍ଧରେ), ‘ପିଞ୍ଜରା ତୋଡ଼୍’ (ଛାତ୍ରୀନିବାସ ଓ ଶିକ୍ଷାନୁଷ୍ଠାନ ପରିସରରେ ମହିଳା ଛାତ୍ରୀମାନଙ୍କ ଉପରେ ଚାଲିଥିବା ଗୋଇନ୍ଦାଗିରି ବିରୁଦ୍ଧରେ), ‘ହୋକ୍ କୋଲୋରବ୍’(ଯାଦବପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରିଙ୍କୁ କରାଯାଇଥିବା ଅସଦ ଆଚରଣ ବିରୁଦ୍ଧରେ) ଏବଂ ଆଇ.ଆଇ.ଟି ମାଡ଼୍ରାସରେ ଆମ୍ବେଦକର ପେରିୟାର ପାଠଚକ୍ରର ସ୍ୱୀକୃତି ପ୍ରତ୍ୟାହାର କରିନେବା ଇତ୍ୟାଦି । ଏହିସବୁ ଆନ୍ଦୋଳଗୁଡ଼ିକ ଜାତି ଓ ଲିଙ୍ଗ ସମ୍ବନ୍ଧିତ ପ୍ରସଙ୍ଗ ଗୁଡ଼ିକୁ ଛାତ୍ରମାନଙ୍କ ଚର୍ଚ୍ଚା ଓ ରାଜନୀତିର ଅଗ୍ରଭାଗକୁ ନେଇ ଆସିଛନ୍ତି, ପ୍ରଶ୍ନ କରିଛନ୍ତି ସଙ୍ଗଠିତ କରିବାର ନୀତିଗୁଡ଼ିକୁ ଓ ପ୍ରଚଳିତ ଛାତ୍ର ସଙ୍ଗଠନମାନଙ୍କର ନେତୃତ୍ୱକୁ ଏବଂ ଏକ ସ୍ୱୟଂସମ୍ପନ୍ନ ସ୍ଥାନ ନିଜ ପାଇଁ ସୃଷ୍ଟି କରିବା ସହ ଅନ୍ୟ କେନ୍ଦ୍ରୀୟ ତଥା ରାଜ୍ୟ ବିଶ୍ୱବିଦ୍ୟାଳୟମାନଙ୍କର ଛାତ୍ରମାନଙ୍କ ସହ ମଧ୍ୟ ସଂହତି ସ୍ଥାପନ କରିପାରିଛନ୍ତି ।

ଛାତ୍ର ଓ ଶିକ୍ଷକମାନଙ୍କ ଭିତରେ ତଥା ୟୁ.ଜି.ସି ସହ ଲାଗି ରହିଥିବା ସ୍ଥାଣୁ ଅବସ୍ତାକୁ ହଟାଇବା କ୍ଷେତ୍ରରେ ଏକ ବର୍ଷ ପାଇଁ ସମାଜ ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ଯେଉଁ ଅନୁମତି ଦିଆଯାଇଛି ତାହା ଏକ ଅସ୍ଥାୟୀ ସମାଧାନ ମାତ୍ର । ଯେଉଁ କଥାଟି ବିପଦରେ ପଡ଼ିଛି ତାହା ହେଲା ବୃହତ୍ତର ସମାନତା ଓ ପ୍ରତିନିଧିତ୍ୱ ପାଇଁ ଶିକ୍ଷାକ୍ରମ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବଦଳାଇବା କ୍ଷେତ୍ରରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଗବେଷଣାର କାର୍ଯ୍ୟସୂଚୀ ତିଆରି କରାଯାଇଥିଲା ତାହାର ପତନ । ଯୋଜନା କାଳ ସରିବା ପରେ ମଧ୍ୟ ଏହି ଗବେଷଣା କାର୍ଯ୍ୟସୂଚୀକୁ ରାଷ୍ଟ୍ରୀୟ ପାଣ୍ଠି ଯୋଗାଇ ଦେବା ଦରକାର । ସବୁଠାରୁ ଅଧିକ ନିଷ୍ପେଷିତମାନଙ୍କର ଜ୍ଞାନ ସୃଷ୍ଟି କରୁଥିବା ଦୃଷ୍ଟିରୁ ଏହି କେନ୍ଦ୍ରମାନଙ୍କର ଉପସ୍ଥିତି ଓ ସମ୍ପ୍ରସାରଣ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବୌଦ୍ଧିକ ସ୍ତରରେ ଅଧିକ ସମୃଦ୍ଧ କରିପାରନ୍ତା । ଏହି କେନ୍ଦ୍ରଗୁଡ଼ିକ ପାରମ୍ପରିକ ଶିକ୍ଷାର ସ୍ୱରୂପଗୁଡ଼ିକର ମୁକାବିଲା କରିପାରନ୍ତେ ଏବଂ ଛାତ୍ରମାନଙ୍କର ମନଟିକୁ ଅଧିକ ଉନ୍ମୁକ୍ତ କରିପାରନ୍ତେ ଅଧିକ କଠିନ ଉପାୟରେ କଥାଗୁଡ଼ିକୁ ଦେଖିବା ଓ ଜାଣିବା ପାଇଁ, ଯାହାକି ଆମ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top